ଓଳିଏ ଉପାସ କରିବା ଚାଲ!

News Story - Posted on 2016-12-23

 

ହେ ମୋର ପ୍ରିୟ ଭାଇ ଓ ଭଉଣୀ!

 

ଝାରପଡ଼ା ଜେଲରେ ୮ ଦିନ ଉପବାସ ରହି ଡିସେମ୍ବର ୧୯ ତାରିଖ ସନ୍ଧ୍ୟାରେ ମୁକ୍ତ ହେବା ପରେ ଯେଉଁ ଭାବନା ମନରେ ଉଦ୍ରେକ ହେଲା ତାହା ଆପଣମାନଙ୍କ ପାଖରେ ନମ୍ରତାର ସହିତ ବିବେକସମ୍ମତ ଭାବେ ଉପସ୍ଥାପନ କରିବା ପାଇଁ ଉଚିତ ମନେ କରି ଏହି ସାର୍ବଜନୀନ ପତ୍ରଟି ଲେଖୁଛି।

 

ଆପଣମାନେ ଜାଣନ୍ତି ଯେ, ଦୀର୍ଘ ୬ ବର୍ଷ ହେଲା ଚାଷୀ ଉତ୍ପାଦିତ ଦ୍ରବ୍ଯର ଉଚିତ ମୂଲ୍ୟ (ପ୍ରାଇସ୍), ଚାଷୀର ସମ୍ମାନ(ପ୍ରେଷ୍ଟିଜ୍) ଓ ଚାଷୀର ସୁରକ୍ଷା ଭତ୍ତା (ପେନ୍‌ସନ) ପାଇଁ ରାଜନୈତିକ ଦଳର ଊର୍ଦ୍ଧ୍ବରେ ନବନିର୍ମାଣ କୃଷକ ସଂଗଠନ ତରଫରୁ ଏକ ଜନ ଆନ୍ଦୋଳନ ଅହିଂସାତ୍ମକ ପଦ୍ଧତିରେ ଚାଲି ଆସିଛି। ଗତ ଡିସେମ୍ବର ୧୪ ତାରିଖରେ ଓଡ଼ିଶାର ହାରାହାରି ଏକ ଲକ୍ଷ ଲୋକ ଭୁବନେଶ୍ବର ପହଞ୍ଚି ବିଧାନସଭା ଏବଂ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚାଷ ସଂକ୍ରାନ୍ତ ତାଙ୍କର ଦାବି ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ତା ପୂର୍ବରୁ ଡିସେମ୍ବର 12 ତାରିଖ ଦିନ ମୋତେ ଏବଂ ମୋର ସାଥୀ ଶେଷଦେବ ନନ୍ଦ (ସହ-ସଂଯୋଜକ, ନବନିର୍ମାଣ କୃଷକ ସଂଗଠନ)ଙ୍କୁ ଗିରଫ କରାଗଲା ଏବଂ ଡିସେମ୍ବର 13 ଓ 14ରେ ସାରା ଓଡ଼ିଶାରେ ନବନିର୍ମାଣର ଚାଷୀ ନେତୃତ୍ବମାନଙ୍କୁ ଅନ୍ଧାଧୁନିଆ ରାତିଅଧିଆ ଗିରଫ କରାଯିବା ସହିତ ଡିସେମ୍ବର ୧୪ରେ ଭୁବନେଶ୍ବର ଆସୁଥିବା ଚାଷୀମାନଙ୍କୁ ବିଭିନ୍ନ ସ୍ଥାନରେ ଅଟକାଇବା ସହିତ ତାଙ୍କ ଉପରେ ଯେଉଁ ଅକଥନୀୟ ଅତ୍ୟାଚାର କରାଗଲା ତାହା ଆପଣମାନେ ଭଲ ଭାବରେ ଜାଣନ୍ତି। ମୁଖ୍ୟମନ୍ତ୍ରୀ ତ ଏ ବାବଦରେ ମୁହଁ ଖୋଲିଲେ ନାହିଁ। କିନ୍ତୁ ତାଙ୍କର ଦଳୀୟ ମୁଖପାତ୍ର ଓ ଅଧିକାରୀମାନଙ୍କର ସଫେଇ ଥିଲା ଯେ, ପୁଲିସ୍ ହିଂସାର ବାତାବରଣକୁ ଏଡ଼ାଇବା ପାଇଁ ଏଭଳି ପଦକ୍ଷେପ ନେଲା।’ ଆଉ କେତେକ ଦଳୀୟ ନେତା ମନ୍ତବ୍ୟ ଦେଲେ ଯେ, ଖଣି ମାଫିଆମାନେ ସରଳ ନିରୀହ ଚାଷୀଙ୍କୁ ମତାଇ ଚାଷୀ ଆନ୍ଦୋଳନ କରୁଛନ୍ତି।’ ସାଂପ୍ରତିକ ସ୍ଥିତିରେ ଏହି ଦୁଇଟି କଥାର ମିଥ୍ୟା ଅବତାରଣା ଓ ଭ୍ରମକୁ ସ୍ପଷ୍ଟ କରି ଆପଣମାନଙ୍କ ଆଗରେ ଉପସ୍ଥାପନ କରିବାକୁ ଉଚିତ ମନେ କରୁଛି।

 

ମୋ ଜୀବନର ପ୍ରଥମ ସୋପାନରେ ତରୁଣ ଅବସ୍ଥାରେ ସ୍ବାମୀ ବିବେକାନନ୍ଦଙ୍କ ଗୋଟିଏ ଛୋଟିଆ ପ୍ରେରଣାଦାୟୀ ପୁସ୍ତକ ‘ଜାତି ପ୍ରତି ଆହ୍ବାନ’ରୁ ପ୍ରେରଣା ନେଇ ମନରେ ସେବା, ଜାତୀୟତା ଭାବନାରେ ଉଦବୁଦ୍ଧ ହୋଇ ପଞ୍ଜାବର ବିଛିନ୍ନତାବାଦୀ ଓ ଆତଙ୍କବାଦୀ ସମସ୍ୟାକୁ ନିଜ ଆଖିରେ ଦେଖି ବୁଝିବା ପାଇଁ ଘରୁ ଗୋଡ଼ କାଢ଼ିଥିଲି, ଆଜିକୁ ପ୍ରାୟ ତିରିଶ ବର୍ଷ ତଳେ। ତା’ପରେ ମୁଁ ଆଉ ପଛକୁ ଫେରି ଚାହିଁନି। ଘର, ବାପା, ମାଆ, ଭାଇ ଭଉଣୀ, ବନ୍ଧୁ ବାନ୍ଧବ, ପ୍ରିୟ ପରିଜନଙ୍କୁ ପଛରେ ପକାଇ ପରିବାର ନଗଢ଼ି ରାଷ୍ଟ୍ର ଓ ମାନବ ସେବାର ଏକମାତ୍ର ଉଦ୍ଦେଶ୍ୟ ମନରେ ରଖି ପୂର୍ଣ୍ଣ ସମୟ ଦେବାର ମନସ୍ଥ କଲି। ସୌଭାଗ୍ୟବଶତଃ, ମହାରାଷ୍ଟ୍ରର ୱାର୍ଦ୍ଧାରେ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧିଙ୍କ ଆଧ୍ୟାତ୍ମିକ ଶିଷ୍ୟ ସନ୍ଥ ବିନୋବାଜୀଙ୍କର ପ୍ରମୁଖ ଆଧ୍ୟାତ୍ମିକ ଶିଷ୍ୟା ଗୀତାଇ ମିଶନର ସଂଚାଳିକା ମା’ ପ୍ରବୀଣା ଦେଶାଇଙ୍କ ମାର୍ଗଦର୍ଶନ ପାଇଲି। ତତ୍ପଶ୍ଚାତ୍, ବୟୋଜ୍ୟେଷ୍ଠ ଗାନ୍ଧି ବିଚାରକ ତଥା ପୂର୍ବତନ ଶ୍ରମମନ୍ତ୍ରୀ ରବୀନ୍ଦ୍ର ବର୍ମାଙ୍କ ଦ୍ବାରା ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଗାନ୍ଧିଆନ୍ ଷ୍ଟଡିଜ୍’ରେ ଗାନ୍ଧି ବିଚାର ଅଧ୍ୟୟନ ସହିତ ଗାନ୍ଧିଙ୍କ ବ୍ୟକ୍ତିଗତ ଡାକ୍ତର ସୁଶୀଳା ନାୟାର, ମହାନ ଗାନ୍ଧିବାଦୀ ଆଧ୍ୟାତ୍ମିକ ବ୍ୟକ୍ତିତ୍ବ ବିମଳା ଠକ୍କର ପ୍ରମୁଖଙ୍କ ଠାରୁ ଶିକ୍ଷା ପାଇ ନିଜକୁ ଅହିଂସାର ମର୍ାଗରେ ସଂଚାଳିତ କରି ସତତ କାର୍ଯ୍ୟ କରିବା ପାଇଁ ସଂକଳ୍ପ ନେଲି।

 

ତା’ ପରେ ଆସାମର ଉଲ୍‌ଫା ବିଚ୍ଛିନ୍ନତାବାଦୀ ଉଗ୍ର ଆନ୍ଦୋଳନକୁ ଏକ ସକାରାତ୍ମକ ଦିଗରେ ନେବା ପାଇଁ ଜୀବନକୁ ବାଜି ଲଗାଇ ୧୯୯୬ରୁ ୧୯୯୮ ପର୍ଯ୍ୟନ୍ତ ଶାନ୍ତି ସୈନିକର ଭୂମିକା ନିଭାଇଥିଲି। କିନ୍ତୁ ୧୯୯୯ର କରାଳ ମହାବାତ୍ୟାର ତାଣ୍ଡବ ମୋତେ ପୁଣି ମାତୃଭୂମି ଓଡ଼ିଶାକୁ ଟାଣି ଆଣିଲା। ଜଗତସିଂହପୁରର ଏରସମା ବ୍ଲକରେ ବନ୍ଧୁ ସମାଜିକ କର୍ମୀ ନିରାକାରଙ୍କ ସାଥୀରେ ରିଲିଫ୍ ବାଣ୍ଟିବାଠାରୁ ଆରମ୍ଭ କରି ରାସ୍ତା ସଫେଇ ଏବଂ ଶବ ଉଠାଇବା ବେଳେ ମୁଁ ଦେଖି ପାରିଲି ଶାସନ, ପ୍ରଶାସନ ଓ ସଂସ୍ଥାମାନଙ୍କର ଭ୍ରଷ୍ଟାଚାରର ଅସଲ ରୂପ। ସେତେବେଳେ ରିଲିଫ୍ କମିଶନର ସରୋଜ କୁମାର ଝା କହିଲେ ଯେ, ଏରସମାକୁ ଏତେ ସହାୟତା ଆସିଛି, ଏରସମା ସୁଇଜରଲ୍ୟାଣ୍ଡ ହୋଇଯିବ।’ କିନ୍ତୁ ମୁଁ ଦେଖିବାକୁ ପାଇଥିଲି ଯେ ସେହି ପଇସାକୁ ଲୋକ ନପାଇଲେ ତାହା କଳାହାଣ୍ଡି ହୋଇଯିବ।

 

ଏଥିପାଇଁ ଦୁଇ ମୁଖ୍ୟ ସାଥୀ ଶେଷଦେବ ନନ୍ଦ ଓ ଅଶୋକ କୁମାର ଜେନା ଓ ଏରସମାର ଉମାକାନ୍ତଙ୍କ ଭଳି ଛୋଟ ଛୋଟ କଲେଜ ପିଲାଙ୍କୁ ଧରି ମୁଣ୍ଡକୁ ଚାଳ, ଜମିକୁ ଜଳ, ହାତକୁ କାମ ଓ ଲୋକଙ୍କୁ ସୂଚନା’ର ଦାବିକୁ ନେଇ ଆରମ୍ଭ ହେଲା ଏରସମା ନବନିର୍ମାଣ ସମିତି’। ଯାହା ପରେ ନବନିର୍ମାଣ ସମିତି’ ନାମରେ ନାମିତ ହେଲା। ସେହି ନବନିର୍ମାଣ ସମିତିର ଆନ୍ଦୋଳନ, ଏରସମାରେ ତିନି ମାସ ଭିତରେ ଏତେ ପ୍ରବଳ ହେଲା ଯେ, ଏରସମାର ଘରୁ ଘରୁ ତିରିଶ ହଜାର ଲୋକେ ଏହି ଆନ୍ଦୋଳନରେ ସାମିଲ ହେଲେ, ମାର୍ଚ୍ଚ ୨୯, ୨୦୦୦ ମସିହାରେ, ଏରସମା ବ୍ଲକ୍ ସାମ୍ନାରେ। ସେ ସମୟରୁ ଆରମ୍ଭ ହେଲା, ନବୀନ ସରକାରଙ୍କ ଆମ ଉପରେ ପ୍ରଥମ ଅତ୍ୟାଚାର। ମୋ ସହିତ ୨୭ ଜଣ ଭାଇଭଉଣୀଙ୍କୁ ନିର୍ବିଚାରରେ ମାସେ ପାଞ୍ଚ ଦିନ ପାଇଁ କୁଜଙ୍ଗ ସମାଗୋଳ ଜେଲ୍ ପଠାଇ ଦିଆଗଲା।

 

ତା’ ପରେ ନବନିର୍ମାଣ ସମିତି, କେନ୍ଦ୍ରାପାରେ ବନ୍ୟା ହେଉ ବା ଜଗତସିଂହପୁରର ପୋସ୍କୋ ବିରୋଧୀ ଆନ୍ଦୋଳନ ହେଉ, ସବୁଥିରେ ଏକ ଐତିହାସିକ ଭୂମିକା ନିଭାଇଲା। କେବଳ ସରକାରଙ୍କୁ ବିରୋଧ କରିବା ପାଇଁ ବିରୋଧୀ ଆନ୍ଦୋଳନ ନୁହେଁ, ବରଂ ସମୟର ଆହ୍ବାନରେ ୨୦୦୮ର କନ୍ଧମାଳ ଭଳି ହିନ୍ଦୁ, ଖ୍ରୀଷ୍ଟିଆନ ଦଙ୍ଗାରେ ନବୀନବାବୁଙ୍କ ସରକାରଙ୍କୁ ସାହାଯ୍ୟ କରି ଶିକ୍ଷକ ବନ୍ଧୁମାନଙ୍କ ସହାୟତାରେ ଏକ ଐତିହାସିକ ଭୂମିକା ନିଭାଇଛୁ। କନ୍ଧମାଳର ରାଇକିଆ ବ୍ଲକର ବାକିଙ୍ଗିଆ ଗ୍ରାମରେ ଶାନ୍ତି ଫେରାଇ ଆଣିବା ଏବଂ ଖ୍ରୀଷ୍ଟିଆନ୍ ଶିବିରାର୍ଥୀମାନଙ୍କୁ ଗାଁକୁ ଫେରାଇ ଆଣିବା ପାଇଁ ନିଜେ ବିପଦର ନିଆଁ ଉପରେ ଠିଆହୋଇ ସମାଧାନ ପ୍ରସ୍ତୁତ କଲୁ। ସେତେବେଳେ ସେଠିକାର କନ୍ଧମାଳ ଜିଲ୍ଲାପାଳ (ବର୍ତ୍ତମାନର ବିଏମସି କମିଶନର) ଡକ୍ଟର କିଶନ୍ କୁମାର ଓ ଏସ୍‌ପି ପ୍ରବୀଣ କୁମାର ଏବଂ ଉପଜିଲ୍ଲାପାଳ ଭିନିଲ୍ କ୍ରଷ୍ଣା (ଯିଏ ପରେ ମାଲକାନାଗିରି ଜିଲ୍ଲାପାଳ ହୋଇଥିଲେ) ଏହାର ପ୍ରତ୍ୟକ୍ଷଦ୍ରଷ୍ଟା ଥିଲେ, ଯାହାର ଆଧାରରେ ନେସ୍‌ନାଲ ପୁଲିସ ଏକାଡେମୀର ତତ୍କାଳୀନ ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତି (ବର୍ତ୍ତମାନର ଆଡିସିନାଲ୍ ଡିଜି ପୁଲିସ, ଓିଶା) ମୋତେ ଶାନ୍ତି ପ୍ରକ୍ରିୟା ପାଇଁ ସମ୍ମାନୀତ କରିଥିଲେ। ୨୦୧୦ ମସିହାଠାରୁ ସେହି ନବନିର୍ମାଣ ସମିତି’ର ମାତୃ ସଂଗଠନ ଗର୍ଭରୁ ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍(ପିପିପି) ଆଧାରକୁ ନେଇ ଜନ୍ମ ନେଲା ନବନିର୍ମାଣ କୃଷକ ସଂଗଠନ’, ଯାହାର ମୂଳ ଉଦ୍ଦେଶ୍ୟ ହେଉଛି - ସମାଜର ୭୦ ଭାଗ ଚାଷୀଙ୍କୁ ସଂଗଠିତ କରି ଲୋକନୀତି ମାଧ୍ୟମରେ ରାଜନୀତିକୁ ନିୟନ୍ତ୍ରିତ କରିବା ଓ ଚାଷୀକୁ ନ୍ୟାୟ ଦେବା ସହିତ ଅସଲ ଲୋକତନ୍ତ୍ର ଏବଂ ରାମରାଜ୍ୟର ସ୍ଥାପନା କରିବା।

 

ଆନ୍ଦୋଳନ ଆରମ୍ଭରୁ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାନରେ କୌଣସି ସମୟରେ ହିଂସାର ବାତାବରଣ ସୃଷ୍ଟି କରିନି। ଆଇନ୍ ନିଶ୍ଚୟ ଭାଙ୍ଗୁଛି, କିନ୍ତୁ ବିନମ୍ରତାର ସହିତୟ ଯାହା ଗାନ୍ଧିଜୀ କହିଥିଲେ, ‘ଯେଉଁ ଆଇନ ମୋ ବିବେକର କାନୁନର ବିରୁଦ୍ଧରେ ତାହା ମୁଁ ବିନମ୍ରତାର ସହିତ ଭାଙ୍ଗିବି, ତାହା ପାଇଁ ରାଜ୍ୟ ବା ପ୍ରଶାସନ ଯାହା ଦଣ୍ଡ ଦେବ, ତାହା ମୁଁ ସହର୍ଷ ସ୍ବୀକାର କରିବି।’ ଆମେ ବିଗତ ଦିନରେ ଫାଇଲିନ୍ ସହାୟତା ପାଇଁ 16 ଦିନ ରାଜଧାନୀରେ ଅନଶନରେ ବସିବା ପରେ ସରକାର ଶୁଣିଲେ ନାହିଁ ଏବଂ ମୁଖ୍ୟମନ୍ତ୍ରୀଙ୍କ କାନକୁ କଥା ଗଲା ନାହିଁ, ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ତାଙ୍କ ଗାଡ଼ି ଆଗରେ ତ୍ରିରଙ୍ଗା ପତାକା ନେଇ ଶୃଙ୍ଖଳିତ ଭାବରେ ଶୋଇଯିବାରୁ ମାରିଦେବାକୁ ଚେଷ୍ଟା କରିବା ଭଳି ସଙ୍ଗିନ ଅଭିଯୋଗର ଧାରା ଲଗାଇ ଗିରଫ କରିବାଟା ମୋଟେ ବୁଝା ପଡ଼ିଲା ନାହିଁ। ଠିକ୍ ସେହିପରି, ଯେତେବେଳେ ଯେ କୌଣସି କାର୍ଯ୍ୟକ୍ର ଲୋକଙ୍କ ପାଇଁ ନେଉଛୁ, କୌଣସି ସ୍ଥାନରେ ଭାଙ୍ଗିବା, ମାରିବା ଭଳି ସାମାନ୍ୟ ହିଂସା ଆଦୌ ହୋଇନାହିଁ। କୌଣସି ଅଫିସରଙ୍କୁ ବ୍ୟକ୍ତିଗତ ଦୁର୍ବ୍ୟବହାର ଟିକେ ବି କରିନାହୁଁ। କେବଳ ଏତିକି କହୁଛୁ ସର୍ବ ସାଧାରଣଙ୍କର ସେବକମାନେ ମାଲିକ ଭଳି ବ୍ୟବହାର କରିବା ଉଚିତ୍ ନୁହେଁ, ବରଂ ସମାଜର ସିଂହଭାଗ ଚାଷୀ ହୋଇଥିବାରୁ ଗଣତାନ୍ତ୍ରିକ ନ୍ୟାୟରେ ତାଙ୍କୁ ସମ୍ମାନ ଦେବା ଉଚିତ।’ ଏଥିରେ ଭୁଲ୍ ରହିଲା କେଉଁଠି? ଯଦି କୌଣସି ଗୋଟିଏ ବି ଆନ୍ଦୋଳନରେ ହିଂସାର ଆଚରଣ କରାଯାଇ ନାହିଁ, ସେଠାରେ ସରକାରୀ ପ୍ରଶାସନ ହିଂସା ହୋଇଯିବ ବୋଲି ମନକୁ ମନ ଭାବିଲା କାହିଁକି? ଯେଉଁ ଅହିଂସାର ସଫଳ ଆନ୍ଦୋଳନ ପାଇଁ ଦୁର୍ନୀତି ବିରୋଧୀ ନେତା ଆନ୍ନା ହଜାରେ ମୋତେ ତାଙ୍କ କେନ୍ଦ୍ରୀୟ କମିଟିରେ ନେବା ସହିତ ନବନିର୍ମାଣ କୃଷକ ସଂଗଠନର ସମାବେଶକୁ ଦୁଇ ଦୁଇ ଥର ଆସି ତାଙ୍କର ନୈତିକ ସମର୍ଥନ ବ୍ୟକ୍ତ କରି ଓଡ଼ିଶାରୁ ଫେରିଛନ୍ତି, ସେହି ଆନ୍ଦୋଳନରେ ପ୍ରଶାସନ କିପରି ହିଂସା ହେବ ବୋଲି ଆକଳନ କରିନେଲା? ମନକୁ ମନ ନବୀନ ବାବୁ ତାଙ୍କର ଶାସନ ଗାଦି ପ୍ରତି ଏହି ଆନ୍ଦୋଳନ ଏକ ଭୟସଂଚାର କରିଛି ବୋଲି ଭାବିଲେ ମୁଁ ନାଚାର?

 

ଠିକ୍ ସେହିପରି ଯେଉଁ ଶାସକ ରାଜନେତାମାନେ ଚାଷୀ ଆନ୍ଦୋଳନକୁ ଖଣି ମାଫିଆମାନେ ଚାଷୀଙ୍କୁ ମତାଇ ଆନ୍ଦୋଳନ କରୁଛନ୍ତି ବୋଲି କହୁଛନ୍ତି, ସେମାନଙ୍କ ବକ୍ତବ୍ୟକୁ ଆପଣମାନେ ନିରପେକ୍ଷ ଭାବେ ଆକଳନ କରନ୍ତୁ।

 

ବିଗତ ୩୦ ବର୍ଷର ଫକୀର ଜୀବନରେ କେଉଁଠି ମୁଁ ଠିଆ ହୋଇଛି? ଏହି ଆନ୍ଦୋଳନକୁ ଗଢ଼ି ତୋଳିବା ପାଇଁ ମୁଖ୍ୟ ଉପଦେଷ୍ଟା ଭୂମିକାରେ ସମ୍ବାଦ ସଂପାଦକ ସୌମ୍ୟ ରଂଜନ ପଟ୍ଟନାୟକ ହୁଅନ୍ତୁ ବା ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ରବି ଦାସ ହୁଅନ୍ତୁ ବା ବଳିଷ୍ଠ ଓକିଲ ଶିବାନନ୍ଦ ରାଏ ହୁଅନ୍ତୁ ବା ବରିଷ୍ଠ ସ୍ତମ୍ଭକାର ନଟବର ଖୁଣ୍ଟିଆ ହୁଅନ୍ତୁ, ଏମାନଙ୍କର ନିଃସ୍ବାର୍ଥପର ସହଯୋଗ ବିନା ଆନ୍ଦୋଳନ ଅଧୁରା ରହିଯିବ। ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକଙ୍କ ଭଳି ବ୍ୟକ୍ତିତ୍ବ, ଯିଏ ନିଜର ପୁରୁଷାର୍ଥ ଦ୍ବାରା ଗଣମାଧ୍ୟମରେ କେବଳ ନୁହେଁ, ଭାଷା, ନିଶା ଓ ଚିଟ୍‌ଫଣ୍ଡ ଆନ୍ଦୋଳନ ଠାରୁ ଆରମ୍ଭ କରି ରକ୍ତଦାନ ପରି ରଚନାତ୍ମକ କାର୍ଯ୍ୟରେ ଏକ ଐତିହାସିକ ସାଂସ୍କୃତିକ କ୍ରାନ୍ତି ଆଣିବା ପାଇଁ ସଫଳ ହୋଇଛନ୍ତି, ତାଙ୍କୁ ଯଦି ଆଜିର ଓଡ଼ିଆ ଜାତି ଚିହ୍ନି ନପାରିବ, ତେବେ ଓଡ଼ିଆ ଜାତିର ଉତ୍ଥାନ କଦାପି ସମ୍ଭବ ନୁହେଁ।

 

ଆଉ ଅଧିକ କିଛି ଲେଖୁନାହିଁ। ଆଜି ମୋର ଅନଶନ ୧୦ମ ଦିନରେ। ଏହା ଚାଲୁ ରହିବ। ଆଗାମୀ ଜାନୁଆରୀ ଜାନୁଆରୀ ୩ ତାରିଖରେ ଦିନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଗୋଟିଏ ସମୟ ଓଡ଼ିଶାର ସମସ୍ତ ଚାଷୀ, ଯୁବକ, ଛାତ୍ର, ବୁଦ୍ଧିଜୀବୀ, ମହିଳା ଓ ସମସ୍ତବର୍ଗର ଭାଇ ଭଉଣୀଙ୍କୁ ଅନଶନ ରଖିବା ପାଇଁ ନିବେଦନ କରୁଛି। ଓଡ଼ିଶାର ଚାଷ ଓ ଚାଷୀକୂଳକୁ ବଞ୍ଚାଇବା ପାଇଁ, ଓଡ଼ିଶାର ଗଣତାନ୍ତ୍ରିକ ଆନ୍ଦୋଳନକୁ ସମର୍ଥନ ଦେବା ପାଇଁ, ଲୋକନୀତି ଦ୍ବାରା ରାଜନୀତିକୁ ନିୟନ୍ତ୍ରିତ କରି ଏକ ସଚ୍ଚା ଲୋକତନ୍ତ୍ର ଓ ରାମରାଜ୍ୟ ପ୍ରତିଷ୍ଠା କରିବା ସହ ଓଡ଼ିଶାକୁ ମାଛ, ଅଣ୍ଡା, ଆଳୁ, ପିଆଜ, ତେଲ, ଡାଲି ଇତ୍ୟାଦିରେ ସ୍ବାବଲମ୍ବୀ କରିବା ସହ ଓଡ଼ିଶାରୁ ଦାଦନ ଯାଇଥିବା ଲକ୍ଷ ଲକ୍ଷ ଯୁବକଙ୍କୁ ନିଜ ମାଟିରେ ନିଯୁକ୍ତି ଦେଇ ଆତ୍ମସମ୍ମାନ ସହ ଫେରାଇ ଆଣିବା ପାଇଁ, ଏକ ସ୍ବଚ୍ଛ, ଦୁର୍ନୀତିମୁକ୍ତ, ନିଶାମୁକ୍ତ, ସ୍ବାବଲମ୍ବୀ ଓ ସମୃଦ୍ଧ ଓଡ଼ିଶା ଜାତିକୁ ଠିଆ କରିବା ଉଦ୍ଦେଶ୍ୟରେ ଆପଣଙ୍କର ନୈତିକ ସମର୍ଥନ ଲୋଡୁଛି। ଆଶା, ପ୍ରତୀକାତ୍ମକ ଭାବେ ଗୋଟିଏ ଓଳିର ଉପବାସ ପାଳନ କରି ନୂଆ ଓଡ଼ିଶା ଗଠନର ମହାସଂଗ୍ରାମରେ ସ୍ବେଚ୍ଛାକୃତ ଭାବେ ସାମିଲ ହେବେ, ଯାହା ଏକ ସମୃଦ୍ଧ, ସ୍ବାଲମ୍ବୀ, ସ୍ବାଭିମାନୀ ଓଡ଼ିଶା ନିର୍ମାଣରେ ସହାୟକ ହେବ।

 

ଅକ୍ଷୟ କୁମାର, ପ୍ରତିଷ୍ଠାତା ତଥା ରାଜ୍ୟ ସଂଯୋଜକ

ନବନିର୍ମାଣ କୃଷକ ସଂଗଠନ


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top