ଟାଟାଙ୍କ ସୁବର୍ଣ୍ଣରେଖା, ମିସ୍ତ୍ରୀଙ୍କ ଗୋପାଳପୁର

News Story - Posted on 2017-01-26

ଟାଟା ଷ୍ଟିଲ ବିକାଶ କରିବ ସୁବର୍ଣ୍ଣରେଖା ବନ୍ଦର। ବାଲେଶ୍ୱର ଜିଲ୍ଲା ଚଉମୁଖ ଗାଁରେ ସୁବର୍ଣ୍ଣରେଖା ମୁହାଁଣରେ ଏହି ବନ୍ଦର ତିଆରି ହେବ। ପୂର୍ବରୁ ସୁବର୍ଣ୍ଣରେଖା ବନ୍ଦର ବିକାଶ ପାଇଁ ରାଜ୍ୟ ସରକାର କ୍ରିଏଟିଭ ପୋର୍ଟ ଡେଭଲପମେଣ୍ଟେ ପ୍ରାଇଭେଟ ଲିମିଟେଡ଼ ବା ସିପିଡିପିଏଲ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। କିନ୍ତୁ ଟାଟା ଷ୍ଟିଲ ଏହି ବନ୍ଦର ବିକାଶ କରିବାକୁ ସିପିଡିପିଏଲ ଓ ଏହାର ମାଲିକମାନଙ୍କ ସହିତ ରାଜିନାମା କରିଛି।

 

ରାଜିନାମା ଅନୁସାରେ ସିପିଡିପିଏଲର ସଂଖ୍ୟାଧିକ ଶେୟାର କିଣିନେବ ଟାଟା ଷ୍ଟିଲ। ଏହି କମ୍ପାନୀ ତରଫରୁ ପ୍ରତିଷ୍ଠା ହେବ ଅନ୍ୟ ଏକ କମ୍ପାନୀ। ଏହାର ନାମ ହେବ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡ଼। ଏହାର ସବୁଯାକ ଶେୟାର ଟାଟା ଷ୍ଟିଲ ନିକଟରେ ରହିବ। ଏହି ରାଜିନାମା ପାଇଁ ଟାଟା ଷ୍ଟିଲ ସିପିଡିପିଏଲ ମାଲିକମାନଙ୍କୁ କେତେ ଟଙ୍କା ଦେବ ତାହା ପ୍ରକାଶ କରାଯାଇ ନାହିଁ। ସୁବର୍ଣ୍ଣରେଖା ମୁହାଁଣରେ ଏକ ସବୁଦିନିଆ ବନ୍ଦର ବିକାଶ କରିବା ପାଇଁ ସିପିଡିପିଏଲ ରାଜ୍ୟ ସରକାରଙ୍କ ସହିତ ୨୦୦୮ ଜାନୁଆରୀରେ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା। ଏହାର ପ୍ରମୋଟର ଥିଲେ ରମଣି ରାମସ୍ୱାମୀ ଓ ରାମସ୍ୱାମୀ ରଙ୍ଗରାଜନ।

 

ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଉପିାଦନ ଆରମ୍ଭ କରିଥିବା ଟାଟା ଷ୍ଟିଲ କାରଖାନା ସୁବର୍ଣ୍ଣରେଖା ବନ୍ଦର ଦେଇ କାରବାର କରିବ। ପୂର୍ବରୁ ଏହି ଉଦ୍ଦେଶ୍ୟରେ ଧାମରା ବନ୍ଦର ନିର୍ମାଣ କରିଥିଲା ଟାଟା। କିନ୍ତୁ ପରେ ଏହାକୁ ୫୫୦୦ କୋଟି ଟଙ୍କାରେ ଆଦାନି ଗୋଷ୍ଠୀକୁ ବିକ୍ରି କରାଯାଇଛି। ଟାଟା ଷ୍ଟିଲର ନିର୍ବାହୀ ନିଦ୍ଦେର୍ଶକ କୌଶିକ ଚାଟାର୍ଜୀ କହିଛନ୍ତି ଯେ ସୁବର୍ଣ୍ଣରେଖା ବନ୍ଦର ଟାଟା ଷ୍ଟିଲର ଭବିଷ୍ୟତ ଆବଶ୍ୟକତା ପୂରଣ କରିବ।

 

ପ୍ରସଙ୍ଗକ୍ରମେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଷ୍ଟିଭେଡୋର୍ସ ତରଫରୁ ବିକଶିତ ହୋଇଥିବା ଗୋପାଳପୁର ବନ୍ଦର ମଧ୍ୟ ବିକ୍ରି ହୋଇଯାଇଛି। ଏହାକୁ ମଧ୍ୟ କିଣି ନେଇଛି ଟାଟା ସହିତ ବିବାଦରେ ଥିବା ସାଇରସ‌୍‍ ମିସ୍ତ୍ରୀଙ୍କ କମ୍ପାନୀ ଶାପୁରଜି ପାଲୋନଜି ଗୋଷ୍ଠୀ। ଏହି ଗୋଷ୍ଠୀ ଗୋପାଳପୁର ପୋର୍ଟ ଲିମିଟେଡ଼ ବା ଜିପିଏଲରେ ୫୧ ପ୍ରତିଶତ ଅଂଶଧନ କିଣିନେବ। ଏଥିପାଇଁ ଓଡ଼ିଶା ସରକାର ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ଜିପିଏଲରେ ମହିମାନନ୍ଦ ମିଶ୍ରଙ୍କ ଓଏସଏଲର ୫୦.୫ ପ୍ରତିଶତ ଓ ନୂଆଦିଲ୍ଲୀସ୍ଥିତ ସାରା ଇଣ୍ଟର୍ନେସନାଲ ଲିମିଟେଲ ବା ଏସଆଇଏଲର ୪୯.୫ ପ୍ରତିଶତ ଶେୟାର ଥିଲା। ଶାପୁରଜି ପାଲୋନଜି ଗୋଷ୍ଠୀ ଏସଆଇଏଲର ସବୁଯାକ ଶେୟାର ସହିତ ଓଏସଏଲର ୧.୫ ପ୍ରତିଶତ ଶେୟାର କିଣିନେବାକୁ ଚୁକ୍ତି କରିସାରିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଡିଲ‌୍‍କୁ ମଂଜୁରୀ ପ୍ରଦାନ କରିଛନ୍ତି।

 

ବୁଝାମଣା ଅନୁସାରେ ଏହି କାରବାର ପାଇଁ ଶାପୁରଜି ପାଲୋନଜି ୭୦୦ କୋଟି ଟଙ୍କା ଦେବ। ଏଥିରୁ ୧୩୦ କୋଟି ଟଙ୍କା ଋଣ ପରିଶୋଧରେ ଏବଂ ୩୫୦ କୋଟି ଟଙ୍କା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଦେଇଥିବା ଅଗ୍ରୀମ ବାବଦରେ ପରିଶୋଧ ହେବ। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଓଏସଏଲଠାରୁ ଏହି ବନ୍ଦର କିଣିବାକୁ ବହୁ ଉଦ୍ୟମ କରିଥିଲା। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top