ଆସ ବାଘ ଦେଖିବା!

News Story - Posted on 2016-11-26

ଅଖିଳେଶ ଦାସ

 

ଓଡ଼ିଶାର ଦୁର୍ଗତି ଯଦି ଆପଣଙ୍କୁ ବିବ୍ରତ କରୁଥାଏ, ତେବେ ସବିନୟ ଅନୁରୋଧ ଏ ଲେଖାଟି ପଢନ୍ତୁ ନାହିଁ। ଏଇଥିପାଇଁ ଯେ ଏ ଲେଖାଟି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ସିଦ୍ଧ ହୋଇପାରେ। ରକ୍ତଚାପ ବୃଦ୍ଧି କିମ୍ବା ହୃଦଘାତର ଆଶଙ୍କାକୁ ଆଦୌ ଏଡ଼ାଇ ଦେଇ ହେବ ନାହିଁ। ଯଦି ଏ ନିବାରଣ ସୁଚନା ପରେ ଆପଣ ନିଜ ଆକ୍ରୋଶକୁ ଆୟତ୍ତ କରିବାର ଆତ୍ମବିଶ୍ୱାସ ରଖନ୍ତି ତେବେ ଆଗକୁ ପଢନ୍ତୁ।

 

ଲେଖାଟି ହେଉଛି ଆମ ଶିମିଳିପାଳ ଉପରେ। ଆଶ୍ୱସ୍ତ ରୁହନ୍ତୁ। ବଣୁଆ ହାତୀ ପଲେ କାହା ଆମରି ବାଡ଼ ଓ ଘର ଚାଳ ଭାଙ୍ଗି ଶୁଣ୍ଢରେ ବିଚରା ଲୋକଟିଏକୁ ଓଟାରି ଆଣି ପାଦରେ ଦଳି ମକଚି ମାରିଦେଲେ କି ରକ୍ତ ପିପାସୁ ବାଘୁଣିଟିଏ ପଞ୍ଝାରେ ଝୁଣି ଶାଳପତ୍ର ଗୋଟେଇବାକୁ ଯାଇଥିବା ସ୍ତ୍ରୀ ଲୋକଟିଏର ଅନ୍ତବୁଜୁଳା ବାହାର କରିଦେଲା, ସେମିତି କିଛି ଲୋମହର୍ଷଣକାରୀ କାହାଣୀର ଚିତ୍ରଣ ମୁଁ କରିବାକୁ ଯାଉନି। ତେବେ ମୁଁ ଯେଉଁ କଥା ବର୍ଣ୍ଣନା କରିବାକୁ ଯାଉଛି ତାହା କିଛି କମ୍ ମର୍ମନ୍ତୁଦ ନୁହେଁ।

 

କଥା ହେଲା ଏଇ କିଛି ଦିନ ତଳେ ଆମ କାଢୁଆ ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେଲା ଯେ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦିଆଯିବ ନଭେମ୍ବର ପହିଲାରୁ। ସୋସିଆଲ୍ ମିଡ଼ିଆ ଟ୍ୱିଟରରେ ସକ୍ରିୟ ଥିବା କିଛି ଓଡ଼ିଆ ସାମ୍ବାଦିକ ଶିମିଳିପାଳ ଅଭୟାରଣ୍ୟର ମନଲୋଭା ଛବିକୁ ସଂଲଗ୍ନ କରି ସାଙ୍ଗେ ସାଙ୍ଗେ ନବୀନ ସରକାରଙ୍କ ଘୋଷଣାକୁ ପ୍ରଚାର କରି ପକେଇଲେ। ଭଲ କଥା। ଆମ୍ ଆଦମୀ ପାର୍ଟି ଓଡ଼ିଶାର ସୋସିଆଲ୍ ମିଡ଼ିଆ କର୍ମୀ ହିସାବରେ ମୋର ବି ଟ୍ୱିଟର ଆକାଉଣ୍ଟଟିଏ ଅଛି। ବିଭିନ୍ନ ଆଞ୍ଚଳିକ ତଥା ରାଷ୍ଟ୍ରୀୟ ଦୈନିକ ଖବରକାଗଜ ଆଉ ନ୍ୟୁଜ୍ ଟିଭି ଚ୍ୟାନେଲରେ ନିୟୋଜିତ ଓଡ଼ିଆ ସାମ୍ବାଦିକଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ମୁଁ ପ୍ରାୟ ଫଲୋ କରେ। କାରଣ ଓଡ଼ିଶାର ସବୁ ଛୋଟ ବଡ଼ ଘଟଣା କି ଅଘଟଣର ତାତ୍କାଳିକ ସୁଚନା ଏଇ ଜରିଆରେ ସହଜରେ ମିଳିଥାଏ।

 

ଘର ମୋର ମୟୁରଭଞ୍ଜରେ। ଶିମିଳିପାଳ ଜଙ୍ଗଲ କଡ଼ର ଏକ ଛୋଟ ଗାଆଁରେ  ଅତିବାହିତ ହୋଇଛି ମୋ ଶୈଶବର ବାର ବର୍ଷ। ତୃତୀୟ କି ଚତୁର୍ଥ ଶ୍ରେଣୀରେ ପଢ଼ିଲା ବେଳେ ସ୍କୁଲ ସାଙ୍ଗସାଥୀଙ୍କ ସହିତ ଯଶିପୁର ଫରେଷ୍ଟ ରେଞ୍ଜ ଅଫିସ ପ୍ରାଙ୍ଗଣରେ ଅଳସ ପହଡ଼ ଭାଙ୍ଗୁଥିବା ଖଇରୀ ବାଘୁଣୀକୁ ଦେଖି ଲୋମ ଟାକୁରି ଉଠିଥିବା କଥା ଏବେ ବି ମନେ ଅଛି। ପରେ ବି ପାଠ ପଢିବା ପାଇଁ ଗାଆଁ ଛାଡ଼ିଲା ପରେ ସାଙ୍ଗସାଥୀ ମେଳରେ ଅନେକ ବାର ଯାଇଛି ଅଭୟାରଣ ଭିତର ଯୋରନ୍ଦା ଜଳପ୍ରପାତ ପାଖକୁ ବଣଭୋଜି କରିବା ପାଇଁ।

 

ତେଣୁ ଶିମିଳିପାଳ ଅଭୟାରଣ୍ୟ ନାଆଁ ଶୁଣିଲା ମାତ୍ରକେ ମନରେ କିଛିଟା ଭାବାବେଗ ଆସିବା ସ୍ୱାଭାବିକ କଥା। ଜନୈକ ସାମ୍ବାଦିକଙ୍କ ଟ୍ୱିଟର ଟାଇମଲାଇନରୁ ତେଣୁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ହେବା ଖବର ଜାଣି ମନରେ ଛୋଟ ନିରୀହ ପ୍ରଶ୍ନଟିଏ ଉଙ୍କି ମାରିଲା ତ ନ ପଚାରି ରହି ପାରିଲିନି। ପ୍ରଶ୍ନଟି ଥିଲା ଗତ ଦୁଇତିନି ବର୍ଷରେ ଶିମିଳିପାଳ ଅଭୟାରଣ୍ୟରେ ଶହ ଶହ ଜାତି ପ୍ରଜାତିର ବନ୍ୟଜନ୍ତୁ, ପକ୍ଷୀ ଦେଖିବାକୁ କି ତା’ର ଶାନ୍ତ, ସବୁଜ ଆଉ ସୁନ୍ଦର ମନଲୋଭା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ସତରେ କେତେ ଦେଶୀ, ବିଦେଶୀ ପର୍ଯ୍ୟଟକ ଆସିଛନ୍ତି!

 

ମୁଁ ଏ ପ୍ରଶ୍ନଟି ପୋଷ୍ଟ କରିଛି କି ନାହିଁ ଦେଶର ବହୁଳ ପ୍ରସାରିତ ଏକ ଇଂରାଜୀ ଖବରକାଗଜରେ କାମ କରୁଥିବା ଜଣେ ସାମ୍ବାଦିକ ମୋ ଉଦ୍ଦେଶ୍ୟରେ ତାତ୍ସଲ୍ୟଭରା (!) ପ୍ରଶ୍ନଟିଏ ଓଲଟା ପଚାରି ପକେଇଲେ। କହିଲେ, ଏମିତି ଅବାନ୍ତର ପ୍ରଶ୍ନ ପଚାରିବାର ମାନେ କ’ଣ! ସତ କଥା। ନବୀନବାବୁ କହିଦେଲେ ଶିମିଳିପାଳକୁ ପର୍ଯ୍ୟଟକ ଆସିବା ପାଇଁ ଖୋଲି ଦିଆ ହେଲା ତ ଆମେ ସମସ୍ତେ ସମର୍ଥନରେ ତାଳିମାରି ତାଙ୍କୁ ସାଧୁବାଦ ଦେବା କଥା। କାରଣ ନବୀନବାବୁଙ୍କ ପର୍ଯ୍ୟଟନ ବିଭାଗର ବିଜ୍ଞପ୍ତି ପଢିଲା କ୍ଷଣି ହିଁ ଦେଶ, ଦୁନିଆରୁ ସହସ୍ରାଧିକ ପର୍ଯ୍ୟଟକଙ୍କ ସୁଅ ମୁହେଇଁବ ଶିମିଳିପାଳକୁ। କୋଟି କୋଟି ଟଙ୍କା ଏଇ ବାଗରେ ଆମଦାନୀ ହେବ। ହଜାର ହଜାର ଲୋକ ରୋଜଗାର ପାଇବେ। କି ସୁନ୍ଦର କଥା ନୁହଁକି? ତେଣୁ ସରକାରଙ୍କୁ ଧନ୍ୟବାଦ ଦେବା ବଦଳରେ ଆମେ ପ୍ରଶ୍ନ ପଚାରିବା କାହିଁକି ଯେ!

 

ଶିମିଳିପାଳ ଜଙ୍ଗଲକୁ ପ୍ରତି ବର୍ଷ ବର୍ଷାଦିନେ ବନ୍ଦ କରାହୁଏ କିଛି ମାସ ପାଇଁ। ତାପରେ ଖୋଲା ହୁଏ। ଏଥିରେ ନୁଆ କଥା ତ କିଛି ନାହିଁ। ତେବେ ସରକାରଙ୍କର କାମ କ’ଣ ଖାଲି ଖବରକାଗଜରେ ଘୋଷଣା କରିଦେବା? ଏଇଥିରେ କ’ଣ ପର୍ଯ୍ୟଟନର ବିକାଶ ହୋଇଯିବ? ମୋ ମନରେ ଏମିତି କିଛି ପ୍ରଶ୍ନ ଆସିଲା। ଯଦିଓ ମୋ ପାଖରେ କୌଣସି ପରିସଂଖ୍ୟାନ ନ ଥିଲା, ମୋ ପ୍ରତ୍ୟକ୍ଷ ଅନୁଭବରୁ ମୁଁ ଜାଣିଛି ଶିମିଳିପାଳକୁ କେଉଁଠୁ, କେବେ ଆଉ ପ୍ରାୟ କେତେ ଲୋକ କୋଉଥିପାଇଁ ଆସନ୍ତି। କାଁ ଭାଁ ବନ୍ୟଜନ୍ତୁ ପ୍ରଜାତି କି ବନସ୍ପତି ଗବେଷକ ଯଦି ରାଜ୍ୟ ବାହାରୁ ଆସିଥିବେ ତ ଆସିଥିବେ। ନହେଲେ ଆଖପାଖ ତିନି ଚାରିଟା ଜିଲ୍ଲା, ଝାଡ଼ଖଣ୍ଡର ଟାଟା ନଗର କି ଷଢେଇକଳା ଅଞ୍ଚଳରୁ ଯଦି କିଏ କେମିତି ଯଶିପୁର କିମ୍ବା ବାଙ୍ଗିରିପୋଷି ବାଟରେ ଗଲା ବେଳେ ସୌକରେ ପଶି ଯାଇଥିବେ ଶିମିଳିପାଳରେ ତ ଭଲ। ବାକି ଶିମିଳିପାଳର ତଥାକଥିତ ପର୍ଯ୍ୟଟକ ହେଉଛନ୍ତି ମୟୁରଭଞ୍ଜ, କେଉଁଝର, ବାଲେଶ୍ୱରରୁ ଡ଼ିସେମ୍ବର, ଜାନୁଆରୀ ମାସରେ ବଣଭୋଜି କରିବାକୁ ଆସୁଥିବା ସ୍କୁଲପିଲା କି ଯୁବାଶ୍ରେଣୀର ଲୋକେ। ଆଉ ତାଙ୍କ ସଂଖ୍ୟା କୋଡ଼ିଏ/ବାଇଶି ହଜାର ବି ଡ଼େଇଁବନି ଏମିତି ଅନୁମାନ ହୁଏ।

 

ମୋ ମନକଥା ଟ୍ୱିଟରରେ ଲେଖି ପକେଇଲି। ଏକ ଓଡ଼ିଆ ଟିଭି ନ୍ୟୁଜ ଚ୍ୟାନେଲର ସମ୍ପାଦକ ମୋ ପ୍ରଶ୍ନ ପଢି ଟ୍ୱିଟର ମାଧ୍ୟମରେ ହିଁ ଶିମିଳିପାଳ ଅଭୟାରଣ୍ୟକୁ ଗତ ତିନିବର୍ଷରେ ଆସିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଆଉ ତହିଁରୁ ହୋଇଥିବା ଆମଦାନୀର ଅଫିସିଆଲ ଡ଼ାଟା ସେଆର କଲେ।  ମୋ ଅନୁମାନ ପୁରା ସତ ବାହାରିଲା। ତଳେ ଦିଆ ଯାଇଥିବା ପରିସଂଖ୍ୟାନକୁ ଟିକେ ନିରେଖି ଦେଖନ୍ତୁ:

 

 ମୟୁରଭଞ୍ଜ ଜିଲ୍ଲା ଅଫିସିଆଲ ୱେବସାଇଟରେ ଆପଣ ଶିମିଳିପାଳ ଅଭୟାରଣ୍ୟ ପାଇଁ ଲାଗୁ ପ୍ରବେଶ ଶୁଳ୍କର ତାଲିକା ଦେଖି ପାରିବେ। ଭାରତୀୟ ନାଗରିକଙ୍କ ପାଇଁ ପ୍ରବେଶ ଶୁଳ୍କ ୪୦ ଟଙ୍କା। ଗୋଷ୍ଠୀ ଶୁଳ୍କ ଦଶ ଜଣ ପିଛା ୨୦୦ ଟଙ୍କା। ସ୍କୁଲ ପିଲାଙ୍କ ପାଇଁ ୫୦ଞ୍ଝ ରିହାତି ଆଉ ବିଦେଶୀ ନାଗରିକଙ୍କ ପାଇଁ ହଜାରେ ଟଙ୍କା। ଚାରିଚକିଆ ବାହନ ପାଇଁ ଶହେ ଟଙ୍କା। ଏଥିରୁ ଲାଗୁନି କି ଆମ ବିଶ୍ୱ ପ୍ରସିଦ୍ଧ ଅଭୟାରଣ୍ୟକୁ ଆସୁଥିବା ପର୍ଯ୍ୟଟକ ବଣଭୋଜି ପାଇଁ ଆଖପାଖ ଜିଲ୍ଲାର ଲୋକେ ନୁହନ୍ତି ତ ଆଉ କଣ ଯିଏ ସକାଳେ ଆସି ଭାତ ମାଂସ ରାନ୍ଧି ପେଟେ ଖାଇ ବେଳ ବୁଡ଼ୁଣୁ ବାହାରିଗଲେ! ବାସ, ହେଇଗଲା ବନ ପର୍ଯ୍ୟଟନର ବିକାଶ!

 

ଉପରେ ଦିଆ ଯାଇଥିବା ଡ଼ାଟା ଦେଖି ଲାଗୁଛି ଶିମିଳିପାଳ ଅଭୟାରଣ୍ୟରେ କେହି ରାତ୍ରିଯାପନ ବି କରନ୍ତି ନି। ଯଦି ପର୍ଯ୍ୟଟକ ଆସି ରାତିଟିଏ ବି ରହନ୍ତେ ତେବେ ଅନ୍ତତଃ ରାତ୍ରିଯାପନ ବାବଦକୁ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡ଼ିସି) ପାଖକୁ ହେଲେ କିଛି ଅର୍ଥ ଆସନ୍ତା। ଥରଟେ ଇଣ୍ଟରନେଟରେ ଖୋଜି ଦେଖନ୍ତୁ ଶିମିଳିପାଳରେ ରାତ୍ରିଯାପନର ବ୍ୟବସ୍ଥା। ଆପଣ ଯଦି କେବେ ଯଶିପୁର କି ବାଙ୍ଗିରିପୋଷି ଯାଇଛନ୍ତି ତେବେ ଜାଣିଥିବେ ସେଠି ରହିବା ପାଇଁ କିଛି ହୋଟେଲେ କି ଲଜର ସୁବିଧା ନାହିଁ। ଯଦି କେହି ପର୍ଯ୍ୟଟକ ଦୂରରୁ ଆସିଥାନ୍ତି ଆଉ ଶିମିଳିପାଳରେ ରାତ୍ରିଯାପନ କରିବାକୁ ଚାହାଁନ୍ତି ତେବେ ରହିବାକୁ ପଡ଼ିବ ଓଟିଡ଼ିସିର ପାନ୍ଥନିବାସରେ ହିଁ।

 

ମୁଁ ବହୁତ ଖୋଜିଲା ପରେ ଶିମିଳିପାଳର ୱେବସାଇଟଟିଏ ଦେଖିବାକୁ ପାଇଲି ଯହିଁରେ ଅଭୟାରଣ୍ୟ ସଂଲଗ୍ନ କିଛି ପାନ୍ଥନିବାସର ଫଟୋ ରହିଛି। ଟିକିଏ ଦେଖିଲେ ତ ସେସବୁର ଅବସ୍ଥା!ତାପରେ ପଚାରିବାକୁ ପଡ଼ିବନି କାହିଁକି କେହି ରହୁ ନାହାନ୍ତି ପାନ୍ଥନିବାସରେ!

 

ଏ ସୁରମ୍ୟ ପାନ୍ଥନିବାସ ସବୁର ଦିନ ପିଛା ଶୁଳ୍କ ଚାରି ଶହରୁ ହଜାରେ ଟଙ୍କା। ଡ଼ର୍ମିଟରି ସୁବିଧା ବି ଅଛି ଦୁଇଶହ ଟଙ୍କାରେ। ଫଟୋ ଦେଖି ଲାଗୁନି ସେଥିରେ ବିଜୁଳି ବତିଟିଏ ବି ଥିବ। ପାଇଖାନା ଥିଲେ ପାଣି ଆସୁ ଥିବ କି ନାହିଁ ଜଣା ନାହିଁ। ହଁ, ସରକାର ଅବଶ୍ୟ ପ୍ରଯତ୍ନଶୀଳ। ତେଣୁ ଲେଖି ଦେଇଛନ୍ତି ସେ ୱେବସାଇଟରେ ହିଁ ଯେ ଆପଣ ଲଣ୍ଠନ, କିରୋସିନି, ରୋଷେଇ ପାଇଁ ହାଣ୍ଡି କରେଇ, ଖାଇବା ପାଇଁ ଖଲିପତ୍ର ନିଜେ ନେଇ କି ଆସନ୍ତୁ କାରଣ ଆମ ପାନ୍ଥନିବାସ ସମୁହରେ ଭୋଜନାଳୟ ନାହିଁ। କି ଦରିଦ୍ର ଚିନ୍ତା ନବୀନ ସରକାରଙ୍କର!

 

ଲୋକ ପର୍ଯ୍ୟଟନରେ ଯାଆନ୍ତି କାହିଁକି? କିଛି ସୁନ୍ଦର, ଅବିସ୍ମରଣୀୟ ଅନୁଭୁତି ପାଇଁ। ଯେଉଁଥିପାଇଁ ସେମାନେ ଯଥେଷ୍ଟ ଟଙ୍କା ଖର୍ଚ୍ଚ କରିବାକୁ ଆଗଭର। ନବୀନ ସରକାର ପର୍ଯ୍ୟଟକଙ୍କୁ ସେମିତି କିଛି ଅନୁଭୁତି ଘେନି ଶିମିଳିପାଳ ଦର୍ଶନରୁ ଫେରିବା ପାଇଁ ଆମନ୍ତ୍ରଣ କରୁଛନ୍ତି ନା ନିଜ ଆର୍ଥିକ ଏବଂ ଦୂରଦୃଷ୍ଟିରେ ଦାରିଦ୍ର୍ୟର ପ୍ରଦର୍ଶନୀ କରେଇ ଭିକ ଦେଇଯିବା ପାଇଁ ଡ଼ାକୁଛନ୍ତି!

 

ମୁଁ ଶିମିଳିପାଳ ଆଉ ଚିଲିକାକୁ ଛାଡ଼ିଦେଲେ କେବଳ ଉତ୍ତରାଖଣ୍ଡର ଜିମ୍ କର୍ବେଟ ନ୍ୟାସନାଲ ପାର୍କ ହିଁ ଦେଖିଛି। ସେ ବି ପ୍ରାୟ ୧୨ ବର୍ଷ ତଳେ। ସେ ଅଭିଜ୍ଞତା ନିହାତି ଅବିସ୍ମରଣୀୟ ଥିଲା। ଆଉ ସେଥିରୁ ମୋର ଅନୁମାନ ଯେ ସେଠିକୁ କମରୁ କମରେ ବର୍ଷକୁ ଦୁଇ ତିନି ଲକ୍ଷ ପର୍ଯ୍ୟଟକ ଆସୁଥିବେ ନିହାତି। ଅଥଚ ଇଣ୍ଟର୍ନେଟରେ ଖୋଜିଲାରୁ ଜଣା ପଡ଼ିଲା ଯେ ୧୯୯୯ ମସିହା, ଅର୍ଥାତ ଆଜିକୁ ପନ୍ଦର ବର୍ଷ ତଳେ ବି କର୍ବେଟ ଅଭୟାରଣ୍ୟକୁ ଗୋଟିଏ ବର୍ଷରେ ପାଖାପାଖି ୫ ଲକ୍ଷ ପର୍ଯ୍ୟଟକ ଆସିଥିଲେ। ଶିମିଳିପାଳର ୨୦୧୪ ମସିହା ପର୍ଯ୍ୟଟକ ସଂଖ୍ୟାର କୋଡ଼ିଏ ଗୁଣ।

 

ମନରେ କୌତୁହଳ ସୃଷ୍ଟି ହେଲା ଯେ ଭାରତରେ ୱାଇଲ୍ଡ ଲାଇଫ ଟୁରିଜମ ମାର୍କେଟ କେତେ ବଡ଼? କେଉଁ ଅଭୟାରଣ୍ୟ ଗୁଡ଼ିକୁ ସବୁଠୁ ବେଶୀ ପର୍ଯ୍ୟଟକ ଯାଅନ୍ତି। ସେସବୁ ଜାଗାରେ ରାଜ୍ୟ ସରକାର କିମ୍ବା ଘରୋଇ ଟ୍ରାଭେଲ ଅପରେଟର ମାନେ କେଉଁ ପ୍ରକାର ସୁବିଧା, ସୁଯୋଗ ଉପଲବ୍ଧ କରେଇଥାନ୍ତି ଯେଉଁଥିପାଇଁ ସେ ବନ ପର୍ଯ୍ୟଟନ ସ୍ଥଳ ଗୁଡ଼ିକୁ ସବୁ ପର୍ଯ୍ୟଟକ ମୁହେଇଁ ଥାନ୍ତି? ସେ ଜାଗା ଗୁଡ଼ିକରେ ପର୍ଯ୍ୟଟକମାନଙ୍କ ରହଣିର ହାରାହାରି ଅବଧି କେତେ? କେତେ ଟଙ୍କା ସେ ପର୍ଯ୍ୟଟକ ମାନେ ଖର୍ଚ୍ଚ କରିଥାନ୍ତି? ସରକାରଙ୍କୁ ତହିଁରୁ କେତେ ଆମଦାନୀ ହୋଇଥାଏ? କେତେ ଲୋକ ରୋଜଗାର ପାଇଥାନ୍ତି?

 

ସମ୍ୟକ ଗବେଷଣାରୁ ଯେଉଁ ତଥ୍ୟ ସବୁ ମିଳିଲା ତାହା ସ୍ୱାଭିମାନୀ ଓଡ଼ିଆଙ୍କୁ ଏକ ବଡ଼ ଝଟକା ଦେବ। ଯଦି ଏ ତଥ୍ୟର ପ୍ରାମାଣିକତା ଉପରେ ସନ୍ଦେହ ହେଉଛି ତେବେ ଆପଣମାନେ ନିଜେ ଇଣ୍ଟର୍ନେଟରେ ଖୋଜି ପାରିବେ। ପ୍ରଥମେ ମୁଁ ଖୋଜିଲି ଲୋକପ୍ରିୟତାରେ ଶ୍ରେଷ୍ଠ ଭାରତର ଦଶଟି ଅଭୟାରଣ୍ୟର ତାଲିକା। ଉତ୍ତରାଖଣ୍ଡର ଜିମ୍ କର୍ବେଟ ପାର୍କ, ରାଜସ୍ଥାନର ରନ୍ଥାମ୍ବର ତଥା କେଓଲାଦେଓ, କର୍ଣ୍ଣାଟକର ବନ୍ଦିପୁର, ମଧ୍ୟ ପ୍ରଦେଶର ବାନ୍ଧବଗଡ଼, କାହ୍ନା ଓ ପେଞ୍ଚ, ଗୁଜୁରାଟର ଗିର, ଆସାମର କାଜିରଙ୍ଗା, ପଶ୍ଚିମବଙ୍ଗର ସୁନ୍ଦରବନ ଆଉ କେରଳର ପେରିଆର ପାର୍କ। ହୁଃ! ଶିମିଳିପାଳର ନାଆଁ ଗନ୍ଧ ବି ନାହିଁ। କେମିତି ଚଳିବ? ପୁଣି ଖୋଜିଲି ଶ୍ରେଷ୍ଠ ୨୫ ଟି ଅଭୟାରଣ୍ୟର ତାଲିକା। ନା, ନିରାଶ ହେବାକୁ ପଡ଼ିଲା । ସେଥିରେ ବି ଶିମିଳିପାଳର ନାଆଁ ନାହିଁ।

 

ଈର୍ଷା କୁହନ୍ତୁ କି ଲଜ୍ୟାବୋଧ କୁହନ୍ତୁ, ମନଟା ଭାରି ହୋଇଗଲା। ପୁଣି ଜାଣିବାକୁ ଚେଷ୍ଟା କଲି କଣ କର୍ବେଟ ଭଳି ବାକି ସବୁ ଜାଗାକୁ ବି ଏତେ ଗୁଡ଼େ ପର୍ଯ୍ୟଟକ ଯାଆନ୍ତି? ଖୋଜୁ ଖୋଜୁ ବନ୍ୟଜନ୍ତୁ ଏବଂ ତାଙ୍କ ନିବାସ ସ୍ଥାନ ସଂରକ୍ଷଣ ତଥା ବନ ପର୍ଯ୍ୟଟନ ପ୍ରତି ସମର୍ପିତ ଏକ ୱେବସାଇଟ ମିଳିଲା। ତହିଁରେ ପଢିବାକୁ ମିଳିଲା ଯେ ଗତ ପନ୍ଦର ବର୍ଷ ଭିତରେ ସରକାର ଏବଂ ଘରୋଇ ପର୍ଯ୍ୟଟନ ସଂସ୍ଥାଙ୍କ ଅଦମ୍ୟ ଚେଷ୍ଟାର ସୁଫଳ ସ୍ୱରୁପ ମଧ୍ୟପ୍ରଦେଶର କାହ୍ନା, ରାଜସ୍ଥାନର ରନ୍ଥାମ୍ବର ଓ କର୍ଣ୍ଣାଟକର ନଗରକୋଲ ଅଭୟାରଣୟରେ ପର୍ଯ୍ୟଟକ ସଂଖ୍ୟା ଗତ ପନ୍ଦର ବର୍ଷରେ ମାତ୍ର ଦଶ ହଜାର ରୁ ବଢି ଏବେ ହାରାହାରି ଦୁଇ ଲକ୍ଷରେ ପହଞ୍ଚିଛି।

 

ଗତ ଦଶ ପନ୍ଦର ବର୍ଷରେ ଭାରତରେ ୱାଇଲ୍ଡ ଲାଇଫ ଟୁରିଜିମ କ୍ଷେତ୍ରରେ ବାର୍ଷିକ ୧୫ ପ୍ରତିଶତ ବୃଦ୍ଧି ହୋଇଛି। ଏହି ବନ ପର୍ଯ୍ୟଟକଙ୍କ ଭିତରୁ ୭୦ ପ୍ରତିଶତ ଭାରତୀୟ ନାଗରିକ ଆଉ ବାକି ୩୦ ପ୍ରତିଶତ ହେଉଛନ୍ତି ବିଦେଶୀ ନାଗରିକ। ସାଧାରଣତଃ ଏସବୁ ପର୍ଯ୍ୟଟକ ଶିକ୍ଷିତ ଶ୍ରେଣୀର ଏବଂ ସେମାନେ ମୁଣ୍ଡପିଛା ୩୫ ରୁ ୪୦ ହଜାର ଟଙ୍କା ଖର୍ଚ୍ଚ କରିଥାନ୍ତି ଥରକର ଅଭୟାରଣ୍ୟ ପରିଦର୍ଶନରେ। ତା ତୁଳନାରେ ଆମେ ଯଦି ଶିମିଳିପାଳ କଥା ଦେଖିବା, ପ୍ରଥମତଃ ମୋଟ ପର୍ଯ୍ୟଟକଙ୍କ ସଂଖ୍ୟା ନିହାତି ନଗଣ୍ୟ। ଦ୍ୱିତୀୟତଃ ପର୍ଯ୍ୟଟକଙ୍କ ସଂଖ୍ୟାରେ କିଛି ଅଭୁତପୂର୍ବ ବୃଦ୍ଧିର ଲକ୍ଷଣ ଦେଖା ଯାଉନାହିଁ। ତୃତୀୟତଃ, ଶିମିଳିପାଳ ଆସୁଥିବା ପ୍ରତି ପର୍ଯ୍ୟଟକଙ୍କ ହାରାହାରି ଖର୍ଚ୍ଚ ହେଉଛି ଦେଢ ଶହ କି ଦୁଇଶହ ଟଙ୍କା।

 

ଆମ ନବୀନ ସରକାର ଆଉ ତାଙ୍କ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ, ଅମଲାଙ୍କର ନିଷ୍ଠା ଓ ଦୂରଦୃଷ୍ଟିର ଆଭାସ ଏଥିରୁ ମିଳିଥାଏ। ନବୀନ ସରକାରଙ୍କ ଅପାରଗତାକୁ ତିରଷ୍କାର କରିବା ମୋ ଲେଖାର ସଂକୀର୍ଣ୍ଣ ଉଦ୍ଦେଶ୍ୟ ନୁହେଁ। ଅନ୍ୟ ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ବନ ପର୍ଯ୍ୟଟନର ବିକାଶ ପାଇଁ କଣ ପଦକ୍ଷେପ ନେଇଛନ୍ତି? ଆମେ ସେଥିରୁ କଣ ଶିଖି ପାରିବା ଏବଂ ତାର କାର୍ଯ୍ୟାନ୍ୱୟନରେ କିପରି ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟନର ବିକାଶ ସମ୍ଭବ ସେନେଇ ମୋରେ ନିଜସ୍ୱ କିଛି ସୀମିତ ବିଚାର ଆପଣଙ୍କ ସହିତ ସେଆର କରିବାକୁ ଚାହିଁବି।

 

୧) ପ୍ରଥମତଃ ସରକାର ଶିମିଳିପାଳ ଅଭୟାରଣ୍ୟର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଉଚିତ। ଅଭୟାରଣ୍ୟର ଅଫିସିଆଲ ୱେବସାଇଟରେ କେବଳ ୨୦୧୧-୧୨ ମସିହା ଗୋଟିଏ ବର୍ଷର ଖର୍ଚ୍ଚ ତାଲିକା ଦିଆଯାଇଛି। ତହିଁରୁ ଜାଣିବାକୁ ମିଳିଲା ଯେ ସେ ବର୍ଷ ୪.୧୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ସରକାରଙ୍କ ତରଫରୁ। କିନ୍ତୁ ତହିଁରୁ ଏକ ବଡ଼ ମାତ୍ରା ୩.୮୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ଠିକା କର୍ମଚାରୀଙ୍କ ବେତନ ଆଦି ଦେବାରେ ତଥା ଜଙ୍ଗଲ ରେଞ୍ଜ ଅଫିସ ଆଦିର ମରାମତି ପାଇଁ। ଅଭୟାରଣ୍ୟକୁ ଉଭୟ ବନ୍ୟଜନ୍ତୁ ତଥା ପର୍ଯ୍ୟଟକଙ୍କ ପାଇଁ ସୁଗମ କରିବା ପାଇଁ ନା କୌଣସି ସୁଚିନ୍ତିତ ଯୋଜନା ଅଛି ନା ସେଥିପାଇଁ କିଛି ବଜେଟ ବରାଦ ହୋଇଛି! ଅଭୟାରଣ୍ୟର ଫିଲ୍ଡ ନିର୍ଦ୍ଦେଶକ ଜଣେ ଆଇ.ଏଫ.ଏସ୍. ଅଫିସର। ସାରା ବିଶ୍ୱରେ ତଥା ଭାରତର ଅନ୍ୟାନ୍ୟ ଅଭୟାରଣ୍ୟ ମାନଙ୍କରେ ବନ୍ୟଜନ୍ତୁଙ୍କ ନିବାସସ୍ଥାନ ସଂରକ୍ଷଣରେ କଣ କଣ ସର୍ବୋତ୍ତମ ପ୍ରଥା ଓ ପ୍ରୟୋଗ ରହିଛି ତା ବିଷୟରେ ସେ କେତେ ଜ୍ଞ।ନ ରଖନ୍ତି ତାହା ପ୍ରଶ୍ନବାଚୀ। ସରକାର ବ୍ୟାଘ୍ର ସଂରକ୍ଷଣ, ହାତୀ ସଂରକ୍ଷଣ ଆଦି ବିଷୟରେ ବ୍ୟବହାରିକ ଜ୍ଞ।ନ ରଖୁଥିବା ଜଣେ ବିଶେଷଜ୍ଞଙ୍କୁ ଯଦି ଅଭୟାରଣ୍ୟର ନିର୍ଦ୍ଦେଶକ ବା ଉପଦେଷ୍ଟା ଭାବରେ ନିଯୁକ୍ତି ଦିଅନ୍ତେ ତାହେଲେ  ଅଭୟାରଣ୍ୟର ଯଥାଯଥ ଥଇଥାନ ପାଇଁ ନକ୍ସା ବି ତିଆରି ହୁଅନ୍ତା ଆଉ ତାର କାର୍ଯ୍ୟରେ ପ୍ରଣୟନ ବି ହୁଅନ୍ତା।

 

୨) ସରକାରଙ୍କ ଦ୍ୱିତୀୟ ପ୍ରାଥମିକତା ହେବା ଉଚିତ ଶିମିଳିପାଳ ଅଭୟାରଣ୍ୟ ଭିତରେ ଏବଂ ଅଭ୍ୟାରଣ୍ୟର ପ୍ରବେଶ ପଥ ପରିପାର୍ଶ୍ୱରେ ଆବଶ୍ୟକୀୟ ପର୍ୟଟନ ଭିତ୍ତିଭୂମିର ଯୁଦ୍ଧକାଳୀନ ବିକାଶ। ଥରଟେ ନିମ୍ନରେ ଦିଆ ଯାଇଥିବା କିଛି ଅଭୟାରଣ୍ୟ ନିବାସ ଗୁଡ଼ିକର ଫଟୋ ଦେଖନ୍ତୁ। ଏଗୁଡ଼ିକ ହେଲା ରାଜସ୍ଥାନ ରନ୍ଥାମ୍ବରର ଓବେରାଇ ବନ୍ୟବିଳାସ; କର୍ଣ୍ଣାଟକ ବନ୍ଦିପୁରର ଟସ୍କର ଟ୍ରେଲ; ମଧ୍ୟପ୍ରଦେଶର କହ୍ନା ଅର୍ଥ ଲଜ; ଏବଂ ଉତ୍ତରାଖଣ୍ଡ ଜିମ୍ କର୍ବେଟରେ ଜିମସ୍ ଜଙ୍ଗଲ ଲଜ। ଏଣିକି ଉପରେ ଦିଆଯାଇଥିବା ଶିମିଳିପାଳସ୍ଥିତ ଓଟିଡ଼ିସି ପାନ୍ଥନିବାସଗୁଡ଼ିକର ଚିତ୍ର ଦେଖନ୍ତୁ।

 

 

ଏ ତ ନମୁନା ମାତ୍ର ଥିଲା। ଆପଣ ନିଜେ ଇଣ୍ଟରନେଟରେ ଖୋଜିଲେ ପ୍ରତିଟି ଅଭୟାରଣ୍ୟ ନିକଟରେ ବିବିଧ ସୁବିଧା ଥିବା ଅନେକ ତାରକା ହୋଟେଲର ତାଲିକା ପାଇ ପାରିବେ। ନବୀନ ସରକାର କ’ଣ ଆତ୍ମମନ୍ଥନ କରିବା ଉଚିତ ନୁହେଁ ଯେ ଅନ୍ୟ ରାଜ୍ୟର ଅଭୟାରଣ୍ୟ ନିକଟରେ ଘରୋଇ ନିବେଶକ ସୁରମ୍ୟ ପଞ୍ଚତାରକା ହୋଟେଲ, ଲଜ ତିଆରି କରିବାରେ ଆଗଭର ହୋଇ ବିନିବେଶ କରିଛନ୍ତି! ଅଥଚ ଓଡ଼ିଶାରେ କାହିଁକି ନୁହଁ? କ’ଣ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଉଭୟ ଓଡ଼ିଶା ତଥା ଓଡ଼ିଶା ବାହାର ହୋଟେଲ ମାଲିକଙ୍କ ସହିତ ଏନେଇ କୌଣସି ଚର୍ଚ୍ଚା ହୋଇଛି? ହୋଟେଲ ଇଣ୍ଡଷ୍ଟ୍ରିର କ’ଣ ବାଧକତା ରହୁଛି ଯେଉଁଥିପାଇଁ ସେମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଆଗ୍ରହୀ ନୁହନ୍ତି? ଯଦି ଘରୋଇ ଶିଳ୍ପପତିମାନେ ହୋଟେଲ, ରିଜର୍ଟ୍ ଆଦି ତିଆରି କରିବା ନେଇ ଆଶଙ୍କାରେ ରହୁଛନ୍ତି ତେବେ ତାଙ୍କୁ ପ୍ରୋତ୍ସାହନ ଏବଂ ଭରସା ଦେବାପାଇଁ ଓଟିଡ଼ିସି ନିଜେ ଅଗ୍ରସକ୍ରିୟ ହୋଇ ଦେଶ ବିଦେଶର ସ୍ୱନାମଧନ୍ୟ ଆର୍କିଟେକ୍ଟଙ୍କୁ ନିଯୁକ୍ତ କରି ଅନ୍ତତଃପକ୍ଷେ ତିନି ଚାରୋଟି ରିଜର୍ଟ ବନେଇବାରେ ଅସୁବିଧା କୋଉଠି ରହୁଛି? କ’ଣ ସେତିକି ଦୂରଦୃଷ୍ଟି ନାହିଁ ନା ଅନ୍ୟ କିଛି କାରଣ ରହୁଛି? ୟାର ଖୋଳତାଡ଼ କଲାରୁ ଜଣା ପଡ଼େ ଏମିତି କିଛି ଚିନ୍ତା ଜଣେ ପୂର୍ବତନ ପର୍ଯ୍ୟଟନ ବିଭାଗ ସଚିବଙ୍କ ମୁଣ୍ଡକୁ ଆସିଥିଲା। ତେଣୁ ତିନିବର୍ଷ ତଳେ ପବ୍ଲିକ ପ୍ରାଇଭେଟ ଭାଗିଦାରିରେ ଓଟିଡ଼ିସିର କ୍ଷତିରେ ଚାଲୁଥିବା କିଛି ପାନ୍ଥନିବାସର ନବକଳେବର ପାଇଁ ନିୟମ ତିଆରି ହୋଇଥିଲା। ହୋଟେଲ ତିଆରି ପାଇଁ ଓଟିଡ଼ିସିର ମାଲିକାନାରେ ଥିବା ଜମିକୁ ଲିଜରେ ଦେବାଲାଗି ଟେଣ୍ଡରିଙ୍ଗ୍ ମଧ୍ୟ କରାଗଲା। କିନ୍ତୁ ନାମିଦାମି ହୋଟେଲ ଶିଳ୍ପପତିଙ୍କୁ ନୁହଁ, ଲିଜ ଦିଆ ହେଲା ତ ହୋଟେଲ ଶିଳ୍ପରେ ଆଦୌ ଅଭିଜ୍ଞତ। ନଥିବା ନବୀନଙ୍କ ଅନୁଗତ ଚିଟଫଣ୍ଡ ମାଲିକଙ୍କୁ। କହିବା ବାହୁଲ୍ୟ ସେ ସ୍କିମର ସ୍ୱାହା ସେଇଠି ହୋଇଗଲା। ୟାକୁ ନେଇ ପରବର୍ତ୍ତୀ ସରକାରଙ୍କୁ ଗମ୍ଭୀର ଭାବରେ ଚିନ୍ତା କରିବାକୁ ପଡ଼ିବ। ଏହା ତେବେ ହିଁ ସମ୍ଭବ ହୋଇପାରିବ ଯେବେ ସରକାର କୌଣସି ଅମଲାଙ୍କୁ ନୁହଁ ବରଂ ହୋଟେଲ ଶିଳ୍ପରେ ଅନୁଭୁତି ଥିବା ଜଣେ ଦକ୍ଷ ବ୍ୟକ୍ତିଙ୍କୁ ଓଟିଡ଼ିସିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଅନ୍ତି।

 

୩) ତୃତୀୟ ବିନ୍ଦୁଟି ହେଲା ଖାଲି ଶିମିଳିପାଳ କାହିଁକି, ଓଡ଼ିଶାର ଅନ୍ୟାନ୍ୟ ପର୍ଯ୍ୟଟନ ସ୍ଥଳିର ମାର୍କେଟିଙ୍ଗ୍ ଉପରେ ଗୁରୁତ୍ବ ଦେବା। ଆପଣମାନେ ଟିଭି, ଖବରକାଗଜରେ କେରଳ, ମଧ୍ୟପ୍ରଦେଶ, ଗୁଜୁରାଟ ଭଳି ରାଜ୍ୟର ପର୍ଯ୍ୟଟନ ବିଭାଗର ବହୁ ମନଲୋଭା, କଳ୍ପନାଶୀଳ ବିଜ୍ଞ।ପନ ଦେଖିଥିବେ। ଅଥଚ ଆପଣଙ୍କର ମନେ ଅଛି କେବେ ଓଡ଼ିଶା ସରକାର ପର୍ଯ୍ୟଟନ ବିଭାଗର ଏମିତି ଗୋଟେ ମନଛୁଆ ବିଜ୍ଞାପନ ଦେଖିଥିବାର? ନା! ମୁଁ ଦାମ୍ଭିକତାର ସହିତ କହି ପାରିବି ଯେ ଓଡ଼ିଶା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ କି ସଚିବ ବି ଜାଣି ନଥିବେ ସେସବୁ ରାଜ୍ୟ ସରକାର କେଉଁ ପ୍ରଖ୍ୟାତ ଆଡ଼୍ ଏଜେନ୍ସି ଦ୍ୱାରା ଏତେ ସୁନ୍ଦର ବିଜ୍ଞାପନ ତିଆରି କରେଇଛନ୍ତି। ଦୁର୍ଗତି ହେଉଛି ଜିଜ୍ଞାସାର ବି ପ୍ରବଳ ଦାରିଦ୍ର୍ୟ ଆମ ମନ୍ତ୍ରୀ, ଅମଲାଙ୍କ ଠେଇଁ। ଆପଣ ଇଣ୍ଟରନେଟରେ ନିଜେ ସର୍ଚ କରନ୍ତୁ। ଅନ୍ୟ ଅଭୟାରଣ୍ୟ ଗୁଡ଼ିକ ବିଷୟରେ ବହୁ ଲେଖା, ଭ୍ରମଣକାରୀଙ୍କ ବ୍ଲଗ୍ ପଢିବାକୁ ପାଇବେ। ନ୍ୟାସନାଲ୍ ଜିଓଗ୍ରାଫିକ, ଡ଼ିସ୍କଭରି, ଆନିମଲ୍ ପ୍ଲାନେଟ, ବିବିସି ଦ୍ୱାରା ୱାଇଲ୍ଡ ଲାଇଫ ଡ଼କ୍ୟୁମେଣ୍ଟାରି ଚଳଚ୍ଚିତ୍ର ଦେଖିବାକୁ ପାଇବେ। ଅଥଚ ଶିମିଳିପାଳ ବିଷୟରେ ଗୋଟିଏ ହେଲେ ସେମିତି ଲେଖା କି ଡ଼କ୍ୟୁମେଣ୍ଟାରି ଆପଣଙ୍କୁ ମିଳିବ ନାହିଁ। ପର୍ଯ୍ୟଟନ ବିଭାଗ କି ବନ୍ୟବିଭାଗ ତରଫରୁ କାହିଁକି ଏ ସମ୍ବନ୍ଧୀୟ ପ୍ରଚେଷ୍ଟା ହୋଇନାହିଁ? 

 

୪) ଚତୁର୍ଥ ବିଚାରଟି ହେଲା ପର୍ଯଟକଙ୍କ ପାଇଁ ଜଙ୍ଗଲ ସଫାରି, ଟ୍ରେକିଙ୍ଗ୍ ଆଦିର ଭିତ୍ତିଭୂମି ବିକାଶ ପ୍ରତି ପ୍ରାଧାନ୍ୟ ଦେବା। ଜିପ୍ ସଫାରି, ହାତୀ ପିଠିରେ ବସି ବାଘ ଦର୍ଶନ ଏମିତି ବହୁ ସୁବିଧା ପ୍ରାୟତଃ ସବୁ ଅଭୟାରଣ୍ୟରେ ରହିଛି। ଶିମିଳିପାଳରେ ମଧ୍ୟ ଏ ପ୍ରକାର ସୁବିଧା ଉପଲବ୍ଧ କରେଇବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ସ୍ଥାନୀୟ ତଥା ବାହାର ଟ୍ରାଭେଲ୍ ଅପରେଟରଙ୍କ ସହିତ ଭାଗିଦାରି କରିବା ଉଚିତ।ପୁଣି ଇଣ୍ଟର୍ନେଟରେ ସର୍ଚ କରନ୍ତୁ। ଦେଖିବେ ଅନ୍ୟ ଯେ କୌଣସି ଅଭୟାରଣ୍ୟ ଭ୍ରମଣ ପାଇଁ ଶହ ଶହ ସରକାର ପ୍ରମାଣିତ ଟ୍ରାଭେଲ୍ ଅପରେଟରଙ୍କ ନାଆଁ, ଠିକଣା ଗୋଟିଏ ସେକେଣ୍ଡରେ ମିଳିଯିବ। ଥରଟେ ଶିମିଳିପାଳ ଟୁର ଅପରେଟର ସର୍ଚ କରନ୍ତୁ। ଆପଣଙ୍କୁ ମିଳିବ କେବଳ ଗୋଟିଏ ଠିକଣା। ଦେବ ଟାକ୍ସି ଏଜେନ୍ସି , ବାରିପଦା। ତାଙ୍କର ଯେଉଁ ୱେବ୍ସାଇଟ ଠିକଣା ଦିଆ ହେଇଛି ସେଇଟା ବି କାମ କରୁନି। ୟାଠୁଁ ଅଧିକ ଲାଜର କଥା ଆଉ କ’ଣ ହୋଇପାରେ?

 

ବହୁଦିନ ତଳେ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ସମ୍ଭାବନା ଏବଂ ତା ପ୍ରତି ନବୀନ ସରକାରଙ୍କ ଅବୋଧ୍ୟ ଉଦାସୀନତା ଉପରେ କାହାଣୀ ଛଳରେ ଏକ ବ୍ଲଗ୍ ଲେଖିଥିଲି। ଶୀର୍ଷକ ଥିଲା ଅଭିନବ ସ୍ୱପ୍ନ ଦେଖିବାର ନା ଅଛି ଜିଦ୍, ନା ଅଛି ଫୁରୁସତ୍! ସେ ଲଖାଟି ଆପଣ ମୋ ବ୍ଲଗସାଇଟରେ ଖୋଜିଲେ ସହଜରେ ପାଇଯିବେ। ଯଦି ଆପଣ ଏ ଲେଖାର ଶେଷଯାଏଁ ପଢିଲେଣି, ମୋର ବିଶ୍ୱାସ ଯେ ଆପଣ ସେ ଲେଖାଟିକୁ ବି ପଢିବେ ନିଶ୍ଚୟ। ଆଉ ତାପରେ ଚିନ୍ତା କରିବେ ନବୀନ ସରକାର କେତେ ପାରଙ୍ଗମ କି ଅଥର୍ବ। ଭାବିବେ ଆମେ ନିଜେ କେତେ ଯତ୍ନବାନ ନାଗରିକ ଯେ ତାଙ୍କ ଭଳି ଓଡ଼ିଶାର ବିକାଶ ପ୍ରତି ଏତେ ଉଦାସୀନ ଗୋଟିଏ ନିର୍ବିକାର, ନିଶିନ୍ତ ମଣିଷକୁ ଆମେ ବିନା ପ୍ରଶ୍ନରେ ଭୋଟ୍ ଦେଇ ଆସିଛୁ ଥରେ ନୁହଁ, ଦି ଥର ନୁହଁ, ଚାରି ଥର। ଆମେ କଣ ଏତେ ମୁର୍ଖ! ଯଦି ନିଜ ପ୍ରତି ଧିକ୍କାର ଆସେ ଆଉ ଆକ୍ରୋଷରେ ରକ୍ତଚାପ ବଢିଯାଏ, ଦୋଷ ମୋତେ ଦେବେ ନି। ମୁଁ ତ ମୁଳରୁ ସତର୍କ କରି ଦେଇଥିଲି ଏ ବିଷୟରେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top