ବହିତ୍ର ଲାଗିଲା ଯାଇ ସିଂହଳ ଦ୍ୱୀପରେ

News Story - Posted on 2016-11-12

ଦେବଦତ୍ତ ରଥ

 

ପ୍ରାଚୀନ ଶାସ୍ତ୍ରକାରମାନେ ମୁକ୍ତକଣ୍ଠରେ ଉଦ‍୍‌ଘୋଷଣ କରିଛନ୍ତି-

 

ବାଣିଜ୍ୟେ ବସତେ ଲକ୍ଷ୍ମୀ, ତଦର୍ଦ୍ଧଂ କୃଷିକର୍ମଣି;

ତଦର୍ଦ୍ଧଂ ରାଜସେବାୟାଂ, ଭିକ୍ଷା ନୈବଚ ନୈବଚ ।

 

ଏକ ସମୃଦ୍ଧ ଜାତିର ଐତିହ୍ୟ ପରମ୍ପରାପୁଷ୍ଟ ପରମ୍ପରାକୁ ବାଦ‍୍‌ଦେଲେ ସେ ଜାତି ମୃତବତ୍ ହୋଇ ପଡ଼ିରହେ। ଓଡ଼ିଆ ଜାତିର ସ୍ୱାଭିମାନ, ନିଷ୍ଟା, ପରାକାଷ୍ଟା, ଧୈର୍ଯ୍ୟ ଓ ଅଦମ୍ୟ ସାହାସ ତାକୁ ଆଜି ସମଗ୍ର ବିଶ୍ୱ ଦରବାରରେ ସୁଦୃଢ ଭାବେ ଦଣ୍ଡାୟମାନ। ତତ୍କାଳୀନ ବାଣିଜ୍ୟ, ବିପଣନ ଓ ବ୍ୟବସାୟ ମୁଖ୍ୟତଃ ଜଳପଥ ମାଧ୍ୟମରେ ଶତାଧିକ ବର୍ଷଧରି ଚଳିଆସିଥିଲା। ଯେଉଁ ଜାତି ଜଳପଥରେ ଯେତେ ଦୂର ଯାତାୟତରେ ପାରଙ୍ଗମ, ସେ ଜାତି ସେତେ ଧନରେ ସମୃଦ୍ଧ। ଆଜି ବି ସେଇ ପାରମ୍ପାରିକ ଢଙ୍ଗରେ ପ୍ରତ୍ୟେକ ଓଡ଼ିଆ ପ୍ରାଣତନ୍ତ୍ରୀରେ ଅଦ୍ୟାବଧି ଅନୁରଣିତ ହୋଇଉଠେ।

 

ଆ, କା, ମା ଭୈ, ପାନ, ଗୁଆ, ଥୋଇ...ମାସକ ଧରମ ମୋର ପାନ ଗୁଆ ତକ ତୋର।

 

କଞ୍ଚା କଦଳୀ ପଟୁକାରେ ଓଡି଼ଆଣୀମାନେ ନିର୍ମାଣ କରନ୍ତି ସ୍ପର୍ଦ୍ଧିତ ସ୍ୱାଭିମାନର ପରମ ଓ ଚରମ ସନ୍ତକ ସ୍ୱରୂପ ଡ଼ଙ୍ଗା। ରଜନୀର ଶେଷଯାମରେ ପୁଷ୍କରଣୀ ଓ ନଦୀ ମଧ୍ୟରୁ ଭସେଇ ସାଧକ ପୁଅମାନଙ୍କର ମଙ୍ଗଳ ମନାସି ଅକ୍ଷତରାଶି, ବଳିତା ଜାଳି ଆନନ୍ଦ ମନରେ ହୁଳହୁଳି ଧୂନିରେ ଗଗନ ପବନ ମୁଖରିତ କରିଅଛନ୍ତି। ଉତ୍କଳୀୟମାନେ ଅତୀତକୁ ମନେ ପକାଇ ସ୍ମୃତି ଜାଗରଣ କରିବାରେ ଧୁରନ୍ଧର। ଓଡ଼ିଶାର ଯେଉଁସବୁ ପ୍ରାଚୀନତମ ବନ୍ଦର ତତ୍କାଳୀନ ଓଡ଼ିଶାର ସମୃଦ୍ଧିର ଗନ୍ତାଘର ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ସେମାନଙ୍କ ମଧ୍ୟରେ ଚେଳି ତାଳ, ପାଲୁର, ଗୋପାଳପୁର, ହରିଶପୁର, ମରିଚପୁର ଆଦି ଉଲ୍ଲେଖଯାଗ୍ୟ। ଟଲେମିଙ୍କ ଭୌଗୋଳିକ ବିବରଣୀ ଅନୁସାରେ ପ୍ରଥମ ଶତାବ୍ଦୀ ବେଳକୁ ଓଡ଼ିଶା ଥିଲା ଏକ ବନ୍ଦର ସମୃଦ୍ଧ ରାଜ୍ୟ ସମଗ୍ର ଭାରତ ଭୂଖଣ୍ଡରେ। ସେସବୁ ମଧ୍ୟରେ ନଦିଗେନ‍୍‌ (ପୁରୀ), କାଟିକର୍ଦ୍ଦମ (କଟକ), କୋଣଗର (କୋଣାର୍କ) ସମ୍ୱନ୍ଧୀୟ ଏକ ପ୍ରସ୍ତର ଫଳକ ସୂର୍ଯ୍ୟମନ୍ଦିର ପଛଭାଗରେ ଉପଲବ୍ଧ। କୋଣାମ୍ୱ (ବାଲେଶ୍ୱର), ପଲଲୁର (ଜଳେଶ୍ୱର), ମନନ୍ଦ (ମହାନଦୀ), ତଦିସ (ବ୍ରାହ୍ମଣୀ), ଦୋସରମ‍୍‌ (ବୈତରଣୀ), ଅଦମସ‍୍‌ (ସୁର୍ଣ୍ଣରେଖା), ଯକୁରା (ଗଞ୍ଜାମ) ଆଦି ଥିଲା ତତ୍କାଳୀନ ଉତ୍କଳର ଅନ୍ୟ କେତେକ ପ୍ରଧାନ ବନ୍ଦର। ସାଧାରଣ ଦୃଷ୍ଟିକୋଣରୁ ବିଚାର କଲେ ସ୍ୱଷ୍ଟ ବାରି ହୋଇପଡେ଼ ଗୋଟିଏ କଥା ଯାହା ଏକାନ୍ତ ସତ୍ୟ ଓ ଭିତ୍ତିଭୂମି ଉପରେ ପର୍ଯ୍ୟବେସିତ। ଯେଉଁ ଦେଶ ବା ଜାତିର ଜଳଯାତ୍ରା କ୍ଷେତ୍ରରେ ଯେତେ ଦକ୍ଷତା ପ୍ରଦର୍ଶନ କରିପାରିଛି, ସେ ଜାତି ସେତେ ସମୃଦ୍ଧ ତଥା ବିଭବଶାଳୀ। ଭାରତବର୍ଷର ତିନି ଦିଗରେ ସମୁଦ୍ର ଘେରି ରହିଅଛି, ସେହି କାରଣରୁ ଏ ଜାତି ଅତୀତରେ ନୌବାଣିଜ୍ୟରେ ସେତିକି ସମୃଦ୍ଧ ଓ ସୁଦୃଢ ହୋଇଥିବ ଏକଥା ଇତିହାସ କହେ।

 

ଅତୀତର କଳିଙ୍ଗ ରାଜ୍ୟ ଆଗଙ୍ଗାଗୋଦାବରୀ ପର୍ଯ୍ୟନ୍ତ ସୁବିସ୍ତୃତ ଥିଲା। ଖ୍ରୀ ୧୬ ଶତାବ୍ଦୀର ମଧ୍ୟଭାଗରେ ଓଡ଼ିଶାର ସ୍ୱାଧୀନତା ଲୁପ୍ତ ହେବା ପରେ ଦାକ୍ଷିଣାତ୍ୟ ସ୍ଥିତ ଗୋଲକୁଣ୍ଡା ପ୍ରଭୃତିର ଯବନରାଜମାନେ ମରହଟା ଶାସକମାନଙ୍କୁ ସେମାନଙ୍କ କବଳରୁ ନିଜକୁ ସୁରକ୍ଷିତ କରିବା ପାଇଁ ୧୭୫୧ ଠାରୁ ସୁବର୍ଣ୍ଣରେଖା ନଦୀର ଦକ୍ଷିଣଭାଗ ମରହଟ୍ଟାମାନଙ୍କୁ ଛାଡ଼ିଦେଲେ। ସେହିଦିନଠାରୁ ସୁବର୍ଣ୍ଣରେଖାର ଉତ୍ତର ପାର୍ଶ୍ୱବର୍ତ୍ତୀ ଉତ୍କଳାଂଶ ଓଡ଼ିଶାରୁ ବିଚ୍ଛିନ୍ନ ହୋଇ ବଙ୍ଗ ପ୍ରଦେଶରେ ସଂଯୁକ୍ତ ହୋଇଛି। ବର୍ତ୍ତମାନର ରାଜନୈତିକ ମାନଚିତ୍ରରେ ଓଡ଼ିଶାର ରୂପରେଖ ଠିକରୂପେ ସ୍ଥିରୀକୃତ ନୁହେଁ। ଏହି ଉପକୂଳବର୍ତ୍ତୀ ବିଶାଳ ଭୂଖଣ୍ଡବାସୀ ନୌଚାଳନା ଓ ବାଣିଜ୍ୟିକ ସମ୍ପର୍କର ସୁରକ୍ଷା ଦିଗରେ ବିସ୍ମୟ ପ୍ରଗାଢ ଯତ୍ନବାନ ହୋଇଥିବେ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।

 

ପୋତ ବିବିଧ ପ୍ରକାର। ଏହାର ଗଠନବିଧି ଓ ପ୍ରଣାଳୀ ବେଶ‍୍‌ ରୁଚିକର। ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷିତ ପୋଥିରେ ଏହାର ବର୍ଣ୍ଣନା କରାଯାଇଛି। କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ବର୍ଣ୍ଣନା ଅଛି-‘ସପ୍ତାହ ବୃତ୍ତମାଷାଢୀ କୀର୍ତ୍ତିକାଂ ଚାନ୍ତନ୍ତରଃ, କାମିକ ପ୍ରତ୍ୟୟଂଦଦ୍ୟାତମ୍ଫ ନିତ୍ୟଂ ଚାହ୍ନିକମାବହେତ୍।

 

ଆଷାଢ ସପ୍ତମୀଠାରୁ ଜଳାଶୟମାନେ ଜଳପରିପୂର୍ଣ୍ଣା ଥାନ୍ତି। କାର୍ତ୍ତିକମାସ ବେଳକୁ ନଦୀରୁ ଉଦ‍୍‌ବୃତ ଜଳରାଶି ଚାଲିଯାଇଥାଏ, ବୋଇତ ଯାତାୟତରେ ବାଧା ନଥାଏ। ସେଦିନ ଏକ ମାହେନ୍ଦ୍ର ବେଳାରେ ମହାନଦୀରେ ଏକ ଜ୍ୟୋତ୍ସାବିଧୌତ ରଜନୀରେ ରାକା ରଜନୀ ବଧୂ ତିଳତୁଣ୍ଡଳିତ ଛାଇରେ ପ୍ରକୃତିପ୍ରେମୀ ମାୟାଧର ମାନସିଂ ଅତୀତ ଉତ୍କଳର ସେହି ସୁବର୍ଣ୍ଣମୟ ମୁହୁର୍ତ୍ତମନେ ପକାଇ ଗାଇଛନ୍ତି - ସେ ରାଜା ଯାଇଛି ଚାଲି ଦୁର୍ଗ ତାର ନାହିଁ, ତା ସଙ୍ଗେ ଯାଇଛି ମିଶି ସେ ବୀର ହୃଦୟ।

 

ଆଜି ଏ ବିଶାଳଗର୍ଭ ମହାନଦୀର ତଟଶୋଭିନୀ ବାରବାଟି ଦୁର୍ଗର ଉପକୂଳରେ ସାଧବପୁଅର ବୋଇତ ବାଣିଜ୍ୟ କରି ପ୍ରବେଶ କରୁନାହିଁ, କୁଳବଧୂମାନେ ଅର୍ଘ୍ୟଥାଳୀ ଧରି ଧୂପ, ଦୀପ ଦୁର୍ବାକ୍ଷତ ଧରି ବନ୍ଦାପନା ନିମନ୍ତେ ପ୍ରସ୍ତୁତି ବି ଶୂନ୍ୟ।

 

ବାଣିଜ୍ୟିକ ସମ୍ପର୍କ, ସାଂସ୍କୃତିକ ସମ୍ୱନ୍ଧ ଏବଂ ଦେଶ ଦେଶ ମଧ୍ୟରେ ଅଖଣ୍ଡ ଐକ୍ୟ ଓ ସମନ୍ୱୟ ପ୍ରତିଷ୍ଠାର ସ୍ୱପ୍ନ ଏ କଳିଙ୍ଗର ସାଧକପୁଅ ଦେଖିଥିଲେ ଜାଭା, ବାଲି, ସୁମିତ୍ରା, ବୋଣ୍ଣିଓ, ସିଂହଳ, ଥାଇଲାଣ୍ଡ, ବ୍ରହ୍ମଦେଶ, ଇଣ୍ଡୋନେସିଆ ପ୍ରମୁଖ ଦେଶମାନଙ୍କର ଓଡ଼ିଶାର ସାଂସ୍କୃତିକ ଦିଗ୍‌ବିଜୟ ଏକ ଭିନ୍ନ ରୂପ ଗ୍ରହଣ କରିଥିଲା। ସେଠାରେ କ୍ଲିଙ୍ଗ ଭାବରେ ଅଦ୍ୟାବଧି ଛାଡ଼ି ଆସିଥିବା ଛାପ ମଧ୍ୟ ପରିଦୃଷ୍ଟ ହୁଏ। ଓଡ଼ିଶା ବିଧାନସଭାରେ ଭୂତପୂର୍ବ ବାଚସ୍ପତି ସୋମନାଥ ରଥ ଶ୍ରୀଲଙ୍କା ଗସ୍ତରେ ଯାଇ ସେଠାରେ ଏକ ବହୁ ପ୍ରାଚୀନ କେନାଲ ଦେଖିଥିଲେ। ତାଙ୍କ ସହିତ ଥିବା ଗାଇଡ଼ କହିଲା ଯେ ଆପଣଙ୍କ ଓଡ଼ିଶା ରାଜ୍ୟରୁ ଲୋକ ଆସି କୃଷି ଉତ୍ପାଦନ ନିମନ୍ତେ ଏଠାରେ ଏ କେନାଲ ଖୋଳିଛନ୍ତି। ଅଦ୍ୟାବଧି ଇଣ୍ଡୋନେସିଆ, ମିଆଁମାର, ଥାଇଲାଣ୍ଡରେ ମଧ୍ୟ ଓଡ଼ିଆମାନଙ୍କର ହାତ ତିଆରି ଦ୍ରବ୍ୟ ଦୃଷ୍ଟିଗୋଚର ହୁଏ। ପଥର ତିଆରି ଭିନ୍ନ ରକମର ଶିଳ, ଚକି, ଘୋରଣା, ମାଟିପାତ୍ର, ସୂକ୍ଷ୍ମ ପାଟବସ୍ତ୍ର ତାରକସି କାର୍ଯ୍ୟ, ଖୋଦେଇ ଶିଳ୍ପ, ଲାଖ ନିର୍ମିତ କେ‹ଇ, କାଇଁଚ ମାଳି, ସବାଇ ଘାସରେ ନିର୍ମିତ ଭିନ୍ନ ସାଜସଜ୍ଜା ସାମଗ୍ରୀ, କାଠରେ ପ୍ରସ୍ତୁତ ଭିନ୍ନ ଘରକରଣା ଦ୍ରବ୍ୟଠାରୁ ଆରମ୍ଭ କରି ବଡ଼ ବଡ଼ ପଦାର୍ଥ, ତାଳପତ୍ର ନିର୍ମିତ ଡ଼ାଲା, ଭୋଗେଇ, ବେତରେ ନିର୍ମିତ ନାମିଦାମୀ ସରଞ୍ଜାମ, ନୀଳଗିରିର ପଥରି ବାସନ, ପାରଳାଖେମୁଣ୍ଡିର ଶିଙ୍ଗ କାରୁକାର୍ଯ୍ୟ, ବାଳକାଟି, ଭଟ୍ଟିମୁଣ୍ଡା, କଣ୍ଟିଲୋର କଂସା ବାସନ ଶିଳ୍ପର ଆଦର ପ୍ରଭୃତ ଭାବରେ ପରିଦୃଷ୍ଟ ହୁଏ। ପିପିଲିର ଚାନ୍ଦୁଆ ଶିଳ୍ପ, ରେଶମ, ଟସର ପ୍ରସ୍ତୁତ ପାଟମଠା ନିର୍ମିତ ବସ୍ତ୍ର ରପିାନୀ ହୁଏ। ବାଉଁଶନଳ ମଧ୍ୟରେ ୧୨ ହାତ ଲମ୍ୱର ସୂକ୍ଷ୍ମ ପାଟବସ୍ତ୍ର ପଠାଯିବାର ନଜିର ମଧ୍ୟ ରହିଅଛି। ନଦୀ ଜଳ ମଧ୍ୟରେ ହସ୍ତୀ ବିଦେଶକୁ ପ୍ରେରଣ କରାଯିବାର ଦୃଶ୍ୟ ଓ ବୈଦେଶିକ ରାଜ୍ୟର ଜିରାଫ୍କୁ ଓଡ଼ିଶା ରାଜାଙ୍କ ଉଦ୍ଦେଶ୍ୟରେ ପ୍ରୀତି ଉପହାର ପ୍ରଦାନର ଚିତ୍ର କୋଣାର୍କ ମନ୍ଦିର ଗାତ୍ରରେ ସ୍ପଷ୍ଟ ଭାବରେ ଖୋଦିତ ହୋଇଅଛି।

 

ବରଗଡ଼, ସୁନ୍ଦରଗଡ଼, ସମ୍ୱଲପୁର ଓ କଳାହାଣ୍ଡି ଏବଂ ବଲାଙ୍ଗୀରରୁ ୨୧ ପ୍ରକାରର ସୁବାସିତ ଚାଉଳ ଦେଶ ବିଦେଶକୁ ପଠାଯାଉଥିଲା। ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧର ଭୟାବହ ଅବସାନ ପରେ ନିଜର ପୁତ୍ର ମହେନ୍ଦ୍ର ଓ କନ୍ୟା ସଂଘମିତ୍ରାଙ୍କୁ ଜଳପଥରେ ବୋଇତରେ ବିଦେଶ ପଠାଥିଲେ ବୌଦ୍ଧ ଧର୍ମର ବାର୍ତ୍ତା ପ୍ରଚାର କରିବାକୁ। ଆଜି ବି ଜାଭା, ବାଲି, ସୁମାତ୍ରା, ବୋର୍ଣ୍ଣିଓ ଦ୍ୱୀପରେ ଓଡ଼ିଶାର ଛାପ ପରିଦୃଷ୍ଟ ହୁଏ। ଏହାକୁ ପାଥେୟ ଦିବଂଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୯୨ ମସିହାରେ ନଭେମ୍ୱର ୧୦ ତାରିଖରେ ପାରାଦ୍ୱୀପରୁ ବାଲିଦ୍ୱୀପ ଇଣ୍ଡୋନେସିଆକୁ ଜଳପଥରେ ବୋଇତ ପଠାଇ ଉଭୟ ଦେଶ ମଧ୍ୟରେ ଅତୀତର ସ୍ମୃତିକୁ ଜାଗ୍ରତ କରିଥିଲେ। ଏବେ ମଧ୍ୟ ବ୍ରହ୍ମଦେଶରେ କଳିଙ୍ଗରାଟ ଓ ଉତ୍କଳରାଟ ଅତୀତର ଗୌରବାବହ ସ୍ମୃତି ଉଦ୍ରେଖ କରାଇଦିଏ। ପୂର୍ବ ସାଗରରେ ଥିବା ଦ୍ୱୀପପୁଞ୍ଜ ନୁହେଁ, ଜାପାନ ଚୀନ‍୍‌, ବ୍ରହ୍ମଦେଶ ଓ ପଶ୍ଚିମରେ ଥିବା ମରିସସ‍୍‌ କୀଟଦ୍ୱୀପ, ସୁଦୂର ଆମେରିକା ପର୍ଯ୍ୟନ୍ତ ଓଡ଼ିଆ ସାଧକମାନେ ବୋଇତ ନେଇ ବାଣିଜ୍ୟ କରାଯିବାର ପରମ୍ପରା ମଧ୍ୟ ଅତୁଟ ରହିଥିଲା। ଇତିହାସର ଆଇନାରେ ସ୍ପଷ୍ଟଚିତ୍ର ବାରବାଟିର ଆଜି ଆମକୁ ଯେତିକି ପ୍ରାପ୍ତ ହୁଏ ଦେଖିଲେ ବକ୍ଷ ବିଦୀର୍ଣ୍ଣ ହୋଇଉଠେ।

 

ଓଡ଼ିଆ ଜାତିର ଐତିହ୍ୟ ଇତିହାସ ପୃଷ୍ଟାରେ ବାଲିଯାତ୍ରା ପ୍ରତିବର୍ଷ ମହା ଆଡ଼ମ୍ୱର ସହିତ ମହାନଦୀ କୂଳ ପଠାରେ ପାଳିତ ହୁଏ। ଓଡ଼ିଆ ଭାଷା ଓ ଜାତିର ସମର କଳା ନୈପୁଣ୍ୟ, ବିବିଧ ଖାଦ୍ୟ ପସରା, ବିବିଧ ଦ୍ରବ୍ୟର ବିଶାଳ ବିପଣନ ଦେଖିଲେ ବକ୍ଷ ଆମର ବିଷ୍ପାରିତ ହୁଏ। ଶତାଧିକ ବର୍ଷ ପଛକୁ ଫେରିଯିବାକୁ ହୁଏ ଯେ ଏ ଜାତିର ଅଦମ୍ୟ ସାହାସିକତା, ଧୈର୍ଯ୍ୟ ଓ ତ୍ୟାଗ, ଶୌର୍ଯ୍ୟ ଓ ବୀର୍ଯ୍ୟ ନିକଟରେ ସମଗ୍ର ବିଶ୍ୱ ମଥାପାତି ସ୍ୱୀକାର କରି କହେ, କଳିଙ୍ଗାଃ ସାହସିକଃ। ଯେଉଁ ଜାତିର ଭାଗ୍ୟ ଆକାଶରେ ଦିନେ ଦୁର୍ଦ୍ଦାନ୍ତ, ଅଇରିକୁଳ ଧୁମକେତୁ ମହାମହିମ ଖାରବେଳେ, ବୀରଶ୍ରୀ ଗୌଡେ଼ଶ୍ୱର କପିଳେନ୍ଦ୍ର ଦେବଙ୍କପରି ଦେଶ ଭକ୍ତ ସ୍ୱାଭିମାନୀ ପ୍ରଚଣ୍ଡ କୋଟି କୋଟି ମତ୍ତଗଜପରାକ୍ରମୀ ପ୍ରଚଣ୍ଡ ସେନାନୀ ପରିବେଷ୍ଟିତ ବୀରଦର୍ପରେ ସମଗ୍ର ଦାକ୍ଷିଣାତ୍ୟର ସ୍ୱାଭିମାନ ଓ ଦର୍ପଚୁର୍ଣ୍ଣ କରିଥିଲେ ଓଡ଼ିଶାର ବନ୍ଦର ପ୍ରାଚୀନ ଉତ୍କଳ ନୌବାଣିଜ୍ୟ ପରମ୍ପରା ତାହାର ମୂକସାକ୍ଷୀ। ଏହି ଚେଳିତାଳୋକୁ କେହି ଚରିତ୍ରପୁର ବୋଲି ଆଖ୍ୟା ଦେବା ସହିତ ଡ଼ଃ ରାଖାଲ ଦାସ ବାନାର୍ଜୀ ଓ ଡ଼ଃ ନବୀନ କୁମାର ସାହୁ ଏହାର ଅବସ୍ଥିତି ପୁରୀରେ ଥିଲା ବୋଲି ମତ ପ୍ରଦାନ କରିଥିବା ବେଳେ ଅନେକ ଏହାର ଅବସ୍ଥିତି ଚିତ୍ରୋତ୍ପଳା ନଦୀରେ ଥିଲା ବୋଲି ପ୍ରମାଣ ଦିଅନ୍ତି। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲାବଣ୍ୟବତୀ କାବ୍ୟରେ ଳେଖିଛନ୍ତି-

 

ଏଇ କାଳେ ଜଗାଇଲେ ବେତ୍ରକର, ଆସି ବୋଇତ ଆଳକେ ଅଛି ଦ୍ୱାର

ବୋଲେ ସିଂହଳ ଦୀପୁ ଆସିଛି ମୁହିଁ, ଇଚ୍ଛା ମୋର ଯୁବରାଜ ଭେଟ ପାଇଁ

ବହିତ୍ର ଲାଗିଲା ଯାଇ ସିଂହଳ ଦ୍ୱୀପରେ, ସାଧବ ଯୁବତୀମାନେ ଅତି ପ୍ରମୋଦରେ

ଗଲେ ବହିତ୍ର ବନ୍ଦାଇ, ଅର୍ଘ୍ୟଥାଳି ମାଳକରେ ହୁଳହୁଳି ଦେଇ।

 

ଏତଦ‍୍‌ବତୀତ ପୁରାଣଜାତକ, ଶିଳାଲିପି, ପ୍ରତ୍ନତାତ୍ୱିକ ବିଭବ, ମୁଦ୍ରାରୁ ଉପଲବ୍ଧ ହୁଏ ତତ୍କାଳୀନ ସାଂସ୍କୃତିକ ତଥା ବାଣିଜ୍ୟକ ସମ୍ପର୍କ ଓଡ଼ିଆ ସାଧବ ସହିତ ଯେ କେତେ ସୁଦୃଢ ଥିଲା। ଆଜି ସବୁ ସ୍ୱପ୍ନ ପ୍ରାୟ ରାଧାନଗର ଦୁର୍ଗ, ଖାଲକଟା ପାଟଣା, ମାଣିକପାଟଣା, ଜଉଗଡ଼ ଏମାନେ କାଳକାଳକୁ ରହିଗଲେ ଇତିହାସ ପୃଷ୍ଟାରେ ମୂକସାକ୍ଷୀ। ପ୍ରତ୍ନତତ୍ତ୍ୱ ଗବେଷଣା ଓ ଅନୁଧ୍ୟାନ ଖୋଦନ ରହିଗଲା ଆଧାର ହୋଇ ପରବର୍ତ୍ତୀ ଯୁବପୀଢିଙ୍କୁ ପ୍ରେରଣା ଦେବାପାଇଁ।

 

ସହକାରୀ ପର୍ଯ୍ୟଟକ, ପର୍ଯ୍ୟଟନ ବିଭାଗ, ଭୁବନେଶ୍ୱର-୧୪


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top