ଚନ୍ଦ୍ରଭାଗା, ବାଲୁକାଶଯ୍ୟା, ମାଟି ଝିଙ୍କା!

News Story - Posted on 2017-02-05

  

ମାଘ ଶୁକ୍ଳ ସପ୍ତମୀ ତିଥି ଅବସରରେ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବା ସହ ସୂର୍ଯ୍ୟନାରାୟଣଙ୍କୁ ଦର୍ଶନ କରି ପୂଜାର୍ଚନା କରିଛନ୍ତି। ପରମ୍ପରାନୁଯାୟୀ ଷଷ୍ଠୀ ସନ୍ଧ୍ୟାରେ ଶ୍ରଦ୍ଧାଳୁମାନେ ଚନ୍ଦ୍ରଭାଗା ମେଳାପଡ଼ିଆ ସମେତ ସମୁଦ୍ର କୂଳ, ଛୋଟାରାମ ବାବା ମଠ, ରଘୁବାବା ମଠ, ଦରିଆ ମହାବୀର ମନ୍ଦିର, ଅବଧୂତ ମଠ, ନବଗ୍ରହ ମନ୍ଦିର ଓ କୋଣାର୍କ ବଜାରର ବିଭିନ୍ନ ସ୍ଥାନରେ ରାତ୍ରୀ ଯାପନ କରିଥିଲେ। ମେଳାପଡ଼ିଆରେ ସମବେତ ଶ୍ରଦ୍ଧାଳୁ ଖୋଲା ଆକାଶ ତଳେ ବାଉଁଶ କଣି, ନଡ଼ିଆ ବରଡ଼ାରେ ପ୍ରସ୍ତୁତ ଚାଞ୍ଚ, ପଲିଥିନ ଓ ନିଜ ପିନ୍ଧାଲୁଗାରେ କୁଡ଼ିଆ କରି ରହିଥିବା ବେଳେ ବାଲୁକା ଶଯ୍ୟାରେ କିଆ ପଣସ, ପଇଡ଼ ଖୋଳପା, ଭଙ୍ଗା ଇଟା ଓ ମାଟି ତିଆରି ଝିଙ୍କାରେ ଚୁଲି ପ୍ରସ୍ତୁତ କରି ମାଟିହାଣ୍ଡିରେ ଭାତ ଡ଼ାଲମା ପ୍ରସ୍ତୁତ କରି ଖାଇବା ପରେ ବଳକା ଖାଦ୍ୟକୁ ହାଣ୍ଡିଭଙ୍ଗା ପୁଷ୍କରିଣୀଣିକୁ ନେଇ ସେଠାରେ କଚାଡ଼ି ଭାଙ୍ଗିଥିଲେ।

 

ଫେବୃଆରୀ ୨ ତାରିଖ ଗୁରୁବାର ମାଘ ଶୁକ୍ଳ ଷଷ୍ଠୀ ରାତି ୯ଟାରୁ ୯ଟା ୨୦ମଧ୍ୟରେ ମାଧିପୁରର ମହାଦେବ ଶ୍ରୀ ଶ୍ରୀ ତ୍ରିବେଣିଶ୍ୱର, କୁରୁଜଙ୍ଗର ଦକ୍ଷିଣେଶ୍ୱର ଓ ସନ୍ଥପୁରର ଈଶାଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମାମାନେ ନିଜ ନିଜ ଆସ୍ଥାନରୁ ବାହାରି ବିମାନରେ ବିଜେ କରିବା ପରେ ଘଣ୍ଟ, ଘଣ୍ଟା, ମର୍ଦ୍ଧଳ, ଶଂଖୁଆ, ବନାଟି, ନାଗାନାଚ, ରଙ୍ଗବେରଙ୍ଗର ଆଲୋକ ସାଙ୍ଗକୁ ଆତସବାଜିର ସୁଶୋଭିତ ଶୋଭାଯାତ୍ରାରେ ବାହାରି ରାତି ୧୨ଟାରେ କୋଣାର୍କ ଏନଏସି ପୂଜା ମଣ୍ଡପ ଠାରେ ପହଞ୍ଚିଥିଲେ। ଶ୍ରୀଜିୟୁମାନଙ୍କ ସ୍ୱତନ୍ତ୍ର ପୂଜା ହୋମ ଓ ଭୋଗ ପ୍ରଦାନ କାର୍ଯ୍ୟ ସଂପନ୍ନ ପରେ ତିନିଠାକୁର ମିଳିତ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଯାଇ ରାତି ୨ଟା ୩୦ରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ସ୍ଥିତ ପୂଜା ମଣ୍ଡପରେ ପହଞ୍ଚି ଥିଲେ। ପାରମ୍ପରିକ ରୀତିନୀତିରେ ଠାକୁରମାନଙ୍କ ପୂଜା ହୋମ କାର୍ଯ୍ୟ ସଂପନ୍ନପରେ ସପ୍ତମୀ ତିଥି ପ୍ରତ୍ୟୁଷ ମାହେନ୍ଦ୍ର ବେଳାରେ ତୀର୍ଥ ଜଳରେ ଠାକୁରମାନଙ୍କ ସ୍ନାନ ପରେ ପରେ ସାଧୁ ସନ୍ଥମାନେ ସ୍ନାନ କରିଥିଲେ।

 

ଏହାପରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଜିଲ୍ଳାପାଳ ଅରବିନ୍ଦ ଅଗ୍ରୱାଲ ପ୍ରାତଃ ୫ଟା ୫୭ରେ ଫଲ୍ସ ଫାଇରିଙ୍ଗି କରି ଶ୍ରଦ୍ଧାଳୁଙ୍କୁ ସଂକେତ ଦେଇଥିଲେ ତୀର୍ଥ ସ୍ନାନ କରିବା ପାଇଁ।  ତୀର୍ଥ ପୁଷ୍କରିଣୀ ମଧ୍ୟରେ ମାତ୍ର ୨ଫୁଟ ଗଭୀର ପାଣି ଥିବାରୁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁଷ୍କରଣୀର ଚତୁଃପାର୍ଶ୍ୱରୁ ପ୍ରବେଶକରି ବୁଡପକାଇବା ଫଳରେ ପାଣି ଅବସ୍ଥାକୁ ଦେଖି ଅନେକ ଯାତ୍ରୀ ତୀର୍ଥ ପୂଷ୍କରଣୀ ପାଣିକୁ ମୁଣ୍ଡରେ ଛିଞ୍ଚି ହୋଇ ଫେରୁଥିବା ଦେଖା ଯାଇଥିଲା। ଲୋକେ ପୁଷ୍କରିଣୀରେ ପଶିବା ମାତ୍ରେ ଆବର୍ଜନାପୂର୍ଣ୍ଣ ପଙ୍କ ଉପରକୁ ଉଠି ପରିବେଶକୁ ଦୁର୍ଗନ୍ଧମୟ କରିଥିଲା। ମେଳା ପଡ଼ିଆ, ସମୁଦ୍ରକୂଳ ଓ ତୀର୍ଥ ପୁଷ୍କରଣୀର ଚତୁଃପାର୍ଶ୍ୱରେ ଉଜ୍ଜ୍ୱଳ ଆଲୋକର ଅଭାବ ଯୋଗୁଁ ବୟସ୍କ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲା।

 

ସୂର୍ଯ୍ୟ ଦେବଙ୍କୁ ଦର୍ଶନ କରିବା ପାଇଁ ସମୁଦ୍ର ବେଳାଭୂମିରେ ଲକ୍ଷାଧିକ ଶ୍ରଦ୍ଧାଳୁ ଅପେକ୍ଷା କରିଥିବା ବେଳେ ଘନ କୁହୁଡି ଯୋଗୁଁ ନିର୍ଦ୍ଧାରିତ ସମୟରେ ସୂର୍ଯ୍ୟେ ଦେବଙ୍କୁ ଦର୍ଶନ  କରି ନ ପାରି କୋଣାର୍କ ଅଭିମୂଖେ ଆସି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ ନବଗ୍ରକଙ୍କୁ ପୂଜାର୍ଚନା କରିଥିଲେ। ମାଘମେଳା ଉପଲକ୍ଷେ ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁº ଛାଡ଼ କରାଯାଇଥିବାରୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା।

 

ମାଘ ମେଳା ଅବସରର ଚନ୍ଦ୍ରଭାଗା ସନ୍ଥ ଶାହୀ ସ୍ନାନ ସମିତି ପକ୍ଷରୁ ପୂର୍ବବର୍ଷ ପରି ଚଳିତବର୍ଷ ମଧ୍ୟ ଶ୍ରଦ୍ଧାଳୁଙ୍କୁ ମାଗଣା ଖେଚୁଡି ପ୍ରସାଦ ବିତରଣ କରାଯାଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ପ୍ରଶାସନ ପକ୍ଷରୁ ମେଳା ପଡ଼ିଆର ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ନିମନ୍ତେ ରାତିତମା ବିଭିନ୍ନ ପ୍ରକାର ସଂାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସୁଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ହଜିବା ଖୋଜିବା ମଞ୍ଚ ସମେତ ବିଭିନ୍ନ ସଂଗଠନ ମାନଙ୍କ ପକ୍ଷରୁ ଷ୍ଟଲମାନ ଖୋଲା ଯାଇଥିଲା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top