ଭାଷା ନାହିଁ ତ ଭୋଟ୍‌ ନାହିଁ!

News Story - Posted on 2016-12-01

 

ଭାଷା ହିଁ ଜୀବନ ଚଳନୀର ଉତ୍ସ ଭାବେ ପରିଗଣିତ ହେବା ଉଚିତ। ‘ଶବ୍ଦସ୍ପର୍ଶ’ ଆନୂକୁଲ୍ୟରେ ଇନ‌୍‍ଷ୍ଟିଚ୍ୟୁଟ‌୍‍ ଅଫ‌୍‍ ଇଞ୍ଜିନିଂୟର୍ସ ସଭା କକ୍ଷରେ ଅନୁଷ୍ଠିତ ‘ଭାଷା ଆନ୍ଦୋଳନ, ଓଡ଼ିଶା’ର ପ୍ରାମାଣିକ ଗ୍ରନ୍ଥ ‘ଭାଷା ପାଇଁ ଗଣ ଓ ଗଣମାଧ୍ୟମ’ର ଲୋକାର୍ପଣ ଉତ୍ସବରେ ଭାଷା ପାଇଁ ଜନଗଣର ଭାବମୂର୍ତ୍ତିକୁ ବ୍ୟକ୍ତ କରିଛନ୍ତି ମଞ୍ଚାସୀନ ଅତିଥି। ଏମାନେ ଓଡ଼ିଆ ମାଟିର ସନ୍ତାନମାନଙ୍କୁ ତାଙ୍କର ନିଜସ୍ୱ ଭାଷାରେ ବଞ୍ଚିବା ପାଇଁ ରାହା ଯୋଗାଉଥିବା ବ୍ୟକ୍ତି ବିଶେଷ।

 

ଉତ୍ସବରେ ମହାମେଘ ବାହନ ଐର ଖାରବେଳ ସ୍ୱାଇଁ କେତେକ ପ୍ରସ୍ତାବ ରଖିଥିଲେ। ‘ବନ୍ଦେ ଉତ୍କଳ ଜନନୀ’ର ଗାନ କରିବାର ସମୟ ସୀମା ନିର୍ଦ୍ଧାରଣ, ସାଧାରଣ ଲୋକମାନେ ନିଜର ଭାଷାକୁ ସରକାରୀ ସ୍ତରରେ ନିଜେ ବ୍ୟବହାର କରିବା ଏବଂ ବିଧାନ ସଭାରେ ଗୋଟିଏ ଭାଷା କମିଟି କରାଯାଉ ଯାହାକି ଭାଷାର ବ୍ୟବହାର କେମିତି ହେଉଛି ବା ହେବ ତାହାକୁ ତଦାରଖ କରିବ ବୋଲି ସେ ପ୍ରସ୍ତାବ ଦେଇଥିଲେ। ତତ‌୍‍ ସଂଗେ ସଂଗେ ସମସ୍ତ ସଚେତନ ନାଗରିକ ନିଜ ଭାଷାରେ ଥିବା ଶବ୍ଦଗୁଡିକ ଅନ୍ୟ ଭାଷାରେ ଅପଭ୍ରଶଂ କରନ୍ତୁ ନାହିଁ ବୋଲି ମଧ୍ୟ ସେ ପ୍ରସ୍ତାବ ଦେଇଥିଲେ।

 

‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ମତରେ ଏହି ଗ୍ରନ୍ଥଟି ଏକ ଐତିହାସିକ ଗ୍ରନ୍ଥ କହିଲେ ଅତୁକ୍ତି ହେବ ନାହିଁ। ଏଥିରେ ଯାହା ସ୍ଥାନୀତ ହୋଇଛି ଭାଷା ଇତିହାସରେ ଏକ ମାଇଲ ଖୁଣ୍ଟ ଭାବେ ପରିଗଣିତ ହେବ। ଆମେ ସମସ୍ତେ କାନ୍ଦୁଛେ ଭାଷା ପାଇଁ କିନ୍ତୁ କାହିଁକି କେଜାଣି କେଉଁଠି କେଁ ରହି ଯାଉଛି ଯେ ଏତେ ସରଳ ଜିନିଷଟି ହୋଇପାରୁ ନାହିଁ। ଭାଷା କିପରି ମୋ ଭାଷାର ଲୋଭ ସୃଷ୍ଟି କରିପାରିବ, କିପରି ବୃତ୍ତି ସୃଷ୍ଟି କରିପାରିବ ତତ‌୍‍ ସଂଗେ ସଂଗେ ଭୟ ମଧ୍ୟ ସୃଷ୍ଟି କରିପାରିବ ବୋଲି ସେ ପ୍ରଶ୍ନ ପଚାରିଥିଲେ। ତହିଁର ଗୋଟିଏ କଥା ମନକୁ ଆସେ ସେ ହେଉଛି ଆଇନର ବ୍ୟବସ୍ଥା ଭିତରେ ଦଣ୍ଡ ବିଧାନ। ଏହା ନ ହେବା ଦ୍ୱାରା ଆମର ଭାଷା ଯେଉଁଠି ରହିବା କଥା ସେଠାରେ ରହି ନାହିଁ। କଳା ପତାକା ପ୍ରଦର୍ଶନକୁ ସରକାର ବ୍ୟଙ୍ଗ ଭାବେ ଦେଖୁଛନ୍ତି କି? ଯଦି ଦେଖୁଛନ୍ତି ତେବେ ଆମକୁ ସେହି ଉପାୟରେ ସରକାରଙ୍କୁ ମଧ୍ୟ ଠେଙ୍ଗା ଦେଖାଇବାକୁ ପଡିବ। ଆମର ଧୈର୍ଯ୍ୟକୁ ସରକାର ନ୍ୟୁନ ଭାବେ ଦେଖିବା ଅନୁଚିତ। ଏ ଦିଗରେ ସମସ୍ତ ଗଣମାଧ୍ୟମ ଏକ ହୋଇ ଯେଉଁ ଭାଷାରେ ଆମେ ଖବରକାଗଜ ବାହାର କରୁଛେ ସେହି ଭାଷା ପାଇଁ ଏକ ଭାବେ ଆଗେଇ ଆସିବା ଉଚିତ। ନଚେତ ଗଣମାଧ୍ୟମ ମଧ୍ୟ ବୁଡି ଯିବାର ସମ୍ଭାବନା ଅଛି। ଯେଉଁମାନେ କଳା ପତାକା ଧରି ରାଜରାସ୍ତାରେ ଆନ୍ଦୋଳନ କରିଛନ୍ତି ସେମାନେ ସମସ୍ତେ ଗୋଟିଏ ଦିନରେ ଏକତ୍ରିତ ହୋଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାଷା ନାହିଁ ତ ଭୋଟ ନାହିଁ ନାରାରେ ସରକାରଙ୍କୁ ମଧ୍ୟ ଠେଙ୍ଗା ଦେଖାଇବାକୁ ପଡିବ ବୋଲି ସେ ଆହ୍ୱାନ ଦେଇଥିଲେ। ଦଳୀୟ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ସମସ୍ତ ବିଧାୟକଙ୍କୁ ଏକାଠି କରିବା ପାଇଁ ମଧ୍ୟ ପ୍ରୟାସ କରାଯାଉ। ଯେଉଁମାନେ ଭାଷା ସହିତ ରହୁଛନ୍ତି ସେମାନଙ୍କୁ ନୈତିକ ବଳ ଭାଷା ଆନ୍ଦୋଳନ ପ୍ରଦାନ କରୁ। ଯେଉଁମାନେ ଭାଷା ସହିତ ନ ରହୁଛନ୍ତି ସେଠାରେ ଭାଷା ଆନ୍ଦୋଳନ ତରଫରୁ ଭାଷା ନାହିଁ ତ ଭୋଟ ନାହିଁ ନାରା ମଧ୍ୟ ପ୍ରୟୋଗ କରାଯାଉ ବୋଲି ସେ ପ୍ରସ୍ତାବ ଦେଇଥିଲେ।

 

ଏହି ଅବସରେ ଭାଷା ଆନ୍ଦୋଳନର ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ ଭାଷା ଆନ୍ଦୋଳନ ବିଷୟରେ ଅନେକ ତଥ୍ୟ ଉପସ୍ଥାପନ କରିଥିଲେ। ଭାଷା ଆନ୍ଦୋଳନ ହିଁ ଓଡ଼ିଶାର ମୁକ୍ତି ଆନ୍ଦୋଳନ ବୋଲି ଉଲ୍ଲେଖ କରିଥିଲେ। କଳା ପତାକା ଅଭିଯାନ ଜରିଆରେ ଓଡ଼ିଆ ଜାତିକୁ ତା’ର କଳ ବଳ କୌଶଳ କ’ଣ ଥିଲା କେବଳ ତାହା ଜାଗ୍ରତ କରାଇବା ଭାଷା ଆନ୍ଦୋଳନ ମୂଳ ଲକ୍ଷ୍ୟ। ଯେଉଁ ଦିନ ଓଡ଼ିଆ ଜାତି ନିଜର ବଳ କ’ଣ ଜାଣିବ ଠିକ‌୍‍ ସେହି ଦିନ ଓଡ଼ିଆ ଦୁର୍ଦ୍ଦଶ ଜାତି ହେବ ଏବଂ ସେହି ଦିନ ଇଂରାଜୀ ସରକାରଙ୍କୁ ବିତାଡିତ କଲା ଭଳି ଏହି ଇଂରାଜୀ ମନସ୍କ ସରକାରଙ୍କୁ ପଦାଘାତ କରିବ।

 

ଅନ୍ୟମାନଙ୍କ ମଧ୍ୟରେ ସଭାପତି ସ୍ୱାଗତ ଭାଷଣ ଦେବା ଅବସରରେ ସମସ୍ତ କଳା ପତାକାଧାରୀଙ୍କୁ ମାତୃଭାଷା ମାତୃଜନନୀର ସେବା ପାଇଁ ସ୍ୱାଗତ କରିବା ସହ ଅନ୍ୟମାନଙ୍କର ପ୍ରେରଣା ଦାୟକ ହୋଇଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ଏହି ଐତିହାସିକ ଦଲିଲର ଦ୍ୱିତୀୟ ଭାଗରେ ସମସ୍ତ ବିଷୟ ଉପସ୍ଥାପନ କରାଯିବା ସହ ଓଡ଼ିଶା ସରକାରଙ୍କୁ ଚେତାବନୀ ମାଧ୍ୟମରେ ଆହ୍ୱାନ କରିଛନ୍ତି ତୁରନ୍ତ ଓଡ଼ିଆରେ ଶାସନ ପାଇଁ ବିଧି ବ୍ୟବସ୍ଥା କରନ୍ତୁ ନଚେତ ଗାଦି ଛାଡି ଯିବାକୁ ପ୍ରସ୍ତୁତ ହୁଅନ୍ତୁ। ଭାଷା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିବା ଗଜାନନ ମିଶ୍ରଙ୍କ ଆହ୍ୱାନରେ ଓଡ଼ିଆରେ ସରକାରୀ କାଗଜପତ୍ର ଗ୍ରହଣ କରିବା ମଧ୍ୟ ସମାନ ଭାବେ ଅପରାଧ। ତେଣୁ ଆମେ ସମସ୍ତେ ସରକାର ଚିଠି ଗ୍ରହଣ କରିବା ନାହିଁ ବୋଲି ଆହ୍ୱାନ ଦେଇଥିଲେ।

 

ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ କର, ଗୋପାଳ କୃଷ୍ଣ ମହାପାତ୍ର, ଅନୀଲ ମିଶ୍ର, ଅସୀତ ମହାନ୍ତି, ଗୋବିନ୍ଦ ଭୁଆଁ, ବେଦାଷିଶ ରାଉତ ପ୍ରମୁଖ ନିଜର ବକ୍ତବ୍ୟ ରଖିବା ବେଳେ ‘ଶବ୍ଦସ୍ପର୍ଶ’ର ସଂପାଦକ ଶରଣାରବିନ୍ଦ ଓଝା ସଭା କାର୍ଯ୍ୟ ପରିଚାଳନା କରିଥିଲେ। ପରିଶେଷରେ ଭାଷା ଆନ୍ଦୋଳନର ଅବାହକ ପବିତ୍ର ମୋହନ ମହାରଥା ଧନ୍ୟବାଦ ପ୍ରସ୍ତାବ ଦେଇ ଭାଷା ଜନନୀର ସେବା ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ସଭା କାର୍ଯ୍ୟରେ ମନୋରଂଜନ ମିଶ୍ର, ଉମାକାନ୍ତ ରାଉତ, ଭକ୍ତ ତ୍ରିପାଠୀ, କମାଣ୍ଡର ନନ୍ଦ କିଶୋର ସାମଲ, ଅବଦୁଲ ବାରି, ବିରଞ୍ଚି ମହାରଣା, ଚକ୍ରଧର ମାହୁନ୍ତ, ଭାଗୀରଥୀ ମହାସୁଆର ପ୍ରମୁଖ ବହୁ ଓଡ଼ିଆ ଭାଷା ପ୍ରାଣ ସହଯୋଗ କରିଥିଲେ। 


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top