ଡାକ୍ତର ବିନା ସୁରକ୍ଷିତ ମାତୃତ୍ୱ!

News Story - Posted on 2016-11-23

ରୁଦ୍ର ପ୍ରସନ୍ନ ରଥ

 

ଆମ ଦେଶରେ ପ୍ରସବ ସମୟରେ ମାତୃ ମୃତ୍ୟୁହାର ଏବଂ ପ୍ରସବ ପରେ ପରେ ଶିଶୁ ମୃତ୍ୟୁହାର ଅନ୍ୟ ବିକାଶଶୀଳ କିମ୍ୱା ବିକଶିତ ଦେଶ ତୁଳନାରେ ଢେର ଅଧିକ। ବିଗତ ବର୍ଷମାନଙ୍କରେ ଆମ ଦେଶରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ଉନ୍ନତି ଆସିଥିଲେ ମଧ୍ୟ ମାତୃ ମୃତ୍ୟୁହାରରେ ଯେଉଁଭଳି ଭାବେ ହ୍ରାସ ହେବା କଥା ତାହା ଦେଖାଯାଇ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୨୦୧୫ ମସିହା ରିପୋର୍ଟ ଅନୁଯାୟୀ ଏବେ ବି ପ୍ରତି ୧୦୦୦୦୦ ଶିଶୁ ଜନ୍ମ କରିବାକୁ ଯାଇ ୧୪୦ ଜଣ ମା’ଙ୍କର ମୃତ୍ୟୁ ହେଉଛି। ମୋଟ ଉପରେ ବର୍ଷକୁ ପ୍ରାୟ ୫୫,୦୦୦ ମହିଳାଙ୍କର ଏପରି ପରିସ୍ଥିତିରେ ମୃତ୍ୟୁ ଘଟୁଛି ଯାହାକୁ କି ଅଚିରେ ରୋକାଯାଇ ପାରନ୍ତା। କେଉଁଠି ଡାକ୍ତରଙ୍କର ଅଭାବ ତ ଆଉ କେଉଁଠି ଗମନାଗମନର ଅଭାବ ଯୋଗଁୁ ତଥାପି ସ୍ୱାସ୍ଥ୍ୟସେବା ଗାଁଗହଳିରେ ରହୁଥିବା ମହିଳାଙ୍କ ପାଖରେ ପହିଁଚି ପାରୁନାହିଁ। ପୁଣି ଶିକ୍ଷାଗତ ଯୋଗ୍ୟତା କମ ଥିବାରୁ ଗର୍ଭବତୀ ମହିଳାମାନେ ନିଜର ସେବା ଯତ୍ନ କିପରି ନେଇ ହେବ ତାହାର ମଧ୍ୟ ଧାରଣା କରି ପାରୁନାହାନ୍ତି। ପୁରୁଷ ପ୍ରଧାନ ସମାଜରେ ନାରୀମାନଙ୍କର ସ୍ୱାସ୍ଥ୍ୟକୁ ପ୍ରାୟତଃ ନଜର ଅନ୍ଦାଜ କରି ଦିଆଯାଉଥିବାରୁ ମହିଳାମାନଙ୍କର ସନ୍ତାନ ଜନ୍ମ କରିବା ପ୍ରକ୍ରିୟାଟି ସୁରୁଖୁରୁରେ ହୋଇ ପାରୁନାହିଁ। ଅନେକ ସମୟରେ ନାରୀର ଚିକିତ୍ସା ଆବଶ୍ୟକ କି ନାହିଁ ଯଦି ହେବ କେଉଁଠି ହେବ ଏବଂ ହେଲେ କେତେଟଂକା ଖର୍ଚ ହେବ ଇତ୍ୟାଦି ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ପୁରୁଷ ହାତରେ ରହୁଥିବାରୁ ମହିଳା ଜଣଙ୍କ ନିଜର ସ୍ୱାସ୍ଥ୍ୟକୁ ନେଇ କୌଣସି ନିଷ୍ପତ୍ତି ନେଇ ପାରେ ନାହିଁ। କେବଳ ଏହି କେତୋଟି କାରଣରୁ ଅନେକ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅକାରଣରେ ଘଟୁଛି ବୋଲି କୁହାଯାଇ ପାରିବ।

 

ଏହି ଅକାରଣରେ ଘଟୁଥିବା ମାଆମାନଙ୍କର ଜୀବନ ରକ୍ଷା କରିବାର ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଗତ ନଭେମ୍ୱର ୪ ତାରିଖରେ ଆରମ୍ଭ କରିଛନ୍ତି ଏକ ମହତ୍ବାକାଂକ୍ଷୀ ଯୋଜନା, ଯାହାର ନାମ ରଖାଯାଇଛି ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ। ଏହି ଅଭିଯାନରେ ପୁଣି କେନ୍ଦ୍ର ସରକାରଙ୍କର ସହ ସାମିଲ ହୋଇଛନ୍ତି ୟୁନିସେଫ, ବିଲ ଏଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ, ଆଇଏମଏ ଏବଂ ଫୋଗସି ପରି ଖ୍ୟାତିସଂପନ୍ନ ଅନୁଷ୍ଠାନ ସବୁ। ସମସ୍ତଙ୍କ ଲକ୍ଷ୍ୟ ଏକ, ନିଜ ପାଖରେ ଯାହା ବି ସବୁ ବୈଷୟିକ ଜ୍ଞାନ କୌଶଳଏବଂ ଅନୁଭୂତି ଅଛି ତାକୁ ପ୍ରୟୋଗ କରି ମାତୃ ମୃତ୍ୟୁହାର ରୋକିବାରେ ସାହାଯ୍ୟ କରିବା। ଏହି ଯୋଜନା ମୁତାବକ ସବୁ ଶ୍ରେଣୀର ମହିଳାଙ୍କର ଗର୍ଭାବସ୍ଥା ସମୟରେ ମାସର ନ ତାରିଖରେ ମାଗଣା ପ୍ରସବ ସମୟର ପରୀକ୍ଷା ଯଥା ରକ୍ତ ଚାପ ମାପ, ରକ୍ତ ଶର୍କରା ମାପ, ଓଜନ ମାପ ଇତ୍ୟାଦି କରାଯିବା ସହ ରକ୍ତଚାପ ନିୟନ୍ତ୍ରିତ ନଥିବା ଏବଂ ଅନ୍ୟ ରୋଗ ଥିବା ମହିଳାମାନଙ୍କୁ ବିଭିନ୍ନ ଷ୍ଟିକର ମାଧ୍ୟମରେ ଚିହ୍ନଟ କରି ରୋଗୀ ସେବା ଯୋଗାଇ ଦିଆଯିବ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହୋଦୟ ବେସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଥିବା ଡାକ୍ତରମାନକୁ ବର୍ଷର ବାର ଦିନ ଏହି ପରି ମାଗଣାରେ ଗର୍ଭବତୀ ମହିଳାମାନଙ୍କୁ ପ୍ରସବ ପୂର୍ବବର୍ତ୍ତୀ ସେବା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ସେମାନେ ଏଥିପାଇଁ େସ୍ୱଛାକୃତ ଭାବେ ନିଜ ନାଁକୁ ପଂଜୀକୃତ କରାଇବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ରୂପେ ମୋବାଇଲ ଆପ୍ଲିକେସନ ଏବଂ େୱବ ପୋର୍ଟାଲ ଖୋଲାଯାଇଛି।

 

ଏଠାରେ କହି ରଖିବା ଉଚିତ ହେବ ଯେ ଭାରତ ସଷ୍ଟେନବଲ ଡେଭଲପମେଣ୍ଟ ଗୋଲ ଅନୁଯାୟୀ ୨୦୩୦ ସୁଦ୍ଧା ମାତୃ ମୃତ୍ୟୁହାରକୁ ହ୍ରାସ କରି ପ୍ରତି ୧୦୦୦୦୦ ଶିଶୁ ଜନ୍ମ ପିଛା ୭୦ରୁ କମ କରିବାକୁ ଯୋଜନା କରିଛି। ଆଉ ଏକ ବିଶାଳ ଅଭିଯାନ ରୁପେ ଅଭିହିତ ହୋଇଥିବା ଏହି ଅଭିଯାନ ଭାରତକୁ ଏହି ଲକ୍ଷ୍ୟ ହାସଲ କରିବାକୁ ସହାୟକ ହେବ ବୋଲି ଆଶା କରାଯାଉଛି। ମୋଟ ଉପରେ େସ୍ୱଛାକୃତ ଯୋଗଦାନ ଏବଂ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରି ସ୍ୱାସ୍ଥ୍ୟକ୍ଷେତ୍ରରେ ବିରାଟ ପରିବର୍ତ୍ତନ ଅଣାଯାଇ ପାରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବିଶ୍ୱାସ କରୁଛନ୍ତି।

 

ମାତ୍ର ଏହି ଅଭିଯାନକୁ ଟିକେ ନିରେଖି ଦେଖିଲେ ଏଥିରେ ଅନେକ ତ୍ରୁଟି ରହିଥିବାର ଦେଖା ଯାଇଛି। ଯଦିଓ ତ୍ରୁଟି ବାଛିବା ଏ ନିବନ୍ଧର ଉଦେଶ୍ୟ ନୁହେଁ ଏବଂ ଲେଖକ ନିଜେ େସ୍ୱଛାକୃତ ଯୋଗଦାନ ଏବଂ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରି ସ୍ୱାସ୍ଥ୍ୟକ୍ଷେତ୍ରରେ ବିରାଟ ପରିବର୍ତ୍ତନ ଅଣାଯାଇ ପାରିବ ବୋଲି ବିଶ୍ୱାସ କରନ୍ତି ତଥାପି ଏହି ସମଗ୍ର ଯୋଜନାଟି ଅନେକ ମୌଳିକ ପ୍ରଶ୍ନର ଉତ୍ତର ଦେଲା ପରି ମନେ ହେଉନାହିଁ। ବେସରକାରୀ ସ୍ତରରେ କାମ କରୁଥିବା ଅନେକ ଡାକ୍ତର ଏଥିରେ ଅନୁପ୍ରାଣିତ ହେଲା ପରି ମନେ ହେଉନାହିଁ। କାରଣ ଏ ଅଭିଯାନ ଆରମ୍ଭ ହେବାର ୧୦ ଦିନ ବିତି ଯାଇଥିଲେ ମଧ୍ୟ ସାରା ଭାରତରେ ମାତ୍ର ୧୮୨ ଜଣ ହିଁ (୧୪ ନଭେମ୍ୱର ସୁଦ୍ଧା ) ନିଜ ନାମକୁ େସ୍ୱଛାକୃତ ଭାବେ ପଂଜିକରଣ କରାଇଛନ୍ତି। ହଜାର ହଜାର ସଦସ୍ୟଥିବା ଆଇଏମଏ ଯଦି ଅଭିଯାନ ଆରମ୍ଭ ହେବାର ୧୦ ଦିନ ମଧ୍ୟରେ ବି ନିଜର ସମସ୍ତ ସଦସ୍ୟଙ୍କୁ େସ୍ୱଛାକୃତ ଭାବେ ଏହି ଅଭିଯାନରେ ସାମିଲ କରାଇ ପାରୁ ନାହିଁ ତେବେ ଏହି ଅଭିଯାନକୁ ସେମାନେ କେତେ ଗୁରୁତର ସହିତ ଗ୍ରହଣ କରୁଛନ୍ତି ତାହା ବେଶ‌୍‍ ବୁଝା ପଡୁଛି। ଏମିତି ନ ହେଉ ଯେ ଏତେ ବଡ ଗୋଟିଏ ଅଭିଯାନ କେବଳ ଫଟୋଉଠା ଆଉ ଭାଷଣବାଜିରେ ସୀମିତ ରହିନଯାଉ। ଏଣୁ ଏ ଅଭିଯାନକୁ ତଉଲି ନେଇ ଏଥିରେ ପରିବର୍ତ୍ତନ କରିବାକୁ ଏ ଲେଖକ ଦାବୀ କରୁଛନ୍ତି।

 

ଏବେ ଅଭିଯାନରେ ଥିବା ବ୍ୟବସ୍ଥାକୁ ଦେଖିବା ଏବଂ ଓଡିଶାରେ ଏହା କିପରି ପାଳିତ ହେବା ଦେଖିବାର କଥା। ପ୍ରତି ମାସରେ ୯ ତାରିଖରେ ସମସ୍ତ ସରକାରୀ ଡାକ୍ତରଖାନାରେ ସମସ୍ତ ଗର୍ଭବତୀ ମହିଳାଙ୍କର ସ୍ୱାସ୍ଥ୍ୟର ପରୀକ୍ଷା କରାଯିବ ବୋଲି ଏହି ଅଭିଯାନରେ ବ୍ୟବସ୍ଥା ଅଛି। ମାତ୍ର ଏହା ଏକ କଠିନ କାମ ନିଶ୍ଚିତ, କାରଣ ଓଡିଶାରେ ଅନେକ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତରନାହାନ୍ତି। ଅନେକ ସ୍ଥାନରେ ଜଣେ ଅଧେ ଡାକ୍ତର ସମସ୍ତ ଡାକ୍ତରଖାନାର ବୋଝ ମୁଣ୍ଡାଇଥାନ୍ତି। ପୁଣି ଏହା ସହିତ ତାଙ୍କୁ ଡାକ୍ତରଖାନାର ପ୍ରଶାସନିକକାଯ୍ର୍ୟ ମଧ୍ୟ ଦେଖିବାକୁ ପଡେ। ଇଣ୍ଡିଆନ ପବ୍ଲିକ ହେଲ‌୍‍ଥ ଷ୍ଟାଣ୍ଡାର୍ଡ ଅନୁସାରେ ପ୍ରତି ୩୫୦୦ ଲୋକ ପାଇଁ ଜଣେ ଡାକ୍ତର ହିସାବରେ ସାରା ଓଡିଶାର ଚାରି କୋଟି କୋଡିଏ ଲକ୍ଷ ଲୋକ ପାଇଁ ପାଇଁ ୧୨୦୦୦ ଡାକ୍ତର ଆବଶ୍ୟକ ଥିଲା ବେଳେ ସରକାର ଅନୁମୋଦିତ ପଦସଂଖ୍ୟା ହେଉଛି ୪୮୬୪। ମାତ୍ର ଏହା ମଧ୍ୟରୁ ପ୍ରାୟ ୨୩୦୦ ଡାକ୍ତର ହିଁ ଏବେ ପଦବୀରେ ଅଛନ୍ତି। ଏତେ ସଂଖ୍ୟକ ପଦ ଖାଲି ପଡିବାରୁ ତାହା ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ଗୁରୁତରଭାବେ ପ୍ରଭାବିତ କରିଛି। ଏପରି କ୍ଷେତ୍ରରେ ଅନ୍ୟସବୁକୁ ଛାଡିଦେଇ କେବଳ ଗର୍ଭବତୀ ମହିଳାଙ୍କ ପାଇଁ ପୁରାଦିନ ଦେବା ସଂଭବ ନ ହୋଇ ପାରେ।

 

ଯଦିଓ ଆଇଏମଏ ପରି ଅନୁଷ୍ଠାନମାନେ ଏହି ଅଭିଯାନ ସହ ଯୋଡି ହୋଇଛନ୍ତି ତେବେ ଏହା ଯଥେଷ୍ଟ ନୁହେଁ। ଏହିପରି ଅନୁଷ୍ଠାନର ସଭ୍ୟସବୁ ଏବେ ବି ଅନେକାଂଶରେ ସରକାରୀ ଚାକିରିଆ ରୁପେ କାର୍ଯ୍ୟରତ। ସେମାନେ ଉକ୍ତ ଦିନ ସରକାରୀ ସେବା ଯୋଗାଇ ଦେବାରେ ବିଚିତ୍ରତା କିଛି ନାହିଁ। କିନ୍ତୁ ଯେଉଁମାନେ ସରକାରୀ ସେବା ନିବୃତ୍ତ ହୋଇ ସାରିଲେଣି କିମ୍ୱା ଆଦୌ ସରକାରୀ ଚାକିରୀ କରି ନାହାନ୍ତି ସେମାନେ ପ୍ରତିମାସର ନ ତାରିଖରେ ଏହି ସେବା ଯୋଗାଇ ଦେଲେ ହିଁ ପ୍ରକୃତ ପକ୍ଷେ ଅଭିଯାନକୁ ପ୍ରୋତ୍ସାହିତ କଲେ ବୋଲି କୁହା ଯାଇପାରିବ। ମାତ୍ର ଏମାନଙ୍କ ମଧ୍ୟରୁ ଅନେକ କଟକ, ପୁରୀ, ଭୁବନେଶ୍ୱର କିମ୍ୱା ରାଉରକେଲା ପରି ବଡ ବଡ ସହରରେ ବାସ କରନ୍ତି। ସହରରୁ ବାହାରକୁ ନିଜ ଖର୍ଚରେ ଯାଇ ପ୍ରସବ ଯାଂଚ କରିବାରେ ସହାୟକ ହେବାକୁ କେତେ ଜଣ ଆଗଭର ହେବେ ତାହା ଦେଖିବାର କଥା। ସହର ଭିତରେ ଯଦିଓ ପ୍ରସବଜନିତ ସମସ୍ୟା ନାହିଁ ବୋଲି କୁହାଯାଇ ପାରିବ ନାହିଁ ତେବେ ପ୍ରକୃତ ସମସ୍ୟାର ସ୍ରୋତ ଯେ ସହର ଠାରୁ ଅନେକ ଦୂରରେ ଏହା ଯେ କେହି ସହଜରେ ସ୍ୱୀକାର କରିବେ।

 

ଅନେକ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ନିକଟସ୍ଥ ଡାକ୍ତରଖାନାରେ ଡାକ୍ତର ନଥିବାରୁ କିମ୍ୱା ଡାକ୍ତରଖାନା ଯାଏ ଯିବା ପାଇଁ ସୁବିଧା ନ ଥିବାରୁ ଅନେକ ମହିଳା ପ୍ରସବ ପୂର୍ବ ପରୀକ୍ଷଣ କରାଇ ପାରନ୍ତି ନାହିଁ। ଉଦାହରଣ ସ୍ୱରୁପ ବୌଦ୍ଧ ପରି ଜିଲାରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରାୟ ୧୮୨ଟି ଏପରି ଗାଁ ଚିହ୍ନଟ କରାଯାଇଛି ଯେଉଁଠାରେ ପହଁଚିବା କଷ୍ଟ। ଏପରି ସ୍ଥାନରେ ରହୁଥିବା ମହିଳାମାନେ ଡାକ୍ତରଖାନା ଯାଏ କିପରି ଆସିବେ ତାହାର କୌଣସି ବ୍ୟବସ୍ଥା ପ୍ରଧାନମନ୍ତ୍ରି ସୁରକ୍ଷିତ ମାତୃତ୍ୱ ଅଭିଯାନରେ କରାଯାଇନାହିଁ। ଏହା ହିଁ ଏହାର କାର୍ଯ୍ୟକାରିତାକୁ ନିୟନ୍ତ୍ରିତ କରିବା ସଂଗେ ସଂଗେ ଏହାକୁ ନିରସ କରି ଦେଉଛି। ହୁଏତ ଏହି ସବୁ ଗାଁକୁ ଯାଉଥିବା ବିଜୁ ଗାଁ ଗାଡି ଯୋଜନାରେ ପ୍ରତି ମାସରେ ନ ତାରିଖ ଦିନ ଆଶା, ଗର୍ଭବତୀ ମହିଳା ଏବଂ ଗର୍ଭବତୀ ମହିଳାର ଜଣେ ସହାୟକ ଏହି ବସ ଦ୍ୱାରା ନିକଟସ୍ଥ ଡାକ୍ତରଖାନାକୁ ଆସି ପାରନ୍ତେ। ଏଥିପାଇଁ ସେମାନଙ୍କର ଯାତାୟତ ଜନିତ ଖର୍ଚ ସରକାର ବହନ କରନ୍ତେ। ମାତ୍ର ଏହା ଏଥିପାଇଁ ସରକାର ବ୍ୟବସ୍ଥା କରିବା ଆବଶ୍ୟକ। ମାତ୍ର ତା ପୂର୍ବରୁ ସରକାର ବୁଝିବା ଦରକାର ଯେ ଯାତାୟତରେ ସୁବିଧା କରାଯିବାଦ୍ୱାରା ମାତୃ ମୃତ୍ୟୁ ହାରରେ ହ୍ରାସ ଘଟିବ।

 

ସେହିପରି ଭାରତରେ ପ୍ରସବ ଜନିତ ମୃତ୍ୟୁ ସହିତ କୁପୋଷିତ ଶିଶୁଜନ୍ମ ଖୁବ ଅଂଗାଗୀ ଭାବେ ଜଡିତ ମାତ୍ର ପ୍ରଧାନମନ୍ତ୍ରି ସୁରକ୍ଷିତ ମାତୃତ୍ୱ ଅଭିଯାନ କେବଳ ଗର୍ଭବତୀ ମହିଳାଙ୍କ ସହିତ ଯୋଡିହୋଇ ରହିଛି। ମାତ୍ରଯେ ଯାଏ ମା’କୁ ସଂପୂର୍ଣ୍ଣ ରୁପେ ପୁଷ୍ଟିକର ଖାଦ୍ୟ ନ ମିଳିବ ଏବଂ ମା ଏହାକୁ ଖାଉଛି ବୋଲି ଧାଯ୍ର୍ୟ କରାନଯିବ ସେ ଯାଏ ସେ ସୁରକ୍ଷିତ ଭାବେ ପ୍ରସବ କରିବ ବୋଲି କହି ହେବ ନାହିଁ। ଯେହେତୁ ଏ ସବୁ ଦିଗ ପ୍ରତି ଏ ପ୍ରଧାନମନ୍ତ୍ରି ସୁରକ୍ଷିତ ମାତୃତ୍ୱ ଅଭିଯାନରେ ଧ୍ୟାନ ଦିଆଯାଇ ନାହିଁ ସେଥିପାଇଁ ଏହାକୁ ଏକ ସ୍ୱଳ୍ପ ପ୍ରଭାବ ବିଶିଷ୍ଟ ଅଭିଯାନ ବୋଲି କୁହାଯାଇ ପାରିବ। ତେବେ ମୋଟ ଉପରେ ଏହା ଯେଉଁଭଳି ଭାବେ ବିରାଟ କରି ଆରମ୍ଭ କରାଯାଇଛି ତାହାର ସଫଳତା ଅନେକାଂଶରେଅନେକ ଅନ୍ୟ କାରକ ଉପରେ ନିର୍ଭର କରେ। ଏହି କାରକ ଉପରେ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ମିଳିତଭାବେ କାମକରିବାର ଆବଶ୍ୟକତା ରହିଛି। ମୋଟ ଉପରେ ଏକ ଭଲ ଅଭିଯାନ ପରି ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ କେବଳ କ୍ଷୀଣସ୍ଥାୟୀ କାର୍ଯ୍ୟକ୍ରମ ରୁପେ ଶେଷ ନକରି ଆଗକୁ ଗଡାଇ ନିଆଯିବା ଆବଶ୍ୟକ।

 

ଧବଳଗିରି,ଯାଜପୁର ରୋଡ

୯୮୫୩୨୦୬୧୬୮


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top