ପୁରାଣ ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା

News Story - Posted on 2017-01-06

ଅଜିତ କୁମାର ମଲ୍ଲିକ

 

ଅର୍କ କ୍ଷେତ୍ରର ପୁରାଣ ପ୍ରସିଦ୍ଧ ସୂର୍ଯ୍ୟ ରଥଯାତ୍ରା ପାଇଁ ଅନନ୍ତ ଅବଧୁତ ମଠ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଜାନୁଆରୀ ୮ ତାରିଖ ଶାମ୍ୱଦଶମୀ ତିଥିରେ ସୂର୍ଯ୍ୟଙ୍କର ଚଳନ୍ତି ପ୍ରତିମା ମିତ୍ରାଦିତ୍ୟ ସୂର୍ଯ୍ୟ ରଥରେ ରଥାରୂଢ ହୋଇ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରି ଫେବୃୟାରୀ ୩ ତାରିଖ ମାଘ ମାସର ଶୁକ୍ଳ ସପ୍ତମୀ ତିଥିରେ ପ୍ରତ୍ୟାବର୍ତ୍ତନ କରିବେ।

 

ପରମ୍ପରାନୁଯାୟୀ ମୈତ୍ରେୟ ଋଷିଙ୍କ ଆଶ୍ରମ ତଥା ଶାମ୍ୱଙ୍କ ସାଧନା ପୀଠ ଅନନ୍ତ ଅବଧୂତ ମଠରୁ ଶାମ୍ୱ ଦଶମୀ ତିଥିର ପ୍ରତ୍ୟୁଷରୁ ଚନ୍ଦ୍ରଭାଗା ଅଭିମୁଖେ ସୂର୍ଯ୍ୟରଥ ବାହାରି ସେହିଦିନ ଚନ୍ଦ୍ରଭାଗା ତୀର୍ଥ ନିକରେ ପହଞ୍ଚିବା ପରେ ତୀର୍ଥ ପୁଷ୍କରଣୀରେ ସ୍ନାନ କରିବେ। ସ୍ନାନାନ୍ତେ ସେଠାରେ ଥିବା ଛୋଟାରାମ ବାବାଙ୍କ ଆଶ୍ରମରେ ୨୭ ଦିନ ଧରି ୨୭ଟି  ନକ୍ଷତ୍ରରେ ସୂର୍ଯ୍ୟଙ୍କର ଚଳନ୍ତି ପ୍ରତିମା ମିତ୍ରାଦିତ୍ୟଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ମାଘସପ୍ତମୀ ପର୍ଯ୍ୟନ୍ତ ଜାରିରହିବ। ପବିତ୍ର  ମାଘସପ୍ତମୀ ମେଳା ଦିନ ସୂର୍ଯ୍ୟ ରଥ ଅବଧୂତ ମଠକୁ ବାହୁଡ଼ି ଆସିବେ।

 

ଶାମ୍ୱଦଶମୀ ତିଥୀରେ ପ୍ରାତଃ ସ୍ନାନକରି ମିତ୍ରାଦିତ୍ୟଙ୍କୁ ରଥରେ ଦର୍ଶନ କଲେ ରୋଗ, ଶୋକ ଓ ଭୟରୁ ମୁକ୍ତି ମିଳିବା ସହିତ ପୁନର୍ଜନ୍ମ ହୋଇ ନ ଥାଏ ବୋଲି  କପିଳ ସଂହିତାରେ ଉଲ୍ଲେଖ ଅଛି। ମୈତ୍ରେୟ ମୁନି ଭଗବାନ କୃଷ୍ଣଙ୍କର ଜଣେ ଶୁଭେଚ୍ଛୁ ଥିବା ଭାଗବତ କୁହେ। କୃଷ୍ଣ ନିଜର ପୁ‌୍‍ତ୍ର ଶାମ୍ୱଙ୍କୁ କୁଷ୍ଠରୋଗରୁ ମୁକ୍ତି କରିବା ପାଇଁ ମୈତ୍ରେୟଙ୍କ ଆଶ୍ରମକୁ ପଠାଇଥିଲେ। ଶାମ୍ୱ ସୂର୍ଯ୍ୟଙ୍କୁ ଆରାଧନା କରିବା ପାଇଁ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କରିବା ସମୟରେ ମିତ୍ରାଦିତ୍ୟଙ୍କର ଏକ ସୁନ୍ଦର ମୂର୍ତ୍ତି ପାଇଥିଲେ। ଏହି ମୂର୍ତ୍ତିକୁ ବିଶ୍ୱକର୍ମା ତିଆରି କରିଥିଲେ ଏବଂ ଏହାକୁ ଦେବତା, ଦାନବ ମନବମାନେ ମିତ୍ରତା ସୂତ୍ରରେ ଆବଦ୍ଧ ହୋଇ ପୂଜା କରୁଥିଲେ।

 

ଶାମ୍ୱ ଏହି ମୂର୍ତ୍ତିକୁ କୋଣାର୍କରେ ପୂଜା କରିବା ସହିତ ସୂର୍ଯ୍ୟ ରଥଯାତ୍ରାରର ପ୍ରଚଳନ କରିଥିଲେ। ସମୟାନୁକ୍ରମେ ଓଡ଼ିଶାର ରାଜା ପୁରନ୍ଦର କେଶରୀ ଓ ଲାଙ୍ଗୁଳା ନରସିଂହ ଦେବ ଏହି ପରମ୍ପରାକୁ ବଜାୟ ରଖିଥିଲେ। ପରବର୍ତ୍ତୀ ଅବସ୍ଥାରେ ସୂର୍ଯ୍ୟ ମନ୍ଦିର ଭାଙ୍ଗି ଯିବାରୁ ପୂଜାର୍ଚ୍ଚନା ବନ୍ଦହେବା ସହିତ ସୂର୍ଯ୍ୟ ରଥଯାତ୍ରା ମଧ୍ୟ ବନ୍ଦ ହୋଇଯାଇଥିବା ମାଦଳା ପାଞ୍ଜିରୁ ସୂଚନା ମିଳେ।

 

ଅନନ୍ତ ଅବଧୂତ ମଠର ଦିବଂଗତ ମହନ୍ତ ଅବଧୂତ ଆର୍ତ୍ତତ୍ରାଣ ଦାସ, ଅର୍କକ୍ଷେତ୍ରର ବିଶିଷ୍ଟ ଗବେଷକ  ଡ଼ଃ ଉପେନ୍ଦ୍ରନାଥ ଭୋଳ, ଅର୍କଶ୍ରୀ ସଂପାଦକ ଉମେଶ ସ୍ୱାଇଁ ପ୍ରମୁଖଙ୍କ ପ୍ରଚେଷ୍ଟାରେ ୧୯୯୮ ମସିହାରେ ଏହି ରଥଯାତ୍ରାର ପୁନଃ ପ୍ରଚଳନ ହୋଇଥିଲା। ଚଳିତ ବର୍ଷ ଅନନ୍ତ ଅବଧୂତ ମଠ ପକ୍ଷରୁ ସୂର୍ଯ୍ୟ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ଜାରି ରହିଛି। ଚଳିତ ମାସ ୭ ତାରିଖ ଅପରାହ୍ନ ୪.୩୦ରେ ନେତ୍ରୋତ୍ସବ ଓ ଭଜନ କୀର୍ତ୍ତନ ଅହରାତ୍ର ଅନୁଷ୍ଠିତ ହେବ। ୮ ତାରିଖ ସକାଳ ୬.୨୪ରେ ରଥାରୁଢ଼ ମିତ୍ରାଦିତ୍ୟ ଓ ଉଦୟକାଳୀନ ସୂର୍ଯ୍ୟଙ୍କୁ କାକରା ଭୋଗ ସହିତ ଅର୍କବଟ ପୂଜା କରାଯିବା ପରେ ସକାଳ ୭ ଟାରେ ରଥର ପାର୍ଶ୍ୱ ଦେବାଦେବୀ ଓ ସପ୍ତାଶ୍ୱଙ୍କୁ ୧୦୮ ବରାରେ ଭୋଗସହ ପୂଜାର୍ଚ୍ଚନା କରାଯାଇ ୭ଟା.୩୦ରେ ଅବଧୂତ ମଠରୁ ସୂର୍ଯ୍ୟଦେବଙ୍କର ଚନ୍ଦ୍ରଭାଗା ତୀର୍ଥକୁ ରଥଯାତ୍ରା ଆରମ୍ଭ କରାଯିବ ଏବଂ  ୯ଟା.୩୦ରେ ମିତ୍ରାଦିତ୍ୟଙ୍କର ତୀର୍ଥ ସ୍ନାନ ପରେ ସେହିଠାରେ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହେବ ବୋଲି ଅନନ୍ତ ଅବଧୂତ ମଠର ମହନ୍ତ ଆଦିତ୍ୟ ଚରଣ ଦାସ ସୂଚନା ଦେଇଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top