ନବୀନ କଥା ମାନୁଛି କିଏ?

News Story - Posted on 2016-12-31

ବିମୁଦ୍ରାକରଣ ଯୋଗୁ ଓଡ଼ିଶାର କୃଷିକାର୍ଯ୍ୟ ବିଶେଷ ପ୍ରଭାବିତ ହୋଇଛି। ରାଜ୍ୟର ଚାଷୀ ତଥା ଗାଁ ଗହଳିର ବାସିନ୍ଦା ଏଥିଯୋଗୁ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ସଚିବାଳୟଠାରେ ଭିଡ଼ିଓ କନ‌୍‍ଫରେନ୍ସି ଜରିଆରେ ବିଭିନ୍ନ ଜିଲାର ଜିଲାପାଳମାନଙ୍କ ସହିତ ଧାନ ସଂଗ୍ରହ, ମରୁଡ଼ି ସହାୟତା, ଫସଲ ବୀମା ଏବଂ କୃଷିକାର୍ଯ୍ୟ ଉପରେ ବିମୁଦ୍ରାକରଣର ପ୍ରଭାବ ନେଇ ଆଲୋଚନା କରିବା ପରେ ଏହି ନିର୍ଯ୍ୟାସରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଡିସେମ୍ୱର ୧୭ ସୁଦ୍ଧା ମରୁଡ଼ି ପ୍ରଭାବିତ ସମସ୍ତ ଚାଷୀଙ୍କୁ ସ୍ୱତନ୍ତ୍ର ସହାୟତା ଓ ଡିସେମ୍ୱର ୨୦ ସୁଦ୍ଧା ଫସଲ ବୀମା କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କର କଥାକୁ ନା କେନ୍ଦ୍ର ଶୁଣିଛି ନା ତାଙ୍କ ଅଧସ୍ତନ କର୍ମଚାରୀମାନେ। ଫଳତଃ ରାଜ୍ୟର କୃଷକମାନେ ଭୋଗ କରିଥିବା ସମସ୍ୟାର ସମାଧାନ ହୋଇପାରି ନାହିଁ।

 

ବିମୁଦ୍ରାକରଣ ଯୋଗୁଁ ରାଜ୍ୟର ଚାଷୀ ତଥା ଗାଁ ଗହଳର ବାସିନ୍ଦାମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ସଂପର୍କରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ, କଟକ, ସମ୍ୱଲପୁର ଓ ବଲାଙ୍ଗିରର ଜିଲାପାଳମାନଙ୍କ ସହିତ ସେଠାକାର ପରିସ୍ଥିତି ସଂପର୍କରେ ଭିଡ଼ିଓ କନ‌୍‍ଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ବ୍ୟାଙ୍କମାନଙ୍କରେ ଆବଶ୍ୟକ ପରିମାଣର ୫୦୦ ଓ ୧୦୦ ଟଙ୍କିଆ ନୋଟ‌୍‍ ମିଳୁନଥିବାରୁ କୃଷି କାର୍ଯ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି ବୋଲି ଜିଲାପାଳମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

 

ଚାଷୀମାନେ ଫସଲ ବୀମା ଦେୟ, ମଜୁରୀ, ସାର, ବିହନ ଆଦି ଖରିଦ କରିବାରେ ଓ ଅନ‌୍‍ଲାଇନ‌୍‍ କ୍ୟାସ‌୍‍ ଟ୍ରାନ୍ସଫରରେ କେତେକ ସ୍ଥାନରେ ଚାଷୀ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଫସଲ ଅମଳ ସମୟ ହୋଇଥିବାରୁ ଧାନ ଅମଳରେ ମଧ୍ୟ ଚାଷୀମାନେ ମଜୁରୀ ପ୍ରଦାନ ଆଦି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଜିଲାପାଳମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

 

ମୁଖ୍ୟମନ୍ତ୍ରୀ ଏଥିପାଇଁ ଉଦ‌୍‍ବେଗ ପ୍ରକାଶ କରି ଗ୍ରାମାଞ୍ଚଳରେ ଯେପରି ଅଧିକ ୫୦୦ ଓ ୧୦୦ ଟଙ୍କିଆ ନୋଟ‌୍‍ ଉପଲବ୍ଧ ହୋଇପାରିବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାପାଇଁ ବୈଠକରେ ଉପସ୍ଥିତ ଥିବା ରିଜର୍ଭ ବ୍ୟାଙ୍କ ଓ ଅନ୍ୟାନ୍ୟ ପ୍ରମୁଖ ବ୍ୟାଙ୍କ ଗୁଡ଼ିକର ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ। ବିମୁଦ୍ରାକରଣର ଚାଷବାସ ଓ ଗ୍ରାମାଞ୍ଚଳ ଉପରେ ପଡ଼ୁଥିବା ପ୍ରଭାବ ସଂପର୍କରେ ନିୟମିତ ଅନୁଧ୍ୟାନ କରି ପଦକ୍ଷେପ ନେବାପାଇଁ  ମୁଖ୍ୟମନ୍ତ୍ରୀ ମୁଖ୍ୟଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରିସ୍ଥିତିରେ ଯେପରି ଶୀଘ୍ର ସୁଧାର ଆସିବ ଓ ଚାଷୀ ଯେପରି ହଇରାଣ ନ ହେବ, ସେ ସଂପର୍କରେ ପଦକ୍ଷେପ ନେବାପାଇଁ ସେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

 

୨୦୧୫-୧୬ ଖରିଫ ଋତୁ ପାଇଁ ୨ ଲକ୍ଷ ୨୮ ହଜାର ୩୦ ଜଣ ପ୍ରଭାବିତ ଚାଷୀ ସ୍ୱତନ୍ତ୍ର ମରୁଡ଼ି ସହାୟତା ବାବଦ କ୍ୱିଣ୍ଟାଲ ପିଛା ୧୦୦ ଟଙ୍କା ପାଇବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୧୩ ହଜାର ୪୯୪ ଜଣ ଚାଷୀଙ୍କୁ ଏ ବାବଦରେ ୭୨ କୋଟି ଟଙ୍କା ପ୍ରଦାନ କରାଯାଇସାରିଛି। ଅବଶିଷ୍ଟ ଚାଷୀଙ୍କୁ ଡିସେମ୍ୱର ୧୭ ସୁଦ୍ଧା ଏହି ପ୍ରାପ୍ୟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତାହା ପୂର୍ଣ୍ଣରୂପେ କାର୍ଯ୍ୟକାରୀ ହୋଇନାହିଁ।

 

ବତ୍ତର୍ମାନ ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। ତେଣୁ ଚାଷୀମାନେ ଯେପରି ଠିକ‌୍‍ ସମୟରେ ଏଥିରେ ଭାଗ ନେଇପାରିବେ ଓ ସେମାନଙ୍କ ପ୍ରାପ୍ୟ ପାଇପାରିବେ, ସେଥିପ୍ରତି ଜିଲାପାଳମାନେ ବିଶେଷ ଯତ୍ନବାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଧାନ ସଂଗ୍ରହ ସଂପର୍କରେ ପ୍ରତି ୧୫ ଦିନରେ ଥରେ ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୁଖ୍ୟଶାସନ ସଚିବଙ୍କୁ ନିଦ୍ଦେର୍ଶ ଦେଇଥିଲେ।

 

ଫସଲବୀମା ସଂକ୍ରାନ୍ତୀୟ ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ଖରିଫ ୨୦୧୫ ଫସଲ ବୀମା କ୍ଷତିପୂରଣ ପାଇଁ ୧୭୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ୧୧.୬୧ ଲକ୍ଷ ଚାଷୀ ଏହାଦ୍ୱାରା ଉପକୃତ ହେବେ। ବର୍ତ୍ତମାନ ଫସଲ ବୀମା କ୍ଷତିପୂରଣ ବାବଦକୁ ୧୧୨୪ କୋଟି ଟଙ୍କା ରାଜ୍ୟର ୭ ଲକ୍ଷ ଚାଷୀଙ୍କ ଆକାଉଣ୍ଟରେ ଜମା କରାଯାଇଛି। ଡିସେମ୍ୱର ୨୦ ତାରିଖ ସୁଦ୍ଧା ଯେପରି ସବୁ ଚାଷୀଙ୍କ ପାଖରେ ଫସଲବୀମା କ୍ଷତିପୂରଣ ରାଶି ପହଞ୍ଚିବ, ସେ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲାପାଳମାନଙ୍କୁ ନିର୍ଦ୍ଦଶ ଦେଇଥିଲେ। ରାଜ୍ୟସରକାର ୧ ପ୍ରତିଶତ ସୁଧରେ ଚାଷୀଙ୍କୁ ଋଣ ଯୋଗାଇବା ପାଇଁ ନିଷ୍ପତ୍ତି ନେଇଥିବାରୁ ଅଧିକରୁ ଅଧିକ ଚାଷୀ ଯେପରି ଏହାର ସୁବିଧା ନେଇପାରିବେ, ସେଥିପାଇଁ ବ୍ଲକ‌୍‍ ସ୍ତରରେ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

 

ଆଗାମୀ ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏପରି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା ସଂପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇନଥିବା ଜଣାପଡ଼ିଛି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top