ଅବହେଳା କଲେ ଅଧିକାର ନାହିଁ

News Story - Posted on 2017-01-10

ସୁକାନ୍ତି ରାଉତ

 

ଦଶମାସ ଦଶ ଦିନ ଗର୍ଭରେ ଧରି ପୁଅଟିଏ ଜନ୍ମ କରିଥାଏ ମାଆଟିଏ। କାହିଁରେ କେତେ ଗର୍ଭ ବେଦନା ସହିଥାଏ। ପୂର୍ଣ୍ଣତା ଟିକେ ପାଇବାକୁ କାହିଁରେ କେତେ ତ୍ୟାଗ ବି କରେ। ଗର୍ଭରୁ ଯୂଇ ଯାଏ କେବଳ ସେ ସନ୍ତାନକୁ ନିରୋଳା  ସ୍ନେହ ଦେଇଚାଲେ। ସନ୍ତାନକୁ ସମାଜରେ ସଭ୍ୟ ଶିକ୍ଷିତ କରିବାକୁ ପିତାମାତାଙ୍କୁ ତମାମ ଜୀବନ ନୟାନ୍ତ ହେବାକୁ ପଡ଼ିଥାଏ। ତାକୁ ମଣିଷ କରିବାକୁ ପଥରକୁ ପତର ଭାବି ବୋହି ନିଅନ୍ତି, ସେଇ ଗୋଟିଏ ଲକ୍ଷ୍ୟ ପୁଅ ତାଙ୍କର ସମାଜରେ 5 ଜଣରେ ଜଣେ ହେବ।

 

କେଉଁ ଆଦିମ କାଳକୁ ପୁଅଟିଏ ପାଇଁ ଉଭୟ ପିତାମାତା କାହିଁରେ କେତେ ପୂଜା, ବ୍ରତ କରିଥାନ୍ତି। ସମୟ ଅନୁସାରେ ଯଦିଓ ଏବେ ଲିଙ୍ଗ ତାରତମ୍ୟରେ ପରିବର୍ତ୍ତନ ଆସିଛି। ତଥାପି ଏବେ ବି ପୁଅଟିଏ ପାଇଁ ସମସ୍ତେ ବ୍ୟାକୁଳ। କାରଣ ହିନ୍ଦୁ ପ୍ରଥାନୁସାରେ ପୁଅ ହିଁ କୁଳରକ୍ଷା କରିବ, ଜୀବନର ଶେଷ ସମୟରେ ସାହାରା ହୋଇ ଛିଡ଼ା ହେବ। ଆଉ ମରିବା ପରେ ନିଜ କାନ୍ଧରେ ବୋହି ମଣାଣିକୁ ନେବ। ସେମାନଙ୍କୁ ପିଣ୍ଡ ଦେବ।

 

ସମୟ କ୍ରମେ ଏସବୁରେ ଆସିଛି ପରିବର୍ତ୍ତନ। ବାପା/ମାଆଙ୍କ ପାଇଁ କିନ୍ତୁ ପରିବର୍ତ୍ତନ ନାହିଁ। ସେମାନେ ଏବେ କି ସେଇ ଲକ୍ଷ୍ୟରେ ପୁଅକୁ ମଣିଷ କରନ୍ତି ସେମାନଙ୍କୁ ଶେଷ ସମୟରେ ସାହାରା ହେଉ କି ନ ହେଉ। ପୁଅଟିଏ ବଡ଼ ହେଲାପରେ ପିତାମାତାଙ୍କ ପ୍ରତି ସବୁ ଦାୟିତ୍ବ ଭୁଲିଯାଏ, ତାହା ପୁଣି ଆଉ ଗୋଟେ ପରଝିଅ କଥାରେ। ଯେଉଁ ପୁଅକୁ ଦୀର୍ଘ 30 ବର୍ଷ ପାଳି ପୋଷି ମଣିଷ କଲେ, ସେ କିନ୍ତୁ ବିବାହ କରିବା ପରେ କାହିଁକି କେଜାଣି ପିତାମାତାଙ୍କୁ ଅବହେଳା କରେ ତାହାର କାରଣ ଅନେକ। ଦିନ କେଇଟାରେ ସେ ନିଜ ଜମକରା ପିତାମାତାଙ୍କୁ ମଧ୍ୟ ଜରାଶ୍ରମରେ ଛାଡ଼ିବା ପାଇଁ ପଛାଇ ଯାଏ ନାହିଁ। କେତେକ ସ୍ଥଳରେ ପିତାମାତାଙ୍କୁ ଭାଗ ଭାଗ କରି ପୁଅମାନେ ପୋଷନ୍ତି। କିନ୍ତୁ ମାଆଟିଏ ନିଜ ପେଟରେ ପେଟେ ଭୋକ ରଖି ତା ପିଲାମାନଙ୍କୁ ସମାନ ଭାବେ ଖାଇବାକୁ ଦିଏ। ଅପରାଧୀ ହେଲେ ବି କାନି ପଣତରେ ସେଇ ସ୍ନେହ ଆଦର ଦେଇ ଜାବୁଡ଼ି ଥରେ। ମାଆ ଆଖିରେ ତା ପୁଅ କେବେ ଅପରାଧୀ ହୋଇପାରେନା। ଏମିତି ଯୁକ୍ତି ବି ବାଢ଼ିବାର ନଜିର ରହିଛି। ମାଆ କିନ୍ତୁ କେବେ ଭାଗ କରେନି କୌଣସିଥିରେ।

 

ଆଜିକାଲି ପୁଅମାନେ ଯେଉଁପ୍ରକାର ବ୍ୟବହାର ବାପାମାଆଙ୍କ ପ୍ରତି କରୁଛନ୍ତି, ସେସବୁକୁ ଦେଖିଲେ ମନେହୁଏ ସମାଜ କେମିତି ଆଉ କେଉଁସ୍ତରକୁ ଚାଲିଗଲାଣି! ମନରେ ପ୍ରଶ୍ନ ଆସେ,  ସେମାନେ ପୁଅକୁ ନିଜ ଜୀବନକୁ ମାଟି କରି ଏତେ ଗୁରୁତ୍ବ ଦେଇ ଠିକ୍ କରିଥିଲେ ନା ଭୁଲ୍! ପୁଅ ବାହାହେବା ପରେ ବାପାମାଆ ପୁଅବୋହୂଙ୍କ ପାଇଁ ବୋଝ, ଅନାବଶ୍ୟକ ଅତିଥି କାହିଁକି ପାଲଟି ଯାଏ? କିଏ ଦେବ ଏହାର ଉତ୍ତର? କିଏ କରିବ ଏହାର ସରଳ ସମାଧାନ? ଏବେ ବି ଆମ ସମାଜରେ କିଛି ପୁଅବୋହୂ ଅଛନ୍ତି, ଯେଉଁମାନେ ସେମାନଙ୍କ  ପିତାମାତାଙ୍କୁ ଦୁର୍ବ୍ୟବହାର କରୁଛନ୍ତି, କଟୁ ଆକ୍ଷେପ କରୁଛନ୍ତି, ମାଡ଼ ମାରି ଘରୁ ବାହାର କରିଦେବା ଭଳି ନଜିର ମଧ୍ୟ ରହିଛି।

 

ଏହି ପରିପ୍ରେକ୍ଷୀରେ ନିକଟରେ ଦିଲ୍ଲୀ ହାଇକୋର୍ଟ ଏକ ସମ୍ବେଦଙ୍କ୍ତଶୀଳ ରାୟ ଦେଇଛନ୍ତି ଯାହା ବୃଦ୍ଧ ପିତାମାତାଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ରାୟ ଅନୁସାରେ, ବାପାମାଆ ଯେଉଁ ଘର ନିଜେ ତିଆରି କରି ରହୁଥିବେ ସେଠାରେ ପୁଅମାନଙ୍କର ରହିବା କିମ୍ବା ତାହାକୁ ଅଧିକାର କରିବାର କୌଣସି ଆଇନଗତ ଅଧିକାର ନାହିଁ। ଯଦି ବାପାମାଆ ଚାହିଁବେ, ତାହେଲେ ସେମାନେ ଇଚ୍ଛାମୁତାବକ ସେମାନଙ୍କୁ ରହିବାକୁ ଦେବେ। ଏହାର ଅର୍ଥ ନୁହେଁ କି ପୁଅ/ବୋହୂଙ୍କୁ ଜୀବନବ୍ଯାପୀ ପୋଷିବେ। ରାୟରେ ଆହୁରି ମଧ୍ୟ କହିଛନ୍ତି ଯେ, ଯେ  ପର୍ଯ୍ୟନ୍ତ ପୁଅବୋହୂ ଏବଂ ପିତାମାତାଙ୍କ ମଧ୍ୟରେ ସୁ-ସମ୍ପର୍କ ରହିଛି ବାପା/ମାଆ ଚାହୁଁଥିବେ ତେବେ ରହିପାରିବେ। ଯଦି ପୁଅବୋହୂ କୌଣସି ପାରିବାରିକ କଥାକୁ ନେଇ ବାପା/ମାଆଙ୍କ ସହିତ ସମ୍ପର୍କରେ ତିକ୍ତତା ଆଣନ୍ତି ତେବେ ବାପାମାଆ ପୁଅବୋହୂଙ୍କୁ ଘର ଛାଡ଼ିବାକୁ କହିପାରିବେ। ଦିଲ୍ଲୀର ଏକ ବୃଦ୍ଧ ଦମ୍ପତି ସେମାନଙ୍କ ପୁଅବୋହୂଙ୍କୁ ନେଇ କରିଥିବା ଏକ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ଏହା ସ୍ପଷ୍ଟ କରିଛନ୍ତି।

 

ବୁଝିହେଉନି ପୁଅଟିଏ ପାଠଶାଠ ପଢ଼ି ମଣିଷ ହେଲା ପରେ କାହିଁକି ବଦଳି ଯାଏ ! କାହିଁକି ଭୁଲିଯାଏ ନିଜ କର୍ତ୍ତବ୍ୟକୁ। ଏବେକାର ସଭ୍ୟଶିକ୍ଷିତ ପୁଅମାନେ ବାପାମାଆଙ୍କ ଦାୟିତ୍ବ ନେବାକୁ ଅରାଜି, ବୋହୂମାନେ ସେବା କରିବା ଇଚ୍ଛା ପ୍ରକାଶ କରୁଛନ୍ତି। ତେବେ ଏଥିପାଇଁ ସବୁ ପୁଅ/ବୋହୂଙ୍କୁ ମଧ୍ୟ ଦାୟୀ କରାଯାଇପାରିବ ନାହିଁ। ବାପାର ସମ୍ପତ୍ତି ପାଇବାକୁ ପୁଅଟି ସମ୍ପର୍କର ଲକ୍ଷ୍ମଣରେଖା ଡେଇଁ କୋର୍ଟ କଚେରୀକୁ ଧାଇଁଯାଏ। ଏପରି କି ବାପା/ମାଆଙ୍କ ଶବକୁ ପଡ଼ିଥିବାବେଳେ ମଧ୍ୟ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେଇଥାଏ। କେଉଁଠି ବୃଦ୍ଧ ପିତାମାତାଙ୍କ ପାଗଳ ସଜାଇ ଦସ୍ତକତ ନେଇ ସମ୍ପତ୍ତିର ମାଲିକ ମଧ୍ୟ ହୋଇଯାଆନ୍ତି ପୁଅବୋହୂମାନେ। ଯେଉଁ ବାପାମାଆ ପିଲାମାନଙ୍କ ଜୀବନ ଲାଗି ସେମାନଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ସମୟକୁ ବିନିଯୋଗ କଲେ, ଖରା, ବର୍ଷା, ଶୀତ ଆଉ ବସନ୍ତ ସବୁ ସେମାନଙ୍କ ପାଇଁ ସମାନ।

 

ଶେଷ ସମୟରେ ଆଶ୍ରା ଟିକେ ପାଇବାକୁ ସେମାନଙ୍କୁ ହେବାକୁ ପଡ଼ିଥାଏ ନାନା ଦହଗଞ୍ଜର ସମ୍ମୁଖୀନ। ଏସବୁ ଦେଖିଲେ ଆମ ସଭ୍ୟ ସମାଜ ଲଜ୍ଜ୍ଯାରେ ମୁଣ୍ଡ ନୁଆଁାଇବା ଉଚିତ। ଅଥଚ ସେମାନଙ୍କ ମନରେ ସାମାନ୍ୟତମ କ୍ଷୋଭ ବି ନାହିଁ।  ବୁଢ଼ା ବାପା/ମାଆଙ୍କୁ ନେଇ କେଉଁଠି କେଉଁଠି ପତ୍ନୀ ମଧ୍ୟ ସ୍ବାମୀକୁ ଛାଡ଼ିଦେଉଛି। ପୁଅଟି ବା ଆଉ କ’ଣ କରିପାରିବ, ସେ ବି ସ୍ବାର୍ଥଥପର ହୋଇଯାଏ, ଆଉ ପତ୍ନୀର କଥାକୁ ଅବାଧରେ ମାନିନିଏ। ସେଥିପାଇଁ ବୁଢ଼ା ବାପାମାଆଙ୍କୁ କେବେ ଜରାଶ୍ରମରେ ଛାଡ଼ିଦିଏ ତ ପୁଣି କେବେ ରାସ୍ତାକଡ଼ରେ ଛାଡ଼ି ପଳାଇଯାଏ।  ଦେହ ମୁଣ୍ଡ ଖରାପହେଲେ ହସପିଟାଲରେ ଛାଡ଼ିଦେଇ ପତ୍ନୀ ସହିତ ଖୁସିରେ ଦିନ କାଟେ। ମାଆଟି ତଥାପି ବିଶ୍ବାସରେ ଚାହିଁଥାଏ ପୁଅ ସଂସାର ଜଞ୍ଜାଳ ସାରି ଡାକ୍ତରଖାଙ୍କ୍ତାକୁ ଆସିବ ଆଉ ତା’ର ଦେହ ପା’ କଥା ବୁଝିବ। ମାତ୍ର ସେମିତି ହୁଏନି। ପୁଅ କି ବୋହୂ ଆଉ ଆସନ୍ତିନି ବାପାମାଆଙ୍କୁ ଦେଖିବାକୁ। ଏମିତି ଘଟଣା ଅନେକ ଘଟୁଛି।

  

ତେବେ ଏବେ ବି ଆମ ସମାଜରେ ଅନେକ ଶ୍ରବଣ କୁମାର ଅଛନ୍ତି। ଏବେ ବି ଦେଶରେ ସୀତାଙ୍କ ପରି ସ୍ତ୍ରୀ ରହିଛନ୍ତି। ଏବେ ବି ପୁଅବୋହୂ ବାପା/ମାଆଙ୍କ ସେବା କରୁଛନ୍ତି। ସକାଳେ ସଂଜରେ ଶାଶୁ/ଶ୍ବଶୁରଙ୍କୁ ପ୍ରମାଣ ବାଢ଼ନ୍ତି, ଈଶ୍ବରଙ୍କୁ ପରେ।  କିନ୍ତୁ ଏସବୁ କରିବା ପରେ ସେମାନଙ୍କୁ ମିଳେ ସେମାନେ ପଛୁଆ, ମୂର୍ଖ ଆଖ୍ୟା। ଆଉ ଦୁନିଆ ବିଷୟରେ କିଛି ଜାଣିନାହାନ୍ତି। ସମୟ ସହିତ ତାଳଦେଇ ସମାଜ ଆଗେଇଛି ସତ ମାତ୍ର ନୈତିକତାର ମୂଲ୍ୟବୋଧ ଆଉ ତା ପାଖରେ ନାହିଁ। ଅତ୍ୟାଧୁନିକ ଜୀବନଶୈଳୀରେ ବୁଢ଼ାବାପାମଆଙ୍କର ସ୍ଥାନ ନାହିଁ। ଦିନେ ଗୋଟିଏ କୃତଘ୍ନପୁଅର କାର୍ଯ୍ୟକୁ ସମାଲୋଚନା କରି ଫକୀରମୋହନ ଲେଖିଥିଲେ ଡାକମୁନ୍ସୀ ଗଳ୍ପ। ଆମ ଚାରିପାଖରେ ରହିଛନ୍ତି ଅସଂଖ୍ଯ ଡାକମୁନ୍ସୀ। ଶହଶହ ବାପାମାଆ ସେମାନଙ୍କ ଦ୍ବାରା ପୀଡ଼ିତ ହୋଇ ଦୁଃଖ ଆଉ ଶୋକରେ ଦୀର୍ଘଘଶ୍ବାସ ଛାଡୁଛନ୍ତି। ମନର କଥା କାହା ଆଗେ ପ୍ରକାଶ କରୁପାରୁନାହାନ୍ତି। ଛାତିତଳର କୋହକୁ ଚାପି ରଖି ତଥାପି ସେମାନେ ପୁଅ/ବୋହୂଙ୍କର ମଙ୍ଗଳ କାମନା କରିଚାଳନ୍ତି ଜୀଇଁଥିବା ଯାଏ। ଶେଷରେ ଏତିକି କୁହାଯାଇପାରିବ ଯେ ପର୍ଯ୍ୟନ୍ତ ପୁଅ/ବୋହୂମାନଙ୍କର ମାନସିକତାରେ ପରିବର୍ତ୍ତନ ନ ଆସିଛି, ସେ ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିବ। ତେଣୁ ଏଥିପାଇଁ ପ୍ରତିଟି ସନ୍ତାନ ମାନସିକ ଭାବେ ପ୍ରସ୍ତୁତ ରହି ପିତାମାତାଙ୍କୁ ଅବହେଳା ନ କରି ଶାନ୍ତିରେ ଜୀବନ ଜୀଇବାର ପ୍ରୟାସ କରିବା ସର୍ବ ପ୍ରଥମ କର୍ତ୍ତବ୍ୟ ବୋଲି ଭାବିବା ଉଚିତ। 

 

ରାଘବପୁର, ଗେଡ଼ମା, କେନ୍ଦୁଝର-21

ଫୋନ-8895304556  


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top