ତସ୍ମୈ ଶ୍ରୀ ଗୁରବେ ନମଃ

News Story - Posted on 2017-01-10

ରବି କାନୁନ‌୍‍ଗୋ

 

‘ଆନନ୍ଦ ଆଖଡ଼ା।’ ମଣ୍ଡଳରେ ବିଖ୍ୟାତ ନାଁ। ଆନନ୍ଦ ପଣ୍ଡିତ ଥିଲେ ଇଦାନୀଂ ଗୁରୁ ଭୀମ ମଲ୍ଲଙ୍କ ବାପା ଏବଂ ଜଣେ ତାଗଡ଼ା ଓସ୍ତାତ। ଭୀମ ନିଜ ଯୁବାକାଳରେ କୋଉଠି କୁସ୍ତି ଲଢ଼ି ପାରିଲେନି। ତହିଁର ଏକମାତ୍ର କାରଣ ଥିଲା ଯେ ଯେହେତୁ ସେ ଆନନ୍ଦ ଓସ୍ତାତ ପୁଅ, ଖାଲି ସେତିକି ଶୁଣିଦେଲେ ଆଚ୍ଛାଆଚ୍ଛା ମଲ୍ଲଙ୍କ ପିଳେହି ପାଣି ହୋଇଯାଏ। ସେ ଲଢ଼ିଥା’ନ୍ତେ କାହା ସାଙ୍ଗରେ?

 

ସେତେବେଳେ ମ୍ୟାଚ‌୍‍-ଫିକ୍ସିଙ୍ଗ‌୍‍ ଯୁଗ ନ ଥିଲା ବା ପ୍ରାକ୍ଟିସ ବର‌୍‍କରାର‌୍‍ ରଖିବାକୁ ଭୀମ ମଲ୍ଲ ଫ୍ରେଣ୍ଡ‌୍‍ଲି ପ୍ରତିଯୋଗିତା ଯୋଗାଡ଼ କରି ପାରିଲେନି। ସତତ ଉର୍ଦ୍ଧ୍ୱମୁଖୀ ତାଙ୍କ ନିଶ ହଳକ ବୟସ ହେବାରୁ କ୍ରମେ ତଳକୁ ଓହଳି ପଡ଼ିଲେ। ଅଠା ମାରି ଟେକିଲେ ବି ଆଉ ସେମିତି ରହି ପାରିଲେନି।

 

ମଲ୍ଲ-ଜୀବନରେ କୁସ୍ତି ଲଢ଼ିବା ଏକ ରୋମାଞ୍ଚ! ସୁଯୋଗ ମିଳୁ ନ ଥିଲା। ଭାବିଲେ - ନ ଲଢ଼ିଲେ ନାହିଁ, ବୁଦ୍ଧି ତ ଅଛି। ଚେଲା ତିଆରି ନ କରିବା କାହିଁକି? ସେମାନେ ଲଢ଼ିବେ। ସେମାନଙ୍କ ବିଜୟରେ ଆମେ ଗୁରୁର ଆନନ୍ଦ ପାଇବୁ କି ନାଇଁ?

 

ବାପା ନାଁ ଯୋଡ଼ି ସେ ଆଖଡ଼ାଟେ ତିଆରି କଲେ।

 

ମରଣ କାଳ ଉପନୀତ ହୁଅନ୍ତେ ଆନନ୍ଦ ପଣ୍ଡିତ କତିକି ଡାକି ପୁଅକୁ କହିଲେ - ବାପରେ, ମୁଁ ତତେ ଜୀବନ ତମାମ ଦେଖିଛି। ତୋର ସବୁ ଥାଇ ବି, କେବଳ ମୋ ହତଭାଗ୍ୟ ଛାଇ ତଳେ ରହିଥିବାରୁ ତୁ ଉଧେଇ ପାରିଲୁନି। ଲଢ଼ିଲୁନି ତ କାହାରି ସାଙ୍ଗରେ, ଜିତିଚୁ ବୋଲି କେମିତି କହିବୁ? ଆଖଡ଼ାଟେ ତିଆର କଲୁ - ଠିକ‌୍‍ ଅଛି। ବାପ ଗୁରୁ ହୋଇ ନ ଥିଲା, ତୁ ହେଲୁ - ଠିକ‌୍‍ ଅଛି। ମୋ ନାଁ ଯୋଡ଼ିଲୁ - ଠିକ‌୍‍ ଅଛି। ବଢ଼ିଆ ବଢ଼ିଆ ମଲ୍ଲଯୋଦ୍ଧା ତିଆରି କରୁଚୁ - ଠିକ‌୍‍ ଅଛି। ହେଲେ ନାଁ ଯଦି ଆଖଡ଼ା, ଆବଶ୍ୟକ ନୀତି ଶୃଙ୍ଖଳା ମାନିବାକୁ ପଡ଼ିବ। ଶେଷ ବାକ୍ୟରେ ମଲ୍ଲେ କହିଲେ -  ବାବୁରେ, ଗୋଟିଏ ସତ୍ୟ ମନେ ରଖିଥିବୁ। ଚେଲା ବାଛିବାକୁ ମୋଟେ ହୁକୁହୁକୁ ହବୁନି। ଆଖଡ଼ା ଯେମିତି ଚାଲିଚି, ଆନନ୍ଦରେ ସେମିତି ଚାଲିଥିବ।

 

ଭୀମ ମଲ୍ଲ ସଫଳ ଗୁରୁ ଭାବେ ଅନେକ ଯଶ ଅର୍ଜନ କଲେ। ସେ ବାପ-ବାଣୀ ଭୁଲିଗଲେ। ଯୋଗ୍ୟ ବିଚାରି ମାର୍କଣ୍ଡ ସିଂହକୁ ଚେଲା ଭାବେ ଘୋଷଣା କରିଦେଲେ। ମାର୍କଣ୍ଡ ବୁଲିବୁଲି କୁସ୍ତି ଲଢ଼ିଲା ଓ ଜିତିବାରେ ରେକର୍ଡ ପରେ ରେକର୍ଡ ଥାପିଲା। ‘ଆନନ୍ଦ ଆଖଡ଼ା’ ନାଁ ଉପରକୁ ଟେକି ହେଉଥାଏ। ଗୁରୁ ଚେଲା ଦୁହେଁ ଖୁସ‌୍‍। ଆଖଡ଼ା ଠିକ‌୍‍ ଚାଲିଥାଏ। ଗୁରୁଙ୍କ ପ୍ରତି ବିନୟ ବ୍ୟକ୍ତ କରିବାରେ ଏ ଚେଲାର (ମାର୍କଣ୍ଡ) ପଟାନ୍ତର ନ ଥାଏ। କ୍ରମେକ୍ରମେ ଗୁରୁ ଏ ଚେଲାକୁ ମଲ୍ଲ କୁସ୍ତିର ଟ୍ରିକ‌୍‍ ପରେ ଟ୍ରିକ‌୍‍ ଶିଖାଇ ଚାଲିଲେ।

 

ତା’ପରେ ମାର୍କଣ୍ଡ ମୁଣ୍ଡରେ ଗୋଟିଏ ଅଛିଣ୍ଡା ଗଣିତ ପଶିଗଲା। କିହୋ, କୁସ୍ତି କରି ଲଢ଼ିବି ମୁଁ, ଜୟ କରିବି ମୁଁ। ଲୋକ ଢୋଲ ବଜେଇ ବଡ଼ ପାଟିରେ କହିବେ କ’ଣ ନା - ‘ଆନନ୍ଦ ଆଖଡ଼ା’, ଗୁରୁ - ଭୀମ ମଲ୍ଲର ଚେଲା। ମୋ ନାଁ ନାହିଁ!

 

ଭାବିଚିନ୍ତି ମାର୍କଣ୍ଡ ସିଦ୍ଧାନ୍ତରେ ପହଞ୍ଚିଲେ। ହ୍ୟାପ ଆଖଡ଼ା - ମାନେ ଖେଳାଳୀର ପରିଚୟ ସାମାନ୍ୟ ଜର୍ସି ନମ୍ୱର ପରି। ଆଖଡ଼ା ଛାଡ଼ିଲେ କଲ‌୍‍ ବି ମିଳିବନି। ତା ମାନେ, ଗୁରୁ ପଦ ହାସଲ ନ ହେବା ପର୍ଯ୍ୟନ୍ତ ନିଜ ନାଁ ଶୁଣିବା ଲୋଭ ଛାଡ଼ିବାକୁ ପଡ଼ିବ। ଚଳିତ ଗୁରୁ ଭୀମ ମଲ୍ଲ ଧୁଡ଼ୁଧୁଡ଼ୁ ହେଉଛନ୍ତି ଯେ ହେଲେ ନିକଟରେ ମଲା ପରି କିଛି ଲକ୍ଷଣ ଦେଖାଯାଉନି।

 

ସେ ଶୀଘ୍ର ମରିବା ଉଚିତ। ମନେମନେ ଯେତେ ଅଭିସଂପାତ ଦେଲେ ବି ଗୁରୁ ମରୁ ନ ଥା’ନ୍ତି।

 

ଶାସ୍ତ୍ରକାର କହିଛନ୍ତି ଯେ ପୁରୁଷ ପାଇଁ ସବୁଠୁଁ ତୀବ୍ର ଆଗ୍ରହ ହେଲା - ନାରୀ। ନାରୀର ଆଗ୍ରହ କ’ଣ - ସେକଥା କେହି ଜାଣନ୍ତିନି କହି ହାତ ଟେକି ଦେଇଛନ୍ତି। ଏ ଲୟ ମଣିଷକୁ ବନ ପ୍ରାନ୍ତର ମରୁ ତରୁ ତୀର କେତେଆଡେ଼ ବୁଲେଇପାରେ। ୟାକୁ ଆଦରରେ ସମ୍ଭାଳି ଥଲେ ବୋଲି ଆଡାମ‌୍‍ ଏବଂ ଇଭ‌୍‍ ଏଇଥିରୁ ମଣିଷ ତିଆରି କଲେ। ତାକୁ ଟପିବାକୁ ଆଉ ଗୋଟିଏ ଆଗ୍ରହ ଅଛି - ଯଶ-ଆଗ୍ରହ। କ୍ୱଚିତ ଆସେ, ଏବଂ ଯେତେବେଳେ ଆସେ - ସୁନାମି ପରି ବନ୍ଧବାଡ଼ ମାନେନା।

 

ଦିନେ ମାର୍କଣ୍ଡ ମୁଣ୍ଡରେ ପାପ ପଶିଲା। ଗୁରୁଙ୍କ ପ୍ରାତଃକାର୍ଯ୍ୟର ଯାବତୀୟ ସିଡିଉଲ ସେ ଜାଣେ। ମୂଳିଆ କଣ୍ଟାବାଇଁଶି ଠେଙ୍ଗାଟେ ରାତି ସାରା ପାଲିସ କଲା। ଆଇଡିଆ କଲା, ଗୁରୁ ଦୁଇ ବସିଥିବାବେଳେ ପଛରୁ ଗୋଟେ ନିର୍ଘାତିଆ ପାହାର। ଥରକରେ କାମ ସରିଥିବ। ଶ... ବୁଢ଼ା କିଆବୁଦା ମୂଳେ ମରି ପଡ଼ିଥିବ।

 

ମୁଁ ହେବି ଗୁରୁ! ସାରା ରାତି ସେ ଏକପ୍ରକାର ଅଜବ ଆମୋଦିତ ଉନ୍ମାଦନାରେ ଅନିଦ୍ରା ରହିଲା। ବଡ଼ିଭୋରୁ କିଆବୁଦାରେ ଲୁଚି ମାର୍କଣ୍ଡ ତର‌୍‍କି ଦେଖୁଥାଏ। ମିନିଟ‌୍‍-ବାଇ-ମିନିଟ‌୍‍ ଗୁରୁଙ୍କ ପ୍ରୋଗ୍ରାମ ଠିକ‌୍‍ ଚାଲିଥାଏ।

 

ଶେଷ ବେଳ। ବୁଢ଼ା ମୁଣ୍ଡରେ ପାହାରଟେ ବସେଇବାକୁ ଯାଉଚି, ଶୂନ୍ୟରୁ କ’ଣ ଗୋଟେ ବୁଲେଟ‌୍‍ ପରି ଆସି ମାର୍କଣ୍ଡ ମୁଣ୍ଡରେ ବାଜିଲା। ତାହା ଥିଲା ଗୁରୁଙ୍କ ଲୋଟା। ଭୀମ ମଲ୍ଲ ବୁଲି ପଡ଼ି ଅନେଇଲେ। ଚେଲା ମାର୍କଣ୍ଡ ସିଂହ। ସେବାଶୁଶ୍ନଷା କରି ତାକୁ ଆଖଡ଼ାକୁ ଆଣିଲେ। 

 

ଧୀରେଧୀରେ ମୁହଁ ଘା ଶୁଖିଗଲା। ମନ ଘା ବି।

 

ମାର୍କଣ୍ଡ ଓସ୍ତାତକୁ ପଚାରିଲା - ହେ ଗୁରୁ, ତମେ ତ ବୁଦ୍ଧିର ଶେଷ ଅବତାର। ଏବେ କୁହ, ମୋର ଏଡେ଼ ସୁନ୍ଦର ପ୍ଲାନ‌୍‍ ଫ୍ଲପ‌୍‍ ହେଲା କେମିତି?

 

ଭୀମ ମଲ୍ଲ କହିଲେ, ଆମ୍ଭେ ତ ପୂର୍ବମୁଖା ବସି ସେ କାର୍ଯ୍ୟ କରି ନ ଥା’ନ୍ତୁ। ସୂର୍ଯ୍ୟ ଉଦୟ ବେଳ। ମୋ ଆଗରେ ଗୋଟେ ଠେଙ୍ଗାର ଛାଇ ହଲହଲ ହେଲା। ତାକୁ ଲକ୍ଷ୍ୟ କରି ପାଣିଭରା ଲୋଟାଟା ଫୋପାଡ଼ିଲି। ଟାର୍ଗେଟ‌୍‍ ଛୁଇଁଲା। ବାସ‌୍‍, ତା’ପରେ ଦେଖିଲି ତୁ।

 

ହେ ପ୍ରିୟ ଚେଲା, ଏ ଦି’ ଧାଡ଼ି ବୁଦ୍ଧି ଶିଖି ଆଉ ନୂଆ ଦୁବୁର୍ଦ୍ଧି କିଛି କରିବୁନି। ବେଳ ହେଲେ ମୁଁ ଆପେ ମରିବି। ତୁ ବେସ୍ତ ହେଲେ କିଛି ଲାଭ ନାହିଁ। ଆମେ ଗୁରୁ - ଜ୍ଞାନରେ ଅନ୍ତିମ। ମୁଁ ଗୋଟିଏ ଭୁଲ କରିଚି - ବାପା କହିଥିଲେ, କାହାକୁ ଚେଲା ଘୋଷଣା କରିବୁନି। ଆଉ ଗୋଟିଏ ଠିକ‌୍‍ କାମ ବି କରିଚି। ବାପା କହିଥିଲେ - ଆଖଡ଼ାରେ ସବୁ ବିଦ୍ୟା ସମସ୍ତଙ୍କୁ ଶିଖେଇବୁନି। ତତେ ଶିଖେଇନି। ମଲ୍ଲକୁସ୍ତି ଛଡ଼ା ତୁ ଆଉ କ’ଣ ଜାଣିଚୁ କି? ଗୁରୁଙ୍କ ନାଁରେ ଠେଙ୍ଗା ପୂଜି ରହିବାକୁ ପଡ଼ିବ। ଥରେ ଆଖଡ଼ା ଛାଡ଼ିଲେ - ଲୋକ ତତେ ହଳ କରିବାକୁ ବି ଡଳିବେନି!

 

ମୋବାଇଲ‌୍‍ : ୦୯୪୩୭୧-୯୪୬୦୦)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top