ରାଜେନ୍ଦ୍ର ନାରାୟଣ ଦାସଙ୍କୁ ସମ୍ୱର୍ଦ୍ଧନା

News Story - Posted on 2017-02-03

 

ଓଡ଼ିଆ ଭାଷା ଆନ୍ଦୋଳନର ଏକନିଷ୍ଠ ସମର୍ଥକ ଇଂ ଡ଼ ରାଜେନ୍ଦ୍ର ନାରାୟଣ ଦାସଙ୍କୁ ‘ଶବ୍ଦସ୍ପର୍ଶ’ ତରଫରୁ ସମ୍ୱର୍ଦ୍ଧିତ କରାଯାଇଛି। ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସ୍ତମ୍ଭକାର ତୁଷାରକାନ୍ତ, ସ୍ତମ୍ଭକାର ଭାଗୀରଥି ମହାସୁଆରଙ୍କ ସମେତ ବହୁ ଭାଷା ପ୍ରେମୀ ଡ଼. ଦାସଙ୍କର ଅନନ୍ୟ ଭାଷା ପ୍ରେମକୁ ଭୂୟସୀ ପ୍ରଶଂସା କରିଥିଲେ। ବକ୍ତାମାନେ ସୁଦୂର ଜମାର୍ନରେ ଅବସ୍ଥାନ କରୁଥିବା ସତ୍ତ୍ୱେ ଡ଼. ଦାସ ପ୍ରତିନିୟତ ଭାବ ଜଗତରେ ଓଡ଼ିଶା ମାଟିରେ ବିଚରଣ କରୁଥିବା ଓ ଓଡ଼ିଆ ଭାଷାରେ ଓଡ଼ିଶାବାସୀଙ୍କର ଶାସନ ହାସଲ ପାଇଁ ମୌଳିକ ଅଧିକାରକୁ ସମର୍ଥନ କରୁଥିବାର ସଦୃଷ୍ଟାନ୍ତ ବିବରଣୀ ପ୍ରଦାନ କରିଥିଲେ।

 

ସମ୍ୱର୍ଦ୍ଧନାର ଉତ୍ତରରେ ଇଂ ଡ଼ ରାଜେନ୍ଦ୍ର ନାରାୟଣ ଦାସ ଓଡ଼ିଶାରେ ପରିବର୍ତ୍ତନର ସ୍ୱର ଉଠିବା  ଏକାନ୍ତ ଆବଶ୍ୟକ ବୋଲି କହିଥିଲେ। ଭାଷାଭିତ୍ତିରେ ଗଠିତ ଭାରତର ପ୍ରଥମ ରାଜ୍ୟ ଓଡ଼ିଶାର ଜନସାଧାରଣ ନିଜ ଭାଷାରେ ରାଜ୍ୟ ପରିଚାଳନା ଦାବି କରିବା ସମ୍ପୂର୍ଣ୍ଣ ଯଥାର୍ଥ। ଅଥଚ ପ୍ରାୟ ୩୦୦ ଦିନ ଧରି ଭାଷା ଆନ୍ଦୋଳନ କଳା ପତାକା ଅଭିଯାନ ସତ୍ତ୍ୱେ ସରକାର ତହିଁ ପ୍ରତି କର୍ଣ୍ଣପାତ ନ କରୁଥିବା ଅତ୍ୟନ୍ତ ଦୁଃସହଣୀୟ ବୋଲି ଡ. ଦାସ କହିଥିଲେ। କାୟମନବାକ୍ୟରେ ମାତୃଭାଷା ପାଇଁ ସମସ୍ତେ ଏକଜୁଟ ହେବାକୁ ହେବ ବୋଲି ସେ ଆହ୍ୱାନ ଦେଇ ନିଜ ଜୀବନର କେତୋଟି ଘଟଣାକ୍ରମର ବର୍ଣ୍ଣନା ରଖିଥିଲେ ଓ ଭାଷା ପାଇଁ କାମ କରୁଥିବା ହେତୁ ତାଙ୍କୁ ମିଳିଥିବା ଏହି ସମ୍ୱର୍ଦ୍ଧନା ଜୀବନର ସର୍ବଶ୍ରେଷ୍ଠ ସମ୍ୱର୍ଦ୍ଧନା ଭାବେ ଗ୍ରହଣୀୟ ହେବ ବୋଲି କହିଥିଲେ।

 

ଏହି ଉତ୍ସବରେ ନିଶା ମୁକ୍ତି ପାଇଁ ଚାଲିଥିବା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ଅପର୍ଣ୍ଣା ନାୟକ ସ୍ୱରଚିତ କବିତା ଗାନ କରି ଏକ ନୂଆ ଓଡ଼ିଶା ଗଠନ ପାଇଁ ଆହ୍ୱାନ ଦେଇଥିଲେ। ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା ସ୍ୱାଗତ କରିଥିବା ବେଳେ ‘ଶବ୍ଦସ୍ପର୍ଶ’ର ସଂପାଦକ ଶରଣାରବିନ୍ଦ ଓଝା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ  ବିଜୟ କୁମାର ସ୍ୱାଇଁ, ବୀର କିଶୋର, ଉମାଚରଣ ମହାନ୍ତି, ବିଜୟଲକ୍ଷ୍ମୀ ପ୍ରଧାନ, ନବ କିଶୋର ପ୍ରଧାନ, ଋତୁରାଜ ପଟ୍ଟନାୟକ, ଅସୀତ ଦାସ, ଅର୍ଜୁନ ଚରଣ ସାମନ୍ତରାୟ, ମଳୟ ତ୍ରିପାଠୀ, ଅବଦୁଲ‌୍‍ କଲାମ‌୍‍, ସବ୍ୟସାଚୀ ଶତପଥୀ, ସୌମେନ୍ଦ୍ର ମିଶ୍ର, ରଂଜନ ସାହୁ, ମଦନମୋହନ ହରିଚନ୍ଦନ ରାୟମହାପାତ୍ର, ସାଗର ଶତପଥୀ, ଗୋବିନ୍ଦ ମାହୁନ୍ତ, ବିବେକାନନ୍ଦ ଦାସ, ଆଶିଷ କୁମାର, ସଂଜୀବ ପଣ୍ଡା, ସଚିକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତି ଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top