ଯନ୍ତ୍ରଣା ହିଁ କବିତାର ପ୍ରେରଣା!

News Story - Posted on 2017-01-10

 

କିଟ‍୍‌ ବିଶ୍ୱବିଦ୍ୟାଳୟ ପରିସରରେ ଚତୁର୍ଦ୍ଦଶ କାଦମ୍ୱିନୀ ଲେଖକ ସମ୍ମିଳନୀ ଓ ନବମ ପତ୍ରିକା ହାଟ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ମାଲୟାଲାମ କବି, ସମାଲୋଚକ ଓ ସଂପାଦକ ଡ. କେ. ସଚ୍ଚିଦାନନ୍ଦନ ଯୋଗଦେଇଥିବା ବେଳେ ଦୈନିକ ଇଂରାଜୀ ଖବରକାଗଜ ‘ଦି ହିନ୍ଦୁ’ ନୂଆଦିଲ୍ଲୀ ସଂସ୍କରଣର ରେସିଡେଣ୍ଟ ଏଡିଟର‍୍‌ ଅମିତ ବରୁଆ, ହିନ୍ଦୀ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ହାସ୍ୟାଭିନେତା ବିଜୟ ରାଜ, ପ୍ରଖ୍ୟାତ ଲେଖକ ପ୍ରଫେସର ମନୋଜ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

 

ନିଜ ବକ୍ତବ୍ୟରେ ଶ୍ରୀ ବରୁଆ କହିଲେ ଯେ, ସଂପ୍ରତି ଭାରତୀୟ ଭାଷାର ଲେଖାରେ ଅନଭିଜ୍ଞତା ବୃଦ୍ଧି ପାଉଛି। ସେ କହିଲେ, ସ୍ୱାଧୀନତା ବିନା ଭଲ ସାମ୍ୱାଦିକତା ଓ ଭଲ ଲେଖା ଅସମ୍ଭବ। ତେଣୁ ଭଲ ଲେଖା ଓ ସାମ୍ୱାଦିକତା ପାଇଁ ପର୍ଯ୍ୟାପ୍ତ ସ୍ୱାଧୀନତା ପ୍ରଦାନ କରାଯିବା ଆବଶ୍ୟକ। ବର୍ତ୍ତମାନ ସୂଚନା ପ୍ରଯୁକ୍ତି ବିଦ୍ୟା ଲୋକଙ୍କୁ ଅଳସୁଆ କରିଦେଇଛି। ସବୁ ବିଷୟରେ ତଥ୍ୟ ତୁରନ୍ତ ଇଣ୍ଟରନେଟ‍୍‌ରେ ଉପଲବ‍୍‌ଧ ହୋଇପାରୁଛି। ଆମମାନଙ୍କ ମଧ୍ୟରେ ପଠନ ପ୍ରବୃତ୍ତି କମି ଯାଉଛି। ସମାଜ ଉପରେ ଏହାର ଗଭୀର ପ୍ରଭାବ ପଡ଼ୁଛି। ବୋଲି ଶ୍ରୀ ବରୁଆ କହିଥିଲେ।

 

ପୃଥିବୀରେ ଯେତେସବୁ ଭଲ କବିତା ରହିଛି ସେ ସବୁ ଯନ୍ତ୍ରଣା ଓ କଷ୍ଟ ଅନୁଭୂତି ଓ ପରିବେଶରୁ ସୃଷ୍ଟ। ଜଣଙ୍କୁ ଯନ୍ତ୍ରଣା ଓ କଷ୍ଟଦାୟକ ଅନୁଭୂତି କବିତା ଲେଖିବା ପାଇଁ ପ୍ରେରଣା ଯୋଗାଇଥାଏ ବୋଲି ସେ କହିଥିଲେ। ଏବେ ସମାଜରେ ସବୁକ୍ଷେତ୍ରରେ ଅସହିଷ୍ଣୁତା ଓ ସାଂପ୍ରଦାୟିକ ବିଦ୍ୱେଷ ବୃଦ୍ଧି ପାଇଛି। ସାଂପ୍ରଦାୟିକତା ହେଉଛି ଆଧ୍ୟାତ୍ମିିକତାର ବିପରୀତ। ଯଦି ଆମେ ଭଗବାନଙ୍କୁ ବିଶ୍ୱାସ କରୁଛେ, ତେବେ ସବୁକିଛି ଓ ସମସ୍ତଙ୍କୁ ଭଗବାନ ସୃଷ୍ଟି କରିଛନ୍ତି ବୋଲି ଭାବିବାକୁ ହେବ। ଧାର୍ମିକ ଅସହିଷ୍ଣୁତା ଧର୍ମ ଓ ଆଧ୍ୟାତ୍ମିକତାଠାରୁ ସଂପୂର୍ଣ୍ଣ ଅଲଗା ବୋଲି ସେ କହିଥିଲେ। ସମାଜରୁ ସବୁ କ୍ଷେତ୍ରରେ ଅସହିଷ୍ଣୁତା ଦୂର ହେବା ଆବଶ୍ୟକ ବୋଲି ଶ୍ରୀ ସଚ୍ଚିଦାନନ୍ଦନ‌ କହିଥିଲେ।

 

‘କାଦମ୍ୱିନୀ ସାରସ୍ୱତ ସମ୍ମାନ’ ଗ୍ରହଣ କରି ବିଖ୍ୟାତ ସାହିତ୍ୟିକ ମନୋଜ ଦାସ କହିଥିଲେ, ମୋତେ ଯେତେ ପୁରସ୍କାର ଦିଆଯାଏ, ସେଥିରେ ନିର୍ମଳ ସଦ୍ଦିଚ୍ଛା ରହିଥାଏ। କାଦମ୍ୱିନୀ ଶବ୍ଦ ପ୍ରତି ତାଙ୍କର ଗୋଟିଏ ଦୁର୍ବଳତା ରହିଛି ବୋଲି ଶ୍ରୀ ଦାସ କହିଥିଲେ। ସେ କହିଲେ, ମୋ ମାଆଙ୍କର ନାମ କାଦମ୍ୱିନୀ। ତେଣୁ କାଦମ୍ୱିନୀ ପତ୍ରିକା ନାଁ ଶୁଣିଲେ ମୋ ମାଆଙ୍କ କଥା ମନେପଡ଼ିଥାଏ। ସମାଜରେ ଆମେ ସମସ୍ତେ ଏକ ସାମଗ୍ରିକ ଜୀବନ ଅତିବାହିତ କରୁଛନ୍ତି। ସମସ୍ତେ ଯଦି ଭଲ କରିବେ ତେବେ ସମସ୍ତଙ୍କର ମଙ୍ଗଳ ହେବ ବୋଲି କହିଥିଲେ।

 

ଇସ୍ତାହାରର ସଂପାଦକ ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କୁ କାଦମ୍ୱିନୀ ସଂପାଦକ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ କଥାଶିଳ୍ପୀ ତଥା ଚଳଚ୍ଚିତ୍ର ଆଲୋଚକ ରଣଧୀର ଦାସ, ଇଂରାଜୀ ଭାଷାର ସୁଲେଖିକା ଚନ୍ଦ୍ରମଣି ନାରାୟଣ ସ୍ୱାମୀ, ସୁଲେଖକ ଓ ସଂପାଦକ ଡ. ବାସୁଦେବ ଦାସ ଓ ସୁଲେଖିକା ଓ ସମାଜସେବୀ ବୈଦେହୀ ପଣ୍ଡାଙ୍କୁ କାଦମ୍ୱିନୀ ସାରସ୍ୱତ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା।

 

ଦ୍ୱିତୀୟ ଅଧିବେଶନରେ ହାସ୍ୟବ୍ୟଙ୍ଗ କବିତା ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ କବି ହର ପ୍ରସାଦ ଦାସ ଅଧ୍ୟକ୍ଷତା କରିଥିବା ବେଳେ ବହୁ ପ୍ରତିଷ୍ଠିତ ବ୍ୟଙ୍ଗ କବି ସେମାନଙ୍କ ସ୍ୱରଚିତ କବିତା ପାଠ କରିଥିଲେ। ତୃତୀୟ ଅଧିବେଶନରେ କୁନାକୁନି ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳର କୁନାକୁନିମାନେ ଯୋଗଦେଇ ପ୍ରତିଯୋଗିତାମୂଳକ ନୃତ୍ୟ ଓ ସଂଗୀତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

 

ଏହି ଅବସରରେ ପତ୍ରିକା ହାଟକୁ ଶ୍ରୀ ବରୁଆ ଉଦ‍୍‌ଘାଟନ କରିଥିଲେ। ଏଥିରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରକାଶିତ ପତ୍ରପତ୍ରିକାକୁ ନେଇ ୪୦୦ରୁ ଊର୍ଦ୍ଧ୍ୱ ଷ୍ଟଲ‍୍‌ ଖୋଲାଯାଇଥିବା ବେଳେ କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ସାହିତ୍ୟପ୍ରେମୀଙ୍କ ସମାଗମ ହୋଇଥିଲା। ଜାତୀୟ ଲେଖକ ସମ୍ମିଳନୀରେ ବିଶିଷ୍ଟ କଥାକାର ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ସଭାପତିତ୍ୱ କରି ସବୁ କ୍ଷେତ୍ରରେ ରାଜନୀତିକରଣ ଦେଇ କ୍ଷୋଭ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ କାଦମ୍ୱିନୀ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇଥିବା ବେଳେ କାଦମ୍ୱିନୀ ସଂପାଦିକା ଡ. ଇତି ସାମନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top