ହନୁମାନ ପଇଁ ୨୦ ହତ୍ୟା!

News Story - Posted on 2016-11-12

ସୁଧାଂଶୁ ଶେଖର ଧଡ଼ା

 

ଏବେ କିଛିଦିନ ହେଲା ହନୁମାନ ପଇସାକୁ ନେଇ ରାଜ୍ୟର ଗଣମାଧ୍ୟମଗୁଡ଼ିକରେ ବିଭିନ୍ନ ପ୍ରକାରର ସମ୍ୱାଦ ଦୃଷ୍ଟିଗୋଚର ହେଉଛି। ହନୁମାନ ପଇସାର ରହସ୍ୟମୟ ଶକ୍ତି ସଂପର୍କରେ ଜନମୁଖରେ ପ୍ରଚାରିତ ବିଭିନ୍ନ କଥାକୁ ନେଇ ଲୋକେ ବିଭ୍ରାନ୍ତ ହେଉଥିବା ଲକ୍ଷ୍ୟ କରାଯାଇଛି। ଗତ ଛଅ ବର୍ଷ ମଧ୍ୟରେ ହନୁମାନ ପଇସା କିଣାବିକା ନେଇ ଅନ୍ୟୂନ କୋଡିଏଟି ହତ୍ୟାକାଣ୍ଡ ରାଜ୍ୟରେ ଘଟିଥିବା ବିଭିନ୍ନ ସମ୍ୱାଦପତ୍ରରୁ ଜଣାପଡେ଼। ତେବେ ଏହାକୁ ନେଇ ରହିଥିବା ଅବଧାରଣା ହଜାର ହଜାର ବର୍ଷର ପୁରୁଣା। ତେଣୁ ରହସ୍ୟବାଦର ଆଲୋଚନା କରି ହନୁମାନ ପଇସା ପଛରେ ଥିବା ପ୍ରତାରଣାକୁ ଲୋକଲୋଚନକୁ ଅଣାଗଲେ ଲୋକେ ଜ୍ଞାତସାର କିମ୍ୱା ଅଜ୍ଞାତସାରରେ ଏ ସଂପର୍କିତ ଅପରାଧ କରି ବସିବେ ନାହିଁ।

 

ହନୁମାନ ପଇସାର ଚମତ୍କାରୀ ଶକ୍ତିଥିବା କଥା ଲୋକମୁଖରେ ପ୍ରଚଳିତ ଅଛି। ଏହା ଅରୁଆ ଚାଉଳକୁ ଟାଣିନିଏ। ଏହା ପାଖରେ ଥିଲେ ଦୁଃସାଧ୍ୟ ରୋଗ ଭଲ ହୋଇଯାଏ। କାମନା ପୂରଣ ହୁଏ। ସମସ୍ତ ସମସ୍ୟା ଦୂର ହୋଇଯାଏ ଆଦି ଅବଧାରଣା ଲୋକଙ୍କ ମନରେ ରହିଛି। ଏଭଳି ଶକ୍ତିର ବାସ୍ତବତା ପ୍ରମାଣିତ ହୋଇନଥିଲେ ମଧ୍ୟ ଏପରକି ଏହାକୁ ଚକ୍ଷୁରେ ନ ଦେଖି ମଧ୍ୟ ଲୋକେ ନାନାକଥା ଯୋଡ଼ି କହନ୍ତି। ଆକାଶରୁ ଉଡ଼ାଜାହାଜ ଏବଂ ସମୁଦ୍ରରୁ ପାଣି ଜାହାଜକୁ ଟାଣି ଆଣିପାରିବାର ଶକ୍ତି ଅଛି ବୋଲି କୁହାଯାଉଥିବାବେଳେ ଏହାର ପରୀକ୍ଷା ମାତ୍ର ଦୁଇ ତିନିଶହ ମିଲିଗ୍ରାମ ଓଜନର ଧାନ କିମ୍ୱା ଚାଉଳରେ ହୋଇଥାଏ।

 

ଚୁମ୍ୱକୀୟ କିମ୍ୱା ବିଦ୍ୟୁତ ଚୁମ୍ୱକୀୟ ଶକ୍ତିଥିବା ପଦାର୍ଥରେ ଆକର୍ଷଣ କିମ୍ୱା ବିକର୍ଷଣ ଗୁଣ ଥାଏ। ତମ୍ୱା ପଇସାଟିରେ ଏଭଳି ଶକ୍ତି ରହିବା ପଦାର୍ଥ ବିଜ୍ଞାନ ଦୃଷ୍ଟିରୁ ସମ୍ଭବ ନୁହେଁ। ବିଜ୍ଞାନର ମୌଳିକ ନିୟମ କିମ୍ୱା କୌଣସି ତତ୍ତ୍ୱର ସମର୍ଥନ ନ ଥାଇ ତମ୍ୱା ପଇସାରେ ଆକର୍ଷଣ ଗୁଣ ଦେଖାଇବା ନିଶ୍ଚିତରୂପେ ରହସ୍ୟବାଦର ବିଷୟ। ହନୁମାନ, ପର୍ବତଧାରୀ ଉଡ଼ନ୍ତା ହନୁମାନ ତଥା ମାଙ୍କଡ଼ ଚିତ୍ର ଖୋଦିତ ତମ୍ୱା ମୁଦ୍ରାର ପ୍ରଚଳନ ପ୍ରାୟ ଦ୍ୱାଦଶ ଶତାବ୍ଦୀ ବେଳକୁ ଭାରତର ବିଭିନ୍ନ ରାଜ୍ୟର ରାଜାମାନେ ଆରମ୍ଭ କରିଥିଲେ। ଏହାସହିତ ତରାଜୁ ଧରି ଓଜନ କରୁଥିବା ମାଙ୍କଡ଼ ଚିତ୍ର ସମ୍ୱଳିତ ଏକ ତମ୍ୱାମୁଦ୍ରାର ନକଲ ବର୍ତ୍ତମାନ ହାଟବଜାରରେ ଲୁଚାଛପାରେ ବିକ୍ରି ହେଉଛି। ଏହିଭଳି ଭାବରେ ପ୍ରାୟ ଛଅ ପ୍ରକାରର ଭିନ୍ନଭିନ୍ନ ମୁଦ୍ରା ଭିନ୍ନଭିନ୍ନ ସମୟରେ ରାଜାମାନେ ପ୍ରଚଳନ କରିଥିବା ଜଣାଯାଏ। ତେଣୁ ହନୁମାନ ପଇସାକୁ ନେଇ ବର୍ତ୍ତମାନର ରହସ୍ୟମୟ ଶକ୍ତି କେଉଁ ସମୟର ଏବଂ କେଉଁ ଚିତ୍ର ସମ୍ୱଳିତ ମୁଦ୍ରାର ରହିଛି ବୋଲି ତର୍କଶୀଳ ମନ ପଚାରିବା ଉଚିତ। ବିଭିନ୍ନ ଧର୍ମଗ୍ରନ୍ଥ ଏବଂ କିମ୍ୱଦନ୍ତୀର ଅବାନ୍ତର କାହାଣୀସବୁକୁ ସତ୍ୟ ଭାବରେ ଗ୍ରହଣ କରିନେବା ଅବଧାରଣାକୁ ହେତୁବାଦରେ କ୍ରିପ‌୍‍ଟେଇସ୍ଥେଇସିଆ କୁହାଯାଏ। ସ୍କ୍ରିପ‌୍‍ଚର ବା ଧର୍ମଗ୍ରନ୍ଥକୁ ନେଇ ଏ ଶବ୍ଦଟିର ସୃଷ୍ଟି। କ୍ରିପ‌୍‍ଟେଇସ୍ଥେଇସିଆ ପ୍ରଭାବରେ ପ୍ରଭାବିତ ବ୍ୟକ୍ତି ରହସ୍ୟବାଦ ଉପରେ ଗଭୀର ଆସ୍ଥା ପ୍ରକଟକରି ବାସ୍ତବ ଜୀବନରୁ ଦୂରେଇ ଯାଏ। ଏଭଳି ବ୍ୟକ୍ତି ଅଜ୍ଞାତସାରରେ ଯେ କୌଣସି ଜଘନ୍ୟ ଅପରାଧ କରିପାରୁଥିବାର ବିଭିନ୍ନ ପ୍ରମାଣ ରହିଛି।

 

ଏବେ କେତେବର୍ଷ ହେଲା ହନୁମାନ ପଇସା ଅବଧାରଣା ସହ ପିତ୍ତଳମାଣ ନାମରେ ଆଉ ଏକ ଅବଧାରଣା ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦେଖା ଗଲାଣି। ଓଡ଼ିଶାର ଗଡ଼ଜାତ ରାଜାମାନେ ନିଜ ରାଜ୍ୟରେ ବିଭିନ୍ନ ଶସ୍ୟର ମାପ ନିମିତ୍ତ ଏକକ ଭାବେ ପ୍ରଚଳନ କରିଥିବା ମାଣ ଏବେ ହନୁମାନ ପଇସା ଭଳି ରହସ୍ୟମୟ ଶକ୍ତିର ଅଧିକାରୀ ବୋଲି କେତେକ ସ୍ଥାନରେ ଲୋକେ ବିଶ୍ୱାସ କରୁଛନ୍ତି। ଏହି ପୁରୁଣା ମାଣର କିଣାବିକା ନେଇ ଅପରାଧ ଘଟୁଥିବା ଦୃଷ୍ଟିକୁ ଆସିଲାଣି।

 

ପ୍ରକୃତିର ରହସ୍ୟକୁ ନେଇ ମାନବ ସଭ୍ୟତାର ବିକାଶ ଘଟିଛି। ରହସ୍ୟମୟ ମନେ ହେଉଥିବା ପ୍ରତ୍ୟେକ ଘଟଣା ଉପରେ ପ୍ରଶ୍ନ ପଚାରି ଯୁକ୍ତିସଂଗତ ଉତ୍ତର ମିଳିଥିବା କ୍ଷେତ୍ର ବିଜ୍ଞାନ ବିଷୟର ଅନ୍ତର୍ଭୁକ୍ତ ହୋଇଛି। ରହସ୍ୟବାଦକୁ ନେଇ ବିଜ୍ଞାନର ପରିସର ବୃଦ୍ଧି ହୋଇଥିବାରୁ ରହସ୍ୟବାଦକୁ ବିଜ୍ଞାନର ଜନନୀ କହିବା ଭୁଲ ହେବ ନାହିଁ।

 

ପ୍ରାୟ ଦୁଇ ହଜାର ବର୍ଷତଳେ ଇଜିପ୍ଟରେ ଏକ ରହସ୍ୟମୟ ବସ୍ତୁ ସଂପର୍କରେ ଲୋକଙ୍କର ବିଶ୍ୱାସ ଥିଲା। ଏହି ରହସ୍ୟମୟ ବସ୍ତୁକୁ ଫିଲୋସଫିକାଲ ବା ଫିଲୋସଫର୍ସ ଷ୍ଟୋନ ଭାବରେ ନାମିତ କରାଯାଇଥିଲା। ଏହାକୁ ଏ ପର୍ଯ୍ୟନ୍ତ କେହି ହାସଲ କରିନଥିଲେ ମଧ୍ୟ ଅନେକ ରହସ୍ୟମୟ ଏବଂ ଅଲୌକିକ କଥାସବୁକୁ ଏହାସହ ଯୋଡ଼ା ଯାଇଛି। ଏହ ପଦାର୍ଥ ସଂସ୍ପର୍ଶରେ ଆସୁଥିବା ନିକୃଷ୍ଟ ଧାତୁ ସୁନାରେ ପରିଣତ ହୁଏ। ଦୂରାରୋଗ୍ୟରୁ ଆରୋଗ୍ୟ ଲାଭ ହୁଏ। ଅଖଣ୍ଡ ଯୌବନ, ମନସ୍କାମନା ପୂରଣ ଆଦି ଅନେକ କଥା ଏହାସହ ଯୋଡ଼ା ଯାଇଛି। ତେବେ ଏହି ରହସ୍ୟମୟ ପଦାର୍ଥ ପୃଥିବୀରେ କେଉଁଠି ନା କେଉଁଠି ବିଦ୍ୟମାନ। ଏହାକୁ ଶୁଭ ମୁହୂର୍ତ୍ତରେ ଖୋଜିଲେ ମିଳିବ ବୋଲି କିଛି ଲୋକ ବିଶ୍ୱାସ କରୁଥିଲେ। ଏଭଳି ପଦାର୍ଥ କେଉଁଠାରେ ପଡ଼ିନାହିଁ, ବରଂ ଏହାକୁ ତିଆରି କରାଯାଇପାରିବ ବୋଲି ଆଉକିଛି ଲୋକ ବିଶ୍ୱାସ କରୁଥିଲେ। ବିଭିନ୍ନ ରାଶି, ନକ୍ଷତ୍ର, ଲଗ୍ନ, ବେଳ, ସୂର୍ଯ୍ୟଚନ୍ଦ୍ରଙ୍କ ଅବସ୍ଥିତି ଆଦିକୁ ନେଇ ଫିଲୋସଫିକାଲ ଷ୍ଟୋନ ଖୋଜୁଥିବା ଲୋକେ ଏଯାଏ ତାହା ପାଇନାହାନ୍ତି। କିନ୍ତୁ ସେମାନଙ୍କ ଖୋଜାଖୋଜିର ଫଳସ୍ୱରୂପ ଜ୍ୟୋତିର୍ବିଦ୍ୟାର ଉଦ୍ଭବ ଏବଂ ବିକାଶ ଘଟିଲା। ଜ୍ୟୋତିର୍ବିଦ୍ୟାରୁ (ଆଷ୍ଟ୍ରୋଲଜି) ତତ୍ତ୍ୱ ସମ୍ୱଳିତ ମତଗୁଡ଼ିକ ଜ୍ୟୋତିର୍ବିଜ୍ଞାନ ବା ଆଷ୍ଟ୍ରୋନମି ଭାବରେ ବିକାଶଲାଭ କରିଲା। ରହସ୍ୟବାଦର କଥା ସବୁ ଆଷ୍ଟ୍ରୋଲଜିର ଅନ୍ତର୍ଗତ ହୋଇ ରହିଗଲା। ଫିଲୋସଫିକାଲ ଷ୍ଟୋନକୁ ତିଆରି କରିବା ଉଦ୍ୟମରୁ ଆଲକେମୀ ବା ଅପରସାୟନ ନାମକ ଏକ ବିଦ୍ୟା ବିକଶିତ ହେଲା।

 

ତତ୍ତ୍ୱ ଏବଂ ଯୁକ୍ତି ସମର୍ଥିତ ଅପରସାୟନର ମତଗୁଡ଼ିକରୁ କାଳକ୍ରମେ ରସାୟନ ବିଜ୍ଞାନ (କେମିଷ୍ଟ୍ରି), ମେଟାଲୁରୁଜୁକାଲ ସାଇନ୍ସ (ଧାତୁ ବିଜ୍ଞାନ), ଶଙ୍ଖୁଆ ବିଷ (ଟକ୍ସିକୋଲଜି), ଭେଷଜ ବା ଔଷଧ ବିଜ୍ଞାନ (ସାଇନ୍ସ ଅଫ‌୍‍ ମେଡ଼ିସିନ) ଆଦି ବିଜ୍ଞାନର ବିଭିନ୍ନ ବିଭାଗ ଶାଖା ମେଲିଲା। ଅପରସାୟନର ତତ୍ତ୍ୱ ସମର୍ଥନ ନଥିବା ମତଗୁଡ଼ିକ ରହସ୍ୟବାଦ ଅନ୍ତର୍ଗତ ହୋଇ ମେଜିକ‌୍‍ ବା ଯାଦୁବିଦ୍ୟା ନାମକ ଅନ୍ୟଏକ ଶାଖାରେ ବିକାଶ ଲାଭ କରିଲା। ଏହା ସମ୍ମୋହନ, ମାରଣ, ତାରଣ, କୃଷି ଆଦି ପ୍ରାୟ ସାତରୁ ଊର୍ଦ୍ଧ୍ୱ ଭାଗରେ ବିଭକ୍ତ ହୋଇ ଏକ ଗୋପନୀୟ ପରମ୍ପରାରେ ଏପର୍ଯ୍ୟନ୍ତ ରହି ଆସିଛି। ବିଭିନ୍ନ ଦେଶରେ ଏହାକୁ ଅଲୌକିକତା କିମ୍ୱା ସେହି ପର୍ଯ୍ୟାୟବାଚୀ ଶବ୍ଦରେ ପ୍ରକାଶ କରାଯାଏ। ଆମ ଦେଶର ଲୋକ କଥାରେ ପ୍ରଚଳିତ କାମଧେନୁ, ସ୍ପର୍ଶମଣି, କଳ୍ପବୃକ୍ଷ ଏବଂ ଆରବୀୟ ଦେଶମାନଙ୍କ ଲୋକକଥା ପ୍ରଚଳିତ ଆଲ୍ଲାଦିନ ଚିରାଗର ସମାନ ଅବଧାରଣାକୁ  ହନୁମାନ ପଇସା ଏବଂ ପିତ୍ତଳ ମାଣ ଉପରେ ବର୍ତ୍ତମାନ ଆରୋପ କରାଯାଇଛି। ସମଗ୍ର ପୃଥିବୀରେ ବିଜ୍ଞାନର ବିକାଶ ଫିଲୋସଫିକାଲ ଲ୍ପୋନ ଏକମାତ୍ର ଉତ୍ସରୁ ଆରମ୍ଭ ହୋଇନଥିଲେ ମଧ୍ୟ ବିଶ୍ୱର ବୈଜ୍ଞାନିକ ପ୍ରଗତି କ୍ଷେତ୍ରକୁ ଏହା ଯଥେଷ୍ଟ ପରିମାଣରେ ପ୍ରଭାବିତ କରିଛି।

 

ରହସ୍ୟବାଦକୁ ନେଇ ଏବେ ହନୁମାନ ପଇସା ସମ୍ୱଳିତ କାହାଣୀ ପଛରେ ଏକ ତତ୍ତ୍ୱ ସମ୍ୱଳିତ ବୈଜ୍ଞାନିକ ତଥ୍ୟ ରହିଛି। ଏହି ତତ୍ତ୍ୱଟି ହେଲା- ଲୁହାକୁ ଚୁମ୍ୱକ ଆକର୍ଷଣ କରେ। ତମ୍ୱା ପଇସାକୁ ଲୁକ୍କାୟିତ ଚୁମ୍ୱକୀୟ କ୍ଷେତ୍ର ଉପରେ ରଖି ଅରୁଆ ଚାଉଳ ଭିତରେ ଲୁହାତାରକୁ ଲୁଚେଇ ରଖିଲେ ଅଜ୍ଞ ଦର୍ଶକ ତମ୍ୱା ପଇସା ଚାଉଳକୁ ଟାଣି ନେଉଥିବା ଦେଖିବେ। ଅଲୌକିକତା ନାମରେ ହନୁମାନ ପଇସା ନାମକ ତମ୍ୱା ପଇସାକୁ ଏକ ଲୁକ୍କାୟିତ ଚୁମ୍ୱକୀୟ କ୍ଷେତ୍ର ଉପରେ ରଖାଯାଉଛି। ପୂର୍ବରୁ ଅରୁଆ ଚାଉଳ ଭିତରେ ସରୁ ଲୁହା ତାରଖଣ୍ଡ ସବୁକୁ ଗେଞ୍ଜି ଭର୍ତ୍ତି କରାଯାଇ ପରୀକ୍ଷା ନିମିତ୍ତ ବ୍ୟବହାର କରାଯାଉଛି। ତମ୍ୱା ପଇସାର ରଖିବା ସ୍ଥାନ ବଦଳାଇଦେଲେ କିମ୍ୱା ଅରୁଆ ଚାଉଳକୁ ବଦଳାଇଦେଲେ ଅଲୌକିକ ଶକ୍ତିଥିବା ତମ୍ୱା ପଇସା ସାଧାରଣ ତମ୍ୱା ଚକିଆ ବୋଲି ପ୍ରମାଣିତ ହୋଇଯିବ।

 

ରହସ୍ୟବାଦରେ ବିଶ୍ୱାସ କରୁଥିବା ଲୋକେ କ୍ରିପ‌୍‍ଟେଇସ୍ଥେଇସିଆ ପ୍ରଭାବରୁ ମୁକ୍ତ ହେବା ପାଇଁ ଚେଷ୍ଟା କରିବା ସମାଜ ପକ୍ଷରେ ମଙ୍ଗଳକାରକ। ତେବେ ସବୁଠାରୁ କୌତୂହଳର କଥା ହେଉଛି, ହନୁମାନ ପଇସାକୁ ବିକୁଥିବା ଲୋକ ଜଣେ ଦରିଦ୍ର। ଏହାର କ୍ରେତା ପଇସାଟିକୁ କିଣିବା ମାତ୍ରକେ ଦରିଦ୍ର ହୋଇଯିବା ନିଶ୍ଚିତ। ତା ପରବର୍ତ୍ତୀ ଘଟଣା ସବୁ ବ୍ୟକ୍ତି ଓ ସମାଜ ପାଇଁ ଅତ୍ୟନ୍ତ ଦୁଃଖଦାୟକ।

 

ମୋବାଇଲ‌୍‍ : ୯୯୩୭୪୨୬୪୦୩


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top