ସମୁଦ୍ରରୁ ଜଳ ଚୋରୀ!

News Story - Posted on 2017-02-02

 

ଚନ୍ଦ୍ରଭାଗାରେ ଏକ ଘରୋଇ ଚିଙ୍ଗୁଡି ଜାଆଁଳ ଉତ୍ପାଦନ କେନ୍ଦ୍ରକୁ ବେଆଇନ ଭାବେ ସମୁଦ୍ରରୁ ପାଇପ ଯୋଗେ ପାଣି ବୁହାଯାଉଥିବା ଅଭିଯୋଗ ହୋଇଛି। କାହା ଅନୁମତିରେ ପାଇପ‌୍‍ ଦ୍ୱାରା ସମୁଦ୍ରରୁ ପାଣି ଯାଉଛି ତାହା ଏବେ ତଦନ୍ତ ସାପେକ୍ଷ। ଚନ୍ଦ୍ରଭାଗାଠାରେ ନୂଆ କରି ଗଡି ଉଠିଥିବା ଚିଙ୍ଗୁଡି ଜାଆଁଳ ଉତ୍ପାଦନ କେନ୍ଦ୍ରକୁ ବେଆଇନ ଭାବେ ପାଇପ‌୍‍ ଯୋଗେ ଲୁଣି ପାଣି ଆଣିବା ପାଇଁ ସମୁଦ୍ରକୁ ଖୁମ୍ୱ ପୋତାଯାଇଥିବା ଦେଖିବାକୁ ମିଳିଛି।

 

ସ୍ଥାନୀୟ ମତ୍ସ୍ୟଜୀବୀମାନେ ମାଛ ଧରିବା ପାଇଁ ଡଙ୍ଗା ଓ ଜାଲ ନେଇ ସମୁଦ୍ରକୁ ଯାଉଥିବା ବେଳେ ପୋତାଯାଇଥିବା ଏହି ଖୁମ୍ୱ ଓ ପାଣି ପାଇପ‌୍‍ରେ ଲାଗି ଅସୁବିଧା ଷୃଷ୍ଟି କରୁଛି ବୋଲି ସ୍ଥାନୀୟ ମତ୍ସ୍ୟଜୀବୀମାନେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। କଲକତାର ଏକ ଘରୋଇ ସଂସ୍ଥା ପକ୍ଷରୁ ଚନ୍ଦ୍ରଭାଗାଠାରେ ନୂଆକରି ବାଗଦା ଚିଙ୍ଗୁଡି ଜାଆଁଳ ଉତ୍ପାଦାନ କେନ୍ଦ୍ର ଖୋଲାଯାଇଛି। ଚିଙ୍ଗୁଡି ଜାଆଁଳ ଉତ୍ପାଦନ ନିମନ୍ତେ ଲୁଣା ପାଣିର ଆବଶ୍ୟକତା ଥିବାରୁ ଏହି ଉତ୍ପାଦନ କେନ୍ଦ୍ରକୁ ପାଇପ ଯୋଗେ ସମୁଦ୍ରରୁ ପାଣି ଅଣାଯାଉଛି। ଚନ୍ଦ୍ରଭାଗା ତୀର୍ଥ ପୁଷ୍ଟରିଣୀ ପଛ ପାର୍ଶ୍ୱ ଦେଇ ପ୍ରାୟ ଏକ ହଜାର ମିଟର ଦର୍ଘ ଦୂରତାରୁ ପାଇପ ବିଛାଯାଇ ସମୁଦ୍ର ପାଣି ସଂଗ୍ରହ କରାଯାଉଛି। ଏତଦବ୍ୟତିତ ସମୁଦ୍ର ବେଳାଭୂମୀରେ ଏକ ଅସ୍ଥାୟୀ ପମ୍ପ ଘର ମଧ୍ୟ ନିର୍ମାଣ ହୋଇ ଥିବା ବେଳେ ଚିଙ୍ଗୁଡି ଉତ୍ପାଦନ କେନ୍ଦ୍ରକୁ ଏଠାରୁ ପାଣି ପଠାଯାଉଛି।

 

କୌଣସି ସରକାରୀ ସୀକୃତି ନଥାଇ ବେଆଇନ ଭାବେ ଏହି ସମସ୍ତ କାର୍ଯ୍ୟ କରାଯାଇଥିବା ସ୍ଥାନୀୟ ମତ୍ସ୍ୟ ବିଭାଗର ଅଧିକାରୀମାନେ ପ୍ରକାଶ କରିଛନ୍ତି। ଏ ସଂପର୍କରେ ନୋଳିଆ ମସ୍ୟଜୀବୀମାନେ କୋଣାର୍କ ଥାନା ଓ ତହସିଲଦାରଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ଜଣା ପଡିଛି। ଏ ସଂପର୍କରେ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ଉପାଧ୍ୟାୟଙ୍କୁ ପଚାରିବାରୁ ସେ କହିଥିଲେ ମୁଁ କାଗଜପତ୍ର ଦେଖି ସାରିଲା ପରେ କହିବି। ସ୍ଥାନୀୟ ମସ୍ୟ ବିଭାଗ ଅଧିକାରୀ ପ୍ରଶାନ୍ତ ମହାନ୍ତି ଘଟଣା ସଂପର୍କରେ ମତ୍ସ୍ୟ ବିଭାଗକୁ ଲିଖିତ ଭାବେ ଅବଗତ କରାଇ ଥିବା ଜଣାଉଛନ୍ତି। ଏହି ଚିଙ୍ଗୁଡି ଜାଆଁଳ ଉତ୍ପାଦନ କେନ୍ଦ୍ରର କର୍ମଚାରୀଙ୍କୁ ପଚାରିବାରୁ ସେ କିଛି ଜାଣି ନଥିବା ପ୍ରକାଶ କରିଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top