ପୃଷ୍ଠାକର ଆୟକର ରିଟର୍ଣ୍ଣ ଫର୍ମ

News Story - Posted on 2017-02-02

କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨.୫ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ମଧ୍ୟରେ ଆୟ କରୁଥିବା ବ୍ୟକ୍ତିଗତ କରଦାତାଙ୍କ ନିମନ୍ତେ କର ଆଦାୟ ପରିମାଣ ୧୦ ପ୍ରତିଶତରୁ କମାଇ ୫ ପ୍ରତିଶତ କରି ଦେଇଛନ୍ତି। ଏହାର ପରିଣାମ ସ୍ବରୂପ ୫ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ସମସ୍ତ କରଦାତାଙ୍କ ଟିକସ ଦେୟ ପରିମାଣ ଅଧା ହୋଇଯିବ।

 

ଅର୍ଥମନ୍ତ୍ରୀ ସଂସଦରେ ସାଧାରଣ ବଜେଟ ୨୦୧୭-୧୮ ଉପସ୍ଥାପନ କରି କହିଛନ୍ତି ଯେ କର ଆଦାୟର ବର୍ତ୍ତମାନ ବୋଝ ମୁଖ୍ୟତଃ ସଚ୍ଚୋଟ କରଦାତା ଏବଂ ବେତନଭୋଗୀ କର୍ମଚାରୀଙ୍କ ଉପରେ ପଡ଼ୁଛି, ଯେଉଁମାନେ ସଠିକ ରୂପେ ନିଜର ଆୟ ଦର୍ଶାଉଛନ୍ତି। ଏଣୁ ବିମୁଦ୍ରୀକରଣ ପରେ ଏହି ବର୍ଗର ଲୋକମାନେ ଟିକସ ବୋଝ କମ୍ ହେବ ବୋଲି ଆଶା କରୁଥିଲେ। ଅର୍ଥମନ୍ତ୍ରୀ କହିଛନ୍ତି, ଯଦି ନିମ୍ନ ଆୟ ସ୍ଲାବ୍ ନିମନ୍ତେ ଟିକସ ଦର ସାମାନ୍ୟ ରଖାଯିବ, ତା’ହେଲେ ବହୁତ ଲୋକ କର ପଇଠ ଲାଗି ଆଗେଇ ଆସିବେ। ସେ ଭାରତର ସମସ୍ତ ନାଗରିକମାନଙ୍କୁ ନିବେଦନ କରିଛନ୍ତି ଯେ ଯଦି ସେମାନଙ୍କର ଆୟ ୨.୫ ଲକ୍ଷ ଟଙ୍କାରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା ମଧ୍ୟରେ ସୀମିତ ଏବଂ ସେମାନେ ସବୁଠୁ ନିମ୍ନ ଆୟକର ସୀମା ମଧ୍ୟରେ ଆସୁଛନ୍ତି, ତା’ହେଲେ ସେମାନେ ୫ ପ୍ରତିଶତ ଟିକସ ଦେଇ ରାଷ୍ଟ୍ର ନିର୍ମାଣରେ ଭାଗୀଦାର ହୁଅନ୍ତୁ।

 

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଟିକସ ସୀମା ମଧ୍ୟରେ ଏପରି ଲୋକଙ୍କୁ ଆଣିବା ଲାଗି ପ୍ରୟାସ କରୁଛନ୍ତି ଯେଉଁମାନେ ଟିକସ ଚୋରି କରୁଛନ୍ତି। ଏଣୁ କର ଆଦାୟ ପରିସୀମା ବୃଦ୍ଧି କରିବା ନିମନ୍ତେ ବ୍ୟାବସାୟିକ ଆୟକୁ ବାଦ୍ ଦେଇ ଟିକସଯୋଗ୍ୟ ଆୟ କରୁଥିବା କରଦାତାମାନେ ଆୟକର ରିଟର୍ଣ୍ଣ ଭରିବା ପାଇଁ କେବଳ ଗୋଟିଏ ପୃଷ୍ଠା ବିଶିଷ୍ଟ ଫର୍ମ ଭରିବେ।

 

ଲାଭ ପୁନରାବୃତ୍ତିକୁ ରୋକିବା ଲାଗି ଲାଭର୍ାଥୀଙ୍କ ଏହି ସମୂହକୁ ମିଳୁଥିବା ଟିକସ ଛାଡ଼ର ବର୍ତ୍ତମାନ ଲାଭ ସୀମା କମାଇ ଦିଆଯାଇ ୨୫୦୦ ଟଙ୍କା କରିଦିଆଯାଉଛି, ଯାହା ୩.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ କରୁଥିବା କରଦାତାଙ୍କ ନିମନ୍ତେ ଉପଲବ୍ଧ। ଏହି ଦୁଇ ଉପାୟର ମିଶ୍ରିତ ଲାଭ ମିଳିବ। ପ୍ରତିବର୍ଷ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକମାନଙ୍କ ପାଇଁ ଟିକସ ଦେୟ ଶୂନ୍ୟ ହେବ ଏବଂ ୩ ଲକ୍ଷ ଟଙ୍କାରୁ ୩.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକମାନେ କେବଳ ୨୫୦୦ ଟଙ୍କା ଟିକସ ଦେବେ। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା କରଦାତାମାନଙ୍କ ଟିକସ ଆଦାୟ ପରିମାଣ କମାଇ ଅଧା କରାଯାଇଥିବାରୁ ଏହାର ପରବର୍ତ୍ତୀ ସ୍ଲାବ୍ ଆୟ କରୁଥିବା ଲୋକମାନେ୧୨,୫୦୦ ଟଙ୍କାର ଏକ ସମାନ ଲାଭ ମିଳିବ। ଏହି ଉପାୟର ଫଳସ୍ବରୂପ ସରକାରଙ୍କ ଉପରେ ଆର୍ଥିକ ବୋଝ ପରିମାଣ ୧୫,୫୦୦ କୋଟି ଟଙ୍କା ହେବ।

 

ତେବେ ଟିକସ ରିହାତି କାରଣରୁ ସରକାର ଯେଉଁ ରାଜସ୍ବ ହାନି ଭୋଗିବେ, ତା’ର କିଛି ଭାଗ ପୂରଣ ଲାଗି ବାର୍ଷିକ ୫୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ଆୟ କରୁଥିବା ଲୋକଙ୍କ ଦେୟ ଉପରେ ୧୦ ପ୍ରତିଶତ ସରଚାର୍ଜ ଲାଗୁ କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ଏହାଦ୍ବାରା ସରକାର ୨୭୦୦ କୋଟି ଟଙ୍କାର ଅତିରିକ୍ତ ରାଜସ୍ବ ପାଇବାର ସମ୍ଭାବନା ରହିଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top