ମା’ ବିରଜା ଓ ମା’ ଦୁର୍ଗା

News Story - Posted on 2016-11-24

ମାନସ କୁମାର ରାଉତ

 

ମହର୍ଷି ଅଗସ୍ତିଙ୍କ ପତ୍ନୀ ଲୋପାମୁଦ୍ରା କାଳକ୍ରମେ ବିନ୍ଧ୍ୟବାସିନୀ ନାମ ଗ୍ରହଣ କରି ଆରାଧିତ ହେଉଥିବାର ଦେବୀ ଭାଗବତ ବର୍ଣ୍ଣନା କରିଅଛି। ଫଳତଃ ବୈଦିକ ଯୁଗର ପରବର୍ତ୍ତୀ କାଳରେ ବୈତରଣୀ ତଟରେ ଯେଉଁ ଶକ୍ତି ଚେତନାର ଅଭ୍ୟୁଦୟ ଘଟିଥିଲା ତାହା ବିରଜା ନାମରେ ଖ୍ୟାତି ଅର୍ଜନ କରିଥିଲା।

 

ମସିପୁରାଣରେ କୁହାଯାଇଛି ଯେ ଆଜ୍ୟପା ପିତୃଗଣଙ୍କ ମାନସୀ କନ୍ୟା ବିରଜା ଗୋଲକ ଧାମର ଏକାଷ୍ଟକା ଅଟନ୍ତି। ଏକଷ୍ଟକା ହେଉଛନ୍ତି ବିରଜାଙ୍କ ଦ୍ବିଭୂଜା ରୂପର ନାମ, ଯାହାକି ବୃହତ ସଂହିତାରେ ବର୍ଣ୍ଣନା କରାଯାଇଅଛି। ଏହି ଏକଷ୍ଟକା ଦେବୀ ପାର୍ବତୀଙ୍କ ଅଂଶ ହୋଇଥିବାରୁ ତାଙ୍କୁ ତାନ୍ତ୍ରିକଦେବୀ ବୋଲି ବର୍ଣ୍ଣନା କରାଯାଇଛି। ସ୍କନ୍ଦ ପୁରାଣରେ ଏକନଂଶାଙ୍କୁ ପାବର୍ତୀଙ୍କ ଅଂଶଭୂତ ତାନ୍ତ୍ରିକ ଦେବୀ ବୋଲି କୁହାଯାଇଛି। ପଦ୍ମ ପୁରାଣରେ ଏକନାଂଶ ଦେବୀ ବ୍ରହ୍ମାଙ୍କ ଆଦେଶରେ ବିନ୍ଧ୍ୟ ପବର୍ତରେ ଅବସ୍ଥାନ କରିଥିବା ପ୍ରକାଶ କରିଅଛି।

 

ସେହିପରି ବୈଷ୍ଣବ ପରମ୍ପରାରେ ବିରଜାଙ୍କୁ ସୁଭଦ୍ରାଙ୍କ ସହିତ ତୁଳନା କରାଯାଇଛି। ଧାର୍ମିକ ବିବାଦର ସମାଧାନ କରିବା ପାଇଁ ପୁରୁଷୋତ୍ତମ ଦେବ ତିନି ମୁଖ୍ୟ ଧର୍ମଧାରାର କେନ୍ଦ୍ରବିନ୍ଦୁ ଜଗନ୍ନାଥ, ଲିଙ୍ଗରାଜ ଓ ବିରଜାଙ୍କୁ ସମ୍ମଳିତ କରି ପୁରୀରେ ତ୍ରିମୁର୍ତ୍ତି ସ୍ଥାପନା କରାଇଥିବା ପ୍ରକାଶ କରିଛନ୍ତି।

 

ମ୍ୟାକସମୁଲାରଙ୍କ ମତରେ ବୈଦିକ ଯୁଗରେ ବହୁ ପରେ ମୂର୍ତ୍ତି ପୂଜା ପ୍ରଚଳିତ ହୋଇଛି। ସେହି ଶକ୍ତି ବିବର୍ତ୍ତନ ମଧ୍ୟରେ ରୂପାନ୍ତରିତ ହୋଇ ପ୍ରଥମେ ବିରଜା ନାମରେ ମାନୁଷୀ ମୂର୍ତ୍ତି ରୂପେ ଆରାଧିତ ହୋଇଛନ୍ତି। ଭାରତ ବର୍ଷରେ ମା ଦୁର୍ଗାଙ୍କର ଯେଉଁ ମୂର୍ତ୍ତିର ବିକାଶ ଲାଭ କରିଛି ସେଥିମଧ୍ୟରୁ ଦୁଇଭୂଜା ଦୁର୍ଗା ସର୍ବ ପ୍ରାଚୀନତାମା ଅଟନ୍ତି।

 

ମୂର୍ତ୍ତିକଳା ତତ୍ତ୍ୱ ଦୃଷ୍ଟିରୁ ବିରଜାଙ୍କ ପ୍ରତିମା ୩ ଫୁଟ ଉଚ୍ଚର ହୋଇଥିବା ବେଳେ ତାହା କଳାମୁଗୁଳି ପଥରରେ ନିର୍ମିତ। ତାଙ୍କର ଦୁଇ ହସ୍ତ- ବାମ ହସ୍ତରେ ସେ ମହିଷର ଲାଙ୍ଗୁଡକୁ ଟାଣି ଧରିଥିବାବେଳେ ଦକ୍ଷିଣ ହସ୍ତରେ ମହିଷର ବକ୍ଷଦେଶକୁ ଶୂଳବିଦ୍ଧ କରିଛନ୍ତି। ମା’ ମହିଷର ଉପରେ ତ୍ରିଭାଙ୍ଗୀ ଶୈଳୀରେ ଦଣ୍ଡାୟମାନ ହୋଇଛନ୍ତି। ଏହି ମୂର୍ତ୍ତିରେ ମା’ଙ୍କ ବାହନ ଅନୁପ୍ରସ୍ଥିତ ରହିଛି। ମା’ ମସ୍ତକରେ କିରୀଟ ମୁକୁଟ, ରତ୍ନହାର, କଟିସୂତ ଓ କଙ୍କଣ ପରିଧାନ କରିଛନ୍ତି। ମସ୍ତକ ଚୂଡାରେ ଗଣପତି, ବାସୁକି ନାଗ, ଯୋନି, ଲିଙ୍ଗ ଓ ଚନ୍ଦ୍ର ଶୋଭାବର୍ଧନ କରୁଛନ୍ତି। ଏହି ପଂଂଚସୂତ୍ର ଅବସ୍ଥାନର ଏକ ସ୍ୱତନ୍ତ୍ର ତତ୍ତ୍ୱ ରହିଛି। ଯାହାକୁ ନେଇ ଉପରୋକ୍ତ ବର୍ଣ୍ଣନାରେ ବିଭିନ୍ନ ପୀଠରେ ଉପାସିତ ଦେବାଦେବୀଙ୍କ ସହିତ ତୁଳନୀୟ କରାଯାଇଛି। ଏହି ମୂର୍ତ୍ତିଟି ଗୁପ୍ତ ସମୟରେ ପରିସ୍ପୁଟ ହୋଇଥିବା ମୂର୍ତ୍ତକଳା ସୂଚିତ କରୁଛି।

 

ମା’ ବିରଜାଙ୍କ ବିଷୟରେ ବହୁ ଗ୍ରନ୍ଥ, ପୁରାଣ ବର୍ଣ୍ଣିତ କରାଇଥିବାରୁ ମା’ଙ୍କୁ ନାନାଦି ରୂପରେ ପୂଜିତ କରାଯାଇଥାଏ। ଦୁର୍ଗାଶିବ ସମୟରେ ମା’ଙ୍କୁ ମାହେଶ୍ୱରୀ ଦୁର୍ଗା ରୂପେ ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଇଥାଏ। ମାଘ ମାସରେ ବ୍ରାହ୍ମାଣ ବା ସାବିତ୍ରୀ, ବ୍ରହ୍ମ ପୁରାଣରେ ବ୍ରହ୍ମାଣୀ, ଅଜ୍ୟପା ପିତୃଗଣଙ୍କ ମାନସକନ୍ୟା ତଥା ଯଯାତିଙ୍କ ଜନନୀ, ବ୍ରହ୍ମବୈବର୍ତ୍ତ ପୁରାଣରେ ଶ୍ରୀକୃଷ୍ଣଙ୍କ ସଖୀ, କୁର୍ମ ପୁରାଣରେ ବିରଜାନଦୀ, ମସି ପୁରାଣରେ ବ୍ରହ୍ମଲୋକର ଏକାକଷ୍ଟା ଦେବୀ ବିନ୍ଧ୍ୟାବାସିନୀ ଆଦି ରୂପରେ ମା’ଙ୍କ ବର୍ଣ୍ଣନା ରହିଛି।

 

ମୂର୍ତ୍ତି ତତ୍ତ୍ୱରେ ମା’ ବିରଜାଙ୍କ ଦୁର୍ଗାଙ୍କର ଦୁଇଭୂଜା ବିଶିଷ୍ଟ ମୁର୍ତ୍ତି ହୋଇଥିବା ବେଳେ ତାହା ଗୁପ୍ତ କାଳରୁ ନିର୍ମିତ ହୋଇଅଛି। ଏହି ବିଷୟରେ ଉପରେ ଆଲୋକପାତ କରାଯାଇଛି। ମୂର୍ତ୍ତିଟି ମହିଷାମର୍ଦ୍ଦିନୀଙ୍କର। ଏଠାରେ ତାଙ୍କ ବାହାନ ସିଂହ ଅନୁପ୍ରସ୍ଥିତ ରହିଛି। କିନ୍ତୁ ବିରଜା କ୍ଷେତ୍ର ମହିମାରେ ବିରଜାଙ୍କ ମୂର୍ତ୍ତିରେ ସିଂହର ଉପସ୍ଥିତି ରହିଥବା ଉଲ୍ଲେଖ କରାଯାଇଛି। ଏହି ବିରଜା କ୍ଷେତ୍ର ମହିମା ପ୍ରାୟ ଷୋଡଶ ଶତାବ୍ଦୀରେ ରଚନା କରାଯାଇଛି। ଯେଉଁ ସମୟରେ ଏହି ମାହାତ୍ମ୍ୟ  ରଚିତ ହୋଇଅଛି  ସେହି ସମୟରେ ମୁସଲମାନ ଶାସକଙ୍କ ଦ୍ୱାରା ବିରଜାଙ୍କ ମନ୍ଦିର ଏବଂ ମା’ଙ୍କ ମୂର୍ତ୍ତି  ଧ୍ୱଂସ ପ୍ରାପ୍ତ ହୋଇଥିଲା। ସମ୍ଭବତଃ ମୂର୍ତ୍ତ ନଥିବାରୁ ଏହି ମାହାତ୍ମ୍ୟରେ ବାହନ ସିଂହ ରହିଥିବା କଥାକୁ ଉଲ୍ଲେଖ କରାଯାଇଛି। ଏହି ଦୁଇଭୂଜା ବିଶିଷ୍ଟ ମୂର୍ତ୍ତିଟିକୁ ଖ୍ରୀଷ୍ଟାବ୍ଦ ୮ମ ଶତାବ୍ଦୀ ପର୍ଯ୍ୟନ୍ତ ପୂଜାର୍ଚ୍ଚନା କରାଯାଇଥିଲା। ପରେ ୧୧୦୦ ଶତାବ୍ଦୀରୁ ୧୬୦୦ ଶତାବ୍ଦୀ ପର୍ଯ୍ୟନ୍ତ ଯାଜପୁର ଉପରେ ମୁସଲମାନଙ୍କ ଘନଘନ ଆକ୍ରମଣରେ ମନ୍ଦିର ସମେତ ମା’ ବିରଜାଙ୍କ ମୁର୍ତ୍ତି ଧ୍ୱଂସ ହୋଇଥିଲା। ଷୋଡଶ ଶତାବ୍ଦୀର ଶେଷ ପର୍ଯ୍ୟୟରେ ଓଡିଶାରେ ସ୍ୱାଧୀନ ରାଜାଙ୍କ ଶାସନ ଲୋପ ପାଇବା ପରେ ଆଫଗାନ ଶାସକମାନଙ୍କ କବଳିତ ହୋଇଥିଲା। ଆଫଗାନ ଶାସକମାନେ ମନ୍ଦିର ଭାଙ୍ଗି ଚୁରମାର କରିବା ସହିତ ମୂର୍ତ୍ତିଟିକୁ ଭାଙ୍ଗିଦେବା ସହିତ ଏକ କୂପ ମଧ୍ୟରେ ନିକ୍ଷେପିତ କରିଥିଲେ।

 

ପରେ ଇଂରେଜ ଶାସନ କାଳରେ ଯାଜପୁରର ଜମିଦାର ଚୌଧୁରୀ  ସୁଦର୍ଶନ ମହାପାତ୍ର ସ୍ୱପ୍ନାଦେଶ ପାଇ ବିରଜାଙ୍କ ଭଗ୍ନ ମୁର୍ତ୍ତିକୁ କୂପ ମଧ୍ୟରୁ ଉଦ୍ଧାର କରି ୮ ଗୋଟି ତମ୍ୱା କ୍ଲାମ୍ପ ଦ୍ୱାରା ଯୋଡାଇଥିଲେ। ଅଧିକିନ୍ତୁ ପୁରୁଣା ମୂର୍ତ୍ତି ପ୍ରାପ୍ତ ହେବା ବେଳକୁ ଏକ ନୂତନ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇସାରିଥିଲା। ଯାହା ଫଳରେ  ପୁରୁଣା ମୁର୍ତ୍ତିକୁ ଦକ୍ଷିଣ ପାର୍ଶ୍ବରେ ଏବଂ ନୂତନ ମୂର୍ତ୍ତିଟିକୁ ପଶ୍ଚାତ ଭାଗରେ ରଖି ପୂଜାର୍ଚ୍ଚନା କରାଯିବାର ସୁବ୍ୟବସ୍ଥା କରାଗଲା। ୨୦୦୪ ମସିହା ବେଳେକୁ ପୁରୁଣା ମୁତ୍ତିକୁ ବଦଳାଇ ନୂତନ ମୂର୍ତ୍ତିକୁ ସମ୍ମୁଖକୁ ଆଣିବାକୁ ପ୍ରଚେଷ୍ଟା କରାଯିବା ପରେ ଭକ୍ତ ଏବଂ ଜନସାଧରଣଙ୍କ ବିରୋଧ ହେତୁ ପୂର୍ବରୁ ପୂଜା ପାଉଥିବା ଦୁଇଟି ମୂର୍ତ୍ତି ସହିତ ଅନ୍ୟ ଏକ ନୂତନ ମୂର୍ତ୍ତିକୁ ଅଦ୍ୟାବିଧି ପୂଜାର୍ଚ୍ଚନା କରାଯାଉଛି।

 

ଯାହା ହେଉ, ମା ବିରଜା ଏବଂ ଶକ୍ତି ସ୍ବରୂପିଣୀ ‘ମା’ ଦୁର୍ଗା  ଏକ ଏବଂ ଅଦ୍ୱୀତୀୟ। ଶକ୍ତି ଉପାସନାର ଆୟମାରମ୍ଭ ସହିତ ଶକ୍ତିଚେତନା ଏବଂ ଧର୍ମର ସୁରକ୍ଷା ପାଇଁ ପୁରାଣରେ ମା ବିରଜାଙ୍କୁ ବିଭିନ୍ନ ନାମରେ ଆଲୋଚନା କରାଯାଇଛି। ଏପରକି ରାଜରାଜୁଡା ସମୟରେ ସାମାଜିକ ନ୍ୟାୟ, ରାଜନୈତିକ ସମାନତା ରକ୍ଷା, କରିବାକୁ ରାଜାମହାରଜା ମାନେ ମଧ୍ୟ ବିରଜାଙ୍କୁ ଅନ୍ୟ ଦେବାଦେବୀଙ୍କ ଉପସନା ସହିତ ଜଡିତ କରିଛନ୍ତି। ଅବଶ୍ୟ ପରବର୍ତ୍ତୀ ସମୟରେ ମା’ ଦୁର୍ଗାଙ୍କର ବହୁଭୂଜା ମୂର୍ତ୍ତିମାନ ନିର୍ମାଣ କରାଯାଇଛି। ମାତ୍ର ପୂର୍ବରୁ ପୂଜିତ ଏହି ଦୁଇଭୂଜା ବିଶିଷ୍ଟ କମନୀୟ ମୂର୍ତ୍ତି ଶକ୍ତିର ବାର୍ତ୍ତାବହ ଭାବରେ ଓଡିଶା ସମେତ ଭାରତ ବର୍ଷରେ ଜନସାଧରଣଙ୍କ ମଧ୍ୟରେ ଅଦୃତି ଲଭିଛି। ଏହି କାରଣରୁ ଯାଜପୁରକୁ ଏକ ସ୍ୱତନ୍ତ୍ର ଶକ୍ତିକ୍ଷେତ୍ରରେ ସାରା ବିଶ୍ୱରେ ପରିଚିତ କରି ରଖିଛି।

 

ଗବେଷକ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଇିତହାସ ବିଭାଗ, 

କଦଳା, ହରିଦାସପୁର, ଧର୍ମଶାଳା, ଯାଜପୁର ମୋ-୯୮୫୩୯୭୬୯୧୯  


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top