ମାନ୍ଦାବସ୍ଥା ସତ୍ତ୍ବେ ନାଲ୍‌କୋର ଉତ୍ପାଦନ ବୃଦ୍ଧି

News Story - Posted on 2017-01-09

 

ଅନ୍ତର୍ଜାତୀୟ ବଜାରରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଉଭୟ ଉତ୍ପାଦନ ଓ ଲାଭାର୍ଜନ କ୍ଷେତ୍ରରେ ନାଲ‌୍‍କୋର ନିରବଚ୍ଛିନ୍ନ ସଫଳ ପ୍ରଦର୍ଶନ ବାସ୍ତବରେ ପ୍ରଶଂସନୀୟ ବୋଲି କେନ୍ଦ୍ର ଖଣି ସଚିବ ବଲବିନ୍ଦର କୁମାର କହିଛନ୍ତି। ନାଲ‌୍‍କୋର ୩୭ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ କୁମାର ଏହା କହିଥିଲେ। ରାଜ୍ୟର କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ପାଇଁ ନାଲ‌୍‍କୋର ଉଦ୍ୟମ ଓ ପଦକ୍ଷେପଗୁଡ଼ିକୁ ମଧ୍ୟ ସେ ପ୍ରଶଂସା କରିଥିଲେ।

 

ଏହି ଅବସରରେ ସ୍ୱାଗତ ଭାଷଣ ପ୍ରଦାନ କରି ନାଲ‌୍‍କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦ କହିଥିଲେ ଯେ ଓଡ଼ିଶାର ବିକାଶ ତଥା ଜାତୀୟ ପ୍ରଗତି ଦିଗରେ ନାଲ‌୍‍କୋ ପ୍ରତିବଦ୍ଧ। ଗତ ୩ ଦଶନ୍ଧି ଧରି ନାଲ‌୍‍କୋର ସଫଳତାର ଯାତ୍ରା ବିଷୟରେ ଅବତାରଣା କରି ସେ କହିଥିଲେ ଯେ ୨୦୧୬ ମସିହାରେ କମ୍ପାନୀ ବକ୍ସାଇଟ‌୍‍ ଖନନରେ ୧୮ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି ଏବଂ ନିକଟ ଭବିଷ୍ୟତରେ କମ୍ପାନୀ ଏହାର ବକ୍ସାଇଟ‌୍‍ ଉତ୍ପାଦନ କ୍ଷମତା ୬୮.୨୫ରୁ ୭୩.୨୫କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ଷ୍ଟକ‌୍‍ ବଜାରରେ ମଧ୍ୟ ନାଲ‌୍‍କୋ ଏହାର ସଫଳ ପ୍ରଦର୍ଶନ ଜାରି ରଖିଛି ବୋଲି ସେ କହିଥିଲେ। ଏହା ଛଡ଼ା, କମ୍ପାନୀ ଓଡ଼ିଶା ଏବଂ ଏହାର ଜନସାଧାରଣଙ୍କ ବିକାଶ ପାଇଁ ଏହାର ଉଦ୍ୟମ ଅବ୍ୟାହତ ରଖିବ ବୋଲି ଡଃ ଚାନ୍ଦ କହିଥିଲେ।

 

ପ୍ରତିଷ୍ଠା ଦିବସ ଅବସରରେ ନାଲ‌୍‍କୋ ପକ୍ଷରୁ ଅନେକ ପୁରସ୍କାର ପ୍ରଦାନ କରି ରାଜ୍ୟ କୃତବିଦ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା। ଭିନ୍ନକ୍ଷମଙ୍କ ଥଇଥାନ ପାଇଁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଇନ‌୍‍ଷ୍ଟିଚ୍ୟୁଟ‌୍‍ ଫର‌୍‍ ହେଲଁିଂ ଦି ଡିଜେବଲ‌୍‍ଡର ସମ୍ପାଦକ ଭାଗିରଥୀ ପଣ୍ଡାଙ୍କୁ ନାଲ‌୍‍କୋ ସ୍ମାଇଲ୍ସ ପୁରସ୍କାର ପ୍ରଦାନ କରାଯାଇଥିଲା। ଓଡ଼ିଶୀ ଗୁରୁ ବର୍ଗରେ ନାଲ‌୍‍କୋ ଖାରବେଳ ପୁରସ୍କାର ପ୍ରଫେସର‌୍‍ ନବକିଶୋର ମିଶ୍ରଙ୍କୁ ଦିଆଯାଇଥିବା ବେଳେ ନୃତ୍ୟଶିଳ୍ପୀ ବର୍ଗରେ କ୍ଷଣପ୍ରଭା ପରିଡା, ସୁହାଗ ନଳିନୀ ଦାସ ଏବଂ ନିତ୍ୟାନନ୍ଦ ଦାସଙ୍କୁ ପୁରସ୍କୃତ କରାଯାଇଥିଲା। ନାଲ୍‌କୋ କାଳିଦାସ ପୁରସ୍କାର ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର‌୍‍ (ଡଃ) ରାଧାମାଧବ ଦାସଙ୍କୁ ପ୍ରଦାନ କରାଯାଇଥିଲା।

 

ଡଃ ରମାକାନ୍ତ ରଥ, ଆଇ.ଏ.ଏସ‌୍‍., ଡଃ ପ୍ରତିଭା ଶତପଥୀ ଏବଂ ଶ୍ରୀମତୀ ବୀଣାପାଣି ମହାନ୍ତିଙ୍କୁ ନାଲ‌୍‍କୋ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା। ମିଲ୍କ ମନ୍ତ୍ରାର ପରିଚାଳନା ନିର୍ଦ୍ଦେଶକ ତଥା ସି.ଇ.ଓ. ଶ୍ରୀକୁମାର ମିଶ୍ରଙ୍କୁ ନାଲ‌୍‍କୋ ଷ୍ଟାର୍ଟ‌୍‍-ଅପ‌୍‍ ପୁରସ୍କାର ଦିଆଯାଇଥିଲା। ବି.କେ. କଲେଜ‌୍‍ ଅଫ‌୍‍ ଆର୍ଟ‌୍‍ସ ଏବଂ ଭାସ୍କର୍ଯ୍ୟ ଶିଳ୍ପୀ  ସୁଦର୍ଶନ ସାହୁଙ୍କୁ ନାଲ‌୍‍କୋ ଫାଇନ‌୍‍ ଆର୍ଟ‌୍‍ସ ପୁରସ୍କାର ପ୍ରଦାନ କରାଯାଇଥିଲା। ଚେସ‌୍‍ ଖେଳାଳି ଦେବାଶୀଷ ଦାସ, ଦୌଡାଳି ଅମୀୟ ମଲ୍ଲିକ ଏବଂ ସ୍କୁବା ଡାଇଭର‌୍‍ ସବୀର ବକ୍ସଙ୍କୁ ନାଲ‌୍‍କୋ କ୍ରୀଡ଼ା ସମ୍ମାନ ପ୍ରଦାନ କରାଯାଇଥିଲା।  ଏହି ଅବସରରେ, କ୍ୟାସ‌୍‍ଲେସ‌୍‍ ଟ୍ରାଞ୍ଜାକ୍ସନ‌୍‍କୁ ଲୋକପ୍ରିୟ କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଏସ‌୍‍ବିଆଇର ସିଜିଏମ‌୍‍ ବି.ଭି.ଜି. ରେଡ୍ଡୀ, ଡିଜିଏମ‌୍‍ ଜି.ଏସ‌୍‍. ବେହେରା ଏବଂ ଚିଫ‌୍‍ ମ୍ୟାନେଜର‌୍‍ ଶ୍ରୀମତୀ ସ୍ମିତା ରଥଙ୍କୁ ନାଲ‌୍‍କୋ ଡିଜିଟାଲ‌୍‍ ଡ୍ରାଇଭ‌୍‍ ପୁରସ୍କାର ପ୍ରଦାନ କରାଯାଇଥିଲା।

 

ଏହି ଅବସରରେ, ବିଭିନ୍ନ ଗବେଷଣା ଓ ବିକାଶ ତଥା ଦକ୍ଷତା ବିକାଶ ନିମନ୍ତେ ଇଣ୍ଡଷ୍ଟ୍ରୀ-ଇନ‌୍‍ଷ୍ଟିଚ୍ୟୁସନ‌୍‍ ସିନର୍ଜୀ କାର୍ଯ୍ୟକ୍ରମ ଅଧିନରେ ନାଲ‌୍‍କୋ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ନାଲ‌୍‍କୋ ପକ୍ଷରୁ ନିର୍ଦ୍ଦେଶକ (ମାନବସମ୍ୱଳ) ବି.କେ. ଠାକୁର ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ଡଃ ଅଶୋକ କୁମାର ଦାସ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। 

 

ନାଲ‌୍‍କୋର ଏକ ଡାକଟିକଟ ମଧ୍ୟ ଏହି ଅବସରରେ ଉନ୍ମୋଚିତ ହୋଇଥିଲା। ଆହୁରି ମଧ୍ୟ ନାଲ‌୍‍କୋ ମହିଳା ସମିତିର ତ୍ରୟମାସିକ ପତ୍ରିକା ସଙ୍ଗିନୀର ପ୍ରଥମ ସଂସ୍କରଣ ଏହି ଅବସରରେ, ଶ୍ରୀ ବଲବିନ୍ଦର କୁମାର, ଡଃ ଚାନ୍ଦ ଏବଂ ନାଲ‌୍‍କୋ ମହିଳା ସମିତିର ଅଧ୍ୟକ୍ଷା ଶ୍ରୀମତୀ ପ୍ରୀତି ରାୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ନାଲ‌୍‍କୋର ନିର୍ଦ୍ଦେଶକ (ମାନବସମ୍ୱଳ) ବି.କେ. ଠାକୁର ଧନ୍ୟବାଦ ଜ୍ଞାପନ କରିଥିଲେ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top