ମଣିଷ ଏବେ ଭଗବାନ!

News Story - Posted on 2017-01-05

ଡାକ୍ତର ଗଣପତି ସାହୁ

 

ସୃଷ୍ଟିର ରହସ୍ୟର ଗଭୀରତମ ସୋପାନରେ ଏବେ ମଣିଷ ପଦାର୍ପଣ କରିଛି। ବିଜ୍ଞାନର ଅଗ୍ରଗତିକୁ ପାଥେୟକରି ଅସମ୍ଭବକୁ ସମ୍ଭବ କରିବାକୁ ଶତଚେଷ୍ଟିତ। ଏପରିକି ନିଜକୁ ଭଗବାନ ବୋଲି ପ୍ରମାଣ କରିବାକୁ ମଧ୍ୟ ଉଦ୍ୟମରତ। ଆଗରୁ ମୃତ୍ୟୁର ରହସ୍ୟକୁ ଭେଦ କରିସାରିଥିବା ମଣିଷ ଏବେ କୃତ୍ରିମ ଜୀବନ ସୃଷ୍ଟି କରିବାରେ ସଫଳ ହୋଇଛି।

 

ଆମେରିକାର ଜେ କ୍ରେଗ ଭେଣ୍ଟର ଇନଷ୍ଟିଚ୍ଯୁଟରେ କୃତ୍ରିମ ଜୀବନ ସୃଷ୍ଟି ଉପରେ ଦୀର୍ଘ ଦିନ ଗବେଷଣା କରି କେତେଜଣ ପ୍ରସିଦ୍ଧ ବୈଜ୍ଞାନିକ ଏକ ସିନ୍ଥେଟିକ ଜିନ ପ୍ରସ୍ତୁତି କରିବାରେ ସଫଳ ହୋଇଛନ୍ତି। ତାର ନାମ ରଖାଯାଇଛି ‘ସିଂଥିଆ’। ଉକ୍ତ ଗବେଷଣାରେ ଭାରତ ଜନ୍ମିତ ବୈଜ୍ଞାନିକ ସଞ୍ଜୟ ବୈଷି, ରାଧାକୃଷ୍ଣ କୁମାର ଏବଂ ପ୍ରଶାନ୍ତ ପି. ପାରମାର ଭାଗ ନେଇଥିଲେ। ଏବେ ମଣିଷ ଯଦି ଚାହିଁବ ତେବେ ଉକ୍ତ ଜିନକୁ ନେଇ କୃତ୍ରିମ ଉପାୟରେ ଯେକୌଣସି ପ୍ରକାର ସୁଗୁଣ ବା ଦୁର୍ଗୁଣ ଯୁକ୍ତ ମଣିଷ, ପଶୁ ପକ୍ଷୀ ଓ ଗଛ ଲତା ତିଆରି କରିପାରିବ। ଏଥିରୁ ମଧ୍ୟ ବୈଜ୍ଞାନିକମାନେ ସେମାନଙ୍କ ଇଚ୍ଛା ମୁତାବକ ଯେକୌଣସି ପ୍ରକାର ଜୀବ ସୃଷ୍ଟି କରିବାରେ ସଫଳ ହୋଇ ପାରିବେ।

 

ମଣିଷ ଯଦି ଚାହିଁବ ସେ ମଧ୍ୟ ଅତି ପରାକ୍ରମଶାଳୀ ହୋଇ ଅଜର ଅମର ହୋଇ ଧରାକୁ ସରା ମନେକରିବ। କିଛି ବି ଅସମ୍ଭବ ନୁହଁ। ଏପରି ଗବେଷଣାରେ କିଛି କଲ୍ୟାଣକର ଦିଗ ଉଦ୍ଦିଷ୍ଟ ଥିଲେ ମଧ୍ୟ ଏପରି ଜ୍ଞାନ ଓ କୌଶଳ ବିଶ୍ବ ପ୍ରତି ଅତ୍ୟନ୍ତ ବିପଦପୂର୍ଣ୍ଣ। ଜୀବନ ଓ ମୃତ୍ୟୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ମୃତ୍ୟୁ ତ ଜୀବନର ଅନ୍ୟ ଏକ ନାମ। ମୃତ୍ୟୁ ସତ୍ୟ। ଜୀବନର ଆଶା ମଉଳି ଗଲେ ମୃତ୍ୟୁ ମନେପଡେ। ନୈରାଶ୍ୟରେ ମୃତ୍ୟୁ ମନେପଡେ। ଯୌବନ ପରେ ଜରା ଜର୍ଜରିତ ଅବସ୍ଥାରେ ମୃତ୍ୟୁ ମନେପଡେ। ଜୀବନ ଓ ମୃତ୍ୟୁ ଚିରନ୍ତନ। ଶାଶ୍ବତ। କେବଳ ମୃତ୍ୟୁ ହିଁ ଅମୃତ ତତ୍ତ୍ବକୁ ନେଇଥାଏ। ମଣିଷ ନିଜର କର୍ମ ଚିନ୍ତା ଚେତନା ଓ ଭାବନାରେ ଇଶ୍ବରଙ୍କ ସତ୍ତାକୁ ଆଧାର କରି ନିଜ ଭିତରେ ଥିବା ବ୍ୟକ୍ତିସତ୍ତାକୁ ଉପଲବ୍ଧି କରିପାରିବ। ଜୀବନ ଯାତ୍ରାର ମୃତ୍ୟୁ ଏକ ଅବସ୍ଥା ଯା’ର ପରବର୍ତ୍ତୀ ରୂପାନ୍ତରିତ ଜୀବନ ମଧ୍ୟ ଥାଏ, ଯାହାକି ବହୁ ମନୁଷ୍ୟ ଅଜ୍ଞତା ହେତୁ ଜାଣିପାରିନଥାନ୍ତି।

 

ଭଗବାନଙ୍କ ଶକ୍ତି ଅସୀମ। ପ୍ରାଣୀମାନଙ୍କ ମଧ୍ୟରେ ଜୀବନ। ସେ ସୂର୍ଯ୍ୟଙ୍କ ମଧ୍ୟରେ ରଶ୍ମି। ଚନ୍ଦ୍ରଙ୍କ ମଧ୍ୟରେ ଜୋସ୍ନା। ଗ୍ରୀଷ୍ମର ଉତ୍ତାପ, ଜଳର ଶୀତଲତା, ପୁଷ୍ପର ସୌନ୍ଦର୍ଯ୍ୟ, ଶିଶୁ ମଧ୍ୟରେ ହସ ଓ ଜଡ଼ ମଧ୍ୟରେ ସୁପ୍ତ ଅଟନ୍ତି। ଭାଗବତ ସତ୍ତାକୁ ଅନୁଭବ କରିବାକୁ ହେଲେ ଆମକୁ କଠୋର ସାଧନା ଦ୍ବାରା ଶକ୍ତିମାନ ହେବାକୁ ହେବ। ସାଧକ ସଦାସର୍ବଦା ଭାଗବତ ଚିନ୍ତା ଓ ଚେତନା ରେ ନିମଗ୍ନ ରହି ତାଙ୍କର ଶକ୍ତିକୁ ସଂଚୟ କରିଥାଏ। ଭଗବତ ଦର୍ଶନରେ ଥାଇ ସେ ଦୃଶ୍ୟମାନ ଜଗତରୁ ମୁକ୍ତ ଥାଏ। ପରିଦୃଶ୍ୟମାନ ଜଗତରେ ଯାହା କିଛି ଦେଖୁଛେ ତାହା ସତ ନୁହଁ। ଏକ ମାତ୍ର ସତ୍ୟ ହିଁ ମୃତ୍ୟୁ। ଯାହା ପରମ ସତ୍ୟ ଅଟେ ଓ ଆଜି ପ୍ରତ୍ୟେକ ପ୍ରାଣୀ ଜୀବନର ପରମ ସତ୍ୟ ମୃତ୍ୟୁକୁ ଭେଟିବା ପାଇଁ ଯାତ୍ରା କରି ଚାଲିଛନ୍ତି। ଆଜି ବିଜ୍ଞାନ ବଳରେ ମଣିଷ ମଣିଷ ତିଆରି କରିବା ସତ ହୋଇପାରେ। ମାତ୍ର ତାହା ଦ୍ବାରା ଭାଗବତ ଶକ୍ତି ଆହରଣ ଅସମ୍ଭବ। ଏ ସୃଷ୍ଟିର ଅଗଣିତ ଜୀବ ତାଙ୍କ ମହାନ ସତ୍ତାର ପରିପ୍ରକାଶ ମାତ୍ର।

 

ଆଜି ବିଜ୍ଞାନ ବଳରେ କୌଣସି ବସ୍ତୁରେ ଜୀବନଦାନ ଦିଆଯାଇପାରେ। ତାର ଶରୀରରେ ରକ୍ତ ସଂଚାଳନ, ଶ୍ବାସକ୍ରିୟା ଓ ପାକକ୍ରିୟାଦି ସଂସ୍ଥାନକୁ କାର୍ଯ୍ୟକ୍ଷମ କରାଇ ଜୀବନ୍ତ କରାଯାଇପାରେ। ତାହା ହିଁ ତାର ଜୀବିତାବସ୍ଥା ହୋଇ ପାରେ। ସେହି ବାହ୍ୟ ଜୀବନ ତା’ ଜୀବନର ବାସ୍ତବ ଚିତ୍ର ନୁହଁ। କୃତ୍ରିମ ଉପାୟରେ ଗଠିତ ଜୀବ ମଣିଷ ନିଜ ଜୀବନର ଆଭ୍ୟନ୍ତରୀଣ ସତ୍ତାକୁ ଉପଲବ୍ଧି କରିପାରେନା। ଭଗବାନଙ୍କର ସତ୍ତା ସର୍ବ ଭୂତରେ ଅନୁଭୂତ। ସେ ସର୍ବବ୍ୟାପି ସଚରାଚର ଜଗତର ସ୍ରଷ୍ଟା। ସେଇ ନିର୍ଗୁଣ ସର୍ବବ୍ୟାପି ଓ ଭଗବାନଙ୍କୁ ଜ୍ଞାନୀମାନେ ବ୍ରହ୍ମମୟ ରୂପେ ଦର୍ଶନ କରିଥାନ୍ତି। କୁହାଯାଇଛି -

 

ଏକ ଦେବ ସର୍ବ ଭୂତେଷୁ ଗୁଡଃ ସର୍ବ ବ୍ୟାପି ସର୍ବ ଭୂତାନ୍ତରାତ୍ମା

କର୍ମଧ୍ୟକ୍ଷା ସର୍ବ ଭୂତାଦିବାସଃ ସାଖ୍ୟଶ୍ଚେତ କେବଳ ନିର୍ଗୁଣଶ୍ଚ।

 

ଭଗବାନ ଚାହିଁଲେ ଏକରୁ ଅନେକ ହେବ ନିମନ୍ତେ। ‘ଏକ ଅହଂ ବହୁସ୍ୟାମ ପ୍ରଳୟଃ’ ବଳରେ ସେ ସୃଷ୍ଟି କଲେ କୀଟ ପତଂଗ ଓ ତୃଣଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ଜୀବଜନ୍ତୁ। ଯେତେ ଜୀବଜନ୍ତୁ ସୃଷ୍ଟି କଲେ ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ ମଣିଷ। କାରଣ ମଣିଷଠାରେ ଜ୍ଞାନ ଓ ପ୍ରେମ ଭାରି ରହିଲା। ସେ ନିଜେ ଭଗବାନଙ୍କର ଅଂଶ। ତା’ପରେ ସେହି ମଣିଷ ସର୍ବ ଜୀବ ଭିତରେ ତାଙ୍କୁ ହିଁ ଦର୍ଶନ ପାଇବାର କ୍ଷମତା ମଧ୍ୟ ପାଇଲା। ଭଗବାନଙ୍କ ସତ୍ତାର ଅନ୍ତ ନାହିଁ ଏବଂ ତାଙ୍କ ବିନା ଅସ୍ତିତ୍ବରେ କୌଣସି ସ୍ଥିତି ନାହିଁ। କୁହାଯାଇଛି-

 

ନା ସତୋ ବିଦ୍ୟତେ ଭାବୋ ନା ଭାବୋ ବିଦ୍ୟତେ ସତଃ।

 

ଆସନ୍ତୁ ସର୍ବେ ଜୀବନ ମୃତ୍ୟୁର କଷଟି ପଥରରେ ନିଜକୁ ମାର୍ଜିତ କରି ଚିର ଶାଶ୍ବତ ଭଗବତ ଆଲୋକରେ ଆଲୋକିତ ହେବା ଏବଂ ତାଙ୍କର ଆଶୀର୍ବାଦ ଲାଭ କରିବା। ଆସନ୍ତୁ ମନୁଷ୍ୟ ଜନ୍ମର ସାର୍ଥକତାକୁ ବଜାୟ ରଖିବା ଏବଂ ମୃତ୍ୟୁର ପରବର୍ତ୍ତୀ ଅବସ୍ଥାକୁ ରୂପାନ୍ତରିତ ହୋଇ ନିଜକୁ ଧନ୍ୟମାନେ କରିବା। ପ୍ରତ୍ୟେକ ଦିନ ଉଚ୍ଚାରଣ କରିବା ଅସତୋ ମା ସଦଗମୟ, ତମସୋ ମା ଜ୍ୟୋତିର୍ଗମୟ, ମୃତ୍ୟୋର୍ମା ଅମୃତଂ ଗମୟ।

 

ତପସ୍ବିନୀ କ୍ଲିନିକ, ସୋର, ବାଲେଶ୍ବର


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top