ଅବକ୍ଷୟ

News Story - Posted on 2016-11-16

ହୃଷୀକେଶ ପଣ୍ଡା

 

ଡେଜିର ବିକଳ ବାହୁନାରେ ନିଦ ଭାଙ୍ଗିଯିବ। ଆଖି ଖୋଲିବେ ଅରୁଣାଭ। ଆଙ୍ଗୁଳିରେ ଆଖିପତାକୁ ମଳିବେ ଏବଂ ନୀଳ ମଧ୍ୟମ ଆଲୋକ ଭିତରେ ଥରେ ଦୃଷ୍ଟି ବୁଲେଇ ଆଣିବେ ପ୍ରଭାଙ୍କ ଉପରେ। ଗଭୀର ସୁସୁପ୍ତି।

 

ପ୍ରଭା ସବୁଦିନେ ଏମିତି। ନିଦଟା ଯେମିତିକି ତାଙ୍କର ସବୁକିଛି। ଥରେ ବିଛଣା ଧରିଲେ ନିଧଡ଼କ ନିଦ ଆସିଯିବ ତାଙ୍କୁ। ବାହାରର କୋଣସି ହୋ-ହଲ୍ଲା ତାଙ୍କୁ ସ୍ପର୍ଶ ମଧ୍ୟ କରିପାରିବନି। ନୀରବ ମୁଦ୍ରାରେ ସେମିତି ପଡ଼ିଥିବେ ରାତିଯାକ।

 

ଗଭୀର ନିଦ୍ରାରେ ଅଚେତ‌୍‍ ପ୍ରଭା ନୀଳାଭ ଆଲୋକରେ ଯେମିତି ଅସମ୍ଭବ ଭାବେ ଆକାଶୀ ଆକାଶୀ ମନେହେବେ ଅରୁଣାଭଙ୍କୁ।

 

ତଳ ଦାଣ୍ଡଘରୁ ଡେଜିର ବିକଳ ବାହୁନା ପୁଣି ଅରୁଣାଭଙ୍କୁ ଆନମନା କରିଦବ।

 

ଅରୁଣାଭ ଦୀର୍ଘନିଃଶ୍ୱାସ ପୁଳାଏ ଫୋପାଡ଼ିବେ ଏବଂ କବାଟ ଖୋଲିବେ। ଶିଡ଼ିରେ ଓହ୍ଲେଇ ତଳେ ପହଞ୍ଚିବେ, ଯୋଉଠି ଦାଣ୍ଡଘରର ପ୍ରବେଶ ଦ୍ୱାରରେ ଡେଜି ଗୋଟେ ଲୁହା ଶିକୁଳିରେ ବନ୍ଧା ହେଇଥିବ।

 

ଅରୁଣାଭ ଚାହିଁବେ ଡେଜିକୁ। ଡେଜି ଗୋଟେ ବିକଳ ଚାହାଣୀରେ ଅରୁଣାଭଙ୍କୁ ଲକ୍ଷ୍ୟ କରି କୁଁ କୁଁ ଶବ୍ଦଗୁଡ଼ାଏ କରି କ’ଣ ଯେମିତି ଜଣେଇବାକୁ ଚେଷ୍ଟା କରିବ।

 

ଅରୁଣାଭ ଭଲକରି ଜାଣନ୍ତି ଡେଜି ତାଙ୍କୁ କ’ଣ କହିବାକୁ ଚାହୁଁଚି।

 

ଦି’ଦିନ ହେଲା ଗୋଟେ ଶକ୍ତ ଲୁହା ଶିକୁଳିରେ ବନ୍ଧାହେଇ ଡେଜି କେମିତି ମୁକୁଳିବା ପାଇଁ କାକୁତିମିନତି କରୁଚି। ନେହୁରା ହେଇ ହେଇ ନୟାନ୍ତ ହଉଚି। ଡେଜିଠି ଆରମ୍ଭ ହେଇଥିବା ମଧୁର ଉନ୍ମାଦନା, ଯୋଉ ଉନ୍ମାଦନା ତା’ର ଦେହମନକୁ ମନ୍ଥି ମନ୍ଥି ମୁହୁର୍ମୁହୁ ମୂର୍ଚ୍ଛିତ କରୁଚି, ଯୋଉ ଜ୍ୱାଳାରେ ଜଳିଜଳି ଡେଜି ଜର୍ଜରିତ ହେଇଯାଉଚି, ବିଶ୍ୱ ବ୍ରହ୍ମାଣ୍ଡକୁ ଗ୍ରାସି ଯିବାର ଅଶ୍ଳୀଳ ଇଚ୍ଛାମାନଙ୍କ ଦ୍ୱାରା ଦୟନୀୟ ଭାବେ ଦ୍ରବୀଭୂତ ହେଇଯାଉଚି!

 

ଆଶ୍ଚର୍ଯ୍ୟ ଲାଗେ ଅରୁଣାଭଙ୍କୁ। ପେଟର ଭୋକଠୁ ଦେହର ଭୋକ କେତେ ଭୟଙ୍କର ସତେ ! ଡେଜି ପାଇଁ ସବୁକିଛି ଖଞ୍ଜା ହେଇଚି। ତା’ ସ୍ୱାସ୍ଥ୍ୟ ଆଉ ସୌନ୍ଦର୍ଯ୍ୟରେ ଯେମିତି ଟିକେ ବି ଧୂଳିମଳି ନଲାଗେ, ସବୁବେଳେ ସତର୍କ ଦୃଷ୍ଟି ରଖାଯାଇଚି। ରୀତିମତ ଗୋଟେ ରୁଟିନ‌୍‍ ତିଆରି ହେଇଚି ଡେଜି ପାଇଁ।

 

ହେଲେ ତା’ ଦେହର ଭୋକ...କେବେବି ଭାବିନଥିଲେ ଅରୁଣାଭ ସେକଥା। ଡେଜିର ଆଦ୍ୟ ଯୌବନର ଅଗ୍ନିସ୍ନାନ...ଅବଦମିତ ଅନନ୍ତ କ୍ଷୁଧା। ସେ କ୍ଷୁଧା ଯେ ଡେଜିକୁ ଏମିତି ପାଗଳ କରିଦବ, ସେକଥା ସ୍ୱପ୍ନରେ ବି ଭାବିନଥିଲେ ଅରୁଣାଭ। ଦି’ଦିନ ହେଲା ଡେଜିର ବିକଳ ଚିତ୍କାର ଆଉ ସହ୍ୟ କରିପାରୁ ନାହାନ୍ତି ସେ।

 

ଅରୁଣାଭ ଭୀଷଣ ଭାବେ ରାଗିଯିବେ ପ୍ରଭାଙ୍କ ଉପରେ। ସବୁ ଜାଣିଶୁଣି କେମିତି କିଛି ବୁଝିପାରନ୍ତିନି ସେ। ତାଙ୍କ ମତରେ - ଏଇ ସମୟଟା ଭାରି ଭୟାନକ। ଶାନ୍ତ ସୁଧାର ଡେଜିଟାକୁ ବାହାରକୁ ଛାଡ଼ିଦେଲେ ସେ ନିହାତି ନିର୍ଲଜ୍ଜ ହେଇଯିବ। ଲାଜସର୍ମ ସବୁ ଭୁଲିଯିବ। ବଜାତ‌୍‍ ବାରବୁଲା କୁକୁରମାନଙ୍କୁ ପାଖକୁ ଡାକିବ। ତମେତ ଜାଣ, କୁକୁରମାନେ ଏଇ ସମୟରେ ମିଶିଲା ମାନେହିଁ ଗର୍ଭଧାରଣ କରିବେ। ଓଃ...କି କଦର୍ଯ୍ୟ, କଦାକାର ସେ ଦୃଶ୍ୟ ! ପେଟଟା ଫୁଲିଯିବ ଗୋଟେ ବିଭତ୍ସ ସ୍ଥୂଳତାରେ। କମନୀୟ ଦେହଟା ଗୋଟେ କୁତ୍ସିତ ଶ୍ଳଥତ୍ୱରେ ଅନାକର୍ଷଣୀୟ ହେଇଯିବ। ଓଃ...ଆଉ ଆଗକୁ ଭାବି ପାରନ୍ତିନି ସେ।

 

ଯୋଉ ଡେଜିର ପ୍ରତିଟି ଲୋମ ଖୁବ‌୍‍ ଲୋଭନୀୟ... ଯୋଉ ଡେଜିର ଆଖି, କାନ, ନାକ, ବେକ ସବୁକିଛି ଖୁବ‌୍‍ ଆକର୍ଷଣୀୟ...ଯାହାକୁ ମୁହୂର୍ତ୍ତେ ନଦେଖିଲେ ତାଙ୍କର ଭୋକଶୋଷ ହଜିଯାଏ... ଯାହାର ମୁହଁରେ ବୋକଦେଇ ସେ ଗେଲ କରନ୍ତି... ଛାତିରେ ଜଡେ଼ଇ ଧରନ୍ତି...କୋଳରେ ବସାନ୍ତି...ସେଇ ଡେଜିଟାକୁ କ’ଣ କଦାପି ସେ କୁତ୍ସିତ, କଦାକାର ହବାକୁ ଛାଡ଼ିଦେଇ ପାରିବେ ? ଛାଡ଼ିଦେଲେତ ସେ ଅଲବତ‌୍‍ ଅଭଦ୍ରାମି କରିବ। ସେଇ ଅଭଦ୍ରାମିରୁ ଆରମ୍ଭ ହବ ଅଭାବନୀୟ ଅଘଟଣ। ଡେଜି ଅଲବତ‌୍‍ ଗର୍ଭଧାରଣ କରିବ, ହୁଏତ ଗଣ୍ଡେ କି ଦି’ଗଣ୍ଡା ପିଲାର ମା’ ହବ। ପେଟଟା ବେଢଙ୍ଗ ଭାବେ ଓହଳି ପଡ଼ିବ ତଳକୁ। ଅନବରତ ପୁଳାଏ ପିଲା କିଲିବିଲି ହଉଥିବେ। ଡେଜିର ତଳିପେଟଟାକୁ ଝୁଣି ପକଉଥିବେ। ଓଃ - କି ଅତିଷ୍ଠ ଦେଖାଯିବ ଡେଜିଟା !

 

ଡେଜିର ଦେହ ପାଇଁ ପ୍ରଭା ଭୀଷଣ ଚିନ୍ତିତ, ବ୍ୟଥିତ। ତା’ର ନିରାପତ୍ତା ପାଇଁ ରୀତିମତ ବ୍ୟସ୍ତବିବ୍ରତ।

 

କେବଳ ଆଜି ରାତିଟା...

 

ଗୋଟାଏ ରାତି କେବଳ ଡେଜିକୁ ସବୁକିଛି ସହିଯିବାକୁ ହବ। ସବୁତକ ଯନ୍ତ୍ରଣାକୁ ଛାତିତଳେ ଚାପିରଖି ଅପେକ୍ଷା କରିବାକୁ ପଡ଼ିବ। ରାତି ପାହିଲେ ଇଂଜେକସନ‌୍‍ର ବ୍ୟବସ୍ଥା ହେଇଯିବ। ଚାହୁଁଚାହୁଁ ଦେହରୁ ଉତୁରିଯିବ ଆସ୍ତେ ଆସ୍ତେ ଉତ୍ତେଜନା। ଥପ‌୍‍କିନା ଥମିଯିବ, ଥଣ୍ଡା ପଡ଼ିଯିବ, ତରଳିଯିବ ତାତି। ମୁହୂର୍ତ୍ତକରେ ମରିଯିବ, ଶାନ୍ତ ହେଇଯିବ ଦେହର ଭୋକ। ଡେଜି ପୁଣି ସ୍ୱାଭାବିକ ହବ। ଶାନ୍ତ ହବ। ସୁଧାର ହବ। ପୁଣି ସେମତି ମୁଲାଏମ‌୍‍ ହେଇ ରହିବ, ନସରପସର ହବ ତାଙ୍କ ପାଖେ ପାଖେ।

 

କିନ୍ତୁ ପ୍ରଭା କ’ଣ ଜାଣିପାରନ୍ତି ଡେଜି ମନର ମଧୁର ଉନ୍ମାଦନା ? ମା’ ହବାର ମହାର୍ଘ ମୁହୂର୍ତ୍ତର ମୂର୍ଚ୍ଛନାରେ ଡେଜି କେମିତି ମୁହୁର୍ମୁହୁ ମୂଚ୍ଛାର୍ ଯାଉଚି?

 

ଅରୁଣାଭ ନିଜକୁ ଖୁବ‌୍‍ ଅସହାୟ ମନେ କରିବେ। ରାତିର ନିରବ ନିର୍ଜନତା ଭିତରେ ଗୋଟେ ପଶୁ କେମିତି ଅବ୍ୟକ୍ତ ଉତ୍ତେଜନାରେ ଉନ୍ନିଦ୍ର, ଉନ୍ମତ୍ତ - ଅଥଚ ପ୍ରଭା ଗଭୀର ସୁସୁପ୍ତିରେ ଆଶ୍ୱସ୍ତ।

 

ଘର ଭିତରେ ପୂର୍ବବତ‌୍‍ ନୀଳାଭ ମଧ୍ୟମ ଅଲୋକ। ପ୍ରଭା ନିରବ ନିଦ୍ରାରେ ନିଶ୍ଚଳ। ଅରୁଣାଭ ଚାହିଁବେ ପ୍ରଭାଙ୍କୁ। କେମିତିକା ଗୋଟେ ଉଷ୍ମତାରେ ତାଙ୍କ ଦେହମୁଣ୍ଡ ଝାଳେଇ ଉଠିବ। ଅରୁଣାଭ ସେଇ ଘର୍ମାକ୍ତ ଅବସ୍ଥାରେ ଫେରି ଚାହିଁବେ ପଛକୁ। ଦଶବର୍ଷ ତଳକୁ।

 

ସେତେବେଳେ ତାଙ୍କୁ ତିରିଶି ଆଉ ପ୍ରଭାଙ୍କୁ ପଚିଶି। ଦେହରେ ଯୌବନର ବନ୍ୟା। ପ୍ରଭାଙ୍କ ପରି ଅପୂର୍ବ ସୁନ୍ଦରୀ ସ୍ତ୍ରୀ ପାଇ ସତରେ ସେ ବେଶ‌୍‍ ଖୁସି ଥିଲେ।

 

ବିବାହର ବର୍ଷେ ନପୂରୁଣୁ ପ୍ରଭା ଗର୍ଭବତୀ ହେଲେ। ଅରୁଣାଭ ଖୁସିରେ ଫାଟିପଡ଼ିଲେ।

 

ପ୍ରଭା କିନ୍ତୁ ଅରୁଣାଭଙ୍କୁ ଆଶ୍ଚର୍ଯ୍ୟଚକିତ କରି କହିଥିଲେ – ‘ଦେଖ, ତମେ କାଇଁକି ମିଛଟାରେ ଏତେ ଅଧୀର ହଉଚ? ଜୀବନକୁ କେତେଦିନ ବା ଏମିତି ଉପଭୋଗ କରିଚ ଯେ? ତମେ ଜାଣିନ, ଥରେ ଗର୍ଭବତୀ ହେଲେ, ଗୋଟେ ସନ୍ତାନ ପ୍ରସବ କରିସାରିବା ପରେ ଦେହଟା ଭାଂଗିରୁଜି ଯାଏ। ଅନାକର୍ଷଣୀୟ, ଶିଥିଳ ପଡ଼ିଯାଏ ସବୁକିଛି। ନିହାତି ଗୋଟେ ଝାମେଲା। ପିଲାମାନେ ଆବର୍ଜନା କରିବେ। ସବୁଠି ଗୋଟେ ପ୍ରତିବନ୍ଧକ ହେଇ ଠିଆହେବେ। ଉପଭୋଗର ଗତିରୋଧ କରୁଥିବେ ସବୁବେଳେ। ଏଥିରେ ଏତେ ବ୍ୟସ୍ତ ହବାର କ’ଣ ଅଛି? ଜୀବନକୁ ଆଗ କିଛିବର୍ଷ ମନଭରି ଉପଭୋଗ କରିବା। ତା’ପରେ ଠିକ‌୍‍ ସମୟରେ ପିଲାଟିଏ ପାଇଁ ଚିନ୍ତା କରିବା। ବାସ‌୍‍, ତାପରେ ମୋର ବି କିଛି ଆପତ୍ତି ନଥିବ, ପ୍ରତିରୋଧ ନଥିବ।’

 

ଅରୁଣାଭ ସେଦିନ ବୁଝିପାରି ନଥିଲେ, ପ୍ରଭାଙ୍କ ପରି ଜଣେ ଅନିନ୍ଦ୍ୟ ସୁନ୍ଦରୀ ସ୍ତ୍ରୀର ମନରେ ବସା ବାନ୍ଧିଥିବା ଗୋଟେ ଜଘନ୍ୟ ଜିଦ‌୍‍। ସେତେବେଳକୁ ସେ କୋଉ ଗୋଟେ ମିସନାରୀ ହଷ୍ଟେଲରେ ରହି ପାଠପଢ଼ା ସାଙ୍ଗେ ସାଙ୍ଗେ ମେମ‌୍‍ସାହେବ ହବାର ସ୍ୱପ୍ନରେ ବିଭୋର ଥିଲେ। ନିଜକୁ ନିରନ୍ତର ଉଗ୍ର ପରିପାଟୀରେ ସଜେଇ ପାର୍ଟି, କ୍ଲବ‌୍‍ ପ୍ରଭୃତିରେ ଅଏସ‌୍‍ କରିବାର ନିଶାରେ ମସଗୁଲ‌୍‍ ଥିଲେ। ଭରପୂର ଯୌବନ ଓ ସୌନ୍ଦର୍ଯ୍ୟ ଭିତରେ ସେ ଦେଖୁଥିଲେ କେବଳ ଗୋଟିଏ ସ୍ୱପ୍ନ। ସେ କେବେ ମା’ ହେବେନି। ବରଂ ମନଇଚ୍ଛା ଜୀବନକୁ ଉପଭୋଗ କରିବେ। ସବୁଦିନ ପାଇଁ ଦେହଟାକୁ ସେମିତି ସ୍ନିଗ୍ଧ-ଶୀତଳ କରି ରଖିଥିବେ।

 

ପ୍ରଭାଙ୍କୁ ସେଦିନ ଢେର‌୍‍ ବୁଝେଇଥିଲେ ଅରୁଣାଭ। ଅଥଚ ପ୍ରଭା ତାଙ୍କର କୌଣସି କଥାକୁ କର୍ଣ୍ଣପାତ ନକରି ନିଜ ଜିଦ‌୍‍ରେ ଅଟଳ ରହିଲେ। ପ୍ରଥମଥର ପାଇଁ ଜୀବନର ପ୍ରଥମ ସ୍ୱପ୍ନ, ପାଖୁଡ଼ା ମେଲିବା ତ ଦୂରର କଥା, କଢ଼ଟିଏ ହେଇ କଅଁଳିବା ଆଗରୁ ବୃନ୍ତରୁ ବିଭକ୍ତ କରିଦେଲେ। ତା’ପୁଣି ଅରୁଣାଭଙ୍କ ଅନୁପସ୍ଥିତିରେ, ଅଜାଣତରେ।

 

ଅରୁଣାଭ ଆଚମ‌୍‍କା ଗୋଟେ ବିଜୁଳି କରେଣ୍ଟ ଖାଇଲା ପରି ସ୍ତିମିତ ହେଇଯାଇଥିଲେ।

 

ଏମିତି ନିତି ନିତି ଜହ୍ନ ଆଲୁଅରେ ଜୀବନ ଆଉ ଯୌବନକୁ ଜଳେଇବାର ଯାବତୀୟ ଛଟକ ଓ ଛଳନା କରୁକରୁ ଦଶବର୍ଷ ଖର୍ଚ୍ଚ ହେଇଗଲା। ସବୁପ୍ରକାର ସତର୍କତା ସତ୍ତ୍ୱେ ପ୍ରଭା ଚାରି ଚାରିଥର ଅନ୍ତସତ୍ତ୍ୱା ହେଲେ। ଗର୍ଭପାତ ବି କଲେ। ଅରୁଣାଭ କେବଳ ଜଣେ ନିରବଦ୍ରଷ୍ଟା ସାଜି ଦେଖି ଯାଉଥିଲେ ସେସବୁ ନାରକୀୟ ଦୃଶ୍ୟ। ତାଙ୍କର ସମସ୍ତ ପ୍ରତିବାଦ, ପ୍ରତିରୋଧ ପ୍ରଭାଙ୍କ ଔଦ୍ଧତ୍ୟ ଆଗରେ ପରାସ୍ତ ହଉଥିଲା ବାରମ୍ୱାର।

 

ଶେଷଥର ପାଇଁ ପ୍ରଭା ଯେତେବେଳେ ଆବର୍ସନ‌୍‍ କଲେ, ଏବେବି ସେକଥା ମନେଅଛି ତାଙ୍କର। ପ୍ରଭା ସିନା ମରଣ ମୁହଁରୁ ବଂଚିଗଲେ, ହେଲେ ସବୁଦିନ ପାଇଁ ମାତୃତ୍ୱ ହରେଇ ବସିଲେ। ଏକଥା ଶୁଣି ମର୍ମାନ୍ତିକ ଦୁଃଖର କରୁଣ ସ୍ୱରଟିଏ କେମିତି ତାଙ୍କ ସ୍ନାୟୁଶିରାରେ ଫାଟିପଡ଼ୁଥିଲା, ସେକଥା ମନେପଡ଼ିଲେ ଆଜି ବି ଅରୁଣାଭ ଛୋଟପିଲା ପରି କାନ୍ଦି ପକାନ୍ତି।

 

ଅଥଚ ଅରୁଣାଭଙ୍କ ପରି ପ୍ରଭା ସେତେଟା ବ୍ୟସ୍ତ କି ବିବ୍ରତ ନଥିଲେ। ସେ ଉଦାସ ଥିଲେ ସତ, କିନ୍ତୁ ତାଙ୍କଠି ସବୁକିଛି ହରେଇ ବସିବାର ଶୂନ୍ୟତା ନଥିଲା। ମର୍ମାହତ ଅରୁଣାଭଙ୍କୁ ବରଂ ବୁଝେଇଥିଲେ – ‘ଦେଖ, ସବୁଦିନ ପାଇଁ ଗୋଟେ ଜଂଜାଳ କଟିଗଲା ଜାଣ। ବାରଂବାର ଗର୍ଭଧାରଣ, ଆବର୍ସନ‌୍‍, ଦୁଶ୍ଚିନ୍ତା ସବୁକିଛି ସଫା ହେଇଗଲା। ଏଣିକି ଆମେ ମୁକ୍ତ। ଏଥର ଆମେ ନିର୍ବାଧରେ ଜୀବନଟାକୁ ଉପଭୋଗ କରିପାରିବା। ତମେ ତ ଜାଣ, ପିଲାଜନ୍ମ କରିବାଟାକୁ ମଁୁ ଆଦୌ ପସନ୍ଦ କରେନି। ଗର୍ଭବତୀ ନାରୀ ଆଉ କଅଁଳାପିଲାଙ୍କୁ ଦେଖିଲେ ମତେ କେମିତି ଆଲର୍ଜି ଆଲର୍ଜି ଲାଗେ।

 

ଅରୁଣାଭ ଯେ ପ୍ରଭାଙ୍କୁ ଯାଛାତା’ ଉପଭୋଗ କରିନାହାନ୍ତି, ସେକଥା ନୁହେଁ। କିନ୍ତୁ ପ୍ରଭାଙ୍କଠୁ ସେ ଯାହା ଆଶା କରୁଥିଲେ, ପ୍ରଭା ବାରମ୍ୱାର ଭଣ୍ଡେଇ ଭଣ୍ଡେଇ ଶେଷରେ ସବୁକିଛି ସର୍ବନାଶ କରିଦେଲେ।

 

ଦଶବର୍ଷ ତଳର ସେଇ ପ୍ରଭା! ସ୍ନିଗ୍ଧ, ସୁକୋମଳ ପ୍ରଭା, ଏବେ ସୁଖନିଦ୍ରାରେ। ସେ କ’ଣ ବୁଣିପାରିବ ସାମାନ୍ୟ ଗୋଟେ ପଶୁ କେମିତି ଲୁହାର ଶିକୁଳିକୁ ଭାଂଗିରୁଜି ଆଦିମ ଇଚ୍ଛାର ସେଇ ଉନ୍ମୁକ୍ତ ଅଳିନ୍ଦକୁ ଚାଲିଯିବାକୁ ବ୍ୟାକୁଳ ହଉଚି? ଅଥଚ ରାତି ପାହିଲେ ଇଂଜେକସନ‌୍‍ ଦେଇ ଗୋଟେ ନିରୀହ ପଶୁର ପ୍ରମତ୍ତ ପ୍ରବୃତ୍ତିଗୁଡ଼ିକୁ ଜବରଦସ୍ତ ଜବତ‌୍‍ କରିଦିଆଯିବ।

 

ଅରୁଣାଭ ଶୋଇବାକୁ ଚେଷ୍ଟା କରିବେ। ଆଖିକୁ ନିଦ ଆସିବନି। ବାରଂବାର ଶୁଭୁଥିବ ଡେଜିର ବିକଳ ଚିତ୍କାର। ଅବିଶ୍ରାନ୍ତ ଆକୁଳ ଆବେଦନ। ବନ୍ଧନମୁକ୍ତ ହେବାକୁ ବିବିଧ ବିଫଳ ପ୍ରୟାସ।

 

ସାରାରାତି ଉନ୍ନିଦ୍ର ଆଖି। ଲାଲ‌୍‍ ଲାଲ‌୍‍। ମୁହଁର ଭାବ ନିଷ୍ଠୁର। ରାତିଯାକର ଦୁଶ୍ଚିନ୍ତାରେ ଦେହ କ୍ଳାନ୍ତ, ଅବଶ।

 

ବିଛଣାରୁ ଉଠି କବାଟ ଖୋଲିବେ ଅରୁଣାଭ। ଶିଡ଼ିରେ ଓହ୍ଲେଇ ଖୋଲିବେ ଡ୍ରଇଂରୁମର କବାଟ, ତା’ପରେ ସବାଶେଷ ଗ୍ରିଲ‌୍‍। ବିକଳ ଡେଜିର ଚେନ‌୍‍କୁ ହାତରେ ଧରି ଆଗେଇଯିବେ ଗେଟ‌୍‍ ଆଡ଼କୁ।

 

ସକାଳର କଅଁଳ ଖରା ମେଞ୍ଚାଏ ଛମ‌୍‍ଛମ‌୍‍ କରୁଥିବ। ଅରୁଣାଭ ଦେଖିବେ - ଗେଟ‌୍‍ ବାହାରେ ମାଥ୍ୟୁସ‌୍‍ ବାବୁଙ୍କ ଡଫିଆନ‌୍‍ କୁକୁର। ସକାଳୁ ସକାଳୁ ନିତ୍ୟକର୍ମରେ ବାହାରିଚି। ସେଇଆଡ଼କୁ ଆଗେଇଯିବେ ଅରୁଣାଭ।

 

ଡେଜି ଏଥର ଆନମନା ହବ, ଉନ୍ମତ୍ତ ହବ, ଅଧୀର ହବ, ଅସ୍ଥିର ହବ। ଯେମିତି ଆଖିପିଛୁଳାକେ ତାଙ୍କର ସମସ୍ତ ଶକ୍ତି ଓ ସାମଥ୍ର୍ୟକୁ ପରାହତ କରି କୁଦିପଡ଼ିବ ଆରପଟକୁ। ମାଥ୍ୟୁସ ବାବୁଙ୍କ ଡଫିଆନ‌୍‍ଟା ତା’ ମୁଲାୟମ‌୍‍ ପାଦରେ କୁଁ କୁଁ ହେଇ ଖୋଳିଚାଲିବ ମାଟି ଏବଂ ବାରମ୍ୱାର ଗେଟ‌୍‍ରେ ଚଢ଼ି ଅତିକ୍ରମ କରିବାକୁ ଚେଷ୍ଟା କରୁଥିବ।

 

ଅରୁଣାଭଙ୍କୁ ଲାଗିବ ସବୁକିଛି ବିଚିତ୍ର ବିଚିତ୍ର। ନୂଆନୂଆ। ଏଇ ଯେମିତି କ’ଣ ଗୋଟେ କଅଁଳି ଉଠୁଚି ତାଙ୍କ ଭିତରେ କୁନିକୁନି ପତ୍ର ମେଲେଇ। ଚାହୁଁଚାହୁଁ ନିମିଷକେ ମେଲିଯାଉଚି, ପ୍ରସରି ଯାଉଚି ଚାରିଆଡେ଼ ତା’ର ସବୁଜ ଶଖାପ୍ରଶାଖା। କୋମଳ ସ୍ପର୍ଶରେ ରୋମାଞ୍ଚିତ ତାଙ୍କର ସାରାଦେହ। ଅରୁଣାଭ ଏଥର ଅନୁଭବ କରିବେ, ଯେମିତି ଗଲାରାତିର ସବୁ କ୍ଳାନ୍ତି, ସବୁ ଅବସାଦ ଧୀରେ ଧୀରେ ଧୋଇଧୋଇ ଯାଉଚି। ଦେହମନ କେମିତ ଏକ ସବୁଜ ସତେଜତାରେ ଶିହରି ଉଠୁଚି। ଉଚ୍ଚାଟ ଲାଗୁଚି।

 

ଏଥର ଗେଟ‌୍‍ ଖୋଲିବେ ଅରୁଣାଭ। ଖୋଲିବେ ତ ମୁକ୍ତ କରିଦେବେ ଡେଜିର ବନ୍ଧନ।

 

ଡେଜି ଏଥର ସ୍ୱାଧୀନ। ଡେଜି ଏଥର ପ୍ରଗଳ୍ଭ। ପ୍ରମତ୍ତ।

 

ଡେଜି ଦଉଡ଼ିବ। ତା’ ପଛରେ ମାଥ୍ୟୁସ‌୍‍ ବାବୁଙ୍କ ଡଫିଆନ‌୍‍। ଡେଜି ଠିଆ ହବ। ସେ ବି ଠିଆହବ ଡେଜି ପାଖରେ ବିନୀତ ମୁଦ୍ରାରେ। ଡେଜି ତାକୁ ଚାହିଁ ଜିଭରୁ ନାଳ ଗଡେ଼ଇବ। ଡଫିଆନଟା ତା’ର ସମସ୍ତ ସାମର୍ଥ୍ୟ ଓ ଭିନ୍ନ ଭିନ୍ନ ଭଙ୍ଗୀ ଭିଆଇ ଭଲପାଇବାର ଭରପୂର ପ୍ରୟାସ ପ୍ରଦର୍ଶନ କରିବ।

 

ଡେଜି ପୁଣି ଦଉଡ଼ିବ। ପ୍ରଗଳ୍ଭ ହବ। ଉନ୍ମତ୍ତ ହବ। ଅସ୍ଥିର ହବ।

 

ଅରୁଣାଭ ଦେଖୁଥିବେ ଡେଜିକୁ। ତା’ର ଉତ୍ସୁକ ଆଖିର ଉଦ‌୍‍ବାର୍ଯ୍ୟ ଇସାରାକୁ। ଡେଜି ଯେମିତି ଦାନ୍ତ ନେଫେଡ଼ି ହସୁଚି। ଲାଞ୍ଜ ହଲେଇ ଫୁଲେଇ ହଉଚି। ଫିସ‌୍‍ଫିସ‌୍‍ କରି କ’ଣ ଯେମିତି କହିଯାଉଚି। ଡେଜି ଉପରେ ଭୀଷଣ ଦୟା ଆସିବ। ପୁଣି ରାଗ ବି। ଅରୁଣାଭ ଯେମିତି ଦ୍ରବୀଭୂତ ହେଇଯିବେ। ଦୟନୀୟ ଭାବେ। ଶିରାପ୍ରଶିରା ଟାଣ‌୍‍ଟାଣ‌୍‍ ଲାଗିବ। କ୍ରମେ କ୍ରମେ ଅରୁଣାଭ ନିଜ ଭିତରେ ଏକ ଅସ୍ଥିର ଆଲୋଡ଼ନ ଅନୁଭବ କରିବେ। ପିଙ୍ଗଳବର୍ଣ୍ଣ ଧରୁଥିବ ଆଖି।

 

ଅରୁଣାଭ ହଠାତ‌୍‍ ଚମକିଯିବେ ତ ଦେଖିବେ, ଘରଆଡ଼ୁ ପ୍ରଭା ଚିତ୍କାର କରି ମାଡ଼ି ଆସୁଚନ୍ତି।

 

‘ୟୁ ଇଡିଅଟ‌୍‍, ଅଭଦ୍ର, ଅଶ୍ଳୀଳ। ଲାଜ ମାଡ଼ୁନି, ଘୃଣା ଲାଗୁନି। ଡେଜିକୁ ଫିଟେଇବାର ସାହସ ତମର କେମିତି ହେଲା ଶୁଣେ। ତମେ କ’ଣ ଜାଣିନ, କୁକୁରମାନେ ଏକାଠି ହେଲେ ପରିଣାମ କ’ଣ ହୁଏ ? କେମିତି ଗଣ୍ଡେ କି ଦିଗଣ୍ଡା ପିଲା ଜନ୍ମ କରନ୍ତି ଏକାବେଳେ? ତମେ କ’ଣ ଜାଣିପରୁନ, ବିଚ‌୍‍ ରାସ୍ତାରେ ଡେଜିଟା କେମିତି ଅଶ୍ଳୀଳ ଦେଖାଯାଉଚି, ଉଦ‌୍‍ବାର୍ଯ୍ୟ ଦେଖାଯାଉଚି ଆଉ ତମେ ଗୋଟେ କାଙ୍ଗାଳ ପରି ଉପଭୋଗ କରିଚାଲିଚ ସେସବୁ? ଓଃ- କି ନିର୍ଲଜ୍ଜ, ନିର୍ମମ, ନିହାତି ନୀଚ ତମେ ଅରୁଣାଭ!’

 

ପ୍ରଭା ମାଡ଼ି ଆସୁଚନ୍ତି। ସେ ହୁଏତ ପ୍ରଥମେ ଆକ୍ରମଣ କରିପାରନ୍ତି ଅରୁଣାଭଙ୍କ ଉପରେ। ତା’ପରେ ଖୁସିରେ ଫାଟିପଡ଼ୁଥିବା ଦି’ଟା ନିରୀହ, ନିଷ୍ପାପ ପଶୁଙ୍କୁ ପିଟିପିଟି ଚିତ‌୍‍ କରିଦେଇପାରନ୍ତି।

 

ଅରୁଣାଭଙ୍କ ସର୍ବାଙ୍କ କମ୍ପମାନ। ଦେହର ଶିରାପ୍ରଶିରା ସଶକ୍ତ।

 

ସେ ଏକା ଝଟ‌୍‍କାରେ ଟେକିନେବେ ପ୍ରଭାଙ୍କୁ ଏବଂ ଟେକିଟେକି ନେଇଯିବେ ଘରକୁ। ଫୋପାଡ଼ିଦେବେ ଖଟଉପରେ। ତା’ପରେ ବିଛଣାରେ ବିପର୍ଯ୍ୟସ୍ତ ପ୍ରଭାଙ୍କୁ ସେ ଜାନୁଆର‌୍‍ ପରି ମନ୍ଥିଯିବେ। ହିଂସ୍ର ଅରୁଣାଭ ଚିତ୍କାର କରି ଉଠିବେ। ପାଗଳ ପରି ପ୍ରଳାପ କରି ଘରଟାକୁ ଫଟେଇଦେବେ।

 

ସେ ଚିତ୍କାର ଘରଟା ଭିତରେ ଗୋଟେ ଭୟଂକର ଭୌତିକତା ସୃଷ୍ଟି କରୁଥିବ।

 

ସେପଟେ ଡେଜିର ଦେହରୁ ନିଗିଡ଼ି ପଡ଼ୁଥିବ ପରିତୃପ୍ତିର ବୁନ୍ଦା ବୁନ୍ଦା େସ୍ୱଦ।

 

ହଠାତ‌୍‍ ଦପ‌୍‍କିନା ଲିଭିଯିବେ ପ୍ରଭା। ଥମିଯିବେ ତ ଗୋଟେ ଫ୍ରିଜ‌୍‍ପରି ହେମାଳ ହେଇଯିବେ। ସେ ବୁଝିବେ ଏବଂ କିଛି ନବୁଝିବା ପରି ଉପରକୁ ଚାହିଁ ରହିବେ। ସେମତି ଚାହିଁ ରହିବେ ଅନେକ ସମୟ ଏବଂ ଅରୁଣାଭଙ୍କୁ କିଛି କହିବେନି।

 

ରାତି ପାହିବ। ଅରୁଣାଭ ଡେଜିକୁ ଆଉଁସିବେ, ଗେଲ କରିବେ, ବୋକ ଦେବେ। ଡେଜି ତାଙ୍କ ଦେହରେ ଘସିହବ, ନେସିହବ, ନେହୁରା ହେଉ ଭିଡ଼ିମୋଡ଼ି ହବ। କେତେ ବରାଦଫେରାଦ‌୍‍ ହବ। ଫିସାଦ‌୍‍ ଫରମାସୀ କରିବ। ମାଥ୍ୟୁସ‌୍‍ ବାବୁ ସକାଳୁ ସକାଳୁ ତାଙ୍କ ଡଫିଆନକୁ ଧରି ଗେଟ‌୍‍ ସାମ୍ନାରେ ଲଟରପଟର ହେବେ। ଡେଜି କଁୁ କୁଁ ହେଇ ଅରୁଣାଭଙ୍କ କାନ ପାଖରେ କ’ଣ ସବୁ କହିବାକୁ ଚେଷ୍ଟା କରିବ।

 

ଅରୁଣାଭ ହସିବେ। ହସିହସି ଡେଜିକୁ ବେଦମ‌୍‍ କରି ପକେଇବେ।

 

...ଡେଜି ମା’ ହେଇଚି। ପାଞ୍ଚପାଞ୍ଚଟା କଅଁଳା ଛୁଆର ଗର୍ବିଣୀ ମା’। ଆଖି ଫିଟିନି ଅଥଚ କିଲିବିଲି ହେଇ ଡେଜିର ତଳିପେଟକୁ ଅଣ୍ଡାଳି ଚାଲିଚନ୍ତି। ଝୁଣି ଯାଉଚନ୍ତି। ଡେଜି ଆଖି ମିଟିମିଟି କରି ପରିତୃପ୍ତିରେ, ନିରବରେ ଜିଭରେ ଚାଟିଚାଲିଚି ସେମାନଙ୍କୁ। ଚୁପଚାପ‌୍‍ ଠିଆହେଇ ମା’ ହବାର ଗର୍ବରେ ଉଲ୍ଲସି ଉଠୁଚି, ଫାଟି ପଡ଼ୁଚି ଯେମିତି।

 

ଡେଜିର ଶାରୀରିକ ଅବକ୍ଷୟ ଯେମିତି ପ୍ରଭାଙ୍କ ପକ୍ଷେ ଅସହ୍ୟ। ଡେଜିଟା ଯେ ଅବାଧ୍ୟ ହେଇ ଶେଷରେ ତା’ର ଶରୀର ଆଉ ସୌନ୍ଦର୍ଯ୍ୟକୁ ଏମିତି ନଷ୍ଟ କରିଦବ ଏବଂ ତାଙ୍କର ଏତେଦିନର ସଯତ୍ନବର୍ଦ୍ଧିତ ଜିଦ‌୍‍କୁ ଜଳାଞ୍ଜଳି ଦେଇଦବ...ପ୍ରଭା ଆଉ ଭାବିପାରିବେନି ଆଗକୁ।

 

ଓହୋ... ଡେଜିଟା କି ନିର୍ଲଜ୍ଜ, ବଜ୍ଜାତ‌୍‍ ସତେ!

 

ପ୍ରଭା ଆଖିରେ ହାତ ଘୋଡେ଼ଇବେ।

 

ଡେଜିଟା ତଥାପି ତାଙ୍କୁ ଆଖି ମିଟିକା ମାରୁଥିବ। ଖତେଇ ହଉଥିବ। ଖିଲିଖିଲି ହସୁଥିବ। ଜିଭ ଲହଲହ କରି ଜଳେଇବାକୁ ଚେଷ୍ଟା କରୁଥିବ ଯେମିତି।

 

ପ୍ରଭା ଜଳୁଥିବେ। ଭିତରେ ଭିତରେ କୁହୁଳୁଥିବେ। ଆଖିରେ ନିଆଁଝୁଲ ଝଲସି ଉଠୁଥିବ।

 

କି ଅସହ୍ୟ...ସତରେ କି କଦର୍ଯ୍ୟ ଦୃଶ୍ୟ? ଡେଜିଟା କି ଅସନା ଦେଖାଯାଉଚି? ତା’ ପିଲାମାନେ କି କୁତ୍ସିତ ଦେଖାଯାଉଚନ୍ତି? ଡେଜିର ଶାରୀରିକ ସୌଷ୍ଟବ ଗଲା କୁଆଡେ଼? ଧେଡ଼ଙ୍ଗୀ ଡେଜିଟା କି କୁରୂପ ଦେଖାଯାଉଚି ସତେ?

 

ଅଥଚ ଡେଜିର ଯେ କିଛି ପ୍ରତିକ୍ରିୟା ନାହିଁ? ପ୍ରକାରାନ୍ତରେ ପରିହାସ କରୁନି ତ ତାଙ୍କୁ?

 

ଆଉ ଅରୁଣାଭ! ଅରୁଣାଭ ତ ଆଉ ବିଦ୍ରୁପ କରି କହୁନାହାନ୍ତି - ପ୍ରଭା, ଦେଖୁଚ ତ ଡେଜିକୁ। ଗୋଟେ ପଶୁ ମା’ ହବାର ମହତ୍ୱ ବୁଝିପାରେ, ଅଥଚ ତମେ ...

 

ଅସହ୍ୟ ଅପମାନରେ ଉତ୍କମ୍ପିତ ପ୍ରଭା ଭୀଷଣ ଭାବେ ହେଇଉଠିବେ ଉତ‌୍‍କ୍ଷିପ୍ତ। ଉନ୍ମତ୍ତ। ଗୋଟେ ଆରଣ୍ୟକ ଅଟ୍ଟହାସ୍ୟରେ ଉତ‌୍‍ଫଣ ହେଇଉଠିବେ ତତ‌୍‍କ୍ଷଣାତ‌୍‍। ସେ ଅଟ୍ଟହାସ୍ୟ କେବଳ ତାଙ୍କ ନିଜର ନିର୍ଜନ ଅଟ୍ଟଳିକାରେ ଧକ୍କାଖାଇ ପ୍ରତିଧ୍ୱନିତ ହଉଥିବ। ଶୁଣିବାକୁ ପାଖରେ କେହି ନଥିବେ।

 

ଡେଜିର ପିଲାମାନେ କିଲିବିଲି ହଉଥିବେ ବାଲିଗଦା ଉପରେ। ଯେମିତି ଦୁନିଆ ଦେଖିବାର ଦୁର୍ବାର ଇଚ୍ଛାରେ ମୁଦ୍ରିତ ଆଖିଗୁଡ଼ିକ ସେମାନଙ୍କର ଉତ୍ସୁକ, ଆମୋଦିତ।

 

ଡେଜି ଏଇମାତ୍ର ବୁଲିଯାଇଥିବ ଗ୍ୟାରେଜ‌୍‍ ଆଡେ଼। ମା’ ହବାର ଖୁସିରେ ସେ ଏଇ କେଇଦିନ ହବ ପାଗିଳି ହେଇଯାଇଚି ଯେମିତି। ଚାରିଆଡେ଼ ବୁଲିବୁଲି ଖୁସି ଖବରଟା ଜଣେଇବାକୁ ବ୍ୟାକୁଳ ହଉଚି ଯେମିତି।

 

ଅରୁଣାଭଙ୍କର ଅଫିସରୁ ଫେରିବା ସମୟ ପାଖେଇ ଆସୁଥିବ।

 

ରିକ୍ତ ହେଇଯାଉଥିବେ ପ୍ରଭା। ରେରେକାର କରୁଥିବ ରକ୍ତରେ ତାତି। ପରସ୍ତ ପରସ୍ତ ପ୍ରସରି ଯାଉଥିବ ପ୍ରତିହିଂସାର ନିଆଁ। ପ୍ରତିଟି ପ୍ରଶିରାରେ।

 

କଂସେଇ ପରି ମାଡ଼ିଆସୁଥିବେ ନିଷ୍ଠୁର ଇଚ୍ଛାମାନେ। ପ୍ରଭାଙ୍କ ହାତମୁଠା ହେଇଯାଉଥିବ ବଜ୍ରଠାରୁ ଆହୁରି କଠିନ। ଆହୁରି ଶକ୍ତ। ଆହୁରି ନିଷ୍ଠୁର। ଲମ୍ୱିଯାଉଥିବ। ଆଗକୁ...ଆହୁରି ଆଗକୁ।

 

ଡିଭାଇନ‌୍‍ ନଗର, ଚାଉଳିଆଗଂଜ, କଟକ

ସଂପର୍କ : ୯୪୩୭୦୯୭୧୭୭


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top