କୋଳିବଣର ବାଘ

News Story - Posted on 2016-12-18

ବିନୟ ମହାପାତ୍ର

 

ମନକୁ ପଚାରେ, କୋଳି ଖାଇବାକୁ ଯିବୁ?

 

ମନ ଟିକେ ଆଗ୍ରହ ଦେଖେଇ ପଚାରେ, କୋଳି? କ କୋଳି? କେଉଁ ଠିକି ?

 

ମୁଁ କହେ, ସେ କଥା ଛାଡ, ଆଗ କହ କୋଳି ଖାଇବାକୁ ଯିବୁ, କି ନାହିଁ?

 

ମନ ଟିକେ ଭାବେ, ଓଠ ଉପରେ ଟିପ ଠକ୍ ଠକ୍ କରେ, ଆଖି ଡୋଳାକୁ ଓପର ତଳ ବାଆଁ ଡାହାଣ ଘୁମାଏ, ପୁଣି ଭାବେ। ବହୁତ ଭାବିଲା ପରେ ଜବାବ ଦିଏ, ହଁ ଯିବି।

 

ହେଲେ ସିଏ ପଚାରେନି ସିନା, କୋଳି ଖାଇବା ପରି ଏକ ମାମୁଲି କଥାକୁ ମୁଁ କାହିଁକି ଏତେ ସିରିଅସ ହୋଇ ପଚାରୁଛି! କିନ୍ତୁ ମନେ ମନେ ଭାବେ, ସାରୁ ଭିତରେ ମାରୁ ନାହିଁ ତ? ସେଇଥି ପାଇଁ ଭାବେ, ହଁ ନାହିଁର ଡଙ୍ଗାରେ ବସି ଏ କୁଳ ସେ କୁଳ ହୁଏ। ବହୁତ କିଛି ଭାବିଲା ପରେ ହଁ କହେ।

 

ମୁଁ ପୁଣି ପଚାରେ, ଜଙ୍ଗଲରେ ବାଘ ଦେଖିଲେ ଡରିବୁନି ତ?

 

ମୋର ଏଇ ପ୍ରଶ୍ନଟି ମନକୁ ପୁଣି ଭାବନାର ଗଭୀର ଜଳକୁ ଟାଣି ନିଏ। ସେ ଟିକେ ଘାବରେଇ ଯାଏ। କୋଳି ଖାଇବା ପରି ଏକ ସାମାନ୍ୟ ପ୍ରସଙ୍ଗ ଭିତରକୁ ହଠାତ୍ ଏ ବାଘ କେଉଁଠୁ ଡିଆଁ ମାରିଲା? କାହିଁ ଆଗରୁ ତ କହି ନଥିଲା ଏ କଥା, ବାଘ ଜଙ୍ଗଲକୁ କୋଳି ଖାଇ ଯିବା କଥା।

 

ବାଘ କ’ଣ କୋଳି ଖାଏ? ନା କୋଳି ଜଙ୍ଗଲ ବାଘ ରହିବା ଜାଗା? ମନ ଆଶ୍ଵସ୍ତ ହୁଏ, ବାଘ ଜଙ୍ଗଲରେ କୋଳି ଥାଏନା, କୋଳି ଜଙ୍ଗଲରେ ବାଘ ରହେନା। ବାଘ ନ ରହିବାର ସମ୍ଭାବନା ଯେଉଁଠି ଏତେ ଅଧିକ ସେଠି ପୁଣି ବାଘର ଭୟ କ’ଣ? ମନ ହଠାତ୍ ନିର୍ଭୀକ ହୋଇଯାଏ, ବାହାଦୁରୀ ଦେଖାଇ କହେ, ସିଏ ବାଘକୁ ଡରେନା।

 

× × × × × ×

 

ଆମେ କୋଳି ଖାଇବାକୁ ଗଲୁ। ଅଗନା ଅଗନି ବନସ୍ତ, କେତେ ଜାତିର ନାଲି ଟହ ଟହ ପାଚିଲା କୋଳି, ସବୁ କୋଳି ଗଛରେ ନେନ୍ଥି ହୋଇଛି। ଚାରି ଦିଗରେ ବାସ ମହକି ଯାଉଛି। ପାଟିରୁ ଆମର ଲାଳ ଗଡି ଆସିଲା। ଆମେ ଆଉ ଅପେକ୍ଷା କରିପାରୁ ନଥିଲୁ। ଆମେ ଗଛରେ ଚଢିଲୁ, କୋଳି ତୋଳିଲୁ। କଣ୍ଟା ବାଜି ଦେହରୁ ରକ୍ତ ଝରିଲା। ଲୁଗା ଚିରିଲା। ତଥାପି ଆମେ ଗଛ ଚଢିଲୁ। କୋଳି ତୋଳିଲୁ।

 

କୋଳି ଗୋଟିଏ ପାଟିରେ ଦେବା ଆଗରୁ କେଉଁଠି ଥିଲା କେଜାଣି, ଗର୍ଜନ କରି ବାଘ ଆସିଲା, ଭୁଇଁରେ ଲାଂଜ ପିଟିଲା। ରାଗରେ ନିଶ ଫୁଲେଇଲା, କହିଲା, କିଏରେ ରାଜାଙ୍କ ଜଙ୍ଗଲରୁ କୋଳି ତୋଳୁଛି?

 

ଆମେ ବାଘ ମାମୁଁ।

 

ଆମେ କିଏ? କିଏ ତମେ? ତମେ କଣ ମନ୍ତ୍ରୀ, ଅଫିସର, ନା କଟୁଆଳ ନା ଜଗୁଆଳୀ ଯେ ଜଙ୍ଗଲରେ ପଶି ମନ ଇଚ୍ଛା କୋଳି ତୋଳିବ, କୋଳି ଖାଇବ? ରାଜାଙ୍କ କାନକୁ କଥା ଗଲେ ଶୁଳି ହୋଇଯିବ, ଜେଲ ହୋଇଯିବ।

 

ମନ ଟିକେ ଭାବେ, ପୁଣି କହେ, ଏ ଜଙ୍ଗଲ କ’ଣ ରାଜାଙ୍କର? ଏ ଜଙ୍ଗଲ ତ ଏ ଦେଶର ଜନ ସାଧାରଣଙ୍କର। ରାଜା ତ ଖାଲି ଜଗୁଆଳୀ! ଏଇ କୋଳି ସମସ୍ତଙ୍କ ପାଖରେ ଠିକ୍ ସମୟରେ ଠିକ୍ ଭାବରେ ପହୁଂଚାଇବା ରାଜାର ଦାୟିତ୍ଵ। ମନ୍ତ୍ରୀ ଅଫିସରଙ୍କ ଦାୟିତ୍ଵ।

 

ମନ କଥା ଶୁଣି ବାଘର କ୍ରୋଧ ଚରମରେ ପହଂଚି ଗଲା। ରାଗରେ ବାଘର ଆଖିରୁ ସତେ ନିଆଁ ଜଳି ଉଠିଲା। ବାଘ ଗର୍ଜନ କଲା। ଭୁଇଁରେ ଲାଂଜ ପିଟିଲା। କହିଲା, ଆମକୁ ନିୟମ କାନୁନ ଶିଖାଅନା, ତୁମେ ସବୁ ଜନତା ରାଜାଙ୍କୁ ଗଦିରେ ବସେଇଛ ବୋଲି ରାଜାଙ୍କ ଉପରେ ରାଜା ହେବାକୁ ଚେଷ୍ଟା କରନା। ଏ ସବୁ କୋଳି କେବଳ ତୁମକୁ ଦେଖାଇବା ପାଇଁ। ଏ କୋଳି କେବଳ ଆମେ ତୋଳିବୁ, ଆମେ ବାଣ୍ଟିବୁ। ତୁମମାନଙ୍କ ପାଖରେ ପହଂଚିବା ଆଗରୁ ଆମ ହାତକୁ ଆସିବ। ଆମଠୁ ବଳିଲେ ତୁମ ପାଖରେ ପହଂଚିବ। ଯାଅ, ଘରେ କୋଳିର ଅପେକ୍ଷା କରିବ। ତେଣିକି ତୁମର ଭାଗ୍ୟ। ଯଦି ମିଳିବ ତେବେ ଭଗବାନଙ୍କୁ ଧନ୍ୟବାଦ କହିବ, ଯଦି ନ ମିଳେ ତେବେ ଆର ବର୍ଷ ପାଇଁ ଅପେକ୍ଷା କରିବ। ହଁ ଯିବା ଆଗରୁ ଯାହା ତୋଳିଛ ମୋ ସାମ୍ନାରେ ରଖି କି ଯାଅ।

 

ବାଘର ରାଗ ଦେଖି ଆମେ ବହୁତ ଡରି ଗଲୁ। ଗଛରୁ ଓହ୍ଲେଇଲୁ। ଯାହା ତୋଳି ଥିଲୁ ବାଘ ମାମୁଁ ସାମ୍ନାରେ ରଖିଲୁ। ବାଘ ମାମୁଁ ଥରେ ଆମକୁ, ପୁଣି ଭୋକିଲା ଆଖିରେ ଥରେ କୋଳିକୁ ଚାହିଁଲା, ଏବଂ ଚିତ୍କାର କଲା। ଚାହିଁଛ କ’ଣ? ପଳା ଏଠୁ ଜଲଦି ପଳା। ନହେଲେ ଜେଲ ହୋଇଯିବ, ଜୋରିମାନା ହୋଇଯିବ।

 

ଆମେ ଏକ ମୁଁହା ହୋଇ ଧାଇଁଲୁ ଘର ଆଡକୁ। ହେଲେ ମୁଁ ଯେତେବେଳେ ଥରେ ପଛକୁ ଚାହିଁଲି, ଯାହା ଦେଖିଲି, ମୁଁ ମୋ ଆଖିକୁ ବିଶ୍ଵାସ କରି ପାରୁ ନଥିଲି। ବାଘ ମାମୁଁ ଗୋଟିକ ପରେ ଗୋଟିଏ କୋଳି, ଟପ୍ ଟାପ୍ ତା ପାଟିରେ ପକାଇ ଚାଲିଛି। ତାର ମିଠା ମିଠା ସ୍ୱାଦର ଆନନ୍ଦ ନେଉଛି।

 

ମନକୁ ପଚାରିଲି, କିରେ ବାଘ କ’ଣ କୋଳି ଖାଏ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top