ସମବାୟ ବିଫଳତା- ଚାଷୀଙ୍କ କଷଣ

News Story - Posted on 2016-12-28

ସୂର୍ଯ୍ୟମଣି ମିଶ୍ର

 

ଓଡ଼ିଶାର ଚାଷୀଙ୍କ ଦୁଃଖ ଦୂର ହେବା ପରିବର୍ତ୍ତେ ବଢିବାରେ ଲାଗିଛି। ସରକାରୀ ଇଚ୍ଛାଶକ୍ତିର ଅଭାବ ସହ ଯୋଡ଼ି ହୋଇଯାଇଛି ଦୁର୍ନୀତି। ନିକଟରେ ଏକ ତଥ୍ୟ ପ୍ରକାଶ ପାଇଥିଲା ଧାନ କିଣାରେ ମାର୍କଫେଡ଼ରେ ୪୦୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। କେବଳ ବରଗଡ଼ ଜିଲ୍ଲାରେ ଏଇ ବାବଦରେ ୪୧ କୋଟି ଟଙ୍କାର ଅନିୟମିତତା ହୋଇଛି। ବରଗଡ଼ ଜିଲ୍ଲାରେ ବିନା ପି-ପାସ‍୍‌ରେ କେଉଁ ଚାଷୀଙ୍କ ଠାରୁ ଧାନ କିଣାଯାଇଛି ସେ ସଂପର୍କୀୟ ତଥ୍ୟ ସମବାୟ ସମିତି ପାଖରେ ଉପଲବ୍ଧି ହୋଇପାରିନାହିଁ। ଏଥିପାଇଁ ୨୮,୭୪୩ ମେଟ୍ରିକ୍ ଟନ‍୍‌ ଧାନର ହିସାବ ମିଳୁନି। ଚାଷୀଙ୍କୁ ଅନ‍୍‌ଲାଇନ‍୍‌ ମାଧ୍ୟମରେ ସେମାନଙ୍କ ପ୍ରାପ୍ୟ ଦିଆଯାଇଛି ବୋଲି ସରକାରୀ ଭାବେ କୁହାଯାଇଛି। କିନ୍ତୁ ଡାଟାବେସରେ ଏ ସମ୍ପର୍କିତ ତଥ୍ୟ ନାହିଁ। ଅଣ୍ଡରରେଟ‍୍‌ରେ ଧାନ ବିକୁଛି ଚାଷୀ। ନିଜର ହକ୍ ପ୍ରାପ୍ୟ ପାଉନି। ଋଣବୋଝରେ ଚାଷୀ ପରିବାର ଦହଗଞ୍ଜ ଜୀବନ କାଟୁଛି।

 

ଏଥିରୁ ମୁକ୍ତି ଦେବା ପାଇଁ ସରକାରୀ ଭାବେ ବହୁ ଯୋଜନାର ପ୍ରଚାର ହେଉଛି ସତ, କିନ୍ତୁ ବାସ୍ତବରେ ଚାଷୀଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚି ପାରୁନାହିଁ। ବେପାରୀ, ମିଲର୍ସ ମିଳିମିଶି ଚାଷୀଙ୍କୁ ଶୋଷଣ କରୁଛନ୍ତି। ରାଜ୍ୟ ସମବାୟ ମନ୍ତ୍ରୀ ସମବାୟ ବିଭାଗରେ ହୋଇଥିବା ଦୁର୍ନୀତିର ତଦନ୍ତ ହେବ ବୋଲି ଭରସା ଦେଇଛନ୍ତି ସତ କିନ୍ତୁ ଦୁର୍ନୀତିର ଉତ୍ସକୁ ଏଯାଏ ଠାବ କରାଯାଇପାରିନାହିଁ। ସମବାୟ ବିଭାଗ ଚାଷୀଙ୍କୁ ସଶକ୍ତିକରଣ କରିବା ପାଇଁ ଏକ ପ୍ରମୁଖ ବିଭାଗ ହୋଇଥିଲେ ମଧ୍ୟ ବିଭାଗରେ ଉତ୍ତରଦାୟିତ୍ୱ ପାଳନର ଗ୍ୟାରେଣ୍ଟି ନଥିବାରୁ ଚାଷୀଙ୍କ କଷଣ ବଢିବାରେ ଲାଗିଛି।

 

ଚାଷ ଓ ଚାଷୀର ବିକାଶ ପାଇଁ ସମବାୟ ବିଭାଗର ଭୂମିକା ଗୁରୁତ୍ୱ ବହନ କରେ। କିନ୍ତୁ ଦୁଇଦଶନ୍ଧି ଧରି ଏହି ବିଭାଗର କାର୍ଯ୍ୟନ୍ୱୟନ ଚାଷୀ ଓ ଚାଷର ବିକାଶରେ ସହାୟକ ହେବା ପରିବର୍ତ୍ତେ ଦୁର୍ନୀତି ବୃଦ୍ଧିର କାରଣ ପାଲଟିଛି। ନିକଟରେ ରାଜ୍ୟ ସରକାର ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ୬ ହଜାର ୧୪ କୋଟି ୬ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ‍୍‌ ବ୍ୟବସ୍ଥା କରିଛନ୍ତି। ଏହି ଅତିରିକ୍ତ ବଜେଟ‍୍‌ ବ୍ୟବସ୍ଥାରେ ସମବାୟ ବିଭାଗ ପାଇଁ ୧୧୬ କୋଟି ୭୭ ଲକ୍ଷ ଟଙ୍କାର ଅତିରିକ୍ତ ବ୍ୟୟ ବରାଦ କରାଯାଇଛି। ତେବେ ସମବାୟ ବିଭାଗ ପାଇଁ ଏହି ଅତିରିକ୍ତ ବ୍ୟୟ ବରାଦର ଆବଶ୍ୟକତା ନେଇ ପ୍ରଶ୍ନ ଉଠିଛି। ୨୦୧୪-୧୫, ୨୦୧୫-୧୬ ଆର୍ଥିକ ବର୍ଷର ବ୍ୟୟ ବରାଦ, ମୂଳ ବଜେଟ‍୍‌ ଓ ଅତିରିକ୍ତ ବଜେଟ‍୍‌କୁ ମିଶାଇ ୧ହଜାର ୯ କୋଟି ୯୫ ଲକ୍ଷ ଓ ୯୩୧ କୋଟି ୬୫ ଲକ୍ଷ ଟଙ୍କା ବ୍ୟବସ୍ଥା କରାଯାଇଛି। ଏହି ଆର୍ଥିକ ବର୍ଷରେ ୫୭୭ କୋଟି ୧୯ ଲକ୍ଷ ଟଙ୍କା ଓ ୭୬୬ କୋଟି ଟଙ୍କା ଯଥାକ୍ରମେ ସମବାୟ ବିଭାଗ ଖର୍ଚ୍ଚ କରିଛି। ଏହିପରି ଅଣଯୋଜନାରେ ୨୦୧୪-୧୫ ଓ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ୧୧୩ କୋଟି ୪୦ ଲକ୍ଷ ଟଙ୍କା ଓ ୯୫ କୋଟି ୫୬ ଲକ୍ଷ ଟଙ୍କା ବଜେଟ‍୍‌ରେ ବ୍ୟୟ ବରାଦ ହୋଇଥିଲା। ଏହି ବ୍ୟୟବରାଦରୁ ୯୫ କୋଟି ୨୮ ଲକ୍ଷ ଟଙ୍କା ଓ ୮୯ କୋଟି ୨୫ ଲକ୍ଷ ଟଙ୍କା ବିଭାଗ ଖର୍ଚ୍ଚ କରିଥିଲା। ସମବାୟ ବିଭାଗର କାର୍ଯ୍ୟନିର୍ବାହରେ ବିଫଳତା ଏଥିରୁ ପ୍ରମାଣିତ  ହୁଏ। ଏହିପରି ବିଭାଗ ଅଧୀନରେ ରାଜ୍ୟରେ ୬୬ଟି ଆର‍୍‌ଏମ‍୍‌ସି କାର୍ଯ୍ୟକାରୀ କରୁଛି। ମାତ୍ର ୩୦ଟି ଆର‍୍‌ଏମ‍୍‌ସିରେ ପରିଚାଳନା କମିଟି ଗଠନ ହୋଇପାରିଛି।

 

ନିୟମ ଅନୁସାରେ ଏହି ଆର‍୍‌ଏମ‍୍‌ସିରେ କୃଷକ ପ୍ରତିନିଧି ୮ଜଣ, ବ୍ୟବସାୟ ପ୍ରତିନିଧି ୪ଜଣ, ଲୋକାଲ‍୍‌ ଅଥରିଟିରୁ ୨ଜଣ, ସରକାରଙ୍କ ଦ୍ୱାରା ମନୋନୀତ ୩ ଜଣ ଅଧିକାରୀଙ୍କୁ ନେଇ ପରିଚାଳନା ପରିଷଦ ଗଠନ ହେବା କଥା। କିନ୍ତୁ ବିଭାଗ ପକ୍ଷରୁ ନିୟମ ଉଲ୍ଲଙ୍ଘନ କରାଯାଇ ପରିଚାଳନା ବୋର୍ଡ ନିର୍ବାଚନ ମାଧ୍ୟମରେ ଗଠନ କରାଯାଇଥାଏ। ବିଧାନସଭାର ବିଭାଗୀୟ ଷ୍ଟାଣ୍ଡିଂ କମିଟିର ତୃତୀୟ ରିପୋର୍ଟରେ ବିଭାଗକୁ କ୍ରିୟାଶୀଳ ଓ କୃଷକଙ୍କ ବିକାଶ ପାଇଁ ଉତ୍ତରଦାୟୀ କରିବା ନିମନ୍ତେ ୧୭ଟି ସୁପାରିଶ କରାଯାଇଥିଲା। ଏହି ସୁପାରିଶ ମଧ୍ୟରୁ ଗୋଟିଏ ସୁପାରିଶ ମଧ୍ୟ ସଫଳତାର ସହ କାର୍ଯ୍ୟକାରୀ ହୋଇପାରିନାହିଁ। ଆରଏମ‍୍‌ସିର ଭିତ୍ତିଭୂମି ସଜଡ଼ା ଯାଇପାରିନାହିଁ। ବଜାର ଉପପ୍ରାଙ୍ଗଣ, ମାର୍କେଟ ୟାର୍ଡ, େୱ ବ୍ରିଜ୍‌, ପେଡି କ୍ଲିନ‍୍‌ର, ଫାର୍ମସ‍୍‌ ରେଷ୍ଟ ସେଡ୍, ଡିଙ୍କ୍ରିଙ୍ଗ୍ କ୍ଲିନ‍୍‌ ୱାଟର‍୍‌ ପ୍ରାୟତଃ ଆରଏମ‍୍‌ସିରେ ନାହିଁ। ବିଭାଗ ଅଧୀନରେ ଥିବା କୃଷି ବିପଣନ ନିର୍ଦ୍ଦେଶାଳୟରେ ମାତ୍ର ୪ ଜଣ କର୍ମଚାରୀ ଅଛନ୍ତି। ଆର‍୍‌ସିଏସ‍୍‌ ଓ ଏଆର‍୍‌ସିରୁ ୬ ଜଣ କର୍ମଚାରୀ ଅଣାଯାଇ ନିର୍ଦ୍ଦେଶାଳୟ ଚାଲିଛି। କୃଷିଜାତ ଦ୍ରବ୍ୟର ବିପଣନ ଓ କୃଷିଯନ୍ତ୍ରପାତି ଚାଷୀଙ୍କ ପାଖରେ ପହଞ୍ଚାଇବାରେ ବିପଣନ ନିର୍ଦ୍ଦେଶାଳୟ ବିଫଳ ହୋଇଛି। ସମବାୟ ବିଭାଗ କୃଷକଙ୍କୁ ସ୍ୱଳ୍ପ ଓ ଦୀର୍ଘକାଳୀନ ଋଣ ସହ କୃଷିଜାତ ସାମଗ୍ରୀର ବିପଣନକୁ କ୍ରିୟାଶୀଳ ଓ ସୁନିଶ୍ଚିତ କରିବା କଥା। ବିଭାଗ ଏହାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛି। କୃଷି ବିଭାଗ ଏବଂ ସମବାୟ ବିଭାଗ ଅଲଗା ହୋଇଥିବାରୁ ଏହି ଉଭୟ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଅନେକ ସମୟରେ ଦେଖିବାକୁ ମିଳୁଛି।

 

ରାଜ୍ୟର ସମୁଦାୟ ୨୭୦୯ଟି ପ୍ରାଥମିକ କୃଷି ଋଣ ସମବାୟ ସମିତି ଅଛି। ପାଖାପାଖି ୨୬୦୦ ସମବାୟ ସମିତିର କମ୍ପ୍ୟୁଟରୀକରଣ ପାଇଁ ୩୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। କାହିଁକି ଏ ବ୍ୟୟବରାଦ ବୋଲି ଏବେ ସମବାୟ ସହ ଜଡ଼ିତ ଚାଷୀଙ୍କ ପକ୍ଷରୁ ଉତ୍ତର ଖୋଜାଯାଇଛି। ୨୦୧୪-୧୫ରେ ୧୮ କୋଟି ୭୭ ଲକ୍ଷ ଟଙ୍କାରୁ ଅଧିକ ଏଥିପାଇଁ ବ୍ୟୟ ବରାଦ କରାଯାଇଥିଲା। ୨୦୧୫-୧୬ ସୁଦ୍ଧା ମାତ୍ର ୧୪୧ଟି ସମବାୟ ସମିତି କମ୍ପ୍ୟୁଟରୀକରଣ ହୋଇପାରିଛି। ଏହି କମ୍ପ୍ୟୁଟରୀକରଣ ହାରକୁ ସମୀକ୍ଷା କଲେ ୩ ବର୍ଷରେ ୨୬୦୦ ସମବାୟ ସମିତି କମ୍ପ୍ୟୁଟରୀକରଣ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ୧୪୧ଟି କମ୍ପ୍ୟୁଟରୀକରଣ ହୋଇପାରିଲା। ତେବେ ୨୪୫୯ଟି ସମବାୟ ସମିତିର କମ୍ପ୍ୟୁଟରୀକରଣ ପାଇଁ ବିଭାଗକୁ କେତେ ବର୍ଷ ଲାଗିବ? କମ୍ପ୍ୟୁଟର ଅପରେଟ‍୍‌ କରିବା ପାଇଁ ପ୍ରଶିକ୍ଷିତ କର୍ମଚାରୀ ମଧ୍ୟ ନାହାନ୍ତି। କାହିଁକି, କେଉଁ ଆଧାରରେ ଏହି କମ୍ପ୍ୟୁଟରୀକରଣ ଓ ଆନୁସଙ୍ଗିକ ଉପକରଣ କ୍ରୟ ପାଇଁ ୪୮ କୋଟି ୩୧ ଲକ୍ଷ ୭୮ ହଜାର ୯୦୩ ଟଙ୍କାର ଅର୍ଡର ଦିଆଯାଇଛି। ସମବାୟ ବିଭାଗ ଅଧୀନରେ ଏକଦା ୧୧୩ଟି ଶୀତଳ ଭଣ୍ଡାର ଥିଲା, ଏବେ ୮୦ଟି ଅଚଳ। ଚାଷୀଙ୍କୁ ପାଣିପାଗ, ଚାଷ ପଦ୍ଧତି ଓ ଚାଷର ବୈଜ୍ଞାନିକ ପ୍ରଣାଳୀ ସଂପର୍କରେ ଜଣାଇବା ପାଇଁ ରାଜ୍ୟର ୧୮ ହଜାର ଚାଷୀଙ୍କୁ ମାଗଣାରେ ମୋବାଇଲ‍୍‌ ବଣ୍ଟନ କରାଗଲା। ୨୦୧୦ର ସର୍ଭେ ଅନୁଯାୟୀ ରାଜ୍ୟରେ ମୋଟି ୯୫ ଲକ୍ଷ ଚାଷୀ ଅଛନ୍ତି। ମାତ୍ର ୧୮ ହଜାର ଚାଷୀଙ୍କୁ ମୋବାଇଲ‍୍‌ ଦିଆଯାଇଛି। ଅବଶିଷ୍ଟ ଚାଷୀ ସମବାୟ ବିଭାଗ ପକ୍ଷରୁ  ଆଗାମୀ କେତେବର୍ଷ ସୁଦ୍ଧା ମୋବାଇଲ‍୍‌ ପାଇବେ ଓ କୃଷିର ଆଧୁନିକୀକରଣ ସଂପର୍କରେ ସୂଚନା ପାଇବାକୁ ସମର୍ଥ ହେବେ? ୨୦୧୫-୧୬ ଖରିଫ୍ ଋତୁରେ ଚାଷୀଙ୍କୁ ୫ ହଜାର ୫୦୦ କୋଟି ଟଙ୍କାର ଋଣ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଋଣ ଦିଅଗଲା ୫ ହଜାର ୭୨ କୋଟି ଟଙ୍କା।

 

ଏହିପରି ରବି ଫସଲ ପାଇଁ ୪ ହଜାର ୫୦୦ କୋଟି ଟଙ୍କା ଋଣ ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଚାଷୀଙ୍କୁ ମିଳିଲା ମାତ୍ର ୪୮୭ କୋଟି ଟଙ୍କାରର ଋଣ। ସମବାୟ ସଂସ୍ଥା ମାଧ୍ୟମରେ ଚାଷୀମାନଙ୍କୁ ୧ ପ୍ରତିଶତ ସୁଧରେ ୫୦ ହଜାର ଟଙ୍କା ଏବଂ ୨ ପ୍ରତିଶତ ସୁଧରେ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ସ୍ୱଳ୍ପ ମିଆଦି ଋଣ ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। କିନ୍ତୁ ସମବାୟ ସଂସ୍ଥାଗୁଡ଼ିକ ଏହି ଋଣ ଟଙ୍କାର ଇନ‍୍‌ଟ୍ରେଷ୍ଟର ସବ‍୍‌ସିଡିକୁ ‘ତୋର ଅଧେ, ମୋର ଅଧେ-ରାଧେ ରାଧେ’ ଢାଞ୍ଚାରେ କାଗଜ କଲମରେ ଋଣ ଦିଆଯାଇଥିବା ଦର୍ଶାଇ ସରକାରୀ ଅର୍ଥକୁ ହଜମ କରିଚାଲିଛନ୍ତି। ବିଭାଗୀୟ ମନ୍ତ୍ରୀ ନିକଟରେ ବିଧାନସଭାରେ ବିଭାଗରେ ଦୁର୍ନୀତି ହୋଇଥିବା ସ୍ୱୀକାର କରିଛନ୍ତି। କୃଷକଙ୍କୁ ଯେତେ ସ୍ୱଳ୍ପ ମିଆଦି ଋଣ ଦିଆଯାଉଛି, ଏଥି ମଧ୍ୟରୁ ୭୫ ଭାଗ ଋଣ ସମବାୟ ସମିତି ମାଧ୍ୟମରେ ଦିଆଯାଇଥାଏ। ଅବଶିଷ୍ଟ ୨୫ ଭାଗ ଋଣ ଜାତୀୟକରଣ ବ୍ୟାଙ୍କ, ଘରୋଇ ବ୍ୟାଙ୍କ ଦେଇଥାନ୍ତି। ଜାତୀୟକରଣ ବ୍ୟାଙ୍କଗୁଡ଼ିକ କୃଷକମାନଙ୍କୁ ଋଣ ପ୍ରଦାନର ହାର ୧୦ ବର୍ଷ ହେଲା ବୃଦ୍ଧି କରୁ ନାହାନ୍ତି। ସରକାର ବ୍ୟାଙ୍କରସ‍୍‌ କମିଟି ବୈଠକରେ କୃଷକମାନଙ୍କୁ ଋଣ ଦେବା ପାଇଁ ଥରକୁ ଥର କହୁଥିଲେ ହେଁ ବ୍ୟାଙ୍କଗୁଡ଼ିକ ସରକାରଙ୍କ ପରାମର୍ଶକୁ କାର୍ଯ୍ୟକାରୀ କରୁନାହାନ୍ତି। ସରକାର ଦାବି କରୁଛନ୍ତି, କିନ୍ତୁ ଫଳ ଫଳୁନି। ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି କୃଷିର ବିକାଶ ପାଇଁ ଜାତୀୟକରଣ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କ ଋଣ ଦେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। କମ‍୍‌ ଋଣ ଦେଉଛନ୍ତି। ଚାଷୀଙ୍କ ପାଇଁ ସରକାର କାର୍ଯ୍ୟକାରୀ କରୁଥିବା ଋଣ ବ୍ୟବସ୍ଥା ବିଷଚକ୍ରରେ ପରିଣତ ହୋଇଛି। ସମବାୟ ବିଭାଗର ଆଖି ଅଛି, କାନ ଅଛି, କିନ୍ତୁ ଦେଖିଶୁଣି ନିରବ ରହୁଛି। କାରଣ ବିଭାଗରେ ଦୁଇଦଶନ୍ଧି ଧରି ଲାଗିରହିଥିବା ସ୍ଥାଣୁତା ରୋଗ ଦୂର ପାରୁନାହିଁ। କେବେ ସୁଧୁରିବ ସମବାୟ ବିଭାଗ୍‌, ଚାଷ ଓ ଚାଷୀଙ୍କ ବିକାଶରେ ଏହି ବିଭାଗ ନିଜର ଉତ୍ତରଦାୟିତ୍ୱ ପାଳନ କରିବ?

 

ସାମ୍ୱାଦିକ, କ୍ୱାର୍ଟର ନଂ. ଭିଆର‍୍‌ ୧୦/୧,

ୟୁନିଟ‍୍‌-୩, ଖାରବେଳନଗର, ଭୁବନେଶ୍ୱର

ସଂପର୍କ: ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top