କାମିନୀ-କାଞ୍ଚନ

News Story - Posted on 2016-12-27

ହୃଷୀକେଶ ପଣ୍ଡା

 

ଜିନିଅସ‌୍‍ମାନଙ୍କୁ ଚିହ୍ନିବାରେ କାହାର ବା ଭୁଲ‌୍‍ଭଟକା ହେଇପାରେ, କିନ୍ତୁ ପଞ୍ଚୁର ନୁହେଁ। ସେ ହଠାତ‌୍‍ ଜଣକୁ ଦେଖିଦେଇ ନିର୍ଭୁଲ‌୍‍ ଭାବେ କହି ଦେଇପାରେ ଯେ, ତା’ଠି କେତେ ବିଦ୍ୟା, କେତେ ବୁଦ୍ଧି, ମଗଜରେ କେତେ ମସଲା ଅଛି ଏବଂ ଭବିଷ୍ୟତରେ ସେ କ’ଣଟେ ହେଇ ବାହାରିବ, ଅକାଟ୍ୟ ଭବିଷ୍ୟବାଣୀ ବି ଶୁଣେଇ ଦେଇପାରେ।

 

ଅବଶ୍ୟ ପଞ୍ଚୁର ଏଇ ଗୁଣଟା ବିଲେଇର ମୂଷା ଉଣ୍ଡିଲା ପରି, ଶତକଡ଼ା ଶହେ ପରଫେକ୍ଟ ସାବିତ‌୍‍ ହେଇଆସିଚି ଏଯାବତ‌୍‍। ଗୋଟିଏ ନଜରରେ, କାହାଠି କୋଉ ଚିଜଟା ଲୁଚିରହିଛି, ତାକୁ ଜଳଜଳ ଦିଶିଯାଏ। ଆଉ ଏବର୍ଷ ପରୀକ୍ଷାରେ କିଏ ରେକର୍ଡ଼ କରିବ ବା କେତେଜଣ ପ୍ରଥମ ଶ୍ରେଣୀରେ ଉତୁରିବେ, ସେସବୁ ପଞ୍ଚୁର ନଖଦର୍ପଣରେ।

 

କଲେଜ ଗେଟ‌୍‍ଠୁ ସିଧା ଗଣିଗଣି ଦେଢଶ’ ପାଦ ଗଲେ ବାଁ ପଟ ଓସ୍ତଗଛ ମୂଳେ ଯୋଉ ମାର୍ଗୋ ସାବୁନ‌୍‍ ବିଜ୍ଞାପନ ମରା କ୍ୟାବିନ‌୍‍, ସେଇଟି ହେଲା ପଞ୍ଚୁର ପାନଦୋକାନ।

 

ପଞ୍ଚୁର ଏଇ ବିଶେଷ ଗୁଣଟିକୁ ବାଦ‌୍‍ ଦେଲେ, ତା’ ପାନର ବି ଗୋଟେ ଚମତ୍କାର ବାସ୍ନା ଥାଏ, ଯୋଉଥିପାଇଁ କଲେଜ ଟୋକାଏ ତା’ ଦୋକନ ଆଗରେ ଗହଳି କରିବାକୁ ପାଗଳ। ପଞ୍ଚୁ ହାତର ଯାଦୁରେ ତିଆରି ଏଇ ଡିଲକ୍ସ ପାନର କରାମତି, ତା’ ଭିତରେ ଏମିତି ମହକ ଥାଏ ଯେ, ଅନେକ ଯୁବତୀ ସେ ବାସ୍ନାରେ ପ୍ରଲୋଭିତ ହେଇ ପରିଚୟ ଯୋଡ଼ିଥାନ୍ତି। କଲେଜ ପୁଅଝିଅଙ୍କ ଭିତରେ ଯେତେ ଭଲପାଇବା, ଭାବ ଦିଆନିଆ, ଯାବତୀୟ ଯୌବନର ଖେଳ, ସବୁ କାଳେ ସେଇ ଡିଲକ୍ସ ପାନର ବାସ୍ନାର କରାମତି ବୋଲି ଖଣ୍ଡମଣ୍ଡଳରେ ଶୁଣିବାକୁ ମିଳେ।

 

ପଞ୍ଚୁ ପାନଦୋକାନ କଲେଜ ଟୋକାଙ୍କ ଭିତରେ ଆଦୃତ ହେବାର ଅନ୍ୟ କାରଣଟି ହେଲା, ସଦା ହସ ହସ ମୁହଁରେ କାହାକୁ କେବେ ବାଧିଲା ପରି କଥା ପଦେ ନକହି, ଧାର‌୍‍ ବା ବାକିବୁକର ବଢିଗଲେ କହେ, ‘ପଞ୍ଚୁର କୋଉ ପାପଧନ ହେଇଚି ଯେ ବୁଡ଼ିଯିବ। ପଇସା ତା’ବାଟେ ଆପେ ଆସିବନି ! ତମେ ଯାଅ ହେ, ପଇସା ପାଇଁ ଫିକର‌୍‍ କରନି। ନହେଲା ନାଇଁ ଏବେ, ଚାକିରି କଲେ ଶୁଝିଦବ। ପଞ୍ଚୁ କୋଉ ଆଜି କି କାଲି ମରିଯାଉଚି କି ?’ ଏମିତି ମଧୁର ମନକିଣା କଥା ଏବଂ ଅନ୍ତରଙ୍ଗ ଆଶ୍ୱାସନା ପଞ୍ଚୁକୁ ଯେ କେବଳ ଜଣେ ପାନଦୋକାନୀ ଭାବରେ ଚିହ୍ନାଇଦିଏ ତା’ ନୁହେଁ, ବିପଦ ଆପଦର ସାଥୀ ବୋଲି ମଧ୍ୟ ଅନେକେ ତାକୁ ଭାବିଥାନ୍ତି।

 

ପଞ୍ଚୁ ଅସଲରେ ମଫସଲରୁ ଆସିଥିଲେ ବି, ସେ ଯେ ଏତେ ନିପଟ ବୋକା ଏବଂ ଦୟାଳୁ ମଣିଷଟେ, ତା’ ଅବଶ୍ୟ ସତ ନୁହେଁ। ପଞ୍ଚୁ ଜଣେ ପୋଖତ ହିସାବୀ ଏବଂ ଯୋଜନାବଦ୍ଧ ମଣିଷ। କାହାକୁ କି ପ୍ରକାର ଏବଂ କେତେ ପର୍ଯ୍ୟନ୍ତ ବାକି ଦିଆଯାଇ ପାରିବ, ଆଉ ତାହା କେବେ ଅସୁଲ ହବ ଏବଂ ସେଥିରୁ ସେ କିପରି ଲାଭବାନ‌୍‍ ହବ, ସେସବୁ ସେ ନିଜର ଭେଜା ଖଟେଇ ଯୋଜନା କରିଥାଏ।

 

 

କାହା ମୁଣ୍ଡରେ କି ପ୍ରକାର ମସଲା ଅଛି, ସେ ଭବିଷ୍ୟତରେ ଡାକ୍ତର ହବ କି ଇଞ୍ଜିନିୟର, ଅଧ୍ୟାପକ କି ଆଇଏଏସ‌୍‍ ଅଫିସର ହବ, ସେସବୁ ସେ ଭଲ ଭାବେ ଠଉରେଇ ଥାଏ। ଆଉ କାହା ବାପର ପଇସା କେତେ, ପିଲାଟି କି ପ୍ରକାର ଖର୍ଚ୍ଚି, ତାହା ମଧ୍ୟ ସେ ଅନୁମାନ ଲଗେଇଥାଏ। ଏହିପରି ଯୋଜନାବଦ୍ଧ ପ୍ରଣାଳୀରେ ସେ କଲେଜକୁ ଆସୁଥିବା ଗଜାଗଜା ଟୋକାମାନଙ୍କୁ ସମ୍ମୋହିତ କରି ନିଜ ବେପାର ବେଉସା ଚଳେଇଥାଏ।

 

ପଞ୍ଚୁର ଯେ ଏପରି ହିସାବ ଅବାନ୍ତର, ତା’ ନୁହେଁ। ପୁରୁଣାଦିନର ବାକି ଖାତା ଖୋଲିଲେ, ତା’ ଭିତରୁ ଦି’ଚାରିଗଣ୍ଡା ଛୋଟବଡ଼ ହାକିମ, ଶହେକୁ ଉପର ଅଧ୍ୟାପକ, ଇଞ୍ଜିନିୟର, ଡାକ୍ତର ବି ଦଶଗଣ୍ଡା ମିଳିବା କଠିନ କଥା ନୁହେଁ। ପଞ୍ଚୁର ବାକି ଖାତାର କଳେବର ଏବଂ ବାକିର ପରିମାଣରୁ ଜାଣିହବ, ବାକି ଖାଇଥିବା ପିଲାଟି ଏବେ କୋଉ ପଦପଦବୀରେ ଅଧିଷ୍ଠିତ।

 

ଧର, ପଞ୍ଚୁ ଯଦି ଠଉରେଇଚି ଏଇ ପିଲାଟି ଦିନେ ବଡ଼ ହାକିମଟେ ହବ, ତେବେ ବାକିର ପରିମାଣ ଯେତେ ବଢୁ ପଛେ ସେଥିକି ତା’ର ଖାତିର‌୍‍ ନଥାଏ। ଦିନେ ନା ଦିନେ ସେଦିନର ସେଇ ପିଲାଟି ବଡ଼ ଅଫିସରଟେ ହେଇ ତା’ ଦୋକାନ ଆଗରେ ହଠାତ‌୍‍ ଗାଡ଼ିରୁ ଓହ୍ଲେଇଚି ଏବଂ ପଞ୍ଚୁ କୃତ୍ୟକୃତ୍ୟ ମୁଦ୍ରାରେ ବାକିଖାତାରେ ଛକି ପକେଇଚି। ଆଉ ପଚାରିଚି ’ସାର‌୍‍, ପଞ୍ଚୁର ସ୍ପେଶାଲ‌୍‍ କଥା କ’ଣ ମନେ ଅଛିଟି ?’

 

ଅସଲ କଥାଟି ଏପର୍ଯ୍ୟନ୍ତ କୁହାଯାଇ ନାହିଁ, ଯାହାକୁ ନେଇ ପଞ୍ଚୁ ମନରେ ଅନେକ ଗର୍ବ ଏବଂ ଯାହାର ପ୍ରସାଦରୁ ଏତେ ବଡ଼ ବଡ଼ ବାବୁମାନେ ତା’ ଦୋକାନକୁ ଏପର୍ଯ୍ୟନ୍ତ ବି ଭୁଲିପାରି ନାହାନ୍ତି।

 

ପଞ୍ଚୁ ତା’ ଦୋକାନରେ କେତେଜଣ ମାକାର୍ମରା ଟୋକାଙ୍କ ପାଇଁ ଏକ ସ୍ୱତନ୍ତ୍ର ସିଗାରେଟ‌୍‍ର ବ୍ୟବସ୍ଥା କରିଥାଏ, ଯାହାର ପ୍ରଚଳିତ ନାମ ‘ସ୍ପେଶାଲ‌୍‍’। ସ୍ପେଶାଲ‌୍‍ କହିଲେ, ଗୋଟେ ସିଗାରେଟ‌୍‍ ଭିତରୁ ଟବାକୋ ତକ ଶୂନ୍ୟ କରି ସେଥିରେ ପୁଣି ଗଞ୍ଜେଇ ଓ ଟବାକୋର ମିଶ୍ରିତ ଅଂଶକୁ ଭର୍ତ୍ତିକରି ପୁନରାକୃତି କରିବା।

 

ପଞ୍ଚୁ ଯେ ବାଧ୍ୟ କରି କାହାକୁ ଏଥିରେ ଅଭ୍ୟସ୍ତ କରେଇଥାଏ ତା’ ନୁହେଁ। କିଛି ମାର୍କାମରା ପିଲା, ଯୋଉମାନଙ୍କ କପାଳରେ ଉଜ୍ଜ୍ୱଳ ଭବିଷ୍ୟତ ତାକୁ ଜଳଜଳ ଦେଖାଯାଉଥାଏ, ସେଇମାନଙ୍କୁ ହିଁ ସେ ଏହି ସ୍ପେଶାଲ‌୍‍ ସହିତ ପରିଚିତ କରେଇଥାଏ। ପଞ୍ଚୁର ହିସାବରେ, କେବଳ ହିସାବ କାହିଁକି, ସେ ବାଜିମାରି କହିପାରେ ଯେ ତା’ ସ୍ପେଶାଲ‌୍‍ ସଂସ୍ପର୍ଶରେ ଆସିଥିବା ପିଲାମାନଙ୍କ ଭିତରୁ ଶତକଡ଼ା ନବେଭାଗ ଏବେ ବିଭିନ୍ନ ଉଚ୍ଚ ପଦପଦବୀରେ ଅଧିଷ୍ଠିତ।

 

କେବେ କେମିତି ବର୍ତ୍ତମାନର ଉଜ୍ଜ୍ୱଳ ଆଭିଜାତ୍ୟକୁ ଜାହିର‌୍‍ କରିବା ପାଇଁ ସେମାନଙ୍କ ମଧ୍ୟରୁ କେତେକ, ପଞ୍ଚୁର ସ୍ପେଶାଲକୁ ପାଶୋରି ନଥିବା ଯୋଗୁ, ହଠାତ‌୍‍ ଦୋକାନ ଆଗରେ ଆବିର୍ଭୁତ ହୁଅନ୍ତି। ଏଥିପାଇଁ ପଞ୍ଚୁ ମନରେ ଯେ କେତେ ଗର୍ବ, ତାହା କେବଳ ପଞ୍ଚୁ ହିଁ ବର୍ଣ୍ଣନା କରିପାରିବ।

 

ଏବେବି ପଞ୍ଚୁର ବାକି ଖାତାରେ ଅନେକ ନାଁ ଅଛି, ଯୋଉମାନେ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ଏବଂ ଆଉ କେତେକ ଗୋଟେ ସୁନେଲି ଭବିଷ୍ୟତର ନିକଟବର୍ତ୍ତି। ରାତି ପାହିଲେ ଖବର କାଗଜରେ ସେମାନେ ହଠାତ‌୍‍ ଆତ୍ମପ୍ରକାଶ କରିବେ କିମ୍ୱା କେହି ଜଣେ ଆସି ତାକୁ ଜଣେଇଦବ, ଅମୁକ ହାକିମ, ଇଞ୍ଜିନିୟର‌୍‍ କି ଡାକ୍ତର କି ଅଧ୍ୟାପକ ଚାକିରି ପାଇଗଲା। ସେମାନେ ଯିଏ ଯୋଉଠି ଯେମିତି ବି ଥାଆନ୍ତୁ, ଦିନେ ନା ଦିନେ ହଠାତ‌୍‍ ଏଇଠି ଆସି ପହଞ୍ଚିବେ ଏବଂ ବାକି ଖାତାରୁ ନିଜ ନିଜର ନାଁକୁ ସାଉଁଟି ନେବେ, ଏ ବିଶ୍ୱାସ ପଞ୍ଚୁର ଅନ୍ତତଃ ରହିଛି।

 

ଏସବୁ ସତ୍ତ୍ୱେ ବି ପଞ୍ଚୁକୁ ଏବେ କାହିଁକି କେଜାଣି ଭାରି ବ୍ୟସ୍ତ ଲାଗୁଚି। ଯେମିତି ତା’ର ନିର୍ଭୁଲ‌୍‍ ଗଣନା, ମୂଷା ଉଣ୍ଡିବାର କୁଟିଳ କଳା, ବିଧିବଦ୍ଧ ଯୋଜନା ସବୁ କିଛି ଆସ୍ତେ ଆସ୍ତେ ଅସ୍ତବ୍ୟସ୍ତ ହବାକୁ ଲାଗିଚି। ଏତେଦିନର ପୋଖତ ପଞ୍ଚୁ ନିଜକୁ ଅବିଶ୍ୱାସ କରୁଚି, ତା’ର ପାରିଲା ପଣିଆକୁ ଧିକ୍କାର କରୁଚି। ଲାଗୁଚି ଯେମିତି ଭିତରେ ଭିତରେ ତଳିତଳାନ୍ତ ହେଇଯାଉଚି ସେ। ଶୂନ୍ୟ ସିଗାରେଟ‌୍‍ ଭିତରେ ଗଞ୍ଜେଇ ଭର୍ତ୍ତି କଲାବେଳେ, ଅଭ୍ୟସ୍ତ ହାତ ତା’ର ଥରିଉଠୁଚି। ବୋଲ ମାନୁନି ଜମା। ସେ ଗନ୍ଧଗୁଡ଼ାକ ବି ଏବେ କେମତି ଉତ୍କଟ, ବିଚିକିଟିଆ ଲାଗୁଚି ତାକୁ। ନାକପୁଡ଼ା ରୁନ୍ଧି ହେଇଯାଉଚି। ବେଳେବେଳେ ତଣ୍ଟିପାଖରେ ଅଟକି ଯାଉଚି ବାନ୍ତି। କାହିଁକି ଏମିତି ହଉଚି କିଛି ଠଉରେଇ ପାରୁନି ସେ।

 

ବେଶି ଡର ମାଡ଼ୁଚି, ଯେତେବେଳେ ଦୋକାନ ବନ୍ଦ‌୍‍ କରି, ଦିନ ତମାମର ଜଞ୍ଜାଳକୁ ଟିଣ କ୍ୟାବିନରେ ତାଲା ପକେଇ ଘର ଭିତରକୁ ପଶିଯାଉଚି। ମଇନାର ଆଖିରେ ଡହ ଡହ ନିଆଁ, ତା’ ଦିହର ଉଛୁଳା ଉଜାଣି, ପଞ୍ଚୁ ଆଡ଼କୁ ଆଁ କରି ମାଡ଼ି ଆସୁଚି। ମାଡ଼ିମକଚି ମନ୍ଥି ପକେଇବାକୁ ଉଚ୍ଚାଟ ହଉଚି। ଏଇ କେଇଦିନ ହବ ମଇନାକୁ ଆଉ ଚାହିଁ ହଉନି, ତା’ ଦିହରେ ଯେମିତି କି ଫଗୁଣ ଝୁଲୁଚି, ବାଆରେ ଦୋହଲି ଦୋହଲି ବାଉଳା ହଉଚି ମଇନା।

 

ଅଥଚ ଏଇ ମଇନା, ଠିକ‌୍‍ ସାତବର୍ଷ ତଳେ ସିଆଲ‌୍‍ଦା ମାଛହାଟରେ ଦେଖା ହେଇଥିଲା ତା’ ସହ। ସେତେବେଳେ ସେ ଗୋଟେ ବଙ୍ଗାଳୀ ବାଡ଼ିରେ ଝି’ କାମ କରୁଥିଲା। ସେଇ ପ୍ରଥମ ଦେଖାରେ ମଇନା ଯେମିତି ଗ୍ରାସିଗଲା ତାକୁ। ବଙ୍ଗାଳୀ ବାଡ଼ିର ରୋଷେଇ ଘରର ପ୍ରତିଟି ବାସ୍ନା ଯେମିତି ମଇନା ଦିହର ଏବଂ ବାଡ଼ିର ସବୁ ବଉଦି, ଦିଦିଙ୍କ ଦିହ, ମୁହଁ ମଇନାର ବୋଲି ଲାଗିଲା ତାକୁ। ଦିନେ ମଇନା ତା’ ଘରକୁ ଟାଣି ଟାଣି ନେଇଗଲା। ମଇନାର ମୁଲାୟମ‌୍‍ ହାତଟା ତାକୁ ଭାରି ହେମାଳ ଲାଗିଲା। ପହିଲି ଛୁଆଁରେ ପଞ୍ଚୁର ପଞ୍ଚପ୍ରାଣ ଉଛନ୍ନ ହେଇଗଲା। ପଞ୍ଚୁ ମଇନା ସହ ଢେର‌୍‍ ଗପସପ ହେଲା, ଥଟ୍ଟାମଜା କଲା। ସେଦିନ ମଇନାକୁ ସେ ମନଭରି ଦେଖିଲା, ଭଲ ପାଇଲା, ତା’ ଗାଲରେ ଅଜସ୍ର ଚୁମା ଦେଲା ଏବଂ ମଇନା ତା’ ଜୀବନର ସର୍ବସ୍ୱ ବୋଲି ମଧ୍ୟ ଘୋଷଣା କରି ପକେଇଲା।

 

ଦିନେ ହଠାତ‌୍‍ ମଇନାକୁ ଧରି ହାଓଡ଼ା ଷ୍ଟେସନରେ ଗାଡ଼ି ଚଢିଲା ପଞ୍ଚୁ। ସେଇ ଚଢିଚି ଯେ ଚଢିଚି, ଆଉ ପଛକୁ ଫେରି ଚାହିଁନାହିଁ।

 

ମଇନାର ପରାମର୍ଶରେ ପଞ୍ଚୁ ଏଇଠି କ୍ୟାବିନ‌୍‍ ପକେଇଚି।

 

ମଇନା ହିଁ ଶିଖେଇଚି ତାକୁ ସ୍ପେଶାଲ‌୍‍ ତିଆରିର ତରିକା।

 

ଏବେ ଏଇ କେଇଦିନ ହେଲା ପଞ୍ଚୁର ମୁଣ୍ଡ କାମ କରୁନି ଯେମିତି। ତା’ ବୋଲରେ ଯେମିତି ଆଉ କିଛି ବୋଲି କିଛି ନାହିଁ। ସେ ଏବେ ଭୁସ‌୍‍ କିନା ଠଉରେଇବାକୁ କି ଗୋଟେ କିଛି କହିଦବାକୁ ଭୟ କରୁଚି। ଆଗପରି ବେଧଡ଼କ‌୍‍ ବାଜିମାରି ଭବିଷ୍ୟବଣୀ କରିବାକୁ ଜିଭ ଲେଉଟୁନି। ସେଇ ମେଞ୍ଚଡ଼ ଟୋକାଟା, ସଂବିତ‌୍‍ ମହାପାତ୍ର, ଆସି ଧମକେଇ ଦେଇଗଲା, ‘ତୋ ସ୍ପେଶାଲ‌୍‍ ଏଥର ଭେଜାଲ‌୍‍ ହେଲା ପଞ୍ଚୁଆ। ତୁ ଶଳା ଠକୁଚୁ ଖାଲି। ନିଶା ଫିଶା କିଛି ଧରୁନି।’

 

ଆଉ ସୁବୋଧ। ଖୁବ‌୍‍ ବ୍ରିଲିଆଣ୍ଟ ପିଲାଟା। କ’ଣ ହେଲା କେଜାଣି, ଏଇ କେଇଦିନ ହେଲା ଯେମିତି ପୂରା ବଦଳି ଯାଇଚି। ପାଗଳ କହିଲେ ଚଳେ। ଦିନରେ ଟର୍ଚ୍ଚ ମାରି ବୁଲୁଚି। ରାସ୍ତାରୁ ମଇଳା ଗୋଟେଇ ଘରର କାନ୍ଥ, କବାଟ, ଝରକାକୁ ଫିଙ୍ଗୁଚି। ବାପା ଭାଇ କାହାକୁ ବି ବିଶ୍ୱାସ କରୁନି। ସାଙ୍ଗସାଥୀଙ୍କୁ ଦେଖିଲେ ମାରି ଗୋଡ଼ଉଚି। ପଞ୍ଚୁକୁ କଟମଟ କରି ଚାହୁଁଚି, ଯେମିତି ସୁଯୋଗ ପାଇଲେ କାମୁଡ଼ି ଲହୁଲୁହାଣ କରିଦବ।

 

ସତ କହିବାକୁ ଗଲେ, ସଂବିତ‌୍‍‌୍‍ ଆଉ ସୁବୋଧ ଉପରେ ତା’ର ଯେତେଟା ଭରସା ନଥିଲା, ଥିଲା ତା’ଠୁ ଅଧିକ ଶଶାଙ୍କ ଉପରେ।

 

ପଞ୍ଚୁର ଗଣନାରେ, ଶଶାଙ୍କ ଅତି କମ‌୍‍ରେ ଆଇଏଏସଟେ ହବା ଖୁବ‌୍‍ ମାମୁଲି ବ୍ୟାପାର ଥିଲା। ତା’ ଉଜ୍ଜ୍ୱଳ ଭବିଷ୍ୟତ ତାକୁ ଜଳଜଳ ଦେଖାଯାଉଥିଲା। ତେଣୁ ସେ ଶଶାଙ୍କ ଉପରେ ପ୍ରାୟ ନିଶ୍ଚିତ ଥିଲା ଏବଂ ବାକିଖାତାର ପୁରୁଣା ଫର୍ଦ୍ଦ ଲେଉଟେଇବାକୁ କେବେବି ଚେଷ୍ଟା କରୁ ନଥିଲା।

 

ଏବେ କିନ୍ତୁ ସେଇ ଶଶାଙ୍କ ହିଁ ଘୁଣପୋକ ହେଇ ପଞ୍ଚୁକୁ ଭିତରେ ଭିତରେ ଝୁଣି ଖାଇବାରେ ଲାଗିଚି। ପଞ୍ଚୁର ଏତେଦିନର ଅଭିଜ୍ଞତା, ବୁଦ୍ଧିବୃତ୍ତି ସବୁକିଛି ଆସ୍ତେ ଆସ୍ତେ ଖର୍ବ ହବାରେ ଲାଗିଚି।

 

ସେଦିନ ପଞ୍ଚୁ କାହିଁକି କେଜାଣି ଅବେଳରେ ଘର ଭିତରକୁ ପଶିଗଲା। ରାତି ଆଠଟା ଖଣ୍ଡେ ହବ କି କ’ଣ। ସେ ଯାହା ଦେଖିଲା ଆଖିକୁ ବିଶ୍ୱାସ ହେଲାନି। ଖଟ ଉପରେ ମଇନା ଆଉ ଶଶାଙ୍କ। ଖିଲିଖିଲି ହସରେ ଫାଟି ପଡ଼ୁଚି ମଇନା। ମଇନା ଯେମିତି ଉଛୁଳୁଚି। ଫେଣଭର୍ତ୍ତି ଢେଉ ପରି ପିଟିହେଇ ଖଣ୍ଡ ଖଣ୍ଡ ହେଇଯାଉଚି।

 

ହଠାତ‌୍‍ ପଞ୍ଚୁର ଛାତିରେ ରୁକ୍ଷ ଯନ୍ତ୍ରଣାଟିଏ ଅନୁଭୂତ ହେଲା। କିଛି ନଜାଣିଲା ପରି, ନଦେଖିଲା ପରି ପାଖ କୋଠରୀକୁ ପଶିଗଲା। କାମ ସାରି ପୁଣି ଫେରି ଆସିଲା।

 

ସେଇ ଦିନଠୁ ପଞ୍ଚୁ ଆଉ ପଞ୍ଚୁ ହେଇ ରହିଲାନି।

 

ଯେମିତି ତା’ର ଏତେଦିନର ଅଭିଜ୍ଞତା, ପାରଦର୍ଶିତା ସବୁ ମିଛ। ସବୁ ବେକାର‌୍‍। ବାକିଖାତାର ଅକ୍ଷର, ସିଗାରେଟ ଭିତରର ଗଞ୍ଜେଇ, ସବୁଯାକ ଚିହ୍ନା ମୁହଁ - ନିହାତି ଅଚିହ୍ନା, ଧୂଆଁଳିଆ ଲାଗିଲା। ଏମିତି କି ପ୍ରତିଟି ଅବୟବ ତା’ର ନିଜସ୍ୱ ନୁହେଁ ବୋଲି ଏକ ବଦ୍ଧମୂଳ ଧାରଣା ତା’ ମୁଣ୍ଡରେ ଅହରହ ସବାର‌୍‍ ହେଇ ରହିଲା। ଆସ୍ତେ ଆସ୍ତେ ପଞ୍ଚୁର କାୟା ମଧ୍ୟ ପରିବର୍ତ୍ତିତ ହେଲା। ପଞ୍ଚୁ ସାମଗ୍ରିକ ଭାବେ ଧୀରେଧୀରେ ବଦଳଳିବାକୁ ଆରମ୍ଭ କଲା।

 

ମଇନାର ଡେଣାରେ କିନ୍ତୁ ତା’ ଅଜାଣତରେ ଗଜୁରିଥିବା କୁନିକୁନି ପର ସବୁ ଯେମିତି ଫଡ଼ଫଡ଼ କରୁଥିଲା। ପଞ୍ଚୁକୁ ଏବେ ସେ ଧୀରେଧୀରେ ଖାପ‌୍‍ଛଡ଼ା ଦବାକୁ ଲାଗିଲା ଏବଂ ସେ ସେଇ ଘରଟା ଭିତରେ ବେଳେବେଳେ ଏମିତି ଉଛୁଳୁଥିଲା ଯେ, ପଞ୍ଚୁ ପଞ୍ଚପ୍ରାଣକୁ ଯଥାସମ୍ଭବ ରୁନ୍ଧିବାକୁ ଚେଷ୍ଟା କରି ଅସାଡ ପଡ଼ି ରହୁଥିଲା। ପଞ୍ଚୁକୁ ଲାଗୁଥିଲା, ଯେମିତି ସାତବର୍ଷ ତଳର ମାଛି ଭଣଭଣ ସିଆଲ‌୍‍ଦା ମାଛହାଟର ସେଇ ଶସ୍ତା ଅତରମଖା ଟିଅଟା ଏବେ ବିଦେଶୀ ପର‌୍‍ଫ୍ୟୁମର ମହମହ ବାସ୍ନାରେ ତା’ର ଅତୀତ ଏବଂ ଔକାତକୁ ବିସ୍ମୃତ ହେଇ ସାରିଚି। ଏମିତିକି ବଙ୍ଗାଳୀ ବାଡ଼ିର ଝି’ରୁ ସ୍ତ୍ରୀର ମର୍ଯ୍ୟାଦା ଦେଇ ମଥା ଉପରେ ବସେଇଥିବା ମଇନା ଆଜି ତା’ ନିଜ ସ୍ୱାମୀର ସର୍ବନାଶକୁ ମଧ୍ୟ ଠଉରେଇ ପାରୁନାହିଁ।

 

ତା’ପରର ଘଟଣା ଯାହା ଘଟିଲା, ପଞ୍ଚୁ ପାଇଁ ଆଦୌ ଆକସ୍ମିକ କି ଆଚମ୍ୱିତ ହେଲା ପରି ନଥିଲା।

 

ପଞ୍ଚୁ ଆଦୌ ଆଶ୍ଚର୍ଯ୍ୟ ହେଲାନି। ତା’ ଛାତିରେ ଯନ୍ତ୍ରଣା ଟିକେ ମଧ୍ୟ ଅନୁଭୂତ ହେଲାନି। ଏମିତି ଦିନେ ଘଟିବ ଏବଂ ମଇନା ଫୁର‌୍‍କିନା ଉଡ଼ି ଚାଲିଯିବ ବୋଲି ସେ ଭଲକରି ଜାଣିଥିଲା।

 

ଆଜି ଦି’ପହରଟାରେ ଶଶାଙ୍କ ସାଙ୍ଗରେ ମଇନା ଫେରାର‌୍‍ ହେଇଗଲା। ପଞ୍ଚୁ ପାଖକୁ କିଏ କେତେ ଆସିଲେ, ଶଶାଙ୍କ ନାଁରେ ଗପିଲେ, ମଇନା ଉପରେ କେତେ କ’ଣ ଟିପ୍ପଣୀ ଦେଲେ। ପଞ୍ଚୁ ସବୁ ଶୁଣିଲା, ମୂକ ପରି ବସି ରହିଲା।

 

ପଞ୍ଚୁ କେବଳ ବସିଲା। ବସିବସି ମନେ ମନେ କେବେ କେମିତି ହସିବାକୁ ଲାଗିଲା ତ ସେ ହସ ତାକୁ ପରିହାସ କଲାପରି ବୋଧ ହେଲା। ସେଇଠୁ ସେ ଚୁପ‌୍‍ ହବାକୁ ଉଚିତ‌୍‍ ମଣିଲା। ଆସ୍ତେ ଆସ୍ତେ ପାଟି ଖୋଲିବା ବନ୍ଦ କରିଦେଲା। ଇସାରାରେ, ହୁଁ ହାଁ ରେ କାମ ଚଳେଇବାକୁ ଚେଷ୍ଟାକଲା।

 

ପଞ୍ଚୁ ସେଇ ନିକାଞ୍ଚନ ଘରଟା ଭିତରେ ଏବେ ଏକାଏକା ପଡ଼ିରହେ। ମନ ହେଲେ ଦୋକାନ ଖୋଲେ, ନହେଲେ ନାହିଁ। ଦୋକାନ ଭିତରେ ବସି ସେମିତି ଶୂନ୍ୟ ଆକାଶକୁ ଚାହିଁରହେ। କଲେଜ ପିଲାଏ ଆସନ୍ତି, କିଏ କେତେ ପ୍ରକାର ସାନ୍ତ୍ୱନା ଦିଅନ୍ତି। ପଞ୍ଚୁ କିଛି କହେନାହିଁ। ଶୁଖିଲା ଜିଭକୁ ଓଠ ଉପରେ ବୁଲେଇ ନେଇ ଚୁପ‌୍‍ ରହେ। ଶୂନ୍ୟ ସିଗାରେଟ ଭିତରେ ଗଞ୍ଜେଇ ଭର୍ତ୍ତି କଲାବେଳକୁ ହାତ ଥରିଉଠେ। ବାକି ଖାତାରେ ଆଖି ବୁଲଉ ବୁଲଉ ରାତି ଢେର‌୍‍ ହେଇଯାଏ।

 

ଏବେ ପଞ୍ଚୁକୁ ଆଉ ପଞ୍ଚୁ ବୋଲି ଜାଣି ହଉନି। ମୁହଁ ଯାକ ଦାଢି ଭର୍ତ୍ତି, ମଇଳା ଜାମା, କେଜାଣି କେତେଦିନରେ ଥରେ ଗାଧୋଉଚି !

 

ଏବେ ଆଉ କଲେଜ ପିଲାଏ ବେଶି ପଞ୍ଚୁ ପାଖରେ ଭିଡ଼ ଜମାନ୍ତିନି। ତା’ ଦୋକନରେ ଆଉ ସ୍ପେଶାଲ‌୍‍ ମଧ୍ୟ ମିଳେନାହିଁ।

 

ସେ ଆଉ କାହା ଭାଗ୍ୟକୁ ତର୍ଜମା କରେନି କି ଭବିଷ୍ୟତକୁ ନେଇ ଟିପ୍ପଣୀ ଦିଏନି। ଏଥର କେତେଜଣ କୋଉ ଶ୍ରେଣୀରେ ଉତୁରିବେ ଜାଣିବାକୁ କେହି ମଧ୍ୟ ତା’ ପାଖରେ କଟାଳ କରନ୍ତିନି।

 

ପଞ୍ଚୁ ମଧ୍ୟ ନିଜେ ଠଉରେଇ ପାରେନି, କାହିଁକି ସେ ଆସ୍ତେ ଆସ୍ତେ ନିଷ୍ପ୍ରାଣ ହେଇଯାଉଚି। ଶଶାଙ୍କ ଉପରେ କି ମଇନା ଉପରେ, କାହା ଉପରେ ତା’ର ରାଗ କି ଅଭିମାନ ମଧ୍ୟ ଆସେନି।

 

କାହିଁକି କେଜାଣି ଆଜି ଦୋକାନ ବନ୍ଦ‌୍‍ କରିବାକୁ ସେ ଭୁଲିଯାଇଚି। ଆସି ଦି’ପହର ହେଲାଣି। ଖରାର ତେଜ ଟିକେ କମିଚି ବୋଧେ। ଅଦିନିଆ ମେଘ ଘୋଡେ଼ଇ ରଖିଚି ଆକାଶକୁ। ରାସ୍ତାଘାଟ ଶୂନଶାନ‌୍‍। କ’ଣ ଗୋଟେ ଛୁଟି ଆଜି, ସେକଥା ପଞ୍ଚୁକୁ ଜଣାନାହିଁ। କଲେଜ ବନ୍ଦ। ଆକାଶର ମେଘଖଣ୍ଡ ଭିତରେ ହଜିଯାଇଚି ପଞ୍ଚୁ। ତାକୁ ଲାଗୁଚି ଯେମିତି ଆଜି, କେଜାଣି କେତେବର୍ଷ ତଳେ, ଠିକ‌୍‍ ଏଇ ସମୟରେ ମଇନା ଡେଣା ହଲେଇ ଉଡ଼ିଗଲା ଯେ ଗଲା, କାହିଁ କେତେ ଦୂର, ଆଉ ଫେରିବାର ନାଁ ଧରିଲାନି।

 

ପଞ୍ଚୁ ହଠାତ‌୍‍ ଚମକି ଉଠିଲା ଗୋଟେ ତୀବ୍ର, କର୍କଶ ଶବ୍ଦରେ। ପେଜୁଆ ଆଖିରେ ଚାହିଁଲା ଆଗକୁ। ଗୋଟେ ଧଳା ଦାମୀ କାର‌୍‍ ଅଟକୁଚି ତା’ ଦୋକାନ ସାମ୍ନାରେ, କିଛି ଦୂରରେ। କାର‌୍‍ର କଳା ମଚମଚ କାଚ ଖସେଇ ତା’ ଆଡ଼କୁ ନିଷ୍ପଲକ ଚାହିଁଚି ଜଣେ ଦିବ୍ୟ ତରୁଣ। କଳା କୋଟ‌୍‍, ଆଖିରେ କଳା ଚଷମା। ଦାମୀ ପର‌୍‍ଫ୍ୟୁମରେ ମହକି ଉଠୁଚି ସାରା ଇଲାକା।

 

ତରୁଣ ଜଣକ ଆଗେଇ ଆସିଲେ, ପଞ୍ଚୁର ଦୋକାନ ଆଡ଼କୁ। ଚଷମା ଟେକି ଚାହିଁଲେ, ପଞ୍ଚୁକୁ ଚିହ୍ନିବା କଷ୍ଟ ହେଲା କି କ’ଣ, ଦୋ-ଦୋ ପାଞ୍ଚ ହେଲେ।

 

ପଚାରିଲେ - ‘ପଞ୍ଚୁ ! ତମେ ପଞ୍ଚୁ ତ ! ଚିହ୍ନି ହଉନି ଜମ୍ମା !’

 

ପଞ୍ଚୁ ଚାହିଁଚି, ସେମ‌୍‍ତି ଆକାଶକୁ।

 

ତରୁଣ ଜଣକ ଏଥର ହଲେଇ ଦେଲେ ପଞ୍ଚୁକୁ। କହିଲେ - ପଞ୍ଚୁ, ମତେ ଚିହ୍ନି ପାରୁନ...ମଁୁ ଶଶାଙ୍କ, ଶଶାଙ୍କ ଶତପଥୀ। ତମ ଭବିଷ୍ୟବାଣୀ ସତ ହେଇଚି ପଞ୍ଚୁ। ମଁୁ ଆଜି ପ୍ରତିଷ୍ଠାର ଶିଖରରେ। ତମ ମତରେ ମଁୁ ସିନା ଆଇଏଏସ‌୍‍ଟେ ହେଇପାରିଲିନି କିନ୍ତୁ ତାଠୁ ଆହୁରି କିଛି ବେଶି। ତମେ ବିଶ୍ୱାସ କରିପାରିବନି ପଞ୍ଚୁ। ଅମାପ ଧନ, ଗଦାଗଦା ପ୍ରାଚୁର୍ଯ୍ୟ, କୋଠାବାଡ଼ି, ଗାଡ଼ି କ’ଣ ନାହିଁ ମୋ ପାଖରେ। ସବୁଥିରେ ଭରପୂର, ପରିପୂର୍ଣ୍ଣ ମୋ ଜୀବନ।

 

ଏଥର ପଞ୍ଚୁ ମୁହଁ ଟେକିଲା, ଚାହିଁଲା ତରୁଣର ସର୍ବାଙ୍ଗକୁ। ମୁହଁରେ ଫୁଟି ଉଠିଲା ଅବଜ୍ଞା ଏବଂ ତାଚ୍ଛଲ୍ୟ।

 

ପୁଣି ସେ ଫେରିଗଲା ଆକାଶର ନୀଳିମାକୁ, ବ୍ୟାପ୍ତିକୁ। ଭସା ମେଘଖଣ୍ଡ ଭିତରକୁ।

 

ତରୁଣ ଜଣକ ଏଥର କହିଲେ - ହଉ ହେଲା, ନିଅ। ଏଇ ଟଙ୍କାତକ ରଖ। ବାକି ଖାତାର ପରିମାଣଠୁ ଅନେକ ବେଶି ଅଛି ଏଥିରେ। ତମ ଜୀବନ ତମାମ‌୍‍ ବି ଏତେ ଟଙ୍କା କେବେ ରୋଜଗାର କରିପାରି ନଥାନ୍ତ। ଏଇ ଟଙ୍କାରେ ତମେ ପୁଣି ଥରେ ସଳଖି ଠିଆ ହୁଅ। ବେପାର କର, ବଡ଼ଲୋକ ହୁଅ। ପଛକଥା ଭୁଲିଯାଅ। ଆଉଥରେ ନୂଆକରି ନୀଡ଼ ତିଆରି କର। ଦେଖିବ ସମୟ ସବୁ ଠିକ‌୍‍ କରିଦବ।

 

ପଞ୍ଚୁ କାନରେ ଏସବୁ କିଛି ହେଲେ ବି ବାଜୁ ନଥିଲା। ସେ ଯେମିତି ଅନାସକ୍ତ, ନିର୍ବିକାର, ନିର୍ଲିପ୍ତ। ଆକାଶର ବ୍ୟାପ୍ତି ଏବଂ ବିଶାଳତା ପାଖରେ ତାକୁ ଯେମିତି ଏସବୁ ନିହାତି ତୁଚ୍ଛ, ନିରର୍ଥକ ମନେ ହଉଥିଲା।

 

ତରୁଣ ଜଣକ ପଞ୍ଚୁକୁ ଆଉ ବିରକ୍ତ କଲେନି। ତା’ ହାତରେ ଗୁଞ୍ଜିଦେଲେ ଟଙ୍କାତକ। କାର‌୍‍ ପାଖକୁ ଚାଲିଗଲେ ଜୋତା ମଚମଚ‌୍‍ କରି।

 

ପଞ୍ଚୁ ଟଙ୍କା ବିଡ଼ାତକ ହାତରେ ମୁଠେଇ ଧରିଲା। ଏପଟ ସେପଟ କଲା। ବଣ୍ଡଲ‌୍‍ ଖୋଲି ହାତରେ ଫେଣ୍ଟିବାକୁ ଲାଗିଲା। ଯେମିତି ତା’ ହାତରେ ସୁନ୍ଦର ତାସ‌୍‍ ମୁଠାଏ ପଡ଼ିଯାଇଚି କି କ’ଣ। ତା’ ମୁହଁରେ ରହସ୍ୟମୟ ହସ ମେଞ୍ଚାଏ ଉକୁଟି ଉଠିଲା। ଟଙ୍କାସବୁକୁ ତାସ‌୍‍ ମୁଠା ପରି ଫେଣ୍ଟିଲା ବାରମ୍ୱାର। ଫେଣ୍ଟି ଫେଣ୍ଟି ସେଇ ଧଳା ଦାମୀ କାର‌୍‍କୁ ଲକ୍ଷ୍ୟ କରି ଫୋପାଡ଼ି ଦେଲା।

 

ସେତେବେଳକୁ ତରୁଣ ଜଣକ ଗାଡ଼ିର ଦରଜା ଖୋଲି ପଶୁଥିଲେ ଭିତରକୁ। ପଞ୍ଚୁର ବେଦନାବିଦ୍ଧ ଆଖି ଦୁଇଟି ପହଁରିଗଲା ଗାଡ଼ି ଉପରେ। ପଛ ସିଟ‌୍‍ର କାଚ ଅଧା ଖୋଲାଥିଲା। ଆଗକୁ ଝୁଙ୍କି ପଡ଼ି ବସିଥିଲେ ଜଣେ  ସୁନ୍ଦରୀ ମହିଳା। ଚଷମା ଖୋଲି ଧରିଥିଲେ ହାତରେ। ପଞ୍ଚୁ ଯେମିତି ହଠାତ‌୍‍ ଅନ୍ୟମନସ୍କ ହେଇଗଲା। ସେଇ ନାକ, ଆଖି, ମୁହଁ ସବୁ ଠିକ‌୍‍ ସେମିତି, ଅବିକଳ - ମଇନାର। ପଞ୍ଚୁର ଆଖି ମିଶିଗଲା ସେଇ ଆଖି ଦୁଇଟିରେ। ତରୁଣୀ ଜଣକର ଆଖିରୁ ହଠାତ‌୍‍ ନିଗିଡ଼ି ଆସିଲା ଦୁଇଧାର ଲୁହ। ସେ ଲୁହ ଛଳନାର କି ବେଦନାର, ବିଦ୍ରୁପର କି ବିଷାଦର - କିଛି ଜାଣିପାରିଲାନି ପଞ୍ଚୁ। ମୁହଁ ଯାକ ବିଷଣ୍ଣତା ଛାଇଗଲା।

 

ପଞ୍ଚୁ ଗୋଟାଏ ତୀବ୍ର ବେଦନା ଅନୁଭବ କଲା ନିଜ ଭିତରେ। ଧଳା କାର‌୍‍ଟା ଧୂଆଁଳିଆ ଦେଖାଗଲା ତାକୁ।

 

ପଞ୍ଚୁ ଦୁଇଚାରିଟା ହାଇ ମାରିଲା, ଚୁଟ‌୍‍କି ଫୁଟେଇଲା।

 

କାଗଜର ନୋଟ‌୍‍ ଗୁଡ଼ାକ ସେତେବେଳକୁ ଚକ୍କର କାଟି କାଟି ସେଇ କାର‌୍‍ ଦେହରେ ଗୋଟାକୁ ଗୋଟା ବାଡେ଼ଇ ହେଇ ତଳେ ପଡ଼ୁଥିଲା।

 

ଡିଭାଇନ‌୍‍ ନଗର, ଚାଉଳିଆଗଂଜ, କଟକ

ସଂପର୍କ : ୯୪୩୭୦୯୭୧୭୭


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top