ଭୋଜି ପାଇଁ ସ୍ଥାନାନ୍ତର ହେବ ରୋଗୀ ୱାର୍ଡ଼!

News Story - Posted on 2017-01-19

ଭୁବନେଶ୍ୱର ୬ ନମ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାପନ ହେବାଠାରୁ ଚର୍ମ, ଦନ୍ତ, ଟି.ବି., ଛାତିରୋଗ ଏବଂ ମାନସିକ ରୋଗର ବହିର୍ବିଭାଗ ଡ଼ାକ୍ତରଖାନାର ପ୍ରଥମ ମହଲାରେ କାର୍ଯ୍ୟକରୁଛି। ଚର୍ମ ଓ  ଟି.ବି. ଭଳି ଡିଆଁ ଏବଂ ସଂକ୍ରମିତ ରୋଗକୁ ଅନ୍ୟ ରୋଗୀଙ୍କଠାରୁ ଦୂରେଇ ରଖିବା ପାଇଁ ଏହାର ବହିର୍ବିଭାଗ ପ୍ରଥମ ମହଲାରେ ସ୍ଥାପିତ ହୋଇଥିଲା। ସେହିପରି ଜନଗହଳିଠାରୁ ଦୂରରେ ରଖି ମାନସିକ ରୋଗୀଙ୍କ ଚିକିତ୍ସା ପାଇଁ ଏହାର ବହିର୍ବିଭାଗ ମଧ୍ୟ ପ୍ରଥମ ମହଲାରେ ସ୍ଥାପିତ ହୋଇଥିଲା। ସ୍ୱାସ୍ଥ୍ୟ ବିଭାଗର ତତ୍କାଳୀନ ଅଧିକାରୀମାନେ ରୋଗୀଙ୍କ ଉତ୍ତମ ଚିକିତ୍ସା ପାଇଁ ଏପରି ବ୍ୟବସ୍ଥା କରିଥିଲେ। ହେଲେ ବର୍ତ୍ତମାନର ଅଧିକାରୀ ମାନେ କିଛି କିରାଣୀ ମାନଙ୍କ ଚାପରେ ଏହି ସବୁ ରୋଗର ବର୍ହିବିଭାଗକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଯୋଜନା କରିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ କାର୍ଯ୍ୟାରତ, କିରାଣୀମାନଙ୍କ ଅବାଧ ବେନିୟମ କାର୍ଯ୍ୟପାଇଁ ପ୍ରଥମ ମହଲା ଜବରଦଖଲ ନିମନ୍ତେ ବହିର୍ବିଭାଗଗୁଡିକ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶକ ଏବଂ ସୁପରିଟେଣ୍ଡେଣ୍ଟଙ୍କ ଉପରେ ଚାପ ପକାଉଛନ୍ତି। ବହିର୍ବିଭାଗଗୁଡିକ ପ୍ରଥମ ମହଲାରେ ଥିବାରୁ ଜନସାଧାରଣ ଉପର ମହଲାକୁ ଆସୁଛନ୍ତି ଏବଂ କିରାଣୀମାନଙ୍କ ବେନିୟମ କାର୍ଯ୍ୟ ଲୋକଲୋଚନକୁ ଆସିଯାଉଛି। ସେଥିରୁ ନିସ୍ତାର ପାଇବା ପାଇଁ ବହିର୍ବିଭାଗଗୁଡିକୁ ଅନ୍ୟତ୍ର ଉଠାଇ ଦେବା ପାଇଁ କିରାଣୀମାନେ ଗତ କିଛି ବର୍ଷ ହେବ ଚେଷ୍ଟା ଚଲାଇଛନ୍ତି।

 

ପ୍ରଥମ ମହଲାରେ ଥିବା ବହିର୍ବିଭାଗ ଗୁଡିକରେ  ସାଧାରଣତଃ ସଂକ୍ରମିତ ରୋଗୀ ଚିକିତ୍ସିତ ହୋଇଥାନ୍ତି। ଯେପରି କାଛୁ କୁଣ୍ଡିଆ ଏବଂ ବିଭିନ୍ନ ଚର୍ମ ରୋଗ, ଯକ୍ଷ୍ମା ଏବଂ ଛାତିରୋଗ, ବିଭିନ୍ନ ସମୟରେ ଛାତି ଯନ୍ତ୍ରଣା ଭୋଗୁଥିବା ସ୍ୱାଇନ‌୍‍ଫ୍ଲୁ  ଭଳି ରୋଗରେ ଆକ୍ରାନ୍ତ ରେଗୀମାନେ ଏହିସବୁ ବିଭାଗରେ ଚିକିତ୍ସିତ ପାଇଁ ଆସିଥାନ୍ତି। ଶାନ୍ତ ପରିବେଶ ମଧ୍ୟରେ ମାନସିକ ରୋଗୀଙ୍କ ଚିକିତ୍ସା ପାଇଁ ମଧ୍ୟ ପ୍ରଥମ ମହଲା ସର୍ବତ୍ତୋମ ଅଟେ। ହେଲେ କିରାଣୀମାନଙ୍କ ବେନିୟମ କାର୍ଯ୍ୟରେ ଏହି ବିଭାଗଗୁଡିକ ବାଧକ ସାଜିଥିବାରୁ ରୋଗୀମାନେ ପ୍ରଥମ ମହଲାକୁ ଆସିପାରୁ ନାହାନ୍ତି ଏବଂ ଏହାକୁ ତଳ ମହଲାକୁ ସ୍ଥାନାନ୍ତରିତ କରିବା ପାଇଁ କିରାଣୀମାନେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଉପରେ ଚାପ ପକାଉଛନ୍ତି।

 

ନିକଟରେ ଖାଲିହୋଇଥିବା ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗ ବହିର୍ବିଭାଗକୁ ଏହି ସବୁ ସ୍ପର୍ଶକାତର ବିଭାଗଗୁଡିକୁ ସ୍ଥାନାନ୍ତରିତ କରିବା ପାଇଁ କିରାଣୀମାନେ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଉଛନ୍ତି। ହେଲେ ଏହି ବିଭାଗଗୁଡିକ ଏଠାକୁ ଆସିଲେ ସ୍ତ୍ରୀ ରୋଗ ଏବଂ ପ୍ରସ୍ତୁତି ବିଭାଗର ୱାର୍ଡରେ ଥିବା ନବଜନ୍ମିତ ଶିଶୁ ଏବଂ ମହିଳାମାନେ ସଂକ୍ରମିତ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ହସ୍ପିଟାଲର ଅଧିକାରୀମାନେ କିରାଣୀମାନଙ୍କ ଚାପରେ ଏତେ ଭାରାକ୍ରାନ୍ତ ଅଛନ୍ତି ଯେ ଏହି ଚାରୋଟି ବିଭାଗର ବହିର୍ବିଭାଗକୁ ସ୍ଥାନାନ୍ତରିତ କରିବା ପାଇଁ ଜିଦି ଧରିଛନ୍ତି। ରୋଗୀମାନେ ଉପର ମହଲାକୁ ଚଢିପାରୁ ନାହାନ୍ତି ବୋଲି ବାହାନା ଦେଖାଉଛନ୍ତି। ପ୍ରକୃତରେ ରୋଗୀଙ୍କର କିଛି ଅସୁବିଧା ହେଉନାହିଁ। ଅସୁବିଧା ହେଉଥିଲେ ଏହି ବିଭାଗଗୁଡିକ ୪୦ ବର୍ଷ ଧରି ପ୍ରଥମ ମହଲାରେ ଚାଲୁ ନଥାନ୍ତା।

 

ସ୍ଥାନାନ୍ତରଣ କରିବାର ପ୍ରକୃତ ରହସ୍ୟ ହେଉଛି କିରାଣୀମାନଙ୍କ ଅବାଧ ବେନିୟମ କାର୍ଯ୍ୟ ଏବଂ ଭୋଜିଭାତ। ୪୦ ବର୍ଷ ଧରି ପ୍ରଥମ ମହଲାରେ ଚାଲିଥିବା ଏହି ସବୁ ବହିର୍ବିଭାଗ ସୁଚାରୁ ରୂପେ ରୋଗୀଙ୍କ ସେବା କରିଆସୁଛି। କୌଣସି ରୋଗୀ କେବେ ବି ଉପର ମହଲାକୁ ଆସିବାକୁ ଅସୁବିଧା ହେଉଛି ବୋଲି ଅଭିଯୋଗ କରିନାହାନ୍ତି। ସେହିପରି ରାଜ୍ୟର ବିଭିନ୍ନ ସରକାରୀ ଡ଼ାକ୍ତରଖାନା ଏକାଧିକ ମହଲା ହୋଇଥିବା ବେଳେ ରୋଗୀ ଯାଇ ସେଠାରେ ଚିକିତ୍ସିତ ହେଉଛନ୍ତି। ହେଲେ ଏଠାରେ କିରାଣୀଙ୍କ ଚାପରେ ହସ୍ପିଟାଲଙ୍କ କର୍ତ୍ତୃପକ୍ଷ ରୋଗୀମାନେ ଗୋଟିଏ ମହଲା ଉପରକୁ ଯାଇପାରୁ ନାହାନ୍ତି ବୋଲି ସଫେଇ ଦେଉଛନ୍ତି। ଯାହା ହାସ୍ୟାସ୍ପଦ। ଯଦି ପ୍ରକୃତରେ ଉପର ମହଲାକୁ ଯିବା ପାଇଁ ରୋଗୀମାନଙ୍କର ଅସୁବିଧା ହେଉଛି ତେବେ ଏଠାରେ ଏକ ଲିଫ୍ଟର ବ୍ୟବସ୍ଥା ପାଇଁ କର୍ତ୍ତୃପକ୍ଷ କାହିଁକି ସ୍ୱାସ୍ଥ୍ୟବିଭାକୁ ଜଣାଉନାହାନ୍ତି ତାହା ସନ୍ଦେହଜନକ। ରାଜ୍ୟସରକାର ସ୍ୱାସ୍ଥ୍ୟ ସେବା ପାଇଁ ବର୍ଷକୁ ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ରାଜଧାନୀର ମୁଖ୍ୟ ସରକାରୀ ଡ଼ାକ୍ତରଖାନାରେ ଲିଫ୍ଙଟଟିଏ ଲଗାଇବା ପାଇଁ କ’ଣ ସରକାରଙ୍କ ପାଖରେ ଅର୍ଥ ନାହିଁ? ରେଗୀଙ୍କ ସୁବ୍ୟବସ୍ଥା ପାଇଁ କାର୍ଯ୍ୟ ନକରି ଡାକ୍ତରଖାନା କର୍ତ୍ତୃପକ୍ଷ ଯେପରି ରୋଗର ସଂକ୍ରମଣ ପାଇଁ ବହିର୍ବିଭାଗଗୁଡିକୁ ମହିଳା ଏବଂ ନବଜନ୍ମିତ ଶିଶୁ ରହୁଥିବା ୱାର୍ଡ ନିକଟକୁ ସ୍ଥାନାନ୍ତରଣ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି ତାହାକୁ ଜନସାଧାରଣ ବିରୋଧ କରିବା ସହିତ ରୋଗୀଙ୍କ ସେବା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏକ ଲିଫ୍ଟ ଲଗାଇବା ପାଇଁ ଦାବୀ କରିଛନ୍ତି।     


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top