ଚାର୍ବାକ

News Story - Posted on 2017-01-14

ବିନୟ ମହାପାତ୍ର

 

ସଂଧ୍ୟା ନଇଁ ଆସିଲା ବେଳକୁ ସକାଳ ଖୁବ୍ ମନେ ପଡେ। କେତେ ସୁନ୍ଦର ସକାଳ ସତେ! ସିନ୍ଦୁରା ଫଟେଇ ସୂର୍ଯ୍ୟ ଉଇଁଲା। ସବୁକିଛି ସକାଳର ସୂର୍ଯ୍ୟ ପରି ନାଲିଆ କିରଣରେ ଲାଲ ହୋଇ ଯାଇଥିଲା। ଆକାଶ, ବତାସ, ଗଛର ପତ୍ର, ନଈର ଜଳ, ସବୁଜ କ୍ଷେତ ସବୁକିଛି, ସତେ ଅବା କୁଆଁରୀ ଝିଅ ଟିଏ ଲାଜରେ ଝାଉଁଳି ପଡିଛି। କଅଁଳ କିରଣ ବିଛେଇ ସୂର୍ଯ୍ୟ ଉଠିଲା। କାଉ ଗାଇଲା। ପୁଣି ଚଳ ଚଞ୍ଚଳ ହୋଇ ଉଠିଲା ପୃଥିବୀ।

 

ହେଲେ ସକାଳକୁ ଧରି ରଖି ହେଲାନି। ଦି’ ପହରକୁ ବି, ଅପରାହ୍ନକୁ ବି, ସଂଧ୍ୟାକୁ ବି ଅଟକେଇ ହେଲାନି। ସମୟ, ରହି ଯାଆରେ ଟିକେ, ଘଡିଏ କି ଦି ଘଡି। ହେଲେ ଅଟକେଇ ହୁଏନା ସମୟକୁ। ଘଡିର ଟିକ୍ ଟିକ୍ ଶବ୍ଦ ସାଥୀରେ ପାଦ ମିଳେଇ ସତେ ଅବା ଦଉଡି ଯାଉଛି।

 

ଦିନ ସରିଲା ବେଳକୁ ମନେ ହୁଏ କେତେ ଯେ କାମ ବାକି ରହିଗଲା କରିବାକୁ! କାମ ସରିଲା ପରେ ଆସିବୁ ରେ, ସଂଧ୍ୟା ଟିକେ ରହି ଯାଆ। ହେଲେ ଅବୁଝା ଅମାନିଆ ପିଲାଟିଏ ଏ ସମୟ, ସିଏ କି ଶୁଣିବ? ଓଲଟି ପଚାରିବ, ଏତେ ବେଳ ଯାଏ କ’ଣ କରୁଥିଲ? ଏବେ ଦିନ ସରିଲା ବେଳକୁ ମନେ ପଡୁଛି କାମ ବାକି ରହି ଗଲା ବୋଲି? ଦିନ ସାରା ତ ଆରାମରେ କଟେଇ ଦେଲ, ନା’ ଗଲା କାଲି କଥା ମନେ ପଡିଲା ନା’ ଆସନ୍ତାକାଲି କଥା ଭାବିଲ? ମୁଁ ଆସିଲେ ଅନ୍ଧାର ଆସିବ, ଏ କଥା କ’ଣ ଜାଣି ନଥିଲ? ଲଣ୍ଠନରେ କିରାସିନ ରଖିବନି ହାତରେ ଦିଆସିଲି ନାହିଁ, ବାହାରିଛ ଅନ୍ଧାରକୁ ଅଟକେଇବାକୁ! ଅନ୍ଧାରକୁ କହିବ ରହି ଯାଆରେ ଟିକେ, ଅନ୍ଧାର କି ତୁମ କଥା ଶୁଣିବ?

 

ଚମକି ପଡିଲି ଟିକେ। ପୁଣି କହିଲି ନାହିଁ ରେ, ସବୁ ଭାବିଛି ମୁଁ, ଗଲା କାଲିର କଥା, ଆସନ୍ତାକାଲିର କଥା ବି। ହେଲେ କ’ଣ ବା କରି ଥାଆନ୍ତି ମୁଁ? ବର୍ତ୍ତମାନ ହିଁ ମୋ ପାଇଁ ସବୁଠୁ ମୂଲ୍ୟବାନ, ସବୁବେଳେ ବର୍ତ୍ତମାନର ପାତ୍ର ଭରିବାରେ ବ୍ୟସ୍ତ। ବର୍ତ୍ତମାନର ପାତ୍ର ଭରୁ ଭରୁ ବେଳ ସବୁ ସରିଯାଏ ସିନା ବର୍ତ୍ତମାନ ଏମିତି ଗୋଟିଏ ଫଟା ମାଠିଆ ଯେ ଯେତେ ଭରିଲେ ବି ପୂରା ହେବାର ନାଆଁ ନେଉନି। ପାଟି ଆଁ କରି ଅନେଇ ବସିଛି, ଆହୁରି ଦିଅ ଆହୁରି ଦିଅ। ସର୍ବଗିଳା, ସବୁ ଖାଇ ହଜମ କରି ଦେଉଛି। ତଥାପି ଭୋକିଲା। କିଛି ବଳିଲେ ସିନା ଗଲା କାଲି କଥା ଭାବିବି କି ଆସନ୍ତା କାଲି ପାଇଁ କିଛି କରିବି।

 

ତୁ କ’ଣ ଜାଣିନୁ ଚାର୍ବାକଙ୍କ ସେଇ ଗଳ୍ପ, ପିଲା ଦିନେ ସ୍କୁଲରେ ପଢିଥିଲେ। ତାଙ୍କର ଉପଦେଶ, ତିନୋଟି ମୂଲ୍ୟବାନ ନୀତି। ସବୁଠାରୁ ମୂଲ୍ୟବାନ ସମୟ, ସବୁଠାରୁ ମୂଲ୍ୟବାନ ବ୍ୟକ୍ତି ଏବଂ ସବୁଠାରୁ ମୂଲ୍ୟବାନ କାମ କ’ଣ? ମନେ ପକେଇ ଦେଉଛି ଶୁଣ!

 

ବହୁତ ପୁରୁଣା ଦିନର କଥା, ଅଗନା ଅଗନୀ ବନସ୍ତରେ ଜଣେ ଋଷି ଆଶ୍ରମରେ ଶିଷ୍ୟମାନଙ୍କ ସହିତ ରହୁଥିଲେ। ଏକଦା ସେ ଦେଶର ରାଜା ଋଷିଙ୍କର ଦର୍ଶନ ପାଇଁ ଆଶ୍ରମକୁ ଆସିଲେ। ଋଷି ରାଜାଙ୍କର ଆସିବା ଶୁଣି ତାଙ୍କର ସ୍ବାଗତ ପାଇଁ ଆଶ୍ରମରୁ ବାହାରି ରାଜାଙ୍କ ପାଖରେ ପହଞ୍ଚିବା ଆଗରୁ ହଠାତ୍ ଜଣେ ଶିକାରୀ କ୍ଷତ ବିକ୍ଷତ ଅବସ୍ଥାରେ ଆସି ଋଷିଙ୍କ ସାମ୍ନାରେ ଅଚେତ ହୋଇ ପଡିଗଲା। ଋଷି ରାଜାଙ୍କର ସ୍ବାଗତ କରିବା ଭୁଲି ଶିଷ୍ୟମାନଙ୍କ ସହିତ ଅଚେତ ଶିକାରୀକୁ ଆଶ୍ରମ ଭିତରକୁ ନେଇ ସେବା ସୁଶ୍ରୂଷାରେ ଲାଗି ପଡିଲେ। କିଛି ସମୟ ପରେ ଶିକାରୀର ଚେତା ଫେରିବା ପରେ ଆସି ରାଜାଙ୍କର ସ୍ବାଗତ କରିଲେ। ରାଜା ବୁଝି ପାରୁ ନଥିଲେ ଋଷି ଏପରି କାହିଁକି କଲେ? ସିଏ ଏ ଦେଶର ରାଜା, କିନ୍ତୁ ଋଷି ପ୍ରଥମେ ତାଙ୍କର ସ୍ବାଗତ ନକରି ସାମାନ୍ୟ ଶିକାରୀର ସେବାରେ ଲାଗିଗଲେ?

 

କିଛି ସମୟ ପରେ ରାଜା ତାଙ୍କର ସନ୍ଦେହ ଦୂର କରିବାକୁ ଋଷିଙ୍କ ପଚାରିଲେ, ହେ ଗୁରୁଦେବ, ଆପଣଙ୍କ ବ୍ୟବହାର ଦେଖି ମୋ ମନରେ ଗୋଟିଏ ପ୍ରଶ୍ନ ଉଠୁଛି। ମୁଁ ଏ ଦେଶର ରାଜା। କିନ୍ତୁ ଆପଣ ମୋର ସ୍ବାଗତ ଛାଡି ଜଣେ ସାମାନ୍ୟ ଶିକାରୀର ସେବା କରିବାକୁ ଅଧିକ ମହତ୍ କିପରି ଦେଲେ? ଋଷି କିଛି ସମୟ ନୀରବ ରହି ମୁରୁକି ହସି ଉତ୍ତର ଦେଲେ, ହେ ରାଜନ୍, ସଂସାରରେ ତିନୋଟି ମୂଲ୍ୟବାନ କଥା ସର୍ବଦା ମନେ ରଖିବ। ପ୍ରଥମ ମୂଲ୍ୟବାନ ସମୟ, ଦ୍ବିତୀୟ ମୂଲ୍ୟବାନ ବ୍ୟକ୍ତି, ତୃତୀୟ ମୂଲ୍ୟବାନ କାର୍ଯ୍ୟ।

 

ବର୍ତ୍ତମାନ ହିଁ ସବୁଠାରୁ ମୂଲ୍ୟବାନ ସମୟ। ବର୍ତ୍ତମାନ ତୁମ ସାମ୍ନାରେ ଯିଏ ଅଛି ସିଏ ହିଁ ତୁମ ପାଇଁ ମୂଲ୍ୟବାନ ବ୍ୟକ୍ତି, ତୁମେ ସେହି ବ୍ୟକ୍ତି ପାଇଁ ଯାହା କରିବ ତାହା ହିଁ ହେଉଛି ମହତ୍ବପୂର୍ଣ୍ଣ କାର୍ଯ୍ୟ। ଯଦି ସେ ସମୟରେ ମୁଁ ଆହତ ଶିକାରୀକୁ ଛାଡି ମହାରାଜାଙ୍କର ସ୍ବାଗତ କରି ଥାଆନ୍ତି, ହୁଏତ ଶିକାରୀଟିର ପ୍ରାଣ ଚାଲି ଯାଇ ଥାଆନ୍ତା।

 

ଚାର୍ବାକଙ୍କର ସେହି ଉକ୍ତି ବର୍ତ୍ତମାନ ଉପରେ ହିଁ ମୁଁ ମୋର ପୂରା ଧ୍ୟାନ କେନ୍ଦ୍ରିତ କରି ରଖିଛି। ହେଲେ ତାର କ’ଣ ଏଇ ପରିଣାମ? ଆଜି ମୁଁ ପିତାମହ ଭୀଷ୍ମଙ୍କ ପରି ଅସହାୟ ନିଃସହାୟ ହୋଇ ଶରଶଯ୍ୟା ଉପରେ ମୋର ଶେଷ ନିଃଶ୍ବାସକୁ ଅପେକ୍ଷା କରିଛି। ଅର୍ଜୁନ ଆସିବ, ଗଙ୍ଗା ଜଳ ଟୋପାଏ ମୋ ମୁହଁରେ ଦେବ ଶେଷ ନିଃଶ୍ବାସ ଛାଡିବା ଆଗରୁ।

 

ସଂଧ୍ୟା ହସିଲା କୁଟିଳ ହସ, ଖଳ ନାୟକର ହସ। କହିଲା ଅର୍ଜୁନକୁ ଅପେକ୍ଷା କରିଛ? କିଏ ଜାଣେ, ସିଏ ବି ତ ଚାର୍ବାକଙ୍କର ପଟ୍ଟ ଶିଷ୍ୟ ହୋଇ ପାରେ। ସିଏ ବି ଲାଗି ପଡିଥିବ ତା’ର ବର୍ତ୍ତମାନର ଫଟା ମାଠିଆ ଭରିବାରେ। ହେଲେ ନା’ ତା’ର ମାଠିଆ ଭରିବ, ନା’ ସିଏ ଆସିବ!


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top