ଆଶୀର୍ବାଦ ଆଉଟ୍‌!

News Story - Posted on 2017-01-04

ଅବସରପ୍ରାପ୍ତ ବିଚାରପତି ଆର‌୍‍ଏମ‌୍‍ ଲୋଧା କମିଟିଙ୍କ କ୍ରିକେଟ‌୍‍ ସଂସ୍କାର ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ନେଇ ସୁପ୍ରିମ କୋର୍ଟଙ୍କ ଐତିହାସିକ ରାୟର ଗୋଟିଏ ଦିନ ପରେ ଓଡ଼ିଶା କ୍ରିକେଟ‌୍‍ ଆସୋସିଏସନ‌୍‍ (ଓସିଏ)ର ସମସ୍ତ କର୍ମକର୍ତ୍ତା ନିଜ ନିଜ ପଦ ଛାଡ଼ି ଦେଇଛନ୍ତି। ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା, ସଭାପତି ରଞ୍ଜୀବ ବିଶ୍ୱାଳଙ୍କ ସମେତ ଅନ୍ୟ ସମସ୍ତ କର୍ମକର୍ତ୍ତା ମଧ୍ୟ ପଦ ହରାଇଛନ୍ତି। ଏଥିସହ ଓସିଏରେ ଆଶୀର୍ବାଦଙ୍କ ଦୀର୍ଘ ବର୍ଷର ରାଜତ୍ୱ ଶେଷ ହୋଇଯାଇଛି।

 

ସୁପ୍ରିମ କୋର୍ଟଙ୍କ ଛାଟ ସମସ୍ତ ପ୍ରଭାବଶାଳୀ ଓସିଏ ପରିଚାଳକଙ୍କ ଆଧିପତ୍ୟ ଶେଷ କରିଛି। ଓସିଏ କର୍ମକର୍ତ୍ତା ପଦକ ଛାଡ଼ିବା ପରେ ଆଗାମୀ ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ମ୍ୟାଚ‌୍‍ ଆୟୋଜନ ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଛି। ଏହି କମିଟି ବାରବାଟୀ ମ୍ୟାଚ‌୍‍ ପରିଚାଳନା କରିବ। ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ କମିଟିର ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି। ବିଧାୟକ ଦେବାଶିଷଙ୍କ ବ୍ୟତୀତ ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟୁତ ନାୟକ ବାରବାଟୀ ମ୍ୟାଚ‌୍‍ ପରିଚାଳନାରେ ସହଯୋଗ କରିବେ। ଏଥିସହ ଓସିଏର ୧୭୩ ଜଣ ସଦସ୍ୟ ମଧ୍ୟ ମ୍ୟାଚ‌୍‍ ପରିଚାଳନା ଦାୟିତ୍ୱରେ ରହିବେ। ବାରବାଟୀ ମ୍ୟାଚ‌୍‍ ପରେ ଓସିଏର ନୂଆ କର୍ମକର୍ତ୍ତା ଚୟନ କରାଯିବ ବୋଲି ଜଣାପଡ଼ିଛି।

 

ଓସିଏ ସମ୍ପାଦକ ପଦ ଛାଡ଼ିବା ପରେ ଆଶୀର୍ବାଦ କହିଛନ୍ତି, ମୁଁ ପଦ ଛାଡ଼ିଛି କିମ୍ୱା ଇସ୍ତଫା ଦେଇଛି ବୋଲି କହିବା ଠିକ‌୍‍ ନୁହେଁ। ଇସ୍ତଫା ପାଇଁ ସୁପ୍ରିମ କୋର୍ଟ ଆମକୁ ସୁଯୋଗ ଦେଇନାହାନ୍ତି। ବୋର୍ଡ଼ ଅଫ‌୍‍ କଣ୍ଟ୍ରୋଲ ଫର‌୍‍ କ୍ରିକେଟ‌୍‍ ଇନ‌୍‍ ଇଣ୍ଡିଆ (ବିସିସିଆଇ) ଭାଙ୍ଗିବା ସହ ସବୁ ରାଜ୍ୟ ସଂଗଠନ ମଧ୍ୟ ଭାଙ୍ଗି ଯାଇଛି। କୋର୍ଟ ଆମକୁ ନିର୍ଦ୍ଦେଶ ଦେଲେ ତୁମେ ଆଉ କର୍ମକର୍ତ୍ତା ନୁହଁ ବୋଲି। କୋର୍ଟଙ୍କ ଅନୁସାରେ ଆମେ ସମସ୍ତେ ପଦରୁ ଇସ୍ତଫା ଦେଲୁ। ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପରେ ଆମେ ପ୍ରଥମେ ପଦ ଛାଡ଼ିଛୁ। ପରେ ଆଗାମୀ ଭାରତ-ଇଂଲଣ୍ଡ ବାରବାଟୀ ଦିନିକିଆ ମ୍ୟାଚ‌୍‍ ଆୟୋଜନ ପାଇଁ ଏକ ବୈଠକ ଡାକିଥିଲୁ। ଓସିଏର ୧୮ ଜଣ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲୁ। ମ୍ୟାଚ‌୍‍ ଆୟୋଜନ ପାଇଁ ଆମେ ଏକ ପରିଚାଳନା କମିଟି ଗଠନ କରିଛୁ। ବାରବାଟୀ ବିଧାୟକ ଦେବାଶିଷଙ୍କୁ ଏହି କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବିଧାୟକଙ୍କୁ ମ୍ୟାଚ‌୍‍ ଆୟୋଜନରେ ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟୁତ ନାୟକଙ୍କ ସମେତ ଓସିଏର ୧୭୩ ଜଣ ସଦସ୍ୟ ସହଯୋଗ କରିବେ। ବାରବାଟୀ ମ୍ୟାଚ‌୍‍କୁ ସଫଳ କରିବା ପାଇଁ ମୁଁ ଏବଂ ଅନ୍ୟ ସଦସ୍ୟମାନେ ସମସ୍ତ ପ୍ରକାରର ସହଯୋଗ କରିବକୁ ବୋଲି ଆଶୀର୍ବାଦ ପ୍ରକାଶ କରିଛନ୍ତି।

 

ସୂଚନାଯୋଗ୍ୟ, ଆଶୀର୍ବାଦ ୨୦୦୦ ମସିହାରେ ପ୍ରଥମ ଥର ପାଇଁ ଓସିଏ ସମ୍ପାଦକ ପଦରେ ନିଯୁକ୍ତ ହେବା ପରେ ସେ ଲଗାତର ୨୦୦୪, ୨୦୦୮ ଓ ୨୦୧୨ରେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ସମ୍ପାଦକ ପଦରେ ବିଜୟୀ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଆଶୀର୍ବାଦ ଓଡ଼ିଶା କ୍ରିକେଟ‌୍‍ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଚାରିଆଡ଼ୁ ପ୍ରଶଂସିତ ହୋଇଥିଲେ। ପୂର୍ବରୁ ଆଶୀର୍ବାଦ ଓଡ଼ିଶା ଅଲିମ୍ପିକ‌୍‍ ଆସୋସିଏସନ‌୍‍ (ଓଓଏ)ର ସମ୍ପାଦକ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ସେ ଦୀର୍ଘ ୨୮ ବର୍ଷ ଧରି ଏହି ପଦରେ କାର୍ଯ୍ୟ କରିଥିଲେ।

 

ସେହିପରି ଓସିଏ ସଭାପତି ପଦ ଛାଡ଼ିଥିବା ରଞ୍ଜୀବ କହିଛନ୍ତି, ଲୋଧା କମିଟି ସୁପାରିଶ ଓ ସୁପ୍ରିମ କୋର୍ଟଙ୍କ ରାୟକୁ ସମ୍ମାନ ଜଣାଇ ମୁଁ ମୋ’ ପଦ ଛାଡ଼ିଛି। ଅନେକ ଦିନରୁ ମୁଁ କ୍ରିକେଟ‌୍‍ ସହ ଜଡ଼ିତ ରହିଥିଲି। ଜଣେ ଖେଳାଳି ଏବଂ ଜଣେ ପ୍ରଶାସନିକ ଅଧିକାରୀ ଭାବେ ଓସିଏକୁ ଆଗାମୀ ସମୟରେ ସମସ୍ତ ପ୍ରକାରର ସହଯୋଗ କରିବି। ଆସନ୍ତା ୧୯ ତାରିଖରେ ବାରବାଟୀରେ ଆୟୋଜିତ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ‌୍‍ ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇଛି। ପରିଚାଳନା କମିଟି ଅଧ୍ୟକ୍ଷ ଦେବାଶିଷ ଯଦି ଆମ ସହଯୋଗ ଚାହାନ୍ତିଁ ଆମେ ତାଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବୁ। ବାରବାଟୀରେ ଦିନିକିଆ ମ୍ୟାଚ‌୍‍ ଖେଳାଯିବା ରାଜ୍ୟବାସୀ ଓ ମୋ’ ପାଇଁ ଗର୍ବର ବିଷୟ। ଏହାକୁ ସଫଳତା କରିବା ଲାଗି ସମସ୍ତଙ୍କର ଚେଷ୍ଟା ରହିବ ବୋଲି ରଞ୍ଜୀବ କହିଛନ୍ତି।

 

ଗତ ସୋମବାର ଲୋଧା କମିଟି ପ୍ରସ୍ତାବକୁ ନେଇ ସୁପ୍ରିମ କୋର୍ଟ ଐତିହାସିକ ରାୟ ଦେଇଥିଲେ। ମୁଖ୍ୟ ବିଚାରପତି ଟିଏସ‌୍‍ ଠାକୁର, ବିଚାରପତି ଏଏମ‌୍‍. ଖାନ‌୍‍ୱିଲକର ଏବଂ ଡିୱାଇ. ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଲୋଧା କମିଟି ପ୍ରସ୍ତାବକୁ ଯାଞ୍ଚ କରିବା ପରେ ବିସିସିଆଇ ସଭାପତି ପଦରୁ ଅନୁରାଗ ଠାକୁରଙ୍କୁ ଏବଂ ସମ୍ପାଦକ ପଦରୁ ଅଜୟ ସିର୍କେଙ୍କୁ ବହିଷ୍କୃତ କରିଥିଲେ। ଏହାଛଡ଼ା ଲୋଧା କମିଟିଙ୍କ କ୍ରିକେଟ‌୍‍ ସଂସ୍କାର ପ୍ରସ୍ତାବକୁ କାର୍ଯ୍ୟକାରୀ କରିନଥିବା ବିଭିନ୍ନ ରାଜ୍ୟ ସଂଘ ସଦସ୍ୟଙ୍କୁ ନିଦ୍ଦେର୍ଶ ପାଳନ କରିବାକୁ କହିଥିଲେ। ଯାହାକୁ ନେଇ ଓସଏ କର୍ମକର୍ତ୍ତା ନିଜ ନିଜ ପଦ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top