ଖାଇ ଖାଇ ଓଡ଼ିଆ!

News Story - Posted on 2016-12-13

 

ମା’ ଯଶୋଦା ହଠାତ ଦିନେ ଦେଖିଲେ ଯେ ତାଙ୍କ ଏକୋଇର ବଳା ବିଶିକେଶନ କାହ୍ନାର ଦେହ ଝଡ଼ି ଯାଇଛି। ମା’ଙ୍କ ଆଖିକୁ ସେ ଶୁଖି କଳାକାଠ ପଡ଼ି ଯାଇଥିବା ଦେଖାଗଲେ।

 

ଏତିକିରେ ମା’ ଉଚ୍ଛନ୍ନ ହୋଇଗଲେ। ଭାବିଲେ ନଖାଇ ନପିଇ ସେ ଏମିତି ହୋଇଗଲାଣି। ସେଠୁ ଯଶୋଦା କ’ଣ କଲେ ନା ନିଜେ ରୋଷେଇ ଘରକୁ ଯାଇଁ ନାନାଦି ପ୍ରକାରର ପୁଷ୍ଟିକର ତଥା ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି କୃଷ୍ଣଙ୍କୁ ଖୁଆଇଲେ।

 

ଏହା ଥିଲା ଦ୍ବାପର ଯୁଗର କଥା। ପୁରାଣ ଓ କିମ୍ବଦନ୍ତୀର ବର୍ଣ୍ଣନା। ଆଜି କିନ୍ତୁ ଏହାକୁ ବାସ୍ତବ ଜଗତରେ ଦେଖିବାକୁ ମିଳେ। ମା’ ଯଶୋଦା ଓ କୃଷ୍ଣଙ୍କ କାହାଣୀ ଅଭିନୀତ ହୁଏ ପୁରୀର ବିଭିନ୍ନ ମଠବାଡ଼ିରେ, ବିଶେଷକରି ମାତାମଠରେ। କୃଷ୍ଣ ଓ ଯଶୋଦାଙ୍କର ସେହି କଥା ମନେ ପକାଇବାକୁ ପୁରୀର ମାତା ମଠ ବା ଗୌର ବିହାର ଆଶ୍ରମରେ ଚଳିତ ବର୍ଷ ଅନ୍ୟୁନ ୫୫୫ ପ୍ରକାର ବ୍ୟଞ୍ଜନାଦି ଖାଦ୍ୟ ଭୋଗ ହୋଇଥିଲା। କୃଷ୍ଣଙ୍କୁ ଏସବୁ ଖାଦ୍ୟ ଅର୍ପଣ କରାଯିବା ପରେ ତାହାକୁ ଭକ୍ତମାନେ ପରମ ଆନନ୍ଦରେ ସେବନ କରିଥିଲେ।

 

ଓଡ଼ିଆ ପଞ୍ଜିକାରେ ମାର୍ଗଶୀର ଶୁକ୍ଳ ପକ୍ଷ ଦ୍ୱାଦଶୀ ବ୍ୟଞ୍ଜନ ଦ୍ଵାଦଶୀ ବା ଅଖଣ୍ଡ ଦ୍ଵାଦଶୀ ନାମରେ ଜଣା। ଏହି ଦ୍ୱାଦଶୀରେ ଅନୁଷ୍ଠିତ ଧର୍ମକର୍ମର ନିଶ୍ଚିତ ଫଳ ମିଳେ ବୋଲି ଲୋକ ବିଶ୍ବାସ ରହିଛି। ବ୍ୟଞ୍ଜନ ଦ୍ଵାଦଶୀ ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଅନୁଗାମୀମାନଙ୍କର ଏକ ପ୍ରମୁଖ ପର୍ବ। ଏହି ଦିନ ମା’ ଯୋଶୋଦା ଶ୍ରୀକୃଷ୍ଣଙ୍କୁ ବହୁବିଧ ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିବାର କିମ୍ବଦନ୍ତୀ ସହିତ ଶ୍ରୀଚୈତନ୍ୟ ମହାପ୍ରଭୁ ମଧ୍ୟ ବାଲ୍ୟକାଳରେ ନିଜ ମା’ଙ୍କ ପରଷା ବହୁବିଧ ଖାଦ୍ୟ ଖାଇଥିବାର ଶୁଣାକଥା ଅଛି। ଏହି ଦୁଇଟି ଶୁଣାକଥାକୁ ମିଶାଇ ଗୌଡ଼ୀୟ ବୈଷ୍ଣବମାନେ ନିଷ୍ଠାର ସହିତ ବ୍ୟଞ୍ଜନ ଦ୍ବାଦଶୀ ପାଳନ କରିଥାନ୍ତି।

 

ଏହି ଦିବସ ପାଳନ କରିବା ପାଇଁ ଶ୍ରୀକ୍ଷେତ୍ରର ଗୌର ବିହାରରେ ପ୍ରତିବର୍ଷ ଏହି ଅଭିନବ ଆୟୋଜନ କରାଯାଉଛି। ଗତ ବର୍ଷ ବ୍ୟଞ୍ଜନ ଦ୍ଵାଦଶୀ ପର୍ବ ଅବସରରେ ଗୌର ବିହାର ଆଶ୍ରମରେ ୬୦୬ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତି କରାଯାଇ କୃଷ୍ଣଙ୍କୁ ଲାଗି କରାଯାଇଥିଲା। ଏହା ଗୌଡ଼ୀୟ ବୈଷ୍ଣବ ସଂପ୍ରଦାୟର ଶ୍ରଦ୍ଧାଳୁମାନଙ୍କର ଏକ ପ୍ରମୁଖ ପର୍ବ। ଗତ କିଛିବର୍ଷ ଧରି ଆଶ୍ରମରେ ଏହି ଅବସରରେ ଶହ ଶହ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି।

 

ପ୍ରତିବର୍ଷ ଆଶ୍ରମର ୩୦ରୁ ଅଧିକ ଅନ୍ତେବାସୀ ଅନ୍ନବ୍ୟଞ୍ଜନ ପ୍ରସ୍ତୁତ କରି ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇଥାନ୍ତି। ଏହା ମଧ୍ୟରେ ଥାଏ ୫୦ରୁ ଅଧିକ ପ୍ରକାରର ଅନ୍ନ, ୫୦ରୁ ଅଧିକ ପ୍ରକାରର ଡାଲି, ୧୦୦ରୁ ଅଧିକ ପ୍ରକାର ତରକାରୀ, ୫୦ରୁ ଅଧିକ ପ୍ରକାର ଭଜା ଓ ୧୦୦ରୁ ଅଧିକ ପ୍ରକାର ପିଠା ଓ ମିଠା ଇତ୍ୟାଦି।

 

ଆଶ୍ରମବାସୀମାନେ ପରିବାପତ୍ର କଟାକଟି କରିବା ସହିତ ଆନୁଷଙ୍ଗିକ ପ୍ରସ୍ତୁତି ପରେ ଅପରାହ୍ଣ ୨ଟାରୁ ଭୋଗ ପ୍ରସ୍ତୁତି ଆରମ୍ଭ କରାଯାଇଥାଏ। ପରେ ପ୍ରସାଦକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟନ କରଯାଏ। ଏତେ ପ୍ରକାର ବ୍ୟଞ୍ଜନ ପରଷିବା ପାଇଁ ସ୍ଵତନ୍ତ୍ର ଭାବେ ନିର୍ମିତ ଖଲିପତ୍ର ବ୍ୟବହାର କରାଯାଇଥାଏ।

 

ଗୌର ବିହାର ବ୍ୟତୀତ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ମଠ ମନ୍ଦିରରେ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ଭୋଗ କରାଯାଇଏ।

 

ଶ୍ରୀମନ୍ଦିରରେ ପ୍ରତିଦିନ ଛପନ ଭୋଗ ଲାଗି  ହୁଏ। ମନ୍ଦିରର ତିନି ଠାକୁରଙ୍କ ପାଖରେ ଦୈନିକ ୬୦ ପଉଟି ଖାଦ୍ୟ ପରଷା ଯାଏ। ଠାକୁରଙ୍କ ପାଖରେ କି କି ୫୬ ଭୋଗ ଲାଗିହୁଏ ତାହାର ତାଲିକା ରହିଛି। ଏଥିରେ କିଛି ତ୍ରୁଟିବିଚ୍ୟୁତି ନହେବା ପାଇଁ ଏହାକୁ ତାଲିକାଭୁକ୍ତ କରାଯାଇଛି।

 

ଜଗନ୍ନାଥ ପୁରୀର ଏଇ ଖାଦ୍ୟ ସଂସ୍କାର ସମଗ୍ର ଓଡ଼ିଶାକୁ ଆକ୍ରାନ୍ତ କରିଯାଇଛି। ଓଡ଼ିଆମାନେ ଭାରତର ଅନ୍ୟାନ୍ୟ ଅଚଂଳ ପରି ଭାତ ଡାଲି ତରକାରୀରେ ସନ୍ତୁଷ୍ଟ ନୁହନ୍ତି। ଓଡ଼ିଆ ଘରେ ଛଅ ତିଅଣ ନଅ ଭଜା ଏକ ନିତିଦିନିଆ ମଉଜ। ଯାହାର ସାମର୍ଥ୍ୟ ନାହିଁ ସେ ନକରିପାରେ। କିନ୍ତୁ ପୁନେଇପର୍ବରେ ସେ ନିଶ୍ଚୟ ଖଣ୍ଡକ ଜାଗାରେ ଦି’ ଖଣ୍ଡ ତରିକାରୀ କରିବ।

 

ଗହ୍ମା ପୁହ୍ନେଇରେ ପାଟରାମାନେ କୁଳଦେବତା ବଳଦେବଙ୍କ ନିକଟରେ ସବୁଦିନ ବିଭିନ୍ନ ପ୍ରକାର ପିଠା ଓ ମିଶା ଭୋଗ ଲଗାଇଥାନ୍ତି। ଶାଗଭାତ ନାମରେ ପରିଚିତ ଶେଷଦିନ ପାଟରାଣୀମାନେ ଘରେ ଏହିଭଳି ଭାବରେ ବହୁବିଧ ଅନ୍ନ ଓ ବ୍ୟଞ୍ଜନ ପ୍ରସ୍ତୁତ କରି ଠାକୁରଙ୍କୁ ଅର୍ପଣ କରିଥାନ୍ତି। ସେଦିନ ବହୁ ପ୍ରକାର ଡାଲି, ଡାଲମା, ଖଟା, ଆମ୍ବିଳ, ରାଇ, ଶାଗ, ଭଜା, ତରକାରୀ, ଶାକର, ବେସର, ମହୁର ଆଦି ଜଗନ୍ନାଥ ବଳଭଦ୍ରଙ୍କୁ ଭୋଗ ଲଗାଇ ପାଟରାମାନେ ପରମତୃପ୍ତିରେ ଭୋଜନ କରିବା ସହିତ ସାହିପଡ଼ୋଶୀଙ୍କୁ ଖୁଆଇଥାନ୍ତି।

 

ରଜ, ପ୍ରଥମାଷ୍ଟମୀ, ଦୁତିଆ ଓଷା, ମକର, ନୂଆଁଖାଇ ଆଦି ଓଡ଼ିଆଙ୍କର ଭୂରିଭୋଜନର ପର୍ବ ଭାବେ ପାଳିତ ହୁଏ।

 

ଓଡ଼ିଆ ଘରେ ଗୋଟିଏ ପରିବାରୁ ବହୁ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯିବାର କାଇଦା କାଳକାଳ ଧରି ଗଡ଼ି ଆସିଛି। ଓଡ଼ିଆ ଘରେ ପାକ ପ୍ରଣାଳୀ ମଧ୍ୟ ବହୁବିଧ। ପୋଡ଼ା, ଶିଝା, ଭଜା ଆଦି ତିନି ପ୍ରକାର ପାକ ପଦ୍ଧତିରେ ଗୋଟିଏ ଗୋଟିଏ ପରିବା ବା ଶାଗକୁ ବିଭିନ୍ନ ପ୍ରକାରେ ସୁସ୍ବାଦୁ ଖାଦ୍ୟରେ ପରିଣତ କରାଯାଏ।

 

ଆମିଷ କ୍ଷେତ୍ରରେ ମଧ୍ୟ ସେହିପରି। ମାଛ ଓ ମାଂସକୁ ଓଡ଼ିଆ ଲୋକମାନେ ବିବିଧ ପ୍ରକାରେ ରାନ୍ଧି ଖାଇଥାନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top