ଓବିସିଙ୍କ ଦାବି ଯଥାର୍ଥ ନୁହେଁ କି?

News Story - Posted on 2016-11-11

ଧୂଳେଶ୍ୱର ମାଣିଆ

 

ଓଡ଼ିଶାରେ ବଲାଙ୍ଗିର କେବିକେ ଅନ୍ତର୍ଗତ ଏକ ପଛୁଆ ଜିଲ୍ଲା। ଜିଲ୍ଲାରେ ଏସ.ସି. ଓ ଏସ‌୍‍.ଟି. ଜନସଂଖ୍ୟା ପ୍ରାୟ ୩୭ ପ୍ରତିଶତ ଥିବା ସ୍ଥଳେ ଓବିସି ସଂଖ୍ୟା ପ୍ରାୟ ୫୨ ପ୍ରତିଶତରୁ ଅଧିକ ଥିବାର ଜଣାଯାଇଛି। ଜିଲ୍ଲାରେ  ଛ’ଟି ନଦୀ ପ୍ରବାହିତ ହୋଇଥିଲେ ମଧ୍ୟ ଏକ ଆକଳନ ଅନୁସାରେ ୩ ପ୍ରତିଶତ ଚାଷ ଉପଯୋଗୀ ଜମି ଜଳସେଚିତ ଅଟେ। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ବଲାଙ୍ଗୀରରୁ ଅଧିକ ପରିବାର ଦାଦନ ଖଟିବାକୁ ଅନ୍ୟାନ୍ୟ ରାଜ୍ୟକୁ ଯାଇଥାନ୍ତି। ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମଯୋଗାଣ ଯୋଜନା ଜରୀଆରେ ଚଳିତ ବର୍ଷ ଅକ୍ଟୋବର ୨୫ ତାରିଖ ପର୍ଯ୍ୟନ୍ତ ୧୩୦୧୦ ଜଣ ଶ୍ରମିକଙ୍କୁ ମାତ୍ର ୧୦୦ ଦିନ କାମ ଯୋଗାଇ ଦିଆଯାଇଛି। ବର୍ତ୍ତମାନ ଜିଲ୍ଲାରେ ୧୬୭ ଜଣ ଦାଦନ ସର୍ଦ୍ଦାର କାର୍ଯ୍ୟ କରୁଛନ୍ତି। ଜାଣିବାକୁ ପାଇଲୁ, ଜିଲ୍ଲାରେ ଆହୁରି ଅନେକ ଦାଦନ ବ୍ୟବସାୟୀ ପ୍ରଭାବଶାଳୀ ବ୍ୟକ୍ତିଙ୍କର ସମର୍ଥନରେ କାର୍ଯ୍ୟ କରୁଛନ୍ତି। ଶୁଣିବାକୁ ମିଳେ, ଜିଲ୍ଲାରେ ଦାଦନ ବ୍ୟବସାୟ ବାର୍ଷିକ ପ୍ରାୟ ୫୦୦ କୋଟି ଟଙ୍କା ହେବ।

 

ଗତ ପାଞ୍ଚ ବର୍ଷ ମଧ୍ୟରେ ଓଡ଼ିଶା ପଛୁଆବର୍ଗ ବିକାଶ ମଞ୍ଚର ସମସ୍ତ ଚେଷ୍ଟା ସତ୍ତ୍ୱେ ରାଜ୍ୟ ସରକାର ପଛୁଆବର୍ଗଙ୍କ ନିମନ୍ତେ ନିଯୁକ୍ତି କ୍ଷେତ୍ରରେ ଉପଯୁକ୍ତ ସଂରକ୍ଷଣ ସୁବିଧା ଦେଇପାରିନାହାଁନ୍ତି। ଶିକ୍ଷା ନିମନ୍ତେ ରାଜ୍ୟରେ ଆଦୌ ସଂରକ୍ଷଣ ନାହିଁ। ଅନ୍ତତଃ ଉଚ୍ଚଶିକ୍ଷା ନିମନ୍ତେ କେନ୍ଦ୍ର ସରକାରଙ୍କ ସଂରକ୍ଷଣ ନୀତି ଅନୁସରଣ କରିବାକୁ ଆମ୍ଭେ ସରକାରଙ୍କୁ ଅନୁରୋଧ ଜଣାଇଛୁ। ରାଜ୍ୟରେ ବାସ କରୁଥିବା ୫୨ ପ୍ରତିଶତ ଓବିସିଙ୍କ ନିମନ୍ତେ ସରକାର ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ୨୦୦୮ ମସିହାରେ ଆଇନ‌୍‍ ପ୍ରଣୟନ କରିଥିଲେ। ଏହା ସୁପ୍ରିମକୋର୍ଟଙ୍କ ଆଦେଶର ବିରୁଦ୍ଧାଚରଣ କରୁଥିବାରୁ ରାଜ୍ୟ ପ୍ରଶାସନିକ ଟ୍ରିବୁନାଲ‌୍‍ (ସ୍ୟାଟ‌୍‍) ଉକ୍ତ ଆଇନ‌୍‍କୁ ଗତ ତା ୧୨.୧୨.୨୦୧୩ରିଖରେ ଅସିଦ୍ଧ ଘୋଷଣା କରିଛନ୍ତି। କାରଣ ରାଜ୍ୟରେ ସମୁଦାୟ ୬୫.୭୫ ପ୍ରତିଶତ ସଂରକ୍ଷଣ ରକ୍ଷା କରିବା ଦିଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ପରାମର୍ଶ ଅନୁସାରେ ଉଚିତ‌୍‍ ପଦକ୍ଷେପ ନେଉନାହାଁନ୍ତି। ଏହାଫଳରେ ରାଜ୍ୟରେ ଓବିସିମାନେ ନିଯୁକ୍ତି କ୍ଷେତ୍ରରେ ବର୍ତ୍ତମାନ୧୧.୨୫ ପ୍ରତିଶତ ସଂରକ୍ଷଣ ପାଉଛନ୍ତି। କିନ୍ତୁ ବିଡ଼ମ୍ୱନା ଏହି ଯେ, ରାଜ୍ୟ ସରକାର ହ୍ରାସ ହୋଇଥିବା ସଂରକ୍ଷଣ ହାରକୁ ରକ୍ଷା କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପରିବର୍ତ୍ତେ ପ୍ରତିଦିନ ନୂତନ ନିଯୁକ୍ତି ଉପରେ କାର୍ଯ୍ୟ କରୁଛନ୍ତି।

 

ପ୍ରକଶଥାଉକି, ତାମିଲନାଡୁ ରାଜ୍ୟ ସମୁଦାୟ ୬୯ ପ୍ରତିଶତ ସଂରକ୍ଷଣ ଦେବାରେ ସକ୍ଷମ ହୋଇପାରିଛନ୍ତି। ରାଜ୍ୟରେ ଘରୋଇ ଅନୁଷ୍ଠାନମାନେ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେଉନାହାଁନ୍ତି। ଅତି ପଛୁଆବର୍ଗଙ୍କ ନିମନ୍ତେ ଆନ୍ଧ୍ର ଓ ତାମିଲନାଡୁ ରାଜ୍ୟ ଢାଞ୍ଚାରେ ସ୍ୱତନ୍ତ୍ର ସଂରକ୍ଷଣ ସୁବିଧା ଦାବୀ କରିଆସୁଅଛୁ। ଅବଶ୍ୟ ଭାରତ ସରକାର ନୀତିଗତ ଭାବେ ଉକ୍ତ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ରାଜ୍ୟ ପଛୁଆବର୍ଗ ଅର୍ଥ ଓ ବିକାଶ ନିଗମ କାର୍ଯ୍ୟକ୍ଷମ ହୋଇପାରିଲେ, ଗରୀବ ଚାଷୀମାନେ ସହଜରେ କୃଷି ଓ ବ୍ୟବସାୟ ନିମନ୍ତେ ଋଣ ପାଇପାରିବେ। ଆମ୍ଭର ମୁଖ୍ୟ ଓ ନ୍ୟାୟ ସଙ୍ଗତ ଦାବୀ ପୂରଣ ନିମନ୍ତେ ଆମ୍ୱେ ଗତ ତା ୮.୪.୨୦୧୬ରିଖରେ ମାନ୍ୟବର ଓବିସି ବିଭାଗର ମନ୍ତ୍ରୀଙ୍କୁ ଏକ ପତ୍ର ଦେଇଥିଲୁ। ଆମ୍ଭେ ସ୍ପଷ୍ଟ କରିଥିଲୁ ଯେ, ସରକାର ଯଦି ଏକମାସ ମଧ୍ୟରେ ଆମ୍ଭ ଦାବୀଗୁଡ଼ିକୁ ପୂରଣ ନକରନ୍ତି, କିମ୍ୱା ଦାବୀ ବିଷୟରେ ଆଲୋଚନା ନକରନ୍ତି, ତେବେ ଆମ୍ୱେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଏବଂ ଆଇନ‌୍‍ଗତ ପଦକ୍ଷେପ ନେବାକୁ ବାଧ୍ୟ ହେବୁ।

 

ବଲାଙ୍ଗିର ଜିଲ୍ଲାର ଓବିସି ନେତୃବୃନ୍ଦ ଜିଲ୍ଲାରେ ବାସ କରୁଥିବା ଏସ‌୍‍.ସି., ଏସ‌୍‍.ଟି. ଏବଂ ଓବିସିମାନଙ୍କର ଅବସ୍ଥା ଭଲଭାବରେ ଅନୁଧ୍ୟାନ କରିଛନ୍ତି। ଦାଦନ ପରିବାରମାନେ ସେମାନଙ୍କର ରେସନ କାର୍ଡ ମହାଜନଙ୍କ ନିକଟରେ ବନ୍ଧା ରଖି କିଛି ଟଙ୍କା ସଂଗ୍ରହ କରି ମୂଲ ଲାଗିବା ନିମନ୍ତେ ଅନ୍ୟ ରାଜ୍ୟକୁ ପଳାଇବା ଭଳି ଅମାନବିକ ଘଟଣା ସମ୍ୱାଦ ଅକ୍ଟୋବର ମାସର ଦୈନନ୍ଦିନ କଥା। ଜଳସେଚିତ ଜମିରେ ଚାଷ ଅର୍ଥାତ‌୍‍ ବ୍ୟବସାୟିକ ଚାଷ ବ୍ୟତୀତ ଅଣ ଜଳସେଚିତ ଅଞ୍ଚଳରେ ବର୍ଷାଦିନେ ଗୋଟିଏ ଚାଷ ଉପରେ ନିର୍ଭର କରୁଥିବା ଚାଷୀଙ୍କୁ ପ୍ରତିବର୍ଷ ପରିବର୍ତ୍ତିତ ହାରରେ ଶସ୍ୟ ଋଣ ଦିଆଯାଇ ଗ୍ରାମାଞ୍ଚଳରେ ଗରିବୀ ସଂଖ୍ୟା ବୃଦ୍ଧି କରାଯାଉଛି। ମଁୁ ଅନୁରୋଧ ଜଣାଉଛି, ଗ୍ରାମାଞ୍ଚଳର ଏକ ଫସଲ ଚାଷୀଙ୍କୁ କ୍ରମେ ଋଣ ବନ୍ଧନରୁ ମୁକ୍ତ କରାଯାଉ। କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଋଣ ଗ୍ରହଣ କ୍ଷମତା ଆଦୌ ନାହିଁ। ବଲାଙ୍ଗିର ଜିଲ୍ଲାର ଗ୍ରାମାଞ୍ଚଳର ପରିସ୍ଥିତି ଦେଖିଲା ପରେ ଗତ ତା ୩.୭.୨୦୧୫ରିଖରେ ଆଂଶିକ ପ୍ରକାଶିତ ଜାତିଭିତ୍ତିକ ସାମାଜିକ ଓ ଆଥିର୍କ ଜନଗଣନାରେ ପ୍ରକାଶିତ, ଓଡ଼ିଶାରେ ଗ୍ରାମାଞ୍ଚଳରେ ୮୮ ପ୍ରତିଶତ ପରିବାରଙ୍କର ମାସକୁ ରୋଜଗାର ଟ.୫୦୦୦/- ମଧ୍ୟରେ ରହିଅଛି, ୨୩.୦୭ ପ୍ରତିଶତ ପରିବାର ଚାଷ ଉପରେ ନିର୍ଭର କରନ୍ତି, ୫୮.୮୪ ପ୍ରତିଶତ ପରିବାର ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି, ୩.୦୧ ପ୍ରତିଶତ ପରିବାର ଅନ୍ୟ ଲୋକଙ୍କ ଘରେ ସହାୟକ ଭାବେ କାର୍ଯ୍ୟ କରୁଛନ୍ତି, ୨୨,୩୫୩ ପରିବାର ଜରି ଓ ଅନ୍ୟାନ୍ୟ ସାମଗ୍ରୀ ଗୋଟାଇ ଚଳୁଛନ୍ତି, ୧,୩୪,୯୯୯ ପରିବାର ଅଣକୃଷି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ୫୪,୧୯୯ ପରିବାର ଭିକ୍ଷାବୃତ୍ତି କରନ୍ତି ଇତ୍ୟାଦି ତଥ୍ୟ ଗୁଡ଼ିକରେ ସତ୍ୟତା ଥିବା ଭଳି ମନେ ହେଉଅଛି। ଏହା ସରକାରଙ୍କ ବିରୁଦ୍ଧରେ ଏକ ଚାର୍ଜସିଟ‌୍‍ ବୋଲି ଅନେକ ସମ୍ୱାଦପତ୍ର ମତ ଦେଇଛନ୍ତି। ଅବଶ୍ୟ ଏ ବିଷୟରେ ଅନୁଧ୍ୟାନ କରି ଉଚିତ‌୍‍ ପଦକ୍ଷେପ ନେବାପାଇଁ ସରକାର ବିଭିନ୍ନ ବିଭାଗକୁ ନେଇ ଏକ କମିଟି ଗଠନ କରିଛନ୍ତି।

 

ଏହା ସତ୍ୟ ଯେ ସ୍ୱାଧୀନତା ପରଠାରୁ ରାଜ୍ୟ ସରକାର ଓବିସି ବର୍ଗଙ୍କ ଦାବୀଗୁଡ଼ିକୁ ଅଣଦେଖା କରିଆସୁଛନ୍ତି। ଏହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବଲାଙ୍ଗିର ଜିଲ୍ଲାର ଓବିସି ନେତୃବୃନ୍ଦ ଜିଲ୍ଲାସାରା ସଂଗଠନ ଜରିଆରେ ଓବିସି ଆନ୍ଦୋଳନ ବାର୍ତ୍ତାର ପ୍ରଚାର ଓ ପ୍ରସାର କରାଇବା ଦିଗରେ ସୁଚିନ୍ତିତ ପଦକ୍ଷେପମାନ ନେଉଛନ୍ତି। ସେମାନେ ପ୍ରତ୍ୟେକ ବ୍ଲକରୁ ପ୍ରାୟ ୨୦ ଜଣ େସ୍ୱଚ୍ଛାସେବକ ଚୟନ କରି ସେମାନଙ୍କୁ ଓବିସିମାନଙ୍କର ଅଧିକାର ଓ ଅନ୍ୟାନ୍ୟ ରାଜ୍ୟରେ ଦିଆଯାଇଥିବା ସୁବିଧା ବିଷୟରେ ସଚେତନ କରୁଛନ୍ତି। ସେମାନେ ଗ୍ରାମାଞ୍ଚଳରେ ସଚେତନତା ଶିବିର ଜରିଆରେ ଓବିସିମାନଙ୍କୁ ଆବଶ୍ୟକ ତଥ୍ୟ ଦେଉଛନ୍ତି। ମୁଖ୍ୟ ଅଧିକାର ମଧ୍ୟରେ ରହିଅଛି ଜନସଂଖ୍ୟା ତୁଳନାରେ ଶାସନରେ ଭାଗୀଦାରୀ ଅଧିକାର, ସମାନତା ଅଧିକାର, ସାମାଜିକ ସୁରକ୍ଷା ଅଧିକାର, ଶୋଷଣ ବିରୋଧି ଅଧିକାର, ଧର୍ମଗତ, ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର, ସାଂବିଧାନିକ ପ୍ରତିକାର ଅଧିକାର ଇତ୍ୟାଦି ମୌଳିକ ଅଧିକାର ବ୍ୟତିତ ସଂବିଧାନରେ ରାଷ୍ଟ୍ରୀୟ ନିର୍ଦ୍ଦେଶ ମୂଳକ ନୀତିର ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଉଛି। ପରିତାପର ବିଷୟ ଦୁର୍ବଳ ଶ୍ରେଣୀଙ୍କ କଲ୍ୟାଣ ନିମନ୍ତେ ସଂବିଧାନର ମୁଖବନ୍ଧ ଏବଂ ନିର୍ଦ୍ଦିଷ୍ଟ ଧାରାର ପାଳନ ଓ ପ୍ରଭାବ ଉପରେ ସରକାରୀ ସ୍ତରରେ ବୋଧହୁଏ ସମୀକ୍ଷା ହୁଏନାହିଁ। ଅବଶ୍ୟ ଏଠାରେ ଏହାର ସମ୍ପୂର୍ଣ୍ଣ ବିବରଣୀ ଦେବା ସମ୍ଭବ ନୁହେଁ। କିନ୍ତୁ ପ୍ରାତଃ ସ୍ମରଣୀୟ ସଂବିଧାନ ପ୍ରଣେତା ଡଃ ଆମ୍ୱେଦକରଙ୍କର ସମଗ୍ର ପଛୁଆ ଜାତିଙ୍କୁ ଜାଗ୍ରତ କରାଇବା ଦିଗରେ କିଛି ଉପଦେଶକୁ ଏଠାରେ ପୁନରାବୃତ୍ତି କରିବା ଆବଶ୍ୟକ ମନେ କରୁଅଛୁ। ସମଗ୍ର ପଛୁଆଜାତିଙ୍କ ଅଧିକାରକୁ ଯେଉଁ କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରୁନାହାର୍ନ୍ତି ଅଥବା ଯେଉଁମାନେ ଏହାର ବିରୋଧ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ସମାଜ ଅବିଚ୍ଛିନ୍ନ ଓ ଅବିରତ ସଂଗ୍ରାମ ଜାରୀ ରଖିବେ, ଶାସକ ଗୋଷ୍ଠୀ ଓ ବିରୋଧୀଙ୍କ ନିକଟରେ ଦାସତ୍ୱ ସ୍ୱୀକାର କରୁଥିବା ପଛୁଆବର୍ଗ ଲୋକଙ୍କୁ ଫେରାଇ ଆଣିବା ଦିଗରେ ପଦକ୍ଷେପ ନେବା, ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ସମାନତା ସମୟ ସୀମା ମଧ୍ୟରେ ଉପଲବ୍ଧ ହୋଇନପାରିଲେ, ରାଜନୈତିକ ଗଣତନ୍ତ୍ରକୁ କ୍ରମେ ସାମାଜିକ ଗଣତନ୍ତ୍ରରେ ପରିଣତ କରାଇବା ଦିଗରେ ପଦକ୍ଷେପ ନେବା, ଏହି ସାମାଜିକ କ୍ରାନ୍ତିର ସଫଳତା ଦିଗରେ ନାରୀମାନେ ସହଯୋଗ ଦେବେ ଇତ୍ୟାଦି ବିଷୟରେ ବାବା ସାହେବ ପରାମର୍ଶ ଦେଇଛନ୍ତି। ଏହିସବୁ କାରଣରୁ ଏସ.ସି. ଓ ଏସ‌୍‍.ଟି. ସଂଗଠନ କ୍ରମେ କ୍ରମେ ଓବିସି ସଂଗଠନର ନିକଟତର ହେଉଛନ୍ତି ଏବଂ ସେମାନେ ମଧ୍ୟ ଓବିସିଙ୍କ ଦାବୀ ବିଷୟରେ ସରକାରଙ୍କୁ ଜଣାଉଛନ୍ତି।

 

ମଁୁ ପୁଣିଥରେ ପ୍ରକାଶ କରୁଅଛି, ଏହା ନିଶ୍ଚିତ ଭାବେ ଓଡ଼ିଶା ଓବିସି ଆନ୍ଦୋଳନ ପାଇଁ ସୁଖ ଖବର ଯେ, ବଲାଙ୍ଗୀର ଓବିସି ନେତୃବୃନ୍ଦ ଗ୍ରାମାଞ୍ଚଳରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଦୃଢ ସଂଗଠନ ଜରୀଆରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସେମାନେ ଗତ ତା ୨୪ା୧୦ା୨୦୧୬ରିଖରେ ପାଟଣାଗଡ଼ ସବ‌୍‍ଡ଼ିଭିଜନ ସ୍ତରରେ ଏକ ଧାରଣା, ରାଲି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସବ‌୍‍କଲେକ୍ଟରଙ୍କୁ ଦାବୀପତ୍ର ପ୍ରଦାନ କାର୍ଯ୍ୟ ସଫଳତାର ସହ ସମାପନ କରିଛନ୍ତି। ଏଥିରେ ଗ୍ରାମାଞ୍ଚଳରୁ ପ୍ରାୟ ୪୦୦୦ରୁ ଊର୍ଦ୍ଧ୍ୱ ଓବିସି ପ୍ରତିନିଧି ଯୋଗ ଦେଇଥିଲେ। ଅନେକ ମହିଳା ପ୍ରତିନିଧି ସକ୍ରୀୟ ଭାବେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ରାଜ୍ୟ ଓବିସି ବିକାଶ ମଞ୍ଚ ତରଫରୁ ମଁୁ ଓ ସାଧାରଣ ସମ୍ପାଦକ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଯୋଗ ପାଇଥିଲୁ। େସ୍ୱଚ୍ଛାସେବକଙ୍କର କାର୍ଯ୍ୟ ଦକ୍ଷତା ଓ ଉତ୍ସାହ ପ୍ରଶଂସନୀୟ। ନିଯୁକ୍ତି ଓ ଶିକ୍ଷା ଉପରେ ଓଡ଼ିଶା ସରକାର ଉଚିତ‌୍‍ ସଂରକ୍ଷଣ ପ୍ରଦାନ କରିବା ଏବଂ ଓବିସି ବର୍ଗଙ୍କୁ ନିଯୁକ୍ତି ସଂରକ୍ଷଣ ପ୍ରଦାନ ଉପରେ ସୁପ୍ରିମକୋର୍ଟ ଦେଇଥିବା କଟକଣାଗୁଡ଼ିକୁ କୋହଳ କରାଇବା ଦିଗରେ ଭାରତ ସରକାର ସହଯୋଗ ଦେବା ନିମନ୍ତେ ସଭାରେ ବକ୍ତାମାନେ ଅନୁରୋଧ ଜଣାଇଥିଲେ। ଏହି ଅଞ୍ଚଳର ପଛୁଆବର୍ଗ ଅନ୍ତର୍ଗତ ଚାଷୀ ଓ ବେକାର ଯୁବକଙ୍କ ନିମନ୍ତେ ସରକାର ଅଗ୍ରାଧିକାର ଭିତ୍ତିରେ ଜଳସେଚନ, ପଶୁପାଳନ, କ୍ଷୁଦ୍ର ଶିଳ୍ପ, କ୍ଷୁଦ୍ର ବ୍ୟବସାୟ, ନିଶ୍ଚିତକର୍ମ ଯୋଗାଣ, ଜଳସେଚନ ନିମନ୍ତେ ବିଦ୍ୟୁତ‌୍‍ ଦେୟ ଛାଡ, ଋଣ ଛାଡ, ଚାଷୀ ଓ ବେକାରଙ୍କ ନିମନ୍ତେ ପେନ‌୍‍ସନ‌୍‍ ସୁବିଧା, ଦାଦନ ଶ୍ରମିକଙ୍କ ଥଇଥାନ ଇତ୍ୟାଦିଙ୍କୁ ନେଇ ଏକ ସ୍ୱତନ୍ତ୍ର ପ୍ୟାକେଜ‌୍‍ ଘୋଷଣା କରନ୍ତୁ ବୋଲି ଅଧିକାଂଶ ବକ୍ତାମାନେ ଅନୁରୋଧ ଜଣାଇଛନ୍ତି। ଯଦି ଓଡ଼ିଶାରେ ଓବିସିଙ୍କ ଦାବୀ ଉପରେ ସରକାର ଏବଂ ଅନ୍ୟାନ୍ୟ ରାଜନୈତିକ ଦଳମାନେ ସେମାନଙ୍କର ମତ ସ୍ପଷ୍ଟ ନକରନ୍ତି, ତେବେ ଏଥିପାଇଁ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷ ଆଗାମୀ ନିର୍ବାଚନରେ ପ୍ରତିଫଳିତ ହେବ ବୋଲି ଉପସ୍ଥିତ ଓବିସି ନେତୃବୃନ୍ଦ ପ୍ରକାଶ କରିଛନ୍ତି। ଅନ୍ୟାନ୍ୟ ଜିଲ୍ଲାର ଓବିସି ନେତୃବୃନ୍ଦ ବଲାଙ୍ଗିର ଜିଲ୍ଲା ଓବିସି ଆନ୍ଦୋଳନ କାର୍ଯ୍ୟକ୍ରମକୁ ଅନୁକରଣ କରି ବିଭିନ୍ନ ଜିଲ୍ଲା ଓ ବ୍ଲକସ୍ତରରେ ଅନୁରୂପ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତ ହେଉଥିବାର ଖବର ମିଳିଅଛି। ଆମ୍ଭେ ନିଶ୍ଚୟ ଆଶା କରିବୁ ସଂରକ୍ଷଣ ଜନୀତ ମୁଖ୍ୟ ଦାବୀଗୁଡ଼ିକର ଆଶୁ ସମାଧାନ ଦିଗରେ ରାଜ୍ୟ ସରକାର ନିଜର ଦାୟିତ୍ୱ ତୁଲାଇବାରେ ଉଚିତ‌୍‍ ପଦକ୍ଷେପ ନେବେ।

 

କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପଛୁଆବର୍ଗ ବିକାଶ ମଞ୍ଚ

ଫୋନ‌୍‍ - ୯୪୩୯୫୧୩୦୯୭


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top