ନର୍ଲାର ସୁନାଝିଅ

News Story - Posted on 2017-01-21

ଜ୍ୟୋତି ପ୍ରକାଶ ମହାପାତ୍ର

 

ଜୀବନରେ ସେ କ’ଣ ହୋଇ ଥାଆନ୍ତା, ସେ ପ୍ରସଙ୍ଗ ଅଲଗା। କିନ୍ତୁ କିଛି ବି ହେବାକୁ ଆମେ ତା’କୁ ସୁଯୋଗ ଦେଲେନି। ଦଶମ ଶ୍ରେଣୀରେ ପଢୁଥିଲା। କିରାସିନି ଢାଳି ତା’କୁ ପୋଡ଼ି ମାରି ଦିଆଗଲା। ଦୁର୍ବ୍ୟବହାର ବି ପ୍ରଦର୍ଶନ କରାଗଲା। ଏତିକି ଭୁଲ‌୍‍ ଥିଲା ତା’ର କମେଣ୍ଟ ମରାକୁ ସେ ବିରୋଧ କରିଥିଲା।

 

କରନ୍ତା ନି କି? ନା ଚୁପ‌୍‍ଚାପ‌୍‍ ସହି ଯାଇ ଥାଆନ୍ତା! ଅଧିକାଂଶ ଘଟଣା ପରି ଚାପି ଦେଇ ଥାଆନ୍ତା ସେ ସହୁଥିବା ଯନ୍ତ୍ରଣାକୁ।

 

ଏମିତି ଶୀତୁଆ ରାତିରେ ୨୦୧୨ରେ ଦିଲ୍ଲୀରେ ଘଟିଥିଲା ନିର୍ଭୟା କାଣ୍ଡ। ଆଇନ କଡ଼ାକଡ଼ି କରି ଦିଆଯାଇଥିଲା। କଡ଼ା ଆଇନ ଜେଲ ଅବଧିକୁ ବଢାଇ ଦେଇପାରେ, କିନ୍ତୁ ଘଟଣା ଘଟିବାକୁ ତ ବନ୍ଦ କରି ପାରିବନି! ମଣିଷର କୁତ୍ସିତ ମସ୍ତିସ୍କର ସ୍ନାୟୁକୁ ତ ଆଉ ବଦଳାଇ ପାରିବନି।

 

କେଇ ଦିନ ତଳେ ଖୋଦ‌୍‍ ରାଜଧାନୀର ଛାତି ଉପରେ ନନ୍ଦନକାନନ ରାସ୍ତାରେ ବୀଭତ୍ସ ଘଟଣାଟେ ଘଟିଲା। ଲୋକ ଛିଡ଼ା ହୋଇ ଦେଖିଲେ। ଫଟୋ ଉଠେଇଲେ। ଘଣ୍ଟାଏ କାଳ ଚାଲିଲା ସେ କାଣ୍ଡ କାରନାମା। କେହି ପ୍ରତିବାଦ କଲେନି।

 

ନର୍ଲାର ସେ ଅଭାଗିନୀ ଝିଅ ପାଖକୁ ପୁଣି ମୁଁ ଫେରୁଛି। କେତେ ସ୍ୱପ୍ନ ତା’ ନିର୍ବାକ‌୍‍ ଆଖି ଯୋଡ଼ାକ ସାଙ୍ଗରେ ସମାଧି ନେଇଗଲା। ଦଶମ ଶ୍ରେଣୀ ଏରୁଣ୍ଡି ବନ୍ଧ ଡେଇଁଥିଲେ, ହୁଏତ ଆଉ ଟିକେ ପ୍ରଶସ୍ତ ହୋଇଥାନ୍ତା, ତା’ ପାଇଁ ଚଲା ବାଟ। ହୋଇପାରିଲାନି। ନିର୍ଭୟା କାଣ୍ଡ ପରି ଜଣେ ନାବାଳକ ବି ସାମିଲ ଥିଲା ସମୁଦାୟ ଏପିସୋଡ‌୍‍ରେ।

 

ଏ ଘଟଣା ବେଶ ବିଚଳିତ କରୁଛି। ଗୋଟେ ପୁରୁଷପ୍ରବଣ ସମାଜରେ ନାରୀଟେ କ୍ରମଶଃ ସଂକୁଚିତ ହୋଇଯାଉଛି। ଯାହା ବି ଘଟୁଛି, ତା’ କ୍ଷେତ୍ରରେ ପାଟି ଫିଟେଇବା ଯେମିତି ତା’ ପାଇଁ ଅପରାଧ। ସହରୀ ସଭ୍ୟତା କଥା ଅଲଗା। ଗାଁ, ମଫସଲିରେ ଏବେ ବି ଏହା ପ୍ରଚଳିତ ଆଇନ। ଯେଉଁଠି- ସୁନା ଝିଅ, ସବୁ ସହେ। ପାଟି ଖୋଲେନି। ଖୋଲିଲେ ନର୍ଲାର ତପସ୍ୱିନୀ ଅବସ୍ଥା ଭୋଗେ।

 

ଆ’ ପୂର୍ବରୁ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଇତିଶ୍ରୀର ବି ସେଇ ଭୁଲ‌୍‍ ଥିଲା। ଏକା ଭୁଲ‌୍‍। ଅନ୍ୟାୟ, ଶୋଷଣ ବିରୋଧରେ ସେ ମୁହଁ ଖୋଲିଥିଲା। ଅଭିଯୋଗ ବାଢିଥିଲା। ଏକା ଦଶା ଭୋଗିଥିଲା ଇତିଶ୍ରୀ। ଜଣେ ସରପଞ୍ଚ ପ୍ରାର୍ଥିନୀଙ୍କୁ ବି ଜଳେଇ ମାରି ଦିଆଯାଇଛି ଦକ୍ଷିଣ ଓଡ଼ିଶାରେ। ହୁଏତ- ସେ ବି ସୁନା ଝିଅ ହୋଇ ନଥିବେ। କି ସୁନା ବୋହୂ ହୋଇପାରି ନଥିବେ।

 

ଆପଣ ଜାଣନ୍ତି - ମହିଳାଙ୍କ କ୍ଷେତ୍ରରେ ଅପରାଧ ଦୃଷ୍ଟିରୁ ଆମ ରାଜ୍ୟ ଦେଶରେ ଭାରି ଆଗୁଆ। ଦିଲ୍ଲୀ, ଆସାମ ଓ ତେଲେଙ୍ଗାନା ପରେ ଓଡ଼ିଶାରେ ୧୭,୧୪୪ଟି ମହିଳା ନିର୍ଯାତନା ମାମଲା ରୁଜୁ ହୋଇଛି। ଏ ତଥ୍ୟ ଜାତୀୟ କ୍ରାଇମ‌୍‍ ରେକର୍ଡ଼ସ‌୍‍ ବ୍ୟୁରୋ କହୁଛି। ପ୍ରତି ଲକ୍ଷେ ମହିଳାରେ ପାଖାପାଖି ୮୨ ଜଣ ଅପରାଧର ଶିକାର ହୁଅନ୍ତି। ରାଜ୍ୟ ସରକାରଙ୍କ ହିସାବ କହୁଛି- ୧୫ରୁ ୪୯ ବର୍ଷ ମଧ୍ୟରେ ୪୨ ପ୍ରତିଶତ ମହିଳା ଯୌନ ଯାତନା ଭୋଗନ୍ତି।

 

ଘରୋଇ ଯୌନ ନିର୍ଯାତନାର ଶିକାର ହୁଅନ୍ତି ଅନେକ ନାବାଳିକା। ନିଜ ସଂପର୍କୀୟ ଏ କାଣ୍ଡରେ ବେଶି ଭାଗରେ ସଂପୃକ୍ତ ଥାଆନ୍ତି ବୋଲି ଅନେକ ସର୍ଭେ ରିପୋର୍ଟ ଦର୍ଶାଇଛି। କିନ୍ତୁ ମାମଲା ଅନେକ କ୍ଷେତ୍ରରେ ଚପିଯାଏ। ଝିଅମାନଙ୍କୁ ବାଧ୍ୟ କରାଯାଏ- ସୁନା ଝିଅ ହେବାକୁ। ସୁନା ଝିଅ- ମୁହଁ ଖୋଲେନା। ସୁନା ଝିଅ - ସବୁ ସହେ। ସୁନା ଝିଅ- ଏକା କାନ୍ଦେ। ସୁନା ଝିଅ- କାହା ପାଖରେ ନିଜକୁ ଖୋଲି କହି ପାରେନି।

 

ନର୍ଲାର ତପସ୍ୱିନୀ ସୁନା ଝିଅ କି ନାହିଁ (ସମାଜର ମାପଦଣ୍ଡରେ) ମୁଁ ଜାଣେନା। କିନ୍ତୁ ତା’ ଭିତରେ ଦମ୍ଭ ଥିଲା। ଥିଲା ପ୍ରତ୍ୟୟ। ମୁକାବିଲା କରିବାର ସାହାସ। ସେଥିପାଇଁ ନିଜ ମାଆକୁ ଆସି କହିଥିଲା ତମାମ ଘଟଣା। ଆଉ ଦଶମ ଶ୍ରେଣୀର ସେଇ ଝିଅଟି କି ନର୍ଲା ପରି ବକୁଟେ ଜାଗାର କୋଉ ମଣିଷ କେବେ ବି ସ୍ୱପ୍ନରେ ଭାବି ପାରି ନଥିବେ, ଏହାର ପରିଣତି ଏମିତି ସାଂଘାତିକ ହୋଇପାରେ ବୋଲି।

 

ସେ ଅଭିଯୁକ୍ତମାନଙ୍କର କ’ଣ ହେବ, ନାବାଳକକୁ ପୁଲିସ କୋଉ ସ୍ୱଧାର ଗୃହରେ ରଖିବ- ସେସବୁ ପ୍ରସଙ୍ଗ ଅଲଗା। କିନ୍ତୁ ନର୍ଲାର ତପସ୍ୱିନୀ ଦେଖେଇ ଥିବା ହିମ୍ମତ‌୍‍ ଏବେ ଯେମିତି ବୁମେରାଂ ନ ହେଉ। କୋଉ ଗୋଟେ ଝିଅ ପାଟି ଖୋଲିବା ପାଇଁ ଯଦି ଡରିଲା, ତେବେ ସୁନା ଝିଅରେ ସଂସାର ଭରିଯିବ। ଆଉ ଯନ୍ତ୍ରଣା ଓ ଯାତନାରେ ବି।

 

ଆମେ ମହିଳା ଶିଶୁ ଡେସ୍କ ଖୋଲୁ ବା ଯାହା ବି କିଛି ପଦକ୍ଷେପ ନେଉ, ଆଗ ଦରକାର ନିଜ ଝିଅଙ୍କୁ ସାହାସୀ କରାଇବା। ମୋର ବି ଗୋଟେ ଝିଅ ଅଛି। ୫ ବର୍ଷର। ମୋର ସ୍ୱପ୍ନ ଥିଲା ସେ ଦିଲ୍ଲୀ ଯିବ ଉଚ୍ଚଶିକ୍ଷା ପାଇଁ। ନିର୍ଭୟା କାଣ୍ଡ ପରେ ଭାବିଲି ବରଂ ଦକ୍ଷିଣ ଭାରତ ଭଲ। ସେଇ ସମୟରେ କେରଳର ଏକ ଘଟଣା ସାମ୍ନାକୁ ଆସିଲା। ଯେଉଁଠି ଜଣେ ବାଳିକାକୁ ତା’ ବାପା ଓ ଦାଦା ମିଶି ଧର୍ଷଣ କରି ଗର୍ଭବତୀ କରିଥିଲେ। ସେଉଠୁ ମୁଁ ଖୋଜିଥିଲି ନିରାପଦ ଜାଗା।

 

ନର୍ଲାର ସୁନାଝିଅ ନିଜ ଜାଗାରେ ହିଁ ନିରାପଦ ସ୍ଥାନ ଖୋଜିଥିଲା। ସାଇକେଲ ଚଢି ସ୍କୁଲ ନିର୍ଭୟରେ ଯିବାର ସ୍ୱପ୍ନ ଦେଖିଥିଲା ତପସ୍ୱିନୀ। ହେଲେ ଏଡେ଼ ଭୟାନକ ଓ ଦୁର୍ଦ୍ଦାନ୍ତ ଏ ସମାଜ, ସୁନା ଝିଅ ସାଙ୍ଗେ ତା’ ଚିକିମିକି ସ୍ୱପ୍ନ ବି ପୋଡ଼ିଗଲା।

 

ସାମ୍ୱାଦିକତା ଓ ଗଣ ଯୋଗାଯୋଗ ବିଭାଗ,

ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ୱଲପୁର।

ମୋ-୯୪୩୭୦୮୦୦୪୮


ପ୍ରତିକ୍ରିୟା

C K Mallick - Email: ckmallick@gmail.com - Posted on 2017-01-21 15:37:40

Nice article. Great Learning

Sibananda Panda - Email: idofsp@gmail.com - Posted on 2017-01-24 10:38:34

Great Article... Humanity is just missing from human....

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top