କଣ୍ଢେଇର ସ୍ୱପ୍ନ

News Story - Posted on 2016-11-13

ଚିନ୍ମୟୀ ପଣ୍ଡା

 

‘ଆଃ, ପାଦରେ କଣ ପଶିଗଲା ବୋଧେ’, ସମୁଦ୍ର ବାଲିରୁ ନିଜର ମଇଳା କଳା ପଡି ଫାଟି ଆଁ ମେଲିଥିବା ପାଦକୁ ଅଲଗା କରି ଦେଖିଲା କଣ୍ଡେଇ। ନାଇଁ, ପାଦ ଫାଟିଯାଇଛି, ମା’ ଟା ଭାରି ବଦମାସ‌୍‍। କାଲି କେତେ କଷ୍ଟ ହେଉଥିଲା, ‘ମା’ କାଟୁଚି କାଟୁଚି ପାଦ କାଟୁଚି’ କେତେ ଚିଲ୍ଲେଇ କି କାନ୍ଦିଲା କଣ୍ଢେଇ। ମା’ର କାନରେ କିଛି ପଶିଲାନି। ବେଲୁନ‌୍‍ ଗୁଚ୍ଛାକୁ ବାଲିରେ ପୋତି ଦେଇ ବସିଲା। କାନ୍ଦିଲେ କିଏ ଶୁଣିବ? ତାକୁ କିଛି କରିବାକୁ ହବ। ପଇଡ଼ବାଲା କାଳିଆ ଲୋକଟା ସେଠି ଚିତ୍କାର ଛାଡ଼ୁଛି ନାରିୟଲ‌୍‍ ପାନି.. ଆଗରେ ନୀଳ ସମୁଦ୍ର, କେତେ ଢେଉ।

 

କଣ୍ଢେଇ ଦେଖିଲା, ଗୋଟିଏ ପରିବାର ବୋଧେ, ବାପା, ମା’ ଆଉ କୁନି ଝିଅଟେ। ହେଃ.. ହେଃ.. ସେମାନଙ୍କୁ ଦେଖି ହସିଲା। ଏତେ ବଡ ଝିଅଟା, ତାରି ବୟସର ତ ହେବ। ସମୁଦ୍ରକୁ ଡରୁଚି। ତା’ ବାପା ତାକୁ କାନ୍ଧରେ ଧରୁଛନ୍ତି। ଆହୁରି କାନ୍ଦୁଛି।

 

କଣ୍ଢେଇ ତାଖୁ ଦେଖି ଡେଇଁ ଡେଇଁ ହସିଲା। ଆଃ.. କିଛି ସମୟ ପାଇଁ ପାଦ କଷ୍ଟଟା ଭୁଲି ଯାଇଥିଲା।

               

ଦୌଡିକି ଗଲା, ସମୁଦ୍ର ପାଣିରେ  ଗୋଡ ଧୋଇ ଆସିଲା। ମା’ କାଲି ବାଡେ଼ଇଲା। ବଡ ବଡ ଆଖି କରି ଗାଳି କଲା। ଆଉ କହିବିନି ମା’କୁ। ସମୁଦ୍ର ପାଣି ବାଜି ପୁଣି କାଟିଲା। ବାଲିରେ ଚୁପ‌୍‍ କିନା ବସିଲା କଣ୍ଢେଇ। ଆଖିରୁ ଧାର ଧାର ଲୁହ। ନିଜ ଗୋଡ ହାତକୁ ଚାହିଁଲା। ଛିଃ କେତେ ଅସନା ତା ଦେହ। ସେ ଡରୁଆ ଝିଅର ଦେହ କେତେ ସଫା, ଗୋରା! ଏବେ ସେ ଝିଅଟା ଡର ଛାଡି ତଳକୁ ଓହ୍ଲେଇଚି। କଣ୍ଢେଇ ହଜିଗଲା ସେଇ ପରିବାରର ପାଣି ଖେଳରେ। ବାପା, ମା’ ଦିହାତ ଧରିଛନ୍ତି ସେ ଝିଅଟିର ଦୁଇ ପାଖରେ। ଯେତେବେଳେ ସମୁଦ୍ର ଲହଡି ଆସୁଛି ତାକୁ ଉପରକୁ ଉଠେଇ ଦଉଛନ୍ତି। ଝିଅଟି ଖିଲ‌୍‍ ଖିଲ‌୍‍ ହସୁଛି। ତା ମା ଓ ସେ ଝିଅଟି ବଉଡି ବଉଡି ଖେଳୁଛନ୍ତି। ପୁଣି ତିନିହେଁ ମିଶି ବାଲିଘର ଗଢୁଛନ୍ତି। କଣ୍ଢେଇ ଖୁସିରେ ହସିଲା। ସେମାନଙ୍କ ଖୁସିରେ ସେ ବାଇଆ ହେଲା, ତା ନିଜ ଦୁନିଆ ଭୁଲିଲା। ତାଳି ମାରିଲା କେ‹ଇ କେତେ ମଜା... କେତେ ମଜା ପୁଣି ତା ପାଦକୁ ଚାହିଁଲା।

 

ପାଖରେ ବସି ବୁଢା ନୋଳିଆଟା ତାକୁ ଚାହିଁଚି। କଣ୍ଢେଇ କଣେଇ ଚାହିଁଲା, ‘ଏ କ’ଣ? ଏଇନେ ପାଟି କରିବି ଜାଣିଚୁ, ମୋ ଭାଇ ଏଠି କୋଉଠି ଅଛି, ଆସିବ ନା ତୋ ମୁଣ୍ଡ ଲଣ୍ଡା କରିଦେବ। ଅନଉଚୁ କ’ଣ ମୋ ବେଗରୁ ପଇସା ନବୁ? ହୁଁ.. ଭାରି ଆଇଲୁ.. ଆଇଲୁ କେତେ ନେଲାବାଲା ଦେଖୁଛି।’ ଗୋଟିଏ ନିଃଶ୍ୱାସରେ ଏତିକି କହି କଣ୍ଢେଇ ତା ଲୁହ ସିଙ୍ଗାଣି ବୋଳା ମୁହଁକୁ ସେଇ ବାଲି ହାତରେ ପୋଛି ମିଛ ଦମ୍ଭ ଦେଖାଇଲା।

               

ବୁଢା ନୋଳିଆ ଭଙ୍ଗା ଅସନା ଦାନ୍ତ ଦେଖାଇ ହସି ହସି କାନ ପଛରେ ଖୋସିଥିବା ବିଡି ଟାଣି ତାକୁ ଦେଖି ଆହୁରି ହସିଲା।

               

କଣ୍ଢେଇ ମନେ ମନେ ଡରିଗଲା। ଏମିତି ଦିନେ ଗୋଟେ ଲୋକ ତାକୁ ମାଡି ବସି ତା ମୁଣିରୁ ସବୁପଇସା ନେଇଗଲା। ଡରରେ କଣ୍ଢେଇ ସେଇ ଜାଗା ଛାଡି ପଳେଇବାକୁ ଉଦ୍ୟତ ହେଲା। ବେଲୁନ‌୍‍ ଗୁଚ୍ଛା ପାଖେ ହିଁ ତ ବସିଛି ବୁଢା। ମନେ ମନେ ଗାଳି କଲା। ମନେ ମନେ ଦଉଥିବା ଗାଳି ଏବେ ଜୋର‌୍‍ ଜୋର‌୍‍ରେ କହିଲାଣି, ‘ଏ ବୁଢା ମାରିବି ଜାଣିଛୁ, ମୋ ବେଲୁନ‌୍‍ ନବୁ? ହାତ ଲଗେଇ ଦେଖ୍‌’ କହି କହି ନିଜ ସୁରକ୍ଷା ପାଇଁ ତଳୁ ବାଲି ଉଠେଇ ସାରିଥିଲା କଣ୍ଢେଇ। ଯୁଦ୍ଧ ପାଇଁ ନିଜକୁ ପ୍ରସ୍ତୁତ କରିସାରିଥିଲା ସେ। ବୁଢା ଦଉଡି ଆସି କଣ୍ଢେଇକୁ ଧରି ତା ହାତ ମୁଠାରୁ ବାଲି ଫିଙ୍ଗି ଦେଇ ଖୁବ‌୍‍ ଜୋରରେ ପାଟିଟେ କଲା। କ’ଣ କହିଲା ସେଇ ଜାଣିଥିବ। କଣ୍ଢେଇ କାନରେ ଗୁଡେ ତେଢା ମେଢା ଶବ୍ଦ ପଡିଲା। ଆଉ ସମ୍ଭାଳି ପାରିଲାନି କଣ୍ଢେଇ, ଶେଷ ଅସ୍ତ୍ର ପ୍ରୟୋଗ କଲା ଖୁବ‌୍‍ ଜୋର‌୍‍ରେ କାନ୍ଦିଲା।

 

ବୁଢା ତାକୁ ଟାଣି ଅଣ୍ଡା ବିକୁଥିବା ଲୋକଟା ପାଖକୁ ନେଇଗଲା। କଣ୍ଢେଇର ଶତ ଚେଷ୍ଟା ବେକାର। ପବନରେ ଉଠେଇବା ଭଳି ବୁଢା ତାକୁ ଉଠେଇ ନେଇ କ’ଣ କହିଲା କେଜାଣି ସେ ଅଣ୍ଡା ବିକା ଲୋକଟା କିରୋସିନି ଡବା ଖୋଲିଲା। ତା’ର ଯୋଉ ଗୋଡରେ ଖଣ୍ଡିଆ ହୋଇଛି ବୁଢା ସେଇ ଗୋଡ ଟାଣି ତା ଖଣ୍ଡିଆ ଫାଟି ମେଲା ହୋଇଯାଇଥିବା ଜାଗା ଦେଖେଇଲା, ଅଣ୍ଡାବାଲା ସେଥିରେ କିରୋସିନ‌୍‍ ଢାଳିଲା... ମା’ଲୋ ମରିଗଲି ମରିଗଲି ବୋଲି କେତେ କାନ୍ଦିଲା, ସେ ବୁଢାକୁ ରାମ୍ପୁଡି କାମୁଡି ପକାଇଲା।

 

ଅଣ୍ଡାବାଲା ଲୋକଟା ଦାନ୍ତ ଆଖି ଦେଖାଇ ତାକୁ କେତେ ଗାଳି କଲା ଓ ବେଞ୍ଚରେ ବସିବା ପାଇଁ ହୁକୁମ‌୍‍ ଦେଲା, ‘ଏ ଝିଅ ତର ବଲ କଲା, ମୋ ବାପା, ତ ଗଡ କଣ୍ଡିଆ ବଲ‌୍‍ କଲା, ତୁ ଗାଳି କରୁଚି? ତାକୁ ମାରୁଚି। ଏଇଟି ବସ‌୍‍ ଚୁପ‌୍‍ ବସ‌୍‍। ଗୁଡ ବଲ ଏଲେ ଟିକେ ଟାଇମ ପରେ ଯିବୁ ତୋ ଗରୁକୁ’, ତେଲୁଗୁ ଲୋକର ଏମିତି ଓଡିଆ ଶୁଣି ଶୁଣି କଣ୍ଢେଇ ଅଭ୍ୟସ୍ତ। ବୁଝିଗଲା ଏମାନେ ତାର ଖରାପ କରୁନଥିଲେ।

 

ଗୋଟିଏ ଛୋଟ ଗ୍ଲାସ‌୍‍ରେ ପାଣି ଦେଲା ମୁଁହ ଧୋଇବା ପାଇଁ। କଣ୍ଢେଇ ତଥାପି ଧକଉ ଥାଏ। ଗାଳି ଚାଲିଥାଏ ତା ପାଟିରୁ..ଏଁ.. ମତେ ମାରିଦେଲେ..ଏଁ..ବୁଢା ତୁ ମରିଯା..ଧୀରେ ଧୀରେ ଚୁପ‌୍‍ ହେଲା। ମୁହଁ ଧୋଇ ପାଣି ପିଇଲା।

 

‘ଅଣ୍ଡା କେତେ ଟଙ୍କା?’ ପଚାରିଲା କଣ୍ଢେଇ। ‘ପାଞ୍ଚ ଟଙ୍କା’ ସେମିତି ଦାନ୍ତ ଖୋଳି ଖୋଳି କହିଲା ଲୋକଟା। ‘ପାଞ୍ଚ ଟଙ୍କା..?’ ‘ହୁଁ..’ ମନେ ମନେ ଭାବିଲା.. ସକାଳୁ କିଛି ବିକ୍ରି ହେଇନି। ସେ ପଟେ ରଘୁଆ ତା ଜୀବନ ନେଇଯିବ। ମୁଣିରେ ମାତ୍ର କିଛି ରେଜା ପଇସା ପଡିଛି। ସେଇଟା ବି ସେ ଗଣିକି ନେଇଚି। କାଲି ରାତିଠୁ କିଛି ଖାଇନି।

 

ଆଉ ସମୟ ନଷ୍ଟ ନକରି ବେଲୁନ‌୍‍ ତକ ଧରି ତରତର ହୋଇ ଦଉଡିଲା କଣ୍ଢେଇ। ସେଇ ଝିଅ ପାଖକୁ ଗଲା। ‘ମା’ ବେଲୁନ‌୍‍ ନିଅ ତମ ଝିଅ ଖେଳିବ। ମା’ ପାଞ୍ଚ ଟଙ୍କାରେ ଗୋଟେ ନିଅ.. ନିଅ..।’ ସେ କହୁଥାଏ, ମା ଓ ଝିଅଙ୍କୁ ଦେଖୁଥାଏ। ତାଙ୍କ ସଫା ଦେହ ତାଙ୍କ ପୋଷାକ, ତାଙ୍କ ରଙ୍ଗ.. ଭେଶ...। ‘ମା’ ଗୋଟେ ନିଅ ।’ ସ୍ତ୍ରୀଲୋକ ଜଣକ ତା’ଠୁ ବେଲୁନ‌୍‍ ନେଲେ। ଝିଅର ପସନ୍ଦ ହେଲାନି। ‘ଶୁଣ୍‌’, କଣ୍ଢେଇକୁ ଡାକିଲେ, ‘ନେ ପଚାଶ୍‌ ଟଙ୍କା ରଖ’ ଯା’ କ’ଣ ଖାଇଦେ।

 

‘ନା, ମୋ ବେଲୁନ‌୍‍ ନିଅ ମତେ ପଇସା ଦିଅ।’

 

ସେ ଧୀରେ ଧୀରେ କଣ୍ଢେଇ ପାଖକୁ ଆସିଲେ। କଣ୍ଢେଇ ଚାହିଁଲା, ତାଙ୍କ ଆଖି ମୁହଁ ଆହୁରି ଭଲ ଭାବେ ଦେଖିଲା। କେତେ ସୁନ୍ଦର ସେ ଆଖି! ‘ନେ ଧର’, ଏଥର ଆଉରି ଅଧିକା ଜୋର ଗଳାରେ କହିଲେ ସେ ମା’ ଜଣକ।

 

‘ନାଇଁ....ନାଇଁ...।’

 

କ’ଣ ଚାଲିଛି ଦେଖିବା ପାଇଁ ସେ ଅଣ୍ଡାବାଲା ଆସିଗଲା ପାଖକୁ। ‘ଆରେ ତୋ ବେଲୁନ‌୍‍ ନେ, ମା ଦେଇଛନ୍ତି ପଇସା ନେ.. ଯା’, ଅଣ୍ଡାବାଲା ଲୋକଟା କହିଲା।

 

କଣ୍ଢେଇ କି ଜମା ଇଚ୍ଛା ହେଲାନି। ନାଇଁ ତମେ ଦି’ଟା ବେଲୁନ‌୍‍ ନିଅ ଦଶଟଙ୍କା ଦିଅ । ତା’ଠୁ ଅଧିକା ସାଙ୍ଗେ ସାଙ୍ଗେ ସେ ଗଣି ବି ପାରୁନି। ପଚାଶ ଟଙ୍କାରେ କେତେଟା ବେଲୁନ‌୍‍ ହବ ସେ ଜାଣିନି। ଦଶ ଟଙ୍କାରେ ଦି’ଟା ଏମିତି ଗଣି ଗଣି ସେ ପଚାଶ ଯାଏଁ ଯିବ। ଏବେ ତାକୁ ଲାଜ ଲାଗୁଛି ସେମିତି ଗଣିବା ପାଇଁ। ତା’ ହାତରେ ଜବରଦସ୍ତ ଶହେ ଟଙ୍କା ଧରେଇ ତା’ ସବୁ ବେଲୁନ‌୍‍ ମାଗିଲେ। କଣ୍ଢେଇ ତା’ଙ୍କ ସୁନ୍ଦର ମୁହଁକୁ ଚାହିଁ ଚାହିଁ ସବୁ ବେଲୁନ‌୍‍ ଦେଇ ଦେଲା ଓ ସେଇ ପାଖରେ ବାଲିରେ ବସିଗଲା। ସେଇ ମା’ ଝିଅଙ୍କ ଖେଳ ଦେଖିବା ପାଇଁ। ଦିହେଁ ମିଶି ବେଲୁନ‌୍‍ ତକ ଉପରକୁ ଉଡେ଼଼ଇ ଦେଲେ, ପୁଣି ପାଣିରେ କେତେ ଖେଳିଲେ।

 

କଣ୍ଢେଇ ସେମାନଙ୍କ ଖେଳ ଦେଖି ଖୁସିରେ ପାଗଳ ହେଇଗଲା। ସେ ଚିଲ୍ଲେଇଲା, ଗୀତ ଗାଇଲା, ସମୁଦ୍ରରେ ବହୁତ ଖେଳିଲା।

 

କୂଳରୁ ରଘୁଆ ଦେଖିଲା, କଣ୍ଢେଇ କି, ଟାଣି ଆଣିଲା, ଏଃ... ବେଲୁନ‌୍‍ କାହିଁ?

 

କଣ୍ଢେଇ ହୋସ‌୍‍କୁ ଆସିଲା, ‘ମୁଁ ସବୁ ବିକି ଦେଲି, ମତେ ଖାଇବାକୁ ଦେ’, ଡେଇଁ ଡେ଼ଇଁକି କହିଲା ଣ୍ଢେଇ।

 

‘ମୁଁ ଶହେ ଟଙ୍କା ଆଣିଛି, ଖାଇବାକୁ ଦେ।’

 

‘ଆଜି ମୁଁ ସବୁ ଖାଇବି। ଏ ଅଣ୍ଡା ଖାଇବି, ସେ ମସଲା ମୁଢ଼ି ଖାଇବି... ଏମିତି କେତେ କ’ଣ କହିଚାଲିଥିଲା କଣ୍ଢେଇ।

 

ରଘୁଆର ଥାପଡ଼ରେ ସେ ପ୍ରକୃତିସ୍ତ ହେଲା, ‘ଏଃ! କାଇଁ ପଇସା ଦେ!’

 

‘ଦଉଚି! ମତେ ଖାଇବାକୁ ଦବୁ, ମୁଁ ଯାହା କହିବି।’ କଣ୍ଢେଇ ପଇସା ଖୋଜୁଛି। ପଇସା କାହିଁ....? ସବୁ ଖୋଜିଲା...ସବୁଠି ଦେଖିଲା..ପଇସା କାହିଁ?

 

ତା ସମୁଦ୍ର ଖେଳରେ ପଇସା କୁୂଆଡେ଼ ପଳେଇଛି। କେବଳ କିଛି ଖୁଚୁରା ପଇସା ପଡ଼ି ରହିଛି।

 

ରଘୁଆର ମାଡ଼ରେ ଲହୁ ଲୁହାଣ କଣ୍ଢେଇ ଥକି ଶୋଇଯାଇଛି। ଆଉ ସ୍ୱପ୍ନ ଦେଖୁଚି ସେ ବି ସୁନ୍ଦର ହେଇଯାଇଛି ଓ ମା’ ସାଥୀରେ ସମୁଦ୍ରରେ ଖେଳୁଛି।


ପ୍ରତିକ୍ରିୟା

Rasmita das - Email: rasmitad1972@gmail.com - Posted on 2016-11-13 21:19:58

Very nice story!! Very Realistic!

Rasmita das - Email: rasmitad1972@gmail.com - Posted on 2016-11-13 21:19:58

Very nice story!! Very Realistic!

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top