ଭାରତୀୟ ସଂସ୍କୃତିରେ ଗୋମାତା

News Story - Posted on 2016-11-24

ସୁମନ୍ତ କୁମାର ପଣ୍ଡା

 

ଭାରତ ଏକ ପ୍ରାଚୀନ ରାଷ୍ଟ୍ର। ଏହାର ଜାତୀୟ ଜୀବନ ହିନ୍ଦୁ ସଂସ୍କୃତି ଆଧାରନିଷ୍ଠ। ହିନ୍ଦୁ ସଂସ୍କୃତିର ଆଧାର ସ୍ତମ୍ଭ ହେଲା ଗୋସେବା-ଗୋପାଳନ, ଗୋରକ୍ଷା ତଥା ଗୋ ସଂମ୍ୱର୍ଦ୍ଧନ। ଦୁଗ୍ଧ ଆଦି ପଞ୍ଚଗବ୍ୟର ବ୍ୟବହାର ବିନା ହିନ୍ଦୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅସମ୍ଭବ। ହିନ୍ଦୁର ପରମାର୍ଥିକ ସିଦ୍ଧିପ୍ରାପ୍ତ ଗୋ ସେବାରେ ହିଁ ସମ୍ଭବ। ଗୋ ଜାତି ହିନ୍ଦୁ ଧର୍ମର ଧାର୍ମିକ ବିଶ୍ୱାସ, ଉପାସନାର ଆଧାର ଓ ସ୍ୱାଭିମାନର ଉତ୍ସ ଅଟେ। ତେତିଶ କୋଟି ଦେବତା ଧର୍ମଶାସ୍ତ୍ର ମାଧ୍ୟମରେ ଏହି କଥା ବର୍ଣ୍ଣନା କରିଛନ୍ତି ଯେ ସମସ୍ତ କର୍ମ ଉପାସନାର ପୁଣ୍ୟଫଳଦାତା ରୂପେ ଆମେ ଗୋମାତା ଠାରେ ବିରାଜମାନ କରିଛୁ। ଗୋ ବଂଶ ଆମର ଆରାଧ୍ୟ। ଗୋ ଜାତିକୁ ଉପାସନା କଲେ ସମାଜର ଅନନ୍ତ କାଳ ପାଇଁ ମଙ୍ଗଳ ହେବ।

 

ବ୍ୟକ୍ତିର ଗର୍ଭଧାରଣ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ, ପରଲୋକ ଗତ ଆତ୍ମାର ସ୍ମୃତିଚାରଣ ପାଇଁ ଶ୍ରାଦ୍ଧ ତର୍ପଣ ପ୍ରଭୃତି ସମୟରେ ପଞ୍ଚଗବ୍ୟ କିମ୍ୱା ଏହାର କୌଣସି ଉପାଦାନର ଆବଶ୍ୟକତା ରହିଛି ଯଥା(ଦୁଧ, ଦହି, ଘିଅ, ଛେନା) ହୋମ, ଯଜ୍ଞ, ସମାଜର ଶ୍ରୀବୃଦ୍ଧି, ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ ବନ୍ଦ କରିବା ନିମନ୍ତେ ନିତାନ୍ତ କରଣୀୟ। ଏହି ଯଜ୍ଞାନୁଷ୍ଠାନ ପାଇଁ ଯଜ୍ଞମଣ୍ଡପର ସୁଚିତା ନିମନ୍ତେ ଆବଶ୍ୟକ ଗୋବର ଓ ଯଜ୍ଞଚରୁ ନିମନ୍ତେ ଆବଶ୍ୟକ ପଞ୍ଚଗବ୍ୟ ଗୋ ଜାତିଠାରୁ ସଂଗ୍ରହ କରାଯାଏ।

 

 ପ୍ରାଚୀନ ପରମ୍ପରା ଅନୁସାରେ ଗୁରୁକୁଳକୁ ପଢିବା ପାଇଁ ଶିଷ୍ୟ ଗଲେ ପ୍ରଥମେ ତାକୁ ଗୋସେବା କରିବା ପାଇଁ ଦାୟିତ୍ୱ ଦିଆଯାଉଥିଲା। ଏପରି କରିବା ଦ୍ୱାରା ଶିଷ୍ୟମାନଙ୍କ ମନରେ ସ୍ନେହ, ଶ୍ରଦ୍ଧା, ଭକ୍ତି, ଜୀବେଦୟା ଭାବ ସୃଷ୍ଟି ହେଉଥିଲା। ମନରୁ ଚଞ୍ଚଳତା ନଷ୍ଟ ହେଉଥିଲା। ଚିତ୍ତବିକାର ନଷ୍ଟ ହେଉଥିଲା।

 

ଭାରତୀୟ ସମାଜର ଦୁଇଟି ଦାନ ସର୍ବଶ୍ରେଷ୍ଠ- ୧. କନ୍ୟାଦାନ ୨. ଗୋ ଦାନ। ସ୍ନେହ, ବାତ୍ସଲ୍ୟ, କରୁଣା, ଦୟା, ମମତା, ଭକ୍ତି ଭାବର ଶ୍ରେଷ୍ଠ ଆଧାର ହେଉଛି ଗୋ ମାତା ଓ କନ୍ୟା। ପାରିବାରିକ ମମତା ଓ ସ୍ନେହ ସଦ୍ଭାବର ଏକ ସନ୍ତୁଳନ ଗୋ ଜାତି ମାଧ୍ୟମରେ ରକ୍ଷା ହୋଇ ପାରୁଥିଲା। ତେଣୁ ସାମାଜିକ ସମରସତା ପ୍ରତିଷ୍ଠା ପାଇଁ ସମାଜରେ ଗୋଦାନ ଏବଂ କନ୍ୟାଦାନ ଏକ ମହତ୍ତ କର୍ମରୂପେ ଏ ସମାଜରେ ପ୍ରଚଳିତ ଅଛି।

 

ଆର୍ଯ୍ୟ ସଂସ୍କୃତିର ଦେବାଧିଦେବ ପ୍ରଥମେ ଏ ସମାଜ ପାଇଁ ଚାରୋଟି ବସ୍ତୁ ସୃଷ୍ଟି କରିଥିଲେ ତାହା ହେଲା ବେଦ, ଅଗ୍ନି, ଗୌ ଏବଂ ଯଜ୍ଞ। ଏହି ଚାରୋଟି ପରିଚର୍ଯ୍ୟ କରୁଥିବା ବ୍ୟକ୍ତିକୁ ବ୍ରାହ୍ମଣ କୁହାଯାଉଥିଲା। ଅନ୍ୟମାନେ ଏ ସବୁକୁ ପୁଷ୍ଟ କରୁଥିଲେ। ହିନ୍ଦୁ ଧର୍ମ ଗ୍ରନ୍ଥର ଗୀତାର ମୂଳତତ୍ତ୍ୱ ହେଲା ଗୋ ସେବା। ଭାରତର ଆର୍ଯ୍ୟ ପ୍ରଜା ଯଜ୍ଞ ସହିତ ସୃଷ୍ଟି ହୋଇଛି। ଏହି ଯଜ୍ଞ ପାଇଁ ଆବଶ୍ୟକ କେବଳ ବିଶୁଦ୍ଧ ଗୋ ଘୃତ। ଗୋ ଘୃତ ବାୟୁ ମାଣ୍ଡଳକୁ ବିଶୁଦ୍ଧ କରିବ, ମେଘରେ ଜଳ ସଞ୍ଚାର କରିବ, ଘୃତାଣୁ ମିଶ୍ରିତ ମେଘଜଳ ବର୍ଷା ହୋଇ ଭୂପୃଷ୍ଠକୁ ପୁଷ୍ଟ କରି ଉଦ୍ଭିଦ ଜଗତକୁ ଖାଦ୍ୟ ଦେବ ଓ ଜନବସତିକୁ ସଂମ୍ୱର୍ଦ୍ଧିତ କରିବ। ଗୋ ଘୃତ ଦେବତାମାନଙ୍କର ଅତି ପ୍ରିୟ ଅଟେ। ଗୋ ଜାତିର ଆଧାରରେ ଭାରତୀୟ ଜାତୀୟ ଜୀବନ ଗଢି ଉଠିବା ହେତୁ ଏହାର ସଂରକ୍ଷଣ ଓ ସଂମ୍ୱର୍ଦ୍ଧନ ପାଇଁ ସମସ୍ତ ଆର୍ଯ୍ୟ ବୈଦିକ ଶାସ୍ତ୍ର ସମୃଦ୍ଧ ହୋଇ ଉଠିଥିଲା। ବେଦରେ ତେଣୁ ଅନେକବାର ଗୋ ମାତାକୁ  ଅଘ୍ନ୍ୟା ଏବଂ ଅଦିତି(କାଟିବାର ଅଯୋଗ୍ୟ) ବୋଲି ବର୍ଣ୍ଣନା କରାଯାଇଛି। ଗୋ ଘାତକକୁ ପ୍ରାଣଦଣ୍ଡ ଦେବା ନିମନ୍ତେ ଓ ଦେଶରୁ ନିଷ୍କାସନ କରିଦେବା ନିମନ୍ତେ ବେଦରେ ଆଦେଶ ଦିଆଯାଇଛି।

 

ଜନ୍ମଦାତ୍ରୀକୁ ‘ମା’ ସମ୍ୱୋଧନ କରିବାର ଭାଷା ଗୋ ମାତା ଠାରୁ ହିଁ ଏ ମାଟିର ମଣିଷ ଶିକ୍ଷା କରିଛି, ଯେତେବେଳେ ସମୁଦ୍ର ମନ୍ଥନ ହେଲା ସେତେବେଳେ ନନ୍ଦା, ସୁଭଦ୍ରା, ସୁରଭୀ, ସୁଶୀଳା ଓ ବହୁଳା ଏ ପାଞ୍ଚଟି ଗାଈ ସମୁଦ୍ର ମନ୍ଥନରୁ ଜାତ ହେଲେ। ବଶିଷ୍ଠ, ଗୌତମ ପ୍ରମୁଖ ପାଞ୍ଚଜଣ ବ୍ରହ୍ମର୍ଷିଙ୍କୁ ଏସବୁ ଦାନ କରାଗଲା। ଭାରତରେ ଗୋ ବଂଶ ପାଇଁ କେତେକ ବିଶିଷ୍ଟ ଦିନ ଉତ୍ସର୍ଗ କରାଯାଇଛି। ସେଗୁଡିକ ହେଲା ଗୋପାଷ୍ଟମୀ, ଗୋପାଳ ଦ୍ୱାଦଶୀ, ଗୋବର୍ଦ୍ଧନ ପୂଜା, ଗହ୍ମା ପୂର୍ଣ୍ଣିମା ଓ ଗୋ ବତ୍ସା ଜୟନ୍ତୀ ପ୍ରଭୃତି। ବୈଦିକ ମନ୍ତ୍ରଦ୍ରଷ୍ଟା ଋଷିଗଣ ପରମାରାଧ୍ୟ ଦେବାଦେବୀଙ୍କ ଉପରେ ଗୋ ଜାତିକୁ ସ୍ଥାପନା କରିବାର ଯୋଜନାକୁ ନିମ୍ନ ମନ୍ତ୍ରରେ ସାକାର କରିଛନ୍ତି। ଏକ ବୈଦିକ ପ୍ରଶ୍ନର ଜିଜ୍ଞାସା କରାଯାଇଛି- କସ୍ୟ ମାତ୍ରା ନ ବିଦ୍ୟତେ?(କାହାର ତୁଳନା ନାହିଁ)  (ଶୁକ୍ଳ ଯଦୁର୍ବେଦ ୨୩-୪୮) ଏହାର ଉତ୍ତରରେ କୁହାଯାଇଛି ଗୋସ୍ୟ ମାତ୍ରା ନ ବିଦ୍ୟତେ(ଗୋ ମାତାର ତୁଳନା ନାହିଁ ) ଗୋ ମାତା କାମନାର ପୁରଣ କାରିଣୀ, ତେଣୁ ତାହାର ଅନ୍ୟନାମ କାମଧେନୁ। ତାହାର ନାଭିରୁ ଅମୃତର ନିଃସରଣ ହେଉଥିବାହେତୁ ସେ ହେଉଛି ଅମୃତସ୍ୟ ନାଭିଃ।  ସେମାନଙ୍କ ମଧ୍ୟରେ କିଛି ନିଷ୍ପତି ହୋଇ ନପାରିବାରୁ ସମସ୍ତେ ବେଦ ଭଗବାନଙ୍କ ପାଖକୁ ଗଲେ। ଏହାର ନିଷ୍ପତି ଶୁଣାଇବାକୁ ଯାଇ ଅଥର୍ବ ବେଦ ଭଗବାନ କହିଲେ, ଏକ ଗୌରେକ ଏକ ଋଷିରେଙ୍କ ଧାର୍ମେକ ଧାଶିଷଃ, ଯକ୍ଷଂ ପୃଥିବ୍ୟାମେକ ତ୍ୱଦେକ ତୁର୍ର୍ନାତି ଋଚ୍ଚ୍ୟତେ। (ଅଥର୍ବ ବେଦ ୭ା୯ା୨୬)

 

ପ୍ରାଚୀନ ଭାରତର ବ୍ରହ୍ମର୍ଷବୃନ୍ଦ ପ୍ରତିଦିନ ପ୍ରାର୍ଥନା ମନ୍ତ୍ର ଗାନ କରୁଥିଲେ, ଯେ ହେ ଭଗବାନ! ଅମ୍ଭମାନଙ୍କୁ ଏହି ପ୍ରକାର ବୁଦ୍ଧି ପ୍ରଦାନ କରନ୍ତୁ ଯେଉଁ ପ୍ରକାରେ ଗୋ ମାତାକୁ ପ୍ରମୁଖ ସ୍ଥାନଦେଇ କିମ୍ୱା ଅଗ୍ରଭାଗରେ ରଖି ସ୍ୱୟଂ ଅନୁଚର ହୋଇ ଚାଲିବାରେ ଆମେ ଅଜୟ ହେବୁ।

 

ଗବୋପନିଷଦରେ କୁହାଯାଇଛି ଯେ ଗାଈ ଯଜ୍ଞର ଫଳ ପ୍ରଦାନ କାରିଣୀ ଅଟନ୍ତି। ତାହାଙ୍କ ଠାରେ ଯଜ୍ଞର ପ୍ରତିଷ୍ଠା ବିଦ୍ୟମାନ।  ଗାବୋ ଯଜ୍ଞସ୍ୟ ହି ଫଳଂ ଗୋଷୁ ଯଜ୍ଞା ପ୍ରତିଷ୍ଠିତାଃ।

   

ପୁନଶ୍ଚ କୁହାଯାଇଛି - ଗାବୈ ପଶ୍ୟାମ୍ୟହଂ ନିତ୍ୟଂ ଗାବଃ ପଶ୍ୟନ ମାଂ ସଦା, ଗାବୋ ସ୍ମାକଂ ବୟଂ ତାସାଂ ଯତୋ ଗାବସ୍ତତୋବୟଂ।  (ଗବୋପନିଷଦ‌୍‍)

 

ମୁଁ ସର୍ବଦା ଗୋମାତାଙ୍କୁ ଦର୍ଶନ କରିବି। ଗୋ ମାତା ମୋ ଉପରେ କୃପା ଦୃଷ୍ଟିପାତ କରନ୍ତୁ। ଗୋ ମାତା ଆମର ଅଟନ୍ତି ଏବଂ ଆମେ ଗୋମାତାଙ୍କର ଅଟୁ। ଯେଉଁଠାରେ ଗୋ ମାତା ଅଛନ୍ତି ସେଠାରେ ଆମେ ବାସ କରିବୁ।

 

ଗୋ ମାତାର ଅଜସ୍ର ସ୍ମୃତି ଗାନ ପୂର୍ବକ ବୃହତ ପରାଶର ସୃତି କହେ -ଶୃଙ୍ଗ ମୂଳେ ସ୍ଥିତୋ ବ୍ରହ୍ମା ଶୃଙ୍ଗମଧ୍ୟେ ତୁ କେଶବଃ, ଶୃଙ୍ଗାଗ୍ରେ ଶଂକରୋ ବିଦ୍ୟାତ‌୍‍ ତ୍ରୟୋଦେବାଃ ପ୍ରତିଷ୍ଠିତାଃ। ଗୋଶୃଙ୍ଗ ମୂଳରେ ବ୍ରହ୍ମା, ମଧ୍ୟ ଦେଶରେ ଭଗବାନ ନାରାୟଣ ଏବଂ ଶୃଙ୍ଗରେ ସର୍ବୋପରି ଭଗବାନ ଶିବ ବିରାଜ ମାନ କରନ୍ତି।

 

ସମଗ୍ର ପୃଥିବୀରେ କେବଳ ଭାରତୀୟ ସମାଜ ହିଁ ଗାଈକୁ ମାତାର ସମ୍ମାନ ଦେବା ସହ ଗୋ ବଂଶକୁ ନିଜର ଅନ୍ତରଙ୍ଗ ବନ୍ଧୁରୂପେ ଗ୍ରହଣ କରିନେଇଛି। ଏହି ମର୍ମରେ ପଦ୍ମ ପୁରାଣରେ କୁହାଯାଇଛି - ଗାବଃ ବନ୍ଧୁଃ ମନୁଷ୍ୟାଣାଂ ମନୁଷ୍ୟାଃ ବାନ୍ଧବାଃ ଗବାମ‌୍‍, ଗୌଶ୍ଚ ଯସ୍ମିନ‌୍‍ ଗୃହେ ନାସ୍ତି ତଦ‌୍‍ବନ୍ଧୁ ରହିତମ‌୍‍ ଗୃହମ‌୍‍। (ସୃଷ୍ଟିଖଣ୍ଡ ୫୭ା୧୫୬)

 

ପଞ୍ଚଗବ୍ୟ କେବଳ ଆରୋଗ୍ୟକାରୀ ମହୌଷଧି ନୁହେଁ। ଏହାର ସେବନ ଦ୍ୱାରା ସମସ୍ତ ପାପ କର୍ମରୁ ମୁକ୍ତି ମିଳେ। ଏ ସଂପର୍କରେ ଅଗ୍ନି ପୁରାଣରେ କୁହାଯାଇଛି - ଗୋ ମୂତ୍ରଂ ଗୋମୟଂ କ୍ଷୀରଂ ଦଧି ସର୍ପିଃ କୁଶୋଦକମ‌୍‍, ଏକ ରାତ୍ରୋପବାସଶ୍ଚ ସ୍ୱପାକମପି ଶୋଧୟେତ‌୍‍।

   

ଏକ ଦିନ ଗୋମୂତ୍ର, ଗୋବର, କ୍ଷୀର, ଦହି, ଘିଅ ଏବଂ କୁଶୋଦକ ସେବନ ଏବଂ ଏକ ରାତ୍ରି ଉପବାସ ଚଣ୍ଡାଳକୁ ମଧ୍ୟ ଶୁଦ୍ଧ କରିଦିଏ।

 

ସର୍ବାନଃ କରଣରେ ଗୋମାତାଙ୍କ ପ୍ରଶସ୍ତି ଗାନ ପୂର୍ବକ ସମସ୍ତ ଦେବତାଙ୍କ ପରମ ଆରାଧ୍ୟନୀୟା ବୋଲି ସ୍କନ୍ଦ ପୁରାଣରେ ବାରମ୍ୱାର ବର୍ଣ୍ଣିତ ଅଛି - ତ୍ୱଂ ମାତା ସର୍ବଦେବାନାଂ ତ୍ୱଂ ଚ ଯଜ୍ଞସ୍ୟ କାରଣମ, ତ୍ୱଂ ତୀର୍ଥଂ ସର୍ବତୀର୍ଥାନାଂ ନମସ୍ତେ$ସ୍ତୁ ସଦାନଘେ, ଶଶିସୂର୍ଯ୍ୟାରୁଣାଯସ୍ୟା ଲଲାଟେ ବୃଷଭଧ୍ୱଜଃ, ସରସ୍ୱତୀ ଚ ହୁଂକାରେ ସର୍ବେନାଗାଶ୍ଚ କମ୍ୱଳେ, କ୍ଷୁର ପଷ୍ଠେଚ ଗନ୍ଧର୍ବ ଦେବାଶ୍ଚ ତ୍ୱାର ଏବଚ, ମୁଖାଗ୍ରେ ସର୍ବତୀର୍ଥାନି ସ୍ଥାବରାଣି ଚରାଣିଚ। (ସ୍କନ୍ଦ,ବ୍ରହ୍ମା, ଧର୍ମାରଣ୍ୟ ୧୦ା୧୮-୨୦)

 

ତୁମେ ସମସ୍ତ ଦେବତାଙ୍କ ମାତା, ଯଜ୍ଞର କାରଣ ରୂପା ଏବଂ ସମସ୍ତ ତୀର୍ଥର ତୀର୍ଥରୁପିଣୀ ଅଟ। ଆମେ ତୁମକୁ ସବୁବେଳେ ନମସ୍କାର କରୁ। ତୁମ ସମସ୍ତଙ୍କର ଚନ୍ଦ୍ରମା, ସୂର୍ଯ୍ୟ, ଅରୁଣ ଏବଂ ବୃଷଭ ଧ୍ୱଜ ଶଙ୍କର ବିରାଜମାନ କରି ଅଛନ୍ତି। ହୁଙ୍କାରେ ସରସ୍ୱତୀ, ଗଳକମ୍ୱଳରେ ନାଗ ଗଣ, ଖୁରାରେ ଗନ୍ଧର୍ବ। ଚାରିବେଦ ତଥା ମୁଖାଗ୍ରରେ ଚର  ଅଚର ସଂପୂର୍ଣ୍ଣ ତୀର୍ଥ ବିରାଜମାନ। ମହାଭାରତରେ ଭୀଷ୍ମଦେବ ଯୁଧିଷ୍ଠିରଙ୍କୁ କହିଛନ୍ତି - ତୁଲ୍ୟନାମାନି ଦେୟାନି ତ୍ରିଣି ତୁଲ୍ୟ ଫଳାନି ଚ, ସର୍ବକାମ ଫଳାନୀହ ଗାବଃ ପୃଥ୍ୱୀ ସରସ୍ୱତୀ, ମାତରଃ ସର୍ବ ଭୂତାନାଂ ଗାବଃ ସର୍ବ ସୁଖପ୍ରଦାଃ, ବୃଦ୍ଧି ମାକଙ‌୍‍କ୍ଷତା ନିତ୍ୟଂ ଗାବଃ କାର୍ଯ୍ୟାଃ ପ୍ରଦକ୍ଷିଣାଃ, ସଂ ତାତ୍ୟାନତୁ ପାଦେନ ଗବାଂ ମଧ୍ୟେ ନଗବ୍ରଜେତ‌୍‍, ମଙ୍ଗଳାୟତନଂ ଦେବ୍ୟଃ ତସ୍ମାତ‌୍‍ ପୂଜ୍ୟାଃ ସଦୈବହି। (ମହାଭାରତ,ଅନୁଶାସନ ପର୍ବ ଦାନଧର୍ମ ପର୍ବ ଅ ୬୯)

 

ଭୀଷ୍ମ କହିଲେ - ହେ ଯୁଧିଷ୍ଠିର। ଗାଈ,ଭୂମି ଏବଂ ସରସ୍ୱତୀ ଏ ତିନି ସମାନ ନାମ ପରଳ ଅଟନ୍ତି। ଏ ତିନିଟିର ସେବା ତୁଲ୍ୟ ଫଳ ପ୍ରଦାନ କରେ। ଏ ତିନି ମନୁଷ୍ୟର ସଂପୂର୍ଣ୍ଣ କାମନା ପୂରଣ କରନ୍ତି। ଗୋମାତା ସଂପୂର୍ଣ୍ଣ ପ୍ରାଣୀ ଜଗତର ମାତା ଅଟନ୍ତି। ସେ ସମସ୍ତଙ୍କ ସୁଖ ଦାତ୍ରୀ। ଯେ ନିଜର ଅଭ୍ୟୁଦୟର ଇଚ୍ଛା ରଖନ୍ତି, ସେ ସମସ୍ତେ ଗାଈକୁ ପ୍ରଦକ୍ଷୀଣ କରିବା ଉଚିତ। ଗାଈମାନଙ୍କୁ ଲାତ ନମାରିବା ଉଚିତ। ସେମାନଙ୍କ ମଝିରେ ପଶିବା ଉଚିତ ନୁହେଁ। ସେ ମଙ୍ଗଳ ଭୂତ ଆଧାର ଶିଳା ଅଟନ୍ତି। ତେଣୁ ସବୁବେଳେ ତାହାଙ୍କୁ ପୂଜା ଆରାଧନା କରିବା ଉଚିତ‌୍‍।

 

ପୁରୁଷୋତ୍ତମ ଭଗବାନ ଶ୍ରୀରାମଚନ୍ଦ୍ର କେବଳ ମାତ୍ର ଗୋ ବ୍ରାହ୍ମଣ ଏବଂ ସମୁଦାୟ ରାଷ୍ଟ୍ରର ହିତ ନିମନ୍ତେ ବିଶ୍ୱାମିତ୍ରଙ୍କ ପରି ପ୍ରବଳ ପରାକ୍ରମୀ ଓ ପ୍ରଭାବଶାଳୀ ମହାତ୍ମାଙ୍କର ଆଦେଶ ପାଳନ କରିଥିଲେ, ତେଣୁ ସେ ବିଶ୍ୱାମିତ୍ରଙ୍କୁ କହିଥିଲେ - ଗୋ ବ୍ରାହ୍ମଣ ହିତାର୍ଥାୟ ଦେଶସ୍ୟ ଚହିତାୟଚ, ତବା ପ୍ରମେୟସ୍ୟ ବଚନଂ କର୍ତ୍ତୃମହଂ ସମୁଦ୍ୟତଃ। (ବାଲ୍ମୀକି ରାମାୟଣ ୧ା୨୬ା୫)

 

ବିଶ୍ୱ ସମ୍ୱାଦ କେନ୍ଦ୍ର ଫିଚର ସେବା

ପ୍ଲଟ-୪, ବୁଦ୍ଧେଶ୍ୱରୀ କଲୋନୀ, ଭୁବନେଶ୍ୱର

ମୋ-୯୮୬୧୪୫୦୧୩୮


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top