ଫସଲ ନୀତି ନାହିଁ କାହିଁକି?

News Story - Posted on 2017-01-28

ସମଗ୍ର ଦେଶରେ ବଢ଼ି ଚାଲିଥିବା କୃଷକ ଆତ୍ମହତ୍ୟା ପାଇଁ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ଭର୍ତ୍ସନା କରିଛନ୍ତି ସୁପ୍ରିମ କୋର୍ଟ। କୃଷକଙ୍କ ଫସଲ ନିରାପତ୍ତା ଦିଗରେ ସରକାର କ’ଣ କରିଛନ୍ତି ବୋଲି ଜବାବ ମାଗିଛନ୍ତି କୋର୍ଟ। ରିଜର୍ଭ ବ୍ୟାଙ୍କ ଉପରେ ମଧ୍ୟ କୋର୍ଟ ନୋଟିସ ଜାରି କରିଛନ୍ତି। ପ୍ରତିବର୍ଷ ଫସଲ ହାନୀ ଓ ଋଣବୋଝ ଯୋଗୁଁ ଚାଷୀମାନେ ଆତ୍ମହତ୍ୟା କରୁଥିଲେ ମଧ୍ୟ ଏଯାଏଁ ଜାତୀୟ ସ୍ତରରେ ଏନେଇ କୌଣସି ନୀତି ନିର୍ଦ୍ଧାରିତ ହୋଇ ନଥିବାରୁ କୋର୍ଟ ଉଦବେଗ ପ୍ରକାଶ କରିଛନ୍ତି।

 

ପ୍ରାକୃତିକ ବିପର୍ଯ୍ୟୟ ଓ ଋଣ ବୋଝର ଦାଉରେ କୃଷକମାନେ ଆତ୍ମହତ୍ୟା କରୁଥିବା ହୃଦବୋଧ କରି ସୁପ୍ରିମ କୋର୍ଟ ନିଜ ଆଡ଼ୁ ମାମଲା ଆରମ୍ଭ କରିଛନ୍ତି। ସେମାନଙ୍କର ଫସଲ ନିରାପତ୍ତା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ କ’ଣ କରିଛନ୍ତି ବୋଲି ଜାଣିବାକୁ ଚାହିଁଛନ୍ତି କୋର୍ଟ। କୋର୍ଟ କହିଛନ୍ତି ଯେ ଏହା ଏକ ଗମ୍ଭୀର ପ୍ରସଙ୍ଗ। ତଥାପି ଏଯାଏଁ ଫସଲ ନିରାପତ୍ତା ନେଇ କୌଣସି ଜାତୀୟ ନୀତି ନାହିଁ। ରାଜ୍ୟ ସରକାରଗୁଡ଼ିକ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଓ ଋଣ ବୋଝର ଦାଉରୁ କୃଷକମାନଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛନ୍ତି ବୋଲି କୋର୍ଟ ବିଶ୍ୱାସ କରିଛନ୍ତି।

 

ଗତ ଦୁଇ ଦଶନ୍ଧି ମଧ୍ୟରେ ଦେଶରେ ଚାଷୀ ଆତ୍ମହତ୍ୟା ଢେର ଗୁଣ ବୃଦ୍ଧି ପାଇଛି। ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର ତଥ୍ୟ ଅନୁସାରେ ୨୦୧୪ ମସିହାରୁ ୨୦୧୫ ମସିହା ମଧ୍ୟରେ ଦେଶରେ ୪୨ ପ୍ରତିଶତ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। ୨୦୧୪ ମସିହାରେ ଦେଶରେ ୫୬୫୦ ଜଣ ଚାଷୀ ଆତ୍ମହତ୍ୟା କରିଥିଲାବେଳେ ୨୦୧୫ ମସିହାରେ ଏହି ସଂଖ୍ୟା ୮୦୦୭କୁ ବୃଦ୍ଧି ପାଇଛି। ଅଧିକାଂଶ ଚାଷୀ ଆତ୍ମହତ୍ୟାର କାରଣ ହେଉଛି ଫସଲହାନୀ ଓ ଋଣବୋଝ।

 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୪ ମସିହାରେ ସୁପ୍ରିମ କୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଆତ୍ମହତ୍ୟା କରିଥିବା ୬୯୨ ଚାଷୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାଏଁ କ୍ଷତିପୂରଣ ଦେବାକୁ ଗୁଜରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୦୩ ଜାନୁଆରୀ ମାସରୁ ୨୦୧୨ ଅକ୍ଟୋବର ମଧ୍ୟରେ ଗୁଜରାଟରେ ଏହି ସଂଖ୍ୟକ ଚାଷୀ ଆତ୍ମହତ୍ୟା କରିଥିଲେ। ପରେ କୋର୍ଟ ଏହି ରାୟ ସମଗ୍ର ଦେଶ ପାଇଁ ପ୍ରଯୁଜ୍ୟ ବୋଲି ଘୋଷଣା କରିଥିଲେ। କିନ୍ତୁ ଏଯାଏଁ ଅଧିକାଂଶ ରାଜ୍ୟ ସରକାର ଏହି ରାୟକୁ କାର୍ଯ୍ୟକାରୀ କରି ନାହାନ୍ତି।

 

ଚାଷ ଓ ଚାଷୀଙ୍କ ସପକ୍ଷରେ ଯାଇ ସୁପ୍ରିମ କୋର୍ଟ ଚଳିତ ମାସ ପ୍ରାରମ୍ଭରେ ସ୍ୱତନ୍ତ୍ର ଆର୍ଥନୀତିକ ଅଂଚଳ ବା ଏସଇଜେଡ ପାଇଁ ଅଧିଗୃହୀତ ଜମି ଯଦି ବ୍ୟବହୃତ ହୋଇନାହିଁ ତାହାକୁ ମୂଳ ମାଲିକଙ୍କୁ ଫେରାଇବା ଦାବିରେ ଆଗତ ଏକ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଏହି ଆବେଦନ ସଂପର୍କରେ ଜାବାବ  ଦାଖଲ କରିବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାର ଏବଂ ପଶ୍ଚିମ ବଙ୍ଗ, ପଞ୍ଜାବ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଓ ତେଲେଙ୍ଗାନା ଭଳି ଅନେକ ରାଜ୍ୟ ସରକାରଙ୍କ ଉପରେ ନୋଟିସ ଜାରି କରିଥିଲେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top