ମୋଦିଙ୍କ ମନମୋହନ ବଜେଟ!

News Story - Posted on 2017-02-01

୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସଂସଦରେ ଉପସ୍ଥାପନ କରିଛନ୍ତି ତାଙ୍କର ବହୁ ଅପେକ୍ଷିତ ତଥା ବହୁଚର୍ଚ୍ଚିତ ସାଧାରଣ ବଜେଟ। ବଦଳାଅ, ସଶକ୍ତ କର ଓ ପରିମଳ କର ସଂକଳ୍ପ ସହିତ ଆଗତ ଏହି ବଜେଟରେ ପ୍ରଥମ ଥର ପାଇଁ ରେଳ ବଜେଟ ସାମିଲ ଅଛି। ପ୍ରଥମ ଥର ପାଇଁ ବଜେଟରେ ଯୋଜନା ଓ ଅଣଯୋଜନା ବିଭାଜନ ରହିନାହିଁ। ପ୍ରଥମ ଥର ପାଇଁ ମଧ୍ୟ ସାଧାରଣ ବଜେଟ ସହିତ ଅର୍ଥମନ୍ତ୍ରୀ ଆଗତ କରିଛନ୍ତି ଏକ ଫଳାଫଳ ବଜେଟ। ସେହିପରି ପ୍ରଥମ ଥର ପାଇଁ ବଜେଟକୁ ମାସକ ଆଗରୁ ଫେବୃଆରୀ ପହିଲାରେ ଆଗତ କରାଯାଇଛି। ବଜେଟରେ ଅର୍ଥମନ୍ତ୍ରୀ ୨୧.୪୭ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ବରାଦ କରିଛନ୍ତି। ଏଥିରେ ବ୍ୟକ୍ତିଗତ ଆୟକର ଦାତାଙ୍କ ପାଇଁ କିଛିଟା ରିହାତି ଘୋଷଣା କରାଯାଇଛି। ଏଣିକି ବାର୍ଷିକ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ କର ଆଦାୟ ହେବ ନାହିଁ। ଅଧିକନ୍ତୁ ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କାର ଆୟ ଉପରେ ପୂର୍ବରୁ ୧୦ ପ୍ରତିଶତ କର ଆଦାୟ ହେଉଥିବାବେଳେ ଏବେ ତାହାକୁ ୫ ପ୍ରତିଶତକୁ କମାଇ ଦିଆଯାଇଛି। ଏସବୁ ସତ୍ତ୍ବେ ବିମୁଦ୍ରାକରଣ ମାଡ଼ରେ ଘାଇଲା ଭୋଟରଙ୍କୁ ସନ୍ତୁଷ୍ଟ କରିବା ପାଇଁ ମନମୋହନ ସିଂହଙ୍କ ବାଟ ଧରିଛନ୍ତି ମୋଦି ସରକାର। ବଜେଟରେ ଗାଁ, ଗରିବ ଓ ଘର ଉପରେ ଗୁରୁତ୍ବ ଦିଆଯାଇଛି। ଏଭଳି ୭୦ ବଜେଟ ପରେ ବି ବଦଳି ନଥିବା ଦରିଦ୍ରର ଭାଗ୍ୟ ଯେ ଏହି ବଜେଟ ପରେ ବଦଳିଯିବ ତାହାର କୌଣସି ଗ୍ୟାରେଣ୍ଟି ଦେଇ ନାହାନ୍ତି ମୋଦି କି ତାଙ୍କ ଅର୍ଥମନ୍ତ୍ରୀ ଜେଟଲି।

 

ଦୁର୍ନୀତି, ଦରବୃଦ୍ଧି ଓ କଳାଟଙ୍କା ବିରୋଧରେ ସଂକଳ୍ପ ସହିତ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଆଗତ କରିଥିବା ୨୦୧୭-୧୮ ବର୍ଷର ସାଧାରଣ ବଜେଟରେ ଗ୍ରାମ ବିକାଶ, ଭିତ୍ତିଭୂମି ବିକାଶ ଓ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ସର୍ବାଧିକ ବ୍ୟୟ ବରାଦ କରାଯାଇଛି। ବଜେଟରେ ଆର୍ଥିକ ସଂସ୍କାର ଅବ୍ୟାହତ ରଖିବାର ପ୍ରତିଶ୍ରୁତି ସହିତ ବିତ୍ତୀୟ ବିଜ୍ଞତା ଉପରେ ଗୁରୁତ୍ୱ ଦିଆଯାଇଥିବା ଜେଟଲି କହିଛନ୍ତି। କୃଷି ବିକାଶ ଓ ଗ୍ରାମୀଣ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସର୍ବାଧିକ ବ୍ୟୟ ବରାଦ କରାଯାଇଥିବା ଦାବି ହୋଇଛି। ବଜେଟରେ ୨୦୧୭-୧୮ ବର୍ଷ ପାଇଁ ମୋଟ ୨୧.୪୭ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଥିରେ ଆସନ୍ତା ଆଥିର୍କ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟ ହାର ୩.୨ ପ୍ରତିଶତ ମଧ୍ୟରେ ରଖାଯାଇଛି। ତତପର ବର୍ଷ ଏହାକୁ ୩ ପ୍ରତିଶତକୁ କମାଇବା ପାଇଁ ଅର୍ଥମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଏହି ବଜେଟରେ ରାଜସ୍ୱ ନିଅଣ୍ଟ ପରିମାଣ ୧.୯ ପ୍ରତିଶତ ମଧ୍ୟରେ ରଖାଯାଇଛି। ଏଫଆରବିଏମ ଆଇନ ଅନୁସାରେ ଏହା ୨ ପ୍ରତିଶତ ମଧ୍ୟରେ ରହିବା କଥା।

 

ଏହି ବର୍ଷ କେନ୍ଦ୍ର ପାଇଥିବାକୁ ଥିବା ସମ୍ୱଳରୁ ରାଜ୍ୟ ଓ ବିଧାନସଭା ଥିବା କେନ୍ଦ୍ର ଶାସିତ ଅଚଂଳଗୁଡ଼ିକୁ ୪.୧୧ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରାଯିବ। ପୂର୍ବ ବର୍ଷ ଏହି ପରିମାଣ ଥିଲା ୩.୬୦ କୋଟି ଟଙ୍କା। ଆସନ୍ତା ବର୍ଷ ପାଇଁ ବଜେଟରେ ପ୍ରତିରକ୍ଷା ବିଭାଗ ପାଇଁ ୨,୭୪,୧୧୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

 

ଗାଁ ଓ କୃଷି ବିକାଶ

 

ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ କହିଛନ୍ତି ଯେ ୨୦୧୭-୧୮ ବର୍ଷରେ କୃଷି କ୍ଷେତ୍ରରେ ୧୦ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରାଯିବ। କୃଷି ବିକାଶ ଲକ୍ଷ୍ୟରେ ୫ ହଜାର କୋଟି ଟଙ୍କାର ଅଣୁ ସେଚ ପାଣ୍ଠି ଓ ୪୦ ହଜାର କୋଟି ଟଙ୍କାର ଦୀର୍ଘକାଳୀନ ସେଚ ପାଣ୍ଠି ଗଠନ କରିବା କଥା ଘୋଷଣା କରାଯାଇଛି। ଗାଈ ପାଳନକୁ ପ୍ରୋତ୍ସାହନ ଦେବା ପାଇଁ ନାବାର୍ଡ଼ ଜରିଆରେ ୮ ହଜାର କୋଟି ଟଙ୍କାର ଏକ ତିନି ବର୍ଷିଆ ପାଣ୍ଠି ଗଠନ କରାଯିବ। ପ୍ରଥମ ବର୍ଷ ଏଥିରେ ୨ ହଜାର କୋଟି ଟଙ୍କା ରଖାଯିବ। ଏକ ଆଦର୍ଶ ଠିକା କୃଷି ଆଇନ ପ୍ରଣୟନ କରାଯିବ ବୋଲି ମଧ୍ୟ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

 

ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ବର୍ଷ ୨୦୧୯ ସୁଦ୍ଧା ଦେଶର ୫୦ ହଜାର ଗ୍ରାମ ପଂଚାୟତକୁ ଦାରିଦ୍ର୍ୟମୁକ୍ତ କରିବା ପାଇଁ ଅନ୍ତ୍ୟୋଦୟ ଅଭିଯାନରେ ୧ କୋଟି ପରିବାରକୁ ସାମିଲ କରାଯିବ। ଏହି ପରିବାରଗୁଡ଼ିକୁ ପରିପୋଷଣୀୟ ଜୀବିକା ଯୋଗାଇ ଦିଆଯିବ। ଗ୍ରାମାଞ୍ଚଳ ଚାଷୀଙ୍କ ଆୟ ଦୁଇ ଗୁଣ କରିବା ପାଇଁ ୨୦୧୭ ମାର୍ଚ୍ଚ ସୁଦ୍ଧା ଧାର୍ଯ୍ୟଲକ୍ଷ୍ୟ ୫ ଲକ୍ଷ ବଦଳରେ ୧୦ ଲକ୍ଷ ଚାଷପୋଖରୀ ଖୋଳା ସରିବ। ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନାରେ ୨୦୧୬-୧୭ ବର୍ଷ ୩୮,୫୦୦ କୋଟି ଟଙ୍କା ମଂଜୁର ହୋଇଥିବାବେଳେ ୨୦୧୭-୧୮ ବର୍ଷରେ ଏହି ପରିମାଣ ୪୮ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ମନମୋହନ ସିଂହଙ୍କ ଉପା ସରକାର ଦ୍ବାରା ଆରମ୍ଭ ହୋଇଥିବା ଏହି ଯୋଜନାକୁ ଭାରତୀୟ ଜନତା ପାର୍ଟି, ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୪ ପୂର୍ବରୁ ବହୁବାର ସମାଲୋଚନା କରିଛନ୍ତି। ଏପରକି ଗତ ବର୍ଷ ମଧ୍ୟ ଏହି ଯୋଜନା ରଦ୍ଦ କରିବା ପାଇଁ ମୋଦି ସରକାରରେ କଥା ଉଠିଥିଲା।

 

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ଆସନ୍ତା ବର୍ଷ କେନ୍ଦ୍ର ସରକାର ୧୯ ହଜାର କୋଟି ଟଙ୍କା ଦେବେ। ରାଜ୍ୟଗୁଡ଼ିକର ଅଂଶ ମିଶିଲେ ଏହି ବର୍ଷ ଏ କ୍ଷେତ୍ରରେ ମୋଟ ୨୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଞ୍ଚଳରେ ୨୩ ହଜାର କୋଟି ଟଙ୍କା ନିବେଶ ହେବ। ପୂର୍ବ ବଜେଟରେ ଏ ବାବଦରେ ୧୫ ହଜାର କୋଟି ଟଙ୍କାର ପ୍ରସ୍ତାବ ଥିଲା। ୨୦୧୯ ସୁଦ୍ଧା ଗ୍ରାମାଞ୍ଚଳରେ କଚ୍ଚା ଘରେ ବସବାସ କରୁଥିବା ୧ କୋଟି ପରିବାରଙ୍କୁ ପକÑା ଘର ଯୋଗାଇ ଦିଆଯିବ।

 

ଅର୍ଥମନ୍ତ୍ରୀ କହିଛନ୍ତି କୃଷି, ଗ୍ରାମ ବିକାଶ ଓ ଆନୁସଙ୍ଗିକ କ୍ଷେତ୍ରରେ ଆସନ୍ତା ଆର୍ଥିକ ବର୍ଷରେ ମୋଟ ୧,୮୭,୨୨୩ କୋଟି ଟଙ୍କା ଖର୍ଚ୍ଚ କରାଯିବ। କିନ୍ତୁ ଏହା ପରେ କୃଷି ଓ ଗାଁର ସର୍ବାଙ୍ଗୀନ ବିକାଶ ହେବ କି ପୁଣି ଆଉ ଏକ ନିର୍ବାଚନରେ ସ୍ଲୋଗାନ ପାଇଁ ତାହା ବାକି ରହିବ ତାହା କେବଳ ଦେଖିବାର କଥା।

 

ଶିକ୍ଷା ଓ ସ୍ୱାସ୍ଥ୍ୟ

 

ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଏବେ ଦେଶର ୬୦ ଜିଲ୍ଲାରେ କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ୬୦୦ ଜିଲ୍ଲାକୁ ସଂପ୍ରସାରିତ ହେବ। ଜୀବିକା ଉନ୍ନତି ପାଇଁ ଦକ୍ଷିତା ଆହରଣ ଓ ଜ୍ଞାନ ସଚେତନତା କାର୍ଯ୍ୟକ୍ରମ ବା ସଂକଳ୍ପ ଜରିଆରେ ୪ ହଜାର କୋଟି ଟଙ୍କା ଖର୍ଚ୍ଚରେ ୩.୫ କୋଟି ଯୁବକଯୁବତୀଙ୍କୁ ତାଲିମ ଦିଆଯିବ। ଆସନ୍ତା ବର୍ଷ ଷ୍ଟ୍ରାଇଭ‌୍‍ କାର୍ଯ୍ୟକ୍ରମରକ ଦ୍ୱିତୀୟ ପର୍ଯ୍ୟାୟ ୨୨୦୦ କୋଟି ଟଙ୍କା ଖର୍ଚ୍ଚରେ ଆରମ୍ଭ ହେବ। ସୂଚନା ପ୍ରଯୁକ୍ତି ଶିକ୍ଷା କ୍ଷେତ୍ରରେ ସ୍ୱୟମ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ ହେବ। ଉନ୍ନତ ମାନର ଉଚ୍ଚସ୍ତର ଶିକ୍ଷା ପାଇଁ ୟୁଜିସି ସ୍ତରରେ ସଂସ୍କାର କରାଯିବ। ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ମଧ୍ୟ ସଂସ୍କାର ଅଣାଯିବ।

 

ଦେଶର ୧୪ ଲକ୍ଷ ଆଇସିଡିଏସ ଅଙ୍ଗନବାଡ଼ି କେନ୍ଦ୍ରରେ ମହିଳା ଶକ୍ତି କେନ୍ଦ୍ର ସ୍ଥାପନ କରାଯିବ। ଏ ବାବଦରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏସବୁ କେନ୍ଦ୍ର ଜରିଆରେ ମହିଳାଙ୍କ ଦକ୍ଷତା ବିକାଶ, ନିଯୁକ୍ତି, ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପୁଷ୍ଟି ସାଧନ କରାଯିବ। ହସ୍ପିଟାଲରେ ପିଲା ଜନ୍ମ କରୁଥିବା ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୬ ହଜାର ଟଙ୍କା ପଠାଇ ଦିଆଯିବ। ମୋଟ ଉପରେ ମହିଳା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ ପୂର୍ବ ବର୍ଷ ୧,୫୬,୫୨୮ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଏବର୍ଷ ୧,୮୪,୬୩୨ କୋଟି ଟଙ୍କା ଖର୍ଚ୍ଚ ହେବାର ପ୍ରସ୍ତାବ ରହିଛି।

ଗୁଜରାଟ ଓ ଝାଡ଼ଖଣ୍ଡରେ ଦୁଇଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ବା ଏମ୍ସ ଶାଖା ପ୍ରତିଷ୍ଠା କରାଯିବ। ମେଡିକାଲ ଶିକ୍ଷା ଓ ବୃତ୍ତିରେ ସଂସ୍କାର ଅଣାଯିବ।

 

ତଫସିଲଭୁକ୍ତ ଜାତିର ଲୋକଙ୍କ କଲ୍ୟାଣ ପାଇଁ ଆସନ୍ତା ବର୍ଷ ୫୨,୩୯୩ କୋଟି ଟଙ୍କା ଖର୍ଚ୍ଚ ହେବ। ପୂର୍ବ ବଜେଟରେ ଏଥିପାଇଁ ୩୮,୮୩୩ କୋଟିର ପ୍ରସ୍ତାବ ଥିଲା। ତଫସିଲଭୁକ୍ତ ଜନଜାତିଙ୍କ କଲ୍ୟାଣ ପାଇଁ ୩୧,୯୨୦ କୋଟି ଓ ସଂଖ୍ୟାଲଘୁ ସଂପ୍ରଦାୟର ବିକାଶ ପାଇଁ ୪,୧୯୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

 

ରେଳ, ସଡ଼କ, ଯୋଗାଯୋଗ

 

ଭିତ୍ତିଭୂମି ବିକାଶ କ୍ଷେତ୍ରରେ ୨୦୧୭-୧୮ ବର୍ଷରେ ମୋଟ ୩,୯୬,୧୩୫ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରୁ ରେଳ, ରାସ୍ତା ଓ ଜାହାଜ ଚଳାଚଳ ପାଇଁ ୨,୪୧,୩୮୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅର୍ଥମନ୍ତ୍ରୀ ପ୍ରସ୍ତାବ ରଖିଛନ୍ତି।

 

୨୦୧୭-୧୮ ବର୍ଷ ବଜେଟରେ ରେଳବାଇର ପୁଂଜି ଓ ବିକାଶ ପାଇଁ ମୋଟ ୧.୩୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରୁ ସରକାର ୫୫ ହଜାର କୋଟି ଟଙ୍କା ଦେବେ। ଆସନ୍ତା ବର୍ଷ ୩୫୦୦ କିଲୋମିଟରର ରେଳ ଧାରଣା ପଡ଼ିବ। ପୂର୍ବ ବର୍ଷ ଏହି ପରିମାଣ ଥିଲା ୨୮୦୦ କିମି। ଯାତ୍ରୀ ନିରାପତ୍ତା ପାଇଁ ଆସନ୍ତା ୫ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ଏକ ରାଷ୍ଟ୍ରୀୟ ରେଳ ସଂରକ୍ଷା କୋଷ ଗଠନ କରାଯିବ। ନୂଆ ମେଟ୍ରୋ ନୀତି ପ୍ରଣୟନ କରାଯିବ।

 

୨୦୨୦ ସୁଦ୍ଧା ଦେଶରୁ ସବୁ ଜଗୁଆଳୀ ବିହୀନ ରେଳ ଫାଟକକୁ ହଟାଇଦେବା ଲାଗି ବ୍ୟବସ୍ଥା ହେବବୋଲି କହିଛନ୍ତି। ୨୦୧୭-୧୮ ବର୍ଷରେ ଅଧିକ ୩୫୦୦ କିଲୋମିଟର ରେଳ ପଥ ନିର୍ମାଣ କରାଯିବ। ୭ଟି ରାଜ୍ୟରେ ୧୭ଟି ପ୍ରକଳ୍ପକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟକାରି କରିବା ଲାଗି ଚିହ୍ନଟ କରାଯାଇଛି। ୫୦୦ ଷ୍ଟେସନର ପୁନଃ ବିକାଶ କରାଯିବା ସହ ଏହି ସବୁ ଷ୍ଟେସନକୁ ଦିବ୍ୟାଙ୍ଗ ଜନଙ୍କ ପାଇଁ ସୁଗମ୍ୟ କରାଯିବ। ୫ ହଜାର ଷ୍ଟେସନରେ ସୌରଶକ୍ତି ବ୍ୟବହାର ଲାଗି ଉଦ୍ୟମ ହେବ। ସେଥିମଧ୍ୟରୁ ୨ ହଜାର ଷ୍ଟେସନରେ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟାରମ୍ଭ କରାଯିବ। ୨୦୧୯ ସୁଦ୍ଧା ସମସ୍ତ ରେଳ ବଗିରେ ଜୈବ ଶୌଚାଳୟ ବା ବାୟୋ ଟଏଲେଟ‌୍‍ ବ୍ୟବସ୍ଥା କରାଯିବ। ମେଟ୍ରୋ ରେଳ ପାଇଁ ଏକ ନୂଆ ନୀତି ପ୍ରଣୟନ କରାଯିବ। ଆଇଆରସିଟିସି ଜରିଆରେ କରାଯାଉଥିବା ଇ-ଟିକେଟ ଉପରୁ ସେବାକର ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରିବା ଲାଗି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

 

ସଡ଼କ କ୍ଷେତ୍ରରେ ୬୪,୯୦୦ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରଖିଛନ୍ତି ଅର୍ଥମନ୍ତ୍ରୀ। ଏହି ବର୍ଷ ୨୦୦୦ କିଲୋମିଟରର ଉପକୂଳ ସଂଯୋଗ ସଡ଼କ ନିର୍ମାଣ କରାଯିବ। ଦ୍ୱିତୀୟ ଶ୍ରେଣୀ ସହରଗୁଡ଼ିକରେ ପିପିପି ପଦ୍ଧତିରେ ବିମାନ ବନ୍ଦର ନିର୍ମାଣ କରାଯିବ।

 

ଆସନ୍ତା ବର୍ଷ ଶେଷ ସୁଦ୍ଧା ୧.୫ ଲକ୍ଷ ପଂଚାୟତରେ ଅପ୍ଟିକାଲ ଫାଇବରରେ ବ୍ରୋଡ଼ ବ୍ୟାଣ୍ଡ ସେବା ଉପଲବ୍ଧ ହେବ। ଭାରତ ନେଟ‌୍‍ ପ୍ରକଳ୍ପରେ ଏହି ବର୍ଷ ୧୦ ହଜାର କୋଟି ଖର୍ଚ୍ଚ ହେବ। ଡିଜିଟାଲ କୌଶଳରେ ଟେଲି ମେଡିସିନ, ଟେଲି ଶିକ୍ଷା ଓ ଦକ୍ଷତା ସେବା ଯୋଗାଇବାକୁ ଡିଜିଗାଁ ପ୍ରକଳ୍ପ ଆରମ୍ଭ ହେବ।

 

ଶକ୍ତି, ବାଣିଜ୍ୟ

 

ରାଜସ୍ଥାନର ବିକାନେର ଓ ଓଡ଼ିଶାର ଚଣ୍ଡିଖୋଲରେ ଦୁଇଟି ଅଶୋଧିତ ତୈଳ ଭଣ୍ଡାର ନିର୍ମାଣ କରାଯିବ। ଅତିରିକ୍ତ ୨୦ ହଜାର ମେଗାୱାର ସୌରଶକ୍ତି ଉପିାଦନ ପାଇଁ ସୋଲାର ପାର୍କ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ।

 

ରପ୍ତାନିଭିତ୍ତିକ ବାଣିଜ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଟିଆଇଇଏସ ବା ଟାଇଜ‌୍‍ ନାମକ ଏକ ନୂଆ କେନ୍ଦ୍ରୀୟ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହି ବର୍ଷ ଏଫଆଇପିବି ବା ବିଦେଶୀ ପୁଂଜି ଉନ୍ନୟନ ପରିଷଦକୁ ରଦ୍ଦ କରିଦେବେ। ଏଣିକି ଅନଲାଇନ ଜରିଆରେ ବିଦେଶୀ ପୁଂଜି ପ୍ରସ୍ତାବ ଗ୍ରହଣ କରାଯିବ। ଷ୍ଟକ ବଜାର, ସିକ୍ୟିରୁଟିଜ ଏକ୍ସଚେୟ‌୍‍ଜ ବୋର୍ଡ଼, ଏଫପିଆଇ, ରିଜର୍ଭ ବ୍ୟାଙ୍କ ଓ ସିବିଡିଟିର କାର୍ଯ୍ୟକ୍ରମରେ ବ୍ୟାପକ ସଂସ୍କାର ଅଣାଯିବ। ଅବୈଧ ଜମା ବନ୍ଦ ପାଇଁ ନୂଆ ଆଇନ ପ୍ରଣୟନ ହେବ। ରେଳବାଇର ଆଇଆରଟିସି, ଆଇଆରଏଫସି, ଆଇଆସିଓଏନ ଆଦି କମ୍ପାନୀ ଷ୍ଟକ ମାର୍କେଟରେ ପ୍ରବେଶ କରିବେ। ଦେଶର ସରକାରୀ ତୈଳ କମ୍ପାନୀଗୁଡ଼ିକୁ ମିଶାଇ ଏକ ବୃହତ ତୈଳ କମ୍ପାନୀ ସୃଷ୍ଟି କରାଯିବ।

 

ବ୍ୟାଙ୍କଗୁଡ଼ିକୁ ଏହି ବଷଁ ୧୦ ହଜାର କୋଟି ଟଙ୍କାର ପୁଂଜି ଯୋଗାଇ ଦିଆଯିବ। ପରେ ଦରକାର ପଡ଼ିଲେ ଆହୁରି ଦିଆଯିବ। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୨.୪୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି କାର୍ଯ୍ୟକ୍ରମ ଅଧୀନରେ ଦଳିତ, ଆଦିବାସୀ, ସଂଖ୍ୟାଲଘୁ ଓ ମହିଳାମାନଙ୍କୁ ଋଣ ଦିଆଯିବ।

 

ଅର୍ଥମନ୍ତ୍ରୀ ତାଙ୍କ ବଜେଟ ପ୍ରସ୍ତାବରେ ବିମୁଦ୍ରାକରଣ ପରବର୍ତ୍ତୀ ବେନଗଦୀ କାରବାରକୁ ପ୍ରୋତ୍ସାହନ ଦେବା ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି।  ରାଜନୀତିକ ଦଳଗୁଡ଼ିକୁ ନଗଦ ଚାନ୍ଦା ବାରଣ କରାଯାଇଛି। ସେମାନେ ୨ ହଜାର ଟଙ୍କାରୁ ଅଧିକ ଚାନ୍ଦା ଚେକ‌୍‍, ଡ୍ରାଫ୍ଟ ବା ଡିଜିଟାଲ ପଦ୍ଧତିରେ ଗ୍ରହଣ କରିବେ। ସବୁ ରାଜନୀତିକ ଦଳ ନିୟମିତ ଆୟବ୍ୟୟ ହିସାବ ଦେବାକୁ ବଜେଟରେ ପ୍ରସ୍ତାବ ଦିଆଯାଇଛି।

 

ସାରାଂଶ

 

୨୧.୪୭ ଲକ୍ଷ କୋଟି ଟଙ୍କାର ବଜେଟ

 

ପ୍ରଥମ ଥର ପାଇଁ ଯୋଜନା ଓ ଅଣଯୋଜନା ଖର୍ଚ୍ଚର ବିଲୟ

 

ପରିବର୍ତ୍ତନ, ଆର୍ଥିକ ସଂସ୍କାର, ଡିଜିଟାଲ କାରବାର, କୃଷି ଓ ଗ୍ରାମ୍ୟ ଉନ୍ନୟନ, ଭିତ୍ତିଭୂମି କ୍ଷେତ୍ରର ବିକାଶ, ରେଳ ସୁରକ୍ଷା ଏବଂ ଭ୍ରଷ୍ଟାଚାର ବିଲୋପ ଉପରେ ଅଧିକ ଗୁରୁତ୍ୱ

 

୧୦ ଲକ୍ଷ କୋଟି ଟଙ୍କାର କୃଷି ଋଣ ପ୍ରଦାନ ଲାଗି ଘୋଷଣା

 

ସମଗ୍ର ଦେଶରେ ଏକୀକୃତ ପ୍ରବେଶିକା ପରୀକ୍ଷା ପରିଚାଳନା ପାଇଁ ଗଠନ ହେବ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସୀ

 

ଦେଶର ୬୦୦ ଜିଲ୍ଲାରେ ଖୋଲିବ ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର

 

ଗର୍ଭବତୀ ମହିଳାଙ୍କ ବ୍ୟାଙ୍କ ଏକାଂଉଟରେ ଜମା ହେବ ୬୦୦୦ ଟଙ୍କା

 

୧ କୋଟି ପରିବାରଙ୍କୁ ଦାରିଦ୍ର୍ୟରୁ ମୁକ୍ତି ଦେବା ପାଇଁ ଯୋଜନା

 

ଚଣ୍ଡିଖୋଲରେ ହେବ ଅଶୋଧିତ ଭୂତଳ ତୈଳ ଭଣ୍ଡାର

 

ବକ୍ସି ଜଗବନ୍ଧୁଙ୍କ ଅବଦାନ ସ୍ମରଣ ପାଇଁ ସ୍ୱତନ୍ତ୍ର ସମାରୋହ

 

କାର୍ଯ୍ୟକାରୀ ହେବ ଆଧାର ପେ

 

ପ୍ରତି ପଂଚାୟତକୁ ବ୍ରଡବ୍ୟାଣ୍ଡ ସଂଯୋଗ ଲାଗି ୧୦ ହଜାର କୋଟି ଟଙ୍କାର ଯୋଜନା

 

ମୁଦ୍ରା ଯୋଜନାରେ ୨.୪୪ କୋଟି ଟଙ୍କାର ଋଣ ସହାୟତା

 

୨.୫ ଲକ୍ଷରୁ ୫ ଲକ୍ଷ ଆୟ ମଧ୍ୟରେ ୫ ପ୍ରତିଶତ ଆୟକର

 

୫୦ ଲକ୍ଷରୁ ୧ କୋଟି ଆୟ ଉପରେ ୧୦ ପ୍ରତିଶତ ସରଚାର୍ଜ

 

୧ କୋଟିରୁ ଅଧିକ ଆୟ ଉପରେ ୧୫ ପ୍ରତିଶତ ସରଚାର୍ଜ

 

୩ ଲକ୍ଷ ଟଙ୍କାରୁ ଅଧିକ ନଗଦ କାରବାର ନିଷିଦ୍ଧ

 

ବାର୍ଷିକ ୫୦ କୋଟି ମଧ୍ୟରେ କାରବାର କରୁଥିବା ଏମଏସଇ ଉପରୁ କର୍ପୋରେଟ‌୍‍ କର ଛାଡ଼

 

ଏଲଏନଜି ଉପରୁ ଅଧା ଶୁଳ୍କ ଛାଡ଼

 

ବିତ୍ତୀୟ ନିଅଣ୍ଟ ୩ ପ୍ରତିଶତ

 

୨ ହଜାର ଟଙ୍କାରୁ ଅଧିକ ନଗଦ ରାଜନୀତିକ ଚାନ୍ଦା ନିଷିଦ୍ଧ

 

ରିଜର୍ଭ ବ୍ୟାଙ୍କ ଜାରି କରିବ ନିର୍ବାଚନୀ ବଣ୍ଡ

 

ବରିଷ୍ଠ ନାଗରିକଙ୍କ ପାଇଁ ଆଧାର ଭିତ୍ତିକ ସ୍ୱାସ୍ଥ୍ୟ କାର୍ଡ଼

 

ଏଫଆଇପିବି ବ୍ୟବସ୍ଥା ଉଚ୍ଛେଦ

 

ଷ୍ଟକ ବଜାରରେ ସାମିଲ ହେବେ ରେଳବାଇ ସାଧାରଣ ଉଦ୍ୟୋଗ

 

ଆଇଆରସିଟିସ ଜରିଆରେ କିଣାଯାଉଥିବା ଇ-ଟିକେଟ ଉପରୁ ସେବାକର ଛାଡ଼

 

ରେଳବାଇର ପୁଂଜି ଖର୍ଚ୍ଚ ୧.୩୧ ଲକ୍ଷ କୋଟି ଟଙ୍କା

 

୧ ଲକ୍ଷ କୋଟି ଟଙ୍କାର ରେଳ ନିରାପତ୍ତା ପାଣ୍ଠି

 

ସିଗାର ଓ ଚୁରୁଟ ଉପରେ ୧୨.୫ ପ୍ରତିଶତ ଅବକାରୀ ଶୁË

 

ପାନ ମସଲା ଉପରେ ଅବକାରୀ ଶୁଳ୍କ ୬ରୁ ୯ ପ୍ରତିଶତକୁ ବୃଦ୍ଧି

 

ତମାଖୁ ଉପରେ ଅବକାରୀ ଶୁ‌୍‍ଳ୍କ ୪ରୁ ୮.୩ ପ୍ରତିଶତକୁ ବୃଦ୍ଧି

 

ଏଲଇଡ଼ି ସରଂଜାମ ଉପରେ ଉତ୍ପାଦ ଶୁଳ୍କ ୫ ପ୍ରତିଶତ

 

ସୌର ଶକ୍ତି ଉତ୍ପାଦନରେ ବ୍ୟବହୃତ କାଚ ଉପରୁ ଉତ୍କାଦ ଶୁଳ୍କ ଛାଡ଼

 

ମୋବାଇଲ ସର୍କିଟ ବୋର୍ଡ଼ ଉପରେ ୨ ପ୍ରତିଶତ ଉତ୍ପାଦ ଶୁଳ୍କË

 

ବକ୍ସି ଜଗବନ୍ଧୁଙ୍କ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ

 

୨୦୧୯ ସୁଦ୍ଧା ସବୁ ପାସେଞ୍ଜର ଟ୍ରେନରେ ବାୟୋ ଟଏଲେଟ


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top