ଭଲ ସିନେମା ଚଳିଲାନି!

News Story - Posted on 2017-01-09

 

ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେଶିଳ୍ପର ଯେଉଁ ବିକାଶର ଧାରା ଜାରିଥିଲା ୨୦୧୬ରେ ସେଥିରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହୋଇନଥିଲା। ୨୦୧୬ରେ ମୋଟ ୩୨ଟି ଓଡ଼ିଆ ଛବି ପରଦାକୁ ଆସିଥିଲା।। ଏ ବର୍ଷ ନାୟକ ବାବୁସାନଙ୍କର ସର୍ବାଧିକ ୬ଟି ସିନେମା ରିଲିଜ‌୍‍ ହୋଇଥିଲା। ବିଗତ ବର୍ଷରେ ଅନୁଭବଙ୍କର ମାତ୍ର ୩ଟି ଓ ସିଦ୍ଧାନ୍ତଙ୍କର କେବଳ ଗୋଟିଏ ଓଡ଼ିଆ ଛବି ଦେଖିବାକୁ ମିଳିଥିଲା।

 

ମୌଳିକ ସିନେମା ସଫଳତାଠୁଁ ଦୂରରେ

୨୦୧୬ର ସବୁଠୁଁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ବର୍ଷ କେତୋଟି ନିଛକ ଓଡ଼ିଆ ମୌଳିକ କାହାଣୀ ଆଧାରିତ ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ଏଗୁଡ଼ିକ ମଧ୍ୟରେ ରହିଛି କ୍ରାନ୍ତିଧାରା, ମୁଁ ଗାନ୍ଧି ନୁହେଁ, ମୀମାଂସା, ଚିନି ଏବଂ ଭାଇନା କ’ଣ କଲା ସେ। ଇତିସାମନ୍ତଙ୍କ କାହାଣୀ ଉପରେ ପର୍ଯ୍ୟବସିତ ‘କ୍ରାନ୍ତିଧାରା’ରେ ଜଣେ ଗ୍ରାମୀଣ ମହିଳାର ସଂଘର୍ଷର କଥା ପ୍ରଦର୍ଶୀତ ହୋଇଥିଲା। ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ଚକ୍ରଧର ସାହୁଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ ‘ମୀମାଂସା’ ବିଶିଷ୍ଟ ଗାଳ୍ପିକ ଡ. ପ୍ରଦୀପ ଦାଶଙ୍କ ଏକ କ୍ଷୁଦ୍ରଗଳ୍ପକୁ ନେଇ ନିର୍ମିତ ହୋଇଥିଲା। ଏଥିରେ ଏକ ଓଡ଼ିଆ ମତ୍ସ୍ୟଜୀବୀ ପରିବାରର ବାସ୍ତବ ଜୀବନକାହାଣୀ ଦର୍ଶକଙ୍କ ସାମ୍ନାକୁ ଆସିଥିଲା। ପ୍ରଦୀପ ଭୋଳଙ୍କ ରଚିତ ଏକ ସମ୍ୱଲପୁରୀ ନାଟକ ଉପରେ ଆଧାରିତ ‘ଚିନି’ରେ ଦେଖିବାକୁ ମିଳିଥିଲା ପଶ୍ଚିମ ଓଡ଼ିଶାର ଏକ ଦରିଦ୍ର ପରିବାରର ନିଚ୍ଛକ କଥା। ଏହା ଉଭୟ ଓଡ଼ିଆ ଓ କୋଶଳୀ ଭାଷାରେ ନିର୍ମିତ ହୋଇଥିଲା।

 

ଅପରପକ୍ଷରେ ନିର୍ଦ୍ଦେଶକ ସୂରଜ ମିଶ୍ର ବେଶ‌୍‍ କିଛି ବର୍ଷର ବ୍ୟବଧାନରେ ଏକ ବ୍ୟବସାୟିକଧର୍ମୀ ମାତ୍ର ନିଜର ମୌଳିକ କାହାଣୀକୁ ନେଇ ଦର୍ଶକଙ୍କୁ ଭେଟି ଦେଇଥିଲେ ‘ମୁଁ ଗାନ୍ଧି ନୁହେଁ’। ଠିକ‌୍‍ ସେହିପରି ନିର୍ଦ୍ଦେଶକ ସଞ୍ଜୟ ନାୟକ କମେଡ଼ିଆନ‌୍‍ ପପୁ ପମ୍ପମ‌୍‍ ଓ ଚିଟ‌୍‍ଫଣ୍ଡ ପ୍ରସଙ୍ଗକୁ ନେଇ ଏକ ମୌଳିକ ସିନେମା ‘କଣ କଲା ସେ’ ପରଦାକୁ ଆଣିଥିଲେ। ଏଥିମଧ୍ୟରୁ କେବଳ ‘କଣ କଲା ସେ’କୁ ଆଂଶିକ ସଫଳତା ମିଳିଥିଲା। କିନ୍ତୁ ଅନ୍ୟ ସବୁ ମୌଳିକ ଛବି ବ୍ୟବସାୟିକ ବିଫଳତାର ଶିକାର ହୋଇଥିଲା। ଆଗାମୀ ଦିନରେ ଅଧିକ ସଂଖ୍ୟକ ମୌଳିକ ସିନେମା ନିର୍ମିତ ହେବ ବୋଲି ଆଶା କରାଯାଇପାରେ।

 

୨୦୧୬ରେ ପୂର୍ବବର୍ଷ ଭଳି ରିମେକ‌୍‍ ବା କପି ସିନେମାର ବୋଲବାଲା ଥିଲା। ତେବେ ଏ ବର୍ଷର ବଡ଼ ହିଟ‌୍‍ ଫିଲ୍ମ ହେଲା ‘ଲଭଷ୍ଟେସନ‌୍‍’। ଅପରପକ୍ଷରେ ଅନ୍ୟାନ୍ୟ ଅଧିକାଂଶ ଓଡ଼ିଆ ଫିଲ୍ମକୁ ଆଶାନୁରୂପକ ବ୍ୟବସାୟିକ ସଫଳତା ମିଳିନାହିଁ।

 

୨୦୧୬ର କେତେକ ଅଭାବନୀୟ ଘଟଣା ମଧ୍ୟ ବେଶ‌୍‍ ଚର୍ଚ୍ଚାକୁ ଆସିଥିଲା। ସବୁଠୁଁ ବଡ଼ ଘଟଣା ଥିଲା ନାବାଳିକା କାଷ୍ଟିଂକାଉଚ‌୍‍ ପ୍ରସଙ୍ଗରେ ପପୁ ପମ ପମ ଗିରଫ ହେବା ଓ ଜେଲ‌୍‍ରେ ରହିବା। ତା’ଛଡ଼ା ପ୍ରଯୋଜକ ନିହାର ସାମଲ, ବିନି ସାମଲ, ସୁବ୍ରତ ନାୟକ, ନିର୍ଦ୍ଦେଶକ ହିମାଂଶୁ ପରିଜା ଓ ତାପସ ସରଘରିଆ, ଇଭେଣ୍ଟମ୍ୟାନ‌୍‍ ବାପି ଜେନା ପ୍ରମୁଖଙ୍କ ନାଆଁରେ ଶର୍ମିଷ୍ଠା ନାମ୍ନୀ ଜଣେ କଳାକାର କାଷ୍ଟିଂକାଉଚ‌୍‍ ଅଭିଯୋଗ କରିବାକୁ ନେଇ ଓଲିଉଡ‌୍‍ରେ ହଇଚଇ ସୃଷ୍ଟି ହୋଇଥିଲା। ଫ୍ଲାଟ‌୍‍ ଦେବା ନାଁରେ ଗ୍ରାହକଙ୍କୁ ଠକୁଥିବା ଅଭିଯୋଗରେ ନିର୍ମାତା ନିରଞ୍ଜନ ରଣା ଗିରଫ ହୋଇ ଜେଲ‌୍‍ ଯିବା ମଧ୍ୟ କିଛି କମ‌୍‍ ଆଲୋଡ଼ନ ସୃଷ୍ଟି କରିନଥିଲା। ଅନ୍ୟପକ୍ଷରେ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଘର ସଭାପତି କୁଶ ପଟ୍ଟନାୟକ, ଅଭିନେତା-ପ୍ରଯୋଜକ-ନିର୍ଦ୍ଦେଶକ ଗୋବିନ୍ଦ ତେଜ‌୍‍, ଅଭିନେତ୍ରୀ ମଣିମାଳା ଦେବୀ ଓ ଗାୟିକା ଭୁବନେଶ୍ୱରୀ ମିଶ୍ରଙ୍କ ପରି ଲୋକପ୍ରିୟ ସିନେ ବ୍ୟକ୍ତିତ୍ୱଙ୍କର ପରଲୋକ ଘଟିଥିଲା।

 

ଲୋକପ୍ରିୟ ନାୟକ ଅରିନ୍ଦମ‌୍‍ଙ୍କ ବାହାଘର ମଧ୍ୟ ବେଶ‌୍‍ ଚର୍ଚ୍ଚିତ ହୋଇଥିଲା। ସେ ରାଜ୍ୟର ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଭଉଣୀ ଅନୁପାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଠିକ‌୍‍ ସେହିପରି ଥ୍ରୀ ଡ଼ି ଓଡ଼ିଆ ଛବି ‘କାଉଁରୀ କନ୍ୟା’ର ନାୟିକା ପାୟଲ ଭୂୟାଁ ମଧ୍ୟ ଦୀପ‌୍‍ ଥଡ଼ନିଙ୍କୁ ବିବାହ କରିଥିଲେ। ମୋଟାମୋଟି ଭାବେ ଦେଖିବାକୁ ଗଲେ ୨୦୧୬ ଓଡ଼ିଆ ଚଳଚ୍ଚ‌୍‍ିତ୍ର ଜଗତ ପାଇଁ ଏକ ଘଟଣା ବହୁଳ ବର୍ଷ ଥିଲା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ।

 

୨୦୧୬ର ମୁକ୍ତିପ୍ରାପ୍ତ ସିନେମା

 

୧- ଯେଉଁଠି ତୁ ସେଇଠି ମୁଁ, ୨- ତୁ ଯେ ସେଇ, ୩- ତୁ କହିବୁ ନା ମୁଁ, ୪- ଗୋଟେ ଶୁଆ ଗୋଟେ ଶାରୀ, ୫- କ୍ରାନ୍ତିଧାରା, ୬- ସମୟ ବଡ଼ ବଳବାନ, ୭- ହେଲା ମତେ ପ୍ରେମ ଜର, ୮- ଚୁପ‌୍‍ ଚୁପ‌୍‍ ଚୋରି ଚୋରି, ୯- ଜବରଦସ୍ତ ପ୍ରେମିକ, ୧୦- ଟାଇଗର‌୍‍, ୧୧- ତୁ ମୋ ସପନର ରାଣୀ, ୧୨- ଅଗସ୍ତ୍ୟ, ୧୩- ପ୍ରେମରେ ପ୍ରେମରେ, ୧୪- ଲଭ‌୍‍ଷ୍ଟେସନ‌୍‍, ୧୫- ଝିଅଟା ବିଗିଡ଼ିଗଲା, ୧୬- ରିଭେଞ୍ଜ, ୧୭- ମୀମାଂସା, ୧୮- ସୁଇଟ‌୍‍ ହାର୍ଟ, ୧୯- ସାତ ଜନମର ସାଥୀ, ୨୦- ଚିନି, ୨୧- ଭାଇନା କ’ଣ କଲା ସେ, ୨୨- ବାଏ ବାଏ ଦୁବାଇ, ୨୩-ଛାତି ତଳେ ଡିଂଡଂ, ୨୪- ବେବି, ୨୫- ଲଭ‌୍‍ ପାଇଁ କୁଚ୍ଛ‌୍‍ଭି କରେଗା, ୨୬- ତୋର ଦିନେକୁ ମୋର ଦିନେ, ୨୭- ଦେଲେ ଧରା କଥା ସରେ, ୨୮- ହେ ପ୍ରଭୁ ଦେଖା ଦେ, ୨୯-ଗୁଣ୍ଡା, ୩୦- ମୁଁ ଗାନ୍ଧୀ ନୁହେଁ, ୩୧- ଆସିଲୁ ଯେବେ ତୁ ଯାଆନା ଫେରି, ୩୨- ପ୍ରେମର ନିଶା ନିଆରା, ନିଆରା।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top