ପୂନେଇଁର ପ୍ରଦୂଷଣ!

News Story - Posted on 2016-11-17

ସୁଧାଂଶୁ ଶେଖର ଧଡ଼ା

 

ପର୍ବ ପର୍ବାଣୀ ପାଳନ ସାମାଜିକ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ। ଏହା ମାଧ୍ୟମରେ ସାମାଜିକ ସଂହତି ରକ୍ଷାସହ ସମାଜ,ସଂସ୍କୃତି, ଅର୍ଥନୀତି,କୃଷି, ଶିଳ୍ପ, ବାଣିଜ୍ୟ, ସାହିତ୍ୟ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନାର ଅବସର ସୃଷ୍ଟି ହୁଏ। ସାଂସ୍କୃତିକ ଭାବ ବିନିମୟର ସୁଯୋଗ ମଧ୍ୟ ସୃଷ୍ଟି ହୋଇଥାଏ। ବର୍ତ୍ତମାନ ପର୍ବପର୍ବାଣୀଗୁଡିକୁ ନେଇ ବ୍ୟାବସାୟିକ କ୍ଷେତ୍ରର ପ୍ରସାର ଘଟିଲାଣି।  ତେବେ ଏସବୁ ପାଳନ ସମୟରେ ଏହାର ସକାରାତ୍ମକ ଦିଗର ଆଲୋଚନା ସହ ନକାରାତ୍ମକ ଦିଗର ଆଲୋଚନା ହେବା ମଧ୍ୟ ଆବଶ୍ୟକ ହେଲାଣି।

 

ଦୀପାବଳି ପାଳନ ପରେ ରାଜଧାନୀ ଦିଲ୍ଳୀର ବାୟୁମଣ୍ଡଳ ମାତ୍ରାଧିକ ଭାବରେ ଦୂଷିତ ହୋଇପଡିଛି। ସେଠାରେ ନିଶ୍ୱାସ ମାରିବା କଷ୍ଟକର ହୋଇପଡିଛି। ଦିଲ୍ଲୀର ବାୟୁମଣ୍ଡଳ ଭଳି ଓଡିଶାର ଜଳ ମଧ୍ୟ ପ୍ରଦୂଷଣର ମାତ୍ରା ଅତିକ୍ରମ କରିଗଲାଣି। ତେଣୁ ବିଭିନ୍ନ ମୂର୍ତ୍ତି ବିସର୍ଜନ ନେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପ୍ରତ୍ୟେକ୍ଷ ଭାବରେ ନଦୀଜଳରେ ମୂର୍ତ୍ତି ବିଜର୍ସନ ନ କରିବା ପାଇଁ ବିଭିନ୍ନ ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମ ରାଜ୍ୟରେ ବର୍ଷା ଋତୁ ଆରମ୍ଭ ସହିତ ଖୁଦୁରୁକୁଣୀ, ଗଣେଶ ପୂଜା, ଦୁର୍ଗାପୂଜା, ଲକ୍ଷ୍ମୀପୂଜା, ଦୀପାବଳି ଆଦି ବିଭିନ୍ନ ପର୍ବପର୍ବାଣୀ ଅବସରରେ ବାୟୁ ଏବଂ ଜଳର ପ୍ରଦୂଷଣ ପ୍ରତି ଆଦ୍ଭୋ ଧ୍ୟାନ ଦିଆଯାଇନଥାଏ। ବୋଲବମ‌୍‍ ଭଳି ଶ୍ରାବଣ ବ୍ରତ ପାଳନ ପ୍ରଦୂଷଣ ଜନିତ ସମସ୍ୟା ସୃଷ୍ଟି କରିବା ସହ ବିଭିନ୍ନ ସାମାଜିକ ପ୍ରଦୂଷଣ ସୃଷ୍ଟିର କାରଣ ହେବ ବୋଲି କେହି କେବେ କଳ୍ପନା ନଥିଲେ। କିନ୍ତୁ ଏବେ ବିଭିନ୍ନ ପର୍ବପର୍ବାଣୀ ବ୍ରତ ଆଦିର ପାଳନ ସମୟରେ ପରିବେଶ ଉପରେ କୁ-ପ୍ରଭାବ ପଡୁଥିବାର ଲକ୍ଷ୍ୟ କରାଗଲାଣି।

 

ପାଇପ‌୍‍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଆମ ରାଜ୍ୟରେ ଆରମ୍ଭ ହେବା ପରଠାରୁ ସହରାଞ୍ଚଳରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଆଡେ ପୋଖରୀ, ଗାଡିଆ କୂଅ, ବାମ୍ଫି ଆଦି ଜଳାଶୟ ଗୁଡିକ ଅବ୍ୟବହୃତ ହୋଇପଡିଛି। ଏବେ ସେ ସବୁରେ ପବନରେ ଉଡି ପଲିଥିନ ଜରି, ପ୍ଲାଷ୍ଟିକ‌୍‍ ବୋତଲ ଏବଂ ବିଭିନ୍ନ ପ୍ରକାର ଆବର୍ଜନା ପଡୁଛି। ଜଳାଶୟଗୁଡିକ ଏକ ପ୍ରକାର ଅଳିଆ ଦାନିରେ ପରିଣତ ହୋଇଯାଇଛି। ପରିବେଶର ଭାରସାମ୍ୟ ରଖିବା ଦିଗରେ ଜଳାଶୟଗୁଡିକ ବେଙ୍ଗ, ମାଛ, ବଗ, ଡାହୁକ ଏବଂ ଅନ୍ୟାନ୍ୟ ଚଳଚର ପକ୍ଷୀ ଆଦିଙ୍କର ଖାଦ୍ୟ ଉତ୍ସବ ଏବଂ ଆଶ୍ରୟସ୍ଥଳୀ ଅଟେ। ଏଗୁଡିକ ନଷ୍ଟ କିମ୍ୱା ଧ୍ୱଂସ ହେବା ଦ୍ୱାରା ପ୍ରକୃତିର ଭାରସାମ୍ୟ ନଷ୍ଟ ହୋଇପଡୁଛି।

 

ଏହି ଜଳାଶୟଗୁଡିକ ବର୍ତ୍ତମାନ ଯାନବାହନ ଧୋଇବା, ମୃତକମାନଙ୍କ କ୍ରିୟାକର୍ମ କରିବା, ବିଭିନ୍ନ ପୂଜା ଦ୍ରବ୍ୟର ଅବଶେଷ ଫୋପାଡିବା ତଥା ମୂର୍ତ୍ତି ବିସର୍ଜନ ଭଳି କାମରେ ଲାଗୁଛି। ତେଣୁ କେତେକ ସ୍ଥାନରେ ଏଗୁଡିକୁ ପୋତି ଘର ତିଆରି କରାଯାଉଛି। ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି। ଆଜିକାଲି ପୋଖରୀରେ ଗାଧୋଇବା ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିବାରୁ ପିଲାମାନେ ପହଁରିବା ମଧ୍ୟ ଶିଖିପାରୁ ନାହାନ୍ତି। ତେଣୁ ବିଭିନ୍ନ ଜଳାଶୟ ଓ ସମୁଦ୍ରରେ ପ୍ରତିବର୍ଷ ବହୁ ସଂଖ୍ୟକ ପିଲା ବୁଡି ମରୁଛନ୍ତି। ସବୁଠାରୁ ଉଦ୍‌ବେଗର କଥା ହେଲା ଏହି ଜଳାଶୟଗୁଡିକରେ ବିଭିନ୍ନ ପୂଜା ଏବଂ କ୍ରିୟା କର୍ମରେ ବ୍ୟବହୃତ ଘିଅ ଦୀପ ଫୋପଡା ଯାଉଛି। ଏହି ଘିଅର ଡବାରେ ‘ନଟ‌୍‍ ଫର ହ୍ୟୁମାନ କଞ୍ଜପ‌୍‍କସନ‌୍‍’ ବୋଲି ଲେଖାଯାଇଥିଲେ ମଧ୍ୟ ଏହାକୁ ବିଶେଷତଃ ପୂଜା କାର୍ଯ୍ୟରେ ବ୍ୟବହାର କରି ଅବଶେଷଗୁଡିକୁ ଜଳରେ ଫୋପାଡି ଦିଆଯାଉଛି। ବିଭିନ୍ନ ପ୍ରକାରର କପୁର୍ର ପୁଡିଆର ପଲିଥିନ‌୍‍ ପ୍ୟାକିଂ ଉପରେ ବ୍ୟବହାର ପରେ ଜଳରେ ପ୍ରବାହ କରିଦେବା ପାଇଁ ଲେଖାଯାଇଛି।

 

ଏଭଳି ଏକ ନିଷିଦ୍ଧ ଆଚରଣକୁ ଆମେ ସମସ୍ତେ ନିର୍ବିକାର ଭାବରେ କରିଚାଲିଛୁ। ଏହାର ପରିଣତି ସ୍ୱରୁପ ଜଳରୁ ସମସ୍ତ ପ୍ରକାରର ଜଳଚର ପ୍ରାଣୀ ଲୋପ ପାଇଯାଉଛନ୍ତି। ଘିଅ ଦୀପ ପଚି ସେଥିରୁ ମାଇକ୍ରୋସିଷ୍ଟିସ‌୍‍ ନାମକ ଏକ ଅଣୁଜୀବ ସୃଷ୍ଟି ହୋଇ ଜଳକ ୁସଂପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ କରି ଦେଉଛନ୍ତି। ମାଇକ୍ରୋସିଷ୍ଟିସ‌୍‍ର ସଂଖ୍ୟା ବଢ଼ିଲେ ଜଳ ନୀଳରଙ୍ଗ ଏବଂ ମରିଗଲେ ଜଳ ପେଜରଙ୍ଗ ହୋଇ ଦୁର୍ଗନ୍ଧ ହେଉଛି। ଏହି କାରଣରୁ ରାଜ୍ୟର ବିଭିନ୍ନ ତୀର୍ଥସ୍ଥଳରେ ପୁଷ୍କରିଣୀଗୁଡିକର ଜଳ ସଂପୂର୍ଣ୍ଣ ରୂପେ ଦୂଷିତ ଏବଂ ବ୍ୟବହାର ଅନୁପଯୋଗୀ ହୋଇଯାଇଛି। ଅନ୍ୟ ପକ୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାପାନୀ ଜ୍ୱର, ଡେଙ୍ଗୁ, ମ୍ୟାଲେରିଆ ଓ ଫାଇଲେରିଆଭଳି ରୋଗ ବ୍ୟାପିବାରେ ଲାଗିଛି। ଅବ୍ୟବହୃତ ଜଳାଶୟ ଏବଂ ଆବର୍ଜାନା ମୟ ଜଳାଶୟରୁ ମଶାବଂଶ ବୃଦ୍ଧି ପାଇ ଏଭଳି ଅବସ୍ଥା ସୃଷ୍ଟି ହେଉଛି।

 

ଏକଦା ଲୋକମାନଙ୍କ ବହୁ ଉପକାରରେ ଲାଗୁଥିବା ଏବଂ ବର୍ତ୍ତମାନ ଅବ୍ୟବହୃତ ହୋଇଥିବା ବିଭିନ୍ନ ରାସ୍ତାକଡର କୂଳ ଓ ବାମ୍ଫି ଆଦି ଉପରେ କାଠ ବାଉଁଶ ପକାଇ ଲୋକେ ଦୋକାନ ଖୋଲିଲେଣି। ଭୁବନେଶ୍ୱର ଖଣ୍ଡଗିରି ଛକରେ ଏଭଳି ଏକ କୂଅ ବର୍ତ୍ତମାନ ଦୋକାନରେ ପରିଣତ ହୋଇଛି। ଅନ୍ୟ ଏକ ଘଟଣା ଚକ୍ରରେ ସହରାଞ୍ଚଳରେ ମାଟିତଳେ ୨୦/୨୫ ଫୁଟ ଗଭୀରରେ ସ୍ବେରେଜ ପାଇପ‌୍‍ ବିଛାଇବା କାର୍ଯ୍ୟ ଚାଲିଛି। ଏହି ସ୍ବେରେଜ ପାଇପ‌୍‍ ଚ୍ୟାନେଲ ଜାମ‌୍‍ ହୋଇଗଲେ ସଂପୂର୍ଣ୍ଣରୂପେ ଭୂଗର୍ଭସ୍ଥ ଜଳକୁ ଦୂଷିତ କରିଦେବ। ସେତେବେଳେ ଏହା ଘରୋଇ ପ୍ଲଟରେ ଥିବା ବୋରଂି ପଏଣ୍ଟଗୁଡିକୁ ଦୂଷିତ କରି ଗୁରୁତର ଜନସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ।

 

ତେବେ ଆମ ରାଜ୍ୟରେ ସର୍ବାଧିକ ଜଳ ପ୍ରଦୂଷଣର ଦିନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ‘ମାସକ ଧର୍ମ ତୋର ଦିନକ ଧର୍ମ ମୋର’ର ଦ୍ୱାହି ଦେଇ ବ୍ୟବହୃତ, ଅବ୍ୟବହୃତ ପୋଖରୀ, ଗଡିଆ ଓ ନଦୀ ଆଦିରେ ଲକ୍ଷଲକ୍ଷ ଡଙ୍ଗା ଲୋକେ ଭସାଇଥାନ୍ତି। ସେଗୁଡିକ ସେହି ପାଣିରେ ପଚିବା ପର୍ଯ୍ୟନ୍ତ ଭାସୁଥାଏ। ଏଗୁଡିକ କାଗଜ ପଟି, ପ୍ଲାଷ୍ଟିକ‌୍‍, ସୋଲ,କଦଳୀ ବାହୁଙ୍ଗା, ଥର୍ମାକୁଲ ଆଦି ପଦାର୍ଥରେ ତିଆରି ହେବା ପରେ ସେଥିରେ ରାସାୟନିକ ରଙ୍ଗ ମଧ୍ୟ ଦିଆଯାଏ। ଏଥି ସହ ଏହି ଡଙ୍ଗାଗୁଡିକରେ ଘିଅ ଦୀପ, ମହମବତୀ, ଛୋଟ ଛୋଟ ବାଣ, ଗୁଆ, ପାନ, ଅରୁଆ ଚାଉଳ, ପରିବା ଖଣ୍ଡ, ଫୁଲ, ଫଳ, ମୁଦ୍ରା ଆଦି ରଖାଯାଏ। ଏସବୁ ଆବଦ୍ଧ ଜଳରେ ମିଶିବାର ଦିନେ ଦୁଇ ଦିନ ପରେ ପଚି ଦୁର୍ଗନ୍ଧ ସୃଷ୍ଟି ହୁଏ।

 

ଭୁବନେଶ୍ୱରର ସର୍ବବୃହତ ପୁଷ୍ପରିଣୀ ବିନ୍ଦୁସାଗର ଏହି ଦିନ ମାତ୍ର ଦୁଇ ଘଣ୍ଟା ଭିତରେ ଏସବୁ ଡଙ୍ଗାରେ ଭର୍ତ୍ତି ହୋଇଯାଏ। ଏବେ ଏହା ଧର୍ମ ଅପେକ୍ଷା ଫେସନରେ ପରିଣତ ହୋଇଯାଇଛି। ଲୋକଙ୍କର ଏହି ସଉକକୁ ପୂରଣ କରିବା ପାଇଁ ବିଭିନ୍ନ ପୋଖରୀ ଓ ନଇକୂଳ ଆଦି ସ୍ଥାନରେ ଡଙ୍ଗା ଦୋକାନ ବି ଖୋଲି ଯାଉଛି। ଜଳର ପ୍ରଦୂଷଣଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ଏସବୁ ଡଙ୍ଗା ଏବଂ ଏଥିରେ ଥିବା ଜୈବ ଓ ଅଜୈବ ପଦାର୍ଥଗୁଡିକୁ ତୁରନ୍ତ ଜଳରୁ ବାହାରକୁ ଫୋପାଡିବା ଦରକାର। ତେଣୁ ପରିବେଶ, ଜନସ୍ୱାର୍ଥ ଏବଂ ସାମଗ୍ରୀକ ଜୀବ ଜଗତର ମଙ୍ଗଳକୁ ଦୃଷ୍ଟିରେ ରଖି କାର୍ତ୍ତିକ ପୂର୍ଣ୍ଣିମା ଦିନଟିକୁ ‘ଜଳ ଉତ୍ସ ସୁରକ୍ଷା ଦିବସ’ ରୂପେ ପାଳନ କରାଯିବା ଉଚିତ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସ୍ୱଚ୍ଛ ଭାରତ ଆହ୍ୱାନ ପରିପ୍ରେକ୍ଷୀରେ ଜଳଉତ୍ସଗୁଡିକ ସର୍ବାଧିକ ପ୍ରଦୂଷିତ ହୋଇଥିବାରୁ ଏଗୁଡିକର ସଫେଇ ଜରୁରୀ ହୋଇପଡିଛି। ଏଥି ସହ ଜଳଉତ୍ସଗୁଡିକୁ ପୋତି ନଷ୍ଟ କରି ଦିଆଯାଉଥିବା ଉଦ୍ୟମକୁ ବିରୋଧ କରିବା ଉଚିତ। ପରିବେଶ ଭାରସାମ୍ୟ ରକ୍ଷାରେ ଜଳ ଉତ୍ସଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ଦିବସରେ ଜଳଉତ୍ସ ଗୁଡିକୁ ଆବର୍ଜନା ମୁକ୍ତ କରିବା ନିମିତ୍ତ ସରକାରୀ, ବେସରକାରୀ ତଥା ବ୍ୟକ୍ତିଗତ ଭାବେ ସମସ୍ତେ ଉଦ୍ୟମ କରିବା ଉଚିତ।

 

ମୋବାଇଲ: ୯୯୩୭୪୨୬୪୦୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top