କୃଷି ଅଭିବୃଦ୍ଧି ୪.୧ ପ୍ରତିଶତ ହେବ!

News Story - Posted on 2017-02-02

କେନ୍ଦ୍ରୀୟ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସଂସଦରେ ୨୦୧୭-୧୮ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରି କହିଥିଲେ ଯେ ମୌସୁମୀର ସ୍ଥିତି ସୁବିଧାଜନକ ରହିଥିବା କାରଣରୁ ସରକାର  ଚଳିତ ଆର୍ଥିକ ବର୍ଷ (୨୦୧୬-୧୭) ସମୟରେ କୃଷି କ୍ଷେତ୍ରରେ ୪.୧ ପ୍ରତିଶତ ଅଭିବୃଦ୍ଧି ହେବ ବୋଲି ଅନୁମାନ କରିଛନ୍ତି। ନିଜର ଚତୁର୍ଥ ବଜେଟ ଉପସ୍ଥାପନ କରି ଜେଟଲୀ କହିଥିଲେ ଯେ କୃଷକମାନଙ୍କୁ ସମୟ ମଧ୍ୟରେ ପର୍ଯ୍ୟାପ୍ତ ଋଣ ଯୋଗାଇ ଦିଆଯିବ। ୨୦୧୭-୧୮ରେ ୧୦ ଲକ୍ଷ କୋଟି ଟଙ୍କାର ରେକର୍ଡ କୃଷି ଋଣ  ପ୍ରଦାନର ଲକ୍ଷ୍ୟ ରଖାଯାଇଛି। ସେ କହିଥିଲେ ଯେ ଅଳ୍ପସେଚିତ କ୍ଷେତ୍ର, ପୂର୍ବାଂଚଳ ରାଜ୍ୟ ତଥା ଜାମ୍ମୁ-କାଶ୍ମୀରର କୃଷକଙ୍କ ନିମନ୍ତେ ପର୍ଯ୍ୟାପ୍ତ ଋଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପ୍ରତି ବିଶେଷ ଉଦ୍ୟମ କରାଯିବ। କୃଷକମାନଙ୍କୁ ସମବାୟ ଋଣ ଢାଂଚାରୁ ନିଆଯାଇଥିବା ଋଣ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ୬୦ ଦିନର ସୁଧ ପରିଶୋଧ ଉପରେ ରିହାତି ମିଳିବ।

 

ଅର୍ଥମନ୍ତ୍ରୀ କହିଥିଲେ ଯେ ପାଖାପାଖି ୪୦ ପ୍ରତିଶତ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ସମବାୟ ଢାଂଚାରୁ ଋଣ ପ୍ରାପ୍ତ କରିଥାନ୍ତି। ସରକାର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡ଼ିକର କୋର ପ୍ରଣାଳୀ ସହିତ ସମସ୍ତ ୬୩ ହଜାର କ୍ରିୟାଶୀଳ ପ୍ରାଥମିକ କୃଷି ଋଣ ସୋସାଇଟିର କମ୍ପ୍ୟୁଟରୀକରଣ ଏବଂ ସଂଯୋଗ ନିମନ୍ତେ ନାବାର୍ଡକୁ ସହାୟତା କରିବା ଲାଗି ପ୍ରତିଶ୍ରୁତିବଦ୍ଧ। ଏହି କାର୍ଯ୍ୟରେ ୧୯୦୦ କୋଟି ଟଙ୍କାର ଆନୁମାନିକ ବ୍ୟୟ ଅଟକଳ କରାଯାଇଛି। ରାଜ୍ୟ ସରକାରଙ୍କ ଆଥିର୍କ ଭାଗିଦାରୀ ଦ୍ୱାରା ଆସନ୍ତା ୩ ବର୍ଷରେ ଏହାକୁ ପୂରଣ କରାଯିବ। ଏହାଦ୍ୱାରା କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ପାଇଁ ଋଣ ପ୍ରଦାନକୁ ସୁନିଶ୍ଚିତ କରାଯାଇପାରିବ।

 

କୃଷକ ଅନୁକୂଳ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଥଲେ ଯେ ନାବାର୍ଡରେ ଏକ ଦୀର୍ଘକାଳୀନ ଜଳସେଚନ ପାଣ୍ଠି ପ୍ରତିଷ୍ଠା କରାଯାଇସାରିଛି ଏବଂ ପ୍ରଧାନମନ୍ତ୍ରୀ  ଏହାର ସ୍ଥାୟୀ ପାଣ୍ଠିରେ ୨୦ ହଜାର କୋଟି ଟଙ୍କାର ଅତିରିକ୍ତ ଅର୍ଥରାଶି ସାମିଲ କରିବା ଲାଗି ଘୋଷଣା କରିଛନ୍ତି। ଏହି ପାଣ୍ଠିର ମୋଟ ପୁଞ୍ଜି ବୃଦ୍ଧି ପାଇ ୪୦ ହଜାର କୋଟି ଟଙ୍କା ହୋଇସାରିଛି।

 

ଫସଲ ବୀମା ଯୋଜନାର ବିସ୍ତାର ଯାହା ୨୦୧୬-୧୭ରେ ଫସଲ କ୍ଷେତ୍ରର ୩୦ ପ୍ରତିଶତ ଥିଲା, ତାହାକୁ ୨୦୧୭-୧୮ ବର୍ଷରେ ବଢ଼ାଇ ୪୦ ପ୍ରତିଶତ ଏବଂ ୨୦୧୮-୧୯ ବର୍ଷରେ ବଢ଼ାଇ ୫୦ ପ୍ରତିଶତ କରାଯିବ। ବଜେଟ ଅନୁମାନ ଅନୁଯାୟୀ ୨୦୧୬-୧୭ ବର୍ଷରେ ଏହି ଯୋଜନା ନିମନ୍ତେ ୫୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା, ବକେୟା ଦାବି ପୂରଣ କରିବା ନିମନ୍ତେ ୨୦୧୬-୧୭ ବର୍ଷରେ ସଂଶୋଧିତ ବଜେଟ ଅନୁମାନ ବୃଦ୍ଧି କରାଯାଇ ୧୩,୨୪୦ କୋଟି ଟଙ୍କା କରି ଦିଆଯାଇଛି। ବର୍ଷ ୨୦୧୭-୧୮ ନିମନ୍ତେ ଏହି  ବାବଦରେ ୯ହଜାର କୋଟି ଟଙ୍କା ଯୋଗାଇ ଦିଆଯିବ। ଏହି ଯୋଜନା ଅନ୍ତର୍ଗତ ବୀମାକୃତ ରାଶି ଯାହା ୨୦୧୫ ଖରିଫ‌୍‍ ଋତୁରେ ୬୯ ହଜାର କୋଟି ଟଙ୍କା ଥିଲା, ୨୦୧୬ର ଖରିଫ ସିଜନରେ ଦୁଇ ଗୁଣରୁ ଅଧିକ ବୃଦ୍ଧି ପାଇ ୧,୪୧, ୬୨୫ କୋଟି ଟଙ୍କା ହୋଇଯାଇଛି।

 

ଅର୍ଥମନ୍ତ୍ରୀ ନିଜର ପୂର୍ବ ବଜେଟ ଭାଷଣ ସମ୍ପର୍କରେ ଉଲ୍ଲେଖ କରିଥିଲେ, ଯେଉଁଥିରେ ୫ ବର୍ଷରେ କୃଷକଙ୍କ ଆୟକୁ ଦୁଇ ଗୁଣ କରିବା ନିମନ୍ତେ କୃଷକଙ୍କ ଆୟ ସୁରକ୍ଷା ପ୍ରତି ଧ୍ୟାନ କେନ୍ଦ୍ରୀତ କରାଯାଇଥିଲା। ଅର୍ଥମନ୍ତ୍ରୀ କହିଥିଲେ ଯେ ସରକାର କୃଷକଙ୍କୁ ସେମାନଙ୍କ ଉତ୍ପାଦନ ବୃଦ୍ଧି ଏବଂ ଫସଲ କାଟିବା ପରେ ଭୋଗୁଥିବା ସମସ୍ୟା ସହ ମୁକାବିଲା ନିମନ୍ତେ କୃଷକଙ୍କୁ ସମର୍ଥ କରିବା ଲାଗି ଅନେକ ପଦକ୍ଷେପ ନିଆଯିବ। ରାଷ୍ଟ୍ରୀୟ କୃଷି ବଜାର (ଇ-ନାମ) ଅଧୀନରେ ବର୍ତମାନ ୨୫୦ଟି ବଜାର ଥିବା ବେଳେ ଏଥିରେ ବୃଦ୍ଧି ଅଣାଯାଇ ୫୮୫ ଏପିଏମ‌୍‍ସି ପର୍ଯ୍ୟନ୍ତ ପହଂଚାଇ ଦିଆଯିବ। ଏହାବ୍ୟତୀତ ସ୍ୱଚ୍ଛତା, ଗ୍ରାଇଣ୍ଡିଂ ଏବଂ ପ୍ୟାକେଜିଂ ସୁବିଧାର ପ୍ରତି। ନିମନ୍ତେ ପ୍ରତ୍ୟେକ ଇ-ନାମ ବଜାରକୁ ସର୍ବାଧିକ ୭୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ।

 

ଗୋପାଳନ କୃଷକମାନଙ୍କ ପାଇଁ ଅତିରିକ୍ତ ଆୟ ଉତ୍ସ ହୋଇଥିବାରୁ ଏହାକୁ ସ୍ୱୀକାର କରି ଅର୍ଥମନ୍ତ୍ରୀ ୩ ବର୍ଷରେ ୮ ହଜାର କୋଟି ଟଙ୍କାର ସଂଚୟ ପାଣ୍ଠି ମାଧ୍ୟମରେ ନାବାର୍ଡରେ ଏକ ଦୁଗ୍ଧ ପ୍ରକ୍ରିୟାକରଣ ଏବଂ ଉତ୍ପାଦନ ପାଣ୍ଠି ପ୍ରତିଷ୍ଠା କରାଯିବାର ଘୋଷଣା କରିଥିଲେ। ସେ କହିଥିଲେ ଯେ ମୃତିକା ସ୍ୱାସ୍ଥ୍ୟ କାର୍ଡ ଜାରି କରିବାର ଗତିରେ ବୃଦ୍ଧି ଆସିଛି, କାରଣ ସରକାର ଦେଶର ସମସ୍ତ ୬୪୮ଟି କୃଷି ବିଜ୍ଞାନ କେନ୍ଦ୍ରରେ ୧୦୦ ପ୍ରତିଶତ କଭରେଜ‌୍‍ ସୁନିଶ୍ଚିତ କରି ତଥା କୃଷି ବିଜ୍ଞାନ କେନ୍ଦ୍ରରେ ନୂଆ ଲଘୁ ପରୀକ୍ଷାଗାର ପ୍ରତିଷ୍ଠା କରିବା ଲାଗି ନିଷ୍ପତି ନେଇଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top