ଦୀନ ବାନ୍ଧବ ହେ

News Story - Posted on 2016-12-18

ବଳରାମ ଦାସ

(୧୫ଶ-୧୬ଶ ଶତାବ୍ଦୀ)

 

ଦୀନ ବାନ୍ଧବ ହେ, ମୋ ଦୁଃଖ ନ ଗଲା ଯେ

ତୁମ୍ୱେ ଦୀନବନ୍ଧୁ ମୋତେ ପାଶୋରିଲେ ମୋ ବନ୍ଧୁ ହୋଇବ କିଏ?

 

ତୁଳସୀର ମାଳ ତୁଳସୀର ଚୂଳ ତୁଳସୀ ମଥାରେ ଦେଇ

ତୁଳସୀ ଚଉଁରା ମୂଳେ ଅନାଇଲେ ନୀଳଚକ୍ର ଦିଶୁଥାଇ।

 

ଚୂଳର ଉପରେ ସେବତୀର ଗଭା ଦେଖିଲେ ମାଡ଼ଇ ଭୟେ।

ଦୀନବନ୍ଧୁଠାରେ ବିପତ୍ତି ନ ଥାଇ ଯେଣେ ଯାଇଥିଲେ ଜୟେ।

 

ଦୀନବନ୍ଧୁ ବୋଲି ଯାହାକୁ ବୋଲନ୍ତି ସେହି ଯେ ପରମ ଯୋଗୀ

ଯୋଗୀମାନଙ୍କର ଆତଙ୍କନାଶନ ଦୁଃଖୀମାନଙ୍କର ଭୋଗୀ।

 

ଆଦି ଅନାଦିରେ ବନ୍ଧନ ପଡ଼ିଛି ମାୟାମୋହ ଲାଗି ଧନ୍ଦ

ଶୂନ୍ୟ ପୁରୁଷ ଯେ ଶୂନ୍ୟରେ ଯାଉଛି ପଞ୍ଚୁରି ପଡ଼ିବ ବନ୍ଦ।

 

ଏ ଭବସାଗରୁ ତରିବା ନିମନ୍ତେ ପଥର ବାନ୍ଧିଛ ଭେଳା

ତୁମେ ନ ରଖିଲେ ଭାସି ମୁଁ ଯାଉଛି ରଖ ରଖ ଚକାଡୋଳା।

 

ଭଗତ ଭାବରୁ ପ୍ରସନ୍ନ ହେବାରୁ ଭାବ ବିନୋଦିଆ ଯେଣୁ

ବଳରାମ ଦାସ ଅନ୍ନ ନ ମାଗଇ ମାଗଇ ଚରଣ ରେଣୁ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top