ସୂଚନା ଅଧିକାର ଆଇନ ଦିଗହରା

News Story - Posted on 2016-12-08

ସୂଚନା ଅଧିକାର ଆଇନ‌୍‍କୁ ଠିକ‌୍‍ ଭାବେ କାର୍ଯ୍ୟକାରୀ କରାଇବା ଏବଂ ଲୋକମାନଙ୍କର ସୂଚନା ପାଇବାର ଅଧିକାରକୁ ସୁରକ୍ଷା ଦେବା ପାଇଁ ଗଠିତ ସୂଚନା କମିଶନ ବସ୍ତୁତଃ ତାଙ୍କ କାର୍ଯ୍ୟ ସମ୍ପାଦନାରେ ବିଫଳ ହୋଇଛି ବୋଲି ‘ରାଗ‌୍‍’ ନାମକ ଏକ ସଂସ୍ଥା ଦ୍ୱାରା ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି। ବିଭିନ୍ନ ରାଜ୍ୟରେ ସୂଚନା କମିଶନ କାର୍ଯ୍ୟାଳୟରେ ହଜାର ହଜାର କେସ‌୍‍ ପଡ଼ି ରହିବା ଏବଂ କମିଶନରମାନଙ୍କର ଚରମ ଅଜ୍ଞନତା ଏବଂ ଅଭିଜ୍ଞତାର ଅଭାବ ଯୋଗୁଁ ଅଭିଯୋଗକାରୀ ନାଗରିକମାନେ ଉଚିତ‌୍‍ ନ୍ୟାୟ ନ ପାଇବା ଏବଂ କେସ‌୍‍ ଶୁଣାଣୀରେ ଅଯଥା ବିଳମ୍ୱ ପରିଲକ୍ଷିତ ହେଉଥିବା ଜଣାପଡ଼ିଛି।

 

ସୂଚନା କମିଶନରମାନଙ୍କର ଅତ୍ୟନ୍ତ ନିମ୍ନମାନର କେସ‌୍‍ ଶୁଣାଣୀ, ଆଇନ‌୍‍କୁ ବ୍ୟାଖ୍ୟା କରିବାରେ ଅଯୋଗ୍ୟତା ଏବଂ ଉପଯୁକ୍ତ କେସ‌୍‍ ନିଷ୍ପତ୍ତି ଶୁଣାଇବାରେ ବିଫଳତା ଏବଂ କେସ‌୍‍ ପ୍ରୋସିଡ଼ିଙ୍ଗ ଲେଖିବାରେ ଅଜ୍ଞତାଯୋଗୁ ବହୁ ନାଗରିକ ଅତ୍ୟନ୍ତ ବ୍ୟଥିତ ଏବଂ ମର୍ମାହତ ହୋଇ କମିଶନଙ୍କ ନିଷ୍ପତ୍ତିଗୁଡ଼ିକୁ ଚ୍ୟଲେଞ୍ଜ କରି ଉଚ୍ଚ ନ୍ୟାୟାଳୟ ଏବଂ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସମଗ୍ର ଦେଶରେ ‘ରାଗ‌୍‍’ ଦ୍ୱାରା ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ୬୩ ଭାଗ କେସ‌୍‍ ନିଷ୍ପତ୍ତିରେ କେନ୍ଦ୍ରୀୟ ସୂଚନା କମିଶରନମାନେ ମଗାଯାଇଥିବା ସୂଚନା ସମ୍ପର୍କରେ କିଛି ଉଲ୍ଲେଖ କରିନାହାନ୍ତି। ରାଜସ୍ଥାନ ସୂଚନା କମିଶନ ତାଙ୍କ କେସ‌୍‍ ନିଷ୍ପତ୍ତିର ୭୩ ଭାଗ କେସ‌୍‍ରେ ସେମାନେ ମଗାଯାଇଥିବା ସୂଚନା ସମ୍ପର୍କରେ କୌଣସି ତଥ୍ୟ ଦେଇନାହାନ୍ତି।

 

ସୂଚନା କମିଶନରମାନେ ସେମାନେ ଦେଉଥିବା ଅର୍ଡ଼ରର ଆଇନ‌୍‍ଗତ ଯୁକ୍ତିଯୁକ୍ତତା ସମ୍ପର୍କରେ ଉଲ୍ଲେଖ କରୁନଥିବାରୁ ଅନେକ ଏହାକୁ ବିଭିନ୍ନ ହାଇକୋର୍ଟ ଏବଂ ସୁପ୍ରିମ କୋର୍ଟ ଖାରଜ କରିଦେଇଥିବାର ଦେଖାଯାଉଛି। ସୂଚନା କମିଶନରମାନଙ୍କ ଏହିପରି ଅପରିଣାମଦର୍ଶୀ ଅର୍ଡ଼ର ଯୋଗୁ ନାଗରିକମାନଙ୍କ ମଧ୍ୟରେ କେବଳ ନିରୁତ୍ସାହଭାବ ପରିଲକ୍ଷିତ ହେଉଛି ତା ନୁହେଁ, ବରଂ ସେମାନଙ୍କର ସାମ୍ୱିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଛି। ବିଭିନ୍ନ ରାଜ୍ୟରେ ସୂଚନା କମିଶନ ଦପ୍ତରରେ ଯେପରି ହଜାର ହଜାର କେସ‌୍‍ ଫଇସଲା ପାଇଁ ପଡ଼ିରହିଛି, ତାହା ସବୁଠାରୁ ଚିନ୍ତାଜନକ ହୋଇଛି।

 

ଆସାମ କମିଶନରେ ଦାଖଲ ହୋଇଥିବା ଏକ କେସ‌୍‍ ଶୁଣାଣୀ ପାଇଁ ଅନ୍ୟୁନ ୩୦ ବର୍ଷ ସମୟ ଲାଗିବ। ସେହିପରି ପଶ୍ଚିମ ବଙ୍ଗର ୧୧ ବର୍ଷ ଏବଂ କେରଳରେ ୭ ବର୍ଷ ସମୟ ଲାଗିବ ବୋଲି ଅଧ୍ୟୟନରୁ ଜଣାପଡ଼ିଛି। ନିଜର ଅଧିକାର ପାଇଁ ଆଇନ‌୍‍କୁ ବ୍ୟବହାର କରୁଥିବା ସାଧାରଣ ଲୋକେ ରେସନ କାର୍ଡ଼, ବାର୍ଦ୍ଧକ୍ୟ ଭତ୍ତା, ଦୈନିକ ମଜୁରୀ ଇତ୍ୟାଦି ନ ପାଇ ନ୍ୟାୟ ପାଇଁ ସୂଚନା ଅଧିକାର ଆଇନ‌୍‍କୁ ବ୍ୟବହାର କରିବା ଏବଂ ତଥ୍ୟ ନପାଇ ସୂଚନା କମିଶନଙ୍କ ଦ୍ୱାରସ୍ଥ ହେଉଥିବା ଲୋକମାନେ ସୂଚନା ଆଇନ‌୍‍ର ସୁଫଳ ପାଇପାରୁ ନାହାନ୍ତି।

 

ପୂର୍ବତନ କେନ୍ଦ୍ରୀୟ ସୂଚନା କମିଶନର ଶ୍ରୀ ଶୈଳେଶ ଗାନ୍ଧୀ କହିଛନ୍ତି ଯେ, କେସ‌୍‍ ଶୁଣାଣୀ ଏବଂ ଫଇସଲାକୁ ତ୍ୱରାନ୍ୱିତ କରିବା ପାଇଁ ସୂଚନା କମିଶନଙ୍କୁ ଆବଶ୍ୟକୀୟ କର୍ମଚାରୀ ଯୋଗାଇଦେବା ଆବଶ୍ୟକ। ସୂଚନା କମିଶନରମାନେ ସୂଚନା ପାଇବାରେ ବିଫଳ ହେଉଥିବା ନାଗରିକମାନଙ୍କୁ ଯଦି କ୍ଷତିପୂରଣ ପ୍ରଦାନ କରନ୍ତେ, ତେବେ ବିଭିନ୍ନ ସରକାରୀ ଦପ୍ତରରେ ସୂଚନା ପ୍ରଦାନରେ ଅବହେଳା କମିଯାଇ ପାରନ୍ତା ବୋଲି ସେ କହିଛନ୍ତି। ସେ ସୂଚନା କମିଶନର ଥିବା ସମୟରେ ଦିଲ୍ଲୀ ମୁନିସିପାଲ କର୍ପୋରେସନର ସୂଚନା ପ୍ରଦାନର ଅବହେଳା ଯୋଗୁ ନାଗରିକମାନଙ୍କୁ କ୍ଷତିପୂରଣ ପାଇଁ ବାରମ୍ୱାର ନିର୍ଦ୍ଦେଶ ଦେବାରୁ ସୂଚନା ପ୍ରଦାନରେ ଉପଯୁକ୍ତ ସତର୍କତା ଅବଲମ୍ୱନ କରାଯାଇଥିଲା ବୋଲି ସେ କହିଛନ୍ତି।

 

ଓଡ଼ିଶାରେ ନବନିଯୁକ୍ତ ସୂଚନା କମିଶନରମାନଙ୍କର ଦୟନୀୟ ସ୍ଥିତି, ଭାଷାଜ୍ଞାନର ଅଭାବ, ସେମାନଙ୍କର ଆଇନ‌୍‍ ବିରୋଧୀ କାର୍ଯ୍ୟ, ଦୁର୍ନୀତିଗ୍ରସ୍ତ ସୂଚନା ଅଧିକାରୀଙ୍କୁ ସୁରକ୍ଷା, ଆଇନ ସମ୍ପର୍କରେ ଅଜ୍ଞତା ଅନେକ ସମୟରେ ଲୋକଲୋଚନକୁ ଆସିଛି ଏବଂ ଏହି ଅବାଞ୍ଛିତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୂଚନାଧିକାର କର୍ମୀମାନେ ସୂଚନା ଆଇନ ଧାରା ୧୭ ଅନୁଯାୟୀ ରାଜ୍ୟପାଳଙ୍କ ନିକଟରେ ଲଗାତର ଅଭିଯୋଗ କରି ଆସୁଛନ୍ତି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top