ନାଁ ପକେଇଲେ ଓଡ଼ିଆ ଉଦ୍ୟୋଗୀ

News Story - Posted on 2017-01-08

 

ବେଆଇନ ଅର୍ଥ କାରବାର ଅଭିଯୋଗରେ ବେଙ୍ଗାଲୁରୁରେ ଥିବା ଏକ ସୂଚନା ପ୍ରଯୁକ୍ତି କମ୍ପାନୀର ଅନ୍ୟୁନ ୬.୫ କୋଟି ଟଙ୍କାର ସଂପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହି କମ୍ପାନୀର ଜଣେ ନିର୍ଦ୍ଦେଶକ ହେଲେ ଜଣେ ଓଡ଼ିଆ। ତାଙ୍କ ନାଁ ନିହାର ସାମନ୍ତରାୟ। ସେ ଓଡ଼ିଶାର ବିଭିନ୍ନ ଦଳର ବହୁ ପ୍ରତିଷ୍ଠିତ ରାଜନେତାଙ୍କ ସହିତ ଜଡ଼ିତ ଥିବା ତାଙ୍କ ଫଟୋ ଆଲବମରୁ ଜଣାପଡ଼ିଛି।

 

ବେଙ୍ଗାଲୁରୁରେ ଥିବା ଇଗନିସ ଟେକ୍ନୋଲୋଜି ସଲ୍ୟୁସନ ପ୍ରାଇଭେଟ ଲିମିଟେଡ଼ ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ ବା ୟୁବିବିଆଇରୁ ୩୦ କୋଟି ଟଙ୍କା ଋଣ କରି ପରିଶୋଧ କରିନାହିଁ। ଏହି ଟଙ୍କାକୁ କମ୍ପାନୀ କର୍ତ୍ତୃପକ୍ଷ ଅନ୍ୟ ଆଡେ଼ ଖର୍ଚ୍ଚ କରି ଦେଇଛନ୍ତି। ଏହି ଋଣ ଆଦାୟ ମାମଲା ଇଡ଼ିରେ ଦାଖଲ ହେବା ପରେ ଇଡି ଅଫିସରମାନେ କମ୍ପାନୀର ବିଭିନ୍ନ ଅଫିସ ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ କମ୍ପାନୀର କେତେକ ସଂପତ୍ତି ବିଷୟରେ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ କମ୍ପାନୀର ବେଙ୍ଗାଲୁରୁରେ ଥିବା ୮.୩୭ ଏକର ଚାଷଜମି, ଏକ ଆବାସିକ କୋଠା, ଦୁଇଟି ଆବାସିକ ଆପାର୍ଟମେଣ୍ଟ, ଗୋଟିଏ ଆବାସିକ ପରିସରକୁ ଜବତ କରାଯାଇଛି। ଏହା ବ୍ୟତିତ ଓଡ଼ିଶା ସରକାରଙ୍କ ଅଧୀନସ୍ତ ଇଡ଼କୋ ମଧ୍ୟ ଏହି ସଂସ୍ଥାକୁ ଦେଇଥିବା ଏକ ଶିଳ୍ପାଞ୍ଚଳ ପ୍ଲଟକୁ ଜବତ କରାଯାଇଛି। ଏସବୁ ସଂପତ୍ତିର ମୂଲ୍ୟ ୬.୫ କୋଟି ଟଙ୍କା ହେବ।

 

ଇଗନିସ ଟେକ୍ନୋଲୋଜି ଜାଲ କାଗଜପତ୍ର ଦାଖଲ କରି ୟୁବିଆଇରୁ ୩୦ କୋଟି ଟଙ୍କା ଋଣ ନେଇଥିଲେ। ଏହି ଟଙ୍କାକୁ ଅନ୍ୟ ବାଟରେ ଖର୍ଚ୍ଚ କରାଯାଇ ଋଣ ପରିଶୋଧ କରାଯାଇ ନଥିଲା। ଏହି ଅଭିଯୋଗ ନେଇ ସିବିଆଇ ତଦନ୍ତ ଚଳାଇଛି। ସିବିଆଇର ଅନୁରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ କମ୍ପାନୀ ଓ କମ୍ପାନୀର ନିର୍ଦ୍ଦେଶକ ନିହାର ରଂଜନ ସାମନ୍ତରାୟଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ନିରୋଧୀ ଆଇନ ବା ପିଏମଏଲଏର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି।

 

ଏସଂପର୍କରେ ନିହାର ସାମନ୍ତରାୟ ଗଣମାଧ୍ୟମକୁ କହିଛନ୍ତି ଯେ କମ୍ପାନୀରେ ତାଙ୍କର ଜଣେ ପାର୍ଟନର ଥିଲେ। ସେହି ପାର୍ଟନର କମ୍ପାନୀ ନାମରେ ବ୍ୟାଙ୍କରୁ ୩୦ କୋଟି ଟଙ୍କା ଋଣ କରି ଫେରାର ହୋଇଯାଇଛନ୍ତି। ତାଙ୍କର ଏବେ କିଛି ଖୋଜଖବର ନାହିଁ। ମାମଲା ହେବା ପରେ ସେ କମ୍ପାନୀର ଜଣେ ନିର୍ଦ୍ଦେଶକ ହୋଇଥିବାରୁ ଇଡି ଏପରି ପଦକ୍ଷେପ ନେଇଛି।

 

ସୂଚନାଯୋଗ୍ୟ ଯେ ନିହାର ରଂଜନ ସାମନ୍ତରାୟ ଓଡ଼ିଶାର ବହୁ ପ୍ରତିଷ୍ଠିତ ରାଜନେତାଙ୍କ ସହିତ ଘନିଷ୍ଟ ଭାବେ ଜଡ଼ିତ। ବିଜୁ ଜନତା ଦଳ, ବିଜେପି ଓ କଂଗ୍ରେସର ଅନେକ ନେତାଙ୍କ ସହିତ ଘନିଷ୍ଟତା ଥିବା ଏହି ବ୍ୟକ୍ତିଙ୍କ ସହିତ ଚେନ୍ନାଇର ଜଣେ ବିଲ୍ଡର ବ୍ୟବସାୟୀ ମଧ୍ୟ ଜଡ଼ିତ ଥିବା ଜଣାପଡ଼ିଛି। ଏହି ବ୍ୟବସାୟୀ ମଧ୍ୟ ବିଜୁ ଜନତା ଦଳର କେତେକ ନେତାଙ୍କ ସହିତ ଜଡ଼ିତ ଥିବା ଜଣାପଡ଼ିଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top