ବିର୍ଲା-ସାହାରା ଯାଞ୍ଚ ହେଲାନି କିଆଁ?

News Story - Posted on 2017-02-02

 

 

ରଙ୍ଗା ଚରଣ ପ୍ରଧାନ

 

2013 ମସିହାରେ ଆଦିତ୍ୟ ବିର୍ଲା କମ୍ପାନୀ ଉପରେ ଗୋଟିଏ ସିବିଆଇ ଚଢ଼ଉ ହୋଇଥିଲା। କୋଇଲା ଦୁର୍ନୀତି ବିଷୟକୁ ନେଇ ଏହି ଚଢ଼ଉ ହୋଇଥିଲା। ଏହି ଚଢ଼ଉ ସମୟରେ 65 କୋଟି ଟଙ୍କାର ନଗଦ ଟଙ୍କା ଜବତ ହୋଇଥିଲା। ତା’ଛଡ଼ା ସିବିଆଇ ଏହାର ସିଇଓଙ୍କ କମ୍ପ୍ୟୁଟରରୁ କେତେକ ତଥ୍ୟ ପାଇଥିଲା। ବିର୍ଲା ଗ୍ରୁପର ଏହି ସିଇଓଙ୍କ ନାମ ଥିଲା ଶୁଭେନ୍ଦୁ ଅମିତାଭ। ଆହୁରି ବହୁତଗୁଡିଏ ନଥିପତ୍ର ସେଠାରୁ ଜବତ ହୋଇଥିଲା। ସେଥିରୁ କେତେକରେ ଦେଖାଗଲା ଯେ ‘ଏନଭର୍ଣ୍ଣମେଣ୍ଟ ପ୍ରୋଜେକ୍ଟ-ଜେ’କୁ ନଗଦ ଆକାରରେ ଲାଞ୍ଚ ଦିଆଯାଇଛି। ସ୍ବାଭାବିକ ଭାବେ ଏହା ଦର୍ଶାଉଛି ଯେ ପରିବେଶ ମନ୍ତ୍ରାଳୟ ବା ମନ୍ତ୍ରୀଙ୍କୁ ଲାଞ୍ଚ ଦିଆଯାଇଛି। ସେତେବେଳେ ଜୟନ୍ତୀ ନଟରାଜନ୍ ପରିବେଶ ମନ୍ତ୍ରୀ ଥିଲେ ଯାହାଙ୍କ ନାମ ଇଂରାଜୀ ଅକ୍ଷର ‘ଜେ’ରୁ ଆରମ୍ଭ ହୋଇଛି। ସେହି ସମୟରେ ବିର୍ଲା ଗ୍ରୁପ୍ କମ୍ପାନୀ ସେମାନଙ୍କର ଅନେକଗୁଡିଏ ପ୍ରୋଜେକ୍ଟ ପାଇଁ ପରିବେଶ ମଞ୍ଜୁରୀ ପାଇବା ପାଇଁ ଚେଷ୍ଟା ଚଳାଇଥିଲା। ତେଣୁ ଏଥିରୁ ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଏହିସବୁ ପରିବେଶ ମଞ୍ଜୁରୀ ପାଇବା ପାଇଁ ଲାଞ୍ଚ ଦିଆଯାଇଛି।

 

ସେତେବେଳେ ଆହୁରି ଅନେକଗୁଡିଏ ଡାଟା କମ୍ପ୍ୟୁଟରରୁ ମିଳିଥିଲା। ସେଥିରୁ ଗୋଟିକରେ ଲେଖାଯାଇଥିଲା:

 

ଗୁଜରାଟ ସିଏମ୍-25 କୋଟି

ଦିଆସରିଲାଣି- 12 କୋଟି

13 କୋଟି?

 

ଦୁର୍ଭାଗ୍ୟଜନକ କଥା ଏହି ଯେ, ଯଦିବା ଏହିସବୁ ଡାଟାରୁ ପରିଷ୍କାର ଭାବେ ଜଣାପଡୁଥିଲା ଯେ ଲାଞ୍ଚ ଦିଆଯାଇଛି ଏବଂ ଏସବୁ ଦୁର୍ନୀତି ନିବାରଣ ଆଇନ୍ ବଳରେ ଦଣ୍ଡନୀୟ, ସିବିଆଇ ଏହି ଘଟଣାରେ କୌଣସି ଏଫଆଇଆର୍ ଦାଖଲ କଲାନାହିଁ। ସେମାନେ କେବଳ ଏହି କାଗଜଗୁଡିକୁ ଆୟକର ବିଭାଗକୁ ଦେଇଦେଲେ।

 

ଆୟକର ବିଭାଗ ଏହି ଘଟଣାର ଏକପ୍ରକାରର ପୁଙ୍ଖାନୁପୁଙ୍ଖ ତଦନ୍ତ କଲା। ସେମାନେ ଅମିତାଭ ନାମକ ସେହି ବ୍ୟକ୍ତିଙ୍କୁ ଅନେକଥର ପଚରା ଉଚରା କଲେ। ଅମିତାଭ ମାନିଗଲା ଯେ ସେସବୁ ସେ ହିଁ ଲେଖିଥିଲା। କିନ୍ତୁ ସେ କହିଥିଲା ଯେ ଗୁଜରାଟ ସିଏମ ଅର୍ଥ ହେଉଛି ଗୁଜରାଟ ଆଲକେଲି କେମିକାଲସ୍। ଯେତେବେଳେ ତାଙ୍କୁ ପଚରାଗଲା ଯେ ‘ସି’ ଓ ‘ଏମ୍’ର ମାନେ କ’ଣ, ସେ ତାହାର ଉତ୍ତର ଦେଇପାରିନଥିଲା। ଆୟକର ବିଭାଗ ଏହି ସିଦ୍ଧାନ୍ତରେ ପହଞ୍ଚିଲା ଯେ ସେ ମିଛ କହୁଛି।

 

ସେମାନେ ଦେଖିଲେ ଯେ ସେ ହାୱଲା ମାଧ୍ୟମରେ ଅନେକ ପରିମାଣର ନଗଦ ଟଙ୍କା ପାଇଛି। ଏହି ହାୱାଲା ଟଙ୍କାକୁ ବିଭିନ୍ନ ଲୋକଙ୍କୁ ଦିଆଯାଇଛି। କିନ୍ତୁ ଆୟକର ବିଭାଗର ଆପ୍ରାଇଜାଲ୍ ରିପୋର୍ଟରେ ଏତେସବୁ କଥା ପରିଷ୍କାର ଭାବେ ବର୍ଣ୍ଣନା ହେବା ପରେ ମଧ୍ୟ ଆୟକର ବିଭାଗ ତାଙ୍କ ରିପୋର୍ଟକୁ ସିବିଆଇ ପାଖକୁ ପଠାଇଲା ନାହିଁ। ସିବିଆଇ ଏହି ଘଟଣାକୁ ଦୁର୍ନୀତି ନିବାରଣ ଆଇନ୍ ଆଧାରରେ ତଦନ୍ତ କରିପାରିଥାନ୍ତା। ଘଟଣାଟିକୁ ସେହି ସମୟରେ ଚପାଇଦେବାକୁ ଚେଷ୍ଟା କରାଗଲା।

 

ଏହାପରେ ଜଣାଯାଇଛି ଯେ ବିର୍ଲା କମ୍ପାନୀ ଆୟକର ବିଭାଗର ସେଟେଲମେଣ୍ଟ କମିଶନ ପାଖକୁ ଯାଇଛି ଘଟଣାର ରଫାଦଫା କରିବା ପାଇଁ। ସେଟେଲମେଣ୍ଟ କମିଶନରେ ଏହାର ଶୁଣାଣି ସରିଯାଇଛି। ଏହାପରେ ଏକ ଆଶଙ୍କା ପ୍ରକାଶ ପାଉଛି ଯେ ଯେଉଁ କାଗଜଗୁଡିକୁ ଚଢ଼ଉ ବେଳେ ଜବତ କରାଯାଇଥିଲା ତାହାକୁ ବିର୍ଲା ଗ୍ରୁପକୁ ଫେରାଇ ଦିଆଯାଇଛି।

 

ସାହାରା ଚଢ଼ଉ 22 ନଭେମ୍ବର 2014ରେ ହୋଇଥିଲା। ଏହି ଚଢ଼ଉ ବେଳେ ସାହାରାର ନୋଏଡାସ୍ଥିତ ଅଫିସରୁ 126 କୋଟି ନଗଦ ଟଙ୍କା ଜବତ ହୋଇଥିଲା। ଏଠାରେ ତାଙ୍କର ଚେୟାରମ୍ୟାନଙ୍କର କର୍ପୋରେଟ୍ ଅଫିସ୍ ଅବସ୍ଥିତ। ଆଉ ଏଠାରେ ମଧ୍ୟ ଅନେକ କାଗଜ, ଇ-ମେଲ୍, କମ୍ପ୍ୟୁଟର ଡାଟା ଓ ବ୍ୟକ୍ତିଗତ କର୍ମଚାରୀଙ୍କ କମ୍ପ୍ୟୁଟର ଡାଟା ଜବତ ହୋଇଥିଲା।  ଏଥିରେ ଅନେକଗୁଡିଏ ରାଜନୈତିକ ନେତାଙ୍କୁ ଟଙ୍କା ଦିଆଯାଇଥିବା ଓ ଦିଆଯିବାକୁ ବାକି ଥିବାର ପ୍ରମାଣ ମିଳିଲା। ଆପଣ ଯଦି ଏଥିରୁ ମିଳିଥିବା ଏକ କାଗଜକୁ ଦେଖିବେ ସେଥିରେ ପୂରାପୂରି ଟିକନିଖ ଭାବେ ସବୁକଥା ଲେଖାଯାଇଥିବାର ପାଇବେ। ଏଥିରେ ପ୍ରଥମ ତିନୋଟି ସ୍ତମ୍ଭରେ ଆପଣ ପାଇବେ କେଉଁ କେଉଁ ତାରିଖରେ କେଉଁ କେଉଁ ବ୍ୟକ୍ତି କେତେ ଟଙ୍କା ନଗଦ ରାଶି ନେଇଛନ୍ତି। ମୋଟ ରାଶି ହେଉଛି 115 କୋଟି ଟଙ୍କା। କାଗଜର ଡାହାଣ ପାଖରେ ଲେଖାଯାଇଛି ତାରିଖ ଅନୁସାରେ କେଉଁ କେଉଁ ବ୍ୟକ୍ତିଙ୍କୁ କେତେ ଟଙ୍କା ଦିଆଯାଇଛି। ସେଥିରେ କେଉଁ ଲୋକ ମାଧ୍ୟମରେ କେଉଁଠାରେ ସେସବୁ ଟଙ୍କା ଦିଆଯାଇଛି ତାହା ମଧ୍ୟ ଲେଖାଯାଇଛି।

 

ଏସବୁ ମନି ଲଣ୍ଡରିଂର ସର୍ବୋକୃଷ୍ଟ ଉଦାହରଣ। ଜବତ ହୋଇଥିବା ଡକୁମେଣ୍ଟରେ ଇନକମ୍ ଟ୍ୟାକ୍ସ ଅଫିସର, ଦୁଇଜଣ ସାକ୍ଷୀ ଓ ସାହାରାର ଜଣେ ଅଫିସର ଦସ୍ତଖତ କରିଛନ୍ତି।

ଏହିଭଳି ଆହୁରି ଅନେକ କାଗଜପତ୍ର ସାହାରା ଉପରେ ଚଢ଼ଉ ବେଳେ ମିଳିଥିଲା।

 

ସେହିଭଳି ଦୁଇଟି ଏମିତି କାଗଜ ମିଳିଥିଲା ଯେଉଁଥିରେ ଗୋଟିଏ ନିର୍ଦ୍ଦିଷ୍ଟ ଦେଣନେଣକୁ ଦୁଇଟି ଭିନ୍ନ ଉପାୟରେ ଲେଖାଯାଇଥିଲା। ଗୋଟିକରେ ଲେଖାଯାଇଛି ଯେ ‘ମୋଦିଜୀ’ଙ୍କୁ ନଗଦ ଟଙ୍କା ଦିଆଯାଇଛି। ଅନ୍ୟଟିରେ ସେହି ଏକା ସମୟରେ ଓ ଏକା ସ୍ଥାନରେ ସେତିକି ଟଙ୍କା ‘ଗୁଜରାଟ ମୁଖ୍ୟମନ୍ତ୍ରୀ’ଙ୍କୁ ଦିଆଯାଇଛି ବୋଲି ଲେଖାଯାଇଛି। ଏହା ଅନୁସାରେ ମୋଦିଜୀଙ୍କୁ ଅହମ୍ମଦାବାଦରେ 40 କୋଟି ଟଙ୍କା ଦିଆଯାଇଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ 4 କୋଟି, ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ 1 କୋଟି (ଶୀଲା ଦିକ୍ଷିତ) ଟଙ୍କା ଦିଆଯାଇଛି। ଏହିସବୁ ଟଙ୍କା ଦେବା 2013 ଓ ମାର୍ଚ୍ଚ 2014 ମଧ୍ୟରେ ହୋଇଛି।

 

ଏତେ ସଂଖ୍ୟକ ଅପରାଧଜନକ ଓ ପୁଙ୍ଖାନୁପୁଙ୍ଖ ନଥିପତ୍ର ମିଳିବା ସତ୍ତ୍ବେ, ଯେଉଁଥିରେ କି ଦର୍ଶାଯାଇଛି ଯେ ବହୁତ ଉଚ୍ଚସ୍ତରୀୟ ରାଜନୈତିକ ବ୍ୟକ୍ତିଙ୍କୁ ଲାଞ୍ଚ ନଗଦ ରାଶିରେ ଦିଆଯାଇଛି, ଆୟକର ବିଭାଗ କିନ୍ତୁ ସେସବୁ ସିବିଆଇକୁ ଦୁର୍ନୀତି ନିବାରଣ ଆଇନ୍ ବଳରେ ତଦନ୍ତ କରିବାକୁ ପଠାଇଲା ନାହିଁ।

 

ସାହାରା କ୍ଷେତ୍ରରେ ଆୟକର ବିଭାଗ ଆପ୍ରାଇଜଲ୍ ରିପୋର୍ଟ ତ ବନେଇଛି ମାତ୍ର ସେଥିରେ ଜବତ ହୋଇଥିବା ଏହିସବୁ କାଗଜପତ୍ର ବିଷୟରେ କିଛି ଉଲ୍ଲେଖ କରାଗଲା ନାହିଁ। କାରଣ ସେ ସମୟ ବେଳକୁ ମୋଦି ପ୍ରଧାନମନ୍ତ୍ରୀ ହୋଇସାରିଥିଲେ। ସେଥିପାଇଁ ସେସବୁକୁ ପୋତି ଦିଆଗଲା।

 

ଯେଉଁ ବ୍ୟକ୍ତି ଜଣକ ଉଭୟ ବିର୍ଲା ଓ ସାହାରା ଘଟଣାରେ ଜବତ ହୋଇଥିବା କାଗଜପତ୍ର ଲୁଚାଇ ଦେବା ପାଇଁ ଦାୟୀ ତାଙ୍କ ନାମ ହେଲା କେ.ଭି. ଚୌଧୁରୀ। ସେତେବେଳକୁ ସେ ଆୟକର ତଦନ୍ତର ମୁଖ୍ୟ ଥିଲେ। ସେଥିପାଇଁ ତାଙ୍କୁ ପୁରସ୍କାର ସ୍ବରୂପ ସେଣ୍ଟ୍ରାଲ୍ ଭିଜିଲାନ୍ସ କମିଶନର ପଦବୀକୁ ପଦୋନ୍ନତି ଦିଆଗଲା। ପ୍ରଥମ ଥର ପାଇଁ ଏମିତି ଜଣେ ରାଜସ୍ବ ଅଫିସରଙ୍କୁ ସେପରି ପଦବୀରେ ରଖାଗଲା, ଯାହାଙ୍କ ନାମ ଆହୁରି ଅନେକ ଦୁର୍ନୀତିରେ ସଂପୃକ୍ତି ଅଛି।

 

କମନ କଜ୍‌ ନାମକ ଏକ ସଂସ୍ଥା ତରଫରୁ ବରିଷ୍ଠ ସୁପ୍ରିମ କୋର୍ଟ ଓକିଲ ପ୍ରଶାନ୍ତ ଭୂଷଣ ଚୌଧୁରୀଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି, ଯାହା ଏବେ ବିଚାରାଧୀନ ଅଛି। ଉପରଲିଖିତ ବ୍ୟକ୍ତିମାନଙ୍କ ଛଡ଼ା ଆଉ ଯେଉଁ ରାଜନୈତିକ ବ୍ୟକ୍ତିଙ୍କୁ ଲାଞ୍ଚ ଦିଆଯାଇଛି ବୋଲି ଏସବୁ ଜବତ ହୋଇଥିବା କାଗଜପତ୍ରରେ ଅଛି, ତାଙ୍କ ନାଁ ହେଲା ବିଜେପି ନେତ୍ରୀ ସାଇନା ଏନ୍ସି। କାଗଜ କହୁଛି ଯେ ସାଇନାଙ୍କୁ କୁହାଯାଇଥିଲା ଯେ ସେ ମହାରାଷ୍ଟ୍ରର ଆଡଭୋକେଟ୍ ଜେନେରାଲଙ୍କ ସହ କଥା ହେବେ, ଯଦ୍ବାରା ସାହାରା ବିରୋଧରେ ଚାଲିଥିବା ‘ସେବି’ ମକଦ୍ଦମା ପ୍ରତ୍ୟାହାର ହୋଇଯିବ।

 

ଅବଶ୍ୟ ଏସବୁ ଘଟଣାର ତଦନ୍ତ ଏମିତି ଏକ ସରକାରୀ ଏଜେନ୍ସି ଦ୍ବାରା ହୋଇପାରିବ ନାହିଁ, କାରଣ ଏଥିରେ ସରକାରରେ ଥିବା ସର୍ବୋଚ୍ଚ ବ୍ୟକ୍ତିମାନେ ଲାଞ୍ଚ ନେଇଥିବାର ଉଲ୍ଲେଖ ଅଛି। ଏହାର ତଦନ୍ତ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ବା ଏସ୍ଆଇଟି ଦ୍ବାରା କିମ୍ବା ସୁପ୍ରିମକୋର୍ଟ ଦ୍ବାରା ତଦାରଖ ହେଉଥିବା ଦଳ ଦ୍ବାରା କରାଯିବା ଉଚିତ।

 

ଏସବୁର ତଦନ୍ତ କରିବା ସହଜ  କାରଣ ଯେଉଁମାନେ ଟଙ୍କା ନେଇ ଏହିସବୁ ରାଜନୈତିକ ନେତାମାନଙ୍କୁ ଦେଇଥିଲେ ସେମାନଙ୍କ ନାମ ମଧ୍ୟ ଏସବୁ କାଜପତ୍ରରେ ଉଲ୍ଲେଖ ଅଛି। ସେମାନଙ୍କୁ ଆୟକର ବିଭାଗ ଚିହ୍ନଟ କରିଛି। ସେମାନେ ବ୍ୟବହାର କରିଥିବା ଟେଲିଫୋନ୍ ନମ୍ବର ଓ ମୋବାଇଲ୍ ନମ୍ବର ମଧ୍ୟ ଚିହ୍ନଟ ହୋଇଥିଲା। ସେହି ଲୋକମାନେ ଏହି କାଗଜପତ୍ରରେ ଉଲ୍ଲେଖ ଥିବା ସମୟ ଓ ସ୍ଥାନରେ ଉପସ୍ଥିତ ଥିଲେ କି ନାହିଁ ସହଜରେ ଜଣାପଡିପାରିବ। ସେମାନଙ୍କୁ ପଚରାଉଚରା କରାଯାଇପାରିବ- ସେମାନେ ସେ ଟଙ୍କା ନେଇ କ’ଣ କଲେ, କାହାକୁ ଦେଲେ?

ବିର୍ଲା ଠାରୁ ଜବତ ହୋଇଥିବା କାଗଜପତ୍ରରେ ଲେଖାଯାଇଛି ଯେ ସେମାନେ ଦେଇଥିବା ଟଙ୍କା ବଦଳରେ ସେମାନେ ନେତାଙ୍କ ଠାରୁ କେଉଁ କାମ ହାସଲ କରିଛନ୍ତି। ମାତ୍ର ସାହାରା କ୍ଷେତ୍ରରେ ତାହାର ଉଲ୍ଲେଖ ନାହିଁ। ବୋଧହୁଏ ସେମାନେ ବିଭିନ୍ନ ପ୍ରଭାବଶାଳୀ ନେତାଙ୍କୁ ଖୁସି କରିବା ପାଇଁ କିମ୍ବା ସେମାନଙ୍କ ଦଳୀୟ ପାଣ୍ଠିକୁ ଟଙ୍କା ଦେଇଛନ୍ତି। ସେତେବେଳକୁ ଲୋକସଭା ପାଇଁ ନିର୍ବାଚନ ଆସନ୍ନ ଥିଲା ଏବଂ ମୋଦି ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଘୋଷିତ ହୋଇସାରିଥିଲେ।

 

ଏସବୁଥିରୁ ସରକାର-ରାଜନେତା-କର୍ପୋରେଟ୍ ମଧ୍ୟରେ ଥିବା ମଧୁର ସଂପର୍କ ସ୍ପଷ୍ଟ ଭାବେ ଜଣାପଡ଼େ।

 

କିଛି ମାସ ପୂର୍ବେ ଏସାର କମ୍ପାନୀର ଟେଲିଫୋନ୍ ରେକର୍ଡିଂ ପଦାକୁ ଆସିଥିଲା। ଯେଉଁଥିରେ ବିଖ୍ୟାତ ବ୍ୟକ୍ତିମାନଙ୍କ ସହ ଉକ୍ତ କମ୍ପାନୀ ଅଧିକାରୀଙ୍କ କଥୋପକଥନ ରେକର୍ଡିଂ ହୋଇଥିଲା।

ତା’ଛଡ଼ା ଉଭୟ ଅମ୍ବାନୀ ଓ ଅଦାନୀଙ୍କର ବିଦେଶରୁ କୋଇଲା ଆମଦାନି ସଂପର୍କୀୟ ଦୁର୍ନୀତି ପଦାକୁ ଆସିଥିଲା। ସେମାନେ ଗୋଟିଏ ନିର୍ଦ୍ଦିଷ୍ଟ ଦାମରେ ବିଦେଶରୁ କୋଇଲା କିଣୁଥିଲେ, ମାତ୍ର ଅଧିକ ଦାମର ବିଲ୍ ସରକାରଙ୍କୁ ଦେଖାଉଥିଲେ ଏବଂ ବର୍ଦ୍ଧିତ ଦାମରେ ବିଦେଶରେ କୋଇଲା ବିକୁଥିବା କମ୍ପାନୀକୁ ଦେଉଥିଲେ। ଏହି ଅଧିକ ଟଙ୍କାକୁ ବିଦେଶୀ କମ୍ପାନୀଟି ଅମ୍ବାନୀ ଓ ଅଦାନୀଙ୍କର ବିଦେଶରେ ଲୁକ୍କାୟିତ ଥିବା କମ୍ପାନୀମାନଙ୍କୁ ଫେରାଇ ଦେଉଥିଲେ।

 

ନିକଟରେ ପାନାମାସ୍ଥିତ ଅନେକ ନକଲି କମ୍ପାନୀମାନଙ୍କ ସଂପର୍କରେ ଇଣ୍ଡିଆନ୍ ଏକ୍ସପ୍ରେସ୍ ଓ ଶହ ଶହ ଦେଶୀ ଓ ବିଦେଶୀ ସ୍ବାଧୀନ ସାମ୍ବାଦିକମାନଙ୍କ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ନକଲି କମ୍ପାନୀମାନଙ୍କରେ ବିଭିନ୍ନ ଭାରତୀୟ ବଡ଼ବଡ଼ିଆମାନେ ନିଜର କଳାଟଙ୍କା ବିନିଯୋଗ କରିଛନ୍ତି। ଯେତେବେଳେ ଟିକସସ୍ବର୍ଗ ବୋଲି କୁହାଯାଉଥିବା ଦେଶରେ ଥିବା ଏହି କମ୍ପାନୀମାନେ ଭାରତରେ ପୁଞ୍ଜି ବିନିଯୋଗ କରନ୍ତି ସେତେବେଳେ ସେହି କମ୍ପାନୀମାନଙ୍କର ପ୍ରକୃତ ଭାରତୀୟ ମାଲିକମାନେ କିଏ ଜଣାପଡେ ନାହିଁ।

 

ଯଦି ପ୍ରଧାନମନ୍ତ୍ରୀ ମୋଦି କଳାଧନ ବିରୋଧରେ ସଜିର୍କାଲ୍ ଷ୍ଟ୍ରାଇକ୍ କରିବାକୁ ଚାହାନ୍ତି, ତେବେ ସେ ଏସାର, ଅମ୍ବାନୀ, ଅଦାନୀ ଓ ପାର୍ଟିସିପେଟୋରୀ ନୋଟ୍‌ଗୁଡିକର ଛଦ୍ମ ମାଲିକଙ୍କ ବିରୋଧରେ ସଜିର୍କାଲ୍ ଷ୍ଟ୍ରାଇକ୍ କରିବା କଥା। ସେମାନଙ୍କ ନାଁ ପାନାମା ପେପର୍ସରେ ରହିଛି।

 

ତେବେ ସେ ଯାହାହେଉ, ଏବେ ଆସନ୍ତୁ ପୁଣି ଆଲୋଚନା କରିବା ସାହାରା ଚଢ଼ଉ ସଂପର୍କୀୟ ଯାଞ୍ଚ ବିଷୟରେ। ଗତ ନଭେମ୍ବର 10 ତାରିଖରେ ଇଣ୍ଡିଆନ୍ ଏକ୍ସପ୍ରେସ୍ର ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ ଆୟକର ବିଭାଗର ସେଟେଲମେଣ୍ଟ କମିଶନ ସାହାରା ଗ୍ରୁପକୁ ତାହାର ଫାଶରୁ ସଂପୂର୍ଣ୍ଣ ମୁକ୍ତ କରିଦେଇଛି। ସେମାନେ ସାହାରାର ଯୁକ୍ତି ସହ ଏକମତ ହୋଇଯାଇଛନ୍ତି ଯେ ଜବତ ହୋଇଥିବା କାଗଜପତ୍ର ସବୁ ଲାଞ୍ଚ ଦିଆଯାଇଛି ବୋଲି ପ୍ରମାଣ କରୁନାହିଁ। ସେମାନେ ଏହି ନିଷ୍ପତ୍ତିରେ ପହଞ୍ଚିଛନ୍ତି ଯେ ସାହାରାର କେତେକ ଖଳ ପ୍ରକୃତିର କର୍ମଚାରୀ ସାହାରାକୁ ବଦନାମ କରିବାକୁ ଏସବୁ ଜାଲ୍ କାଗଜ ପ୍ରସ୍ତୁତ କରିଥିଲେ, ଯେଉଁଥିରେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସର୍ବାଧିକ 40 କୋଟି ଟଙ୍କାର ଲାଞ୍ଚ ଦିଆଯାଇଥିଲା ବୋଲି ଉଲ୍ଲେଖ ଅଛି। ମାତ୍ର ତିନିଥର ଶୁଣାଣିରେ କମିଶନ ଏପରି ନିଷ୍ପତ୍ତି ନେଇଗଲା।

 

ଏହି ଦୁଇଟି ଚଢ଼ଉରେ ଯେଉଁ କାଗଜପତ୍ର ଓ କମ୍ପ୍ୟୁଟର ଡାଟା ଜବତ ହୋଇଥିଲା ସେଥିରୁ ଜଣାପଡିଥିଲା ଯେ ସମୁଦାୟ 14ଟି ରାଜନୈତିକ ଦଳର 100ରୁ ଊର୍ଦ୍ଧ୍ବ ନେତାଙ୍କୁ ଏହି ଦୁଇଟି କମ୍ପାନୀ ନଗଦ ରାଶିରେ ଲାଞ୍ଚ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କର ନାମ ସେଥିରେ ସର୍ବାଧିକ 13 ଥର ରହିଛି। ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ।

 

ଏକଥା ସତ ଯେ ଜୈନ୍ ହାୱାଲା ମକଦ୍ଦମାର ବିଚାର ଚାଲିଥିଲା ବେଳେ ସୁପ୍ରିମକୋର୍ଟ କହିଥିଲେ ଯେ ଡାଏରୀରେ ଲେଖାକୁ ପ୍ରମାଣ ରୂପେ ଗ୍ରହଣ କରାଯାଇପାରିବ ନାହିଁ। ମାତ୍ର ସେହି ସୁପ୍ରିମକୋର୍ଟ ଏକଥା ବି କହିଥିଲେ ଯେ ଯେତେବେଳେ ବି ଏହିପରି ବେଆଇନ୍ ଦେଣନେଣର ସୁରାକ ଥିବା କୌଣସି କାଗଜ କିମ୍ବା ଡାଏରୀ ମିଳିବ ଏବଂ ସେଥିରେ ନେତାମାନଙ୍କୁ ଟଙ୍କା ଦିଆଯାଇଥିବାର ସୂଚନା ଥିବ, ସେତେବେଳେ ତାହାର ଟିକନିଖି ଓ ସ୍ବାଧୀନ ଯାଞ୍ଚ ହେବା ଦରକାର।

 

ନିକଟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦିଲ୍ଲୀ ବିଧାନସଭାରେ ସେହିସବୁ ଜବତ ହୋଇଥିବା କାଗଜପତ୍ର ଓ ଆୟକର ବିଭାଗର ଆପ୍ରାଇଜାଲ୍ ରିପୋର୍ଟର କପି ଉପସ୍ଥାପନ କରି ସେହି ଦାବି କରିଛନ୍ତି ଯେ ଏସବୁର ତଦନ୍ତ ହେଉ। ଏହି ନଥିପତ୍ର ଧରି ସେ ମିରଟ୍, ରାଞ୍ଚି, ଭୋପାଳ, ଜୟପୁର, ରୋହତକ ଇତ୍ୟାଦି ସ୍ଥାନରେ ଜନସଭା କରିଛନ୍ତି। ତାଙ୍କର ଦାବି ହେଲା ସେସବୁର ସ୍ବାଧୀନ ତଦନ୍ତ ହେଉ।

 

ଏହାର ଏକମାସ ପରେ କଂଗ୍ରେସର ରାହୁଳ ଗାନ୍ଧି ମଧ୍ୟ ସେହି କଥା ଉଠାଇଲେ, ଯଦ୍ୟପି ସେତେବେଳେ ସେ ଭୁଲିଗଲେ ଯେ ସାହାରା ଡାଏରୀରେ ନାମ ଥିବା ଶୀଲା ଦିକ୍ଷିତଙ୍କୁ ସେ ଉତ୍ତର ପ୍ରଦେଶ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଠିଆ କରାଇଛନ୍ତି। ତେବେ ସେ ଯାହାହେଉ, ପ୍ରଧାନମନ୍ତ୍ରୀ ମୋଦି ଏକ ଜନସଭାରେ ରାହୁଳଙ୍କୁ ବିଭିନ୍ନ ମଜାଳିଆ ଭାବଭଙ୍ଗୀ ସହ ବିଦ୍ରୁପ କଲେ ସିନା, ସେ ପ୍ରସଂଗ ସଂପର୍କରେ କିଛି ବି କହିଲେ ନାହିଁ। ନା ତାଙ୍କ ସମର୍ଥକ ଓ ଦଳୀୟ ନେତାମାନେ ସେ ବିଷୟରେ ମୁହଁ ଖୋଲୁଛନ୍ତି। ସେମାନେ ଏତିକି ତ କେବଳ କହିପାରନ୍ତେ ଯେ 22/11/2014ରେ ଅଙ୍କିତା ପାଣ୍ଡେ ନାମକ ଆୟକର ଅଧିକାରୀଙ୍କ ଦ୍ବାରା ସେସବୁ ଜବତ ହେବା ପରେ ଆୟକର ବିଭାଗ ସେସବୁ ଉପରେ କି କି ପଦକ୍ଷେପ ନେଇଛି? ସେସବୁ କାଗଜରେ ଜଣେ ଡେପୁଟି ଡାଇରେକ୍ଟର ହିସାବରେ ଅଙ୍କିତା ପାଣ୍ଡେଙ୍କର ଦସ୍ତଖତ ରହିଛି। ତେଣୁ ସେସବୁ କାଗଜ ଅସଲି, ନକଲି ନୁହେଁ  ସେଗୁଡିକରେ ଦୁଇଜଣ ସାକ୍ଷୀଙ୍କର ଦସ୍ତଖତ ବି ରହିଛି। ନିଜେ ଶୁଭେନ୍ଦୁ ଅମିତାଭ ମଧ୍ୟ ବିର୍ଲା ଘଟଣାରେ ମାନିଛନ୍ତି ଯେ ସେସବୁ ସେ ନିଜେ ଲେଖିଛନ୍ତି।

 

ଯେହେତୁ ବିର୍ଲାର ଲୋକ ସେସବୁ କାଗଜର ବିଷୟବସ୍ତୁକୁ ଅସ୍ବୀକାର କରୁନାହିଁ, ଆୟକର ବିଭାଗ ବି କହୁନାହିଁ ଯେ ସେମାନଙ୍କର ଅଫିସର ସେଥିରେ ଦସ୍ତଖତ କରିନାହାନ୍ତି, ସାକ୍ଷୀମାନେ ବି ଅସ୍ବୀକାର କରୁନାହାନ୍ତି, ତେଣୁ ସ୍ବାଭାବିକ ଭାବେ ସେସବୁ ବିର୍ଲା କିମ୍ବା ସାହାରା ଠାରୁ ଜବତ ହୋଇଛି ବୋଲି କାହାରି କୌଣସି ସନ୍ଦେହ ନାହିଁ।

 

ଆଉ ଗୋଟିଏ କଥା। କୌଣସି ଚଢ଼ଉ କେବଳ ଖାଲିରେ ଏମିତି ହୁଏ ନାହିଁ। ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଏହି ଚଢ଼ଉକୁ ଅନୁମତି ଦେଇଥାନ୍ତି। ଆୟକର ବିଭାଗ ପାଖରେ ସେମିତି କିଛି ବିଶ୍ବାସଯୋଗ୍ୟ ସୁରାକ ଅଛି ବୋଲି ଅଫିସର ଜଣକ ନିଜକୁ ସନ୍ତୁଷ୍ଟ କରିବା ପରେ ସେହି ଚଢ଼ଉର ଅନୁମତି ଦିଅନ୍ତି। ଏହିସବୁ ସୁରାକ ଆୟକର ବିଭାଗର ଫାଇଲରେ ଥିବ। ଯଦି ଏବେ ତାହାର ଯାଞ୍ଚ ହୁଅନ୍ତା ତେବେ ଜଣାପଡନ୍ତା, କେଉଁ ଅଫିସର ଏହି ଚଢ଼ଉର ଆଦେଶ ଦେଇଥିଲେ, ସେହି ଜବତ ୱାରେଣ୍ଟ କିଏ ଲେଖିଥିଲା, ଚଢ଼ଉ ଦଳ କିପରି ଗଠନ ହୋଇଥିଲା ଏବଂ ସର୍ବୋପରି କେଉଁ ସୁରାକ ଆଧାରରେ ଏହି ଚଢ଼ଉ ହୋଇଥିଲା?

 

ଆୟକର ଆଇନ୍ ଅନୁଯାୟୀ ଆୟକର ବିଭାଗର ଅଫିସରମାନେ ଗଣମାଧ୍ୟମ ଆଗରେ ଏସବୁ କଥା କହିପାରିବେ ନାହିଁ। ସେଥିପାଇଁ ଶ୍ରୀମତୀ ଅଙ୍କିତା ପାଣ୍ଡେ ଚୁପ୍ ଅଛନ୍ତି। ମାତ୍ର ଏକ ଏସ୍ଆଇଟି ଦ୍ବାରା ତଦନ୍ତ ହେଲେ ସେମାନେ ସତ୍ୟପାଠ ପୂର୍ବକ ସବୁ ସତକଥା କହିବେ। ତଦନ୍ତ ପାଇଁ ଗୋଟିଏ ସଚ୍ଚୋଟ ସରକାର କେବେ କୋର୍ଟର ତଦନ୍ତ ନିର୍ଦ୍ଦେଶ ପର୍ଯ୍ୟନ୍ତ ଅପେକ୍ଷା କରିବ ନାହିଁ। ଏହା ପୂର୍ବରୁ ସୁପ୍ରିମ କୋର୍ଟ ଜୈନ ଡାଏରୀ କେଶର ତଦନ୍ତ ଆଦେଶ ଦେବାର ନଜିର ରହିଛି।

 

ଏକ ନିରପେକ୍ଷ ଓ ସ୍ବାଧୀନ ତଦନ୍ତ ନିଶ୍ଚିତ ଭାବରେ ଗୁଜରାଟ ଯାଇ ଗୁଜରାଟ ଆଲକେଲି କେମିକାଲ୍ସର ଆକାଉଣ୍ଟସ୍ ଦେଖିବ। ସେମାନେ ଦେଖିବେ ଯେ ବିର୍ଲା ଡାଏରୀରେ ଉଲ୍ଲେଖ ଥିବା ଦିନଗୁଡିକରେ ସେମାନେ ସେତିକି ଲେଖାଏଁ ଟଙ୍କା ପାଇଛନ୍ତି ବୋଲି ସେମାନଙ୍କର ଆକାଉଣ୍ଟସରେ ଲେଖାଯାଇଛି କି ନାହିଁ? ଯଦି ଲେଖାଯାଇଛି ତେବେ ସେସବୁ ପ୍ରାପ୍ତିକୁ ସେମାନେ ସେ ବର୍ଷର ଆୟକର ରିଟର୍ଣ୍ଣରେ ଦେଖାଇଛନ୍ତି କି ନାହିଁ? ଆଉ ଯଦି ଗୁଜରାଟ ଆଲକେଲି କେମିକାଲସର ହିସାବ ଖାତାରେ ଏତେ ଟଙ୍କା ଗ୍ରହଣ କରିଥିବାର ଲେଖାନାହିଁ, ତେବେ ବିର୍ଲା କମ୍ପାନୀ ପାଲିରେ ବଲ୍ ପଡିବ। ଏତେ ସରଳ ତଦନ୍ତ ତ ହୋଇପାରିବ। ଏତକ କାହିଁକି ହେଉନାହିଁ? କିଏ ଏହାକୁ ରୋକୁଛି?

 

‘ଗୁଜରାଟ ସିଏମ୍’ ଓ ବିର୍ଲା କିମ୍ବା ସାହାରା ମଧ୍ୟରେ କ’ଣ ସଂପର୍କ ରହିଛି ? ବିର୍ଲା ଠାରୁ ଜବତ ହୋଇଥିବା ଇ-ମେଲରୁ ଜଣାପଡିଛି ଯେ ଗୁଜରାଟ ସରକାର ସେହି ସମୟରେ ବିର୍ଲା ପାଇଁ ଅନେକ କାମ ଅହେତୁକ କ୍ଷୀପ୍ରତାର ସହ କରିଛନ୍ତି। ମାତ୍ର ସାହାରା କାହିଁକି ‘ଗୁଜରାଟ ସିଏମ୍’ ବା ‘ମୋଦିଜୀ’ଙ୍କୁ ଏତେ ପରିମାଣରେ ନଗଦ ଟଙ୍କା ଦେଲା? ଏହାର ସଠିକ୍ ଉତ୍ତର ଏ ପର୍ଯ୍ୟନ୍ତ କେହି ଦେଇନାହାନ୍ତି। କିନ୍ତୁ ନିଜର ସୁନାମ ସୁରକ୍ଷିତ ରଖିବା ପାଇଁ ଚିନ୍ତିତ କୌଣସି ବି ପ୍ରଧାନମନ୍ତ୍ରୀ ନିଶ୍ଚୟ ଚାହିଁବ ଯେ ଏକ ନିରପେକ୍ଷ ଓ ସମୟବଦ୍ଧ ତଦନ୍ତ ମାଧ୍ୟମରେ ନିଜର ନାଁରୁ ସେହି କଳଙ୍କ ପୋଛି ହୋଇଯାଉ। କିନ୍ତୁ ମୋଦି ଏପରି କରିବେ ନାହିଁ।

 

ସାହାରା କେଶରେ ସଦ୍ୟପ୍ରକାଶିତ ଗଣମାଧ୍ୟମ ରିପୋର୍ଟରୁ ଜଣାପଡୁଛି ଯେ ଆୟକର ବିଭାଗ ସାହାରା ପ୍ରତିନିଧିଙ୍କୁ ପଚରାଉଚରା ପାଇଁ ଡାକିଥିଲା। ସେମାନଙ୍କୁ କ’ଣ ପଚରା ଯାଇଥିଲା ଏବଂ ମୋନେ କିପରି ଉତ୍ତର ଦେଇଥିଲେ ? କେଉଁଥିପାଇଁ ସେଟଲମେଣ୍ଟ କମିଶନ, ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରଥମେ ସାହାରାର ଉତ୍ତରକୁ ଖାରଜ କରିଥିଲା? କିନ୍ତୁ ଏହି ଘଟଣା ଲୋକଲୋଚନକୁ ଆସିବା ପରେ, ସେମାନଙ୍କ ଉତ୍ତରରେ ସହମତ ହୋଇ ସେମାନଙ୍କୁ ଛାଡ଼ିଦେଲା ? ଏସବୁର ଉତ୍ତର ଏକ ତଦନ୍ତ ମାଧ୍ୟମରେ ଜଣାପଡିବ। ଯେତେ ହେଲେ ନିତି ନିତି ତ ଦେଶର ପ୍ରଧାନମନ୍ତ୍ରୀଙ୍କ ନାମ କମ୍ପାନୀମାନଙ୍କର 2 ନମ୍ବର ଖାତାରୁ ମିଳେ ନାହିଁ।

 

ସେ ଦୋଷୀ କି ନୁହେଁ, କୋର୍ଟ ସ୍ଥିର କରିବ। ସୁପ୍ରିମକୋର୍ଟଙ୍କୁ ଏହି ଦୁଇଟି ମାମଲା ଅନ୍ୟ ଏକ ମାମଲାର ଶୁଣାଣି ବେଳେ ଆସିଛି। ଲାଞ୍ଚ ଓ ବେଆଇନ୍ ଦେଣନେଣ ପ୍ରମାଣ କରିବା ପାଇଁ ସୁପ୍ରିମକୋର୍ଟ ଆହୁରି ଅଧିକ ନଥିପତ୍ର ମାଗିଛନ୍ତି। ପ୍ରଶାନ୍ତ ଭୂଷଣ ନିଶ୍ଚୟ ତାହା ଦେବେ। ସତ୍ୟ ନିଶ୍ଚୟ ବାହାରକୁ ଆସିବ। ଭାରତର ଜନସାଧାରଣ ନିଶ୍ଚୟ ନିଜକୁ ସେତେବେଳେ ପ୍ରଶ୍ନ କରିବେ ଯେ ପ୍ରକୃତରେ 31% ଭୋଟ ପାଇଥିବା ଏହି ବ୍ୟକ୍ତିଟି ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ କି ନୁହେଁ ? ଅହଂକାର ଓ ତାଚ୍ଛଲ୍ୟପୂର୍ଣ୍ଣ ବିଦ୍ରୁପଭରା ଉତ୍ତର ନିଶ୍ଚୟ ସେସବୁ ପ୍ରଶ୍ନଗୁଡିକୁ ଏଡାଇ ଦେବା ପାଇଁ ଯଥେଷ୍ଟ ହେବନାହିଁ।

 

ଆମେରିକାର ପୂର୍ବତନ ରାଷ୍ଟ୍ରପତି ନିକ୍ସନ୍ ଯେତେବେଳେ ୱାଟରଗେଟ୍ ମାମଲାରେ ଛନ୍ଦି ହୋଇଥିଲେ, ସେତେବେଳେ ବି ସେ ଉତ୍ତର ଦେବାର ଏହି ରାସ୍ତା ଆପଣେଇଥିଲେ ଯେମିତି ବିଜେପି ଏବେ କରୁଛି- ଜଣେ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ସଚ୍ଚୋଟତା ଉପରେ କେହି ପ୍ରଶ୍ନ କରିପାରିବେ ନାହିଁ। ମହାଭିଯୋଗ ପ୍ରସ୍ତାବ ଭୟରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ମଧ୍ୟ ମୋନିକା ଲେଓସ୍କି ନାମକ ଜଣେ ଯୁବତୀଙ୍କ ସହ ତାଙ୍କର ସଂପର୍କର ଉତ୍ତର ଦେବା ପାଇଁ ସିନେଟରେ ସ୍ବତନ୍ତ୍ର କମିଟି ସାମ୍ନାକୁ ଆସିଥିଲେ।

 

ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିରେ ବାୟୁସେନାର ପୂର୍ବତନ ଅଧ୍ୟକ୍ଷ ଏସ.ପି. ତ୍ୟାଗୀଙ୍କୁ ବି କେବଳ ଏକ ଡାଏରୀରେ ତାଙ୍କ ନାମ ଥିବା ଆଧାରରେ ଗିରଫ କରାଯାଇଛି।

ଗତ ଜାନୁଆରୀ 5 ତାରିଖରେ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟକୁ ଏହି ଲାଞ୍ଚ କାରବାର ସଂପର୍କରେ ଅଧିକ ତଥ୍ୟ ଦେଇଥିଲେ। ସେଥିରେ ସେ ଆୟକର ବିଭାଗର ଆପ୍ରାଇଜାଲ୍ ରିପୋର୍ଟ ବି ଦେଇଥିଲେ। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ସେଟେଲମେଣ୍ଟ କମିଶନ ଆଗରୁ ସାହାରାର ଯୁକ୍ତିକୁ ଗ୍ରହଣ କରିନଥିଲେ। ମାତ୍ର ପରେ ସେହି କମିଶନର ଅନ୍ୟତମ ସଦସ୍ୟ ସାନ୍ଧୁଙ୍କୁ ବେଆଇନ୍ ଭାବେ ଚେନ୍ନାଇ ବଦଳି କରିଦିଆଗଲା। ତା’ପରେ ସାହାରା ତା’ର ପ୍ରତ୍ୟାକ୍ୟାତ ହୋଇଥିବା ପୁରୁଣା ଯୁକ୍ତିକୁ ଧରି ପୁଣିଥରେ ସେଟେଲମେଣ୍ଟ କମିଶନଙ୍କୁ ଗଲା ଯାହାକୁ କମିଶନ ଏଥର ମାନିଗଲା।

 

ଦୁର୍ଭାଗ୍ୟର କଥା ଯେ ସୁପ୍ରିମକୋର୍ଟ ଗତ ଜାନୁଆରୀ 11 ତାରିଖରେ ଏହି ଲାଞ୍ଚ ଘଟଣାର କୌଣସି ତଦନ୍ତ ପାଇଁ ଆଦେଶ ଦେବାକୁ ମନା କରିଦେଇଛନ୍ତି। ଜଷ୍ଟିସ୍ ଅରୁଣ ମିଶ୍ର ଓ ଅମିତାଭ ରାୟଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ କହିଛନ୍ତି ଯେ ଜବତ ହୋଇଥିବା ଏହି କାଗଜପତ୍ରର ଆଧାରରେ ଉଚ୍ଚ ପଦରେ ବସିଥିବା ବ୍ୟକ୍ତିଙ୍କୁ କୌଣସି ତଦନ୍ତର ପରିସରକୁ ଅଣାଯାଇପାରିବ ନାହିଁ। ସୁପ୍ରିମକୋର୍ଟର ଏହି ରାୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁର୍ନୀତି ବିରୋଧରେ ଅଭିଯାନ ପାଇଁ ଏକ ଶକ୍ତ ଧକ୍କା। କାରଣ ଜବତ ହୋଇଥିବା କାଗଜପତ୍ର, ଇ-ମେଲ୍ ଓ ଡାଟା ଫାଇଲ୍ ସବୁଥିରେ ଆୟକର ବିଭାଗର ଅଫିସରମାନଙ୍କର ଦସ୍ତଖତ ରହିଛି। ଏପରିକି ଆପ୍ରାଇଜାଲ୍ ରିପୋର୍ଟ ପ୍ରସ୍ତୁତ ହୋଇଛି। ସେଟେଲମେଣ୍ଟ କମିଶନ ପ୍ରଥମ ଦଫାରେ ସାହାରାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

 

ଯଦି ଉଚ୍ଚପଦବୀରେ ବସିଥିବା ବ୍ୟକ୍ତିଙ୍କୁ ତଦନ୍ତ ପରିସରରେ ଅଣାନଯାଇ ଛାଡ଼ି ଦିଆଯିବ, ତେବେ କ’ଣ କେବଳ ସାଧାରଣ ଜନତାଙ୍କ ପାଇଁ ଆଇନ୍ ଅଛି?

 

ସିବିଆଇ ଦ୍ବାରା ଏସବୁ ଚଢ଼ଉ ହୋଇଥିବା ସତ୍ତ୍ବେ ସେମାନେ ଜବତ କାଗଜପତ୍ରକୁ ଆୟକର ବିଭାଗକୁ ଦେଇ ଚୁପ୍ ବସିଲେ। ଆୟକର ବିଭାଗ ବିର୍ଲା ଘଟଣାରେ ଆପ୍ରାଇଜାଲ୍ ରିପୋର୍ଟ ପ୍ରସ୍ତୁତ କରି ମଧ୍ୟ ସିବିଆଇକୁ ଦେଲା ନାହିଁ। ଅବସର ପରେ ବର୍ତ୍ତମାନ ମୁଖ୍ୟ ଭିଜିଲାନ୍ସ କମିଶନର ହୋଇଥିବା କେ.ଭି. ଚୌଧୁରୀ ଆଗରୁ ଆୟକର ବିଭାଗର ସର୍ବୋଚ୍ଚ କମିଟିର ଚେୟାରମ୍ୟାନ୍ ପଦରେ ରହି ବାରମ୍ବାର ଘଟଣାକୁ ଚପାଇଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆଗରୁ ବୋଫର୍ସ ଘଟଣାରେ ଭାରତରେ ଉଚ୍ଚ ପଦରେ ବସିଥିବା ବ୍ୟକ୍ତିମାନେ ଦୋଷମୁକ୍ତ ହୋଇଥିଲେ। ସାଧାରଣ ଜନତାଙ୍କ ମାନସରେ ସେମାନେ ଏବେ ବି ଦୋଷୀ ଅଛନ୍ତି ଏବଂ ସେମାନଙ୍କୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିଥିଲା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top