ବୋଉ ଡାକର ମାଧୁର୍ଯ୍ୟ ଅନନ୍ୟ

News Story - Posted on 2017-01-03

 

ମାଆଙ୍କୁ ଡାକିବାକୁ ଅନେକ ଶବ୍ଦ ବ୍ୟବହାର ହେଉଥିଲେ ବି ଓଡ଼ିଆ ଘରର ‘ବୋଉ’ ଡାକର ମାଧୁର୍ଯ୍ୟ ଆଉ କେଉଁଠି ନାହିଁ।  ଏହି ‘ବୋଉ’ ଶବ୍ଦଟି ମାଆ ଅର୍ଥରେ କେବଳ ଓଡ଼ିଶାର କେତେକ ଅଞ୍ଚଳରେ ସୀମିତ ହୋଇ ରହିଯାଇନାହିଁ। ଉତ୍କଳର ଐତିହ୍ୟପୂର୍ଣ୍ଣ ନୌବାଣିଜ୍ୟ ପରମ୍ପରାରେ ଏହା ସୁଦୂର ଜାଭା, ସୁମାତ୍ରା, ବାଲି ଆଦି ଦ୍ୱୀପକୁ ମଧ୍ୟ ବ୍ୟାପିଯାଇ ସେମାନଙ୍କର ଭାଷା ଓ ସଂସ୍କୃତିର ଅଙ୍ଗ ହୋଇଯାଇଛି । ଆଜି ବି ‘ବା’ ଓ ‘ବୁ’ ସେଠାରେ ବାପା ଓ ବୋଉଙ୍କୁ ବୁଝାଏ।

 

ତେବେ ଆଜିର ତଥାକଥିତ ଶିକ୍ଷିତମାନଙ୍କ ପାଇଁ ସତେ ଯେମିତି ‘ବୋଉ’ ଡାକଟି କ୍ରମେ ଅପାଂକ୍ତେୟ ହୋଇପଡୁଛି। ‘ବୋଉ’କୁ ଏକ ମରହଟ୍ଟୀ ଡାକ ବୋଲି ସେମାନେ ମନେ କଲେଣି। ତେଣୁ ତାହାର ସ୍ଥାନ ନେଇଛି ‘ମା’ ଓ ‘ମମି’ର ଏକ ସଙ୍କର ସମ୍ୱୋଧନ ‘ମାମା’।

 

ହେଲେ ବୋଉ ବୋଉ ଜୀବନାଦର୍ଶ.... ଆଗରୁଥିଲା, ପରେ ବି ରହିବ....ଏମିତି ବୋଉମାନେ ଥିବାଯାଏଁ। ଅଗଣାସାରା ମଣ୍ଡା କିମ୍ୱା ପୋଡପିଠାର ବାସ୍ନା ସଞ୍ଚରିତ ହେଉଥିବାଯାଏଁ, ଗୋବର ଲିପା କାନ୍ଥରେ ଛାପିଛାପିକା ଚିତା ପଡୁଥିବାଯାଏଁ, ଖଳାବାଡିରେ ଧାନଗଦାର ମହକ ଥିବାଯାଏଁ, ସନ୍ଧ୍ୟାହେଲେ ତୁଳସୀ ଚଉଁରାମୂଳେ ସଞ୍ଜବତୀଟିଏ ଜଳୁଥିବା ଯାଏଁ, ଶୈଶବର ଶୋଇବାବେଳରେ ଆ ଜହ୍ନମାମୁଁ ଶରଦଶଶୀ...ଗୀତ ଗୁଣଗୁଣୁ ହୋଇ ଶୁଣୁଥିବାଯାଏଁ ବୋଉ ଥିବେ।

 

ଗୋଟିଏ ମୁମୂର୍ଷୁ ଓଡ଼ିଆ ଆଦର୍ଶ, ଓଡ଼ିଆ ପରମ୍ପରାକୁ ପୁର୍ନଜୀବିତ କରିବାପାଇଁ ବୋଉ ଫାଉଣ୍ଡେସନ‌୍‍ ଓଡ଼ିଶା ଜାନୁଆରୀ ୨ ତାରିଖକୁ ବୋଉମାନଙ୍କୁ ସମର୍ପିତ କରିଛି ବୋଉ ଡେ’ ଭାବରେ। ଏହି ଅବସରରେ ନିଜ ନିଜ ବୋଉମାନଙ୍କ ପ୍ରତି ଭାବବିହ୍ୱଳ ହୋଇ ଶ୍ରଦ୍ଧା ନିବେଦନ ବାଢିଛନ୍ତି ବିଶିଷ୍ଟ ବକ୍ତା, ଲେଖକ ତଥା ନାନାକ୍ଷେତ୍ରରେ ନିଜକୁ ପ୍ରତିଷ୍ଠା କରିପାରିଥିବା ସନ୍ତାନମାନେ।

 

ବୋଉ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଇଡକଲ ଅଡିଟୋରିୟମଠାରେ ଏକ ଆବେଗମୟ ପରିବେଶରେ ୧୦୦ ଜଣ ବୋଉଙ୍କୁ ବନ୍ଦନା କରାଯାଇଥିଲା। ଏହି ଅବସରରେ ଯେଉଁ ସୁପୁତ୍ରମାନେ ବୋଉକଥା ବର୍ଣ୍ଣନା କରିଥିଲେ ସେମାନଙ୍କ ମଧ୍ୟରେ ଥିଲେ ହରପ୍ରସାଦ ଦାସ, ପ୍ରଶାନ୍ତ ନନ୍ଦ, ଅଧ୍ୟାପକ ବିଶ୍ୱରଞ୍ଜନ, ଦାଶ ବେନହୁର, ପ୍ରବୀଣା ମହାନ୍ତି, ଝରଣା ଦାସ, ପ୍ରୀତିପ୍ରତିଭା ଭୋଳ, ଇତି ସାମନ୍ତ, ଅରୁଣା ମହାନ୍ତି, ସଂଘମିତ୍ରା ମିଶ୍ର ପ୍ରମୁଖ।

 

ବୋଉ ଫାଉଣ୍ଡେସନର ଅଧ୍ୟକ୍ଷ ଅତିଶ ମହାନ୍ତି କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ। ସଂଗୀତ ମାଧ୍ୟମରେ ବୋଉଙ୍କୁ ମନେପକାଇଥିଲେ ମିତାଲି ଚିନାରା, ସୌରଭ ନାୟକ, ଛନ୍ଦା ମିଶ୍ର ଏବଂ ବିଶ୍ୱସ୍ମୃତି ମଙ୍ଗରାଜ। ପ୍ରାରମ୍ଭରେ ବୋଉ ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ସସ୍ମିତା ଦାଶ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ୱନ୍ଧରେ ବକ୍ତବ୍ୟ ରଖିଥିଲେ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top