ବଂଶୀସ୍ୱନ

News Story - Posted on 2016-12-30

 ସୁରେନ୍ଦ୍ର ମିଶ୍ର

 

ଆବଶ୍ୟକତା ଦୃଷ୍ଟିରୁ ସମ୍ୱିତ ଏଠି ରହିଛନ୍ତି। ନ ହେଲେ ବେଳେବେଳେ ତାଙ୍କର ତୀବ୍ର ଇଚ୍ଛାହୁଏ ଏ ଘର ଛାଡ଼ି ଦେବାକୁ। ତା’ର ମୁଖ୍ୟ କାରଣ ହେଉଛି ପଛଘର ବୁଢ଼ାବୁଢ଼ୀଙ୍କ ବିରାମ ରହିତ ବକର ବକର ଓ ଘର ସଂଲଗ୍ନ ତାଙ୍କ ଗ୍ୟାରେଜ।

 

ସକାଳୁ ସେ ଉଠନ୍ତି ଡେରିରେ। ସେତେବେଳକୁ ଅଫିସ‍୍‌ ବେଳ ହୋଇଯାଇଥାଏ। ତେଣୁ ତରତରରେ ନିତ୍ୟକର୍ମ ସାରି ସମ୍ୱିତ ଅଫିସ ବାହାରି ପଡ଼ନ୍ତି। କିନ୍ତୁ, ଯାବତୀୟ ଜଞ୍ଜାଳ ଉପୁଜେ ଗାଡ଼ିଟିକୁ ଗ୍ୟାରେଜ ନାମକ ଅର୍ଗଳିରୁ ରାସ୍ତାକୁ ବାହାର କଲାବେଳେ। ରାସ୍ତାଟା ଏଠି ଗ୍ୟାରେଜ ଭିତରକୁ ପଶି ଆସିଛି, ନଚେତ୍, ଗ୍ୟାରେଜଟା ରାସ୍ତା ଉପରେ ଠିଆ ହୋଇଛି; ଏମିତି କିଛି ଗୋଟେ ହେଇଛି। ତେଣୁ, ଗାଡ଼ି ବାହାର କଲାବେଳେ ପଥଚାରୀ, ସାଇକେଲ ଆରୋହୀ, ମଟର ସାଇକେଲ ଚଢ଼ାଳି, ବୁଲା ଗାଈ, କୁକୁର, ସାମନା ଘର କାନ୍ଥ ଓ ଗ୍ୟାରେଜ୍‌ର କାନ୍ଥ ଆଦିରେ ଗାଡ଼ି ଯେମିତି ନ ବାଜେ ସେଥିପ୍ରତି ସତର୍କ ହେବାକୁ ପଡେ଼। ଏହି କର୍ମଟି  ସକାଳୁ ସକାଳୁ ମୁଣ୍ଡକୁ ବିଗାଡ଼ି ଦିଏ। ତେଣୁ, ସେ ଲାଭଖୋର ଘରମାଲିକ, ଅକର୍ମା ମ୍ୟୁନିସିପାଲିଟି, ନିଷ୍କ୍ରିୟ ସାହିବାଲା ଓ ଗାଡ଼ି ବାହାର କଲାବେଳେ ଯେଉଁମାନଙ୍କ ଦେହରେ ଗାଡ଼ି ପିଟି ହୋଇପାରିଥାନ୍ତା, ଅଥଚ ପିଟି ହୋଇନାହିଁ ସେମାନଙ୍କୁ ମନେମନେ ଗାଳି ଦେଇଦେଇ ବିଗିଡ଼ା ମୁଣ୍ଡକୁ ଧରି ଅଫିସ ଯିବାକୁ ବାଧ୍ୟ ହୁଅନ୍ତି। ସେହି ଅସ୍ୱସ୍ତି ଓ ବିରକ୍ତିବୋଧ ଅଫିସରେ ବି ଅନେକ ସମୟଯାଏ ତାଙ୍କ ପଛରେ ଗୋଡ଼ୋଉଥାଏ।

 

ଦିନର ଖିଆପିଆ ଅଫିସ କ୍ୟଣ୍ଟିନରେ। ଅଫିସରୁ ଫେରିବାବେଳେ ସେ ପଶିଯାନ୍ତି କ୍ଲବରେ। ସେଠି ଟିକିଏ ମଉଜ ମସ୍ତି, ଖେଳ କୌତୁକ, ଖିଆପିଆ। ତା’ପରେ ଘର ବାହୁଡ଼ା। ତେଣୁ, ଏ ଘରେ ତାଙ୍କର ରହଣି ସମୟ ସ୍ୱଳ୍ପ। ସେଇ ସମୟତକ ତାଙ୍କର ଶାନ୍ତିରେ କଟିବା ଉଚିତ ନା ନୁହେଁ? କିନ୍ତୁ, ତା’ ହେଉଛି କେଉଁଠି? ପଛରେ ଏ ଯେଉଁ ବୁଢ଼ାବୁଢ଼ୀ... ତାଙ୍କୁ ନାକେଦମ‍୍‌ କଲେଣି।

 

ବ୍ରିଟ‍୍‌ର ଏହି ଘରଗୁଡ଼ିକର ତିଆରି ହିଁ ସେମିତି। ଦି’ ଘର କାନ୍ଥ ମଝିରେ ଏତେ କମ‍୍‌ ଜାଗା ଯେ ତା’ ଭିତରେ ଅଟକିଥିବା ପବନ ବି ବାହାରିବାକୁ ବାଟ ପାଏ ନାହିଁ। ସେଠି ଚାପି ହୋଇ ଛଟପଟ ହୁଏ। କିନ୍ତୁ ଶବ୍ଦ ସେ ବାଧା ମାନେ ନାହିଁ। ବିଶେଷ କରି ସେ ବୁଢ଼ାବୁଢ଼ୀଙ୍କର ମୂଲ୍ୟହୀନ ପ୍ରଳାପ। ଦୁର୍ଯୋଗ ଯେ, ତାଙ୍କ ଘରଟି ଠିକ୍ ସମ୍ୱିତଙ୍କ ଶୋଇବା ଘରକୁ ଲାଗିଛି। ଯଦିଓ ଶୋଇବା ତାଙ୍କର ସବୁଠୁ ପ୍ରିୟ କର୍ମ, କିନ୍ତୁ ଆଜିକାଲି ତାଙ୍କୁ ଆଉ ନିଦ ହେଉନାହିଁ। ଦିନକୁ ଦିନ ଏଇ ଅନିଦ୍ରା ସମସ୍ୟାଟା ବଢ଼ିଚାଲିଛି। ତା’ ସାଙ୍ଗକୁ ପଛ ଦି’ ଜନ୍ତୁଙ୍କର ଅନୁପ୍ରବେଶ! ରାତିରେ ଧୂଆଧୋଇ ହୋଇ ଦେହକୁ ଢିଲା ଓ ମନକୁ ସ୍ଥିର କରିବାକୁ ଚେଷ୍ଟା କରୁଥିବେ, ପଛରୁ ବୁଢ଼ୀଙ୍କର ଫଟା ସ୍ୱର ଭାସି ଆସିବ, ‘ପପୁ ଜନ୍ମଦିନ ପାଇଁ ଆଜି ତ ଟଙ୍କା ପଠେଇଲ ନାହିଁ? ଛୁଆ ମୋର କେତେ ଖୁସୀ ହେଇଥାନ୍ତା?’ ବୁଢ଼ା ଧୀର ସ୍ୱରରେ ଉତ୍ତର ଦେବେ, ‘କାଲି ପଠେଇ ଦେବି।’

 

‘ସବୁ କଥାରେ ତମର ଡେରି...’ ସ୍ୱର ଆହୁରି ଉଚ୍ଚା ହେବ। ତା’ପରେ କଥା ଚାଲିବ ଯେ ଚାଲିବ। ସମ୍ୱିତଙ୍କର ନିଦ ହଜିବ ଯେ ହଜିବ।

 

ସକାଳେ ଆଖି ଖୋଲୁ ନ ଥିବ। ଇଚ୍ଛା ହେଉଥିବ ଆଉ ଟିକିଏ, ଆଉଟିକିଏ ଗଡ଼଼ିବା ପାଇଁ। ସେହି ଘାଗଡ଼ା କଣ୍ଠର ଶବ୍ଦ ଆସି କାନରେ ବାଡେ଼ଇ ହବ, ‘ଯାଉନା, ଶାଗ ଦି’ମୁଠା ଆଣିବ। ଡାକ୍ତର ପା’ କହିଛି ନିଇତି ଶାଗ ଖାଇବାକୁ।’

 

ବୁଢ଼ା ମଠେଇ ମଠେଇ ଉତ୍ତର ଦେବେ, ‘ତୁ ଆଉ ଟିକେ ଚା’ ବସୋଉନୁ।’

 

‘ହଉ ବସୋଉଛି। କିନ୍ତୁ ତମେ ଶାଗ ଆଣିଲେ ଯାଇ ତମକୁ ଚା’ ଦେବି। ନ ହେଲେ ମୋର ଗ୍ୟାସ‍୍‌ ରୋଗ ଯେତେ ବଢୁ ପଛେ ସବୁ ଚା’ ମୁଁ ପିଇଦେବି କହିଦେଉଛି।’

 

‘ଓଃ! ଭାସିଗଲା ତ!’ ସମ୍ୱିତ ମନେମନେ ବୁଢ଼ୀଙ୍କୁ ଏତକ ଶୁଣେଇ ତକିଆରେ ମୁହଁ ଜାକିଦେବେ। ତଥାପି, ନିସ୍ତାର କାହିଁ?

 

ବୁଢ଼ୀଙ୍କର ପାଟିଟା ବଡ଼। ବୁଢ଼ା ରହିରହି ଅପେକ୍ଷାକୃତ ଧୀର ସ୍ୱରରେ କୁହନ୍ତି। ସମ୍ୱିତ ଏଯାଏ ସେମାନଙ୍କୁ ଦେଖି ନାହାନ୍ତି। ଦେଖିବାର ଇଚ୍ଛା ବି ନାହିଁ। ତା’ ସତ୍ତ୍ବେ ସେ ତାଙ୍କ ପରିବାରକୁ ଭଲଭାବେ ଜାଣି ସାରିଲେଣି। ସେ ଜାଣନ୍ତି ଯେ ବୁଢ଼ା ପେନ‍୍‌ସନ‍୍‌ରେ ଚଳୁଛନ୍ତି। ଘରେ କେବଳ ବୁଢ଼ାବୁଢ଼ୀ ରହନ୍ତି। ବୁଢ଼ାଙ୍କର ମଧୁମେହ ସାଙ୍ଗକୁ ଉଚ୍ଚ ରକ୍ତଚାପ। ଭୋଜନ ପୂର୍ବ ଶର୍କରା ଦୁଇଶହ ପାଖାପାଖି ଓ ଭୋଜନ ପରେ ଦୁଇଶହ ପଚାଶ ଷାଠିଏ ଭିତରେ ରହୁଛି। ବୁଢ଼ୀଙ୍କର ଅଣ୍ଟା ଆଣ୍ଠୁ ପୀଡ଼ା। ଆଉ ଏଲୋପାଥି ନ ଖାଇ କବିରାଜୀ ଖାଉଛନ୍ତି। ପୁଅ ଦିଲ୍ଲୀରେ ରହୁଛି। ତା’ଘରଠାରୁ ତା’ ଅଫିସ‍୍‌ ବାଇଶି କିଲୋମିଟର ଦୂର। ସେମାନେ ସେଠି ଚବିଶ ହଜାର ଟଙ୍କା ଭଡ଼ା ଦେଉଛନ୍ତି। ତାଙ୍କ ପୁଅ ସୌଗତର ନାଁ ଏଥର ସ୍କୁଲରେ ଲେଖା ହେଲା ଓ ସେଥିପାଇଁ ଚାରି ଲକ୍ଷ ଟଙ୍କା ପଡ଼ିଲା। ବୁଢ଼ାବୁଢ଼ୀଙ୍କର ଝିଅର ବାହାଘର ହୋଇଯାଇଛି ଏବଂ ସେ ତା’ ସ୍ୱାମୀ ଓ ଝିଅ ସହ ବରୋଦାରେ ରହୁଛି। ତା’ ସହିତ ତାଙ୍କ ପୁଅ ଝିଅଙ୍କ ବାହାଘରରେ କ’ଣ କ’ଣ ସବୁ ହେଇଥିଲା, ନାତି, ନାତୁଣୀଙ୍କ ଜନ୍ମଦିନ ପାଇଁ ଏଥର କେତେ ଟଙ୍କା ପଠାଯାଇଛି ଠାରୁ ବୁଢ଼ୀ ପ୍ରତିଦିନ ବୁଢ଼ାଙ୍କ ପାଦରେ ତେଲ ମାଲିସ କରିବା ଓ ବୁଢ଼ା ବେଳେବେଳେ ବୁଢ଼ୀଙ୍କ ଅଣ୍ଟା ଦାବି ଦେଉଥିିବା କଥା ବି ସେ ଜାଣନ୍ତି। ଏହିସବୁ କଥାର ଘନଘନ ଅନୁପ୍ରବେଶ ସମ୍ୱିତଙ୍କର ମାନସିକ ସ୍ୱାଧୀନତାକୁ ବାରମ୍ୱାର ବିପନ୍ନ କରି ଚାଲିଛି। ନିଶ୍ଚିନ୍ତରେ କେତେବେଳେ ଟିକିଏ ଗଡ଼ିପଡ଼ିବା ବେଳେ ବା ଅତ୍ୟାବଶ୍ୟକ କାର୍ଯ୍ୟଟିଏ କଲା ସମୟରେ କି ସମୟ ସହ ଟିକେ ଖେଳିବାକୁ ଚେଷ୍ଟା କଲାବେଳେ ସେହି ବିରକ୍ତିକର ଶବ୍ଦ ସବୁ ତାଙ୍କ ଘର ଭିତରକୁ ପଶି ଆସି ତାଙ୍କ ଚତୁଃପାର୍ଶ୍ୱରେ ଉଦ୍ଦଣ୍ଡ ନୃତ୍ୟ କରି ଚାଲନ୍ତି। ସେ ବିରକ୍ତ ହୁଅନ୍ତି - ପଛ ବୁଢ଼ାବୁଢ଼ୀଙ୍କ ଉପରେ, ଏ ଘର ଉପରେ।

 

ବାସ୍ତବରେ ଦେଖିବାକୁ ଗଲେ, ଏ ଘର କି ଏ ସାହି; କେହି ସମ୍ୱିତର ଯୋଗ୍ୟ ନୁହଁନ୍ତି। ସେ କଥା ସେ ଜାଣନ୍ତି, ଜାଣନ୍ତି ବି ସାହି ଲୋକେ। ସେଥିପାଇଁ ନା ସମ୍ୱିତ ଏ ପର୍ଯ୍ୟନ୍ତ ଏଠି କାହା ସହ ସମ୍ପର୍କ ଗଢ଼ିଛନ୍ତି, ନା ପାଖ ପଡ଼ିଶା କେହି ତାଙ୍କ ଆଡ଼କୁ କେବେ ସ୍ମିତ ହସଟିଏ ବଢ଼େଇ ଦେଇଛନ୍ତି। ଏସବୁ ସତ୍ତ୍ବେ ସମ୍ୱିତ ଏ ଘରେ ରହିଛନ୍ତି। କାରଣ, ଏହି ଘରଗୁଡ଼ିକ ପରସ୍ପରକୁ ଏପରି ଘେରି ରହିଛନ୍ତି ଯେ ଏଠି ଚୋରି ଚମାରି ପ୍ରାୟ ନାହିଁ କହିଲେ ଚଳେ। ତା’ଛଡ଼ା ଲିପି ଆମେରିକା ଚାଲିଗଲା ପରେ ସେ ଏକା ବଡ଼ ଘରଟେ ନେଇ, ତା’ର ଦେଖାରଖା ପାଇଁ ଲୋକବାକ ରଖି ନିଜ ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରିବାକୁ ଚାହାନ୍ତି ନାହିଁ। ପୁଣି, ତାଙ୍କର ନିଜର ଯେଉଁ ଘର ତିଆରି ଚାଲିଛି - ତା’ଏଠୁ ଖୁବ‍୍‌ ପାଖ। ନିର୍ମାଣ କାର୍ଯ୍ୟ ସ୍ଥପତି ମହାଶୟ ବୁଝୁଥିଲେ ବି ସମ୍ୱିତର ଯେତେବେଳେ ଇଚ୍ଛା ଯାଇ ଦେଖିଦେଇ ଆସୁଛନ୍ତି।

 

ଲିପି ଆମେରିକା ଯିବାର ଦି’ ମାସ ହେଲାଣି। ସେତେବେଳକୁ ସେମାନେ ତାଙ୍କ ବାହାଘରର ପ୍ରଥମ ବାର୍ଷିକୀ ପାଳି ସାରିଥିଲେ। ତା’ ଉପଲକ୍ଷେ ତିନିଦିନ ଛୁଟି ନେଇ ଦିହେଁ ପଳେଇଥିଲେ ପୁରୀ। ସେମିତି କିଛି ନିର୍ଦ୍ଦିଷ୍ଟ ଯୋଜନା ନ ଥିଲା। କିନ୍ତୁ ବେଳାଭୂମିରେ ଚନ୍ଦ୍ରାତପରେ ଗାଧୋଇଲା ବେଳେ ସୁଉ ସୁଉ ପବନ ତାଙ୍କୁ ପିଠିରେ ବସେଇ ଉଡେ଼ଇ ନେଇଥିଲା କୁଆଡେ଼ ନାହିଁ କୁଆଡେ଼। ଯୁଆଡେ଼ ଗଲେ ତାଙ୍କୁ ଦିଶୁଥିଲା ଜହ୍ନ। କୋଳରେ ତାଙ୍କର ଅଜାଡ଼ି ହେଇ ପଡୁଥିଲା ମହାର୍ଘ ମୁହୂର୍ତ୍ତମାନ। ନିଦ ନ ଥିଲା, ଭୋକ ନ ଥିଲା, ପୁରୀ ସହର ନ ଥିଲା କି ଯେଉଁ ହୋଟେଲ‍୍‌ରେ ସେମାନେ ରହୁଥିଲେ ସେ ହୋଟେଲ‍୍‌ ବି ନ ଥିଲା। କେବଳ ଥିଲେ ସେ ଦି’ଜଣ ଆଉ ଜହ୍ନ-ସୁଉସୁଉ ପବନ ଓ ଉତ୍ତାଳ ସମୁଦ୍ର। ନିଶାସକ୍ତ ସମୟ ସହ ଯେତେ ଖେଳିଲେ ବି ମନ କିନ୍ତୁ ଭରି ନ ଥିଲା। ତେଣୁ, ସେଇ ମୁହୂର୍ତ୍ତମାନଙ୍କୁ ସେମାନେ ଗଣ୍ଠି ପକେଇ ଅଣ୍ଟାରେ ବାନ୍ଧିଥିଲେ। କଥା ଥିଲା ଆଉଥରେ, ପୂର୍ଣ୍ଣଚନ୍ଦ୍ର କାଳରେ ଗୋଟେ ଲମ୍ୱା ଛୁଟି ନେଇ ସେମାନେ ଆସିବେ ଓ ସେତିକିବେଳେ ଏ ଗଣ୍ଠି ଫିଟେଇ ମୁହୂର୍ତ୍ତମାନଙ୍କୁ ଆଉ ଥରେ ଥରେ ଜିଇବେ। ତା’ପରେ ସେମାନେ ପୁରୀରୁ ଫେରିଥିଲେ ଓ ଫେରିବା ମାତ୍ରେ ମିଳିଥିଲା ସୁଖବର। ଲିପିର କମ୍ପାନୀ ଆଡୁ। ପାଞ୍ଚବର୍ଷ ପାଇଁ ସେ କମ୍ପାନୀର ଆମେରିକାସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଯିବ। ଆଖି ଖୋଷି ହୋଇଯିବା ପରି ଦରମା। ତା’ ପୁଣି ବର୍ଷକୁ ବର୍ଷ ଅଗ୍ରିମ ଆକାରରେ ମିଳିଯିବ। କିନ୍ତୁ ପାଞ୍ଚବର୍ଷ ସେଠି ରହିବା ପାଇଁ ଚୁକ୍ତି କରିବାକୁ ପଡ଼ିବ। ଚୁକ୍ତି କଲାମାତ୍ରେ ପ୍ରଥମ ବର୍ଷର ଦରମା ସେ ପାଇଯିବ। ଏଥିପାଇଁ ଅବଶ୍ୟ ବାଧ୍ୟ ବାଧକତା ନ ଥିଲା। ଏ ପ୍ରସ୍ତାବରେ ଲିପି ରାଜି ହୋଇ ନ ଥିଲେ କମ୍ପାନୀ ପାଖରେ ଦ୍ୱିତୀୟ ବିକଳ୍ପ ବି ଥିଲା।

 

ଚର୍ଚ୍ଚା ଚାଲିଲା - ସମ୍ୱିତ ଓ ଲିପିଙ୍କ ଭିତରେ। ପାଞ୍ଚ ବର୍ଷ ତ - ଚାହୁଁ ଚାହୁଁ ପଳେଇବ। ଏମିତି ସୁଯୋଗ କ’ଣ ସବୁବେଳେ ଆସେ? ଏକାଥରେ ଏତେଗୁଡେ଼ ଟଙ୍କା - ଛାଡ଼ିବା ବୋକାମି ହେବ।

 

ଯୋଗକୁ ପିଲାପିଲିର ଯୋଜନା ସେମାନେ ସେଯାଏ କରି ନ ଥିଲେ। ତେଣୁ ସୁବିଧା ହେଲା। ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ବର୍ତ୍ତମାନକୁ ବନ୍ଧା ପକାଇ ଦିଆଗଲା।

ସମ୍ୱିତ ବେଶ‍୍‌ ଦୂରଦୃଷ୍ଟି ସମ୍ପନ୍ନ। ତାଙ୍କ ବିବାହର ବହୁ ପୂର୍ବରୁ, ସହରର ଏହି ଅଞ୍ଚଳ ଯେତେବେଳେ ନୂଆନୂଆ ବଢ଼ିବା ଆରମ୍ଭ କରିଥିଲା ସେତେବେଳେ ସେ ଜାଗା ଖଣ୍ଡିଏ କିଣି ତା’ ଚାରିପଟେ ପାଚେରି ବୁଲେଇ ଦେଇଥିଲେ। ତା’ପରେ ପଛପଟେ ଧାଡ଼ିଏ ବାଙ୍ଗରା ଆମ୍ୱଗଛ ଓ ବାକି ପାଚେରି କଡେ଼କଡେ଼ ଗୁଆଗଛମାନ ଲଗେଇଥିଲେ। ଏବେ ଲିପିର ଅଗ୍ରିମ ଟଙ୍କା ମିଳିଗଲା ପରେ ସେଥିରେ ଉଭୟଙ୍କର ସଞ୍ଚୟକୁ ମିଶେଇ ସେଠି ଘର ତିଆରି ଆରମ୍ଭ କରିଛନ୍ତି।

 

ସମ୍ୱିତ କି ଲିପି କେହି ବାସ୍ତୁକୁ ମାନ୍ୟତା ଦେଉନଥିଲେ ମଧ୍ୟ ନକ୍ସା ବାସ୍ତୁ ଅନୁସାରେ ତିଆରି ହୋଇଛି। ବଡ଼ ଜାଗା। ଠିକ୍ ମଝିରେ ଚାରିହଜାର ସ୍କୋୟାର ଫୁଟ‍୍‌ର ଘର। ଆଗରେ ବଗିଚା ଓ ଦୁଇ କଡ଼ରେ ଲନ‍୍‌ର ଯୋଜନା ରହିଛି। ସ୍ଥପତିଙ୍କ ନକ୍ସାଟି ଉଭୟଙ୍କ ମନକୁ ପାଇଥିଲା। ତେବେ ସାମାନ୍ୟ ତର୍କ ହୋଇଥିଲା ସୁଇମିଙ୍ଗ ପୁଲ‍୍‌ର ଅବସ୍ଥାନକୁ ନେଇ। ଲିପି ଛାତ ଉପରେ ସୁଇମିଙ୍ଗ ପୁଲ କରିବାକୁ କହିଲା ବେଳେ ସମ୍ୱିତ କହିଥିଲେ ତଳେ, ଘର ପଛପଟରେ କରିବା ପାଇଁ। ସ୍ଥପତି ମହାଶୟ କିନ୍ତୁ ସୁଇମିଙ୍ଗ ପୁଲକୁ ତଳ ମହଲାରେ ରଖିଲେ। ଅବଶ୍ୟ, ସମ୍ପୂର୍ଣ୍ଣ ଗୋପନୀୟ ଅବସ୍ଥାରେ। ଘର କାମ ଯେଉଁ ଗତିରେ ଚାଲିଛି ଆଉ ଆଠ/ଦଶ ମାସ ଭିତରେ ସରିଯିବ। ସରିଯାଉ କାମଟା, ଭଲ।

 

ଲିପିର ଯିବା ଆୟୋଜନ ସରିଥିଲା। ଯିବାର ଠିକ୍ ପୂର୍ବଦିନ ସେମାନେ ଜାଗା ପାଖକୁ ଆସିଥିଲେ। ଆମ୍ୱଗଛରେ ସେତେବେଳେ ବଉଳ ନଦି ହୋଇଯାଇଥିଲା। ଗୁଆଗଛଗୁଡ଼ିକ ଅତି ସୁଧାର ପିଲାଙ୍କ ପରି ସତେ ଅବା ପ୍ରାର୍ଥନା ଧାଡ଼ିରେ ଛିଡ଼ା ହୋଇଥିଲେ। ସମ୍ୱିତ ଅନ୍ୟମନସ୍କ ହୋଇଯାଇଥିଲେ। ଲିପି ଘରର ନିଅଁ ଆଡେ଼ ଚାହିଁଥିଲା। କୋଇଲିଟିଏ ଭାଙ୍ଗିଥିଲା ନିରବତା। ସମ୍ୱିତ ଲିପିର ହାତ ଧରି କହିଥିଲେ, ‘ଚାଲ।’ ତା’ପର ଦିନ ଲିପି ଦେଶ ଛାଡ଼ିଲା। ଏୟାରପୋର୍ଟରେ ଅପେକ୍ଷା କରିଥିବାବେଳେ ହଠାତ୍ ତା’ ଆଖିରୁ ଲୁହ କେଇବୁନ୍ଦା ଗଡ଼ିପଡ଼ିଲା। ସମ୍ୱିତ ବି ନିଜ ଆଖି ପୋଛିଥିଲେ। ଲିପି ନିଜକୁ ତତକ୍ଷଣାତ୍ ସମ୍ଭାଳି ନେଇ କହିଥିଲା, ‘ବ୍ୟସ୍ତ ହୁଅନା - ପାଞ୍ଚବର୍ଷ ଗୋଟେ ଖୁବ‍୍‌ ବଡ଼ ସମୟ ନୁହେଁ। ତୁମକୁ ଗୋଟେ ଦାୟିତ୍ୱ ଦେଇଯାଉଛି - ଆମ ଘରଟା ତିଆରି କରି ରଖିଥିବ।’ ତା’ପରେ ମୁହଁରେ ଗୋଟେ ଦୁଷ୍ଟ ହସ ଖେଳେଇ ସମ୍ୱିତଙ୍କ କାନ ପାଖରେ କହିଥିଲା, ‘ମୁଁ ଫେରିଲେ ପୁରୀ ପ୍ରୋଗ୍ରାମ।’ ଏତକ କହିସାରି ଏୟାରପୋର୍ଟର ଗହଳି ଭିତରେ ବି ସେ ସମ୍ୱିତର କାନକୁ ଆସ୍ତେ କରି କାମୁଡ଼ି ଦେଇଥିଲା।

 

ଲିପି ଯଦି ଆଉ ନ ଫେରେ? ଆଁ! ଫେରିବନି... କାହିଁକି? ସତରେ? ଲିପି ଏବେ ଅଫିସରେ ଥିବ। ଫୋନ‍୍‌ ଧରି ପାରିବନି। ତାଙ୍କ ଅଫିସ‍୍‌ରେ ବ୍ୟକ୍ତିଗତ ଫୋନ‍୍‌ ମନା। ଲିପି ଭାବୁଥିବ ତାଙ୍କ କଥା... ପୁରୀ କଥା? ରାତିରେ ଛଟପଟ ହେଉଥିବ ତାଙ୍କ ଭଳି... ନା’ ଶୋଇଯାଉଥିବ ନିଶ୍ଚିନ୍ତରେ... ନା... ଆଉ କାହା ସାଙ୍ଗରେ... ଯଦି ସେମିତି ହେଇଯାଏ... ସେ ଆବଶ୍ୟକତା ବି ମଣିଷର ଅଛି ନା?

 

ତା’ହେଲେ?

 

ନୂଆ ନୂଆ ସେମାନେ ବେଶୀ କଥା ହେଉଥିଲେ। ଏବେ ସେତେ କଥା ହୋଇ ପାରୁ ନାହାନ୍ତି। ସେଥିକୁ ପ୍ରତିବନ୍ଧକ ହେଉଛି ସମୟ। ଏଠି ଦିନ ହେଲେ ସେଠି ରାତି। ଲିପି କେତେବେଳେ ଅଫିସରେ ତ କେତେବେଳେ ହୁଏତ ନିଦରେ... ପୁଣି କେତେବେଳେ ଫୋନ‍୍‌ ସୁଇଚ ଅଫ୍। ଏକା ଅବସ୍ଥା ସମ୍ୱିତଙ୍କର ବି।

 

ସମ୍ୱିତ ଦିନକୁଦିନ ଅଧିକରୁ ଅଧିକ ଅସ୍ଥିର ହୋଇ ଉଠୁଛନ୍ତି। ରାତିରେ ନିଦ ପ୍ରାୟ ହେଉନାହିଁ କହିଲେ ଚଳେ। ବିଛଣାରେ ପଡ଼ି ଖାଲି ଛଟପଟ ହେବା କଥା। ଗୋଟେ ଅଦୃଶ୍ୟ ଅଭାବ ତାଙ୍କୁ ଖାଲି ଖାଇ ଗୋଡ଼ୋଉଛି।

 

ଶୋଇବା ଘର ଝରକାଟା ଆଉଜେଇ ହୋଇଯାଇଥିଲା। ସମ୍ୱିତ ଝରକା ଖୋଲିଦେଲେ। ପଛରେ ବୁଢ଼ାବୁଢ଼ୀଙ୍କ ଘର। ପଛଆଡୁ କିଛିଦିନ ହେବ ସେ ଆଉ କାହାରି ପାଟି ଶୁଣି ନାହାନ୍ତି, ସେଆଡ଼କୁ ତାଙ୍କ ଧ୍ୟାନ ବି ନାହିଁ। ଓଃ! ରକ୍ଷା। ତେବେ ୟା କ’ଣ ସମ୍ଭବ? ବୁଢ଼ୀଙ୍କର ପାଟି ଚୁପ‍୍‌ ହୋଇପାରେ? ସେ ଝରକା ଦେଇ କାନେଇଲେ। ନା, ତ... କିଛି ସୋର ଶବ୍ଦ ନାହିଁ। ମଝିରେ ବୁଢ଼ାଙ୍କର ଦେହ ଖରାପ ହୋଇଥିଲା। ପୁଅ ଆସିଥିଲା। ନେଇଗଲା କି ବୁଢ଼ା ବୁଢ଼ୀଙ୍କୁ ସାଙ୍ଗରେ?

 

ପରିଚିତ ଶବ୍ଦର ଅବର୍ତ୍ତମାନରେ ସେ କିଞ୍ଚିତ୍ ସମୟ ପୁଲକିତ ହୋଇଥିଲେ ମଧ୍ୟ ପର ମୁହୂର୍ତ୍ତରେ ସେ କିଛି କ୍ଷୟ ହୋଇଯିବାର ଉପଲବ୍ଧି କଲେ। ତା’ପରେ ସେ କେବଳ ସେହି ଆଡ଼କୁ କାନ ଡେରି ରହିଲେ। ବାସନର ଖଡ଼ଖାଡ଼ ଶବ୍ଦ ଶୁଭୁଛି। କିନ୍ତୁ ପାଟି ଶୁଭୁନାହିଁ। ତା’ହେଲେ? ‘ଛାଡ଼ ହୋ ସେଥିରୁ ମୋର କ’ଣ ଗଲା’ ବୋଲି ମନକୁ ମନ କହିଲେ ଓ ଲାପ‍୍‌ଟପ‍୍‌ ଧରି ବସିଗଲେ। ଶୁଭିଲା କି? ସମ୍ୱିତ୍ ଚମକିଲେ, ଝରକା ଆଡ଼କୁ କାନେଇଲେ, କିଛି ଶୁଣିବାକୁ ନପାଇ ପୁଣି ଆସି ଲାପ‍୍‌ଟପ‍୍‌ ବନ୍ଦ କଲେ ଓ ଘର ବାହାରକୁ ଆସିଲେ। ଏମିତି, ଖାଲି ଏମିତି, ଉଦ୍ଦେଶ୍ୟହୀନ ଭାବେ। ସେଇ ଭାବରେ ଟହଲି ଟହଲି ଚାଲି ଆସିଲେ ପଛପଟକୁ। ଯନ୍ତ୍ରବତ୍ ସେ ପହଞ୍ଚିଗଲେ ତାଙ୍କ ଘର ଆଗରେ। କବାଟ ଭିତରୁ ବନ୍ଦ ଥିଲା। ସେ ଠକ୍‌ଠକ୍‌ କଲେ। କବାଟ ଯିଏ ଖୋଲିଲେ- ସେଇ ସମ୍ଭବତଃ ବୁଢ଼ୀ! ବୁଢ଼ୀଙ୍କର ବାଙ୍ଗରା ଦେହ, ସାମାନ୍ୟ ବଙ୍କା ଅଣ୍ଟା ଓ ସନ୍ତସନ୍ତିଆ ଆଖିକୁ ଦେଖି ସମ୍ୱିତ କହିଲେ, ‘ମୁଁ ସମ୍ୱିତ। ଆପଣଙ୍କ ପଡ଼ିଶା। ଠିକ୍ ଆପଣଙ୍କ ପଛ ଘରେ ରୁହେ।’

 

‘ଆସ ବାପା।’ ବୁଢ଼ୀ ଭିତରକୁ ଡାକିଲେ। ଆରେ ବୁଢ଼ୀ ତ କହୁଛନ୍ତି କଥା। ତେବେ ସେ କେମିତି ଶୁଣି ପାରୁନଥିଲେ? ଭିତରେ ଖଟିଆଟିଏ। ବୁଢ଼ା ଶୋଇଛନ୍ତି। ପାଖରେ ଚିଆର। ବୁଢ଼ୀ କହିଲେ, ‘ବସ।’ ପରିବେଶଟି ଖୁବ‍୍‌ ଅସ୍ୱାଭାବିକ ଲାଗିଲା ସମ୍ୱିତଙ୍କୁ, ‘ଆପଣଙ୍କ କଥା ମାଉସୀ, ଆମ ଘରକୁ ଶୁଭେ। ଏବେ କାହିଁ ଆପଣଙ୍କ ପାଟି ଶୁଭୁନି ତ, ଭାବିଲି...।’

 

ବୁଢ଼ୀ ଆଖିରୁ ଲୁହ ପୋଛିଲେ, ‘ମୋ ଶୁଣିବା ଲୋକ ତ ପଡ଼ିଗଲା। ଆଉ କାହାକୁ କହିବି ଯେ କିଏ ଶୁଣିବ ମୋ କଥା।’

 

ସମ୍ୱିତ ପରିବେଶର ଗୁରୁତ୍ୱକୁ ବୁଝି ସାରିଥିଲେ। ବୁଢ଼ାଙ୍କ କଡ଼ରେ ଟେବୁଲ ଉପରେ ଔଷଧଗୁଡ଼ିଏ ଥୁଆ ହୋଇଥିଲା। ଖଟରେ ତାଙ୍କର ନିଶ୍ଚଳ ଶରୀର। ମୁହଁ ଗୋଟିଏ ଆଡ଼କୁ ବାଙ୍କି ଯାଇଥିଲା। ହଠାତ୍ ରକ୍ତଚାପ ବଢ଼ିଯିବାରୁ ପକ୍ଷାଘାତ। ଏ କଥା ଶୁଣି ପୁଅ ଆସିଥିଲା। ତାଙ୍କୁ ଡାକ୍ତରଖାନା ବି ନିଆଯାଇଥିଲା। ଡାକ୍ତର କହିଲେ ଘରେ ଚିକିତ୍ସା କରିବା ଭଲ। ପୁଅର ଛୁଟି ନ ଥିବାରୁ ଓ ତା’ ପୁଅର ସ୍କୁଲ ବନ୍ଦ ନ କରିବା ପାଇଁ ସେ ପଳେଇଲା। କହିଯାଇଛି, ଆସିବ। ଏବେ ବୁଢ଼ାଙ୍କ ପାଖରେ ଏକା ବୁଢ଼ୀ!

 

ସମ୍ୱିତ କ’ଣ କହିଥାନ୍ତେ? ବୁଢ଼ୀ ଚା’ ଦେଲେ। ସମ୍ୱିତ ଚା’ ପିଇଲେ। ତା’ପରେ ଉଠିଲେ, ‘ମୁଁ ପୁଣି ଆସିବି ମାଉସୀ। ଏବେ ଯାଉଛି। କିଛି ଦରକାର ଥିଲେ ମତେ କହିବେ।’ ଦୁଆର ମୁହଁରେ ବଳେଇ ଦେବା ବେଳେ ବୁଢ଼ୀ ସମ୍ୱିତଙ୍କ ହାତ ଧରିପକେଇଲେ, ‘ଏ, ପୁଅ। ବୁଢ଼ା ଭଲ ହେଇଯିବେ ନାହିଁ? ଭଲ ହେଇଗଲେ ଏଥର ଖାଲି ସିଏ କୁହନ୍ତେ, ମୁଁ ଶୁଣନ୍ତି।’

 

ଅତଡ଼ାଟିଏ ଖସିଗଲା ଗୋଡ଼ ପାଖରୁ। ସମ୍ୱିତ ସେଇ ଅତଡ଼ାରେ ଖସିଖସି ରାସ୍ତାକୁ ଚାଲି ଆସିଲେ। ତାଙ୍କ ଭିତରେ ଏବେ ଭୟଙ୍କର କୋଳାହଳ। ଶବ୍ଦହୀନତାର କୋଳାହଳ। ତାଙ୍କ ଘର ଆଗରେ ସାଇକେଲ ଚଢ଼ି ଗୀତ ଗାଇ ଗାଇ ଯାଉଥିବା ପିଲାଟିକୁ ଦେଖି ସେ ହସିବାକୁ ଚେଷ୍ଟା କଲେ। ପିଲାଟି ହସର ଉତ୍ତର ଫେରାଇଲା। ଲିପିକୁ ସେ ଫୋନ‍୍‌ ଲଗେଇଲେ। ସୁଇଚ‍୍‌ ଅଫ୍। ଏଇ ମୁହୂର୍ତ୍ତରେ ତାଙ୍କର କଥାହେବା ନିହାତି ଦରକାର। ତେବେ କାହା ସାଙ୍ଗରେ? ହଠାତ୍ ମନକୁ ଆସିଲା-ବୋଉ। ରିଙ୍ଗ୍ ହେଲା। ସେପଟୁ ଭାସି ଆସିଲା ମଧୁର ସ୍ୱନ ‘ହଁ ବୁଢ଼ା...!’

 

ସଂପର୍କ- ୯୬୫୮୦୬୫୬୭୯


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top