ଆତ୍ମନେପଦି

News Story - Posted on 2017-01-28

ଚାରୁ ଚନ୍ଦନ ଦାଶ

 

କେମିତି ଅଛ?

 

ମତେ ପଚାରୁଛ!

 

କ’ଣ କରିବ ତମେ ଜାଣିଲେ...

 

ଶୁଣି ପାରିବ ଏକ ପଥଭ୍ରଷ୍ଟ ପଥିକର ଦୁଃଖ କାହାଣୀ? ଅନୁଭବ କରି ପାରିବ ଏକ ଉଦାସୀନ ମଣିଷର କରୁଣ ଚିତ୍କାର?

 

ଆଉ ପଢି ପାରିବ ହୃଦୟର କାନଭାସରେ ଝାପ୍ସା ହୋଇଯାଇଥିବା ଲାଲ୍ ରଙ୍ଗର ତମ ନାଁ...!!

 

ମୁଁ ଜାଣେ କଦାପି ପାରିବନି..

 

କାରଣ ତମେ ହେଉଛ ସ୍ବାର୍ଥପରତାର ସିମେଣ୍ଟରେ ତିଆରି ହୋଇଥିବା ଏକ ନିଷ୍ଠୁର, ଦୟାହୀନ ପ୍ରତିମୂର୍ତ୍ତି!

 

ଯିଏ କି ସବୁ ଶେଷ ହେବା ପରେ ବି ସୂର୍ଯ୍ୟ ପରି ଜଳଜଳ କରି ଚାହୁଁଥାଏ।

 

ଆଉ ପ୍ରଖର କିରଣରେ ରକ୍ତ, ମାଂସ ଭରା ଶରୀରକୁ ଜାଳି ଦେଉଥାଏ।

 

ହେଲେ ମୁଁ ମୁର୍ଖ ବୁଝିପାରେନି ତମ ବହୁରୁପୀ ରୂପକୁ। ଦେଖିପାରେନି ତମ ଫୁଲ ପରି କୋମଳ ଶରୀର ଭିତରେ ଥିବା ଏକ ରୁକ୍ଷ, ଅଟଳ ଓ ଅହଂକାରର ବିଶାଳ ବରଗଛକୁ।

 

ଆଗରୁ ତ ତମକୁ ଭାବିଥିଲି ମଧ୍ୟପ୍ରାଚ୍ୟର କେଉଁ ଏକ ପ୍ରିନ୍ସେସ୍ ବୋଲି।

 

ପାଖକୁ ଆସୁଥିଲ, ବସୁଥିଲ, କଥା ହେଉଥିଲ।

 

ପୁଣି କେବେକେବେ ସମୁଦ୍ରକୂଳକୁ ବୁଲି ଯିବାକୁ ଜିଦ୍ ବି କରୁଥିଲ।

 

ଆଉ ମନା କରିଦେଲେ ଅଭିମାନ ବି କରୁଥିଲ।

 

ହେଲେ ଅଦିନିଆ ବର୍ଷା ଭଳି ଅଚାନକ୍ ଉଭେଇ ଯିବାର କାରଣ କ’ଣ ମୁଁ ଜାଣେନାହିଁ।

 

ଚିଲିକାର ଅତିଥି ପକ୍ଷୀଙ୍କ ପରି ହଠାତ୍ ଉଡିଯିବାର ସେଇ ଚପଳତାକୁ ମୁଁ ବୁଝିପାରେନି।

 

ସେଥିପାଇଁ ତ ମୋ ସରଳ ପଣିଆର ସିଲାବସ୍ ଦେଖି ତମେ ଅତି ସହଜରେ କୋର୍ସ ସାରିଦେଲ।

 

ଆଉ ମୁଁ କ୍ଳିଷ୍ଟ ପ୍ରଶ୍ନ ଭାବି ସମାଧାନ ନକରି ଶେଷରେ ଫେଲ୍ ହୋଇଗଲି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top