ସବାଆଗ ପ୍ରେମ ଚିଠି

News Story - Posted on 2016-11-27

ରବି କାନୁନ‌୍‍ଗୋ

 

I learned that courage was not the absence of fear, but the triumph over it.-Nelson Mandela

ପିଲାଦିନ କଥା। ଦି’ ଜଣଙ୍କ ବୟସ ୧୫ କି ୧୬। ମୋର ନବମ, ତା’ର ଦଶମ। ଦିନେ ଦିହେଁ ଏକାନ୍ତରେ ଥିଲୁ। ସେ ଆହୁରି ଏକଲା ହେବାକୁ ଖୋଜିଲା। ନେହୁରା ହେଲା - ଏଇଟା ‘ପ୍ରେମପତ୍ର’। ମୋ ଲାଗି ଭଲ ଅକ୍ଷରରେ ଟିକେ ଲେଖିଦେବୁ?

 

ଦୁହେଁ ନିରୋଳିଆ ଢିଙ୍କିଶାଳକୁ ପଳେଇଲୁ। ପଢ଼ିଲି। ଯାହାକୁ ସେ ପତ୍ର ବୋଲି କହୁଥିଲା ସେଥିରେ ସାର‌୍‍ ପଢ଼େଇଥିବା ପତ୍ରଲିଖନର ଧାରା- ଆବାହନ, ପ୍ରସଙ୍ଗ, ଉପସ୍ଥାପନ ବା ଇତି- କିଛି ନଥାଏ। ତେବେ ବି ଫୁଲ୍‌ସ୍କେପ୍‌ କାଗଜରେ ଦୁଇ ପୃଷ୍ଠା।

 

ପ୍ରେମ ନାଁ ଶୁଣି ଡର ଲାଗୁଥାଏ। କହିଲି, ‘ମୁଁ ଲେଖିବିନି।’

 

‘ତୋ ଅକ୍ଷର ଭଲ ବୋଲି କହୁଥିଲି। ସେ ଦେଖିଲେ ‘ଇମ୍ପ୍ରେସ’ ହେବ।’ ପରେ ଶୁଣିଲି, ଏ ଶବ୍ଦଟି ସେ ସେଇଦିନ ‘ହିଡେନ‌୍‍ ଟ୍ରେଜର‌୍‍’ରୁ ଶିଖିଥିଲା। ଆଗେ ତା’ ଅର୍ଥ ବୁଝେଇ ଦେଲା ଓ ମନକଷ୍ଟ କରି କହିଲା, ‘ହଉ ନ ଲେଖିଲେ ନାଇଁ, କାହାରିକି କହିବୁନି।’

 

ପ୍ରଶଂସା ଏକ କପଟିନୀ ନାରୀ। ରାତି ପାଇଁ ଦିନବେଳେ ସେ ଭେଣ୍ଡାକୁ ମେଣ୍ଢାା କରେ। ମୁଁ ଫସି ଗଲି। ତା’ର ଅନୁରୋଧ ଥିଲା - ଚିଠିଟା ‘ରୋମାଣ୍ଟିକ’ ହେଇଚି କି ନା ଟିକେ ଦେଖିବୁ। ଆଜି ଭାବୁଛି - ଏ ପ୍ରସ୍ତାବ ନାଲାଏକ ଥିଲା। ରାଜି ହେଲି ଓ ଚାଲେଞ୍ଜ‌୍‍ ନେଲି। ଏହାର ଆଉ ଏକ ଦମ୍ଭିଲା କାରଣ ବି ଥିଲା। ଜୀବନରେ କାହା ପାଖକୁ ଚିଠି ଖଣ୍ଡେ ଲେଖି ନ ଥିବା ଏବଂ ସାହିତ୍ୟରେ ଯାଇତାଇ ନମ୍ୱର ରଖୁଥିବା ଗଦ୍ୟମୟ ମୋ ସାଙ୍ଗକୁ ପ୍ରେମ ମାଡ଼ିବାରୁ ଯଦି ସେ ଏଡେ଼ ସୁନ୍ଦର ଲେଖି ପାରୁଚି, ତା’ହେଲେ ପ୍ରେମ ତ ଖୋଦ‌୍‍ ସରସ୍ୱତୀ!

 

ନିଜକୁ ପ୍ରେମ ପ୍ରେମ ଲାଗିଲା। ତା’ ଲାଗି ମନପ୍ରାଣ ଦେଇ ଚିଠି ଖଣ୍ଡିକ ଲେଖିଦେଲି। ଲୁଚେଇ ଲେଖୁଥିବା ବେଳେ ସନ୍ତର୍ପଣରେ ନିଜ ଲେଖାକୁ ବିଭିନ୍ନ ଆଙ୍ଗେଲ‌୍‍ରୁ ଦେଖୁଥିଲି - ‘ଇମ୍ପ୍ରେସିଭ‌୍‍’ ଲାଗୁଛି କି ନା! 

 

ପ୍ରିୟ ସାଙ୍ଗର ସେ ପ୍ରେମପତ୍ର ଅଧବାଟରେ ଧରାପଡ଼ିଲା।

 

ଚିହ୍ନଟ ଯାଏ କଥା ଗଲାନି। ହସ୍ତାକ୍ଷର ଥିଲା ମୋର। ବନ୍ଧୁ ମୋ ପ୍ରତିରକ୍ଷାରେ ମୋଟେ ବାହାରିଲାନି। ସାପର ମଝି ଖଣ୍ଡିକ ଖାଇ ମୁହଁ ପୋଛି ଆଗକୁ ପଳାଉଥିବା ନେଉଳ ପରି ନିଜ ବାଟରେ ଖସିଗଲା।

 

ବୋଉ କାନରେ ଏ କଥା ପହଞ୍ଚିଲା। ଯାହାହେଉ, କେବଳ ତା କନ୍ଦାବୋବାରେ ଅର୍ଜି, ନାଲିସ ସବୁ ସରିଗଲା। ସେ ବୋଧେ ମତେ ବିଶ୍ୱାସ କଲା। ବାପା ବା ମାଡ଼ଧର ଆଡ଼କୁ କଥା ଗଲାନି। କିନ୍ତୁ ସେ ମତେ ତା’ ମୁଣ୍ଡ ଛୁଆଁଇ ଶପଥ କରେଇ ନେଲା - ତୁ ତା (ସାଙ୍ଗ) ନାଁ କାହାରି ଆଗରେ କହିବୁନି।

 

‘କାହିଁକି?’

 

ଉତ୍ତର ଥିଲା ସରଳ। ‘ସେ ବଦନାମ ହେଲେ ତୁ ସୁନାମ ପାଇବୁ କି? ଅକାରଣରେ ଝିଅଟାର ନାଁ ଉଠିବ। ସେ କିଛି ଜାଣି ନ ଥିବ। କିଏ ଆଉ କାହା ଲାଗି ପ୍ରେମପତ୍ର ଲେଖେ? ତୁ ବୋକା। ଏତିକି ବୁଝି ଚୁପ ରହ। ନ ହେଲେ ବାପାଙ୍କୁ କହିଦେବି।’

 

ନୁଙ୍ଗୁରାମି କିଛି ଅସାଧ୍ୟ ନୁହେଁ। କିନ୍ତୁ ପ୍ରେମ କେମିତି ମଣିଷକୁ ଛୁଏଁ - ଏକଥା କେହି କହି ପାରିବନି।

 

ଏଥିପାଇଁ ସବୁଠୁଁ ବଡ଼ ପ୍ରତିବନ୍ଧକ ହେଲା ଯେ ଜଣେ ପରିଚୟପତ୍ର ତନଖି ପ୍ରେମକୁ ଚିହ୍ନୁଚିହ୍ନୁ ସେ ଦୂରକୁ ପଳାଏ। ଏହା ବାଉଁଶରାଣୀ ଖେଳଠାରୁ ପ୍ରେସିସନ‌୍‍ରେ ଆହୁରି ତୀକ୍ଷ୍ଣ। ଆଖି ବାଳ ପରି ସରୁ ଦଉଡି଼ରେ ଚାଲିବାକୁ ପଡେ଼। ଫାଉଲ‌୍‍ ମାରିବାକୁ ଦେଖଣାହାରି ସବୁବେଳେ ହୁକୁହୁକୁ। ପ୍ରେମିକ/ପ୍ରେମିକା ଅନୁଭବ କରନ୍ତି - ଯେମିତି ଗୋଟିଏ ପଟେ ନର୍କର ବିଭୀଷିକା ଏବଂ ଆର ପଟେ ଇନ୍ଦ୍ରପଦର ବିଶ୍ୱାସ। ନିରୁପାୟରୁ ଉପାୟ ଆଡେ଼ ପହଁରି ପଳାଇବା ବାଟ ନାହିଁ। ଡାଇରେକ୍ଟରି କି ରେଫରେନ୍ସ ନ ଥାଏ। ଏ ଲାଇନ‌୍‍ରେ ସମସ୍ତଙ୍କ ଅବସ୍ଥିତି ନିଜ ଲାଖି, ତେଣୁ ସୃଜନଶୀଳ।

 

ଯିଏ ସଫଳ ସିଏ ଭାଗ୍ୟବାନ‌୍‍ କି ଭାଗ୍ୟବତୀ। ବିଫଳଙ୍କ ଫସିଲ-ପାହାଡ଼ ଉପରେ କେବେ କେମିତି କେଦାର-ଗୌରୀ ବା ରୋମିଓ-ଜୁଲିଏଟ‌୍‍ମାନେ ଫୁଲ ପରି ବିରାଜନ୍ତି। କେବଳ ସେମାନେ ହୁଅନ୍ତି ପ୍ରେମୀ! ଏଥିପାଇଁ ମରିବାକୁ ପଡେ଼। ବାକି ସମସ୍ତେ ମୁତ‌୍‍ଫର‌୍‍କା। ଅଲଗା ଅଲଗା ନାଁ ନେଇ ଲୋପ ହୋଇଯା’ନ୍ତି ବା ପ୍ରେମଫ୍ରେମ ମନରୁ ପୋଛି ଦିଅନ୍ତି।

 

ମୋବାଇଲ‌୍‍ : ୦୯୪୩୭୧-୯୪୬୦୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top