ଆଉ ଜଣେ ଶାକ୍ୟମୁନି!

News Story - Posted on 2017-01-22

ଶୁଭେନ୍ଦୁ କୁମାର ଭୂୟାଁ

 

ଶାକ୍ୟ ସିଦ୍ଧାର୍ଥ ଗୌତମ ବୁଦ୍ଧଙ୍କ ପରି ଉତ୍କଳର ଜଣେ ଯୁବରାଜ ଅମା-ଅନ୍ଧାର ଭରା ରାତିରେ ଦିନେ ରାଜ ଐଶ୍ବର୍ଯ୍ୟ ତ୍ୟାଗ କରି ଅରଣ୍ୟବାସୀ ହୋଇଥିଲେ। ଗଞ୍ଜାମ ଜିଲ୍ଲା ବଡ଼ଖେମୁଣ୍ଡି ରାଜ ପରିବାରର ଏହି ତରୁଣ ଯୁବରାଜ ବଳଭଦ୍ର ଦେବ ପରବର୍ତ୍ତୀ ସମୟରେ ପରିଚିତ ହେଲେ ମହାପୁରୁଷ ଅରକ୍ଷିତ ଦାସଙ୍କ ନାମରେ। ସେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ପ୍ରଚାର କରିଥିଲେ ନିରାକାର ଧର୍ମବାଣୀ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ପଲାଇ ମୌଜା ସ୍ଥିତ ଓଳାଶୁଣୀ ଗୁମ୍ଫାଠାରେ ସେ ସାଧନା ଓ ସିଦ୍ଧିର ଅଧିକାରୀ ହୋଇ ମହାସମାଧି ଗ୍ରହଣ କରିଥିଲେ। ପ୍ରାକୃତିକ ସୁଷମା ମଣ୍ଡିତ ଓଳାଶୁଣୀ ପୀଠରେ ଉତ୍କଳର ଏହି ଅନନ୍ୟ ଶାକ୍ୟମୁନିଙ୍କ ମହାପ୍ରୟାଣ ତିଥିରେ ଅନୁଷ୍ଠିତ ହୋଇଥାଏ ଓଳାଶୁଣୀ ଗୁମ୍ଫାଯାତ୍ରା।

 

ଉତ୍କଳର ଦେବଭୂମି ପୁଣ୍ୟକ୍ଷେତ୍ର ଶହ ଶହ ବର୍ଷ ଧରି ଅନେକ ଜ୍ଞାନୀ, ଗୁଣୀ, ସାଧୁସନ୍ଥ, ମହାତ୍ମା ଓ ମହାପୁରୁଷ ଏହି ଉତ୍କଳ ଭୂଖଣ୍ଡରେ ଜନ୍ମଗ୍ରହଣ କରି ନିଜର ସାଧନା, ସିଦ୍ଧି ଓ ମହିମାର ପ୍ରଚାର କରିଯାଇଛନ୍ତି। ମୁନିଋଷିପ୍ରଧାନ ଏହି ଭୂଖଣ୍ଡରେ ସିଦ୍ଧଯୋଗୀଗଣ ପାହାଡ଼ ପର୍ବତର ଗିରିଗୁମ୍ଫାରେ ସାଧନା ଓ ତପସ୍ୟା କରୁଥିବାର ଶତଶତ ଉଦାହରଣ ସନ୍ଥସାହିତ୍ୟ ଇତିହାସରେ ବର୍ଣ୍ଣିତ। ଅଷ୍ଟାଦଶ ଶତାବ୍ଦୀର ସନ୍ଥ ଶିରୋମଣି ଅରକ୍ଷିତ ଦାସ ଏଭଳି ପର୍ଯ୍ୟାୟରେ ଜଣେ ତତ୍ତ୍ବଦର୍ଶୀ ସିଦ୍ଧପୁରୁଷ। ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ପଲାଇ ମୌଜାସ୍ଥିତ ଓଳାଶୁଣୀ ପର୍ବତର ଶିଖର ଦେଶରେ ସାଧନା କରୁଥିବା କାଳରେ ସେ ଇଚ୍ଛାମୃତ୍ୟୁ ସମାଧି ଗ୍ରହଣ କରିଥିଲେ। ଉତ୍କଳର ଆଧ୍ୟାତ୍ମିକ ଧର୍ମସାହିତ୍ୟ କ୍ଷେତ୍ରରେ ଅରକ୍ଷିତ ଦାସଙ୍କ ନିଗୂଢ଼ ଚିନ୍ତନର ସାରସ୍ବତ ସୃଷ୍ଟି ସଂଭାର ବହୁ ଭାବରେ ଯଶସ୍ବୀ ମଣ୍ଡିତ ହୋଇଛି। ମନ ଏବଂ ଚୈତନ୍ୟ ସହିତ ତାଙ୍କର ଅତିମାନସ ସ୍ତରର ସୂକ୍ଷ୍ମଚେତନା ତାଙ୍କ ଗଭୀର ଦର୍ଶନର ମୂଳତତ୍ତ୍ବ ବୋଲି କୁହାଯାଇପାରେ। ତାଙ୍କ ଦ୍ବାରା ବିରଚିତ ଅନେକ ଦୁର୍ମୂଲ୍ୟ ଆଧ୍ୟାତ୍ମିକ ଗ୍ରନ୍ଥର ପ୍ରକୃତ ଅନୁଶୀଳନ କରାଯିବାର ପ୍ରାସଙ୍ଗିକତା ରହିଥିଲା ବେଳେ ତାଙ୍କ ପ୍ରଚାରିତ ଧର୍ମ ଓ ଦର୍ଶନରେ ଦିବ୍ୟ ଅନୁଭୂତିର ଭାବରାଗ ହିଁ ରୂପାୟିତ ହୋଇଛି।

 

ଓଡ଼ିଶାର ଧର୍ମସାହିତ୍ୟ କ୍ଷେତ୍ରକୁ ରୁଦ୍ଧିମନ୍ତ କରିଥିବା ଯଶସ୍ବୀ କବି ସାରଳା ଦାସ, ଜଗନ୍ନାଥ ଦାସ, ମତ୍ତ ବଳରାମ ଦାସଙ୍କ ଭଳି ସନ୍ଥକବି ଅରକ୍ଷିତ ଦାସଙ୍କ ରଚନା ସମଗ୍ରର ମୂଲ୍ୟାୟନ କରାଗଲେ ଏହା ତାଙ୍କୁ ଜଣେ ଦିଗଦ୍ରଷ୍ଟା କବି ଓ ଶ୍ରେଷ୍ଠ ଆଧ୍ୟାତ୍ମିକ ସାଧକର ମର୍ଯ୍ୟାଦା ପ୍ରଦାନ କରେ। କେବଳ ଏତିକି ନୁହେଁ, ସଂସ୍କାରକ ରାଜା ରାମମୋହନ ରାୟ ଓ କେଶବଚନ୍ଦ୍ର ସେନଙ୍କ ବହୁ ପୂର୍ବରୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମାଜ ସଂସ୍କାର ଓ ମୂଲ୍ୟବୋଧର ପ୍ରଚାର କ୍ଷେତ୍ରରେ ଅରକ୍ଷିତ ଦାସ ଥିଲେ ଜଣେ ଅଗ୍ରଗଣ୍ୟ ମହାତ୍ମା।

 

ଆମର ପୌରାଣିକ କଥାବସ୍ତୁରେ ବର୍ଣ୍ଣିତ ପୁରାକାଳର ଧ୍ରୁବ, ପ୍ରହ୍ଲାଦ ଏବଂ ଭାରତ ଭୂଖଣ୍ଡ ପରମ କାରୁଣିକ ତଥାଗତ ଗୌତମ ବୁଦ୍ଧ ଓ ମହାବୀରଙ୍କ ଭଳି ଯୋଗଜନ୍ମା ଏହି ମହାତ୍ମା ଅରକ୍ଷିତ ଦାସ ଉଚ୍ଚ ରାଜବଂଶରେ ଜନ୍ମଗ୍ରହଣ କରି ଏବଂ ରାଜକୀୟ ଐଶ୍ବର୍ଯ୍ୟର ଅଧିକାରୀ ହୋଇ ମଧ୍ୟ ନିରାକାର ପରମବ୍ରହ୍ମଙ୍କ ନିଗୁଢ଼ ତତ୍ତ୍ବ ଅନ୍ବେଷଣରେ ସୁଖ ଓ ମୋହପୂର୍ଣ୍ଣ ସଂସାର ତ୍ୟାଗ କରିଥିଲେ। ଅବିଭକ୍ତ ଗଞ୍ଜାମ ଜିଲ୍ଲାର ବଡ଼ଖେମୁଣ୍ଡି ରାଜପରିବାରରେ ଗଙ୍ଗବଂଶୀୟ ଏହି ଯୁବରାଜ ବଳଭଦ୍ରଦେବଙ୍କର ଜନ୍ମ ହୋଇଥିଲେ ମଧ୍ୟ ସମଗ୍ର ଓଡ଼ିଶାର ବହୁ ଦୁର୍ଗମ ବନ, ପର୍ବତର ଗିରିଗୁମ୍ଫା, ଜନପଦ, ପ୍ରାଚୀନ ଧର୍ମପୀଠ ଥିଲା ତାଙ୍କର କର୍ମଭୂମି। ଶେଷରେ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ପଲାଇ ମୌଜାରେ ଅବସ୍ଥିତ ଓଁକାର ରୂପକ ପର୍ବତ ଓଳାଶୁଣୀ ଗୁମ୍ଫା ଥିଲା ତାଙ୍କ ଜୀବନର ଚିର ଅଭିଳାଷିତ ସିଦ୍ଧିସାଧନା ମନ୍ଦିର। ଓଳାଶୁଣୀ ପର୍ବତର ଶିଖର ପ୍ରଦେଶରେ ଅବସ୍ଥିତ ପ୍ରାଚୀନ ଗିରିଗୁମ୍ଫା, ପାଦଦେଶରେ ପ୍ରବହମାନା କୃଶୋଦରୀ ସ୍ରୋତସ୍ବିନୀ ଗୋବରୀ, ବିଶେଷତଃ ପ୍ରଣବର ‘ଓଁକାର’ ଧ୍ବନିରେ ନିନାଦିତ ଓଳାଶୁଣୀ ପୀଠର ପ୍ରାକୃତିକ ସୁଷମା ବିମଣ୍ଡିତ ନୈସର୍ଗିକ ଶୋଭା ତାଙ୍କ ଜୀବନର ଅନ୍ତିମ ସାଧନା କ୍ଷେତ୍ର ଭାବରେ ତାଙ୍କୁ ବିଶେଷ ଭାବରେ ପ୍ରଭାବିତ କରିଥିଲା।

 

ଓଳାଶୁଣୀ ପୀଠର ଅନତି ଦୂରରେ ରହିଛି ପବିତ୍ର ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା। ଅଷ୍ଟାଦଶ ଶତାବ୍ଦୀର ଲୋକପ୍ରିୟ ଶାସକ ରାଧାଶ୍ୟାମ ନରେନ୍ଦ୍ର ଥିଲେ କେନ୍ଦ୍ରାପଡ଼ାର ତତ୍କାଳୀନ ଜମିଦାର, ଯାହାଙ୍କ ଅଧୀନରେ ଥିଲା ଉତ୍କଳର ଏହି ପବିତ୍ର ଆଧ୍ୟାତ୍ମିକ ପୀଠ ଓଳାଶୁଣୀ ଗୁମ୍ଫା ପାହାଡ଼। ପ୍ରାଚୀନ ଶକ୍ତିପୀଠ ଶାରଳା କ୍ଷେତ୍ର, ଯଦୁପୁର, ପାରାଦ୍ବୀପ ଏବଂ କୁଜଙ୍ଗର ଷଣ୍ଢରାଜାଙ୍କ ଦରବାରରୁ ବିଫଳ ମନୋରଥରେ ଫେରିବା ପରେ ସିଦ୍ଧସାଧକ ଅରକ୍ଷିତ ନରେନ୍ଦ୍ରଙ୍କ ଜମିଦାରୀ ଉଆସରେ ପହଞ୍ଚି ଯୋଗସାଧନା ବଳରେ ଜମିଦାରଙ୍କ ମନକଥା ପ୍ରକାଶ କରିଥିଲେ। ପରମ ଆଧ୍ୟାତ୍ମବାଦୀ ଏହି ଜମିଦାର, ଅରକ୍ଷିତ ଦାସଙ୍କୁ ତାଙ୍କ ଜମିଦାରୀରେ ଥିବା ଓଳାଶୁଣୀ ଗୁମ୍ଫା ପାହାଡ଼ ଦାନ କରିଥିଲେ। ବୌଦ୍ଧପୀଠ ଲଳିତଗିରିର ଅନତି ଦୂରରେ ଅବସ୍ଥିତ ଏହି ପ୍ରାଚୀନ ପୀଠର ଅଧିଷ୍ଠାତ୍ରୀ ଥିଲେ ଦେବୀ ଓଳାଶୁଣୀ। ସ୍ବପ୍ନାଦେଶ ପାଇ ଅରକ୍ଷିତ ବୃନ୍ଦାବନରୁ ପ୍ରାପ୍ତ ମୋହନବଂଶୀ ବାଦନ କରିବା ପରେ ଦେବୀ ଶାନ୍ତମୂର୍ତ୍ତି ଧାରଣ ପୂର୍ବକ ପର୍ବତ ଶିଖରରେ ଥିବା ନିଜ ଆସ୍ଥାନରୁ ଓହ୍ଲାଇ ପୂର୍ବଦିଗ ତଳ ଭାଗରେ ଅବସ୍ଥାନ କଲେ।

 

ସାରସ୍ବତ ସୃଷ୍ଟି ସମ୍ଭାର

 

ଓଡ଼ିଆ ଭକ୍ତିସାହିତ୍ୟ କ୍ଷେତ୍ରକୁ ସନ୍ଥ ଅରକ୍ଷିତଙ୍କ ଦାନ ଅନନ୍ୟ। ତାଙ୍କ ମହନୀୟ ରଚନାରେ ଓଡ଼ିଆ ଭକ୍ତି ସାହିତ୍ୟ ରୁଦ୍ଧିମନ୍ତ ହୋଇଛି। ସନ୍ଥ ଅରକ୍ଷିତ ବିଶେଷ କୌଣସି ଶିକ୍ଷାଲାଭ କରି ନଥିଲେ ମଧ୍ୟ ଉତ୍କଳର ବିଭିନ୍ନ ପୁଣ୍ୟକ୍ଷେତ୍ର ପରିଭ୍ରମଣ କାଳରେ ବଣର କଣ୍ଟା ସାହାଯ୍ୟରେ ଲେଖିଯାଇଛନ୍ତି ଅନେକ ମାନବବାଦୀ ତତ୍ତ୍ବବାଣୀର ନିର୍ଯ୍ୟାସ। ତନ୍ମଧ୍ୟରୁ ‘ମହୀମଣ୍ଡଳ ଗୀତା’ ହେଉଛି ତାଙ୍କର ଆତ୍ମଜୀବନୀମୂଳକ ଏକ ଅମୂଲ୍ୟ ଗ୍ରନ୍ଥ। ମହିମଣ୍ଡଳ ଗୀତା ସମେତ ବାଲ୍ୟବୋଧ ସଂହିତା, ବ୍ରହ୍ମାଣ୍ଡ ଗୀତା, ଅବଧୂତ ସଙ୍ଗୀତ, ଭକ୍ତିଟୀକା, ଗୁପ୍ତଟୀକା, ଶକାବ୍ଦ ସଂହିତା, ଦ୍ବିତିକାବୋଧନୀ, ବ୍ରହ୍ମକବଚ ଭଳି ଅନେକ ଜ୍ଞାନଗ୍ରନ୍ଥ। ଏହା ସହିତ ସେ ରଚନା କରିଛନ୍ତି ଅସଂଖ୍ୟ ଭଜନ ଓ ଜଣାଣ। ମହାପୁରୁଷଙ୍କ ଦ୍ବାରା ବିରଚିତ ଅନେକ ଦୁର୍ମୂଲ୍ୟ ତଥା ପ୍ରାଚୀନ ପୋଥି ଅର୍ଥାଭାବରୁ ପ୍ରକାଶ ମଧ୍ୟ ପାଇପାରି ନାହିଁ।

 

ସେ ଥିଲେ ନିରାକାର ବ୍ରହ୍ମ ଉପାସକ ଏବଂ ଅବତାରମାନଙ୍କୁ ଈଶ୍ବର ରୂପେ ଗ୍ରହଣ କରି ନଥିଲେ ମଧ୍ୟ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ, ଝଙ୍କଡ଼ପୀଠରେ ଦେବୀ ଶାରଳା, କଟକରେ କଟକଚଣ୍ଡୀ ଏବଂ ଓଳାଶୁଣୀ ପୀଠରେ ଅଧିଷ୍ଠାତ୍ରୀ ଦେବୀ ଓଳାଶୁଣୀଙ୍କୁ ସାଧନା ଓ ସିଦ୍ଧିଲାଭ ପାଇଁ ପ୍ରାର୍ଥନା କରିଛନ୍ତି। ମୁଖ୍ୟତଃ ଆଧ୍ୟାତ୍ମିକ ଦର୍ଶନରେ ସେ ଥିଲେ ନାମବ୍ରହ୍ମର ଉପାସକ, ନିର୍ଗୁଣ ସାଧକ ତଥା ଅବଧୂତପନ୍ଥୀ। ସସାଗରା ଧରାରେ କ୍ଷୁଦ୍ରାତିକ୍ଷୁଦ୍ର ଅଣୁ ପରମାଣୁଠାରୁ ଆରମ୍ଭ କରି ସଜୀବ, ନିର୍ଜୀବ, ଜଡ଼, ସ୍ଥାବର ଓ ଜଙ୍ଗମାଦି ସର୍ବତ୍ର ନାମବ୍ରହ୍ମର ସ୍ଥିତି ଓ ସତ୍ତା ଅନୁଭବ କରୁଥିଲେ। ତାଙ୍କ ଯୋଗ ସାଧନାରେ ଚେତନ ଏବଂ ଅଚେତନ ଥିଲା ଏକ ଓ ଅଭିନ୍ନ। ସର୍ବଦେହରେ ବ୍ରହ୍ମଦର୍ଶନ କରିବା, ଆଚାଣ୍ଡାଳ ବ୍ରାହ୍ମଣ, ଜୀବ ଏବଂ ନିର୍ଜୀବ, ଦୃଶ୍ୟ ଓ ଅଦୃଶ୍ୟ ସମସ୍ତଙ୍କଠାରେ ପରମବ୍ରହ୍ମଙ୍କ ସ୍ଥିତି ଉପଲବ୍ଧ କରିବା ତାଙ୍କ ଦର୍ଶନର ଭିତ୍ତି। ସନ୍ଥ ଅରକ୍ଷିତ ଏହି ପରମତତ୍ତ୍ବ ଦର୍ଶନ, ଚିନ୍ତନ ଏବଂ ସମଦର୍ଶୀ ଭାବକୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ପରିପ୍ରଚାର କରିଯାଇଛନ୍ତି। ଓଳାଶୁଣୀ ପୀଠରେ ୧୮୩୦ ମସିହାରେ ପଦାର୍ପଣ କରିବା ପୂର୍ବରୁ ମହାନ୍ ସନ୍ଥ ଅରକ୍ଷିତ ଗୃହତ୍ୟାଗଠାରୁ ପ୍ରାୟ 35 ବର୍ଷ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଅବସ୍ଥାନ କରି ଯୋଗସାଧନା କରିଥିଲେ।

 

ଓଳାଶୁଣୀ ଗୁମ୍ଫାଠାରେ ୧୮୩୭ ମସିହା ମାଘ କୃଷ୍ଣ ଏକାଦଶୀ ତିଥିରେ ମହାପୁରୁଷ ଆତ୍ମସମାଧି ଗ୍ରହଣ କରିଥିଲେ। ଏହି ପବିତ୍ର ଶ୍ରାଦ୍ଧୋତ୍ସବର ସ୍ମୃତିରେ ଏବେ ଶତାଧିକ ବର୍ଷ ଧରି ସେହି ତିଥିରେ ଆରମ୍ଭ ହେଉଛି ସପ୍ତାହବ୍ୟାପୀ ଓଳାଶୁଣୀ ଗୁମ୍ଫା ଯାତ୍ରା। ଏହି ପୀଠର ବିଶେଷତ୍ବ ହେଲା ମହାପୁରୁଷଙ୍କ ସମାଧି ପୀଠରେ ଭକ୍ତମାନେ ମାନସିକ କରି ପୋଡ଼ପିଠା ଅର୍ପଣ କରିଥାନ୍ତି ଏବଂ ସେମାନଙ୍କୁ ମଠ ପକ୍ଷରୁ ପରଷା ଯାଇଥାଏ ପବିତ୍ର କାଞ୍ଜି ପାଣି, ଯାହାକି ଏକ ଅବ୍ୟର୍ଥ ମହୌଷଧି ଭାବରେ ମଧ୍ୟ କାର୍ଯ୍ୟ କରିଥାଏ ବୋଲି ସାଧାରଣରେ ବିଶ୍ବାସ ରହିଛି।

 

ଓଳାଶୁଣୀ ପୀଠ ଏବେ ଓଡ଼ିଶାର ଏକ ଅଘୋଷିତ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଲାଭ କରିଛି। ଚଣ୍ଡୀଖୋଲ-ପାରାଦ୍ବୀପ 5 ନଂ (କ) ଜାତୀୟ ରାଜପଥର ଅନତି ଦୂରରେ ଥିବା ଏହି ପାହାଡ଼ ଏବେ ପର୍ଯ୍ୟଟନ ଋତୁରେ ଅଗଣିତ ଦର୍ଶକ ଓ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ତେଣୁ ଏହି ପୀଠର ଆବଶ୍ୟକ ବିକାଶ କରାଯିବା ପାଇଁ ସାଧାରଣରେ ମତପ୍ରକାଶ ପାଉଛି।

 

ସମୟର ସ୍ରୋତରେ ଇତିମଧ୍ୟରେ ଅନେକ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ମଧ୍ୟ ଏହି ମହାନ୍ ସନ୍ଥ ସାଧକ, ପରମ ଅବଧୂତପନ୍ଥୀ ଯୋଗସାଧକ ଅରକ୍ଷିତଙ୍କ ଲେଖନୀ ମୂନରୁ ଯେଉଁ ଶତ ଶତ ଭଜନ, ଜଣାଣ ଓ ଚଉତିଶାରେ ମାନବବାଦୀ ସାରସ୍ବତ ଜୀବନ ଦର୍ଶନର ଅବିସ୍ମରଣୀୟ ସ୍ରୋତ ପ୍ରବାହିତ ହେଉଛି ତାହା ଉତ୍କଳର ଆଧ୍ୟାତ୍ମିକ ଜନଜୀବନକୁ ଚିରକାଳ ଉଦ୍ଭାସିତ କରୁଥିବ।

 

ସାଧାରଣ ସମ୍ପାଦକ, ସନ୍ଥ ଅରକ୍ଷିତ ଦାସ ଫାଉଣ୍ଡେସନ

ପଲାଇ (ବାଲିଚନ୍ଦ୍ରପୁର), ଯାଜପୁର-754205


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top