ଶାମ୍ବ ଦଶମୀର ସୂର୍ଯ୍ୟପୂଜା

News Story - Posted on 2017-01-08

ଭାରତ ମିଶ୍ର

 

ଶାମ୍ବ ଦଶମୀ ଓଡିଶାର ଅନେକ ପର୍ବ ପର୍ବାଣୀରୁ ଏକ ପର୍ବ। ପୁରାଣ କଥା ଅନୁସାରେ, ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ଅର୍କ କ୍ଷେତ୍ରରେ ସୂର୍ଯ୍ୟ ଉପାସନା କରି ଆରୋଗ୍ୟ ଲାଭ କରିଥିଲେ। ବହୁ ବର୍ଷପରେ ସେଇ ଜାଗାଟିରେ ସୂର୍ଯ୍ୟ ମନ୍ଦିର ଗଢା ହୋଇଥିଲା।

 

ବିଶେଷତଃ ଉପକୁଳ ଓଡିଶାର ପୁରପଲ୍ଲିରେ ଏଇ ପର୍ବଟି ବହୁଳ ଭାବେ ପ୍ରଚଳିତ। ମୁଁ ପିଲା ଦିନେ ଗାଁରେ ଦେଖିଛି, ଏଥି ପାଇଁ ପ୍ରାୟ ପନ୍ଦର ଦିନ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଯାଏ। ନଡିଆ ଭାଙ୍ଗି ତା’ର ଶସକୁ କୋରାଯାଏ। ନଡିଆର କତା ଦଉଡିରେ ନିର୍ମିତ ଏକ ଛଣା ଯନ୍ତ୍ରରେ ନଡିଆ ଶସକୁ ପକେଇ ଦୁଇ ଜଣ ଲୋକ ଦୁଇ ପଟରୁ ଧରି ଖୁବ୍ ଜୋର୍‌ରେ କସି ଦେଲେ ତା’ ଭିତରୁ ନଡିଆ ଦୋରୁଅ(ରସ) ବାହାରି ଆସେ। ସେଇ ରସକୁ ଏକ କରେଇରେ ରଖି ତାକୁ ଚୁଲୀରେ ଗରମ କରାଯାଏ।

 

ସେକାଳର ଜାଳେଣି ଥିଲା ନଡିଆ ବରଡା, ନଡିଆ ଗଛର ବାହୁଙ୍ଗା ବା ଫୋପା ଏବଂ ଗୋବର ଘଷି। କାଠ କେବଳ ବଡ଼ ବଡ଼ ଭୋଜି ଭାତରେ ଜଳା ହେଉଥିଲା। ସେ ଯା’ହେଉ ଆମେ ପିଲାମାନେ ନଡିଆ ରସରୁ ଘିଅ ବାହାରିବା ପର୍ଯ୍ୟନ୍ତ ଚାହିଁ ରହୁଥିଲୁ। ଘିଅ ତକ ଛାଣି ଏକ ଟିଣ ଡବା ବା ବୋତଲରେ ରଖା ଯାଇ ସାରିଲେ ଆମ କାମ ଆରମ୍ଭ ହେଉଥିଲା। ମୋ ବୁଢିମା’ ଓ ପିଉସୀ ଆମକୁ ଠାରି ଦେଉଥିଲେ। କରେଇ ଭିତରେ ରହିଯାଇଥିବା କୋରୁଅ ତକ ସଫା କରିବା ପାଇଁ ବେଶି ସମୟ ଲାଗୁନଥିଲା। କୋରୁଅ ଖାଇବା ପାଇଁ ଝଗଡ଼ା ବି ହେଉଥିଲା। ଯିଏ କୋରୁଅ ନଖାଇଛି ସିଏ ତା’ ମଜା ଜାଣି ପାରିବନି।

 

ଶାମ୍ବ ଦଶମୀ ଦୁଇ ତିନି ଦିନ ପୂର୍ବରୁ ବିରି ବତୁରେଇବା ଆଉ ବିରି ବଟା ଆରମ୍ଭ ହୁଏ। ଚାଉଳ ଚୁରାଯାଏ। ନଡିଆ ଘିଅରେ ଆରିସା ଓ କାକରା ପିଠା ଛଣା ହୁଏ। ଅଥାର ବସେଇ ମଣ୍ଡା ଛଣା ଯାଏ। ଘରେ ଛୋଟ ଶିଶୁ ଠାରୁ ଆରମ୍ଭ କରି ବୁଢ଼ାବୁଢ଼ୀଙ୍କ ପାଇଁ ଯଚା ହୋଇ ଥାଏ ଭଳିଭଳିକା ପିଠା। ମୋ ନନାଙ୍କ ପାଇଁ ବଜ୍ରବାଟୁଳି ତ କାହାପାଇଁ ଖଜା ତ ଆଉ କାହା ପାଇଁ ବିରିଲଡ଼ୁ। ମୋ ପାଇଁ ମୋ ବୁଢିମା’ ଯାଚିଥିଲା ଉଦୟପୁଳି। ଅଉ କେତୋଟି ପିଠା ହେଲା, ପୁଳି, ଅମାଲୁ, ମୁଆଁ, ଚକୁଳି, ପୋଡ଼ପିଠା, ମକର ଚାଉଳ, ଗଜା, ବୁନ୍ଦିଆ ଲଡ଼ୁ, ଆଉ ତା ସାଙ୍ଗକୁ ଖିରି। ସବୁତକ ପିଠା ଗୋଟେ ବଡ଼ ପିତଳ ଥାଳିରେ (ବିଧି ଅନୁସାରେ ବାଇଗଣ ପତ୍ରରେ ବଢା ହୁଏ) ବଢ଼ା ହୋଇ ସୂର୍ଯ୍ୟଙ୍କୁ ପୂଜା ଅର୍ଚ୍ଚନା କରାଯାଏ। ଘରମରା ନଡିଆ ଘିଅରେ ଛଣା ହେଉଥିବା ଏ ସବୁ ପିଠା ଅତି ସୁଆଦିଆ ଲାଗୁଥିଲା। ଆଜିକାଲି ତ ରିଫାଇନ୍ ତେଲରେ ଛଣା ହେଉଛି। ସେକାଳର ସୁଆଦ ନାହିଁ।

 

ଆମ ପିଲାମାନଙ୍କ ପାଇଁ ଏତେ ଝଞ୍ଜଟିଆ କାମ କିଏ ଅବା କରିବ କି ନକରିବ? ତେଣୁ ମୋ ବୋଉ ସେମାନଙ୍କ ପାଇଁ ପିଠାପଣା ନଯାଚି, ଯାଚି ଦେଇଥିଲା କମଳା, ଅଙ୍ଗୁର ଓ ରସଗୋଲା ଆଦି ସହଜରେ ବଜାରରୁ ମିଳୁଥିବା ଫଳ ତଥା ମିଠା। ଆମ ପିଲାମାନେ ବୋଧହୁଏ ଶାମ୍ବ ଦଶମୀ ପାଳନ କରିବେ କି ନାହିଁ ଜଣାନାହିଁ। ଯଦି ବା କରିବେ ଏତେ ନିକିମା ହେଇ ପିଠା ପଣା ନ କରି ପାରନ୍ତି। ଆଜିକାଲି ପିଜା ଯୁଗରେ ପିଠା କଥା କିଏ ପଚାରେ!

 

(ସଂପାଦକ ଯୋଡ଼ିଛନ୍ତି-ଶାମ୍ବ ଦଶମୀ ଦିନ ସୂର୍ଯ୍ୟୋଦୟ ପରେ ପରେ ଚଉରା ମୂଳେ ଯା’ର ଯାହା ବଢ଼ା ହୋଇଥାଏ-ପିଠା, ମିଠା, ଫଳ, କୋଳି, ପତ୍ର, ପାନ ଆଦିକୁ ସୂର୍ଯ୍ୟଙ୍କୁ ଉତ୍ସର୍ଗ କରାଯାଏ। ଠାକୁର ପୂଜା, ଚଉଁରା ପୂଜା ଓ ସୂର୍ଯ୍ୟ ପୂଜା ପରେ ପିଲାମାନେ ମୁଣ୍ଡଳା ଆକାରରେ ବସି ଭୋଗପିଠା ଓ ମିଠା ସେବନ କରିଥାନ୍ତି। ପୂଜା ପାଇଁ ଝୋଟି ପଡ଼େ। କେଉଁଠି କେଉଁଠି ବିଚିତ୍ର ଜିନିଷ ବି ବଢ଼ାଯାଏ। ଏଇ ଯେମିତି ଦାଣ୍ଡଧୂଳି ବାଟ ବରକୋଳି! ଜଣ ଜଣଙ୍କର ଦି’ଟା ଦରବ ବି ବଢ଼ା ହୋଇଥାଏ।

 

ଏ ଦିନେ ମଣ୍ଡା ପିଠା ବି ବଢ଼ା ଯାଏ। ଓଡ଼ିଶାର କେଉଁଠି କେଉଁଠି ଏକଥା ବି ଅଛି ଯେ ଏହି ଦିନ କାଳେ ଭୀମ ମଣ୍ଡାସୁରକୁ ବଧ କରିଥିଲେ। ମଣ୍ଡାସୁର ଗାଁ ଲୋକଙ୍କଠୁଁ ଚାନ୍ଦା କରି ମଣ୍ଡା ଖାଏ। ସେ ଏତେ ମଣ୍ଡା ଖାଏ ଯେ ଲୋକେ ଯୋଗେଇ ପାରନ୍ତି ନାହିଁ। ଚାନ୍ଦା କରି ତା’ ପାଖକୁ ମଣ୍ଡା ପଠାଯାଏ। ଯା’ର ଯୋଉ ଦିନ ପାଳି ସେ ନଦେଇ ପାରିଲେ ମଣ୍ଡାସୁର ତା’କୁ ଖାଇଯାଏ।

 

ଗାଁ ଲୋକଙ୍କ ଏ ଦୁର୍ଦ୍ଦଶା କଥା ଜାଣି ଭୀମ ଦିନେ ମଣ୍ଡା ଶଗଡ଼ ନେଇ ମଣ୍ଡାସୁର ପାଖକୁ ଗଲେ। ବାଟରେ ସେ ଗୋଟେ ଗୋଟେ କରି ଶଗଡ଼ଯାକ ମଣ୍ଡା ଉଦରସ୍ଥ କଲେ। ମଣ୍ଡାସୁର ଦେଖିଲା ଖାଲି ଶଗଡ଼। ସେ ଭୀମଙ୍କୁ ଖାଇବାକୁ ଧାଁଇଲା। ଭୀମ ତା’କୁ ଅନାୟାସରେ ବଧ କଲେ। )


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top