କୋର୍ଟ କଲେ କ୍ରିକେଟ ସଂସ୍କାର!

News Story - Posted on 2017-01-03

 

ବୋର୍ଡ଼ ଅଫ‌୍‍ କଣ୍ଟ୍ରୋଲ‌୍‍ ଫର‌୍‍ କ୍ରିକେଟ‌୍‍ ଇନ‌୍‍ ଇଣ୍ଡିଆ (ବିସିସିଆଇ)କୁ ସୁପ୍ରିମ କୋର୍ଟଙ୍କ ଝଟକା ଲାଗିଛି। ଅବସରପ୍ରାପ୍ତ ବିଚାରପତି ଆର‌୍‍ଏମ‌୍‍ ଲୋଧା କମିଟିଙ୍କ କ୍ରିକେଟ‌୍‍ ସଂସ୍କାର ପ୍ରସ୍ତାବ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ ବିସିସିଆଇ ସଭାପତି ଅନୁରାଗ ଠାକୁର ଓ ସମ୍ପାଦକ ଅଜୟ ସିର୍କେଙ୍କୁ ସେମାନଙ୍କ ପଦରୁ ବହିଷ୍କାର କରିଛନ୍ତି। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା କରିବା ଏବଂ ମିଥ୍ୟା ସତ୍ୟପାଠ ଦାଖଲ କରିବା ଅଭିଯୋଗରେ ଅନୁରାଗଙ୍କୁ ବିସିସିଆଇ ସଭାପତି ପଦରୁ ବହିଷ୍କାର କରାଯାଇଛି। ଏଥିସହ ଅନୁରାଗଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ଅନୁରାଗ ଓ ସିର୍କେଙ୍କ ସ୍ଥାନରେ ଜଣେ ବରିଷ୍ଠ ଉପସଭାତି ଓ ଜଣେ ବରିଷ୍ଠ ଯୁଗ୍ମ ସମ୍ପାଦକ ପଦ ସମ୍ଭାଳିବେ ବୋଲି ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି। ସୁପ୍ରିମ କୋର୍ଟଙ୍କ ଏହି ନିଷ୍ପତ୍ତିକୁ ନେଇ ଏବେ କ୍ରିକେଟ‌୍‍ ମହଲରେ ଜୋରଦାର ଚର୍ଚ୍ଚା ଚାଲିଛି। ଏହି ନିଷ୍ପତ୍ତି କ୍ରିକେଟ‌୍‍କୁ ନୂଆ ରୂପ ଓ ସ୍ୱଚ୍ଛ କରିବ ବୋଲି କ୍ରିକେଟ‌୍‍ ବିଶେଷଜ୍ଞ ଆଶା କରୁଛନ୍ତି। ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି କ୍ରିକେଟ‌୍‍ର ବଡ଼ ବିଜୟ ବୋଲି ଲୋଧା କହିଛନ୍ତି।

 

ଜାନୁଆରୀ ୨ ତାରିଖ ମୁଖ୍ୟ ବିଚାରପତି ଟିଏସ‌୍‍ ଠାକୁର, ବିଚାରପତି ଏଏମ‌୍‍. ଖାନ‌୍‍ୱିଲକର ଏବଂ ଡିୱାଇ. ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ଲୋଧା କମିଟି ପ୍ରସ୍ତାବକୁ ଯାଞ୍ଚ କରିବା ପରେ ଅନୁରାଗ ଓ ସିର୍କେଙ୍କୁ ବିସିସିଆଇ ପଦରୁ ବହିଷ୍କାର କରିଛନ୍ତି। ଏହି ମାମଲାର ଶୁଣାଣି କରି ଖଣ୍ଡପୀଠ କହିଥିଲେ, ଅନୁରାଗ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାବେଳେ ଲୋଧା କମିଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ବିରୋଧ କରିଥିଲେ। ଖାଲି ସେତିକି ନୁହେଁ ବରଂ ସେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ଆନ୍ତର୍ଜାତିକ କ୍ରିକେଟ‌୍‍ ପରିଷଦ (ଆଇସିସି) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିସିସିଆଇ ସଦସ୍ୟ ଭାବେ ଜଣେ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି) ନିଯୁକ୍ତ ନକରିବାକୁ ଚିଠି ଲେଖିଥିବା କଥା ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି। ସେ ଅଦାଲତଙ୍କ ନିର୍ଦ୍ଦେଶ ଅବମାନନା କରିଛନ୍ତି। ତେଣୁ ତାଙ୍କ ବିରୋଧରେ ପର୍ଜୁରି ପ୍ରୋସିଡିଂ କଣ ପାଇଁ ଲାଗୁ ହେବନି ବୋଲି ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ ଅନୁରାଗଙ୍କୁ କାରଣ ଦର୍ଶାଅ ନୋଟିସ‌୍‍ ଜାରି କରିଛନ୍ତି। ଆଗାମୀ ୧୯ ତାରିଖ ସୁଦ୍ଧା ଅନୁରାଗଙ୍କୁ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ସେ ୭ ବର୍ଷ ଜେଲଦଣ୍ଡ ଭୋଟିବା ସମ୍ଭାବନା ରହିଛନ୍ତି।

 

ସୁପ୍ରିମ କୋର୍ଟଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଆହୁରି କହିଥିଲେ ଯେ, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଯେଉଁ କ୍ରିକେଟ‌୍‍ ସଂଘ ଏଯାଏଁ କ୍ରିକେଟ‌୍‍ ସଂସ୍କାର ପ୍ରସ୍ତାବ କାର୍ଯ୍ୟକାରୀ କରିନାହାନ୍ତି, ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ସମସ୍ତ ବୋର୍ଡ଼ ନିର୍ଦ୍ଦେଶ ମାନିବାକୁ ବାଧ୍ୟ। ଯଦି କୌଣସି ରାଜ୍ୟ ସଂଘ ନିଦ୍ଦେର୍ଶ ଅବମାନନା କରିଥାଆନ୍ତି, ତା’ହେଲେ ବୋର୍ଡ଼କୁ ବାସନ୍ଦ କରାଯିବ। ଅନ୍ୟପକ୍ଷରେ ବିସିସିଆଇର ନୂତନ ସଭାପତି ଓ ସମ୍ପାଦକ ନିଯୁକ୍ତ ହେବା ପର୍ଯ୍ୟନ୍ତ ଦୁଇଜଣ ବରିଷ୍ଠ ଉପସଭାପତି ବୋର୍ଡ଼ର କାମଚଳା ଦାୟିତ୍ୱ ପରିଚାଳନା କରିବେ। ଦୁଇ ସପ୍ତାହ ପରେ ସୁପ୍ରିମକୋର୍ଟ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବେ। ଏହାଛଡ଼ା ଜାନୁଆରୀ ୧୯ ତାରିଖରେ ପ୍ରଶାସକ କମିଟି ଗଠନ କରାଯିବ। ଏହି କମିଟି ପାଇଁ ସଦସ୍ୟ ଚୟନ କରିବା ଲାଗି ସୁପ୍ରିମକୋର୍ଟ ବରିଷ୍ଠ ଓକିଲ ଗୋପାଲ ସୁବ୍ରମଣ୍ୟମ ଓ ଇଣ୍ଡିଆନ‌୍‍ କନ‌୍‍ଷ୍ଟିଚ୍ୟୁସନାଲ ଜ୍ୟୁରିଷ୍ଟ ଫଲି ଏସ‌୍‍ ନରିମାନ‌୍‍ଙ୍କୁ ନିଯୁକ୍ତ କରିଛନ୍ତି। ଖଣ୍ଡପୀଠ ଆହୁରି ମଧ୍ୟ କହିଥିଲେ, ବିସିସିଆଇ ବୋର୍ଡ଼ର ସଦସ୍ୟଙ୍କ ବୟସ ସୀମା ୭୦ ବର୍ଷ ପର୍ଯ୍ୟନ୍ତ ରହିବ। ସେ ଜଣେ ରାଜନୈତିକ ବ୍ୟକ୍ତିତ୍ୱ, ସରକାରୀ ଚାକିରିଆ, ସେ କୌଣସି ଅନ୍ୟ କ୍ରୀଡ଼ା ସଂଘ ସଦସ୍ୟ ନଥିବା ବାଧ୍ୟତାମୂଳକ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି।

 

ପୂର୍ବରୁ କ୍ରିକେଟ‌୍‍ ବୋର୍ଡ଼କୁ ସ୍ୱଚ୍ଛ କରିବା ପାଇଁ ଲୋଧା କମିଟି ସୁପ୍ରିମକୋର୍ଟଙ୍କୁ କ୍ରିକେଟ‌୍‍ ସଂସ୍କାର ପ୍ରସ୍ତାବ ଦେଇଥିଲେ। ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରିବା ସହ ବିସିସିଆଇ କାର୍ଯ୍ୟକାରୀ କରିବା ପାଇଁ ୬ ମାସ ସମୟ ଦେଇଥିଲେ। ହେଲେ ବିସିସିଆଇ ନିର୍ଦ୍ଧାରିତ ସମୟରେ ଲୋଧା କମିଟିଙ୍କ ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲା। ଏପରିକି ବିସିସିଆଇ କ୍ରିକେଟ‌୍‍ ସଂସ୍କାର ପ୍ରସ୍ତାବର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ବିରୋଧ କରିଆସିଥିଲା। ଯାହାକୁ ନେଇ ଲୋଧା କମିଟି ସୁପ୍ରିମକୋର୍ଟଙ୍କୁ ବିସିସିଆଇର ମନମୁଖ୍ୟ କାର୍ଯ୍ୟ ଏବଂ ପ୍ରସ୍ତାବ କାର୍ଯ୍ୟକାରୀ ନେଇ ରିପୋର୍ଟ ଦାଖଲ କରିଥିଲା। ଏହାଛଡ଼ା ଲୋଧା କମିଟି ବିସିସିଆଇର ବରିଷ୍ଠ ସଦସ୍ୟଙ୍କୁ ବାଦ‌୍‍ ଦେଇ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବାକୁ ପ୍ରସ୍ତାବ ଦେଇଥିଲା। ସୁପ୍ରିମକୋର୍ଟ ଲୋଧା କମିଟିଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ସହ ଅନୁରାଗଙ୍କୁ ବିସିସିଆଇ ସଭାପତି ପଦରୁ ଏବଂ ସିର୍କେଙ୍କୁ ସମ୍ପାଦକ ପଦରୁ ବହିଷ୍କାର କରିଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top