ଆତଙ୍କବାଦୀ!

News Story - Posted on 2016-12-31

ସୁକାନ୍ତି ରାଉତ

 

ତମେ ମାଗିଦେଲେ

ଯଦି ଫେରେଇ ହେଉଥାନ୍ତା

ଶଂଖା, ସିନ୍ଦୁର ଆଉ

ନିରୀହ ରାତିର ସେ ମିଠା ମିଠା ତାତି,

ଦର୍କାର ପଡ଼ି ନ ଥାନ୍ତା

ରାସ୍ତା ମଝିରେ ଅଧରାତିରେ

ଅଧାମରା କରି ଫିଙ୍ଗିଦେବା।

 

ଆସ ଏବେ ଦେଖିଯିବ

ଖାଲି ସୀମନ୍ତରେ ମୁଁ ବି ସୁନ୍ଦରୀ।

ତମେ କହିଦେଲେ ଯଦି

ସାତଦୀପ ଆଠ କଳସ

ମିଛ ବୋଲି ପ୍ରମାଣ ହେଇଯାଉଥାନ୍ତା,

ତେବେ ଦର୍କାର ପଡ଼ି ନ ଥାନ୍ତା

ବ୍ରାହ୍ମଣର ମନ୍ତ୍ରପାଠ, ବେଦୀ ପରେ ସାତ ଘେରା ବୁଲିବା,

ଆଉ ଆମ୍ୱପତ୍ର, ଦୂବ ଓ ଅରୁଆ ଚାଉଳର

ସେ ହଜାରେ ନୀତିନିୟମ।

 

ଆସ ଦେଖିଯିବ

ତମେ ସବୁ ମିଛ ବୋଲି ପ୍ରମାଣ କରିସାରିବା ପରେ ବି

ମୁଁ କେମିତି ସାଇତି ରଖିଛି

ତମର ସମସ୍ତ ସ୍ମୃତିକୁ, ରାତିକୁ ପୁଣି ତାତିକୁ।

ଏବେ କିନ୍ତୁ ସବୁ ଅତୀତ।

 

ତମେ ଜିତିବାକୁ ଭଲପାଅ ବୋଲି

ସେଦିନ ମୁଁ ଜାଣି ଜାଣି

କଉଡ଼ିଖେଳରେ ହାରିଗଲି

ଆଉ ତମେ ଏହାକୁ

ଭାବିନେଲ ମୋର ଦୁର୍ବଳତା।

 

ପୁଣି ଅନେକ ବର୍ଷ ପରେ

ତମେ ଜିତିବାକୁ ଭଲପାଅ ବୋଲି

ଗୁପ୍ତ ଭାବେ ତମକୁ ଜିତାଇଦେଲି

ଆଇନ‌୍‍ର ଯୁଦ୍ଧରେ।

ଆଉ ତମେ ହସି ହସି କହିଦେଲ,

ଏହା ବି ମୋର ଦୁର୍ବଳତା।

 

ହଜାରେ ଦେହର ଭୂଗୋଳ ପଢ଼ୁଥିବା

ଗୋଟେ ଆତଙ୍କବାଦୀଠାରୁ ଆଉ କ’ଣ ବା ଆଶା କରାଯାଇପାରିଥାନ୍ତା!

 

ଫୋନ୍‌-୮୮୯୫୩୦୪୫୫୬


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top