ନିରାପତ୍ତା ରକ୍ଷକ

News Story - Posted on 2017-01-21

ସଂଜୟ କୁମାର ଶତପଥୀ

 

ଆମ ଘର ପାଖରେ କିଛି ବର୍ଷ ପୂର୍ବରୁ କେହି ହେଲେ ପଡିଶା ନ ଥିଲେ। କିନ୍ତୁ ବର୍ତ୍ତମାନ ଏଠାରେ ଷୋହଳଟା ପରିବାର ଛୁଆପିଲାଙ୍କୁ ନେଇ ରହିବାକୁ ଆରମ୍ଭ କଲେଣି। ବେଶି ପରିମାଣରେ ସ୍ତ୍ରୀ ଲୋକ ଆଉ ଛୁଆ। ସ୍ବାମୀମାନେ ଶନିବାର ଆଡେ ଆସନ୍ତି ଏବଂ ସୋମବାର ସକାଳୁ ଚାଲିଯାନ୍ତି। ଦିନ ଥିଲା ଲୋକମାନେ ଖୁସି ହଉଥେଲେ ଯଦି ପଡିଶା ଡାକ୍ତର। ଆଜିକାଲି ଘରେ ଘରେ ଗୁଗୁଲ ଡାକ୍ତର। ସେଥିପାଇଁ ମୋର ଆବଶ୍ୟକତା କମ। ସେମାନେ ମତେ କୁକୁର ମଉସା ଭାବରେ ଚିହ୍ନନ୍ତି।

 

ପ୍ରଥମ ପ୍ରଥମ ସେହି ଚାରି ମହଲା ପ୍ରସାଦରେ ପାଣି, ବିଜୁଳି  ଏବଂ ଜଗାଳିକୁ ନେଇ ବହୁତ ଅସୁବିଧା ହେଲା। ଆମର ଛୋଟ କୁକୁର ରିଙ୍ଗ ସେହି ଘରକୁ ଜଗିବାକୁ ଲାଗିଲା। ତା’ର ଭୋକାରେ ମୋର ନିଦ ଭାଙ୍ଗିଲା। କିଛି ସିକ୍ୟୁରୁଟି ଗାର୍ଡ଼ ଆସିଲେ ଏବଂ ଗଲେ। ହୁଏତ ସମୟ ଏବଂ ଦରମାକୁ ନେଇ ସବୁ ଘର ଦୁଇ ଟିକିଆ ବଖରା ବିଶିଷ୍ଟ। ଘର ଭିତରେ ଲୋକମାନେ ଚୁପ ଚାପ ରହନ୍ତି। ବାହାର ଦୁନିଆରେ କ’ଣ ହଉଚି କଅଣ ନାହିଁରେ ସେମାନେ ମୁଣ୍ଡ ଖେଳନ୍ତି ନାହିଁ। ସକାଳୁ ସକାଳୁ ସ୍ତ୍ରୀ ଲୋକମାନେ ରାତ୍ରିର ଶୋଇଥିବା ଆଭରଣକୁ ପିନ୍ଧି ଆମ ଘର ଫୁଲ ଅଂକୁଡ଼ି ଦେଇ ତୋଳନ୍ତି, ରିଂଗ ଭୁକେ। ତଥାପି ସେମାନେ ତୋଳି ଚାଲନ୍ତି। ମୋ ସ୍ତ୍ରୀ ରାଗନ୍ତି। କିନ୍ତୁ କିଛି ଫଳ ହୁଏ ନାହିଁ।

 

ଶେଷକୁ ଗୋଟାଏ ବ୍ରାହ୍ମଣ, ନିରାପତ୍ତା ବାହିନୀର ଲୋକ ଆସି ଜଗିଲା। ରାତ୍ରି ହେଲେ ମନ୍ତ୍ର ପଢିବ ଆଉ ପେଁକାଳୀ ବଜେଇବ। ମୋର ଏବଂ ରିଙ୍ଗର ନିଦ ଭାଙ୍ଗିବାକୁ ଲାଗିଲା। କିନ୍ତୁ କିଛି ରାତି ପରେ ଅଭ୍ୟସ୍ତ ହୋଇଗଲୁ। ସେହି ଲୋକଟିର ପୁଅ ଓ ଝିଅଙ୍କୁ ବୁଢା ବାପାର କାମ କରିବାଟା ପସନ୍ଦ ହେଲାନାହିଁ। ଶେଷକୁ ସିଏ ମଧ୍ୟ ଚାକିରୀ ଛାଡିଲା। କିନ୍ତୁ ବିଶ୍ବସ୍ତ ରିଙ୍ଗ ତା’ କାମ ବିନା ପଇସାରେ କରିଚାଲିଲା।

 

ବର୍ତ୍ତମାନ ଦୁଇଟା ଲୋକ ଜଗୁଛନ୍ତି। ବାର ଘଣ୍ଟାର ଚାକିରୀ। ରା଼ତି ହେଲେ ରିଙ୍ଗ ଓ ନିରାପତ୍ତା ଲୋକ ଆମଘର ଏବଂ ଆପାର୍ଟମେଣ୍ଟକୁ ଜଗନ୍ତି। ସେହି ଘରଟାରେ ପ୍ରେସ ଲୋକ, ଘରଣୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅବସର ପ୍ରାପ୍ତ ଲୋକ ଏବଂ କିଛି ବେକାର ଲୋକ ରୁହନ୍ତି। ସେହି ସ୍ଥାନଟା ଦିନେ ପିଲାମାନଙ୍କ ଖେଳ ପଡିଆ ଥିଲା।

 

ଭୁବନେଶ୍ବରରେ ଦଶହଜାର ଉପରେ ପୁରୁଷ ସୁରକ୍ଷା କର୍ମଚାରୀ ଥିବେ। ଜାଗୁଥିବେ ଡାକ୍ତରଖାନା, ବ୍ୟାଙ୍କ, ଏଟିଏମ, ହୋଟେଲ, ସୁନା ଦୋକାନ, ଆଉ ଘର। ସେମାନଙ୍କୁ ଚାକିରୀ ଯୋଗାଡ଼ କରିଦେବା ପାଇଁ ସଂସ୍ଥା ମଧ୍ୟ ରହିଛି। କିଛିଦିନ ତଳେ ସ୍ତ୍ରୀ ଲୋକ ରଖିବାର ଚେଷ୍ଟା ହୋଇଥିଲା। ହେଲେ ମହରଗରୁ ଯାଇଁ କାନ୍ତରରେ ପଡ଼ିଲେ ଯାଇ ସଂସ୍ଥା, ସେ ବୁଦ୍ଧି ବନ୍ଦ ହେଲା।

 

ଦିନ ଥିଲା ଚାକିରୀ ନଥିଲା। ବହୁତ ବେକାର। କିନ୍ତୁ ଏବେ ଠିକ ଓଲଟା। କାର ଡ୍ରାଇଭର, ଘର ଜଗାଳି, ସେବିକା, ଡାକ୍ତର, ଶିକ୍ଷକ, ଚାକରାଣୀ ଓ ମିସ୍ତ୍ରୀ ମିଳିବା କଷ୍ଟ, ଯଦି ମିଳୁଛନ୍ତି ବହୁତ ଟଙ୍କା ମାଗୁଛନ୍ତି। ବୃଦ୍ଧ ଲୋକମାନେ ନିଜର କାର୍‌ ନିଜେ ଚଳଉଛନ୍ତି।

 

ଦାଗ ପଡି ନଥିବା ଓ ବିନାମାଡ଼ର କାର୍‌ ଏବଂ ବହୁମୂତ୍ରରେ ପୀଡିତ ହୋଇ ନଥିବା ଲୋକ ଭୁବନେଶ୍ବରରେ ମିଳିବା କଷ୍ଟକର ପାଠ। ଊବେର ଆଉ ଓଲା କାର୍‌ ଆସିବା ପରେ ଭଲ କାର୍‌ ଡ୍ରାଇଭରଟିଏ ମିଳିବା କଷ୍ଟକର ବେପାର ହୋଇଯାଇଛି, ଯିମିତି କି ଭଲ ଜ୍ବାଇଁଟିଏ ପାଇବା। ବହୁତ ବୃଦ୍ଧ ମନୁଷ୍ୟ ବିଦେଶ ଗସ୍ତରେ ପୁଅ କିମ୍ବା ଝିଅ ପାଖକୁ ଯାଇପାରୁଛନ୍ତି ଏହି ଜାଗୁଆଳିମାନଙ୍କ ପାଇଁ। ସେମାନଙ୍କୁ ଆମର ଧନ୍ୟବାଦ।

 

ଆଗରୁ କେବଳ ସରକାରୀ ଖଜଣାକୁ ଜଗୁଥିଲେ ସୁରକ୍ଷା ବାହିନୀ, ରାତିରେ ପାଟିକରି ଲୋକଙ୍କୁ ସତର୍କ କରୁଥିଲେ ଘଣ୍ଟା ବଜେଇ। ଏବେ ଦିନ ବଦଳି ଯାଇଛି, ମନୁଷ୍ୟ ନିଜର ସୁରକ୍ଷା ପାଇଁ କେତେ ଯେ ଟଙ୍କା ଖର୍ଛ ନକରୁଛି ତା କହିହବ ନାହିଁ।

 

ପଟିଆ, ଭୁବନେଶ୍ବର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top