ସୃଷ୍ଟିର ପ୍ରଥମ ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ

News Story - Posted on 2017-01-10

 

ପବିତ୍ର ଶାମ୍ୱ ଦଶମୀ ଅବସରରେ ଅର୍କକ୍ଷେତ୍ର କୋଣାର୍କରେ ପୁରାଣ ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା ଓ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସୌର ବ୍ରାହ୍ମଣ ପରିଷଦ, ଅବଧୂତୀ ସତୀର୍ଥ ସମାଜ, ଅର୍କକ୍ଷେତ୍ର ଗାୟତ୍ରୀ ପରିବାର, ଗୁରୁ ଚିନ୍ତନ ସେବା ସମାଜ ଓ ଚନ୍ଦ୍ରଭାଗା ବଜାର କମିଟିର ମିଳିତ ସହଯୋଗରେ ପୂରାଣ ବର୍ଣ୍ଣିତ ମୈତ୍ରେୟ ଋଷିଙ୍କ ଆଶ୍ରମ ବା କୃଷ୍ଣଙ୍କ ପୁତ୍ର ଶାମ୍ୱଙ୍କ ସାଧନା ପୀଠ କୋଣାର୍କର ସର୍ବପୁରାତନ ଅବଧୂତ ମଠ ପକ୍ଷରୁ ଏହି ସୂର୍ଯ୍ୟ ରଥଯାତ୍ରା ଆୟୋଜିତ ହୋଇଛି।

 

ଶାମ୍ୱଦଶମୀ ପ୍ରତ୍ୟୁଷରୁ ପାରମ୍ପରିକ ରୀତିନୀତିରେ ସୂର୍ଯ୍ୟଦେବଙ୍କ ଚଳନ୍ତି ପ୍ରତିମା ମିତ୍ରାଦିତ୍ୟଙ୍କୁ ରଥାରୂଢ କରାଯିବାପରେ ଉଦୟକାଳୀନ ସୂର୍ଯ୍ୟଙ୍କୁ କାକରା ଭୋଗ, ଅର୍କବଟ ପୂଜା, ସପ୍ତାଶ୍ୱଙ୍କ ସହିତ ରଥର ପାର୍ଶ୍ୱ ଦେବାଦେବୀଙ୍କୁ ୧୦୮ଟି ବରା ପୂଜା କାର୍ଯ୍ୟ ସଂପନ୍ନ ହୋଇଥିଲା। ଅନନ୍ତ ଅବଧୂତ ମଠର ମହନ୍ତ ଆଦିତ୍ୟ ଚରଣ ଦାସ ଛେରାପହଁରା କରିଥିଲେ। ସକାଳ ୯ଟାରେ ସୂର୍ଯ୍ୟରଥ ଟଣା ଆରମ୍ଭ ହୋଇଥିଲା। ସୂର୍ଯ୍ୟମନ୍ଦିରର ଦକ୍ଷିଣ ପାର୍ଶ୍ୱ ବେଢାସଂଲଗ୍ନ ଅନନ୍ତ ଅବଧୂତ ମଠ ପରିସରରେ ସୂର୍ଯ୍ୟରଥକୁ ଶତାଧିକ ଶ୍ରଦ୍ଧାଳୁ ଟାଣିନେଇ ମଧ୍ୟାହ୍ନରେ ଚନ୍ଦ୍ରଭାଗା ତୀର୍ଥ ନିକଟରେ ପହଞ୍ଚାଇଥିଲେ।

 

ଏହାପରେ ମିତ୍ରାଦିତ୍ୟଙ୍କୁ ତୀର୍ଥଜଳରେ ସ୍ନାନ କରାଇବା ପରେ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଆଜିଠାରୁ ଚନ୍ଦ୍ରଭାଗା ତୀର୍ଥ ନିକଟସ୍ଥ ଛୋଟାରାମ ବାବାଙ୍କ ମଠ ପରିସରରେ ୨୭ ଦିନ ଧରି ୨୭ଟି ନକ୍ଷତ୍ରରେ ମିତ୍ରାଦିତ୍ୟଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ପବିତ୍ର ମାଘ ଶୁକ୍ଳ ସପ୍ତମୀ ତିଥୀରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ।

 

ଶାମ୍ୱଦଶମୀ ତିଥିରେ ପ୍ରାତଃ ସ୍ନାନକରି ମିତ୍ରାଦିତ୍ୟଙ୍କୁ ରଥରେ ଦର୍ଶନ କଲେ ରୋଗ, ଶୋକ ଓ ଭୟରୁ ମୁକ୍ତି ମିଳିବା ସହିତ ପୁନର୍ଜନ୍ମ ହୋଇ ନ ଥାଏ ବୋଲି  କପିଳ ସଂହିତାରେ ଉଲ୍ଲେଖ ଅଛି। ଭାଗବତରେ ବର୍ଣ୍ଣନାନୁଯାୟୀ ମୈତ୍ରେୟ ମୁନି ଭଗବାନ କୃଷ୍ଣଙ୍କର ଜଣେ ଶୁଭ ଚିନ୍ତକ ଥିବାରୁ କୃଷ୍ଣ ନିଜର ପୁ‌୍‍ତ୍ର ଶାମ୍ୱଙ୍କୁ କୁଷ୍ଠରୋଗରୁ ମୁକ୍ତି ପାଇଁ ମୈତ୍ରେୟଙ୍କ ଆଶ୍ରମକୁ ପଠାଇଥିଲେ। ଶାମ୍ୱ ସୂର୍ଯ୍ୟଙ୍କୁ ଆରାଧନା କରିବା ପାଇଁ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କରିବା ସମୟରେ ମିତ୍ରାଦିତ୍ୟଙ୍କର ଏକ ସୁନ୍ଦର ମୂର୍ତ୍ତି ପାଇଥିଲେ। ଏହି ମୂର୍ତ୍ତିକୁ ବିଶ୍ୱକର୍ମା ତିଆରି କରିଥିଲେ ଏବଂ ଏହାକୁ ଦେବତା, ଦାନବ ମନବମାନେ ମିତ୍ରତା ସୂତ୍ରରେ ଆବଦ୍ଧ ହୋଇ ପୂଜା କରୁ ଥିଲେ। ଶାମ୍ୱ ଏହି ମୂର୍ତ୍ତିକୁ  କୋଣାର୍କରେ ପୂଜା କରିବା ସହିତ ସୂର୍ଯ୍ୟ ରଥଯାତ୍ରାରର ପ୍ରଚଳନ କରିଥିଲେ।

 

ସମୟାନୁକ୍ରମେ ଓଡ଼ିଶାର ରାଜା ପୁରନ୍ଦର କେଶରୀ ଓ ଲାଙ୍ଗୁଳା ନରସିଂହ ଦେବ ଏହି ପରମ୍ପରାକୁ ବଜାୟ ରଖିଥିଲେ । ପରବର୍ତ୍ତୀ ଅବସ୍ଥାରେ ସୂର୍ଯ୍ୟ ମନ୍ଦିର ଭାଙ୍ଗି ଯିବାରୁ ପୂଜାର୍ଚ୍ଚନା ବନ୍ଦହେବା ସହିତ ସୂର୍ଯ୍ୟ ରଥଯାତ୍ରା ମଧ୍ୟ ବନ୍ଦ ହୋଇଯାଇଥିବା ମାଦଳା ପାଞ୍ଜିରୁ ସୂଚନା ମିଳେ।  ଅନନ୍ତ ଅବଧୂତ ମଠର ଦିବଂଗତ ମହନ୍ତ ଅବଧୂତ ଆର୍ତ୍ତତ୍ରାଣ ଦାସ, ଅର୍କକ୍ଷେତ୍ରର ବିଶିଷ୍ଟ ଗବେଷକ  ଡ଼ଃ ଉପେନ୍ଦ୍ରନାଥ ଭୋଳ, ଅର୍କଶ୍ରୀ ସଂପାଦକ ଉମେଶ ସ୍ୱାଇଁ ପ୍ରମୁଖଙ୍କ ପ୍ରଚେଷ୍ଟାରେ ୧୯୯୮ ମସିହାରେ ଏହି ରଥଯାତ୍ରାର ପୁନଃ ପ୍ରଚଳନ ହୋଇଥିଲା।

 

କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ମେଡିକାଲ ଛକସ୍ଥିତ ରାଜାରାମ ଆଶ୍ରମ ପରିସରରେ ଗତ ୬ ତାରିଖରୁ ଆୟୋଜିତ ହୋଇଥିବା ତ୍ରିଦିବସୀୟ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞର ପୂର୍ଣ୍ଣାହୂତି ଶାମ୍ୱ ଦଶମୀ ତିଥର ସୂର୍ଯ୍ୟସ୍ତ ସମୟରେ ସଂପନ୍ନ ହୋଇଛି। ସମିତି ପକ୍ଷରୁ ଆଜି ପୂର୍ବାହ୍ନରେ ଏକ ବିଶାଳ ଆଧ୍ୟାତ୍ମିକ ଶୋଭାଯାତ୍ରା ଯଜ୍ଞସ୍ଥଳରୁ ବାହାରି ସୂର୍ଯ୍ୟମନ୍ଦିର ପରିକ୍ରମା କରିଥିଲା। ଶାମ୍ୱ ଦଶମୀ ଅବସରରେ ଦେଶ ବିଦେଶର ହଜାର ହଜାର ପର୍ଯ୍ୟଟକଙ୍କ ସମେତ ଶ୍ରଦ୍ଧାଳୁମାନେ ସୂର୍ଯ୍ୟମନ୍ଦିର ପରିସରରେ ନିଃଶୁଳ୍କ ପ୍ରବେଶକରି ସୂର୍ଯ୍ୟଦେବଙ୍କ ପୂଜାର୍ଚ୍ଚନା କରିଥିଲେ।

 

କୋଣାର୍କ ସୁରକ୍ଷା ସମିତିର ସଭାପତି ବାଦଲ ଦାଶ, ସଂପାଦକ ରାମକୃଷ୍ଣ ମହାନ୍ତି, ଧୃବଚରଣ ନାୟକ, ଭାଗିରଥୀ ସ୍ୱାଇଁ, ରମେଶ ନାୟକ, ନିରଞ୍ଜନ ତ୍ରିପାଠୀ ଓ ଦିଲ୍ଲୀପ ଜେନା ପ୍ରମୁଖ ସୌର ମହାଯଜ୍ଞ ପରିଚାଳନା କରିଥିଲେ। ଏହି ଅବସରରେ ଚନ୍ଦ୍ରଭାଗାସ୍ଥିତ ସୂର୍ଯ୍ୟନାରାୟଣ ମନ୍ଦିରରେ ଜ୍ୟୋତିର୍ବିଦ ପଣ୍ଡିତ ଗଦାଧର ନାୟକଙ୍କ ପୌରୋହିତ୍ୟରେ ତ୍ରିଦିବସୀୟ ସୌର ମହାଯଜ୍ଞ ଏବଂ ସୌର ବ୍ରାହ୍ମଣ ପରିଷଦ ପକ୍ଷରୁ ଗତ ୫ତାରିଖରୁ ଅବଧୂତ ମଠ ପରିସରରେ ସୌର ମହାଯଜ୍ଞ ଅନୁଷ୍ଠିତ ୭ତାରିଖ ସୂର୍ଯ୍ୟାସ୍ତ ସମୟରେ ପୂର୍ଣ୍ଣାହୁତି ହୋଇଯାଇଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top